ଦାରିଦ୍ର୍ୟର ସ୍ତର

ଗତ ସପ୍ତାହରେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍‌ଏଫ୍‌’) ଦ୍ବାରା ପ୍ରସ୍ତୁତ ଏପରି ଏକ ଆଭ୍ୟନ୍ତରୀଣ ଗବେଷଣା ରିପୋର୍ଟ‌୍ ବା ‘ଵାର୍କିଙ୍ଗ୍‌ ପେପର‌୍‌’ ପ୍ରକାଶ ପାଇଛି ଯାହା ଦୀର୍ଘ କାଳ ଧରି କୋଭିଡ୍‌ର ଅମା ଅନ୍ଧାର ଘେରା ରାତିରେ ଯେଉଁମାନେ ଭାରତୀୟ ଅର୍ଥନୀତିକୁ ପଥହରା ନ କରିବା ଦାୟିତ୍ବରେ ଥିଲେ, ସେମାନଙ୍କ ହୃଦୟକୁ ପୁଲକିତ କରୁଥିବ। ଏହି ରିପୋର୍ଟ‌୍ରେ ଦର୍ଶାଯାଇଛି ଯେ, ଯେତେବେଳେ କୋଭିଡ୍‌ ଆଘାତରେ ବାକି ପୃଥିବୀରେ ଅନେକ ଦଶନ୍ଧି ପରେ ପ୍ରଥମ ଥର ପାଇଁ ‘ଚରମ ଦାରିଦ୍ର୍ୟ’ରେ ବୃଦ୍ଧି ଘଟିବା ଦେଖାଯାଇଥିଲା, ସେଇ ସମୟରେ ଭାରତରେ ତାହା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ସ୍ଥିର ରହିଥିଲା। ଏବ˚ ଏଥିପାଇଁ ଗବେଷକମାନେ ଯେଉଁ ପଦକ୍ଷେପକୁ ସର୍ବାଧିକ ଶ୍ରେୟ ପ୍ରଦାନ କରିଛନ୍ତି, ତାହା ହେଉଛି ଏହି ସମୟରେ ସରକାର କାର୍ଯ୍ୟକାରୀ କରିଥିବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ (‘ପିଏମ୍‌ଜିକେଵାଇ’) ମାଧୢମରେ ବ୍ୟାପକ ଖାଦ୍ୟାନ୍ନ ବଣ୍ଟନ ଯୋଜନା, ଯାହାର ସମସ୍ତ ଖର୍ଚ୍ଚ ସରକାର ବହନ କରିଥା’ନ୍ତି (ସବ୍‌ସିଡି ପ୍ରଦାନ କରିଥା’ନ୍ତି)।

ରିପୋର୍ଟ‌୍ ଅନୁସାରେ କୋଭିଡ୍‌ ପାଣ୍ତେମିକ୍‌ ଆରମ୍ଭର ଠିକ୍‌ ପୂର୍ବ ବର୍ଷ, ଅର୍ଥାତ୍‌ ୨୦୧୯ରେ ଭାରତର ଜନସ˚ଖ୍ୟାରେ ‘ଚରମ ଦାରିଦ୍ର୍ୟ’ର ଅନୁପାତ ଥିଲା ମାତ୍ର ୦.୮ ଶତା˚ଶ- ଏକ ଶତା˚ଶରୁ ମଧୢ କମ୍‌। ଉପରୋକ୍ତ ଖାଦ୍ୟାନ୍ନ ବଣ୍ଟନ ଯୋଜନାର ସୁଫଳ ସ୍ବରୂପ ୨୦୨୦ର କୋଭିଡ୍‌ଗ୍ରସ୍ତ ସମୟରେ ମଧୢ ଭାରତରେ ଚରମ ଦାରିଦ୍ର୍ୟରେ ବୃଦ୍ଧି ନ ଘଟି ସେଇ ନୀଚା ଅନୁପାତ ବଜାୟ ରହିଥିଲା। ଏହି ରିପୋର୍ଟ‌୍ର ତାତ୍ପର୍ଯ୍ୟ ବୁଝିବାକୁ ହେଲେ ଏହି ‘ଚରମ ଦାରିଦ୍ର୍ୟ’ ଧାରଣା ଉପରେ ସାମାନ୍ୟ ଅଧିକ ଆଲୋକପାତ ବୋଧହୁଏ ଯଥାର୍ଥ ହେବ। ଜଣେ ବ୍ୟକ୍ତି ଯେତେବେଳେ ଦିନକୁ ୧.୯ ଡଲାର‌୍‌ରୁ କମ୍‌ ଆୟରେ ଚଳିବାକୁ ବାଧୢ ହୋଇଥାଏ, ସେତେବେଳେ ସେ ଚରମ ଦାରିଦ୍ର୍ୟରେ କାଳ କାଟୁଛି ବୋଲି ନିରୂପିତ ସ˚ଜ୍ଞା ଅନୁସାରେ ବିଚାର କରାଯାଇଥାଏ। ଏଥିରୁ ଯଦି ଚିତ୍ର ସ୍ପଷ୍ଟ ହେଉନଥାଏ ତେବେ ଆମେ ପ୍ରସିଦ୍ଧ ଆନ୍ତର୍ଜାତିକ ଅର୍ଥନୈତିକ ବିକାଶ ବିଶେଷଜ୍ଞ ସ୍ବିଡେନ୍‌ର ସ୍ବର୍ଗତ ଡାକ୍ତର ହାନ୍‌ସ ରସ୍‌ଲିଙ୍ଗ୍‌ ତାଙ୍କର ୨୦୧୭ରେ ପ୍ରକାଶିତ ଚହଳ ସୃଷ୍ଟିକାରୀ ପୁସ୍ତକ ‘ଫାକ୍‌ଟଫୁଲ୍‌ନେସ୍‌’ରେ ‘ଚରମ ଦାରିଦ୍ର୍ୟ’ର ଯେଉଁଭଳି ବର୍ଣ୍ଣନା କରିଥିଲେ, ତାହା ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରିବା ବୋଧହୁଏ ଫଳପ୍ରଦ ହେବ।

ରସ୍‌ଲିଙ୍ଗ୍‌ଙ୍କର ପର୍ଯ୍ୟବେକ୍ଷଣ ଅନୁସାରେ ତୁମେ ଯେତେବେଳେ ଏଭଳି ‘ଚରମ ଦାରିଦ୍ର୍ୟ’ର ସ୍ତର (ରସ୍‌ଲିଙ୍ଗ୍‌ ଏହାକୁ ‘ସ୍ତର-୧’ରୂପେ ଶ୍ରେଣୀଭୁକ୍ତ କରିଛନ୍ତି)ରେ ଥାଅ, ସେତେବେଳେ ତୁମର ପାଞ୍ଚଟି ପିଲା ତୁମ ଘରେ ଥିବା ଏକମାତ୍ର ପ୍ଲାଷ୍ଟିକ୍‌ ବାଲ୍‌ଟିଟିକୁ ନେଇ ବହୁଦୂରରେ ଥିବା ଏକ ମଇଳା ପାଣି ଉତ୍ସରୁ ପରିବାରର ବ୍ୟବହାର ପାଇଁ ପାଣି ଖାଲି ପାଦରେ ଚାଲି ଚାଲି ବୋହି ଆଣିବାରେ ଘଣ୍ଟା ଘଣ୍ଟା ସମୟ ବିତାଇଥା’ନ୍ତି। ବାଟରୁ ସେମାନେ ଚୁଲିରେ ଜାଳ ରୂପେ ବ୍ୟବହାର ପାଇଁ କାଠିକୁଟା ସ˚ଗ୍ରହ କରି ଆଣନ୍ତି। ତୁମ ପରିବାରର ପ୍ରତିଦିନର ଖାଦ୍ୟ ହେଉଛି ସେଇ ଗୋଟିଏ ପ୍ରକାର ଜାଉ; ବେଳେ ବେଳେ ତାହା ମଧୢ ନ ମିଳିଲେ ଖାଲି ପେଟରେ ରାତିରେ ଶୋଇବାକୁ ପଡ଼ିଥାଏ। ତୁମ ଘର ଭିତରେ ଖେଳାଇ ହୋଇ ଯାଉଥିବା ଚୂଲି ଧୂଆଁ ଯୋଗୁଁ ତୁମ ଛୋଟ ଝିଅର ଦୁର୍ବଳ ହୋଇ ଯାଇଥିବା ଫୁସ୍‌ଫୁସ୍‌ ସହଜରେ ଏକ ସ˚କ୍ରମଣ ଦ୍ବାରା ଆକ୍ରାନ୍ତ ହୋଇଯାଏ। ଅର୍ଥାଭାବରୁ ତା’ର ଚିକିତ୍ସା ପାଇଁ ତୁମେ ଆବଶ୍ୟକ ଆଣ୍ଟିବାୟୋଟିକ୍‌ କ୍ରୟ କରିପାର ନାହିଁ। ମାସେ ପରେ ଝିଅଟି ଶେଷ ନିଃଶ୍ବାସ ତ୍ୟାଗ କରେ।

ତୁମେ ଯଦି ଏହି ଜୀବନ ସ˚ଗ୍ରାମରେ ଶେଷରେ ଉତ୍ତୀର୍ଣ୍ଣ ହୋଇ ‘ସ୍ତର-୧’ ଅତିକ୍ରମ କରି ‘ସ୍ତର-୨’ରେ ପ୍ରବେଶ କରିବାରେ ସମର୍ଥ ହୁଅ, ତା’ହେଲେ ତୁମର ଜୀବନଶୈଳୀରେ କିଭଳି ପରିବର୍ତ୍ତନ ଦେଖାଦେଇପାରେ, ରସ୍‌ଲିଙ୍ଗ୍‌ ପ୍ରଦାନ କରିଥିବା ତାହାର ଚିତ୍ର ହେଉଛି ନିମ୍ନ ପ୍ରକାରର। ତୁମେ ଏବେ ଦିନକୁ ପ୍ରାୟ ୪ ଡଲାର‌୍‌ ଆୟ କରୁଛ। ବର୍ତ୍ତମାନ ତୁମେ ବଜାରରୁ ତୁମେ ନିଜେ ଅମଳ କରୁନଥିବା ଖାଦ୍ୟ କ୍ରୟ କରି ପାରୁଛ। ପଇସା ସଞ୍ଚୟ କରି ପିଲାମାନଙ୍କ ପାଇଁ ଚପଲ କିଣି ଦେଇଛ। ନିଜ ପାଇଁ ମଧୢ ଏକ ସାଇକେଲ୍‌ ଓ ଘର ପାଇଁ ଅଧିକ ପ୍ଲାଷ୍ଟିକ୍‌ ବାଲ୍‌ଟି କିଣିଛ। ସାଇକେଲ୍‌ରେ ପାଣି ବୋହିବା ସହଜ ହୋଇଛି ଓ କମ୍‌ ସମୟ ଲାଗୁଛି। ଘରକୁ ବିଜୁଳି ସ˚ଯୋଗ ଓ ଏକ ଗ୍ୟାସ୍‌ ଚୁଲି ଆଣିଛ। ପିଲାମାନେ ଆଉ ଜାଳ ସ˚ଗ୍ରହ କରିବା ପରିବର୍ତ୍ତେ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଯାଉଛନ୍ତି। ସେମାନେ ବିଜୁଳି ବତିର ଆଲୁଅରେ ରାତିରେ ହୋମ୍‌ଵାର୍କ କରୁଛନ୍ତି। ତୁମର ଜୀବନଧାରଣର ମାନରେ ଉନ୍ନତି ଘଟିଛି। ତୁମର ଆୟରେ ଯଦି ଏଇଭଳି ବୃଦ୍ଧି ଘଟିଚାଲେ ଓ ତୁମେ ‘ସ୍ତର-୨’ ଅତିକ୍ରମ କରି ‘ସ୍ତର-୩’, ‘ସ୍ତର-୪’ରେ ପ୍ରବେଶ କରିପାର ତେବେ ତୁମ ଜୀବନଧାରଣର ମାନରେ ଆହୁରି ଚମକପ୍ରଦ ପରିବର୍ତ୍ତନମାନ ଘଟିବ। ‘ସ୍ତର-୪’ରେ ତୁମର ଦୈନିକ ଆୟ ହୋଇଥିବ ୩୨ ଡଲାର‌୍‌ରୁ ଅଧିକ।

