ଯେଉଁ ଲକ୍ଷ୍ୟକୁ ନେଇ ସମ୍ବିଧାନ ତିଆରି ହେବ ବୋଲି ଜବାହରଲାଲ ନେହୁରୁ ୧୩/ ୧୨/୧୯୪୬ରେ ସମ୍ବିଧାନ ସଭାରେ ପ୍ରସ୍ତାବ ରଖିଲେ, ତାହା ଉପରେ ହେଉଥିବା ଆଲୋଚନାରେ ଅଂଶଗ୍ରହଣ କରି ଆଦିବାସୀ ନେତା ଜୟାପଲ ସିଂ ୧୯/୧୨/୧୯୪୬ ରେ ଏକ ଦୂରଦୃଷ୍ଟିସମ୍ପନ୍ନ ଆଶା ରଖି ବକ୍ତବ୍ୟ ଦେଇ କହିଥିଲେ: ସମ୍ବିଧାନ ପ୍ରଣୟନ ପରେ ଛ ହଜାର ବର୍ଷ ଧରି ଆଦିବାସୀମାନଙ୍କ ଉପରେ ହେଉଥିବା ଶୋଷଣର ସମାପ୍ତି ହେବ; ତାଙ୍କୁ ଗଣତନ୍ତ୍ରରେ ସମାନ ଅଧିକାର ମିଳିବ ଏବଂ ସର୍ବୋପରି ଆଦିବାସୀ ପୁରୁଷ ଓ ମହିଳାଙ୍କ ଉଚିତ ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯିବ।
ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଆମ ଗଣତନ୍ତ୍ରର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବା ପାଇଁ ଆଜି ଶପଥ ନେଉଛନ୍ତି। ଦେଶ ଏବଂ ସ୍ୱତନ୍ତ୍ର ଭାବେ ଓଡ଼ିଶା ଏଥିପାଇଁ ଗର୍ବିତ ଏବଂ ଜୟପାଲ ସିଂଙ୍କ ଆଶା କିଛିକାଂଶରେ ପୂରଣ ହେଲାବୋଲି ମନେ ହେଉଛି। ଉଲ୍ଲେଖଯୋଗ୍ୟ ଯେ ପରାଧୀନ ଭାରତରେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷଙ୍କ ସମ୍ମାନ ଓ ପ୍ରଭାବ ଦେଶସାରା ଏତେ ଅଧିକା ଥିଲା ଯେ ତାଙ୍କୁ ରାଷ୍ଟ୍ରପତି ବୋଲି ସମ୍ବୋଧନ କରାଯାଉଥିଲା। ସେଥିପାଇଁ ସମ୍ବିଧାନ ସଭାରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ ହିନ୍ଦୀ ଓ ଅନ୍ୟ ଭାରତୀୟ ଭାଷାରେ ‘ରାଷ୍ଟ୍ରପତି’ ଶବ୍ଦଟି ଭାରତର ‘ପ୍ରେସିଡେଣ୍ଟ’ (President) ପଦବି ପାଇଁ ବ୍ୟବହାର ହେବ। ଏହି ପୃଷ୍ଠଭୂମିରେ ରାଷ୍ଟ୍ରପତି ନେଉଥିବା ଶପଥ ଉପରେ ଆଲୋକପାତ କଲେ ଜାଣି ହୁଏ ଯେ ସେ ନେଉଥିବା ଶପଥ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ନେଉଥିବା