ଅୟୁତରେ ଏକ

ଡ. ଲକ୍ଷ୍ମୀଧର ମିଶ୍ର

ପ୍ରଫେସର ରାଧାମୋହନ ଏକ ବିରଳ ବର୍ଗର ବ୍ୟକ୍ତିତ୍ବ। ନିଜ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଦିନରୁ ଅନ୍ୟମାନଙ୍କ ପାଇଁ ଭଲ ଚିନ୍ତା କରିବା ତଥା ବିଭିନ୍ନ ବଂଚିତ ବର୍ଗଙ୍କ ଲାଗି ଚିନ୍ତା କରିବା ଭଳି ଭାବ ତାଙ୍କ ଠାରେ ଦେଖିବାକୁ ମିଳୁଥିଲା। ଏକ ଉଚ୍ଚକୋଟୀର ଏକାଡେମିକ୍ କ୍ୟାରିଅର୍ ଥିଲା ତାଙ୍କର। ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୬୫ ମସିହାରେ ଆପ୍ଲାଏଡ୍ ଅର୍ଥନୀତିରେ ସ୍ନାତକୋତ୍ତର ପରେ, ନିଜ ଜୀବନର ଅର୍ଦ୍ଧାଧିକ ସମୟ ଶିକ୍ଷାଦାନ, ଗବେଷଣା ଏବଂ ସାମାଜିକ କାର୍ଯ୍ୟରେ ବିନିଯୋଗ କରିବା ଆରମ୍ଭ କରିଦେଲେ।

ନିରନ୍ତର ଖାଦ୍ୟ ଉତ୍ପାଦନ ଏବଂ ସଂରକ୍ଷଣର ପ୍ରଭାବର ପ୍ରୟୋଗ ସକାଶେ ନୟାଗଡ଼ (ନିଜ ଜିଲ୍ଲା)ରେ ପ୍ରଫେସର ରାଧାମୋହନ ୩୬ ହେକ୍ଟର ପତିତ ଜମିକୁ ସୁଜଳା ସୁଫଳାରେ ପରିବର୍ତ୍ତିତ କରାଇପାରିଥିଲେ। ନିଜ ତିଆରି ଜଙ୍ଗଲରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ କିସମ କିସମ ପ୍ରଜାତିର ବୃକ୍ଷରାଜି, ୫୦୦ ପ୍ରଜାତିର ଦେଶୀ ଧାନ ଏବଂ ୭୦୦ ରୁ ଊର୍ଦ୍ଧ୍ୱ ଦେଶୀୟ ପ୍ରଜାତିର ବିହନ ସଂରକ୍ଷଣ ହୋଇ ରହିଛି। ଏହା ତାଙ୍କର ଏକ ଚମକପ୍ରଦ ଉପଲବ୍‌ଧି।

୧୯୮୯ରେ ସେ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ‘ଗ୍ଲୋବାଲ ରୋଲ୍ ସମ୍ମାନ’, ଉତ୍କଳ ସେବା ସମ୍ମାନ ଏବଂ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ନିଜ ବଡ଼ଝିଅ ସାବରମତୀଙ୍କ ସହ ଯୁଗ୍ମଭାବେ ଲାଭ କରିଥିଲେ।

ସେ ଜଣେ ଅତି ସରଳ, ନିରାଡ଼ମ୍ବର ଏବଂ ଆତ୍ମାଭିମାନୀ ବ୍ୟକ୍ତି ଥିଲେ। ସମସ୍ତ ବ୍ୟକ୍ତିଙ୍କ ପ୍ରତି ଦୟା ପରବଶ ରହିବା ତାଙ୍କର ଏକ ସହଜାତ ଗୁଣ ଥିଲା। ସାଧୁତାର ପଣରେ ସମସ୍ତଙ୍କୁ ପରଖିବା ଭଳି ଏକ ବିଶେଷ ଗୁଣର ଅଧିକାରୀ ଥିଲେ ସେ। କିନ୍ତୁ ଅନ୍ୟାୟ ଓ ଅନୀତିକୁ ସେ ସହ୍ୟ କରିପାରୁ ନ ଥିଲେ କି କ୍ଷମା କରି ପାରୁ ନ ଥିଲେ।

ଅତି ସରଳ, ନିରାଡ଼ମ୍ବର ଜୀବନ ନିର୍ବାହ କରୁଥିବା ପ୍ରଫେସର ରାଧାମୋହନ କୌଣସି ଲାଭ ବା ଯଶର ବୃଥା କାମନା କରୁ ନଥିଲେ। ବିଭିନ୍ନ ସମୟରେ ପ୍ରଫେସର ରାଧାମୋହନଙ୍କୁ ସାକ୍ଷାତର ସୁଯୋଗ ମିଳିଥିଲା। ଅନେକ ବିଷୟରେ ଆମେ ଗୂଢ଼ ଆଲୋଚନା ମଧ୍ୟ କରୁ। ସାକ୍ଷରତା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂସ୍ଥା, ପରିବେଶ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନ, ପରିବେଶର ଅବକ୍ଷୟ ଇତ୍ୟାଦି ସମ୍ପର୍କରେ ସବିଶେଷ ଆଲୋଚନା ଜାରି ରହୁଥିଲା। ୨୦୧୭ ଜୁଲାଇ ୧୭ ତାରିଖରେ ସୁଧାଂଶୁ ଭୂଷଣ ମିଶ୍ର ସ୍ମାରକୀ ବକ୍ତୃତାମାଳା ଅବସରରେ ତାଙ୍କ ସହିତ ମୋର ଶେଷ ସାକ୍ଷାତ ହୋଇଥିଲା। ସେ ସେହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

ବାସ୍ତବରେ ପ୍ରଫେସର ରାଧାମୋହନ ଥିଲେ ସମସ୍ତ ସଦ୍‌ଗୁଣର ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ।

ପୂର୍ବତନ କେନ୍ଦ୍ର ସଚିବ, ଶ୍ରମ ବିଭାଗ

ସମ୍ବନ୍ଧିତ ଖବର