ଅତ୍ୟନ୍ତ ମୃଦୁ ଭାଷୀ ଏବଂ କୋମଳ ସ୍ବଭାବଧାରୀ ଜଣେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିଜ ଦଳର ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଉଦ୍ଦିଷ୍ଟ ଉପଦେଶକୁ ଇତିହାସ ‘ଦାମ୍ଭିକତା’ର ଦୃଷ୍ଟାନ୍ତ ରୂପେ ଲିପିବଦ୍ଧ କରିବ, ଯଦିଓ ବାଜପେୟୀ ଜଣେ ‘ଆଲ୍‌ଫା ପୁରୁଷ’ ନ ଥିଲେ। କହିବାରେ ଦ୍ବିଧା ନାହିଁ ଯେ ‘ଆଲ୍‌ଫା ମେଲ୍‌’ ଭାବେ ସୁପରିଚିତ ଦାମ୍ଭିକ ପୁରୁଷମାନଙ୍କ ଚକ୍ଷୁରେ ନିଜ ଦଳର ନେତାଙ୍କୁ ଘଣ୍ଟ ଘୋଡ଼ାଇ ପାରି ନ ଥିବା ବାଜପେୟୀ ଭୀରୁ ରୂପେ ମଧ୍ୟ ବିବେଚିତ ହୋଇପାରନ୍ତି; ଯେଉଁ ସ୍ଥିତିରେ, ସେମାନଙ୍କ ବିଚାରରେ, ନିରବତା ଅବଲମ୍ବନ କରିବା ହିଁ ପ୍ରକୃତ ଦମ୍ଭର ପରିଚାୟକ ହୋଇଥାଆନ୍ତା!

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ବଳିଷ୍ଠ ପୁରୁଷ ବା ‘ଆଲ୍‌ଫା ମେଲ୍‌’ ଭାବେ ବିଚାର କରାଯାଇଥାଏ, ଯେଉଁମାନେ ସାଧାରଣତଃ ଦୃଢ଼-ମନସ୍କ ଏବଂ ଅନେକତ୍ର ଅଟଳ ହୋଇଥାଆନ୍ତି ତଥା ପରାଜୟକୁ ସହଜରେ ସ୍ବୀକାର କରି ନ ଥାଆନ୍ତି। ଏଥିରେ ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ଶୈଳୀ ଏବଂ ଆଭିମୁଖ୍ୟରେ ଏହାର ନିଦର୍ଶନ ଦୃଷ୍ଟିଗୋଚର ହୋଇଥାଏ। ତେବେ, ‘ଆଲ୍‌ଫା ପୁରୁଷ’ମାନଙ୍କ ସ୍ବଭାବରେ ରହିଥିବା ଏଭଳି ଉପାଦାନ ସେମାନଙ୍କୁ ଅତ୍ୟନ୍ତ ‘ଦାମ୍ଭିକ’ ରୂପେ ପ୍ରଦର୍ଶିତ କରୁଥିବା ବେଳେ ତାହା ଯେ ଅନେକ ସମୟରେ ସେମାନଙ୍କ ଦୁର୍ବଳତା ଭଳି ମଧ୍ୟ ଦିଶିଥାଏ, ତାହା ଟିକିଏ ଗଭୀର ଦୃଷ୍ଟି ନିକ୍ଷେପ କଲେ ହୃଦ୍‌ବୋଧ ହୋଇଥାଏ। ଏହି ସଂଦର୍ଭରେ ଆମ ଦେଶରେ ନିକଟରେ ଘଟିଥିବା ଦୁଇଟି ଅତ୍ୟନ୍ତ ଚାଞ୍ଚଲ୍ୟ ସୃଷ୍ଟିକାରୀ ଘଟଣାକ୍ରମ ପରିପ୍ରେକ୍ଷୀରେ ଉପରୋକ୍ତ ଧାରଣାର ଯଥାର୍ଥତା ପରଖା ଯାଇପାରେ।
ପ୍ରକାଶ ଥାଉ କି ଉପକ୍ରମରେ ଯେଉଁ ଦୁଇଟି ଘଟଣା ସଂପର୍କରେ ଉଲ୍ଲେଖ କରାଯାଇଛି, ସେ ଦ୍ବୟ ହେଲେ; ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା କୁସ୍ତି ଖେଳାଳିଙ୍କ ଦ୍ବାରା ଅଣାଯାଇଥିବା ଯୌନ ଉତ୍ପୀଡ଼ନର ଅଭିଯୋଗକୁ ନେଇ ଅଲିଂପିକ୍‌ ପଦକ ବିଜୟୀ ଭାରତୀୟ ମଲ୍ଲ ଯୋଦ୍ଧାମାନେ ଦୁଇ ମାସରୁ ଅଧିକ କାଳ ଧରି କରିଥିବା ଆନ୍ଦୋଳନ ଏବଂ ଗଲା ମେ’ ୩ ତାରିଖରୁ ମଣିପୁରକୁ ଦହନ କରି ଚାଲିଥିବା ଏକ ଗୃହଯୁଦ୍ଧ ତୁଲ୍ୟ ପରିସ୍ଥିତି। ପ୍ରକାଶ ଥାଉ କି ଘଟଣା ଦୁଇଟି ଅତ୍ୟନ୍ତ ଉଦ୍‌ବେଗଜନକ ଓ ସ୍ପର୍ଶକାତର ହୋଇଥିଲେ ସୁଦ୍ଧା ସେ ବିଷୟରେ ପ୍ରଧାନମନ୍ତ୍ରୀ ପଦଟିଏ ବି ନ କହି ଏକ ଅଚଳ ମେରୁ ତୁଲ୍ୟ ନିରବତା ଅବଲମ୍ବନ କରିଛନ୍ତି। ପ୍ରଥମ ଘଟଣାରେ ଅଭିଯୁକ୍ତ ଜଣକ ଶାସକ ଦଳର ଜଣେ ସାଂସଦ ହୋଇଥିବା ସତ୍ତ୍ବେ ତାଙ୍କ ବିରୋଧରେ ଆଦୌ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ ଏବଂ ଦ୍ବିତୀୟ ଘଟଣାରେ ମଣିପୁରକୁ ହିଂସାର ଅନଳ ମଧ୍ୟକୁ ବସ୍ତୁତଃ ନି‌େକ୍ଷପ କରି ଦେଇଥିବାର ଆରୋପ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂହଙ୍କୁ ବରଖାସ୍ତ କରିବା ନେଇ ଲେଶ ମାତ୍ର ଆଗ୍ରହ ପ୍ରକାଶ ପାଇନାହିଁ। କହିବା ବାହୁଲ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଦୁର୍ଭେଦ୍ୟ ନିରବତା ହିଁ ଏଭଳି ପରିସ୍ଥିତି ସୃଷ୍ଟି କରିଛି, ଯାହାକୁ କେତେକ ରାଜନୈତିକ ପର୍ଯ୍ୟବେକ୍ଷକ ‘ଆଲ୍‌ଫା ପୁରୁଷ’ ସୁଲଭ ଆଚରଣ ଭାବେ ଅଭିହିତ କରନ୍ତି। ସେମାନେ କହିଥାଆନ୍ତି ଯେ ବିଜେପି ନେତାମାନଙ୍କ ବିରୋଧରେ ଉଠୁଥିବା ଅଭିଯୋଗଗୁଡ଼ିକୁ ସ୍ବୀକାର କରିଯିବାକୁ ସମ୍ଭବତଃ ପ୍ରଧାନମନ୍ତ୍ରୀ ଏକ ପ୍ରକାର ପରାଜୟ ଭାବେ ବିଚାର କରିଥାଆନ୍ତି। ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ଘଟଣା ଦ୍ବୟ ସଂଘଟିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ସେ ଦିଗକୁ ଆଡ଼ ଦୃଷ୍ଟିରେ ନ ଚାହିଁ ଅନ୍ୟ ଦିଗରେ ଅନେକ ଯୁଗାନ୍ତକାରୀ କାର୍ଯ୍ୟରେ ପ୍ରବୃତ୍ତ ଥିଲେ; ଯେମିତି କି ରାଷ୍ଟ୍ର ଉଦ୍ଦେଶ୍ୟରେ ଭବ୍ୟ ନୂତନ ସଂସଦ ଭବନର ଆଡ଼ମ୍ବରପୂର୍ଣ୍ଣ ଲୋକାର୍ପଣ ବା ଯୁକ୍ତରାଷ୍ଟ୍ର ଆମେରିକା, ଇଜିପ୍‌ଟ ଏବଂ ଫ୍ରାନ୍‌ସ ଆ‌ଦି ଭଳି ରାଷ୍ଟ୍ର ପରିଭ୍ରମଣ ସହିତ ଅନେକ ଐତିହାସିକ ଚୁକ୍ତି ସଂପାଦନ। ଏହି ସବୁ ଘଟଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ବିଭିନ୍ନ ମଞ୍ଚରେ ସାରଗର୍ଭକ ଏବଂ ପ୍ରଭାବଶାଳୀ ଭାଷଣ ଓ ବିବୃତିମାନ ମଧ୍ୟ ପ୍ରଦାନ କରିଛନ୍ତି, କିନ୍ତୁ ରାଷ୍ଟ୍ରକୁ ଜର୍ଜର କରି ଚାଲିଥିବା ଅତ୍ୟନ୍ତ ସ୍ପର୍ଶକା‌ତର ଘଟଣା ଦ୍ବୟ ନେଇ ମୁହଁ ଖୋଲି ନାହାନ୍ତି; ଯାହା ସୂଚାଇ ଥାଏ ଯେ ‌‌ସେ ଏକ ଧାରଣା ଦେବାକୁ ଚାହାଁନ୍ତି ଯେ ଏ ଘଟଣାଗୁଡ଼ିକ ତୁଚ୍ଛ ଏବଂ ପ୍ରଣିଧାନ ଅନୁପଯୁକ୍ତ। କହିବା ବାହୁଲ୍ୟ, ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ କାରଣରୁ ଭାରତର କୋଳାଶ୍ରିତ ଗଣମାଧ୍ୟମଗୁଡ଼ିକ ଏହି ଘଟଣା ଦ୍ବୟ ସଂପର୍କିତ ସମ୍ବାଦକୁ ସୀମାନ୍ତରିତ କରି ଦେଇଥି‌େଲ। ସୁତରାଂ, ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ଏକ ‘ଦମ୍ଭ’ ରୂପେ ଦେଖାଯାଇପାରେ, ଯହିଁରେ ହୁଏ’ତ ସେ ନିଜ ଦଳର ନେତାଙ୍କୁ ଘଣ୍ଟ ଘୋଡ଼ାଇବାର ଉଦ୍ୟମ କରିଛନ୍ତି!
ତେବେ, ଅନ୍ୟ ଏକ ଦୃଷ୍ଟିରୁ ବିଚାର କଲେ ପ୍ରଶ୍ନ ଉଠିଥାଏ ଯେ ପ୍ରଧାନମନ୍ତ୍ରୀଙ୍କ ଯେଉଁ ନିରବତା ମଣିପୁର ସଂଦର୍ଭରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କୁ ଏ ପର୍ଯ୍ୟନ୍ତ ଗାଦିନସୀନ କରି ରଖିଛି (ଅନ୍ତତଃ ଏହା ଲେଖା ହେବା ପର୍ଯ୍ୟନ୍ତ) ବା ଯୌନ ଉତ୍ପୀଡ଼ନ ଅଭିଯୁକ୍ତ ବ୍ରିଜଭୂଷଣ ସିଂହଙ୍କୁ ଆଜି ପର୍ଯ୍ୟନ୍ତ ଏକ ଆଞ୍ଚ ହୀନ ବାତାବରଣରେ ମୁକ୍ତ ଭାବେ ବିଚରଣ କରିବାର ସୁଯୋଗ ଦେଇଛି, ତାହା ପ୍ରକୃତରେ ଏକ ‘ଦମ୍ଭ’ ନା ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଅସହାୟ ଅସାମର୍ଥ୍ୟ? କାରଣ, ବ୍ରିଜଭୂଷଣ ସିଂହ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏକ ଅତ୍ୟନ୍ତ ବିଶାଳ ଜନାଧାରର ଅଧିକାରୀ ଏବଂ ମଣିପୁରରେ ସଂଖ୍ୟାଗରିଷ୍ଠ ‘ମୈତେଇ’ମାନଙ୍କ ପକ୍ଷଧର ରୂପେ ଏନ୍‌. ବୀରେନ ସିଂହ ବର୍ତ୍ତମାନର ସଂପୂର୍ଣ୍ଣ ବିଭାଜିତ ମଣିପୁରରେ ଅକୁଣ୍ଠ ‘ମୈତେଇ’ ସମର୍ଥନ ଲାଭ କରିବାକୁ ସମର୍ଥ, ଯାହା ଚାରି ବର୍ଷ ପରେ ହେବାକୁ ଥିବା ନିର୍ବାଚନରେ ବିଜେପିକୁ ଜୟଯୁକ୍ତ କରାଇବ। ସୁତରାଂ, ରାଷ୍ଟ୍ର ବ୍ୟାପୀ ଉଦ୍‌ବେଗ ଏବଂ ଦାବି ସତ୍ତ୍ବେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ଦଳୀୟ ସ୍ବାର୍ଥ ସମ୍ମୁଖରେ ଏକ ଅସହାୟତା ରୂପେ ପରିଭାଷିତ କରାଯାଇପାରେ, ଯଦିଓ ଏହା ଏକ ଦୃଢ଼ମନା ନିଷ୍ପତ୍ତି ଭଳି ଦିଶିଥାଏ।
