ବିଲୁପ୍ତ ବା ବିଲୋପ ହେବା ଜୀବନର ଏକ ଅଂଶ । ଯେତେବେଳେ ଏକ ପ୍ରଜାତି ବିଲୁପ୍ତ ହୁଏ, ପରିସଂସ୍ଥାରେ ଏହାର ଭୂମିକା ସାଧାରଣତଃ ନୂତନ ପ୍ରଜାତି କିମ୍ବା ଅନ୍ୟାନ୍ୟ ବିଦ୍ୟମାନ ପ୍ରଜାତି ଦ୍ଵାରା ପୂରଣ ହୋଇଥାଏ। ଏକ ଗଣବିଲୋପ ଘଟଣା ହେଉଛି ଯେତେବେଳେ ପ୍ରଜାତିଗୁଡ଼ିକ ପ୍ରତିସ୍ଥାପିତ ହେବା ଅପେକ୍ଷା ବହୁତ ଶୀଘ୍ର ଲୋପ ପାଇଯାଆନ୍ତି। ଏହାକୁ ସାଧାରଣତଃ ଭୂତାତ୍ତ୍ୱିକ ସମୟର ଏକ କମ୍ ସମୟ ମଧ୍ୟରେ - ୨.୮ ନିୟୁତ ବର୍ଷରୁ କମ୍ ସମୟ ମଧ୍ୟରେ ବିଶ୍ଵର ପ୍ରାୟ ୭୫% ପ୍ରଜାତି ଲୋପ ପାଇବା ଭାବରେ ବ୍ୟାଖ୍ୟା କରାଯାଏ।

Advertisment

ଆମେ ଜୀବାଶ୍ମ  ବିଜ୍ଞାନ ଅଧ୍ୟୟନରୁ ଜୀବନ କିପରି ପରିବର୍ତ୍ତନ ହୋଇଛି  ଏବଂ ପୃଥିବୀରେ ଜୀବନ କିପରି ଥିଲା ସେ ବିଷୟରେ ବହୁତ କିଛି ଜାଣିପାରିଛୁ। ତଥାପି ଅନେକ ପ୍ରଶ୍ନର ଉତ୍ତର ଏବେ ମଧ୍ୟ ମିଳିନାହିଁ। ଗତ ୫୦୦ନିୟୁତ ବର୍ଷ ମଧ୍ୟରେ, ୫ଟି ମହାନ ଗଣବିଲୋପ ଘଟଣା ପୃଥିବୀରେ ଜୀବନର ରୂପ ବଦଳାଇ ଦେଇଛି।  ସେମାନଙ୍କ ମଧ୍ୟରୁ କିଛି ଗଣବିଲୋପର କାରଣ ଆମେ ଜାଣିପାରିଛୁ। କିନ୍ତୁ ଅନ୍ୟଗୁଡ଼ିକ  ରହସ୍ୟ ହୋଇ ରହିଛି।

ଅର୍ଡୋଭିସିଆନ୍-ସିଲୁରିଆନ୍ଗଣ ବିଲୋପ ୪୪୦ନିୟୁତ ବର୍ଷ ପୂର୍ବେ ଘଟିଥିଲା ଏବଂ ପୃଥିବୀ ପୃଷ୍ଠର ପ୍ରାୟ ୮୫ % ପ୍ରଜାତିକୁ ନିଶ୍ଚିହ୍ନ କରିଦେଇଥିଲା। ବୈଜ୍ଞାନିକମାନେ ଅନୁମାନ କରନ୍ତି ଯେ ଏହି ମହାବିନାଶ ତାପମାତ୍ରା ହ୍ରାସ ଏବଂ ବିଶାଳ ହିମବାହ ସୃଷ୍ଟି ହେବା ଯୋଗୁଁ ହୋଇଥିଲା, ଯାହା ଫଳରେ ସମୁଦ୍ର ସ୍ତର  ହ୍ରାସ ପାଇଥିଲା। ଏହା ପରେ ଦ୍ରୁତ ଉଷ୍ଣତାର ଏକ ସମୟ ଆରମ୍ଭ ହୋଇଥିଲା। ଅନେକ ଛୋଟ ସାମୁଦ୍ରିକ ପ୍ରଜାତି ଲୋପ ପାଇଯାଇଥିଲେ।

ଡେଭୋନିଆନ୍ଗଣ ବିଲୋପ ୩୭୪ ନିୟୁତ ବର୍ଷ ପୂର୍ବେ ଘଟିଥିଲା ଏବଂ ଏହା ବିଶ୍ୱର ପ୍ରାୟ ୭୫% ପ୍ରଜାତିକୁ ବିଲୋପ କରିଦେଇଥିଲା , ଯାହା ମଧ୍ୟରୁ ଅଧିକାଂଶ ସାମୁଦ୍ରିକ ଅମେରୁଦଣ୍ଡୀ ପ୍ରାଣୀ ଥିଲେ।  ଏହା ଅନେକ ପରିବେଶଗତ ପରିବର୍ତ୍ତନର ସମୟ ଥିଲା, ଯେଉଁଥିରେ ବିଶ୍ୱ ଉଷ୍ମତା ଏବଂ ଶୀତଳତା, ସମୁଦ୍ର ସ୍ତରର ବୃଦ୍ଧି, ପତନ ଓ ବାୟୁମଣ୍ଡଳରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଲ ହ୍ରାସ ଅନ୍ତର୍ଭୁକ୍ତ। ଆମେ ସଠିକ୍ ଭାବରେ ଜାଣି ପାରି ନାହୁଁ ଯେ ବିଲୁପ୍ତ ହେବା ଘଟଣା କାହିଁକି ହୋଇଥିଲା।
୨୫୦ ନିୟୁତ ବର୍ଷ ପୂର୍ବେ ଘଟିଥିବା ପରମିଅନ୍ଗଣ ବିଲୋପ, ଯାହା ପାଞ୍ଚଟି ମଧ୍ୟରୁ ସବୁଠାରୁ ବୃହତ୍ ଏବଂ  ବିନାଶକାରୀ ଘଟଣା ଥିଲା। ଏହା ସମସ୍ତ ପ୍ରଜାତି ମଧ୍ୟରୁ ୯୫% ରୁ ଅଧିକ ପ୍ରଜାତିକୁ ଲୋପ କରିଥିଲା, ଯେଉଁଥିରେ ଅଧିକାଂଶ ମେରୁଦଣ୍ଡୀ ପ୍ରାଣୀ ମଧ୍ୟ ସାମିଲ ଥିଲେ । କିଛି ବୈଜ୍ଞାନିକ ଅନୁମାନ କରନ୍ତି ଯେ ପୃଥିବୀ ଏକ ବଡ଼ ଗ୍ରହାଣୁ ଦ୍ୱାରାଧକ୍କା ହୋଇଥିଲା ଯାହାଫଳରେ ବାୟୁମଣ୍ଡଳ ଧୂଳି କଣିକାରେ ପରିପୂର୍ଣ୍ଣ ହୋଇଯାଇଥିଲା ଏବଂ ଏହା ସୂର୍ଯ୍ୟାଲୋକକୁ  ଅବରୋଧ କରିଦେଇଥିଲା ।  ଅନ୍ୟମାନେ ଅନୁମାନ କରନ୍ତି  ଯେ ଏକ ବଡ଼ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଥିଲା ଯାହା ଅଙ୍ଗାରକାମ୍ଲର ମାତ୍ରାକୁ  ବୃଦ୍ଧି କରିଦେଇଥିଲା   ଏବଂ ମହାସାଗରଗୁଡ଼ିକୁ ବିଷାକ୍ତ ହୋଇଯାଇଥିଲା ।

ଟ୍ରାଇଆସିକ୍ଗଣ ବିଲୋପ ଘଟଣା ୨୦୦ନିୟୁତ ବର୍ଷ ପୂର୍ବେ ଘଟିଥିଲା, ଯାହା ପୃଥିବୀର ପ୍ରାୟ ୮୦%  ପ୍ରଜାତିକୁ ଲୋପ କରିଥିଲା, ଯେଉଁଥିରେ ଅନେକ ପ୍ରକାରର ଡାଇନୋସର ସାମିଲ ଥିଲେ। ଏହା ସମ୍ଭବତଃ ବିଶାଳ ଭୂତାତ୍ତ୍ୱିକ କାର୍ଯ୍ୟକଳାପ ଯୋଗୁଁ ହୋଇଥିଲା ଯାହା ଅଙ୍ଗାରକାମ୍ଲ  ସ୍ତର ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧି କରିଥିଲା ଏବଂ ସମୁଦ୍ରର ଅମ୍ଳୀକରଣ ମଧ୍ୟ କରିଥିଲା। କ୍ରେଟାସିୟସ୍ଗଣ ବିଲୋପ ହେବା ଘଟଣା ୬୫  ନିୟୁତ ବର୍ଷ ପୂର୍ବେ ଘଟିଥିଲା, ଯେଉଁଥିରେ ସମସ୍ତ ପ୍ରଜାତି ମଧ୍ୟରୁ ୭୮% ପ୍ରାଣ ହରାଇଥିଲେ, ଯେଉଁଥିରେ ଅବଶିଷ୍ଟ ଡାଇନୋସର ମଧ୍ୟ ଥିଲେ। ଏହା ସମ୍ଭବତଃ ପୃଥିବୀ ଉପରେ ଏକ ଗ୍ରହାଣୁ ଧକ୍କା  ଯୋଗୁଁ ହୋଇଥିଲା। 

