ବିଜୟ ନାୟକ

Advertisment

କେନ୍ଦ୍ର ସାହିତ୍ୟ ଏକାଡେମୀର ଏକ ଉତ୍ସବରେ ଯୋଗଦେଇ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ସଭାଗୃହରୁ ଫେରୁଥା’ନ୍ତି। ତାଙ୍କୁ ବିଦାୟ ଦେବା ପାଇଁ ତାଙ୍କ ପଛେପଛେ ଚାଲିଥା’ନ୍ତି ଅନେକ କବି ଓ ଲେଖକ। ସେମାନଙ୍କ ମଧ୍ୟରେ ଥିଲେ ହିନ୍ଦୀ ସାହିତ୍ୟର ସୁପରିଚିତ କବି ରାମଧାରୀ ସିଂହ ଦିନକର। ଚାଲୁ ଚାଲୁ ହଠାତ୍ ପଣ୍ଡିତ ନେହରୁ ଝୁଣ୍ଟିପଡ଼ିଲେ। ସେ ତଳେ ପଡ଼ିଯାଉଥିବାବେଳେ କବି ଦିନକର ତାଙ୍କ ବାହୁ ଧରି ତାଙ୍କୁ ଅଟକାଇଦେଲେ। ନେହରୁ ହସିଦେଇ କହିଲେ, “କବି ମହାଶୟ, ଯାହା ହେଉ ଆପଣ ମୋତେ ସମ୍ଭାଳିନେଲେ।” କବି ଦିନକର କବି ଭାବରେ ତ ପରିପକ୍ବ ଥିଲେ, ଥିଲେ ମଧ୍ୟ ଖୁବ୍ ପ୍ରତ୍ୟୁତ୍ପନ୍ନମତି। ସେ ତତ୍‌କ୍ଷଣାତ୍ ଉତ୍ତର ଦେଲେ, “ମହାଭାଗ, ରାଜନୀତି ପଡ଼ିଗଲାବେଳେ ସାହିତ୍ୟ ତାକୁ ସମ୍ଭାଳିନିଏ।” ଉଭୟ ପରସ୍ପର କଥାକୁ ସହାସ ବଦନରେ ଗ୍ରହଣ କଲେ।
ଉପରକୁ ଭାରି ଲଘୁ ମନେ ହେଉଥିଲେ ବି ଏହା ବଡ଼ ଗହନ କଥା। ଶାସନ ଭୁଶୁଡ଼ି ପଡ଼ିବାକୁ ଯାଉଥିଲାବେଳେ ସାହିତ୍ୟ ତାକୁ ସୁରକ୍ଷା ଦିଏ। ଶାସକର ଅଧୋଗତି କାଳରେ କବି ତା’ର ସାହା ହୁଏ। ‘କ୍ଷମତା’ ଘୋର ତମସାରେ ରୁନ୍ଧି ହେବା ସମୟରେ ପୁସ୍ତକଟିଏ ଆଲୋକ-ବର୍ତ୍ତିକା ସାଜେ। ଭାରତର ମୁନୀଋଷିମାନେ ରାଜାମହାରାଜାମାନଙ୍କର ମାର୍ଗଦର୍ଶନ କରାନ୍ତି ନାହିଁ କେବଳ, ଆବଶ୍ୟକ ସ୍ଥଳେ ଅସହଯୋଗ କରନ୍ତି, କରନ୍ତି ଅନ୍ୟାୟ ବିରୋଧରେ ଯୁଦ୍ଧ ଘୋଷଣା। ସତ କହିବାକୁ ହେଲେ ସାହସ ଲୋଡ଼ା। ସତ କହିବା ପାଇଁ ସାହସ ନଥିଲେ କେହି କ’ଣ କବି ହୋଇପାରେ! ପ୍ରଶସ୍ତିଗାନ କ’ଣ କବିତା ପଦବାଚ୍ୟ? ଗୃହଶତ୍ରୁର ଅପବାଦ ବହନ କରିଥିଲେ ମଧ୍ୟ ଅନୀତି ପଥର ଯାତ୍ରୀ ନିଜ ଅଗ୍ରଜ ରାଜାଧିରାଜ ରାବଣଙ୍କୁ ପ୍ରକାଶ୍ୟରେ ବିରୋଧ କରିଥିଲେ ବିଭୀଷଣ। ଏହା କ’ଣ ସହଜ କାମ? ପିତାମହ ଯେତେବେଳେ ହସ୍ତିନାପୁରର ସମସ୍ତ ଔଦ୍ଧତ୍ୟକୁ ନିରବ ସମର୍ଥନ ଦେଉଥିଲେ, ଦାସୀପୁତ୍ର ବିଦୁର ସତ୍ୟବଚନରୁ ତିଳେ ବି ହଟୁ ନଥିଲେ। ରାଜତନ୍ତ୍ରକୁ ଏକାଧିପତ୍ୟରୁ ବଞ୍ଚାଇ ରଖିବା ପାଇଁ ମହାକବି ବାଲ୍ମୀକି ଓ ବ୍ୟାସଙ୍କର ଏସବୁ ସ୍ମରଣୀୟ ସଂରଚନା।
