ସଙ୍ଗୀତ ସରସ୍ବତୀ ପ୍ରଫୁଲ୍ଲ କର

ଦାଶ ବେନହୁର

ସୃଷ୍ଟି ଆରମ୍ଭରୁ ତା’ ସହ ରହିଛି ନାଦ, ଧ୍ବନି ଓ ସଙ୍ଗୀତ। ଜୀବଜଗତ୍ ସୃଷ୍ଟି ହେବା ପୂର୍ବରୁ ଏ ମହାଜାଗତିକ ଅନୁଭବ ପୃଥିବୀ ମାତାର ସହଚର। ମାଟିରୁ ଆକାଶ ପୁଣି ଭୂଲୋକ, ପରଲୋକ, ଆଦିତ୍ୟଲୋକ ସବୁଆଡ଼େ ଯାହା ପରିବ୍ୟାପ୍ତ ତାହା ଧ୍ବନି। ଧ୍ବନି ହିଁ ସଙ୍ଗୀତର ପ୍ରାଣସତ୍ତା। ସୂର୍ଯ୍ୟଙ୍କର ଅନ୍ତରୀଣ ଉଚ୍ଚାରଣ ଓଁକାର, ଧ୍ବନି। ପବନର ଲହର, ସମୁଦ୍ରର ଢେଉ, ବଉଦର ମନ୍ଦ୍ରଧ୍ବନି, ଜଳର କଳକଳ ନାଦ, ପତ୍ରମାନଙ୍କର ମର୍ମର, ପକ୍ଷୀକୁଳର କାକଳି କେଉଁଠି ଅବା ସଙ୍ଗୀତ ନାହିଁ?

ଏ ପୃଥିବୀ ସଙ୍ଗୀତରେ ପୁଷ୍ଟ। ସଙ୍ଗୀତର ପ୍ରଭାବ ସଚରାଚର। ଗଛପତ୍ର, ମାଟି, ପାଣି, ଆକାଶ, ଅଗ୍ନି, ବାୟୁ ଏବଂ ସକଳ ଜୀବଜନ୍ତୁଙ୍କ ଉପରେ ସଙ୍ଗୀତର ଯେଉଁ ପ୍ରଭାବନ ତା’ର କଳନା କରିବା ଦୁରୂହ। ଶବ୍ଦ, ସ୍ବର, ଲୟ, ତାଳ ବ୍ୟତିରେକ ସଙ୍ଗୀତର ଯେ ଅନ୍ତର୍ଧ୍ବନି ତାହା ଚିରନ୍ତନ ବା କାଳାତୀତ। ତେଣୁ ସଙ୍ଗୀତର ମୃତ୍ୟୁ ନାହିଁ କି ଧ୍ବନିର ଶେଷ ବୋଲି କିଛି ନାହିଁ। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସଙ୍ଗୀତକାରମାନେ ହିଁ ଚିରନ୍ତନର ଉପାସକ। ଲୌକିକ ଦୃଷ୍ଟିରୁ ସେମାନଙ୍କୁ ହୁଏତ ‌ନାଁଟିଏ ଦେଇ, ନାଗରିକତାରେ ବାନ୍ଧି ପରିଚୟ ଆଧାରରେ ଆମେ ବିଚାର କରିପାରୁ, ହେଲେ ସେମାନେ କେବଳ ବିଶ୍ବ-ନାଗରିକ ନୁହନ୍ତି, ବ୍ରହ୍ମାଣ୍ଡ-ନାଗରିକ ମଧ୍ୟ। ଥରେ ଜନ୍ମ ନେଲେ ଆଉ ସେମାନଙ୍କର ବିଲୟ ନ ଥାଏ।

ଏଇ ନିକଟରେ ଚାରିଦିନ ତଳେ ଆମ ଗହଣରୁ ସଙ୍ଗୀତ ସରସ୍ବତୀ ପ୍ରଫୁଲ୍ଲ କରଙ୍କର ଶରୀରଟି ଅପସରି ଯାଇଛି। ହେଲେ ସେ କ’ଣ ସତରେ ଯାଇଛନ୍ତି? ତା’ଙ୍କ ସଙ୍ଗୀତ ତ ଆମ ପାଖରେ ଅଛି! ଅଗଣିତ ମୁହଁରେ, ହୃଦୟରେ , ବିଭିନ୍ନ ସଂରକ୍ଷଣ ମାଧ୍ୟମରେ ସେ ସ୍ମୃତି-ବନ୍ଦୀ! ତାଙ୍କର ବିଲୟ କାହିଁ? ତାଙ୍କର ଶାରୀରିକ ଅନୁପସ୍ଥିତି ଆମ କେତେଜଣଙ୍କୁ ହୁଏତ କନ୍ଦେଇଥାଇପାରେ, ହେଲେ ପ୍ରକାରାନ୍ତରେ ସେ ଆମ ପାଖରେ ଉପସ୍ଥିତ ଅଛନ୍ତି। ସେଥିଲାଗି ଆମେ କାନ୍ଦିବା କାହିଁକି? ଶୋକ କରିବା କେଉଁ କାରଣରୁ? ତେୟାଅଶୀ ବର୍ଷର ସାଙ୍ଗୀତିକ ପରିପୂର୍ଣ୍ଣ ଜୀବନଯାପନ କରି ସେ ଇହଲୀଳା ସାଙ୍ଗ କରିଛନ୍ତି। ଆମ ଗହଣରେ ସବୁଦିନ ପାଇଁ ତାଙ୍କର ଗନ୍ଧର୍ବଲୀଳା ଅମଳିନ ରହିବ।

ବିଖ୍ୟାତ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ଦିନେ ତାଙ୍କୁ ‘‘ଗନ୍ଧର୍ବରାଜ’’ ସମ୍ବୋଧନ କରି ଏକ ସୁନ୍ଦର ପ୍ରବନ୍ଧ ରଚନା କରିଥିଲେ। ତାଙ୍କ ମତରେ ‘‘ପ୍ରଫୁଲ୍ଲ ଜଣେ ସାଧାରଣ ଗନ୍ଧର୍ବ ନୁହେଁ। ସେ ଜଣେ ଗନ୍ଧର୍ବରାଜ। ତା’ ବ୍ୟକ୍ତିତ୍ବରେ ମଧ୍ୟ ଏକାଧାରରେ ଏକ ରାଜକୀୟ ଗରିମା ଓ ଗାନ୍ଧର୍ବୀୟ ମଧୁର ବିନୟ ମିଶିକରି ଥାଏ। x x x ରାଗରାଗିଣୀମାନେ ତା’ର ସଖୀ, ସହଚରୀ ଭଳି ଚାରିପଟେ ସର୍ବଦା ଗୁଞ୍ଜନ କରୁଥା’ନ୍ତି। ତା’ର ମନ ଓ ହୃଦୟରେ ପ୍ରତି ମୁହୂର୍ତ୍ତରେ ସତେ କି ଭାବଲୋକ ଓ ସ୍ବରଲୋକର ରୁଦ୍ଧଦ୍ବାର ସବୁ ଖୋଲି ଖୋଲି ଯାଉଥାଏ।’’

ଆଜି ପ୍ରଫୁଲ୍ଲ କର ବୋଲି କହିଲେ ଆପେ ମନକୁ ଛାଇଯାଏ ଏକ ସଙ୍ଗୀତମୟ ବ୍ୟକ୍ତିତ୍ବ। ପିଲାଟି ଦିନରୁ ସେ ସ୍ବର ଓ ସଙ୍ଗୀତକୁ ଆପଣାର ପରିଚୟ ଭାବେ ଗ୍ରହଣ କରିବା ସହ ଅର୍ଥଶାସ୍ତ୍ରରେ ସ୍ନାତକ ଉପାଧି ସଙ୍ଗକୁ ଆଇନଶାସ୍ତ୍ରରେ ବି ସ୍ନାତକତ୍ବ ହାସଲ କରିଥିଲେ। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ବିଭୂଷିତ କରିଥିଲେ। ଅନ୍ତଃକରଣରେ ସେ ଥିଲେ ଜଣେ ପ୍ରାଣବଦ୍ଧ ସଂଗୀତଶାସ୍ତ୍ରୀ। ସେଇ ଧାରାରେ ଆଗକୁ ଯାଇ ପଣ୍ଡିତ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ ଓ ପଣ୍ଡିତ ଜେ.ଭି.ଏସ୍. ରାଓଙ୍କ ତତ୍ତ୍ବାବଧାନରେ ଅଖିଳ ଭାରତ ଗାନ୍ଧର୍ବ ମହାବିଦ୍ୟାଳୟରୁ ହାସଲ କରିଥିଲେ ‘‘ସଙ୍ଗୀତ ବିଶାରଦ’’ ଉପାଧି।
