ବିଜୟ ନାୟକ

Advertisment

କିଂବଦନ୍ତି ଓ ଇତିହାସ ଆଧାରରେ କଳିଙ୍ଗ-ସିଂହଳ ସମ୍ପର୍କର ଯେଉଁ ଇତିବୃତ୍ତ ଉପଲବ୍‌ଧ, ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ। କଳିଙ୍ଗ କାଳେ କାଳେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଥିଲା ଏବଂ କଳିଙ୍ଗବାସୀ ଥିଲେ ନୌବାଣିଜ୍ୟ-ନିପୁଣ ଜାତି ଭାବରେ ସୁପରିଚିତ। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ କଳିଙ୍ଗର ରାଜା ଥିଲେ ‘ସିଂହବାହୁ’। ସମୃଦ୍ଧ ନଗରୀ ‘ସିଂହପୁର’ ସେ କାଳରେ ଥିଲା କଳିଙ୍ଗର ରାଜଧାନୀ। ନିଜ ଜ୍ୟେଷ୍ଠପୁତ୍ର ବିଜୟଙ୍କ ଔଦ୍ଧତ୍ୟ ଯୋଗୁଁ ରାଜା ସିଂହବାହୁ ତାଙ୍କୁ ଦେଶାନ୍ତର ଦଣ୍ଡ ଦେଲେ। ଦୁର୍ଦ୍ଧର୍ଷ କୁମାର ରାଜାଜ୍ଞା ପାଳନ କଲେ ସତ, ମଥାନତ କିନ୍ତୁ କଲେ ନାହିଁ। ଶତାଧିକ ବୋଇତରେ ପ୍ରାୟ ସାତ ଶହ ଯୁବକଙ୍କୁ ସାଙ୍ଗରେ ଘେନି ସେ ସମୁଦ୍ର ଯାତ୍ରା କଲେ। ଆଦିମ ଲୋକମାନଙ୍କ ଦ୍ୱାରା ଶାସିତ ଏକ ଜନବିରଳ ଦ୍ୱୀପରେ ପହଞ୍ଚି ସେ ସେଠାକାର ଶାସକ ଆଦିଜାତିର ସର୍ଦ୍ଦାରଙ୍କୁ ପରାଜିତ କରି ସେହି ଦ୍ୱୀପ ଦେଶର ସିଂହାସନ ଆରୋହଣ କଲେ। ପିତା ସିଂହବାହୁ ଏବଂ ପିତୃରାଜ୍ୟର ରାଜଧାନୀ ସିଂହପୁର ନାମାନୁସାରେ ସେ ନବଦ୍ୱୀପର ନାମ ଦେଲେ ‘ସିଂହଳ’। ଇତିହାସକାରମାନଙ୍କ ମତରେ ଏହି ଘଟଣା କେବଳ ‘ସିଂହଳୀ’ ନାମରେ ଏକ ନୂଆ ଜାତି ସୃଷ୍ଟି କରିଥିଲା ତା’ ନୁହେଁ, ନୂଆ ଏକ ପରମ୍ପରାର ଶୁଭାରମ୍ଭ କରିଥିଲା ମଧ୍ୟ।
ସିଂହଳ ସହିତ କଳିଙ୍ଗର ନିବିଡ଼ ସମ୍ବନ୍ଧ ସେହି ଦିନରୁ ରହିଆସିଛି। ନିଶଙ୍କ ମଲ୍ଲ, ସାହସ ମଲ୍ଲ ଓ ମାଘଙ୍କ ପରି କଳିଙ୍ଗ ରାଜପୁତ୍ରଗଣ ଏବଂ ନିଶଙ୍କଙ୍କ ରାଣୀ କଲ୍ୟାଣବତୀ ସେଠାରେ ଶାସନ ଦଣ୍ଡ ଧାରଣ କରିଛନ୍ତି। ସିଂହଳ ରାଜପରିବାରରେ କଳିଙ୍ଗ କୁମାରୀମାନଙ୍କ ବିବାହ ଏକଦା ପ୍ରଥା ଥିବା