ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ରାଜ୍ୟ ଓ ଚାଷୀଙ୍କ ଅଧିକ ହିତ କିଭଳି ସମ୍ଭବ

ସରଳ କୁମାର ଦାସ

ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ହେଉଥିବା ଉପ-ନିର୍ବାଚନରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ସେମାନଙ୍କ ଖରିଫ ୨୦୨୧ର ପ୍ରାପ୍ୟ ବୀମା ଦେୟ ଦୀର୍ଘ କାଳ ପରେ ମଧ୍ୟ ନ ପାଇବା ତଥା କୌଣସି ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇ ସେମାନଙ୍କୁ ବୀମା ଦେୟ ପାଇବାରୁ ବଞ୍ଚିତ କରିବା ଆଦି ପ୍ରସଙ୍ଗ ଚାଷୀମାନଙ୍କ ଗଣ ଅସନ୍ତୋଷର କାରଣ ପାଲଟି ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହୋଇଥିବା ବେଳେ ଏଥି ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରିବା ଭଳି ସ୍ଥିତି ଯୋଜନାର ଉଦ୍ଦେଶ୍ୟ ସାଧନ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ଦେଖା ଦେଉଛି। ରାଜ୍ୟ ସରକାରଙ୍କ ଅନୁସାରେ ଖରିଫ ୨୦୨୧ରେ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ ଓ ୧୫ଟି ପୌରାଞ୍ଚଳର ୨,୬୩,୫୬୦ ହେକ୍ଟର ଜମିରେ ୩୩% ଫସଲ ନଷ୍ଟ ହୋଇଥିଲେ ହେଁ ଅନେକ କ୍ଷତିଗ୍ରସ୍ତ ଚାଷୀ ବୀମା ରାଶି ପାଇ ନ ଥିବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର ଉଦ୍ୟମ କରି ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁତରାଂ, ଏଭଳି ସମସ୍ୟାର ସମୀକ୍ଷା ଓ ପୁନର୍ବିବେଚନାର ଆବଶ୍ୟକତା ରହିଛି ବୋଲି ମନେ ହୋଇଥାଏ।

ଖରିଫ ୨୦୧୬ରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ତା’ ପରଠାରୁ ଦେଶର ପ୍ରାୟ ୧୪ କୋଟି ଚାଷୀ ପରିବାର ମଧ୍ୟରୁ ଏ ପର୍ଯ୍ୟନ୍ତ ବୀମାଭୁକ୍ତ ଚାଷୀ ପରିବାରଙ୍କ ସଂଖ୍ୟା ୨ କୋଟି ଟପି ପାରି ନାହିଁ, ଯାହା ବାସ୍ତବରେ ଏକ ପରିତାପର ବିଷୟ। ଏହି ଯୋଜନାକୁ ନେଇ ମୁଖ୍ୟତଃ ତିନିଟି ସମାଲୋଚନା ହୋଇ ଆସିଛି। ପ୍ରଥମତଃ, ବୀମା କମ୍ପାନିଗୁଡ଼ିକ ଯେତିକି ପରିମାଣର ବୀମା ପ୍ରିମିଅମ ରାଶି ପାଉଛନ୍ତି ତା’ ଠାରୁ ଯଥେଷ୍ଟ କମ୍‌ ରାଶି ବୀମା ଦେୟ ଭାବେ ପ୍ରଦାନ କରୁଥିବାରୁ ସେମାନେ ଅଯଥାରେ ଖୁବ୍‌ ଲାଭବାନ ହେଉଛନ୍ତି। ବିଗତ ବର୍ଷମାନଙ୍କରେ ବୀମା ପ୍ରିମିଅମ ଅନୁପାତରେ ବୀମା ଦେୟ ରାଶିର ଏକ ତୁଳନାତ୍ମକ ଚିତ୍ର ଦେଖିବା। ରବି ୨୦୧୭ରୁ ରବି ୨୦୨୧ ମଧ୍ୟରେ ଏହା ୧୦୬.