ଗତ ଗଣ ବିଲୁପ୍ତ ହେବା ପରଠାରୁ ବର୍ତ୍ତମାନ ପୃଥିବୀରେ ରହୁଥିବା ଉଦ୍ଭିଦ ଏବଂ ପ୍ରାଣୀମାନେ ୬୫ନିୟୁତ ବର୍ଷ ଧରି ବିକଶିତ ହୋଇ ଚାଲିଛନ୍ତି। ତଥାପି, ଅନେକ ବୈଜ୍ଞାନିକ ବିଚାର କରନ୍ତି ଯେ ମଣିଷର ଆବିର୍ଭାବ ପରଠାରୁ ଜୈବ-ବିବିଧତାରେ ବିରାଟ ହ୍ରାସ ଏବେ ଆଉ ଏକ ଗଣ ବିଲୁପ୍ତ ହେବାର ଧାରାରେ ଉପନୀତ ହୋଇସାରିଛି । ଏହାକୁ ଆନ୍ଥ୍ରୋପୋସିନ୍ଗଣ ବିଲୋପ ବା ଷଷ୍ଠ ଗଣବିଲୋପ କୁହାଯାଉଛି । ବିଶେଷଜ୍ଞମାନେ ଏବେ ବିଶ୍ୱାସ କରୁଛନ୍ତି ଯେ ଆମେ ଷଷ୍ଠ ସାମୂହିକ ବିଲୋପର ମଧ୍ୟଭାଗରେ ଅଛୁ। ଷଷ୍ଠ ଗଣବିଲୋପର କାରଣ ହେଉଛି ମାନବ କାର୍ଯ୍ୟକଳାପ ତଥା ଭୂମି, ଜଳ ଏବଂ ଶକ୍ତିର ଅସମ୍ଭବ ବ୍ୟବହାର ଏବଂ ଜଳବାୟୁ ପରିବର୍ତ୍ତନ।

ପୃଥିବୀର ସବୁଠାରୁ ଭୟଙ୍କର କଥା ହେଉଛି ଯେ ଏହା ଗୋଟିଏ ଦିନ ଶେଷ ହୋଇଯିବ।  ପୂର୍ବରୁ ଏହା କେବଳ ଏକ ଚିନ୍ତାଧାରା ଥିଲା, କିନ୍ତୁ ବର୍ତ୍ତମାନ ଗବେଷଣା ଦ୍ୱାରାମଣିଷ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀ କେବେ ବିଲୁପ୍ତ ହେବାର ସମ୍ମୁଖୀନ ହୋଇପାରନ୍ତି  ତାହାର ଉତ୍ତର ଜାଣିବା କିଛି ମାତ୍ରାରେ ସମ୍ଭବପର ହୋଇପାରିଛି । 

ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ବରିଷ୍ଠ ଗବେଷକ ଡକ୍ଟର ଆଲେକଜାଣ୍ଡାର ଫାର୍ନସୱର୍ଥଙ୍କ ଗବେଷଣାର ନିଷ୍କର୍ଷ  ‘ନେଚର ଜିଓସାଇନ୍ସ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏହି ଅଧ୍ୟୟନରେ ଦାବି କରାଯାଇଛି ଯେ ପୃଥିବୀର ସମସ୍ତ ମହାଦେଶଗୁଡ଼ିକ ଭାସମାନ ଅବସ୍ଥାରେ ଧୀରେ ଧୀରେ ଗତି କରୁଛନ୍ତି ଏବଂ ଶେଷରେ ଏମାନେ ଏକ ନୂତନ ସୁପର -ମହାଦେଶରେ ପରିଣତ ହେବେ, ଯାହାକୁ ପାଙ୍ଗିଆଅଲ୍ଟିମା ନାମ ଦିଆଯାଇଛି । ସୁପର କମ୍ପ୍ୟୁଟର ଜଳବାୟୁ ମଡେଲ ବ୍ୟବହାର କରାଯାଇଥିବା ଗବେଷଣା ଅନୁସାରେ, ଏହି ନୂତନ ମହାଦେଶ ବା ପାଙ୍ଗିଆଅଲ୍ଟିମା ଗଠନ ପ୍ରକ୍ରିୟା ପୃଥିବୀର ଜଳବାୟୁରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିବ ଯାହା ଫଳରେ ବାୟୁମଣ୍ଡଳ ଅତ୍ୟଧିକ ଉତ୍ତପ୍ତଏବଂ ଶୁଷ୍କ ହେବ। ମହାଦେଶ ଗଠନ ସହିତ, ଅଧିକ ଭୂମି ଅଞ୍ଚଳ ସମୁଦ୍ରର ଶୀତଳତା ପ୍ରଭାବରୁ ଦୂରରେ ରହିବ, ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଇବ, ଯାହାକୁ ମହାଦେଶୀୟ ପ୍ରଭାବ କୁହାଯାଏ।

ମହାଦେଶଗୁଡ଼ିକର ମିଶ୍ରଣ ସହିତ, ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକ ଜଳାଶୟର ଅଭାବର ସମ୍ମୁଖୀନ ହେବ ଯାହା ଫଳରେ ଏକ ଉତ୍ତପ୍ତ ବାୟୁମଣ୍ଡଳ ସୃଷ୍ଟି ହେବ। ଆଗାମୀ ୨୫୦ନିୟୁତ ବର୍ଷ ମଧ୍ୟରେ, ସୂର୍ଯ୍ୟ ବହୁତ ଉଷ୍ମ ଏବଂ ଉଜ୍ଜ୍ଵଳ ହୋଇଯିବ, ପୃଥିବୀକୁ ଅଧିକ ଶକ୍ତି ନିର୍ଗତ କରିବ ଯାହା ଅଧିକ ଆଗ୍ନେୟଗିରି କାର୍ଯ୍ୟକଳାପ ତଥା ଅଙ୍ଗାରକାମ୍ଲ ନିର୍ଗତ ହେବାର କାରଣ ହେବ। ୪୦ରୁ ୫୦ଡିଗ୍ରୀ ସେଲସିୟସ୍ ମଧ୍ୟରେ ବ୍ୟାପକ ତାପମାତ୍ରା ଏବଂ ଉଚ୍ଚ ଆର୍ଦ୍ରତା ସ୍ତର ଅନେକ ପ୍ରଜାତିଙ୍କ ବିଲୁପ୍ତ ହେବାର କାରଣ ହେବ।ଏହି ସ୍ତରର ଉତ୍ତାପ ଏବଂ ଆର୍ଦ୍ରତାମନୁଷ୍ୟ  ସମେତ ଅନେକ ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ବଞ୍ଚିବା ଅସମ୍ଭବ କରିଦେବ। ବର୍ତ୍ତମାନ, ଅଙ୍ଗାରକାମ୍ଲ  ସ୍ତର ପ୍ରତି ମିଲିୟନରେ ପ୍ରାୟ ୪୦୦ଅଂଶ, ଯାହା ଆଗାମୀ ବର୍ଷଗୁଡିକରେ ୬୦୦ରୁ ଅଧିକ ହେବ। ଯଦି ଅଙ୍ଗାରକାମ୍ଲ ନିର୍ଗମନକୁ ଯଥାଶୀଘ୍ର ଶୂନ୍ୟକୁ ହ୍ରାସ କରାନଯାଏ, ତେବେ ମାନବଜାତିର ଭବିଷ୍ୟତ ଅନ୍ଧକାରପୂର୍ଣ୍ଣ ହେବ।