ଅଯାଚିତ ପୁଣି ଅଗଣିତ ସମ୍ମାନ, ସମ୍ବର୍ଦ୍ଧନା ଓ ପୁରସ୍କାରରେ ବିମଣ୍ଡିତ ଶ୍ରୀ କର ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନରୁ ‘‘ପଦ୍ମକେଶରୀ’’, ‘‘ସଂଗୀତ ଭୂଷଣ’’, ‘‘ଉତ୍କଳ ଜ୍ୟୋତି’’, ‘‘ପଣ୍ଡିତ’’, ‘‘ସଙ୍ଗୀତ ସରସ୍ବତୀ’’, ‘‘କଣ୍ଠରତ୍ନ’’, ସଙ୍ଗୀତ ସମ୍ରାଟ’’, ‘‘ସଙ୍ଗୀତ ସନ୍ଦିପନୀ’’, ‘‘ସ୍ବର ବ୍ରହ୍ମ’’ ଓ ସୁର କାଞ୍ଚନ’’ ଆଦି ଉପାଧିରେ ବିଭୂଷିତ ହୋଇଥିଲେ। ମାତ୍ର ‘‘ସଙ୍ଗୀତ ସରସ୍ବତୀ’’ ଉପାଧିଟି ଥିଲା ତାଙ୍କର ଖୁବ୍ ପ୍ରିୟ। କେତେଥର ଆଳାପ ଆଲୋଚନାରେ ସେ ଏ କଥାଟିକୁ ବ୍ୟକ୍ତିଗତ ଭାବେ ସ୍ବୀକାର କରିଛନ୍ତି। ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ନାମରେ ସଂଗଠିତ ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍ ଦ୍ବାରା ପ୍ରଦତ୍ତ ‘‘ସଙ୍ଗୀତ-ସରସ୍ବତୀ’’ ସତେ ଯେମିତି ତାଙ୍କ ସଙ୍ଗୀତମୟ ଜୀବନକୁ ଅଧିକ ପ୍ରତିବିମ୍ବିତ କରିଥିଲା। ମା’ ସରସ୍ବତୀ କଳା ଓ ସଙ୍ଗୀତର ଚିର ସ୍ରୋତସ୍ବିନୀ, ଅଭୟଦାୟିନୀ। ଅର୍ଥନୀତି ଓ ଆଇନ ପାଠ ସେଥିପାଇଁ ତାଙ୍କ ନିକଟରେ ଗୌଣ ହୋଇଯାଇଥିଲା।
ଓଡ଼ିଶୀ ସଙ୍ଗୀତ ପରମ୍ପରାରେ ପୁଷ୍ଟ ତଥା ଆଧୁନିକ ‌ଶୈଳୀ ଓ ବିବିଧତାରେ ରସାଣିତ ଶ୍ରୀ କରଙ୍କର ସଙ୍ଗୀତ ଯେମିତି ଶାସ୍ତ୍ରୀୟ ସେମିତି ବି ଲୋକଧାରାରେ ଉଚ୍ଚକିତ। ସମକାଳରେ ଥିବା ଅନ୍ୟାନ୍ୟ ସମବୟସୀମାନଙ୍କ ଭିତରେ ସେ ହିଁ ଏକମାତ୍ର ଏ ଦୁଇକ୍ଷେତ୍ରକୁ ଏକାଠି କରିପାରିଥିଲେ। ସେଇଥିପାଇଁ ଉଭୟ ରାଗ-ସଙ୍ଗୀତ ଓ ସୁଗମ-ସଙ୍ଗୀତ ସ୍ତରର ପ୍ରତିଟି ପ୍ରଚେଷ୍ଟାରେ ସେ ବେଶ୍ ସଫଳତା ଅର୍ଜନ କରିଥିଲେ। ଓଡ଼ିଶା ମାଟିର ମହକ ତଥା ଓଡ଼ିଶୀ ସଂଗୀତର ବ୍ୟାକରଣ-ସନ୍ଧି ଏକ ସମୟରେ ତାଙ୍କର ସ୍ବର ଝଙ୍କାରରେ ପ୍ରତିଫଳିତ।
