ଜୀବନରେ ଯଦି ଆଗକୁ ବଢ଼ିବାର ଅଛି, ତେବେ ଆମକୁ ଗତିଶୀଳ ହେବାକୁ ପଡ଼ିବ। ପରିବର୍ତ୍ତନକୁ କୋଳେଇ ନେବାକୁ ହେବ ଓ ଯେଉଁଠାରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ଥିବ ତାହା ମଧ୍ୟ କରିବାକୁ ପଡ଼ିବ। ସେହିଭଳି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି ଯେତେବେଳେ ଗଲା ଜୁଲାଇ ୧ ତାରିଖରେ ଇଂରେଜ ଅମଳରୁ ପ୍ରଚଳିତ ଥିବା ଫୌଜଦାରୀ ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ନାମକ ତିନିଗୋଟି ସ୍ୱଦେଶୀ ଫୌଜଦାରୀ ଆଇନ ପ୍ରଣୟନ କରାଯାଇଛି, ଯେଉଁଠି ଦଣ୍ଡ ନୁହେଁ ନ୍ୟାୟ ହିଁ ସର୍ବୋପରି ରହିବ। ଏହି ତିନିଟି ଆଇନ ପ୍ରଥମେ ତିନିଟି ବିଧେୟକ ଆକାରରେ ଅଗଷ୍ଟ ୧୧, ୨୦୨୩ରେ ସଂସଦରେ ଉପସ୍ଥାପିତ ହୋଇଥିଲା ଓ ଆଲୋଚନା ପରେ ଏହାକୁ ବିଭାଗୀୟ ଷ୍ଟାଣ୍ଡିଂ କମିଟିକୁ ବିଚାର ପାଇଁ ପଠାଯାଇଥିଲା। ଉକ୍ତ କମିଟିକୁ ପଠାଗଲା ବେଳେ ଏହା ଜଣା ଥିଲା ଯେ ଏହି ବିଧେୟକରେ ସଂଶୋଧନ ହେବ ହିଁ ହେବ। ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡ଼ିକ ସଂସଦରେ ପାରିତ ହେବାରେ ଯେପରି ଅହେତୁକ ବିଳମ୍ବ ନ ଘଟେ, ସେଥିପାଇଁ ସରକାର, ଗୃହକୁ ଅନୁରୋଧ କରି ବିଧେୟକଗୁଡ଼ିକୁ ଫେରାଇ ନେଇ କମିଟିଙ୍କ ସୁପାରିସଗୁଡ଼ିକ ଆଧାରରେ ପୁଣି ଥରେ ଗୃହରେ ଏକ ବିଧେୟକ ରୂପେ ଉପସ୍ଥାପନ କରିଥିଲେ, ଯାହାକୁ ସଂସଦ ସାଧାରଣ ସଂଖ୍ୟାଗରିଷ୍ଠତାରେ ପାରିତ କରିଥିଲେ।
ସ୍ୱାଭାବିକ ଭାବେ ଏହି ତିନିଟି ନୂତନ ଆଇନ ଅନେକଙ୍କ ସମାଲୋଚନାର ବିଷୟବସ୍ତୁ ହୋଇଛି। ଯେଉଁ ପ୍ରକାରେ ଏହି ଆଇନତ୍ରୟକୁ ସଂସଦରେ ପାରିତ କରାଗଲା, ତାହା ଅସାଂବିଧାନିକ ବୋଲି କେତେକଙ୍କ ମତ। ପ୍ରକାଶ ଥାଉକି ଏହା ପାରିତ ହେବା ସମୟରେ ପ୍ରତିପକ୍ଷର ୯୭ ଜଣ ସାଂସଦ ସଂସଦରୁ ନିଲମ୍ବିତ ହୋଇଥିଲେ ଏବଂ ସଂସଦରେ ଅନୁପସ୍ଥିତ ଥିଲେ। ତେଣୁ ଏହା ସରକାରଙ୍କ ବିରୁଦ୍ଧରେ ଆପେ ଏକ ପ୍ରଶ୍ନ ରୂପେ ଉଭା ହୋଇଛି। ଯଦିଓ ସରକାରଙ୍କ ତରଫରୁ କୁହାଯାଇଛି ଯେ ଏହି ତିନିଟି ବିଧେୟକ ସଂସଦରେ ଉପସ୍ଥାପନ କରିବା ବେଳେ ସରକାର ୧୮ଟି ରାଜ୍ୟ, ୭ଟି କେନ୍ଦ୍ରଶାସିତ ଅଞ୍ଚଳ, ମାନ୍ୟବର ସର୍ବୋଚ୍ଚ ଓ ଉଚ୍ଚ ନ୍ୟାୟାଳୟର ଅନେକ ବିଚାରପତି, ୨୨ଟି ଆଇନ ବିଶ୍ୱବିଦ୍ୟାଳୟ, ରାଜ୍ୟଗୁଡ଼ିକର ୧୪୨ ଜଣ ସାଂସଦ, ୨୭୦ ଜଣ ବିଧାନସଭା ସଦସ୍ୟ ଓ ଅସଂଖ୍ୟ ସାଧାରଣ ନାଗରିକଙ୍କ ମତାମତ ନେଇଥିଲେ।
ଆମ ଦେଶରେ ଫୌଜଦାରୀ ଆଇନ ଯେଉଁ ବ୍ୟାପକତାରେ ଆମ ସାମାଜିକ ତଥା ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ, ସେମିତି ଅନ୍ୟ କୌଣସି ଆଇନ କରିନଥାଏ। ଫୌଜଦାରୀ ଆଇନରେ ସର୍ବମୁଖ୍ୟ ତିନିଟି ବିଷୟ ହେଲା ଗିରଫ (ଆରେଷ୍ଟ), ପୁଲିସ ଜିମା (ରିମାଣ୍ଡ), ଓ ଜାମିନ (ବେଲ୍)। ବେଲ୍ ନା ଜେଲ୍? ଏହା ହିଁ ସବୁଠାରୁ ସ୍ପର୍ଶକାତର ଓ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। କିନ୍ତୁ ଏ ତିନିିଟିଯାକ ବିଷୟରେ ଔପନିବେଶିକ ଶାସନର ପ୍ରଭାବ ଆଜି ଯାଏ ରହିଛି। ଦେଖିବାକୁ ଗଲେ ଏହି ତିନିଟିଯାକ ସ୍ଥିତିରେ ଆଇନସିଦ୍ଧ ସାକ୍ଷ୍ୟକୁ ପ୍ରମାଣ ରୂପେ ଗ୍ରହଣ କରାଯାଇ ନ ଥାଏ ଓ ସେ ପୁଲିସ ଅଧିକାରୀ ହୁଅନ୍ତୁ ଅଥବା ବିଚାରପତି; ଅଧିକାଂଶ କ୍ଷେତ୍ରରେ ସନ୍ଦେହ ଓ ଅନୁମାନକୁ ଭିତ୍ତି କରି ମାମଲାଟି ଉପରେ ଯଥାଯଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଆନ୍ତି। ଏହି ତିନିଟିଯାକ ସ୍ଥିତିରେ ଯଦି ସନ୍ଦେହ ବା ଅନୁମାନ ଭୁଲ୍ ହୋଇଯାଏ, ତେବେ ଜଣେ ବ୍ୟକ୍ତିଙ୍କ ଜୀବନ ଓ ଶାରୀରିକ ସ୍ୱତନ୍ତ୍ରତାର ମୌଳିକ ସାଂବିଧାନିକ ଅଧିକାରର