ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ବ୍ରିଟିସ୍ ଅର୍ଥନୀତିଜ୍ଞ ୱିଲିଅମ୍ ଫୋର୍ଷ୍ଟର ଲୟଡ୍ ଇଂଲାଣ୍ଡ ଗ୍ରାମାଞ୍ଚଳରେ ଚାରଣ ଭୂମିର ବିଲୁପ୍ତି ସଂକ୍ରାନ୍ତରେ କରିଥିବା ଏକ ବର୍ଣ୍ଣନା ଥିଲା ଏହିପରି: ‘ଏକ ଗ୍ରାମରେ ଥିବା ଚାରଣ ଭୂମି ସେହି ଗ୍ରାମବାସୀଙ୍କ ଗୋରୁଙ୍କ ଖାଦ୍ୟ ଚାହିଦା ମେଣ୍ଟାଉଥାଏ। ଗୋରୁଙ୍କ ସଂଖ୍ୟା ସୀମିତ ଥିଲେ ଚାରଣ ଭୂମିଟିରେ ଯେତିକି ଘାସ ଗୋରୁ ଚରୁଥାନ୍ତି, ପ୍ରାକୃତିକ ଉପାୟରେ ତାହା ଭରଣା ହୋଇଯାଉଥାଏ। କିନ୍ତୁ ଯେତେବେଳେ ଅଧିକ ଲାଭ ଆଶାରେ କିଛି ଗୋପାଳକ ଅଧିକ ଗୋରୁ ଛାଡ଼ନ୍ତି, ଚାରଣ ଭୂମି ଅପେକ୍ଷାକୃତ କମ୍ ଦିନରେ ଘାସଶୂନ୍ୟ ପଡ଼ିଆ ପାଲଟିଯାଏ।’ ତେଣୁ, ଗାଁର ସବୁ ଗାଈଙ୍କ ଲାଗି ଘାସର ଅଭାବ ଦେଖା ଦିଏ। କିଛି ଲୋକଙ୍କ ଦ୍ବାରା ସର୍ବସାଧାରଣ ସମ୍ପତ୍ତିର ବେପରୁଆ ବ୍ୟବହାର କିଭଳି ଏକ ସାମୂହିକ ସମସ୍ୟା ସୃଷ୍ଟି କରେ; ଏହି ବ୍ୟାଖ୍ୟାନରୁ ତାହା ଜଣାପଡ଼େ। ଏହି ବିଷୟକୁ ଆଧାର କରି ଆମେରିକୀୟ ଦାର୍ଶନିକ ଗ୍ୟାରେଟ୍ ହାର୍ଡିନ୍ ତାଙ୍କର ‘ଟ୍ରାଜେଡି ଅଫ୍ କମନ୍ସ’ ନାମକ ଏକ ବହୁ ଚର୍ଚ୍ଚିତ ଏବଂ ବହୁ ପଠିତ ନିବନ୍ଧ ଲେଖିଥିଲେ।
ଆମ ରାଜଧାନୀରେ ବର୍ଜ୍ୟବସ୍ତୁ ପରିଚାଳନାଜନିତ ସଂକଟ ଏବେ ଗଣମାଧ୍ୟମର ସ୍ଥାନ ଅକ୍ତିଆର କରୁଛି। ସେମିତି ଦେଶର ରାଜଧାନୀ ଦିଲ୍ଲୀ ବାୟୁ ପ୍ରଦୂଷଣ ସମସ୍ୟାରେ ରୁନ୍ଧି ହୋଇ ସାରିଲାଣି। ଉପରେ ବର୍ଣ୍ଣିତ ସ୍ଥିତିର ଏହା ଗୋଟିଏ ଗୋଟିଏ ନିଦର୍ଶନ ବୋଲି କହାଯାଇପାରେ। ପ୍ରାକୃତିକ ଭାବେ ଏବଂ ମାଗଣାରେ ଉପଲବ୍ଧ ହେଉଥିବା ସଂପଦ ଓ ସେବା (କେତେକ କ୍ଷେତ୍ରରେ ସରକାରୀ ଦ୍ରବ୍ୟ ଓ ସେବା ମଧ୍ୟ) ଅର୍ଥନୈତିକ ପରିଭାଷାରେ କମନ୍ସ (କମନ୍ ପ୍ରପର୍ଟି ରିସୋର୍ସ) ଭାବେ ବିବେଚିତ। ଜମି, ଜଳ, ବାୟୁ, ଜଙ୍ଗଲ ଭଳି ପ୍ରକୃତିଦତ୍ତ ଏବଂ ମାଗଣାରେ ମିଳୁଥିବା ସଂପଦ ଏହି ଶ୍ରେଣୀର। ତେବେ ଲୋକେ କିଭଳି