୧୯୬୦ରୁ ଆରମ୍ଭ ହୋଇଥିଲା ଶ୍ରୀ ପ୍ରଫୁଲ୍ଲ କୁମାର କରଙ୍କର ସ୍ବର-ସଙ୍ଗୀତ ଯାତ୍ରା। ଲିଖନ, ଗାୟନ ଓ ନିର୍ଦ୍ଦେଶନାର ଗୁରୁଦାୟିତ୍ବ ମାତ୍ର ୨୧ ବର୍ଷ ବୟସରୁ ବହନ କରି ସେ ଏ ଯାବତ ଉଡ଼ାଇ ଆସିଥିଲେ ନିଜସ୍ବ ମୌଳିକ ଅବଦାନର ପବିତ୍ର ଜୟ-କେତନ। ମାଟିପ୍ରାଣତା, ଗଭୀରତା ଓ ବ୍ୟାପକତା ଶ୍ରୀ କରଙ୍କ ସଙ୍ଗୀତଧାରୀର ତିନିଗୋଟି ଅବଶ୍ୟମ୍ଭାବୀ ଦିଗ। ଆପଣା ଢଙ୍ଗର ସଙ୍ଗୀତ ପ୍ଳାବନରେ ସେ ଯେଉଁ ଓଡ଼ିଆପଣ, ଭାବ, ପରିଚୟ ଓ ଅସ୍ମିତାର ସଉଧକୁ ପ୍ରାଣବନ୍ତ କରି ଗଢ଼ି ତୋଳିଛନ୍ତି ତା’ର ପଟାନ୍ତର ନାହିଁ। ଓଡ଼ିଆ ଲୋକଗୀତ, ଭଜନ, ଜଣାଣ, ଛାନ୍ଦ ସଙ୍ଗକୁ ଓଡ଼ିଆ ଭାଗବତର ଅନନ୍ୟ ପରିବେଷଣ ତାଙ୍କୁ ଓଡ଼ିଶାର ସଙ୍ଗୀତ ସମାଜରେ ଏକ ଅନନ୍ୟ ମର୍ଯ୍ୟାଦା ପ୍ରଦାନ କରିଛି। ‘‘ଗୀତ ଗୋବିନ୍ଦ’’ ତଥା ଓଡ଼ିଆ ‘‘ଦେଶାତ୍ମବୋଧକ-ଗୀତ’’ ଆଦିକୁ ଏକ ମୌଳିକ ସ୍ବର ସ୍ରୋତରେ ଢାଳି ସେ ଅସାମାନ୍ୟ ସାଙ୍ଗୀତିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଦୃଷ୍ଟିଶକ୍ତି ବିରହିତ କେତେଜଣ କଣ୍ଠଶିଳ୍ପୀଙ୍କୁ ନେଇ ସେ ଦକ୍ଷତାର ସହ ନିର୍ମାଣ କରିଥିବା ଗୀତ ଅାଲ୍‌ବମ୍- ‘‘କୃତାଞ୍ଜଳି’’ ସମଗ୍ର ବିଶ୍ବ ସଙ୍ଗୀତ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା। ସେମିତି ଓଡ଼ିଶୀ ନୃତ୍ୟ ଆଧାରରେ ତାଙ୍କ ଦ୍ବାରା ନିର୍ମିତ ‘‘ଯାଜ୍ଞସେନୀ’’, ‘‘ସ୍ବପ୍ନନାୟିକା’’, ‘‘ସମ୍ପୂର୍ଣ୍ଣା’’, ‘‘ମୂର୍ଚ୍ଛନା’’, ‘‘ଦେଶ ନୃତ୍ୟ’’, ‘‘ଭକ୍ତ ଦାସିଆ’’, ‘‘ମାନଭଞ୍ଜନ’’, ‘‘ଶିବତାଣ୍ଡବ’’ ଓ ‘‘ମାଳାଶ୍ରୀ’’ ଭଳି ନୃତ୍ୟନାଟିକାଗୁଡ଼ିକ ଯେମିତି ଅନୁପମ ସେମିତି ଚିତ୍ତାକର୍ଷକ ମଧ୍ୟ।
ସଙ୍ଗୀତ ଓ ନୃତ୍ୟ ଉଭୟ ତାଙ୍କର ସ୍ବରଧାରାରେ ଅଦ୍‌ଭୁତ ଭାବରେ ଆଚ୍ଛନ୍ନ ହୋଇଛନ୍ତି।
ଓଡ଼ିଶା ତଥା ଭାରତର ବହୁ କଣ୍ଠଶିଳ୍ପୀ ସ୍ବରଦାନ କରିଛନ୍ତି ତାଙ୍କରି ନିର୍ଦ୍ଦେଶନାରେ। ସର୍ବଶ୍ରୀ ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ରଘୁନାଥ ପାଣିଗ୍ରାହୀ, ସିକନ୍ଦର ଆଲାମ୍, ସୁବାସ ଦାଶ, ଚିତ୍ତ ଜେନା, ନିର୍ମଳା ମିଶ୍ର, ତାନ୍‌ସେନ୍ ସିଂ, ଗୀତା ଦାଶ ଆଦିଙ୍କ ଠାରୁ ଆରମ୍ଭ କରି ବାଣୀ ଜୟରାମ, ଅଜୟ ଚକ୍ରବର୍ତ୍ତୀ, ଅନୁରାଧା ପୋଡୁୱାଲ୍, ଉଷା ମଙ୍ଗେଶକର, କବିତା କୃଷ୍ଣମୂର୍ତ୍ତି, ସୁରେଶ ୱାଡେକର, ମହମ୍ମଦ ଅଜିଜ୍, କିଶୋର କୁମାର, ଅମିତ କୁମାର, ଏସ୍. ଜାନକୀ, ପି ସୁଶୀଳ‌ା, ଚିତ୍ରା, ଯୀଶୁ ଦାସ, ଏସ୍‌.