ଶପଥ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସମ୍ବିଧାନର ଓଡ଼ିଆ ସଂସ୍କରଣ ଅନୁସାରେ ରାଷ୍ଟ୍ରପତି ଶପଥ ନିଅନ୍ତି ଯେ ସେ ସମ୍ବିଧାନର “ପରିରକ୍ଷା (preserve), ସଂରକ୍ଷା (protect) ଓ ପ୍ରତିରକ୍ଷା (Defend)” କରିବେ ଏବଂ ଭାରତର ସେବା ଓ କଲ୍ୟାଣ ନିମିତ୍ତ ନିଜକୁ ନିୟୋଜିତ କରିବେ। ରାଜ୍ୟପାଳମାନେ ମଧ୍ୟ ଏହି ପ୍ରକାର ଶପଥ ନେଇଥାନ୍ତି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ କରନ୍ତି। ଅର୍ଥାତ ଭାରତର ରାଷ୍ଟ୍ରପତି ହେଉଛନ୍ତି ଆମ ସମ୍ବିଧାନର ରକ୍ଷକ।
ବର୍ତ୍ତମାନ ସମ୍ବିଧାନ ସଙ୍କଟାପନ୍ନ ହୋଇଯାଇଛି। ବ୍ୟକ୍ତି ସ୍ୱତନ୍ତ୍ରତା, ଯାହାକି ଏକ ମୌଳିକ ଅଧିକାର, ତାକୁ ଉଲ୍ଲଂଘନ କରି ଅନେକ ନାଗରିକଙ୍କୁ ପକ୍ଷପାତପୂର୍ଣ୍ଣ ମନୋଭାବରେ କେନ୍ଦ୍ର ଓ ଅନେକ ରାଜ୍ୟ ସରକାର ଗିରଫ କରି ଅନେକ ବର୍ଷ, ମାସ ଓ ଦିନ ଜେଲରେ ବିନା ବିଚାରରେ ରଖୁଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏନ. ଭି. ରମଣା ୧୭ ଜୁଲାଇରେ କହିଥିଲେ, “ତରବରିଆ ଏବଂ ପକ୍ଷପାତପୂର୍ଣ୍ଣ ଗିରଫ ଓ ଜାମିନ ପାଇବାରେ ଅସୁବିଧା ଏବଂ ଦୀର୍ଘ ଦିନ ଧରି ଜେଲରେ ବିନା ବିଚାରରେ ଲୋକଙ୍କୁ ରଖାଯାଉଥିବା ପ୍ରସଙ୍ଗକୁ ଦେଖିଲେ ଜାଣି ହୁଏ ଯେ ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ପ୍ରକ୍ରିୟା ହେଉଛି ଦଣ୍ଡ।’’ ୨୦୧୦ରୁ ୮୧୬ ଦେଶଦ୍ରୋହ ମାମଲା ରୁଜୁ କରାଯାଉଥିବା ୧୧,୦୦୦ ଲୋକଙ୍କ ମଧ୍ୟରୁ ଶତକଡ଼ା ୬୫ ସେହି ମାମଲାର ସମ୍ମୁଖୀନ ହୋଇଛନ୍ତି ୨୦୧୪ ପରେ। ଏନ. ଭି. ରମଣା ସେହି ସନ୍ଦର୍ଭରେ କହିଥିଲେ, “ଏହା ଏକ ଉପନିବେଶ ନିୟମ। ଏହା ସ୍ୱାଧୀନତା ଓ ସ୍ୱତନ୍ତ୍ରତାକୁ ଦମନ କରେ। ଏହା ମହାତ୍ମା ଗାନ୍ଧୀ ଓ ଲୋକମାନ୍ୟ ତିଲକଙ୍କ ବିରୋଧରେ ବ୍ୟବହୃତ ହୋଇଥିଲା। ସ୍ୱାଧୀନତାର ୭୫ ବର୍ଷ ପରେ ଏହି ନିୟମ ଆବଶ୍ୟକ କି?”
