ବିଜୟ ନାୟକ

ବୃନ୍ଦାବନରେ ରହିଛି ଏକ ଆଶ୍ରମ ଯାହା ‘ଓଡ଼ିଆ ବାବା ଆଶ୍ରମ’ ଭାବରେ ପ୍ରସିଦ୍ଧ। ରହିଛି ମଧ୍ୟ ଏକ ରାସ୍ତା ଯାହା ‘ଓଡ଼ିଆ ବାବା ମାର୍ଗ’ ନାମରେ ପରିଚିତ। କିଏ ଏହି ଓଡ଼ିଆ ବାବା?
ପୁରୀର ବୈଦ୍ୟନାଥ ମିଶ୍ରଙ୍କ ପୁଅ ଆର୍ତ୍ତତ୍ରାଣ ପରବର୍ତ୍ତୀ ସମୟରେ ଓଡ଼ିଆ ବାବା ବୋଲାଇ ଥିଲେ। ଶ୍ରୀଚୈତନ୍ୟଙ୍କ ସମସାମୟିକ ପଣ୍ଡିତ କାଶୀ ମିଶ୍ରଙ୍କର ସେ ବଂଶଧର। ତାଙ୍କର ଜନ୍ମ ୧୮୭୫ ମସିହାରେ। ପୁରୀରେ ପ୍ରାଥମିକ ଶିକ୍ଷା ଲାଭ କଲା ପରେ ଘରେ କାହାକୁ କିଛି ନ କହି ସେ ମୟୂରଭଞ୍ଜ ଯାଇ ସେଠାରେ ସଂସ୍କୃତ ପଢ଼ିଥିଲେ ଏବଂ ‘କାବ୍ୟ-ତୀର୍ଥ’ ପାସ୍ କରିଥିଲେ। ତାଙ୍କ ସହପାଠୀ ଗଙ୍ଗାଧର ମିଶ୍ର ଦିନେ ମେଦିନୀପୁର ଗଲେ ଯେ ଆଉ ଫେରିଲେ ନାହିଁ। ହଇଜାରେ ତାଙ୍କ ପ୍ରାଣହାନି ଘଟିଥିଲା। ଏହା କିଶୋର ଆର୍ତ୍ତତ୍ରାଣଙ୍କ ମନରେ ବୈରାଗ୍ୟ ଜାତ କରିଥିଲା। ତେବେ ଆକୈଶୋର ତାଙ୍କ ଭିତରେ ଥିଲା ଆଧ୍ୟାତ୍ମିକ ଅନ୍ୱେଷାର ଭାବ। ସେ କାଳରେ ଓଡ଼ିଶାରେ ଘୋର ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଅନ୍ନପୂର୍ଣ୍ଣା ମନ୍ତ୍ରର ଅଧିକାରୀ ହୋଇ ‘ଅକ୍ଷୟ ପାତ୍ର’ ମାଧ୍ୟମରେ ଓଡ଼ିଶାର ବୁଭୁକ୍ଷା ଦୂର କରିବା ପାଇଁ ସେ ପୁରୀ ଛାଡ଼ି ଗଲେ କାଉଁରୀ କାମାକ୍ଷା ପୀଠ। ସେଠାରେ ତପସ୍ୟା କଲେ। ସେଠାରୁ ଗଲେ କାଶୀ ଏବଂ କାଶୀରୁ ଶ୍ରୀକ୍ଷେତ୍ର ବାହୁଡ଼ିଲେ। ସେତେବେଳେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଥିଲେ ଜଗତ୍ ଗୁରୁ ସ୍ୱାମୀ ଶ୍ରୀ ମଧୁସୂଦନ ତୀର୍ଥ। ତାଙ୍କଠାରୁ ସେ ନୈଷ୍ଠିକ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଗ୍ରହଣ କଲେ। ସେତେବେଳେ ତାଙ୍କର ବୟସ ବାଇଶ ବର୍ଷ। ତାଙ୍କ ବ୍ରହ୍ମଚାରୀ ନାମ ହେଲା ବାସୁଦେବ ସ୍ୱରୂପ। ତତ୍‌ପରେ ସେ ଦେଶର ନାନା