ଭାରତୀୟ ଗଣତନ୍ତ୍ରରେ ପ୍ରେସ୍ ସ୍ୱାଧୀନତାକୁ ସର୍ବଦା ଉଚ୍ଚ ସ୍ଥାନ ଦିଆଯାଇଛି। କିନ୍ତୁ ପ୍ରେସ୍ ସ୍ୱାଧୀନତା କ୍ଷେତ୍ରରେ ଭାରତ ଆଜି ବି ବହୁ ପଛରେ ପଡ଼ିଛି ବୋଲି ପ୍ୟାରିସ୍ ସ୍ଥିତ ସଂସ୍ଥା ‘ରିପୋର୍ଟର୍ସ ୱିଦାଉଟ୍ ବର୍ଡର୍ସ’ ପକ୍ଷରୁ ବାର୍ଷିକ ରିପୋର୍ଟ କହିଛି। ଏହି ସଂସ୍ଥାର ୨୦୨୦ ରିପୋର୍ଟ ଅନୁସାରେ ଭାରତ ପ୍ରେସ୍ ସ୍ୱାଧୀନତା ତାଲିକାରେ ଆଉ ଦୁଇ ସ୍ଥାନ ତଳକୁ ଖସି ମୋଟ ୧୮୦ଟି ଦେଶ ମଧ୍ୟରେ ୧୪୨ତମ ସ୍ଥାନରେ ରହିଛି। ଏହି ତାଲିକାରେ ୨୦୧୭ରେ ଭାରତ ୧୩୬ତମ, ୨୦୧୮ରେ ୧୩୮ତମ ଓ ୨୦୧୯ରେ ୧୪୦ତମ ସ୍ଥାନରେ ଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୨୦୧୯ରେ କୌଣସି ସାମ୍ବାଦିକ ହତ୍ୟାର ଶିକାର ହୋଇ ନ ଥିବାରୁ ସେମାନଙ୍କ ସୁରକ୍ଷା ସ୍ଥିତିରେ ଉନ୍ନତି ଆସିଛି। କାରଣ ୨୦୧୮ରେ ଭାରତରେ ୬ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ଏହା ସତ୍ତ୍ବେ ଭାରତରେ ପ୍ରେସ୍ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରାଯାଉଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ବର୍ଷ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ସେଠାରେ ପ୍ରେସ୍ ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଇଥିବାରୁ ଭାରତର ସ୍ଥାନ ତାଲିକାରେ ତଳକୁ ଖସିଛି ବୋଲି ତହିଁରେ କୁହାଯାଇଛି। ତହିଁରେ ଆହୁରି କୁହାଯାଇଛି ଯେ ଭାରତର ଗ୍ରାମାଞ୍ଚଳ ସମ୍ବାଦଦାତାମାନେ ବିଭିନ୍ନ ପ୍ରକାର ବିପଦର ସମ୍ମୁଖୀନ ହୋଇଥାଆନ୍ତି ଏବଂ ଅନେକ ସମୟରେ ସରକାରୀ ପ୍ରାୟୋଜିତ ହିଂସା ଦ୍ବାରା ସାମ୍ବାଦିକମାନଙ୍କ କଣ୍ଠରୋଧ କରିବାର ଉଦ୍ୟମ କରାଯାଏ।
ଏହି ରିପୋର୍ଟରେ ନରୱେ ପ୍ରେସ୍ ସ୍ୱାଧୀନତା ତାଲିକାରେ ଲଗାତର ଚତୁର୍ଥ ବର୍ଷ ସକାଶେ ପ୍ରଥମ ସ୍ଥାନରେ ରହି ଆସିଛି ଏବଂ ଉତ୍ତର କୋରିଆ ସେଥିରେ ସବା ତଳେ ବା ୧୮୦ତମ ସ୍ଥାନରେ ରହିଛି। ଏହି ତାଲିକାରେ ଫିନଲାଣ୍ଡ, ଡେନ୍ମାର୍କ, ସ୍ୱିଡେନ୍, ନରେୱ, ନେଦରଲାଣ୍ଡସ୍, ଜାମାଇକା, କୋଷ୍ଟାରିକା, ସ୍ୱିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ପର୍ତ୍ତୁଗାଲ ଏବଂ ଜର୍ମାନୀ ଯଥାକ୍ରମେ ପ୍ରଥମରୁ ଏକାଦଶ ସ୍ଥାନରେ ରହିଛନ୍ତି। କିନ୍ତୁ ଫ୍ରାନ୍ସ, ବ୍ରିଟେନ୍ ଓ ଆମେରିକା ଭଳି ମୁକ୍ତ ଓ ବିକଶିତ ଗଣତାନ୍ତ୍ରିକ ରାଷ୍ଟ୍ର ଯଥାକ୍ରମେ ୩୪, ୩୫ ଓ ୪୫ତମ ସ୍ଥାନରେ ରହିଛନ୍ତି। ସେହିଭଳି ଜାପାନର ସ୍ଥାନ ୬୬ରେ ରହିଛି। ଚୀନ ଏହି ତାଲିକାରେ ୧୭୭ତମ ସ୍ଥାନରେ ରହିଛି।
କିନ୍ତୁ ଏହି ତାଲିକାର ଏଭଳି କେତେକ ଦିଗ ରହିଛି, ଯାହା ଏହାର ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଥାଏ। ତାହା ହେଲା ଭାରତ ଭଳି ଏକ ବିଶ୍ବ ସ୍ବୀକୃତ ଗଣତନ୍ତ୍ର ତାଲିକାର ୧୪୨ତମ ସ୍ଥାନରେ ଥିଲା ବେଳେ ତାଲିବାନୀ ଆଫଗାନିସ୍ତାନ ୧୨୨ତମ ସ୍ଥାନରେ ରହିଛି। ପୁଣି ମାନବ ଅଧିକାରର ଖୋଲାଖୋଲି ହନନ କରୁଥିବା ଶ୍ରୀଲଙ୍କା ରହିଛି ତାଲିକାର ୧୨୭ତମ ସ୍ଥାନରେ। ତାଲିବାନ ଅଧୀନସ୍ଥ ଆଫଗାନିସ୍ତାନରେ ସବୁ ପ୍ରକାର ସ୍ବାଧୀନତାର ସଂପୂର୍ଣ୍ଣ ଅନୁପସ୍ଥିତି ସତ୍ତ୍ବେ ତାକୁ ଭାରତ ଉପରେ ସ୍ଥାନ ଦିଆଯିବା କେବଳ ପ୍ରମାଦପୂର୍ଣ୍ଣ ବୋଲି ମନେ ହୁଏ ନାହିଁ, ହାସ୍ୟାସ୍ପଦ ଓ ଅଭିସନ୍ଧିମୂଳକ ବୋଲି ମଧ୍ୟ ବୋଧ ହୁଏ। ପୁଣି ଜର୍ମାନୀ ତାଲିକାର ପ୍ରଥମ ଦଶଟି ରାଷ୍ଟ୍ର ଭିତରେ ଥିବା ବେଳେ ଫ୍ରାନ୍ସ ବା ଇଂଲଣ୍ଡ ତା’ ଠାରୁ ଏକା ବେଳକେ କୋଡ଼ିଏଟି ପାହାଚ ତଳେ ରହିବା ଗ୍ରହଣଯୋଗ୍ୟ ମନେ ହୁଏ ନାହିଁ। ଏଥିରୁ ବୋଧ ହୁଏ ଯେ ଏହି ସଂସ୍ଥା ଯେଉଁ ମାନଦଣ୍ଡ ବା ପରିମାପକ (ପାରାମିଟର) ବ୍ୟବହାର କରି ଏହି ତାଲିକା ପ୍ରସ୍ତୁତ କରିଛି, ତହିଁରେ ତ୍ରୁଟି ରହିଛି ଯାହା ପ୍ରେସ୍ ସ୍ବାଧୀନତାକୁ ଠଉରାଇବାରେ ବିଫଳ ହୋଇଛି। ଅନେକ ସମାଲୋଚକ ଏହା ମଧ୍ୟ କହନ୍ତି ଯେ କିଛି ପାଶ୍ଚାତ୍ୟ ଲବିର ଭାରତ ବିରୋଧୀ ଅଭିସନ୍ଧି ଏହି ଭଳି ପଶ୍ଚିମା ଦେଶରୁ ପ୍ରକାଶିତ ହେଉଥିବା ବିଭିନ୍ନ ତାଲିକାରେ ବାରମ୍ବାର ଦେଖିବାକୁ ମିଳୁଛି।
ଚାଣକ୍ୟ ନଗର, ଲାଂଜିପଲ୍ଲୀ,
ବ୍ରହ୍ମପୁର
ମୋ-୯୭୦୩୬୯୦୮୪୭
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/dgj4dg98j7d98j7d98j7d98jdgjdgjjjjjjjjjjjjjjjjjj.jpg)