ପି. ବାଲ୍‌ସୁବ୍ରମଣ୍ୟମ୍, ସୀପ୍ରା ବୋଷ୍, ଆରତୀ ମୁଖାର୍ଜୀ ଓ ‌ହୈମୟନ୍ତୀଙ୍କ ଭଳି ଅନେକ ଅତି ବିଖ୍ୟାତ କଣ୍ଠଶିଳ୍ପୀ ତାଙ୍କରି ସ୍ବର-ନିର୍ଦ୍ଦେଶନା ମାର୍ଗରେ ତୋଳି ଧରିଛନ୍ତି ଆପଣା ଆପଣା କଣ୍ଠସ୍ବରର ଅପୂର୍ବ ମୂର୍ଚ୍ଛନା।
ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ଶ୍ରୀ କର ଜଣେ ନିର୍ବିବାଦୀୟ ଅଭିନବ-ଓଡ଼ିଆ-ମାଇଲ୍‌ଖୁଣ୍ଟ। ‘‘ମମତା’’, ‘‘ଶେଷ ଶ୍ରାବଣ’’, ‘‘ବନ୍ଧୁ ମହାନ୍ତି’’, ‘‘ମୁକ୍ତି’’, ‘‘ସତୀ ଅନସୂୟା’’, ‘‘ଦେବଯାନୀ’’, ‘‘ତପସ୍ୟା’’, ‘‘ସୀତା ଲବକୁଶ’’ ଓ ‘‘ସ୍କୁଲ୍ ମାଷ୍ଟର୍’’ ଭଳି ଚଳଚ୍ଚିତ୍ର ଗୁଡ଼ିକରେ ସଙ୍ଗୀତ ନିର୍ଦ୍ଦେଶନା ତାଙ୍କ ଲାଗି ଆଣିଦେଇଥିଲା ସଫଳତାର ଶୀର୍ଷ ଅନୁଭୂତି। ‘‘ସିନ୍ଦୂର ବିନ୍ଦୁ’’, ‘‘ବଳିଦାନ’’ ଓ ‘‘ରାମାୟଣ’’ ଭଳି ସିନେମା ଗୁଡ଼ିକରେ ପରିବେଷିତ ସଙ୍ଗୀତ ତାଙ୍କୁ ଦେଇଥିଲା ଅବିଶ୍ବାସ୍ୟ ଲୋକପ୍ରିୟତା।
ସଙ୍ଗୀତର ଯେ ତିନି ବିଭବ, ଲିଖନ, ସଜାଣ ଓ ଗାୟନ ସେ ସମସ୍ତ ତାଙ୍କ ସଙ୍ଗୀତଭୁକ୍ ବ୍ୟକ୍ତିସତ୍ତାର ଗୋଟିଏ ଗୋଟିଏ ସୁସଜ୍ଜିତ ଅଂଶ। ଚମତ୍କାର ଗୀତି କବିତା ଲେଖିଛନ୍ତି ପ୍ରଫୁଲ୍ଲ କର। ନିର୍ଦ୍ଦେଶନା ବି ଦେଇଛନ୍ତି। ୧୯୭୫ରୁ ୧୯୮୫ ଦଶ ବର୍ଷ ଭିତରେ ୨୫ ଗୋଟି ଚଳଚ୍ଚିତ୍ର। ୧୯୭୫, ୧୯୭୬, ୧୯୭୭, ୧୯୭୮ ଲାଗ୍ ଲାଗ୍ ଚାରିବର୍ଷ ଧରି ରାଜ୍ୟ ପୁରସ୍କାରରେ ବିମଣ୍ଡିତ ହୋଇଛନ୍ତି ସେ। ହେଲେ ଗାୟନ ହିଁ ଥିଲା ତାଙ୍କର ପ୍ରିୟତମ କାର୍ଯ୍ୟ। ସେଇଥିପାଇଁ ୧୯୮୬ ମସିହାରେ କଟକସ୍ଥିତ ‘‘ଦ ୟୁନିଭର୍ସ’’ଠାରେ ‘‘ମୋ ସଙ୍ଗୀତ ମୋ ଜୀବନ’’ ଉପରେ ନିଜସ୍ବ ବକ୍ତବ୍ୟ ରଖି ସେ କହିଥିଲେ- ‘‘ମୋତେ ଗୀତ ଗାଇବାକୁ ଭାରି ଆନନ୍ଦ ଲାଗେ। ମୁଁ ପରା କହେ ମୁଁ ଷ୍ଟେଜ୍‌କୁ ଚାଲିଗଲେ ଭୁଲିଯାଏ କେତେ କଣ୍ଟ୍ରାକ୍ଟ୍‌ରେ ଅଛି! ଜଗନ୍ନାଥଙ୍କ ଦ୍ବାହି ଦେଇ ଏ କଥା କହୁଛି। ଏଥିରେ ମୋର ୧୦୦ ପର୍‌ସେଣ୍ଟ୍ ବିଶ୍ବାସ। ମୁଁ ଯେତେବେଳେ ଷ୍ଟେଜ୍ ଉପରକୁ ଆସେ ସେତେବେଳେ ଶ୍ରୋତାମାନେ ହିଁ ମୋର ଜଗନ୍ନାଥ। ମୋ ପାଇଁ ଈଶ୍ବର। ସେମାନେ ମୋତେ ଚାହିଁଥାଆନ୍ତି। ଆମେ କେତେ ପାଇଲୁ, ନ ପାଇଲୁ ସେ କଥା ମୁଁ ବିଚାର କରେ ନାହିଁ।’’
ଗୋଟିଏ ବଡ଼ କଥା ହେଲା, ହୁଏତ ଗୀତ ଗାଉଥିବା ଲୋକ ଆମ ଗହଣକୁ ଅନେକ ଆସିଛନ୍ତି ଓ ଯାଇଛନ୍ତି ମାତ୍ର ସେମାନଙ୍କ ଭିତରୁ ସଙ୍ଗୀତକୁ ନେଇ ନିଜସ୍ବ ଚିନ୍ତନ ଓ ଛାପ ଛାଡ଼ିଛନ୍ତି ଖୁବ୍ କମ୍ ସ୍ରଷ୍ଟା। ଏଠାରେ ୧୯୭୩ ମସିହାରେ ଚଳଚ୍ଚିତ୍ର ପତ୍ରିକା ‘‘ଚିତ୍ରପୁରୀ’’କୁ ଶ୍ରୀ କର ଦେଇଥିବା ଗୋଟିଏ ଲେଖା ବେଶ୍ ପ୍ରଣିଧାନ‌େଯାଗ୍ୟ। ସେ ସେଥିରେ ଲେଖିଥିଲେ- ‘‘ପରମ୍ପରା ବଞ୍ଚିବ ଓ ନୂତନ ସୃଷ୍ଟି ହେବ। ପରମ୍ପରାକୁ ବଞ୍ଚାଇ ରଖିବା ଯେମିତି ଆମର କର୍ତ୍ତବ୍ୟ, ନୂତନ ସୃଷ୍ଟି କରିବା ମଧ୍ୟ ସେମିତି ଆମର ଧର୍ମ। ନୂଆକରି କିଛି ଗଢ଼ିବାକୁ ହେଲେ ସେଥିପାଇଁ ପରୀକ୍ଷାର ଆବଶ୍ୟକ। ସଂଗୀତକାରର ପରୀକ୍ଷାଗାର ହେଲା ରଙ୍ଗମଞ୍ଚ ଓ ତା’ର ଶ୍ରୋତାଗଣ। ଶ୍ରୋତାମାନଙ୍କ ଆଗରେ ସେ ନୂଆ ନୂଆ ପରୀକ୍ଷାମୂଳକ ସଂଗୀତ ପରିବେଷଣ କରେ ଏବଂ ସେଥିରେ ଥିବା ତ୍ରୁଟି ନିଜେ ମାର୍ଜନ କରେ।’’
ସତରେ ଏ ନୂଆ ପୁରୁଣାର ସଂଯୋଜନା ହିଁ ତାଙ୍କୁ ଶେଷ ଜୀବନ ଯାଏ କର୍ମପ୍ରବଣ ଓ ସଙ୍ଗୀତ ମୁଖର କରି ରଖିଥିଲା। ଥରେ ସେ ମନେ ପକାଇ କହୁଥିଲେ ଯେ ‘‘୫ ବର୍ଷ, ୧୦ ବର୍ଷ ବା ୨୦ ବର୍ଷ ହୋଇଗଲେ ଅନେକ ଗାୟକ ଛୁଟି ନେଇଯାଆନ୍ତି। ବଞ୍ଚିଥାଉଥାଉ ଅନେକ ବର୍ଷ ଆଗରୁ ଅବସର ନେଇ ସଲିଲ୍ ଚୌଧୁରୀ ଚୁପ୍ ହୋଇଯାଇଥିଲେ, ହେଲେ ମୋର ଭାଗ୍ୟ, ଏ ଯାଏ ୬୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମୁଁ ଗାଉଛି। ସଙ୍ଗୀତର ଶେଷ କାହିଁ?’’
