ଗୋଟିଏ ଜିଲ୍ଲାର ପାଲାଗାୟକ ସଂଘର ବାର୍ଷିକ ଉତ୍ସବକୁ ଜଣେ ଅଧ୍ୟାପକଙ୍କୁ ମୁଖ୍ୟ ବକ୍ତା ହେବାକୁ ନିମନ୍ତ୍ରଣ କରାଯାଇଥିଲା। ଅଧ୍ୟାପକ ପାଲାଗାୟନ ଉପରେ ଅଧ୍ୟୟନ ଓ ଗବେଷଣା କରୁଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଥିଲେ ବିଧାୟକ ଓ ଜଣେ ପ୍ରଶାସକ। କିନ୍ତୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ବିଜ୍ଞପ୍ତି ବାହାରିଲା। ବିଧାୟକ ଓ ପ୍ରଶାସକ ବିଧାନସଭାର ଅଧିବେଶନ ଆରମ୍ଭ ହେଉଥିବା କାରଣରୁ ପାଲାଗାୟକ ଉତ୍ସବକୁ ଯିବାକୁ ମନା କରିଦେଲେ। ପାଲାଗାୟକ ସଂଘ ତାଙ୍କର ବାର୍ଷିକ ଉତ୍ସବକୁ ବାତିଲ କରିଦେଲେ। ଅଧ୍ୟାପକ ବିରକ୍ତ ହୋଇ କହିଲେ, ବିଧାୟକ ବା ପ୍ରଶାସକ ପାଲା ସଂସ୍କୃତି ଉପରେ କ’ଣ ଜାଣନ୍ତି ଏବଂ ସେମାନେ ସମୟ ଦେଇନପାରିଲେ ବୋଲି ବାର୍ଷିକ ଉତ୍ସବକୁ ବାତିଲ କରାଯାଉଛି?
ଶିକ୍ଷା, ସାହିତ୍ୟ, ସଂସ୍କୃତି ଯେ କୌଣସି ବିଷୟରେ ସଭା ହେଉଥିଲେ ଆୟୋଜକଙ୍କ ପ୍ରଥମ ପ୍ରାଥମିକତା ରାଜନେତା ଓ ପ୍ରଶାସକଙ୍କୁ ମୁଖ୍ୟ ଅତିଥି ବା ସମ୍ମାନିତ ଅତିଥି କରି ଡାକିବା। ସେମାନେ ଯାହା କୁହନ୍ତୁ ଚଳିବ, କିନ୍ତୁ ସେମାନଙ୍କର ଉପସ୍ଥିତି ଲୋଡ଼ା। ଏହି ଲେଖକ ଥରେ ଏକ ମହାବିଦ୍ୟାଳୟ ଆୟୋଜନ କରୁଥିବା ପରୋକ୍ଷ କର ବ୍ୟବସ୍ଥା ସଂସ୍କାର ଉପରେ ଏକ ଜାତୀୟ ସେମିନାରକୁ ନିମନ୍ତ୍ରିତ ହୋଇ ଯାଇଥିଲା। କଲିକତା ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ଅତିଥି ଥିଲେ। ଶ୍ରୋତା ଥିଲେ ବାଣିଜ୍ୟ ଓ ଅର୍ଥନୀତିର ଅଧ୍ୟାପକ, ଅଧ୍ୟାପିକା। ମହାବିଦ୍ୟାଳୟ ଅବସ୍ଥିତ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଥିଲେ ମୁଖ୍ୟ ଅତିଥି। ବିଧାୟକଙ୍କ ଆସିବାରେ ଡେରି କାରଣରୁ ସେମିନାର ଗୋଟିଏ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା। ବିଧାୟକ ପ୍ରଦୀପ ପ୍ରଜ୍ଜ୍ବଳନ କଲେ ଏବଂ ତାଙ୍କର ଉଦ୍ଘାଟନୀ ଭାଷଣରେ ଶ୍ରୋତାଙ୍କୁ ସ୍ବପ୍ନ େଦଖିବାକୁ ପରାମର୍ଶ ଦେଲେ। ସ୍ବପ୍ନ ଦେଖିବାକୁ ପରାମର୍ଶ ଭାଷଣଟି ବୋଧହୁଏ ପୂର୍ବ ଦିନ ସ୍କୁଲ ପିଲାଙ୍କୁ ଦେବାକୁ ପ୍ରସ୍ତୁତ କରିଥିବେ କିମ୍ବା ନିଜେ ଯୁବକ ହେଲେ ବି ନିର୍ବାଚିତ ମାନ୍ୟବର ବିଧାୟକ ଶ୍ରୋତା ଯେଉଁ ବୟସର ହୁଅନ୍ତୁ ନା କାହିଁକି ସମସ୍ତଙ୍କୁ ସ୍କୁଲ ପିଲା ଭାବୁଥିବେ।
ପାଲାଗାୟକ ସଂଘର ବାର୍ଷିକୋତ୍ସବକୁ ନିମନ୍ତ୍ରିତ ହୋଇଥିବା ଅଧ୍ୟାପକ ଅପମାନିତ ବୋଧ କରିବାରୁ ସଂଘର ସଭାପତି ତାଙ୍କୁ ବୁଝେଇବାକୁ କହିଲେ, ଦେଖନ୍ତୁ, ରାଜନେତା, ପ୍ରଶାସକଙ୍କ ପାଖରେ ଆମର କାମ, କଳାକାର ଭତ୍ତାଠାରୁ ଆରମ୍ଭ କରି କିଛି ଦାବି, ସମସ୍ୟା ଆମର ରହୁଛି। ଜଣେ ବିଧାୟକ କିମ୍ବା ପ୍ରଶାସକ ଆମର କାମ ନ କରିପାରନ୍ତି, କିନ୍ତୁ ପ୍ରସ୍ତାବକୁ ନାକଚ ନ କରନ୍ତୁ। ପ୍ରଶାସକଙ୍କ ମାଧ୍ୟମରେ ଫାଇଲ ଯିବ ମନ୍ତ୍ରୀଙ୍କ ପାଖକୁ, ପ୍ରଶାସକ ଯଦି ନକରାତ୍ମକ ଟିପ୍ପଣୀ ଦେଲେ ତେବେ ଆମେ ଅସୁବିଧାରେ ପଡ଼ିବୁ।
ପ୍ରସ୍ତାବ ନାକଚର ଭୟ, ତେଣୁ ତୁଷ୍ଟୀକରଣ। ପୁଲିସର ଗୋଟିଏ ମିଛ ଅଭିଯୋଗରେ ‘ଇସ୍ରୋ’ର ବୈଜ୍ଞାନିକ ନାମ୍ବି ନାରାୟଣ ଗିରଫ ହେଲେ, ଜେଲ୍ରେ ରହିଲେ। ତାଙ୍କର କ୍ୟାରିୟର ନଷ୍ଟ ହୋଇଗଲା। ଆରୁଶି ହତ୍ୟା ମାମଲାରେ ଜଣେ ପୁଲିସ ଅଫିସରଙ୍କର ଭୁଲ୍ ରିପୋର୍ଟ ପାଇଁ ଆରୁଶିର ନିର୍ଦ୍ଦୋଷ ପିତାମାତା ଦଣ୍ଡ ଭୋଗିଲେ। ଜଣେ କୁଜି ରାଜସ୍ବ ବିଭାଗର ଅଧିକାରୀ ଜମିଜମା ସଂକ୍ରାନ୍ତରେ ପେଞ୍ଚ କରିଦେଲେ, ବର୍ଷ ବର୍ଷ ଅଫିସ ଦୌଡ଼ିଦୌଡ଼ି କେତେ ହଳ ଚପଲ ଛିଣ୍ଡିଯିବ। ଜିଏସ୍ଟି ଅଫିିସର କେସ୍ଟିଏ ଠୁଙ୍କି ଦେଲେ ଯେତେ ବଡ଼ ବ୍ୟବସାୟୀ ହେଲେ ମଧ୍ୟ ଏ କୋର୍ଟରୁ ସେ କୋର୍ଟ ଦୌଡୁଥିବ। ସେଥିପାଇଁ କ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କୁ ଭୟ ଏବଂ ଭୟରୁ ଭକ୍ତି ଓ ସମ୍ମାନ।