ତୀର୍ଥସ୍ଥଳୀ ଭ୍ରମଣ କରି ଗୁରୁ ସନ୍ଧାନରେ ପ୍ରାୟ ଏକ ଦଶନ୍ଧି ବିତାଇଲେ। କିନ୍ତୁ କେଉଁଠି ପାଇଲେ ନାହିଁ ସଦ୍‌ଗୁରୁଙ୍କ ସନ୍ଧାନ। ପୁଣି ଫେରିଲେ ପୁରୀ। ସନ୍ନ୍ୟାସ ଗ୍ରହଣ କଲେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଏବଂ ଦଣ୍ଡୀ ସ୍ୱାମୀ ପୂର୍ଣ୍ଣାନନ୍ଦ ତୀର୍ଥ ନାମ ଧାରଣ କଲେ।
ପୁଣ୍ୟତୋୟା ଗଙ୍ଗା କୂଳେ କୂଳେ ଭ୍ରମଣ କରି ବାବା ପରମାର୍ଥ ଖୋଜିବାକୁ ଲାଗିଲେ। ଏହି ଅନିକେତ, ପରିବ୍ରାଜକଙ୍କ ବ୍ରହ୍ମଦୀପ୍ତିରେ ଆକର୍ଷିତ ଭକ୍ତମାନେ ତାଙ୍କ ପାଇଁ ବୃନ୍ଦାବନରେ ଆଶ୍ରମଟିଏ ନିର୍ମାଣ କଲେ। ତାଙ୍କ ଆଶ୍ରମ ସମୟକ୍ରମେ ଦିବ୍ୟାଶ୍ରମର ରୂପ ନେଲା। ବାବାଙ୍କ ବାର୍ତ୍ତା ଥିଲା ତ୍ରିବିଧ: ମଣିଷ ତା’ ଶରୀର ଠାରୁ ଭିନ୍ନ। ତେଣୁ ସେ ଇନ୍ଦ୍ରିୟ ତାଡ଼ନାରୁ ମୁକ୍ତ ହେବା ଚାହିଁ ଏବଂ ସର୍ବୋପରି ସେ ସୁଖଦୁଃଖର ଊର୍ଦ୍ଧ୍ୱକୁ ଯିବା ଆବଶ୍ୟକ। ଏମନ୍ତ ସହଜ ସନ୍ଦେଶ ଜନସାଧାରଣଙ୍କ ହୃଦୟକୁ ଛୁଇଁଲା। ଓଡ଼ିଆ ବାବା ଥିଲେ ନିର୍ବିକଳ୍ପ ସମାଧି ସାଧକ ଓ ତ୍ରିକାଳଦର୍ଶୀ। ଦେଶର ସ୍ୱାଧୀନତା ବିଷୟରେ ତାଙ୍କ ଭବିଷ୍ୟବାଣୀ ସତ୍ୟ ହୋଇଥିଲା।
ପ୍ରବଚନ ଦେବା ସଙ୍ଗେ ସଙ୍ଗେ ଅନେକ ଗ୍ରନ୍ଥ ରଚନା କରିଛନ୍ତି ଓଡ଼ିଆ ବାବା। ‘ଗୀତା ତତ୍ତ୍ୱାଲୋକ’ ତାଙ୍କର ଏକ ବହୁପଠିତ ପୁସ୍ତକ। ବ୍ରହ୍ମଚାରୀ ଶିବାନନ୍ଦ ଆଞ୍ଜନେୟଙ୍କ ରଚିତ ବାବାଙ୍କ ଚରିତ ଉଭୟ ଇଂରେଜୀ ଓ ହିନ୍ଦୀ ଭାଷାରେ ପ୍ରକାଶିତ। ଅଖଣ୍ଡାନନ୍ଦ ସରସ୍ୱତୀ ଓ ସ୍ୱାମୀ ସନ୍ତାନନ୍ଦ ସରସ୍ୱତୀଙ୍କ ପରି ଅନେକ ସନ୍ଥ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ସେ ଶ୍ରୀମତ୍, ପରମହଂସ, ପରିବ୍ରାଜକାଚାର୍ଯ୍ୟ, ପୂଜ୍ୟପାଦ, ଶ୍ରୀମହାରାଜଜୀ ଆଦି ଉପାଧି ମଣ୍ଡିତ ହୋଇଥିଲେ। ପୂଜ୍ୟପାଦ ମହାରାଜ ୧୯୪୯ ମସିହାରେ ସ୍ୱର୍ଗାରୋହଣ କରିଥିଲେ। ତାଙ୍କୁ ଯମୁନାରେ ସଲିଳ ସମାଧି ଦିଆଯାଇଥିଲା।