କହାଯାଇପାରେ। ତ୍ରିଲୋକ ସୁନ୍ଦରୀ ଓ ସୁନ୍ଦରୀ ଦେବୀଙ୍କ ନାମ ଏହି ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ। ରାଜା ନିଶଙ୍କ ସିଂହଳର ପ୍ରାଚୀନ ନଗର ‘ଅନୁରାଧାପୁର’ର ପୁନଃନିର୍ମାଣ କାର୍ଯ୍ୟ କରିଥିଲେ ଏବଂ ‘କଳିଙ୍ଗ ପୁର’, ‘କଳିଙ୍ଗ ବନ’ ଓ ‘କଳିଙ୍ଗ ଉଦ୍ୟାନ’ ପ୍ରତିଷ୍ଠା କରିଥିଲେ। କଳିଙ୍ଗରୁ ହିଁ ବୌଦ୍ଧଧର୍ମ ପ୍ରସାରିତ ହୋଇଥିଲା ସିଂହଳକୁ। ସମ୍ରାଟ ଅଶୋକଙ୍କ ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରା କଳିଙ୍ଗ ବନ୍ଦରରୁ କଳିଙ୍ଗ ବୋଇତରେ ସିଂହଳ ଯାଇଥିଲେ। ମହେନ୍ଦ୍ରଙ୍କ ସହିତ ଆଠଟି ଓଡ଼ିଆ ପରିବାର ସିଂହଳ ଯାଇଥିବା ଇତିହାସ ସମ୍ମତ। ବୁଦ୍ଧଙ୍କର ଦନ୍ତ କଳିଙ୍ଗରୁ ସିଂହଳ ଓ ସିଂହଳରୁ ପୁଣି କଳିଙ୍ଗ ଅଣାଯାଇଥିଲା। ପୁନର୍ବାର କଳିଙ୍ଗରୁ ତାହା ସିଂହଳ ନିଆଯାଇ ସ୍ଥାୟୀ ଭାବରେ କାଣ୍ଡି ଠାରେ ରଖାଯାଇଥିଲା। ‘କାଣ୍ଡି’ ସେଥିପାଇଁ ପୃଥିବୀ ପ୍ରସିଦ୍ଧ। ବଜ୍ରଯାନ ବୌଦ୍ଧଧର୍ମ ଭାବରେ ପ୍ରସିଦ୍ଧ ତାନ୍ତ୍ରିକ ବୌଦ୍ଧଧର୍ମର ଉତ୍ପତ୍ତିସ୍ଥଳୀ ଓଡ଼ିଶା। ଏହି ପନ୍ଥା ଓଡ଼ିଶାରୁ ହିଁ ସିଂହଳକୁ ବ୍ୟାପିଥିଲା। ଓଡ଼ିଶାର ସ୍ତୂପଗୁଡ଼ିକରେ ଧରଣୀ ବା ତାରା ପ୍ରତିମା ସ୍ଥାନିତ ହେଲା ପରି ଶ୍ରୀଲଙ୍କାର ଅଭୟଗିରି ସ୍ତୂପରେ ତା’ର ସ୍ଥାପନା ଦେଖିବାକୁ ମିଳେ। ଓଡ଼ିଶାରୁ ଏହି କଳା ଶ୍ରୀଲଙ୍କା ଯାଇଥିବା ଅବିସମ୍ବାଦିତ। ଓଡ଼ିଶାର ଓ ଶ୍ରୀଲଙ୍କାର ବୁଦ୍ଧମୂର୍ତ୍ତି ମଧ୍ୟ ଦେଖିବାକୁ ଏକାପରି। ଏକାପରି ମଧ୍ୟ ଦେଖିବାକୁ ଶ୍ରୀଲଙ୍କାର ‘ସିଗିରିଆ’ ଓ ଓଡ଼ିଶାର ‘ସୀତାବିଞ୍ଜି’ ଚିତ୍ର।