ସିଧା ଉଲ୍ଲଂଘନ ହୋଇଥାଏ। କାରଣ ଆମ ସଂବିଧାନର ଅନୁଚ୍ଛେଦ ୨୧ ଜଣେ ନାଗରିକଙ୍କ ଜୀବନ ଓ ଶାରୀରିକ ସ୍ୱତନ୍ତ୍ରତାର ମୌଳିକ ଅଧିକାରକୁ ସୁରକ୍ଷିତ ରଖିବାର ଗ୍ୟାରେଣ୍ଟି ପ୍ରଦାନ କରୁଛି ଓ କେବଳ ଆଇନ ଦ୍ୱାରା ସ୍ଥାପିତ ପ୍ରକ୍ରିୟାର ଅନୁସରଣ କ୍ରମେ ହିଁ ଜଣେ ଲୋକଙ୍କୁ ଗିରଫ କରାଯାଇ ତାଙ୍କୁ ସେହି ମୌଳିକ ଅଧିକାରରୁ ବଞ୍ଚିତ କରାଯାଇପାରିବ। ଏଠାରେ ମୂଳ ଓ ବଡ଼ ପ୍ରଶ୍ନ ହେଲା ସେହି ଆଇନ ଦ୍ୱାରା ସ୍ଥାପିତ ପ୍ରକ୍ରିୟା କ’ଣ? ଏହା କ’ଣ କେବେ ବି ‘ସନ୍ଦେହ’ ହୋଇପାରେ କି? କାରଣ ଆରେଷ୍ଟ, ରିମାଣ୍ଡ ଓ ବେଲ୍ ନିଷ୍ପତ୍ତି ମୁଖ୍ୟତଃ ସନ୍ଦେହ ଆଧାରରେ ହିଁ ନିଆଯାଇଥାଏ। ତେଣୁ ଏହା ଅନୁଚ୍ଛେଦ ୨୧ରେ ଉଲ୍ଲିଖିତ ବ୍ୟବସ୍ଥା ସହିତ ମେଳ ଖାଇ ନ ଥାଏ। ସନ୍ଦେହକୁ କୌଣସି ପ୍ରକାରେ ଅନୁଚ୍ଛେଦ ୨୧ରେ ଉଲ୍ଲିଖିତ ଆଇନ ଦ୍ୱାରା ସ୍ଥାପିତ ପ୍ରକ୍ରିୟାର ଅନୁସରଣ କ୍ରମେ ବ୍ୟବସ୍ଥା ସହିତ ଯୋଡ଼ା ଯାଇପାରିବ ନାହିଁ। କିନ୍ତୁ ସନ୍ଦେହରେ ଗିରଫ କରିବା ଯେତିକି ବିପଜ୍ଜନକ, ଗିରଫ ନ କରିବା ତହିଁରୁ ମଧ୍ୟ ଅଧିକ ବିପଜ୍ଜନକ ହୋଇପାରେ। ଏପଟୁ ମାଇଲେ ଗୋ ହତ୍ୟା ସେପଟୁ ମାଇଲେ ବ୍ରହ୍ମହତ୍ୟା! ତ କରାଯିବ କ’ଣ? ଏହା ଏକ ବିଷମ ପ୍ରଶ୍ନ।
ଆମ ଫୌଜଦାରୀ ନ୍ୟାୟ ପ୍ରଶାସନ ଦୁଇଟି ପରସ୍ପର ବିରୋଧୀ ନୀତିରେ ଆଧାରିତ। ପ୍ରଥମଟି ହେଲା ପୁଲିସକୁ ଯଦି ସାମାନ୍ୟ ସନ୍ଦେହ ହୁଏ ଯେ ଅଭିଯୁକ୍ତ ଅପରାଧରେ ସଂଶ୍ଳିଷ୍ଟ ହୋଇ ଥାଇପାରନ୍ତି, ତେବେ ତାଙ୍କୁ ଆଇନର ଜାଲ ଭିତରକୁ ଠେଲିଦେବା। ଅପର ପକ୍ଷରେ ନ୍ୟାୟାଳୟଙ୍କୁ ଯଦି ଟିକିଏ ବି ସନ୍ଦେହ ହୁଏ ଯେ ଅଭିଯୁକ୍ତ ଅପରାଧରେ ସଂଶ୍ଳିଷ୍ଟ ହୋଇ ନଥାଇପାରନ୍ତି, ତେବେ ଅଭିଯୁକ୍ତଙ୍କୁ ଆଇନର ଜାଲରୁ ମୁକ୍ତ କରିଦେବା। ନିଜ ନିଜ ଅଧିକାରରେ ଏହି ପରସ୍ପର ବିରୋଧୀ ନୀତି ନ୍ୟାୟ ପ୍ରଶାସନର ହିତ ଦୃଷ୍ଟିରୁ ପୂରା ଠିକ୍ ବୋଲି କହିବା ଭୁଲ୍ ହେବ ନାହିଁ।