ଏସବୁର ସୁଉପଯୋଗ କରିବେ ତାହା ସେମାନଙ୍କ ବ୍ୟକ୍ତିଗତ ଆଚରଣ ଓ ଦାୟିତ୍ବବୋଧ ଉପରେ ନିର୍ଭର କରିଥାଏ। ଉଦାହରଣ ସ୍ବରୂପ ବାୟୁ ପ୍ରଦୂଷଣର ଯେଉଁସବୁ କାରଣ ରହିଛି, ସେଥିମଧ୍ୟରେ ଗୋଟିଏ ହେଲା ବ୍ୟକ୍ତିଗତ ଯାନବାହନର ସଂଖ୍ୟା ବୃଦ୍ଧି। ଏହି ସବୁ ଯାନବାହନ ଘରୋଇ ସମ୍ପତ୍ତି ହୋଇଥିଲେ ହେଁ ଏ ସବୁ ଯଦି ମାତ୍ରାଧିକ ସଂଖ୍ୟାରେ ସର୍ବସାଧାରଣ ସଡ଼କରେ ଚାଲେ, ତେବେ ସମସ୍ୟା ଉପୁଜିଥାଏ, ଯେମିତି କି ଟ୍ରାଫିକ୍ ସମସ୍ୟା, ରାସ୍ତାରେ ଭିଡ଼ ଏବଂ ବାୟୁ ପ୍ରଦୂଷଣ। ଏଥି ଲାଗି ସରକାରଙ୍କୁ ରାସ୍ତା ପ୍ରଶସ୍ତ କରିବାକୁ ପଡ଼େ, ଟ୍ରାଫିକ୍ ଛକରେ ଅଧିକ ପୁଲିସ ରଖିବାକୁ ହୁଏ; ଯାହା ଫଳରେ ରାଜକୋଷ ବ୍ୟୟ ଅଧିକ ହୁଏ। ବାୟୁ ପ୍ରଦୂଷଣର ଶିକାର ସମସ୍ତେ ହୁଅନ୍ତି। ଗାଡ଼ି ରଖି ନ ଥିବା ଲୋକେ ମଧ୍ୟ ଏ ସବୁ ସମସ୍ୟାରୁ ବର୍ତ୍ତି ପାରନ୍ତି ନାହିଁ। କିନ୍ତୁ ସଡ଼କରେ କାର୍ ଚଲାଉଥିବା ଲୋକେ ଏ ନେଇ ସଂବେଦନଶୀଳ ନ ଥାଆନ୍ତି। ନିଜ ସୁବିଧା ଲାଗି ଅଧିକ ଲୋକେ ଗାଡ଼ି କିଣନ୍ତି, କିନ୍ତୁ ଚଳାଇଲା ବେଳେ ଭାବନ୍ତି ନାହିଁ ଯେ ସେମାନଙ୍କ ଲାଗି ସମସ୍ତେ ବିଭିନ୍ନ ସମସ୍ୟାର ଶରବ୍ୟ ହେଉଛନ୍ତି।
ଜମି, ଜଙ୍ଗଲ ଓ ଜଳସଂପଦ କ୍ଷେତ୍ରରେ ମଧ୍ୟ ‘ଟ୍ରାଜେଡି ଅଫ୍ କମନ୍ସ’ର ଚିତ୍ର ଦେଖିବାକୁ ମିଳୁଛି। ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ବ୍ୟକ୍ତିଗତ ଲାଭକୁ ସର୍ବାଧିକ ଗୁରୁତ୍ବ ଦେଇଥାଏ। ତେଣୁ ପୁଞ୍ଜିପତିର ଲାଭକୁ ସୁରକ୍ଷା ଦେବା ବେଳେ ଜଙ୍ଗଲ ଧ୍ବଂସ ପାଏ, ପାହାଡ଼ ଚୂର୍ଣ୍ଣ ହୋଇଯାଆନ୍ତି, ଚିରସ୍ରୋତା ନଦୀଗୁଡ଼ିକ ଶୁଖିଯାଏ। କୌଣସି ସ୍ଥାନର ଧାରଣକ୍ଷମ କ୍ଷମତାକୁ ଭ୍ରୂକ୍ଷେପ ନ କରି ଶିଳ୍ପ, ପର୍ଯ୍ୟଟନ ଓ ଅନ୍ୟାନ୍ୟ ବ୍ୟାବସାୟିକ କାର୍ଯ୍ୟ ବଢ଼ାଇଲେ ଦୁଃସ୍ଥିତିମାନ ଉପୁଜେ। ଏହାର ଯଥେଷ୍ଟ ଉଦାହରଣ ରହିଛି। ଉତ୍ତରାଖଣ୍ଡ ସମେତ ହିମାଳୟ ଅଞ୍ଚଳରେ ବାରମ୍ବାର ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ତହିଁରେ ଅନ୍ୟତମ।