୯%ରୁ ୪୭.୧%କୁ ଖସି ଆସିଥିବା ବେଳେ ଖରିଫ ୨୦୧୮ରୁ ଖରିଫ ୨୦୨୧ ମଧ୍ୟରେ ତାହା ୯୩.୯%ରୁ ୪୧.୯%କୁ ହ୍ରାସ ପାଇଛି। ଅବଶ୍ୟ ଓଡ଼ିଶା କ୍ଷେତ୍ରରେ ଏହି ଅନୁପାତ ଅପେକ୍ଷାକୃତ ଭଲ। ଦ୍ୱିତୀୟତଃ, ଏହା ସବୁ ଋଣୀ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି, ଯାହା ଫଳରେ ନିଜ ଫସଲକୁ ବୀମାଭୁକ୍ତ କରିବା ଲାଗି ଅନାଗ୍ରହୀ ଚାଷୀମାନେ ମଧ୍ୟ ପ୍ରିମିଅମ ଦେବାକୁ ବାଧ୍ୟ ହେଉଛନ୍ତି। ତୃତୀୟରେ ଫସଲ କ୍ଷତିର ପରିମାଣ ନିର୍ଦ୍ଧାରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପୁରୁଣା ପଦ୍ଧତିରେ ହେଉଥିବା ସଂଖ୍ୟାଧିକ ଫସଲ କଟା ପରୀକ୍ଷା (କ୍ରପ କଟିଂ ଏକ୍ସପେରିମେଣ୍ଟ) ପାଇଁ ଅନେକ ସମୟ ଲାଗିବା ତଥା ଅନେକ କ୍ଷେତ୍ରରେ ଅମଳ ସମ୍ପର୍କିତ ତଥ୍ୟ ଉଭୟ ଚାଷୀ ଓ ବୀମା କମ୍ପାନିଙ୍କ ଦ୍ୱାରା ଗ୍ରହଣୀୟ ନ ହେବା କାରଣରୁ ବିବାଦ ସୃଷ୍ଟି ହୋଇ ବୀମା ରାଶି ମିଳିବାରେ ଅହେତୁକ ବିଳମ୍ୱ ଘଟିଥାଏ। ଏହି ସମାଲୋଚନାଗୁଡ଼ିକୁ ଧ୍ୟାନରେ ରଖି ଖରିଫ ୨୦୨୦ରୁ ଏହି ଯୋଜନାରେ ଆବଶ୍ୟକ ସଂଶୋଧନ କରାଯାଇଛି, ଯାହା ଅନୁଯାୟୀ ଏଣିକି ଋଣୀ ଚାଷୀଙ୍କ ପାଇଁ ଫସଲ ବୀମା ଯୋଜନାରେ ସାମିଲ ହେବା ବାଧ୍ୟତାମୂଳକ ନ ହୋଇ ଇଚ୍ଛାଧୀନ ହୋଇଛି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ଏବଂ ଏଥିରେ ଚାଷୀଙ୍କ ଠାରୁ ରବି ଓ ଖରିଫ ଋତୁରେ ପ୍ରିମିଅମ ରାଶିର ଯଥାକ୍ରମେ ୧.୫ ଓ ୨% ଆଦାୟ କରାଯାଉଥିବା ବେଳେ ବ୍ୟାବସାୟିକ ଫସଲ ପାଇଁ ୫% ଆଦାୟ ହୋଇଥାଏ। ଅବଶିଷ୍ଟ ପ୍ରିମିଅମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧା ଅଧା ବହନ କରୁଥିବାରୁ ଏହା ଅତ୍ୟନ୍ତ ସବ୍‌ସିଡି ଆଧାରିତ ଯୋଜନା ଭାବେ ପରିଗଣିତ ହେଉଛି। ଗତ ୬ ବର୍ଷ ମଧ୍ୟରେ ଫସଲ ବୀମା ପ୍ରିମିଅମ ଦେୟ ପ୍ରାୟ ୬ ଗୁଣ ବଢ଼ି ସାରିଛି। ଫଳରେ ରାଜ୍ୟ ସରକାରଙ୍କ ଉପରେ ବୀମା ପ୍ରିମିଅମ ସବସିଡିର ବୋଝ ମଧ୍ୟ ଯଥେଷ୍ଟ ବଢ଼ିଯାଇଛି। ଏହା