ବିନା ପୁଲିସରେ ଏକ ରାଜ୍ୟର କଳ୍ପନା କରାଯାଇନପାରେ। ଯେ କୌଣସି ସରକାରଙ୍କ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଲା ପୁଲିସ ପ୍ରଶାସନ। ସମ୍ଭବତଃ ସେହି କାରଣରୁ ରାଜ୍ୟ ବଜେଟ୍ର ଦାବି ସଂଖ୍ୟା ୧ (ଡିମାଣ୍ଡ ନମ୍ବର ୧) ଭାବେ ଗୃହ ବିଭାଗକୁ ରଖାଯାଇଛି। ଅନ୍ୟ ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ସ୍ୱାସ୍ଥ୍ୟ, ଶିକ୍ଷା ଆଦିର ସେବାରେ ଯଦି କେହି ଅସନ୍ତୁଷ୍ଟ ହୁଅନ୍ତି, ତେବେ ତାହାର ବିକଳ୍ପ ରହିଛି ଘରୋଇ ଡାକ୍ତରଖାନା ବା ଘରୋଇ ବିଦ୍ୟାଳୟ। କିନ୍ତୁ ପୁଲିସ ପ୍ରଶାସନର କୌଣସି ଆଇନସମ୍ମତ ବିକଳ୍ପ ନାହିଁ କି ହୋଇପାରିବ ନାହିଁ। ଦେଖାଯାଉଛି ଯେ ଇଂରେଜ ଅମଳରୁ ପୁଲିସ ପ୍ରଶାସନ ଜନତାଙ୍କ ଆସ୍ଥାଭାଜନ ହୋଇପାରୁନାହାନ୍ତି। ଇତି ମଧ୍ୟରେ ସରକାରଙ୍କ ଅନେକଗୁଡ଼ିଏ ପୁଲିସ ସଂସ୍କାର କାର୍ଯ୍ୟକ୍ରମ ଯୋଗୁଁ ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ଆସିଲାଣି। ଧୀରେ ଧୀରେ ପୁଲିସ ବିଶ୍ୱାସଭାଜନ ହେବାକୁ ଲାଗିଲାଣି ସତ, ତଥାପି ସମ୍ପୂର୍ଣ୍ଣ ଭରସାଯୋଗ୍ୟ ହୋଇପାରିନାହିଁ। ପୁଲିସ ସଂସ୍କାର ଯେତିକି ଆବଶ୍ୟକ, ସେତିକି ଆବଶ୍ୟକ ନାଗରିକ ସଂସ୍କାର। ଯେ ଯାଏ ପୁଲିସ ଓ ନାଗରିକଙ୍କ ମଧ୍ୟରେ ସମ୍ପର୍କ ସଭ୍ୟ, ଶାଳୀନ ଓ ପରସ୍ପରକୁ ସମ୍ମାନଭିତ୍ତିକ ନ ହୋଇଛି, ସେ ଯାଏ ସୁଶାସନ ମିଳିପାରିବ ନାହିଁ। ଆମେ ଏପରି ଏକ ସମାଜରେ ଆଦୌ ସୁରକ୍ଷିତ ନୁହେଁ, ଯେଉଁଠି ଲୋକେ ପୁଲିସ ସହାୟତା ନେବାକୁ କୁଣ୍ଠିତ ହେବେ, ଡରିବେ।