ମୃଣ୍ମୟ କଳା ଓ କଣ୍ଢେଇ ନାଚ ଓଡ଼ିଶା ଓ ସିଂହଳ ମଧ୍ୟରେ ଐତିହାସିକ ବନ୍ଧନର ଅନ୍ୟ ଏକ ଉଦାହରଣ। ଦୁଇ ଦେଶ ମଧ୍ୟରେ ବନ୍ଧନର ଆଉ ଏକ ସୂତ୍ର ‘ପାଳି’ ଭାଷା। କଳିଙ୍ଗରୁ ‘ପାଳି’ ସିଂହଳ ଯାଇଥିବା ଭାଷାବିତ୍ ହର୍ମାନ୍ ଓଲ୍ ଡେନ୍ ବର୍ଗଙ୍କ ମତ। ଅନ୍ୟତମ ବିଦ୍ୱାନ ଏଫ୍. ମାକ୍‌ସମିଲ୍ଲର୍‌ଙ୍କ ଦ୍ୱାରା ଏହା ସମର୍ଥିତ। ଓଡ଼ିଆ ଓ ସିଂହଳୀ ଭାଷା ମଧ୍ୟରେ ଘନିଷ୍ଠତା ଯେ କେବଳ ଦେଖାଯାଏ ତା’ ନୁହେଁ, ଶ୍ରୀଲଙ୍କାର ଇତିହାସକାର ସିଦ୍ଧାର୍ଥ ଆଉ ପାଦେ ଆଗକୁ ଯାଇ ସିଂହଳୀ, ‘ମୋଡିଫାଏଡ୍ ଫର୍ମ ଅଫ୍ ଓଡ଼ିଆ’ ବୋଲି କହିଛନ୍ତି ମଧ୍ୟ। ଓଡ଼ିଆ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଭାଷା କୌଣସି ବିଦେଶୀ ଭାଷାର ଆଧାର ହୋଇପାରିଛି କି? ସିଂହଳୀ ଓ ଓଡ଼ିଆମାନଙ୍କ ବଂଶଗତ ସମ୍ପର୍କକୁ ଦୃଷ୍ଟିରେ ରଖି ଏହି ଦୁଇ ଜାତିକୁ ଦୁଇ ଭାଇ ନ ହେଲେ ବି ଦୁଇ ମାଉସୀପୁଅ ଭାଇ ବୋଲି ଅନେକ ଗବେଷକ ଅଭିହିତ କରନ୍ତି। ସିଂହଳୀ ଓ ଓଡ଼ିଆ ଲୋକଙ୍କ ନାମ ଏବଂ କୁଳ ନାମରେ ରହିଛି ଗହନ ସାମଞ୍ଜସ୍ୟ।
ଜାଭା, ସୁମାତ୍ରା, ବାଲି ଓ ବୋର୍ଣ୍ଣିଓ ସାଙ୍ଗକୁ ସିଂହଳ ସହିତ କଳିଙ୍ଗର ନୌବାଣିଜ୍ୟ କାହିଁ କେଉଁ କାଳରୁ ଚାଲି ଆସୁଥିଲା। ଓଡ଼ିଆ ସାଧବମାନେ ହାତୀ, ହାତୀ ଦାନ୍ତ, ମୂଲ୍ୟବାନ ପଥର, ଗୁଆ ଓ ସୂକ୍ଷ୍ମ ବସ୍ତ୍ର ନେଇ ସିଂହଳ ଯାଉଥିଲେ ଏବଂ ସେଠାରୁ ମୁକ୍ତା, ରୁପା ଓ ତମ୍ବା ଆଣି ଆସୁଥିଲେ। ଏହି ପ୍ରସଙ୍ଗରେ ଭୁବନେଶ୍ୱର ବ୍ରହ୍ମେଶ୍ୱର ମନ୍ଦିରର ହାତୀ ନେଇ ଯାଉଥିବା ବୋଇତର ପ୍ରସ୍ତର ଖୋଦିତ ଚିତ୍ର ଯାହା ଅଧୁନା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ, ଦ୍ରଷ୍ଟବ୍ୟ।
ଓଡ଼ିଆ କଥାକାହାଣୀ ଓ କାବ୍ୟକବିତା ଓଡ଼ିଶାବାସୀଙ୍କୁ ଅଧିକ ସିଂହଳମନସ୍କ କରେ। ‘ତଅପୋଇ’ ଓ ‘କୁହୁକ ମଣ୍ଡଳ ଚଢ଼େଇ କଥା’ ସିଂହଳ ସହିତ ଓଡ଼ିଶାର ଆତ୍ମୀୟତାର କଥା କହେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ନାୟିକା ‘ଲାବଣ୍ୟବତୀ’ ସିଂହଳର ରାଜଜେମା। ମଝି ସମୁଦ୍ରରେ ଅବସ୍ଥିତ ସିଂହଳ ଦ୍ୱୀପର ବର୍ଣ୍ଣନା ଉପେନ୍ଦ୍ରଙ୍କ ଲେଖନୀରେ ଅପୂର୍ବ: “ଶୁଣହେ ରସିକେ ରସ କର୍ଣ୍ଣ ମନଲୋଭା, ରତ୍ନାକର ମଧ୍ୟରେ ସିଂହଳ ଦ୍ୱୀପ ଶୋଭା। କହିବାର ନୋହେ ସେ କଟକ ଛଟକକୁ, ରତ୍ନ ଝଟକରେ ହସେ ଆନ କଟକକୁ।”