କିଛି ରାଜ୍ୟର କୃଷି ବଜେଟ୍‌ର ଏକ ବଡ଼ ଅଂଶ ହେଉଥିବାରୁ ସେମାନେ ଏଥିରେ ଅଂଶ ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ମୂଳରୁ ପଞ୍ଜାବ ଏଥିରେ ଭାଗ ନେଉନାହିଁ। ପରବର୍ତ୍ତୀ ସମୟରେ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପରି ରାଜ୍ୟଗୁଡ଼ିକ ମଧ୍ୟ ଏହି ଯୋଜନାରୁ ଓହରି ଯାଇଛନ୍ତି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏହି ଯୋଜନାରୁ ଓହରି ଆସିଥିଲେ ବି ଖରିଫ ୨୦୨୨ରେ ପୁଣି ଥରେ ଯୋଗ ଦାନ କରିଛନ୍ତି। କେବଳ ବିରୋଧୀ ଶାସିତ ରାଜ୍ୟ ନୁହନ୍ତି, ବିଜେପି ଶାସିତ ଗୁଜରାଟ ମଧ୍ୟ ଏଥିରୁ ଓହରି ଆସିଥିବା ବେଳେ ହରିଆଣା ଓ ଅନ୍ୟ କେତେକ ରାଜ୍ୟ ମଧ୍ୟ ସେ ନେଇ ଗମ୍ଭୀରତାର ସହ ବିଚାର କରୁଥିବାର ଜଣାପଡ଼େ। ଏହି ରାଜ୍ୟଗୁଡ଼ିକ ଚାଷୀଙ୍କ ଫସଲ କ୍ଷତିକୁ ଭରଣା କରିବା ପାଇଁ ଭିନ୍ନ ଭିନ୍ନ ବାଟକୁ ଅକ୍ତିଆର କରିଛନ୍ତି। ଏଥିପାଇଁ ବିହାର ଓ ଝାଡ଼ଖଣ୍ଡ ରାଜ୍ୟ ଦ୍ୱୟ ନିଜସ୍ୱ ଫସଲ ବୀମା ଯୋଜନାର ପ୍ରଚଳନ କରିଛନ୍ତି, ଯେଉଁଥିରେ ଚାଷୀଙ୍କୁ କୌଣସି ପ୍ରିମିଅମ ଦେବାକୁ ପଡୁ ନ ଥିବା ବେଳେ ସେମାନଙ୍କର ୫ ଏକର ଯାଏ ଜମିରେ ଫସଲ ସୀମାନ୍ତ ଅମଳ (ଥ୍ରେସହୋଲ୍‌ଡ ୟିଲଡ୍)ଠାରୁ ୨୦%ରୁ ଅଧିକ ନଷ୍ଟ ହୋଇଥିଲେ ସେମାନେ ଆର୍ଥିକ ସହାୟତା ପାଇଥାଆନ୍ତି। ପଶ୍ଚିମବଙ୍ଗ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ କୌଣସି ପ୍ରିମିଅମ ସବସିଡି ନ ନେଇ ‘ବାଂଲା ଶସ୍ୟ ବୀମା’ ଯୋଜନାର ପ୍ରଚଳନ କରି ଟେଣ୍ଡର ଜରିଆରେ ବୀମା କମ୍ପାନିଙ୍କୁ ବାଛୁଛନ୍ତି। ଏଠାରେ ମଧ୍ୟ ସମସ୍ତ ଖାଦ୍ୟଶସ୍ୟ ଓ ତୈଳବୀଜ ଚାଷ ଉପରେ ଚାଷୀଙ୍କ ଠାରୁ କୌଣସି ପ୍ରିମିଅମ ଆଦାୟ ହେଉନାହିଁ। ଗୁଜରାଟରେ ‘ମୁଖ୍ୟମନ୍ତ୍ରୀ କିଷାନ ସହାୟ ଯୋଜନା’ର ପ୍ରଚଳନ କରାଯାଇଛି, ଯେଉଁଥିରେ ମରୁଡ଼ି, ଅତ୍ୟଧିକ ବା ଅସମୟରେ ବର୍ଷା ଜନିତ ପ୍ରାକୃତିକ ଦୁର୍ବିପାକରେ ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀମାନଙ୍କୁ ସେମାନଙ୍କ ୪ ହେକ୍ଟର ପର୍ଯ୍ୟନ୍ତ ଜମିରେ ଫସଲ ନଷ୍ଟ ପାଇଁ ହେକ୍ଟର ପିଛା ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ଖରିଫ ଋତୁରେ ଚାଷ ହେଉଥିବା ସବୁ ଫସଲ ଏହି ଯୋଜନା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଥି ପାଇଁ ଚାଷୀଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ି ନଥାଏ। ଯୋଜନାରୁ ଓହରି ଆସିବା ପରେ ଆନ୍ଧ୍ରପ୍ରଦେଶ ଏକ ବୀମା କମ୍ପାନି ପ୍ରତିଷ୍ଠା କରି ତା’ ଜରିଆରେ ଫସଲ ବୀମା କରିବାକୁ ପଦକ୍ଷେପ ନେଇଥିଲା। ନିୟମ ଅନୁଯାୟୀ କୌଣସି ରାଜ୍ୟ ନିଜସ୍ୱ ବୀମା କମ୍ପାନି ପ୍ରତିଷ୍ଠା କରି ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ସ୍ୱଚ୍ଛ ଭାବେ ବୀମାଙ୍କିକ ଦର (ଆକଚୁଆରିଆଲ ରେଟ) ନିର୍ଦ୍ଧାରଣ କଲେ ସେହି ରାଜ୍ୟକୁ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରିମିଅମ ସବସିଡି ମିଳିଥାଏ।

ଓଡ଼ିଶାର ଚାଷୀମାନଙ୍କୁ ଠିକ୍ ସମୟରେ ଉଚିତ କ୍ଷତିପୂରଣ ପ୍ରଦାନ ଲାଗି ସରକାର ଦୁଇଟି ବିକଳ୍ପ କଥା ଚିନ୍ତା କରିପାରନ୍ତି। ପ୍ରଥମଟି ହେଲା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କିପରି ଅଧିକ ସଂଖ୍ୟକ ଚାଷୀ କ୍ଷତିପୂରଣ ରାଶି ପାଇପାରିବେ ଓ ରାଜକୋଷ ଉପରେ ପଡୁଥିବା ପ୍ରିମିଅମ ସବସିଡି ବୋଝକୁ ହ୍ରାସ କରି ହେବ; ସେ ନେଇ ଚିନ୍ତା କରିବା। ସେ କ୍ଷେତ୍ରରେ ଫସଲ କଟା ପରୀକ୍ଷା ସମୟକୁ କମ୍‌ କରାଯିବା ଆବଶ୍ୟକ। ସେଥି ଲାଗି ଅଧିକ ସମୟ ଲାଗୁଥିବା ପାରମ୍ପରିକ ପଦ୍ଧତି ବଦଳରେ ଅତ୍ୟନ୍ତ ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରିବାକୁ ହେବ, ଯେମିତି କି ରିମୋଟ ସେନସିଙ୍ଗ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ, ଡ୍ରୋନ, ମୋବାଇଲ ଫୋନ ଇତ୍ୟାଦି। ଏହା ଦ୍ୱାରା ଫସଲ କଟା ପରୀକ୍ଷାର ବିଶ୍ୱସନୀୟତାକୁ ମଧ୍ୟ ବଢ଼ାଇ ହେବ ଓ ବିବାଦ ସଂଖ୍ୟା କମିବ, ଯାହା ଠିକ୍‌ ସମୟରେ ବୀମା ରାଶି ପଇଠର ବାଟ ପରିଷ୍କାର କରିବ। ବିଭିନ୍ନ ଜିଲ୍ଲାର ଫସଲ ଋଣ ମାପକାଠି (ସ୍କେଲ ଅଫ୍ ଫାଇନାନ୍‌ସ)ରେ ବିଭିନ୍ନ ଫସଲ ଚାଷ ପାଇଁ ଉଦ୍ଦିଷ୍ଟ ଋଣ ରାଶିରେ ବ୍ୟାପକ ତାରତମ୍ୟ ରହିଛି। ଉଦାହରଣ ସ୍ୱରୂପ ଖରିଫ ୨୦୨୨ରେ ଅଧିକାଂଶ ଜିଲ୍ଲାରେ ଧାନ ଫସଲ ପାଇଁ ଏକର ପିଛା ୨୭,୩୦୦ ଟଙ୍କାର ଋଣର ପ୍ରାବଧାନ ଥିଲା