ପୁଲିସର କାର୍ଯ୍ୟଦକ୍ଷତା ବୃଦ୍ଧି ନିମନ୍ତେ ଆଇନ ଓ ସରକାରଙ୍କ ଦ୍ୱାରା ଏହି ସଂସ୍ଥାକୁ ବିଶେଷ କ୍ଷମତା ପ୍ରଦାନ କରାଯାଇଛି। ତେବେ, ଏହି ସବୁ କ୍ଷମତାଗୁଡ଼ିକର ପ୍ରୟୋଗକୁ ନେଇ ସମସ୍ୟା ଉପୁଜେ। କୌଣସି ଏକ ଅପରାଧର ରହସ୍ୟ ଉନ୍ମୋଚନ କରିବାକୁ ଗଲା ବେଳେ ପୁଲିସ ଅଧିକାରୀମାନଙ୍କୁ ଭିନ୍ନ ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ ତଥା ଏଭଳି ପରିସ୍ଥିତିର ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ହିତ ଦୃଷ୍ଟିରୁ ସେମାନଙ୍କୁ ବିଶେଷ ଅଧିକାର ସମୂହର ପ୍ରୟୋଗ କରିବାକୁ ମଧ୍ୟ ପଡ଼ିଥାଏ। ସୁଚାରୁ ରୂପେ କୌଣସି କାର୍ଯ୍ୟ ସଂପାଦନ କରିବା ନିମନ୍ତେ ଏହା ଏକ ସ୍ୱାଭାବିକ କ୍ରିୟା ହୋଇଥିବା ସତ୍ତ୍ୱେ ଅନେକ ସମୟରେ କ୍ଷମତାର ଏହି ‘ଅପପ୍ରୟୋଗ’କୁ ନେଇ ପୁଲିସ ବିଭାଗକୁ ଅପବାଦ ସହିବାକୁ ଓ କଟୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥାଏ। ଯେକୌଣସି ସରକାରଙ୍କ ପାଇଁ ଏହା ଏକ ଜଟିଳ ସମସ୍ୟା। ଯଥେଷ୍ଟ କ୍ଷମତାର ଅଧିକାରୀ ନ ହେଲେ ଏହି ବିଭାଗ ଆପଣା ଉଦ୍ଦେଶ୍ୟ ସାଧନରେ ଉତ୍କର୍ଷ ଲାଭ କରିପାରିବ ନାହିଁ। ଏଣେ, କ୍ଷମତାର ଅଧିକାରୀ ହୋଇଗଲେ ଏହାର ଅପପ୍ରୟୋଗର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହଁ। ତେଣୁ କାର୍ଯ୍ୟଟିଏ ସଂପାଦନ କଲାବେଳେ ପୁଲିସକୁ ମନେ ରଖିବାକୁ ପଡ଼ିବ ଯେ କୌଣସି ଏକ ନିର୍ଦ୍ଦୋଷ ନିରପରାଧ ବ୍ୟକ୍ତି ଯେପରି ସମାଜ ଚକ୍ଷୁରେ ଅପରାଧୀ ବୋଲି ନିନ୍ଦିତ ନ ହୁଏ; କାରଣ ପରବର୍ତ୍ତୀ କାଳରେ ନ୍ୟାୟାଳୟ ଦ୍ୱାରା ଦୋଷମୁକ୍ତ ଘୋଷିତ ହେଉଥିବା ବ୍ୟକ୍ତି କେବଳ ଯେ ପୁଲିସ ପ୍ରତାଡ଼ନାର ଶିକାର ହୋଇଥାଏ ତାହା ନୁହେଁ, ବରଂ ଜେଲ୍ରୁ ମୁକୁଳିବା ବେଳକୁ ତା’ର ପରିବାରର ପ୍ରତିଷ୍ଠା ଓ ପ୍ରତିପତ୍ତି ମଧ୍ୟ ବିଲୀନ ହୋଇସାରିଥାଏ।