ସ୍ତନ୍ୟପାୟୀ ପ୍ରାଣୀମାନେ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ବାଷ୍ପୀଭବନ ଶୀତଳତା - ଝାଳ କିମ୍ବା ନିଶ୍ଵାସ ଉପରେ ନିର୍ଭର କରନ୍ତି। ନୂତନ ସୁପର -ମହାଦେଶରେ , ଆର୍ଦ୍ରତା ସ୍ତର ଏତେ ଅଧିକ ହେବ ଯେ ଝାଳ ବାଷ୍ପୀଭୂତ ହେବ ନାହିଁ, ଯାହା ଫଳରେ ସ୍ତନ୍ୟପାୟୀ ପ୍ରାଣୀମାନେ ଅଧିକ ଉତ୍ତାପ ଯୋଗୁ ମୃତ୍ୟୁବରଣ କରିବେ।ଅଧ୍ୟୟନର ଆକଳନ ଅନୁଯାୟୀ ପୃଥିବୀର ୯୨% ଭୂମି ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ଅନୁପଯୁକ୍ତ ହେବ, ଅର୍ଥାତ୍ କେବଳ ମେରୁ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ବାସଯୋଗ୍ୟ ରହିବ।

ଏହାର ଅର୍ଥ ହେଉଛି ଯେ ପର୍ଯ୍ୟନ୍ତ ସ୍ତନ୍ୟପାୟୀ ପ୍ରାଣୀମାନେ ସମ୍ପୂର୍ଣ୍ଣ ଭିନ୍ନ ଅନୁକୂଳନ ବିକଶିତ ନ ହୁଅନ୍ତି, ସେମାନେ ସାମୁହିକ ବିଲୁପ୍ତର  ସମ୍ମୁଖୀନ ହୋଇପାରନ୍ତି। ଯଦି ୨୫୦ ନିୟୁତ ବର୍ଷ ପରେ ମଧ୍ୟ ମନୁଷ୍ୟ ଅସ୍ତିତ୍ୱ ରଖେ, ତେବେ ସେମାନଙ୍କୁ ଅତ୍ୟଧିକ ଉତ୍ତାପ  ଏବଂ ଆର୍ଦ୍ରତାଦ୍ୱାରା ପ୍ରଭାବିତ ପରିବେଶରେ ବଞ୍ଚିବା ପାଇଁ ଉପାୟ ଖୋଜିବାକୁ ପଡିବ। ଏହାର ଏକ ସମ୍ଭାବନା ହେଉଛି ଜୈବିକ ଅନୁକୂଳନ। ସେତେବେଳର ମନୁଷ୍ୟ  ତାପମାତ୍ରାକୁ ଭଲ ଭାବରେ ନିୟନ୍ତ୍ରଣ କରିବା ଏବଂ ତୀବ୍ର ଜଳବାୟୁ ସହ୍ୟ କରିବା ପାଇଁ ଘନ ଚର୍ମ, ପରିବର୍ତ୍ତିତ ଝାଳ ଗ୍ରନ୍ଥି କିମ୍ବା ବିଭିନ୍ନ ଶରୀର ଆକୃତି ଭଳି ତାପ-ପ୍ରତିରୋଧୀ ଗୁଣଗୁଡ଼ିକୁ ବିକଶିତ କରିପାରେ।ବିବର୍ତ୍ତନ ବ୍ୟତୀତ, ପ୍ରଯୁକ୍ତିବିଦ୍ୟା ଦ୍ୱାରା ସମାଧାନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଉତ୍ତପ୍ତ ପୃଷ୍ଠ ତାପମାତ୍ରାରୁ ରକ୍ଷା ପାଇବା ପାଇଁ, ମାନବଜାତି ଭୂତଳ ଜୀବନଯାପନ କରିବାକୁ ପରିବର୍ତ୍ତିତ  ହୋଇପାରେ  ତଥା ପ୍ରଚଣ୍ଡ ଉତ୍ତାପରୁ   ରକ୍ଷା ପାଇ ବିଶାଳ ଭୂତଳ ସହର ନିର୍ମାଣ କରିପାରେ। ଏହି ଭୂତଳ ପରିବେଶ ସ୍ଥିର ପରିସ୍ଥିତି ପ୍ରଦାନ କରିବ, ଭବିଷ୍ୟତ ସଭ୍ୟତାକୁ ରକ୍ଷା କରିପାରିବ।ଆଉ ଏକ ସମ୍ଭାବ୍ୟ ଅନୁକୂଳନ ହେଉଛି ଦୈନନ୍ଦିନ ଅଭ୍ୟାସ ପରିବର୍ତ୍ତନ କରିବା।

