ଟ୍ରେନ୍‌ରେ ନିମ୍ନମାନର ଶୌଚ ବ୍ୟବସ୍ଥା

ଆମ ପ୍ରଧାନମନ୍ତ୍ରୀ ସ୍ବଚ୍ଛତା ଓ ପରିମଳର ଡିଣ୍ଡିମ ପିଟୁଛନ୍ତି; କିନ୍ତୁ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଓଲଟା। ବର୍ତ୍ତମାନ ଆମ ଦେଶରେ ପ୍ରତିଦିନ ଚାଲୁଥିବା ହଜାର ହଜାର ସଂଖ୍ୟକ ଏକ୍‌ସପ୍ରେସ୍‌, ସୁପରଫାଷ୍ଟ ଓ ପାସେଞ୍ଜର ଟ୍ରେନ୍‌ରେ ଥିବା ଶୌଚାଳୟକୁ ଘ୍ରାଣଶକ୍ତି ଥିବା କୌଣସି ଯାତ୍ରୀ ଯାଇପାରିବ ନାହିଁ; କାରଣ ଏହି ସ୍ଥାନ ଅତ୍ୟନ୍ତ ଦୁର୍ଗନ୍ଧମୟ ତଥା ସଂକୀର୍ଣ୍ଣ। ଏଥିରେ ଫିନାଇଲ ବା ସାବୁନ୍ ରହୁନାହିଁ। ଟ୍ରେନ୍‌ର ରହଣି ସ୍ଥଳରେ ପରିମଳ କର୍ମଚାରୀମାନେ ଏହାକୁ ସଫା କରୁନାହାନ୍ତି; ଫଳତଃ ସଂପୂର୍ଣ୍ଣ ବଗିଟି ଦୁର୍ଗନ୍ଧମୟ ନର୍କ କ୍ଷେତ୍ର ପାଲଟିଯାଉଛି।

ଏହି କାରଣରୁ ସ୍ବଳ୍ପ ଦୂର ଯାତ୍ରା କରୁଥିବା ଯାତ୍ରୀଟି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ହିଁ ମଳମୂତ୍ର ତ୍ୟାଗ କରୁଛି। ଦୂର ଯାତ୍ରା କରୁଥିବା ଅନେକ ଯାତ୍ରୀ କିନ୍ତୁ ରେଳ ବଗିର ଶୌଚାଳୟରୁ ଆସିବା ପରେ ବାନ୍ତି କରୁଛନ୍ତି। ମୁଁ ଏପରି ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ; କାରଣ ମୁଁ ଅଧିକାଂଶ ସମୟ ରେଳରେ ଯାତ୍ରା କରେ। ସରଳ-ନିରୀହ ଯାତ୍ରୀମାନେ ଏହି କାରଣରୁ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆମ ରେଳମନ୍ତ୍ରୀ ଯେ କୌଣସି ରେଳ ବଗିର ଶୌଚାଳୟକୁ ଗଲେ ଏହା ହୃଦୟଙ୍ଗମ କରିପାରିବେ। ତୁରନ୍ତ ଏହି ଅବ୍ୟବସ୍ଥାର ପ୍ରତିକାର କରାଯାଉ।
ରାଇଚରଣ ବିଶ୍ବାଳ
ସାମନ୍ତରାୟପୁର, ପିରହାଟ, ଭଦ୍ରକ

ସମ୍ବନ୍ଧିତ ଖବର