ସୁତରାଂ ଗିରଫ କରିବାର କ୍ଷମତା ଓ ଗିରଫ କରିବାର ଆବଶ୍ୟକତା ମଧ୍ୟରେ ଏକ ସ୍ପଷ୍ଟ ପାର୍ଥକ୍ୟ ନିରୂପିତ ହେବା ସମୀଚୀନ। ଗିରଫ କରିବା କ୍ଷମତାକୁ ଗିରଫ କରିବାର ଆବଶ୍ୟକତା ସହିତ କଦାପି ସମାନ ଭାବେ ଦେଖାଯାଇପାରିବ ନାହିଁ। ଏ କ୍ଷେତ୍ରରେ ପୁଲିସ ଅଧିକାରୀମାନଙ୍କ ମାନବିକତା, ନୈତିକତା, ସଂସ୍କାର, ଶାଳୀନତା ଓ ଉତ୍ତମ ବିବେକ ହିଁ ଗିରଫ କରିବା କ୍ଷମତା ଓ ଗିରଫ କରିବାର ଆବଶ୍ୟକତା ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟକୁ ଠିକ୍ ରୂପେ ସୂଚାଇ ଦେଇ ପାରିବ।
ସମାଜରେ ହିଂସା ଏତେ ପରିମାଣରେ ବଢ଼ିଗଲାଣି ଯେ ବାପା ମା’ ଆଜିକାଲି ଆଉ ସେମାନଙ୍କ ସନ୍ତାନମାନଙ୍କ ନାଁ ସୁଶାନ୍ତ କି ସୁକୁମାର ଆଦି ପ୍ରାୟ ଦେଉନାହାନ୍ତି। ସମାଜର ଏଭଳି ସ୍ଥିତିରେ ଏହି ତିନିଟି ସ୍ୱଦେଶୀ ଆଇନରୁ ଲୋକେ ବହୁତ କିଛି ଆଶା ରଖିଛନ୍ତି। ପ୍ରାରମ୍ଭରୁ କଡ଼ା ଅଭିମୁଖ୍ୟ ରଖି ଏହି ଆଇନକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଏହି କଡ଼ା ଆଭିମୁଖ୍ୟ ଯୋଗୁଁ କିଛି ନିରୀହଙ୍କୁ ହୁଏତ ଅଳ୍ପବହୁତ ମୂଲ୍ୟ ଦେବାକୁ ପଡ଼ିପାରେ। ଶସ୍ୟ କ୍ଷେତ୍ରରେ ଫସଲକୁ କୀଟ ଦାଉରୁ ରକ୍ଷା କରିବାକୁ ହେଲେ କୀଟନାଶକ ଔଷଧ ପ୍ରୟୋଗ କରିବାକୁ ପଡ଼ିଥାଏ ଓ ଏହା ଯୋଗୁଁ କିଛି ନିରୀହ ପ୍ରଜାପତି ବେଳେବେଳେ କ୍ଷତିଗ୍ରସ୍ତ ହୋଇଥାନ୍ତି। ଠିକ୍ ସେହିପରି ସମାଜକୁ ସୁସ୍ଥ ରଖିବାକୁ ହେଲେ ସାଧାରଣ ଜନତାଙ୍କୁ କିଛି ତ ବଳିଦାନ ଦେବାକୁ ପଡ଼ିବ।
ପୂର୍ବତନ ଅତିରିକ୍ତ ଶାସନ ସଚିବ,
ଆଇନ ବିଭାଗ, ଓଡ଼ିଶା ସରକାର
ମୋ: ୯୪୩୮୧୬୫୬୬୪
ଗିରଫର କ୍ଷମତା ଓ ଗିରଫର ଆବଶ୍ୟକତା
ଗୋଧନେଶ୍ୱର ହୋତା
/sambad/media/post_attachments/wp-content/uploads/2024/07/fhfsffffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)