ଆଜି ମଧ୍ୟ ଉତ୍ତର ଭାରତର ଅଗଣିତ ଭକ୍ତ ଓଡ଼ିଆ ବାବାଙ୍କ ମୁଖ ମୟୂଖର ଅନୁଗାମୀ।
ଶିଳ୍ପୀ ଶିରୋମଣି ଉପେନ୍ଦ୍ର ମହାରଥୀ ‘ଚିତ୍ରାଚାର୍ଯ୍ୟ’ ଭାବରେ ବିହାରରେ ବିଖ୍ୟାତ। ପୁରୀ ଜିଲ୍ଲାର ନରେନ୍ଦ୍ରପୁର ଗ୍ରାମରେ ସେ ୧୯୦୮ ମସିହାରେ ଭୂମିଷ୍ଠ ହୋଇଥିଲେ। କଲିକତାର ଗଭର୍ନମେଣ୍ଟ କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍‌ଟରେ କଳା ଅଧ୍ୟୟନ କରିବା ପରେ ବିହାର ତାଙ୍କର କର୍ମଭୂମି ପାଲଟିଥିଲା। ସ୍ୱଦେଶୀ ଆନ୍ଦୋଳନର ବାର୍ତ୍ତା ଏବଂ ଗାନ୍ଧୀଜୀଙ୍କ ଅହିଂସା ମନ୍ତ୍ର ଦ୍ୱାରା ଦୀକ୍ଷିତ ଶିଳ୍ପୀ ମହାରଥୀଙ୍କ ଚିତ୍ରକଳାରେ ଜାତୀୟତାବାଦୀ ସ୍ପର୍ଶ ଓ ବିହାରର ମଧୁବନୀ କଳାର ପ୍ରଭାବ ପରିଦୃଷ୍ଟ ହୁଏ। ୟୁନେସ୍କୋ ବୃତ୍ତି ପାଇ ଜାପାନରେ କିଛି ଦିନ ଅବସ୍ଥାନ କରି ସେ ଜାପାନୀ ବାଉଁଶକଳାରେ ନିପୁଣତା ଲାଭ କରିଥିଲେ। ମହାରଥୀ ଏକାଧାରରେ ଥିଲେ ଚିତ୍ରଶିଳ୍ପୀ, ବୟନଶିଳ୍ପୀ ଓ ସ୍ଥପତି। ବିହାର ରାଜଗିରର ବିଶ୍ୱଶାନ୍ତିସ୍ତୂପ, ଜାପାନୀ ଗୋଟେମ୍ବା ଶାନ୍ତିସ୍ତୂପ, ବୋଧଗୟାର ମହାବୋଧି ମନ୍ଦିର ଓ ଗାନ୍ଧୀମଣ୍ଡପ, ନାଳନ୍ଦାର ନବ ନାଳନ୍ଦା ମହାବିହାର, ବୈଶାଳୀ ସଂଗ୍ରହାଳୟ ଆଦିର ସେ କୁଶଳ ସ୍ଥପତି ଭାବରେ ସୁବିଦିତ। ବାବୁ ରାଜେନ୍ଦ୍ର ପ୍ରସାଦଙ୍କ ଅନୁରୋଧ କ୍ରମେ ୧୯୪୦ ମସିହାରେ ରାମଗଡ଼ କଂଗ୍ରେସ ନଗର କଂପ୍ଲେକ୍ସର ଅଳଙ୍କରଣ ସେ କରିଥିଲେ। ବିହାରର ପୁରାତନ ବୟନ ପରମ୍ପରାର ପୁନରୁଦ୍ଧାର କରିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେଥିପାଇଁ ସେ ୧୯୫୬ ମସିହାରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ଯାହା ପରବର୍ତ୍ତୀ ସମୟରେ ‘ଉପେନ୍ଦ୍ର ମହାରଥୀ ଶିଳ୍ପ ଅନୁସନ୍ଧାନ ସଂସ୍ଥାନ’ ନାମ ବହନ କରିଥିଲା। ୧୯୬୯ ମସିହାରେ ସେ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଥିଲେ। ‘ମନୀଷୀତ୍ରୟୀ: ବୁଦ୍ଧ, ଯୀଶୁ ଓ ଗାନ୍ଧୀ’ ଚିତ୍ର ତାଙ୍କ ଶ୍ରେଷ୍ଠ କୃତିର ମାନ୍ୟତା ଲାଭ କରିଛି ଦେଶ ବିଦେଶରେ।