ଦିନର ଉତ୍ତାପକୁ ସହ୍ୟ କରିବା ପରିବର୍ତ୍ତେ, ମଣିଷ ରାତ୍ରିଚର  ହୋଇଯାଇପାରେ।  ବିଜ୍ଞାନ କାଳ୍ପନିକ କ୍ଷେତ୍ରରେ ପ୍ରାୟତଃ ଅନୁସନ୍ଧାନ କରାଯାଇଥିବା ଏହି ଧାରଣା, କଠୋର ପରିବେଶରେ ବଞ୍ଚିବା ପାଇଁ ମରୁଭୂମି ପ୍ରାଣୀମାନେ କିପରି ବିକଶିତ ହୋଇଛନ୍ତି ତାହା ପ୍ରତିଫଳିତ କରେ।

ତେବେ ଆମର ବର୍ତ୍ତମାନର ପରିସ୍ଥିତି କେତେ ଖରାପ? ମଣିଷ କ’ଣ ପୃଥିବୀକୁ ଏହାର ଷଷ୍ଠ ଗଣ ବିଲୁପ୍ତ ହେବାକୁ ଠେଲି ଦେଇଛି? ପ୍ରମାଣ ସୂଚାଇ ଦେଉଛି ଯେ ଆମେ ସେହି ପରିଣାମ ଆଡ଼କୁ ଆଗକୁ ବଢ଼ୁଛୁ, ଆମେ ବର୍ତ୍ତମାନ ସାଧାରଣ ପୃଷ୍ଠଭୂମି ବିଲୁପ୍ତ ହେବା ହାର ଅପେକ୍ଷା ଶହ ଶହ କିମ୍ବା ହଜାର ହଜାର ଗୁଣ ଦ୍ରୁତ ଗତିରେ ପ୍ରଜାତି ହରାଉଛୁ। ଯଦି ଏହା ଜାରି ରହେ, ତେବେ ପୃଥିବୀର ଜୈବ ବିବିଧତା ହ୍ରାସ ପାଇବ।ବର୍ତ୍ତମାନର ବିଲୁପ୍ତହାର ମାନବ-ପୂର୍ବ ପୃଷ୍ଠଭୂମି ବିଲୁପ୍ତ ହାର ଅପେକ୍ଷା ୧୦୦ ରୁ ୧୦୦୦ ଗୁଣ ଅଧିକ, ଯାହା ଆଶ୍ଚର୍ଯ୍ୟଜନକ। ଆମେ ନିଶ୍ଚିତ ଭାବରେ ଷଷ୍ଠ ଗଣ ବିଲୁପ୍ତିର ସମ୍ମୁଖୀନ ହେଉଛୁ।

ଆମେ ନୀତିଗତ ପରିବର୍ତ୍ତନ ମାଧ୍ୟମରେ ବିଲୁପ୍ତ ହାରକୁ ହ୍ରାସ କରିପାରିବା ଯାହା, ଉଦାହରଣ ସ୍ୱରୂପ, ସଂରକ୍ଷଣ ପ୍ରୟାସ ବୃଦ୍ଧି କରିବା, ଭୂମି ବ୍ୟବହାରରେ  ଆମର ଢାଞ୍ଚା ପରିବର୍ତ୍ତନ କରିବା ଏବଂ ଜଳବାୟୁ ପରିବର୍ତ୍ତନକୁ ମନ୍ଥର କରିବା ପାଇଁ ସବୁଜ ବାଷ୍ପ ଉତ୍ପାଦନକୁ ସୀମିତ କରିବା।  ପୃଥିବୀର ଇତିହାସର ଅଧ୍ୟୟନ ମଧ୍ୟ ଏହି ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଯଦି ଆମେ ପୂର୍ବ ଗଣବିଲୋପ ର  କାରଣ ହୋଇଥିବା ଘଟଣାଗୁଡ଼ିକର ଶୃଙ୍ଖଳକୁ ବୁଝିପାରିବା, ତେବେ ଆମେ ଆଜି ସେହି ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଏକ ଭଲ ସ୍ଥିତିରେ ରହିପାରିବା ।  

ଆମ ସମସ୍ତଙ୍କର ଏକ ସକ୍ରିୟ ଭୂମିକା ରହିଛି, ଯାହା ପାଇଁ ଆମର ମୂଲ୍ୟବୋଧ, ମନୋଭାବ ଏବଂ ଆଚରଣର ଗଭୀର ପରିବର୍ତ୍ତନ ଆବଶ୍ୟକ।

                                                                   ଉପ ବନ ସରଂକ୍ଷକ ଓ ଉପ ନିର୍ଦେଶକ (ଅନୁସନ୍ଧାନ), ଓଡିଶା ଲୋକାୟୁକ୍ତ