ବେଳେ ବରଗଡ଼ ଜିଲ୍ଲା ପାଇଁ ଏହା ସର୍ବାଧିକ ୩୦,୮୦୦ ଟଙ୍କା ରହିଛି, ଯାହା ୩,୫୦୦ ଟଙ୍କା ଅଧିକ। ଫସଲ ଋଣ ମାପକାଠିରେ ପ୍ରତି ଫସଲ ପାଇଁ ସର୍ବାଧିକ ଋଣ ରାଶି ଉପରେ ଅଙ୍କୁଶ ଲଗାଇ ଏହି ତାରତମ୍ୟକୁ ହ୍ରାସ କରାଯାଇ ପାରିଲେ ରାଜ୍ୟ ସରକାରଙ୍କ ପ୍ରିମିଅମ ସବସିଡି ବାବଦ ଦେୟ ଅନେକ ଅଂଶରେ କମିଯିବ। ଋଣୀ ଚାଷୀଙ୍କ ପାଇଁ ଫସଲ ବୀମା କରିବା ଏବେ ଇଚ୍ଛାଧୀନ ହୋଇଥିଲେ ବି ସଚେତନତା ଅଭାବରୁ ଅନେକ ବ୍ୟାଙ୍କ ଏବେ ମଧ୍ୟ ବୀମା ପାଇଁ ରାଜି ନ ଥିବା ଚାଷୀଙ୍କୁ ଜବରଦସ୍ତ ବୀମାଭୁକ୍ତ କରାଉଥିବା ଲକ୍ଷ୍ୟ କରାଯାଉଛି। ଅନିଚ୍ଛୁକ ଚାଷୀ ଲିଖିତ ଭାବେ ବ୍ୟାଙ୍କକୁ ଅନୁରୋଧ କଲେ ତାଙ୍କ ଫସଲ ବୀମା ନ କରିବାର ପ୍ରାବଧାନ ରହିଛି। ଜଳସେଚନ ସୁବିଧା ଥିବା ଅଞ୍ଚଳର ଚାଷୀ ବା ଅନ୍ୟ କାରଣରୁ ଫସଲ ବୀମା ପ୍ରତି ଅନାଗ୍ରହୀ ଋଣୀ ଚାଷୀ ବୀମା ପ୍ରକ୍ରିୟାରୁ ଓହରି ଗଲେ ସେମାନଙ୍କ ଋଣ ବୋଝ କମ୍‌ ହେବା ସହ ସେମାନଙ୍କ ପାଇଁ ରାଜ୍ୟ ସରକାର ବହନ କରୁଥିବା ବୀମା ପ୍ରିମିଅମ ସବସିଡି ରାଶି ମଧ୍ୟ କମ୍‌ ହୋଇ ରାଜକୋଷ ଉପରେ ବୋଝ ହ୍ରାସ ପାଇବ।

ଦ୍ୱିତୀୟରେ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରୁ ଓହରି ଆସିଥିବା ରାଜ୍ୟଗୁଡ଼ିକ ପରି ଓଡ଼ିଶା ମଧ୍ୟ ଯୋଜନାରୁ ଓହରି ଆସି ନିଜସ୍ୱ କ୍ଷତି ପୂରଣ ଯୋଜନା ମାଧ୍ୟମରେ କିପରି ଅଧିକ ଚାଷୀଙ୍କୁ ସହାୟତା ପ୍ରଦାନ କରିପାରିବ, ସେ ନେଇ ସରକାର ଚିନ୍ତା କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ବୀମା ପ୍ରିମିଅମ ବାବଦକୁ ଓଡ଼ିଶା ଚାଷୀଙ୍କ ଠାରୁ ପ୍ରାୟ ୭୦୨ କୋଟି ଟଙ୍କା ଆଦାୟ ହୋଇଥିଲା ବେଳେ ରାଜ୍ୟ ସରକାର ପ୍ରିମିଅମ ସବସିଡି ବାବଦକୁ ପ୍ରାୟ ୨୩୦୭ କୋଟି ଟଙ୍କା ବହନ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ବୀମା ସବସିଡି ପାଇଁ ଉଦ୍ଦିଷ୍ଟ ରାଶିକୁ ଉପଯୋଗ କରି ରାଜ୍ୟରେ ନିଜସ୍ୱ ଫସଲ କ୍ଷତିପୂରଣ ଯୋଜନା କାର୍ଯ୍ୟକାରୀ କରିବା କଥା ଚିନ୍ତା କରାଯାଇପାରେ। ଯଦିଓ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଖରିଫ ଓ ରବି ଋତୁରେ ମାତ୍ର ୮ଟି ଓ ୯ଟି ଲେଖାଏଁ ଫସଲକୁ ବୀମା ଅନ୍ତର୍ଭୁକ୍ତ କରାଯାଇଛି, ତଥାପି