ସାଧାରଣ ଜନତା ଏବଂ ଗଣମାଧ୍ୟମ ପ୍ରଶାସନିକ ଅଧିକାରୀଙ୍କୁ ଗୁରୁତ୍ବ ଦିଏ। ଖବରକାଗଜ ସେମାନଙ୍କ ଫଟୋ ଛାପେ, ବୈଦ୍ୟୁତିକ ଗଣମାଧ୍ୟମ ସଫଳ ପ୍ରାର୍ଥୀଙ୍କ ସହିତ ତାଙ୍କ ବାପାମାଆଙ୍କର ବି ସାକ୍ଷାତକାର ନିଏ। ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ତୁଳନାରେ ୟୁଜିସି ବେତନ ହାରରେ ପାଉଥିବା ଅଧ୍ୟାପକଙ୍କ ଦରମା ଅଧିକ, କିନ୍ତୁ ଗଣମାଧ୍ୟମ ଅଧ୍ୟାପକଙ୍କୁ ପଚାରେ ନାହିଁ। ଓଡ଼ିଶା ପ୍ରଶାସନିକ ସେବାକୁ ମନୋନୀତ ପ୍ରାର୍ଥୀ ସାକ୍ଷାତକାରରେ କୁେହ, ଲୋକଙ୍କୁ ସେବା କରିବା ତାଙ୍କର ଅଭିଳାଷ ଥିଲା, ଏବେ ସେବା କରିବାକୁ ସୁଯୋଗ ମିଳିବ। ଚାକିରିରେ ଥାଇ, ପ୍ରଶାସନିକ ଅଧିକାରୀ ସାଧାରଣ ଜନତାଙ୍କୁ ଦୁର୍ବ୍ୟବହାର କରିବା, ଲାଞ୍ଚ ନେଇ ଧରାପଡ଼ିବା ଏକ ନିତିଦିନିଆ ଖବର ହୋଇଗଲାଣି। ଇଞ୍ଜିନିୟର ହୁଅନ୍ତୁ ବା ଡାକ୍ତର ଅବା କୃଷି ବିଜ୍ଞାନୀ, ସମସ୍ତେ ପ୍ରଶାସନିକ ଚାକିରି କରିବାକୁ ଚାହୁଁଛନ୍ତି ଏବଂ ସେ ଦିଗରେ ଚେଷ୍ଟା କରୁଛନ୍ତି।
ଆମର ପ୍ରଫେସର ୱାରେନ ହେଷ୍ଟିଙ୍ଗ୍ସଙ୍କ ବିଷୟରେ ପଢ଼େଇଲା ବେଳେ ଏହି କାହାଣୀଟି କୁହନ୍ତି- ଗଭର୍ଣ୍ଣର ଜେନେରାଲ ୱାରେନ୍ ହେଷ୍ଟିଙ୍ଗ୍ସ ଅତ୍ୟନ୍ତ ଅତ୍ୟାଚାରୀ ଥିଲେ। ଅନେକ ଅନ୍ୟାୟ ଅତ୍ୟାଚାର ଭିତରେ ପ୍ରମୁଖ ଥିଲା ନନ୍ଦ କୁମାରଙ୍କ ଫାଶୀ ଏବଂ ଅୱଧର ରାଣୀଙ୍କ ସମ୍ପତ୍ତି ଲୁଣ୍ଠନ। ସେଥିପାଇଁ ଲଣ୍ଡନର ଜଣେ ନାଗରିକ ତାଙ୍କ ବିରୋଧରେ ମକଦ୍ଦମା କଲେ। ସେ ଯୁକ୍ତି ବାଢ଼ିଲେ- ଗୋରା ମଣିଷର ଅନ୍ୟତମ ଦାୟିତ୍ବ ହେଲା ଅସଭ୍ୟଙ୍କୁ ସଭ୍ୟ କରିବା, ଯାହାକୁ ‘ହ୍ବାଇଟ୍ମାନ୍ସ ବର୍ଡନ’ ବା ଗୋରା ମଣିଷର ନୈତିକ ଦାୟିତ୍ବ କୁହାଯାଏ। କିନ୍ତୁ ୱାରେନ୍ ହେଷ୍ଟିଙ୍ଗ୍ସ ଭାରତରେ ଏପରି ଅନ୍ୟାୟ, ଅତ୍ୟାଚାର କରିଛନ୍ତି ଯେ ଇଂରେଜୀମାନେ ଦେଶୀୟ ରାଜ୍ୟରେ ବଦନାମ ହୋଇଛନ୍ତି। ତାଙ୍କର କାର୍ଯ୍ୟକଳାପ ଗୋରା ମଣିଷଙ୍କ ନାମରେ ଏକ କଳଙ୍କ। ତାଙ୍କୁ ଏଥିପାଇଁ ଦଣ୍ଡିତ କରାଯାଉ।
ସେହି ସମୟରେ ବମ୍ବେ (ଏବେ ମୁମ୍ବାଇ)ରେ କିଛି ଲୋକ ୱାରେନ୍ ହେଷ୍ଟିଙ୍ଗ୍ସଙ୍କର ଷ୍ଟାଚ୍ୟୁ କରିବାକୁ ଚାନ୍ଦା ଆଦାୟ କରୁଥିଲେ। ୱାରେନ୍ ହେଷ୍ଟିଙ୍ଗ୍ସଙ୍କର ଓକିଲ ଯୁକ୍ତି ବାଢ଼ିଲେ, ଅଭିଯୋଗକାରୀ ଯୋଉ ଦୋଷାରୋପ କରୁଛନ୍ତି ତାହା ସତ୍ୟ ନୁହେଁ। ଏବେ ବମ୍ବେରେ ୱାରେନ୍ ହେଷ୍ଟିଙ୍ଗସଙ୍କର ଷ୍ଟାଚ୍ୟୁ ଗଢ଼ିବାକୁ ଭାରତୀୟମାନେ ଚାନ୍ଦା ସଂଗ୍ରହ କରୁଛନ୍ତି। ଭାରତୀୟମାନେ ମୂର୍ତ୍ତି ପୂଜା କରନ୍ତି। ୱାରେନ୍ ହେଷ୍ଟିଙ୍ଗ୍ସ ଏତେ ଜନପ୍ରିୟ ଯେ ଲୋକେ ତାଙ୍କର ମୂର୍ତ୍ତି ପ୍ରତିଷ୍ଠା କରି ପୂଜା କରିବାକୁ ଯାଉଛନ୍ତି। ପ୍ରତିପକ୍ଷ ଓକିଲ ଯୁକ୍ତି କଲେ, ଭାରତୀୟମାନେ ଯାହାକୁ ଭୟ କରନ୍ତି ସେମାନଙ୍କୁ ପୂଜା କରନ୍ତି। ଯେମିତିକି ସେମାନେ ସାପ, ଷଣ୍ଢ, କାଳୀ, ଏପରିକି ହଇଜା, ବସନ୍ତକୁ ବି ପୂଜା କରନ୍ତି। ୱାରେନ୍ ହେଷ୍ଟିଙ୍ଗ୍ସଙ୍କୁ ତାଙ୍କର ଅନ୍ୟାୟ, ଅନୀତି, ଅତ୍ୟାଚାର ପାଇଁ ଏମିତି ଭୟ କରୁଛନ୍ତି ଯେ ଲୋକେ ତାଙ୍କ ଷ୍ଟାଚ୍ୟୁ ନିର୍ମାଣ କରି ପୂଜା କରିବାକୁ ବସିଲେଣି।
ପ୍ରଶାସକ ଭଳି କ୍ଷମତାସଂପନ୍ନ ବ୍ୟକ୍ତିଙ୍କ ପ୍ରତି ଏମିତି ଏକ ଭୟ ଏବେ ବି ଆମ ମନରେ ରହିଯାଇଛି। ସ୍ବାଧୀନତା ପ୍ରାପ୍ତିର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବାସୀ ଅମୃତ ମହୋତ୍ସବ ପାଳନ କରୁଛନ୍ତି, କିନ୍ତୁ କେବେ ଆମ ମନରୁ ଏପରି ଭୟ ଦୂର ହେବ?
ମୋ: ୯୪୩୭୫୭୮୭୩୩