ଜୀବନର ଅଳିକତା ବିଷୟରେ ଉଭୟ ରାଜା ଓ ପ୍ରଜାଙ୍କୁ ସତତ ସଚେତନ କରାଇଛି ଭାରତୀୟ କାବ୍ୟକବିତା ଓ କଥାକାହାଣୀ। କହିଛି ମଣିଷର କାନେକାନେ, ଜୀବନ ମାୟା, କ୍ଷମତା ମରୀଚିକା। ରଜା ହେଉ କି ରଙ୍କ- ସେ ଶୂନ୍ୟହସ୍ତରେ ସଂସାରକୁ ଆସେ ପୁଣି ବାହୁଡ଼ିଯାଏ ସେହି ଶୂନ୍ୟମୁଦ୍ରାରେ। ‘ଟୀକା ଗୋବିନ୍ଦଚନ୍ଦ୍ର’ର ଶାଶ୍ୱତ ବାଣୀ ଆଜି ମଧ୍ୟ ଝଙ୍କୃତ ହୁଏ ସହସ୍ର ପ୍ରାଣର ନିଭୃତ କୋଣରେ: “କେତେ ଘୋଡ଼ାହାତୀ କେତେ ପାଟଛତୀ ସବୁ ତୋ ବାପର ଥିଲା, ମଲାବେଳେ କିନ୍ତୁ ଗୋବିନ୍ଦଚନ୍ଦ୍ରରେ ଭଙ୍ଗା ପାଲିଙ୍କିରେ ଗଲା।”
ଏହି ପ୍ରସଙ୍ଗରେ ଲାଟିନ୍ ଉକ୍ତି ‘ମେମେଣ୍ଟୋ ମୋରି’ ତର୍ଜମାର ଅପେକ୍ଷା ରଖେ। ରୋମ୍‌ର ସମ୍ରାଟଙ୍କର ଯେତେବେଳେ ରାଜ୍ୟାଭିଷେକ ହୁଏ, ତାଙ୍କ ରାଜକୀୟ ଯାତ୍ରାର ଅଗ୍ରଭାଗରେ ଦୁଇଜଣ ରାଜପୁରୋହିତ ଏହି ମନ୍ତ୍ରଟି ଉଚ୍ଚାରଣ କରିଚାଲିଥା’ନ୍ତି ଯାହାର ଅର୍ଥ ଏହି ଯେ ‘ତୁମେ ମଧ୍ୟ ଦିନେ ମରଣ ଲଭିବ’। ତେବେ ‘ମେମେଣ୍ଟୋ ମୋରି’ ଏକ ପରମ୍ପରା ଯାହା ପଛରେ ରହିଛି ଗୋଟିଏ ବଳିଷ୍ଠ କାହାଣୀ। ରୋମ୍‌ର ସେନାପତିମାନେ ବିଶାଳ ଭୂଖଣ୍ଡ ଜୟ କରି ଯେତେବେଳେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିଲେ, ଚାରିଗୋଟି ଅଶ୍ୱ ଦ୍ୱାରା ଚାଳିତ ଏକ ସୁସଜ୍ଜିତ ରଥରେ ତାଙ୍କୁ ବସାଯାଇ ନଗର ପରିକ୍ରମା କରାଯାଉଥିଲା। ରାସ୍ତାର ଦୁଇକଡ଼ରେ ଲୋକମାନେ ହର୍ଷଧ୍ୱନି କରୁଥିଲେ। ରୋମ୍‌ର ବିଜୟୀ ସୈନ୍ୟସାମନ୍ତ ଏବଂ ବିଜିତ ଦେଶର ବନ୍ଦୀ ସୈନ୍ୟସାମନ୍ତ ତଥା ଦାସଦାସୀମାନେ ମଧ୍ୟ ସେହି ଶୋଭାଯାତ୍ରାରେ ଯୋଗ ଦେଉଥିଲେ। ତେବେ ଦୁଇଜଣ କ୍ରୀତଦାସ ସେନାପତିଙ୍କ କାନ ପାଖରେ କହିକହି ଚାଲୁଥିଲେ, ‘ମେମେଣ୍ଟୋ ମୋରି’। ନରପତି ହୁଅନ୍ତୁ କି ସେନାପତି, ତୁମର ମରଣ ଅବଶ୍ୟମ୍ଭାବୀ ବୋଲି କହିବାର ତାତ୍ପର୍ଯ୍ୟ, ‘ତୁମେ କ୍ଷମତାର ବ୍ୟବହାର କର, ଅପବ୍ୟବହାର କରନାହିଁ। କାରଣ ଚାହୁଁଚାହୁଁ ତୁମର କାଳ ପୂରିଯିବ।’