କହିବାରେ ଦ୍ବିଧା ନାହିଁ ଯେ ଦୂରଦୃଷ୍ଟି ସଂପନ୍ନ ବିଚାରରେ ଏଭଳି ଦୃଢ଼ତା ଅଯଥାର୍ଥ, ଅପରିପକ୍ବ ଏପରିକି ଅର୍ବାଚୀନସୁଲଭ ଭଳି ମଧ୍ୟ ଲାଗିପାରେ; କାରଣ ଏଭଳି ଦୃଢ଼ତା କେତେବେଳେ ଯେ ଦୁର୍ବଳତାରେ ପରିଣତ ହୋଇ ଯାଇଥାଏ, ତାହା ‘ଆଲ୍‌ଫା ପୁରୁଷ’ମାନେ ଜାଣି ପାରନ୍ତି ନାହିଁ। ୨୦୨୦ ମସିହାରେ ଅନୁଷ୍ଠିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିଜର ପରାଜୟକୁ ଶେଷ ପର୍ଯ୍ୟନ୍ତ ଅସ୍ବୀକାର କରି ଡୋନାଲ୍‌ଡ ଟ୍ରଂପଙ୍କ ଭଳି ଜଣେ ଅଦ୍ବିତୀୟ ‘ଆଲ୍‌ଫା ମେଲ୍‌’ କିଭଳି ଅବିମୃଶ୍ୟକାରୀ ଦୃଷ୍ଟାନ୍ତ ରଖି ଦେଇଗଲେ, ତାହା ସୁବିଦିତ, ଯହିଁରେ ତାଙ୍କର ଅହେତୁକ ଅଟଳ ଜିଦ୍‌ ହିଁ ତାଙ୍କ ଦୁର୍ବଳତାରେ ପରିଣତ ହୋଇ ଯାଇଥିଲା। ଏଠାରେ ସ୍ମରଣଯୋଗ୍ୟ ଯେ ୨୦୦୨ ମସିହାରେ ସଂଘଟିତ ଗୁଜରାଟ ସାଂପ୍ରଦାୟିକ ଦଙ୍ଗା ପ୍ରେକ୍ଷାପଟରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ପ୍ରଦତ୍ତ ଏକ ସୁଚିନ୍ତିତ ଓ ବର୍ତ୍ତମାନ ସର୍ବଜନବିଦିତ ପରାମର୍ଶ ଥିଲା: ‘ରାଜଧର୍ମ ପାଳନ କର।’ ଅତ୍ୟନ୍ତ ମୃଦୁ ଭାଷୀ ଏବଂ କୋମଳ ସ୍ବଭାବଧାରୀ ଜଣେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିଜ ଦଳର ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଉଦ୍ଦିଷ୍ଟ ଉପଦେଶକୁ ଇତିହାସ ‘ଦାମ୍ଭିକତା’ର ଦୃଷ୍ଟାନ୍ତ ରୂପେ ଲିପିବଦ୍ଧ କରିବ, ଯଦିଓ ବାଜପେୟୀ ଜଣେ ‘ଆଲ୍‌ଫା ପୁରୁଷ’ ନ ଥିଲେ। କହିବାରେ ଦ୍ବିଧା ନାହିଁ ଯେ ‘ଆଲ୍‌ଫା ମେଲ୍‌’ ଭାବେ ସୁପରିଚିତ ଦାମ୍ଭିକ ପୁରୁଷମାନଙ୍କ ଚକ୍ଷୁରେ ନିଜ ଦଳର ନେତାଙ୍କୁ ଘଣ୍ଟ ଘୋଡ଼ାଇ ପାରି ନ ଥିବା ବାଜପେୟୀ ଭୀରୁ ରୂପେ ମଧ୍ୟ ବିବେଚିତ ହୋଇପାରନ୍ତି; ଯେଉଁ ସ୍ଥିତିରେ, ସେମାନଙ୍କ ବିଚାରରେ, ନିରବତା ଅବଲମ୍ବନ କରିବା ହିଁ ପ୍ରକୃତ ଦମ୍ଭର ପରିଚାୟକ ହୋଇଥାଆନ୍ତା!