ଏଥର ‘ଆଇଏମ୍‌ଏଫ୍‌’ର ଗବେଷକମାନେ ଉଚ୍ଛ୍ବସିତ ପ୍ରଶ˚ସା କରିଥିବା ଆମର ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଫଳାଫଳ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଏଥିରେ କେହି ହେଲେ ଦ୍ବିମତ ହେବେ ନାହିଁ ଯେ ଏଭଳି କାର୍ଯ୍ୟକ୍ରମ ‘ଚରମ କ୍ଷୁଧା’ ନିବାରଣରେ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ। କିନ୍ତୁ କେବଳ ଚରମ କ୍ଷୁଧା ନିବାରଣ ଦ୍ବାରା କ’ଣ ଚରମ ଦାରିଦ୍ର୍ୟରୁ ମୁକ୍ତି ମିଳିଥାଏ? କ୍ଷୁଧା ଦାରିଦ୍ର୍ୟର ଏକମାତ୍ର ପରିମାପକ ଯେ ନୁହେଁ, ତାହା ରସ୍‌ଲିଙ୍ଗ୍‌ ପ୍ରଦାନ କରିଥିବା ଉପରୋକ୍ତ ‘ସ୍ତର-୧’ର ବର୍ଣ୍ଣନାରୁ ସ୍ପଷ୍ଟ ହୋଇଥାଏ। ‘ଆଇଏମ୍‌ଏଫ୍‌’ ରିପୋର୍ଟ‌୍ ଯାହା ନିଶ୍ଚିତ ରୂପେ ସାବ୍ୟସ୍ତ କରିଛି, ତାହା ହେଲା, ସରକାରଙ୍କର ଏହି ଖାଦ୍ୟ ବଣ୍ଟନ ଯୋଜନା ଅର୍ଥନୈତିକ ଦୁର୍ବଳ ବର୍ଗର ଜୀବନ ରକ୍ଷା କରିବାରେ ଚମକପ୍ରଦ ଭାବେ ସଫଳ ହୋଇଛି; କିନ୍ତୁ ଏଥିଯୋଗୁଁ କାହାର ଜୀବନରେ ଉପରବର୍ଣ୍ଣିତ ସ୍ତର ଅତିକ୍ରମକାରୀ ପରିବର୍ତ୍ତନ ଘଟିଥାଏ କି? ଆମେ ସମସ୍ତେ ଅଙ୍ଗେ ନିଭାଇଛୁ କୋଭିଡ୍‌ ଜନିତ ଲକ୍‌ଡାଉନ୍‌ ଯୋଗୁଁ କିପରି ଅସ˚ଖ୍ୟ ଲୋକ ଜୀବିକା ହରାଇ ବସିଥିଲେ। ସେଇ ବିପର୍ଯ୍ୟସ୍ତ ଅବସ୍ଥାରେ ଏବେ ବି ସୁଧାର ଆସି ନାହିଁ। ସେଇଥିପାଇଁ ତ ସରକାର ସେଇ ଜୀବନ ରକ୍ଷାକାରୀ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ଆସନ୍ତା ସେପ୍‌ଟେମ୍ବର ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛନ୍ତି। ଏହା ନିଶ୍ଚିତ ରୂପେ ଏକ ପ୍ରଶ˚ସନୀୟ ନିଷ୍ପତ୍ତି। କିନ୍ତୁ ଏଥିସହିତ ଏହା ମଧୢ ସ୍ବୀକାର କରିବାକୁ ହେବ ଯେ ଦେଶରେ ଦେଖାଯାଉଥିବା ଦାରିଦ୍ର୍ୟ ଦୂର କରିବାରେ ଏହାର ଭୂମିକା ସୀମିତ।