ମହାରଥୀଙ୍କ ଜୀବନର ଦୁଇ ଅନନ୍ୟ ଦିଗ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ। ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ସେ ଥିଲେ ସମର୍ପିତ। ସ୍ୱଜାତିପ୍ରୀତିରେ ଉଦ୍‌ବୁଦ୍ଧ ଉପେନ୍ଦ୍ର କଳା ଶିକ୍ଷା ପାଇଁ ପ୍ୟାରିସ ଯାତ୍ରାର ସୁଯୋଗକୁ ଏଡ଼ାଇ ଦେଇଥିଲେ। ପୁନଶ୍ଚ ବିହାର ଲୋକକଳାର ଏକ ନବଯୁଗର ସେ ପ୍ରବର୍ତ୍ତକ। ଏହି ମହନୀୟ ଚିତ୍ରଶିଳ୍ପୀଙ୍କ ମହାପ୍ରୟାଣ ଘଟିଥିଲା ୧୯୮୧ ମସିହାରେ। ଅନେକ ଦିନ ପରେ ଦେଶବାସୀଙ୍କୁ କଳା ମହାରଥୀ ଉପେନ୍ଦ୍ର ମହାରଥୀଙ୍କ ବିଷୟରେ ମନେପକାଇ ଦେଇଥିଲେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନ। ତାଙ୍କ ଲୋକପ୍ରିୟ ଧାରବାହିକୀ ‘କେବିସି’ ପ୍ରଶ୍ନୋତ୍ତରୀରେ ସେ ପଚାରିଥିଲେ, ମାର୍ଟିନ ଲୁଥର କିଙ୍ଗ ଜୁନିଅରଙ୍କ ଅଫିସରେ ଲାଗିଥିବା ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ର କିଏ ଅଙ୍କନ କରିଥିଲେ? ତା’ର ନିର୍ଭୁଲ୍‌ ଉତ୍ତର, ଉପେନ୍ଦ୍ର ମହାରଥୀ।
ପରିବ୍ରାଜକାଚାର୍ଯ୍ୟ ପୂର୍ଣ୍ଣାନନ୍ଦ ତୀର୍ଥ ଓରଫ ଓଡ଼ିଆ ବାବା ହୁଅନ୍ତୁ କି ଚିତ୍ରାଚାର୍ଯ୍ୟ ଉପେନ୍ଦ୍ର ମହାରଥୀ, ନିଜ ନିଜ ବ୍ୟକ୍ତିତ୍ୱର ପରାକାଷ୍ଠା ବଳରେ ସେମାନେ ଓଡ଼ିଶା ବାହାରେ ପ୍ରଥିତଯଶା ଅଥଚ ଓଡ଼ିଶାରେ ବଣମଲ୍ଲୀ! ସେମାନେ କ’ଣ ଓଡ଼ିଆ ଅସ୍ମିତାର ସୂକ୍ଷ୍ମ ସମ୍ପଦ ନୁହନ୍ତି? ଏମିତି ଅଗ୍ରପୂଜ୍ୟମାନଙ୍କୁ କେବେ ଲୋଡ଼ିବ ଏ ଜାତି?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

Advertisment