ଏସବୁ ତ ଆମ ଇତିହାସରେ ସିଂହଳ। ତେବେ ସିଂହଳ ଇତିହାସରେ ଆମେ କିପରି? ସୁଖ୍ୟାତ ସାହିତ୍ୟିକ ମନୋଜ ଦାସ ଠାଏ ଲେଖିଛନ୍ତି, କଲମ୍ବୋରେ ଏକ ସୁଧୀ ସଭାରେ ଭାଷଣ ଦେଇସାରିବା ପରେ ଜଣେ ବିଶିଷ୍ଟ ଶ୍ରୋତା ତାଙ୍କ ପାଖକୁ ଆସି ସଗର୍ବ କହିଲେ ଯେ ସେମାନଙ୍କ ପୂର୍ବପୁରୁଷ କଳିଙ୍ଗରୁ ଆସିଥିଲେ। ସାମରିକ ପ୍ରଶିକ୍ଷଣ ଦାୟରେ କଲମ୍ବୋ ରହଣି ସମୟର ଅନୁରୂପ ଅନୁଭୂତି ମୋ ଆଗରେ ବଖାଣିଛନ୍ତି ରାଷ୍ଟ୍ରପତିଙ୍କ ସୈନିକ ସଚିବ ମେଜର୍ ଜେନେରାଲ୍, ବନ୍ଧୁ ଭୂଦେବ ପରିଡ଼ା। ଏ ବିଷୟରେ ଏକ ସଦ୍ୟ ଘଟଣାର ଅବତାରଣା ଏଠାରେ ଅନିବାର୍ଯ୍ୟ। ଗତ ମାସ (୨୯.୭.୨୦୨୫)ରେ ରାଷ୍ଟ୍ରପତି ଭବନରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନଙ୍କ ନିଯୁକ୍ତିପତ୍ର ଗ୍ରହଣ କରିଥିଲେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସହିତ କୂଟନୀତିଜ୍ଞମାନଙ୍କ ବାର୍ତ୍ତାଳାପ ହୋଇଥିଲା। ଶ୍ରୀଲଙ୍କାର ଉଚ୍ଚାୟୁକ୍ତ ଶ୍ରୀମତୀ ମହିଷିନୀ କଲୋନ୍ନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମହାମହିମ ଓଡ଼ିଶାର କନ୍ୟା ଏବଂ ଓଡ଼ିଶା ସହିତ ଶ୍ରୀଲଙ୍କାର ସମ୍ପର୍କ ଯୁଗଯୁଗର। କଳିଙ୍ଗ ଓ ସିଂହଳ ଇତିହାସର କେତେକ ଗୁରୁତ୍ୱପୂର୍ଣ୍ଣ କଥା ଉପସ୍ଥାପନ କଲା ପରେ ସେ ଯେତେବେଳେ କହିଲେ, କଳିଙ୍ଗର ରାଜପୁତ୍ର ସିଂହଳର ପ୍ରଥମ ରାଜା ଭାବରେ ସ୍ୱୀକୃତ, ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ବେଶ୍ ଆହ୍ଲାଦିତ ହୋଇଥିଲେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