ବାସ୍ତବରେ ଭାରତରେ ଧନୀ-ଦରିଦ୍ର ମଧୢରେ ଦେଖା ଯାଉଥିବା ବିଶାଳ ତଫାତ୍‌ ଏଭଳି କାର୍ଯ୍ୟକ୍ରମମାନଙ୍କ ଦ୍ବାରା ଦୂରୀଭୂତ ହୋଇପାରିବ ନାହିଁ। ଗତ ଡିସେମ୍ବରରେ ପ୍ରକାଶ ପାଇଥିବା ‘ଵାଲର୍ଡ‌୍ ଇନ୍‌ଇକ୍ବାଲିଟି ରିପୋର୍ଟ‌୍’ (ବିଶ୍ବ ଅସମତା ରିପୋର୍ଟ‌୍) ଭାରତକୁ ସର୍ବାଧିକ ଅସମତା ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥିଲା। ୨୦୨୧ରେ ଦେଶର ମୋଟ ଜାତୀୟ ଆୟର ଏକ ପଞ୍ଚମା˚ଶରୁ ଅଧିକର ମାଲିକ ହେଉଛନ୍ତି ଦେଶର ମାତ୍ର ଏକ-ଶତା˚ଶ ଲୋକ ବୋଲି ଏହି ରିପୋର୍ଟ‌୍ରେ ଦର୍ଶାଯାଇଥିଲା। ଯେତେବେଳେ ଆମେ ସଚେତନ ହେଉ ଯେ ବିଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ସରକାର ପରେ ସରକାର ଗରିବୀ ହଟାଇବା ପାଇଁ ହୁଁକାର ଦେଇ ଚାଲିଛନ୍ତି, ସେତେବେଳେ ଏହା ଏକ ବିଡ଼ମ୍ବନା ଭଳି ଅନୁଭୂତ ହୁଏ ନାହିଁ କି, ବର୍ତ୍ତମାନ ବି ଅସ˚ଖ୍ୟ ଲୋକଙ୍କର ଜୀବନ ରକ୍ଷା କରିବା ପାଇଁ ସରକାରଙ୍କୁ ମାଗଣାରେ ଖାଦ୍ୟ ବାଣ୍ଟିବାକୁ ପଡୁଛି? ପ୍ରତ୍ୟେକଟି ଜୀବନ ହେଉଛି ମୂଲ୍ୟବାନ୍‌ ଏବ˚ କୋଭିଡ୍‌ ସମୟରେ ତାହା ରକ୍ଷା କରିପାରିଥିବାରୁ ସରକାର ନିଶ୍ଚିତ ରୂପେ ଧନ୍ୟବାଦାର୍ହ। କିନ୍ତୁ ସରକାର ଯଦି ଲୋକଙ୍କ ଜୀବନରେ ଏପରି ସ୍ତର-ଅତିକ୍ରମକାରୀ ପରିବର୍ତ୍ତନ ଘଟାଇ ପାରିବେ, ଯାହାଦ୍ବାରା ସେମାନେ ଆଉ କେବେ ହେଲେ ମାଗଣା ଖାଦ୍ୟ ଉପରେ ନିର୍ଭର କରିବେ ନାହିଁ, ତାହା ହେବ ଅଶେଷ ଗୁଣ ଅଧିକ ପ୍ରଶ˚ସନୀୟ।

ସମ୍ବନ୍ଧିତ ଖବର