ଜୀବନର ଅଳିକତା କେବଳ ନୁହେଁ, ପ୍ରତିବାଦର ସ୍ୱର ମଧ୍ୟ ତୀବ୍ର କାଳୋତ୍ତୀର୍ଣ୍ଣ କାବ୍ୟକାହାଣୀରେ। ଭୋଜରାଜଙ୍କ ବିଷୟରେ ଅନେକତ୍ର ଉଦ୍ଧୃତ ଏକ କାହାଣୀ ଏଠାରେ ପ୍ରାସଙ୍ଗିକ: ଭୋଜରାଜ ପାଲିଙ୍କିରେ ବସି ନଗରାନ୍ତର ଯାତ୍ରା କରୁଛନ୍ତି। ଦୀର୍ଘଯାତ୍ରା। ପାଲିଙ୍କି ବାହକମାନଙ୍କ କାନ୍ଧକୁ ବାଧୁଥିବ ଅବା ପାଲିଙ୍କିଭାର। ରାଜା ପଚାରିଲେ, “ସ୍କନ୍ଧଂ କିଂ ବାଧତି ଶ୍ରୀମନ୍?” କହାଯାଏ ପାଲିଙ୍କି ବାହକଙ୍କ ମଧ୍ୟରୁ ଜଣେ ସହସା ଉତ୍ତର ଦେଲେ, “ସ୍କନ୍ଧଂ ନ ବାଧତେ ରାଜନ୍, ତବ ‘ବାଧତି’ ବାଧତେ।” ଭୋଜରାଜାଙ୍କ କହିବା ଥିଲା ପ୍ରମାଦପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ‘ବାଧତି’ ନ ହୋଇ ‘ବାଧତେ’ ଶବ୍ଦ ବ୍ୟବହୃତ ହୋଇଥା’ନ୍ତା। ସାଧାରଣ ଲୋକଙ୍କ ଭାଷାପ୍ରୀତି ଓ ଭାଷାବିକୃତି ପ୍ରତି ଆକ୍ଷେପ ଏହି କାହାଣୀର ସାରାଂଶ। ସେହିପରି କବି ଦୀନକୃଷ୍ଣଙ୍କ ବିଷୟରେ ଲୋକତୁଣ୍ଡରେ ବିରାଜିତ କଥାଟି କେତେ ସତ କାହାକୁ ବା ଜଣା? ରାଜା କୁଆଡ଼େ କହିଲେ, “କବି, ମୋ ନାମରେ ତୁମେ କାବ୍ୟ ଭଣିତା କର।” କବି ଉତ୍ତର ଦେଲେ, “ଅସମ୍ଭବ”। ସେତିକି ନୁହେଁ, ସେ ରାଜାଙ୍କୁ ମୂର୍ଖ ବୋଲି କହିଲେ। ଲେଖିଲେ, “କବି ଯା’ କରେ ମୂର୍ଖକୁ ସ୍ତୁତି, ତା’ଠାରୁ ବଳି ନାହିଁ ବିପତ୍ତି।”
ଆଉ ଉଲଙ୍ଗ ରାଜା ଉପାଖ୍ୟାନ ତ ବିଶ୍ୱସାହିତ୍ୟକୁ ଭାରତର ଅତୁଲ୍ୟ ଅବଦାନ: ରାଜା ଉଲଗ୍ନ ହୋଇ ବିହାର କରୁଛନ୍ତି ଅଥଚ ମହାମନ୍ତ୍ରୀ ନିଜ ପଦ ଚାଲିଯିବା ଭୟରେ ମୁହଁ ଖୋଲୁନାହାନ୍ତି। ସେନାପତି ଭାବୁଛନ୍ତି, ସୁରକ୍ଷା ଦାୟିତ୍ୱ ମୋର। ରାଜାଙ୍କ ଲଜ୍ଜାନିବାରଣ ପ୍ରସଙ୍ଗ ମୋ କ୍ଷମତା ବହିର୍ଭୂତ। ମୁହଁ ଖୋଲୁନାହାନ୍ତି, ପାତ୍ର, ପାରିଷଦ, ଆଜ୍ଞାବହ ଓ ଅଧସ୍ତନ। ଜନତା କାହିଁକି ବା ମୁହଁ ଖୋଲନ୍ତେ? ଏହି ସମୟରେ ଅବୋଧ ବାଳକଟିଏ ଅଚାନକ ଦୌଡ଼ି ଦୌଡ଼ି ଆସି କହିଲା, “ରାଜା, ଆପଣଙ୍କର କ’ଣ ଲୁଗା ନାହିଁ? ଆପଣ ଲଙ୍ଗଳା ହୋଇଛନ୍ତି କାହିଁକି? ଆଣିଦେବି କି ଆପଣଙ୍କୁ ମୋ ବାପାଙ୍କ ଲୁଗା ଖଣ୍ଡେ?” ଭାରତୀୟ ମନୀଷାରେ ସେହି ବାଳକଟିର ନାମ ସାହିତ୍ୟ ନୁହେଁ ତ ଆଉ କ’ଣ? କିନ୍ତୁ ସେହି ବାଳକଟି ଏବେ କେଉଁଠି? ହଜି ଯାଇଛି କି ତା’ ଠିକଣା?
ମୋ: ୯୪୩୭୧୪୩୮୯୬