ସଙ୍ଗୀତ, ନାନ୍ଦନିକ ପରିଧିର ସବୁଠାରୁ ମୂଲ୍ୟବାନ ଅଂଶ। ନୃତ୍ୟ ଓ ନାଟକ, ସଙ୍ଗୀତକୁ ଧରି ଦୈହିକ ଭାବାବେଗ ଓ ସୌନ୍ଦର୍ଯ୍ୟର ବିଳାସିତା ପରିବେଷଣ କରନ୍ତି। ‘‘ନନ୍ଦନଲୋକ’’ର ଯେ ‘‘କିନ୍ନରଲୋକ’’, ‘‘ଗନ୍ଧର୍ବଲୋକ’’ ଓ ‘‘ସାରସ୍ବତଲୋକ’’ ରହିଛି, ସେଥିରେ କେବଳ ସଙ୍ଗୀତ ହିଁ ଏ ତିନି ସ୍ତରକୁ ଏକୀଭୂତ କରିବାର କ୍ଷମତା ହାସଲ କରିଛି। ସେ ଦିଗରୁ ବିଚାର କଲେ ସ୍ବର୍ଗତ ପ୍ରଫୁଲ୍ଲ କର ମହାପାତ୍ର ନୀଳମଣି ସାହୁଙ୍କ ଭାଷାରେ ଗନ୍ଧର୍ବରାଜ ତ ଥିଲେ ହେଲେ ଯଥାର୍ଥରେ ଥିଲେ ଜଣେ ସାରସ୍ବତ ପୁରୁଷ। ଜ୍ଞାନ ପରିଚର୍ଯ୍ୟାରେ ସେ ଥିଲେ ଆଜୀବନ ସଜୀବ।
ତାଙ୍କର ସାରସ୍ବତ ସୃଷ୍ଟି ସମ୍ଭାର ଭିତରେ ‘‘ସାଉଁଟା କାହାଣୀ’’ ଶୀର୍ଷକ ରାଶିରାଶି ସାମାଜିକ ନିବନ୍ଧ ଏକ ପ୍ରତିବଦ୍ଧ ବୈଚାରିକ ଜୀବନର ଭାବାବେଗ, ଆମ ଆଗରେ ଉନ୍ମୋଚିତ କରେ। ଜ୍ଞାନ ଚର୍ଚ୍ଚା ହିଁ ସାରସ୍ବତ ଧାରାର ଅନ୍ତଃଫଲ୍‌ଗୁ। ସେଇଥିରୁ ଜନ୍ମ ନିଏ ସମସ୍ତ ଅକ୍ଷର କୀର୍ତ୍ତି, ସଫଳ ସାହିତ୍ୟ। ପ୍ରଫୁଲ୍ଲ କରଙ୍କର ‘‘ସାଉଁଟା କାହାଣୀ’’ର ପ୍ରଥମ ସଙ୍କଳନ ପ୍ରକାଶ ପାଇବା ଅବସରରେ ‘‘ମୋ କଥା’’ ଶୀର୍ଷକରେ ସେ ଲେଖିଥିଲେ- ‘‘ସଙ୍ଗୀତ ମୋର ଭାଷା- ସଙ୍ଗୀତ ମୋର ପେସା-ସଙ୍ଗୀତ ମୋର ନିଶା। ହେଲେ କେଜାଣି କେମିତି ମୁଁ ପହଁରା ନ ଜାଣି ସାହିତ୍ୟର ପବିତ୍ର ଗଙ୍ଗା ଗର୍ଭକୁ ଡେଇଁ ପଡ଼ିଲି। ଅତଳ ପାଣିରେ ମୋର ବୁଡ଼ିଯିବା କଥା, କିନ୍ତୁ ମୁଁ କେମିତି ପହଁରୁଛି ସେ କଥା ଏ ଯାଏ ବୁଝି ପାରୁନି। ସେ ଗଙ୍ଗାର ପ୍ରଖର ସୁଅରେ କେଡ଼େ କେଡ଼େ ସାରସ୍ବତ ମହାରଥୀମାନେ ହସି ହସି, ଭୁଜ ବିସ୍ତାରି ନିର୍ଭୟରେ ପହଁରିବା ଦେଖି ମତେ ଲାଜ ଲାଗିଲା। ମନରେ ଶଙ୍କା ଉପୁଜିଲା, ମୁଁ ପୁଣି ଏମାନଙ୍କ ସଙ୍ଗରେ ସରି ହେଇ ଗଙ୍ଗା ପହଁରିବି, ଲୋକେ ଏ କଥା ଦେଖି ହସିବେନି ତ?’’