ସହରାଞ୍ଚଳରୁ ଗ୍ରାମାଞ୍ଚଳ ସର୍ବସାଧାରଣ ଜମି ଜବରଦଖଲ ମଧ୍ୟ ଏକ ଉତ୍କଟ ସମସ୍ୟା। ଗୋଚର, ଜଂଗଲ ଜମି ଆଦିର କିସମ ବଦଳାଇ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରାଯାଉଛି। ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ଏକ ହିସାବ ଅନୁଯାୟୀ, ୧୯୮୦-୮୧ରେ ଗ୍ରାମାଞ୍ଚଳରେ ଗୋଚର ଜମି ପରିମାଣ ଆମ ଦେଶର ମୋଟ ଭୂସଂପଦର ୨୧.୬ ପ୍ରତିଶତ ଥିଲା। କିନ୍ତୁ ୧୯୯୯ ବେଳକୁ ଏହା ୧୫ ପ୍ରତିଶତକୁ ଖସି ଆସିଥିବା ବେଳେ ଏବେ ଆହୁରି ହ୍ରାସ ପାଉଛି। ସହରାଞ୍ଚଳରେ ଜମି ଜବରଦଖଲରେ ଦଲାଲ ଗୋଷ୍ଠୀ ସର୍ବସାଧାରଣ ଜାଗା ଅକ୍ତିଆର କରି ସେଠାରେ ବସ୍ତି ନିର୍ମାଣ କରନ୍ତି। ଏଭଳି ଅତିକ୍ରମଣ ହେତୁ ରାସ୍ତା ସଂକୁଚିତ ହୁଏ, ପାର୍କ, ପୋଖରୀ, ଖେଳପଡ଼ିଆ ଭଳି ଭିତ୍ତିଭୂମି ପାଇଁ ଜାଗା ମିଳେନା, ପ୍ରାକୃତିକ ନାଳ ବୁଜି ହୋଇ ଅଳ୍ପ ବର୍ଷାରେ ସହରକୁ ଜଳମଗ୍ନ କରି ପକାଏ, ଆର୍ଦ୍ର ଭୂମିର ବିଲୁପ୍ତି ଘଟେ, ଭୂତଳ ଜଳଭଣ୍ଡାର କ୍ଷୟ ହୁଏ। କିଛି ଲୋକ ନିଜ ସ୍ବାର୍ଥ ସର୍ବସ୍ବ ଅଭିସନ୍ଧି ପୂରଣ କରିବାର ଉଦ୍ୟମ କାରଣରୁ ସାରା ସହର କଲବଲ ହୋଇଯାଏ।
ପ୍ରାକୃତିକ ସମ୍ପଦର ସୁବିନିଯୋଗ ଉପରେ ଜାତିସଂଘର ଧାରଣକ୍ଷମ ବିକାଶ ଲକ୍ଷ୍ୟ (ସସ୍ଷ୍ଟେନେବୁଲ୍ ଡେଭଲପ୍ମେଣ୍ଟ) ଗୁରୁତ୍ବ ଦେଇଥାଏ। ସତ କହିଲେ କେତେକଙ୍କ ଖେଳ, ସଭିଁଙ୍କ ଲାଗି କାଳରେ ପରିଣତ ହେଉଛି। ସେହି ଦୃଷ୍ଟିରୁ ଏହା ସତ ଯେ ସର୍ବସାଧାରଣଙ୍କ ସଂପଦ ବା ‘କମନ୍ସ’ର ସୁପରିଚାଳନା ଜୀବନକୁ ସୁସଂହତ ଓ ସୁଖମୟ କରିବ। ସୁତରାଂ, ସ୍ବାର୍ଥ ଚରିତାର୍ଥ କରିବାର ଲୋଭ ପରିହାର କରି ଜୀବନ ଧାରଣରେ ସଂଯମ ଓ ଅର୍ଥପୂର୍ଣ୍ଣତା ପ୍ରକାଶ କରିବା ଆବଶ୍ୟକ।
[email protected]
କେତେକଙ୍କ ଖେଳ, ସଭିଁଙ୍କ କାଳ
ପ୍ରଶାନ୍ତ ପୀୟୂଷ ମହାପାତ୍ର