କେବଳ ଧାନକୁ ବାଦ ଦେଲେ ଅନ୍ୟ ସବୁ ଫସଲ ପାଇଁ ବୀମା ସୁବିଧା କେବଳ ସୀମିତ ସଂଖ୍ୟକ ଜିଲ୍ଲାର ଅଳ୍ପ କିଛି ଚାଷୀଙ୍କ ପାଇଁ ଉପଲବ୍‌ଧ। ତେଣୁ ଅନ୍ୟ ଜିଲ୍ଲାରେ ସେହି ସବୁ ଫସଲ ଚାଷ କରୁଥିବା ଚାଷୀମାନେ ମଧ୍ୟ ସେମାନଙ୍କ ଫସଲର ବୀମା କରିପାରନ୍ତି ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମାଣ୍ଡିଆ ଚାଷୀ। ଖରିଫ ୨୦୨୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ୧୫ଟି ଜିଲ୍ଲାରେ ମିଲେଟ ମିସନ କାର୍ଯ୍ୟକାରୀ ହୋଇଥିଲେ ବି ଏହି ଫସଲ ମାତ୍ର ୬ଟି ଜିଲ୍ଲାରେ ବୀମାଭୁକ୍ତ ହୋଇଥିଲା। ଏହିପରି ଭାବେ ପ୍ରତି ବର୍ଷ ହାରାହାରି ମାତ୍ର ୭-୮ ଲକ୍ଷ ବା ୧୫-୨୦% ଚାଷୀ ବୀମା ରାଶି ପାଇ ପାରୁଛନ୍ତି। କହିବା ଅନାବଶ୍ୟକ ଯେ ଅଧିକ ଚାଷୀଙ୍କ ଫସଲ ବୀମାଭୁକ୍ତ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଫସଲ ନଷ୍ଟ ହେଉଥିବା ପ୍ରତିଟି ଚାଷୀ ବୀମା ଦେୟ ପାଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେଣୁ ରାଜ୍ୟର ନିଜସ୍ୱ ଯୋଜନା ରହିଲେ ସବୁ ଫସଲ ପାଇଁ ଅଧିକାଂଶ ଚାଷୀ ଉପକୃତ ହୁଅନ୍ତେ ଓ ସେମାନଙ୍କୁ କୌଣସି ପ୍ରିମିଅମ ଦେବାକୁ ପଡ଼ନ୍ତା ନାହିଁ। ଏଥିସହିତ କ୍ଷତିପୂରଣ ପ୍ରଦାନ ଲାଗି ଆଉ ବୀମା କମ୍ପାନି ବା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରିବାକୁ ହୁଅନ୍ତା ନାହିଁ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନେକ ଦିନ ହେଲାଣି କାର୍ଯ୍ୟ କରି ଆସୁଥିବାରୁ ରାଜ୍ୟରେ ଏହାର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଲାଗି ଏକ ଗମ୍ଭୀର ଅଧ୍ୟୟନର ଆବଶ୍ୟକତା ରହିଛି। ତେବେ ଚାଷୀ ତଥା ରାଜ୍ୟର ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲାଗି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରହିବା ନା ସେଥିରୁ ଓହରି ଆସିବା ଭଳି ଦୁଇଟି ବାଟ ରହିଥିବା ବେଳେ କେଉଁଟି ଗ୍ରହଣୀୟ, ତାହାର ଟିକିନିଖି ଅନୁଶୀଳନ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ଉଚିତ।
ମୋ: ୯୪୩୭୦୩୮୦୧୫

ସମ୍ବନ୍ଧିତ ଖବର