ଶ୍ରୀ କର ସ୍ବରକୀର୍ତ୍ତି ପାଇଁ ଆଜି ଯେମିତି ଅଜସ୍ର ସମ୍ମାନ ବିମଣ୍ଡିତ ସେମିତି ଅକ୍ଷରକୀର୍ତ୍ତି ଲାଗି ଅନୁପମ ଉଚ୍ଚ ଆସନର ଅଧିକାରୀ। ଶ୍ରୀ ଅକ୍ଷୟ ମହାନ୍ତିଙ୍କ ପରେ ସ୍ବରକୀର୍ତ୍ତି ଓ ଅକ୍ଷର-କୀତ୍ତିର ଯୁଗଳବନ୍ଦୀ ସୃଷ୍ଟି କରିବାରେ ସେ ଜନମାନସକୁ ଚିରଦିନ ଆନମନା କରି ରଖିବେ। ସୂଚନା ଅନୁସାରେ ତାଙ୍କର ଗୋଟିଏ ଆତ୍ମଜୀବନୀ ପ୍ରକାଶୋନ୍ମୁଖୀ। ହେଲେ ‘‘ଯାହା କହୁଛି ସତ କହୁଛି’’ ଶୀର୍ଷକ ତାଙ୍କ ଦ୍ବାରା ରଚିତ ପୁସ୍ତକଟି ଏକ ଚମତ୍କାର ଆତ୍ମକଥନର ସୁଖପାଠ୍ୟ ଦସ୍ତାବିଜ୍।
ପ୍ରଫୁଲ୍ଲ କରଙ୍କ ଦୁଇଟି ଦିଗ ହୁଏତ ଅନେକଙ୍କୁ ଅଜଣା ଥାଇପାରେ। ଗୋଟିଏ ହେଉଛି ତାଙ୍କର ରାଜନୀତି ମଇଦାନରେ ଯୋଗଦାନ ସମ୍ପର୍କିତ ଚମତ୍କାର ନିର୍ବାଚନୀ ଅନୁଭୂତି ଓ ଅନ୍ୟଟି ପୁଣ୍ୟଶ୍ଳୋକ ନଳରାଜାଙ୍କ ଭଳି ଅନନ୍ୟ ରନ୍ଧନକଳାରେ ତାଙ୍କର ଅତୁଳନୀୟ ସିଦ୍ଧି। ‘‘ଯାହା କହୁଛି ସତ କହୁଛି’’ ପୁସ୍ତକଟି କେବଳ ନିର୍ବାଚନ ଅନୁଭୂତିକୁ ନେଇ। ଏକ ନିଚ୍ଛକ, ସତ୍ୟଶୀଳ ଅନୁଭବର କାହାଣୀ। ରାଜନୀତି କରୁଥିବା ସଭିଏଁ ଏ ପୁସ୍ତକଟିକୁ ପଢ଼ିବା ଦରକାର। ଦୁଃଖର କଥା ନିଜର ରନ୍ଧନକଳା ବିଷୟରେ ପୁସ୍ତକଟିଏ ରଚନା କରିବା ଲାଗି ସେ ସମୟ ପାଇଲେ ନାହିଁ। ଓଡ଼ିଶାରୁ ଆମେରିକା ଯାଏ ଯେ ତାଙ୍କର ରାନ୍ଧଣା ଚାଖିଛି ସେ ଜାଣିଛି ଡାଲି, ତରକାରିରେ ବି ଶ୍ରୀ କର କେମିତି ରାଗ ରାଗିଣୀ ଭରି ଦିଅନ୍ତି।
ଦୁଇ ପୁଅ ଓ ଝିଅ। ସେଥିରୁ ପିତାଙ୍କ ସହଯୋଗୀ ହୋଇ ଶ୍ରୀ ମହାପ୍ରସାଦ କର ଅନେକ ଅସାମାନ୍ୟ ସଙ୍ଗୀତ ପରିବେଷଣ କରିଛନ୍ତି। ବଡ଼ ପୁଅ ଓ ଝିଅ ମଧ୍ୟ ସଙ୍ଗୀତ ଓ ନୃତ୍ୟଧାରା ସହ ଯୋଡ଼ା।
ଅକ୍ଷର ଓ ସ୍ବରକୀର୍ତ୍ତିରେ ଭାସ୍ବର ଶ୍ରୀ ପ୍ରଫୁଲ୍ଲ କରଙ୍କ ଅବର୍ତ୍ତମାନରେ ଦୁଇଟି କାର୍ଯ୍ୟ କରାଯିବା ନିହାତି ଜରୁରି। ଗୋଟିଏ ହେଉଛି ତାଙ୍କର ସମସ୍ତ ଗୀତି କବିତାର ଏକ ମ‌େନାଜ୍ଞ ସଙ୍କଳନ ଓ ଦ୍ବିତୀୟଟି ହେଉଛି ତାଙ୍କ ଦ୍ବାରା ଗଢ଼ା ଶାସ୍ତ୍ରୀୟ ଓ ଆଧୁନିକ ଧାରାର ସମ୍ମିଳିତ ଘରାନା ଆଧାରରେ ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟର ସଂଗଠନ।
କହିବାର ଅଛି ଯେ ଶୋକ କ୍ଷଣିକ ମାତ୍ର ଶ୍ରଦ୍ଧା ପ୍ରଲମ୍ବିତ। ଶ୍ରୀ ପ୍ରଫୁଲ୍ଲ କର ଅତୁଟ ତଥା ଅତୁଳନୀୟ ଶ୍ରଦ୍ଧାର ହକ୍‌ଦାର। ସେ ସାରସ୍ବତ ପୁରୁଷ ପୁଣି ସରସ୍ବତୀଙ୍କ ବରପୁତ୍ର। ଯଥାର୍ଥରେ ସଙ୍ଗୀତ ସରସ୍ବତୀ।
[email protected]

ସମ୍ବନ୍ଧିତ ଖବର