ଏହି କାରଣରୁ ଫ୍ରିଡମ ହାଉସ ରିପୋର୍ଟ ଭାରତକୁ ଆଂଶିକ ଭାବେ ସ୍ୱାଧୀନ ଓ ଗଣତାନ୍ତ୍ରିକ ଏକଛତ୍ରବାଦ ବୋଲି ଘୋଷଣା କରିଛି। ଏଥିରୁ ସମ୍ବିଧାନ ପ୍ରତି ସଙ୍କଟ ସ୍ପଷ୍ଟ ହେଉଛି।
ସମ୍ବିଧାନର ମୌଳିକ ଢାଞ୍ଚାର ଅନ୍ୟତମ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଧର୍ମନିରପେକ୍ଷତା। ସୁପ୍ରିମ୍ କୋର୍ଟର ଅନେକ ବିଚାରରେ ଏଭଳି ରାୟ ଦିଆଯାଇଛି। ଅନେକ ତୁଙ୍ଗ ନେତା ଧର୍ମନିରପେକ୍ଷତାକୁ ପରିହାସ କରି ସମ୍ବିଧାନର ଅପମାନ କରୁଛନ୍ତି। ଭାରତରେ ଧାର୍ମିକ ଧ୍ରୁବୀକରଣ ଏତେ ପ୍ରବଳ ହୋଇଛି ଯେ ବହୁସଂଖ୍ୟକବାଦ ଦ୍ୱାରା ପରିଚାଳିତ ହୋଇ ଅନେକ ତଥାକଥିତ ସନ୍ଥ ଧର୍ମ ନାମରେ ସଂଖ୍ୟାଲଘୁଙ୍କ ଗଣହତ୍ୟା ପାଇଁ ଡାକରା ଦେଇଛନ୍ତି ଏବଂ ସାମାଜିକ ଓ ଆର୍ଥିକ ବହିଷ୍କାର ପାଇଁ ଆହ୍ବାନ କରିଛନ୍ତି। ଏହି ଭୟାବହ ପରିସ୍ଥିତି ଭାରତର ଚିରାଚରିତ ଧର୍ମନିରପେକ୍ଷତାକୁ ବିପନ୍ନ କରିଛି।
୧୯୯୮ରେ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ସ୍ବର୍ଗତ ରାଷ୍ଟ୍ରପତି କେ. ଆର. ନାରାୟଣନ ଦେଶକୁ ଉଦ୍ବୋଧନ ଦେଇ ଚେତାଇ ଦେଇଥିଲେ, “ସାମ୍ପ୍ରଦାୟିକତା ଏବଂ ଜାତିଭେଦର ଅନିୟନ୍ତ୍ରିତ ବୃଦ୍ଧି ଆମ ସମାଜରେ ଧର୍ମନିରପେକ୍ଷତାର ଆଲୋକକୁ ଲିଭାଇ ଦେଉଛି। ଏହାର ପ୍ରତିକାର କରିବା ପାଇଁ ରାଜ୍ୟ ଏବଂ ସରକାରଙ୍କର ଦାୟିତ୍ବ ରହିଛି ଓ ଲୋକମାନଙ୍କର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ”।
ଚାଷୀମାନେ ସାମ୍ବିଧାନିକ ମୌଳିକ ଅଧିକାରକୁ ପ୍ରୟୋଗ କରି ୨୦୨୧ ଓ ୨୦୨୨ରେ ଯେଉଁ ଅହିଂସାତ୍ମକ ଐତିହାସିକ ଆନ୍ଦୋଳନ କୃଷି ନିୟମ ବିରୋଧରେ କଲେ ତାକୁ ତାଚ୍ଛଲ୍ୟ କରି ଆନ୍ଦୋଳନକାରୀଙ୍କୁ “ଆନ୍ଦୋଳୋନଜୀବୀ” ବୋଲି କ୍ଷମତାଶାଳୀ ବ୍ୟକ୍ତି ମାନେ କହିଲେ। ନୋବେଲ ବିଜେତା ପ୍ରଫେସର ଅମର୍ତ୍ତ୍ୟ ସେନ ସମ୍ବିଧାନର ପ୍ରଣେତା ବି. ଆର. ଆମ୍ବେଦକରଙ୍କ ପ୍ରସିଦ୍ଧ ସ୍ଲୋଗାନ “ଶିକ୍ଷିତ କର, ଆନ୍ଦୋଳନ କର ଓ ସଂଗଠିତ କର” ଉପରେ ମନ୍ତବ୍ୟ ଦେଇ ଲେଖିଥିଲେ ଯେ ତାହା ଲୋକ ଯୁକ୍ତିକୁ ଗଭୀର କରି ଓ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ରାସ୍ତା ପ୍ରଶସ୍ତ କରିଥାଏ। ତେଣୁ ଆନ୍ଦୋଳନକାରୀଙ୍କୁ ଉପହାସ କରି ଆନ୍ଦୋଳନଜୀବୀ କହିବା ଅର୍ଥ ସମ୍ବିଧାନକୁ ଅପମାନ କରିବା ଓ ଆମ୍ବେଦକରଙ୍କ ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିବା।
ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବଡ଼ ଆହ୍ୱାନ ହେଉଛି ଯେ ସେ ସମ୍ବିଧାନର ପରିରକ୍ଷା, ସଂରକ୍ଷା ଓ ପ୍ରତିରକ୍ଷା କିପରି କରିବେ।
ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ କେ. ଆର. ନାରାୟଣନ ତାଙ୍କର କାର୍ଯ୍ୟକାଳ ୧୯୯୭ରୁ ୨୦୦୨ ମଧ୍ୟରେ ଯେଉଁ ଭାବେ ସମ୍ବିଧାନର ରକ୍ଷା କରିଥିଲେ ତାହା ଦେଶ ଓ ତାଙ୍କ ପରେ ହୋଇଥିବା ରାଷ୍ଟ୍ରପତିମାନଙ୍କ ପାଇଁ ଜ୍ୱଳନ୍ତ ଉଦାହରଣ ଭାବେ ପ୍ରେରଣା ଦେଉଛି। ଯେତେବେଳେ ଅଟଳ ବିହାରୀ ବାଜପେୟୀ ସରକାର ସମ୍ବିଧାନର ସମୀକ୍ଷା ପାଇଁ ନିଷ୍ପତ୍ତି ନେଲେ ସେତେବେଳେ କେ. ଆର. ନାରାୟଣନ ଆମ ଗଣତନ୍ତ୍ରର ସୁବର୍ଣ୍ଣ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ତାଙ୍କର ଭାଷଣରେ ଦୃଢ଼ ଭାବେ ପଚାରିଥିଲେ, “ଆମେ ବିଚାର କରିବା ଦରକାର ସମ୍ବିଧାନ ଆମକୁ ବିଫଳ କରଛି ନା ଆମେ ସମ୍ବିଧାନକୁ ବିଫଳ କରାଇଛନ୍ତି”। ତାଙ୍କର ଏହି ଐତିହାସିକ ଉକ୍ତି ପରେ ପ୍ରଧାନମନ୍ତ୍ରୀ ବାଜପେୟୀ ସମ୍ବିଧାନ ସମୀକ୍ଷାର ନିଷ୍ପତ୍ତି ବଦଳାଇଦେଲେ ଓ କେବଳ ସମ୍ବିଧାନ କେଉଁ ଭାବେ କାର୍ଯ୍ୟ କରିଛି ତାର ସମୀକ୍ଷା କରିବା ପାଇଁ କମିସନ୍ ବସାଇଥିଲେ।
ଭାରତରତ୍ନ ଦେବା ନିଷ୍ପତ୍ତି କେବଳ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦୁହେଁ ମିଶି ନିଅନ୍ତି। କେ. ଆର. ନାରାୟଣନ ଯେତେବେଳେ ଶେହନାଇ ବିଶାରଦ ବିଶମିଲା ଖାନଙ୍କୁ ଭାରତରତ୍ନ ଦେବା ପାଇଁ ପ୍ରସ୍ତାବ ଦେଲେ ବାଜପେୟୀ ତାକୁ ଗ୍ରହଣ କରି ଭି. ଡି. ସାବରକରଙ୍କୁ ମଧ୍ୟ ଭାରତରତ୍ନ ଦିଆଯିବା ପାଇଁ ପ୍ରସ୍ତାବ ଦେଲେ। ନାରାୟଣନ ସେହି ପ୍ରସ୍ତାବ ଉପରେ ଅନେକ ମାସ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଲେ ନାହିଁ। ଡିସେମ୍ବର ୨୫, ୨୦୦୧ ରେ ବାଜପେୟୀଙ୍କ ଜନ୍ମ ଦିନରେ ରାଷ୍ଟ୍ରପତି ନାରାୟଣନ ଶୁଭେଚ୍ଛା ଜଣାଇବା ପାଇଁ ଯେତେବେଳେ ଗଲେ, ବାଜପେୟୀ କହିଲେ, ଏତେ ଦିନ ଧରି ରାଷ୍ଟ୍ରପତି ପ୍ରସ୍ତାବ ଗ୍ରହଣ ନ କରିବା ଅର୍ଥ ସେ ତାକୁ ଅଗ୍ରାହ୍ୟ କରିଥିଲେ। ତେଣୁ ବାଜପାୟୀ ଭି ଡି ସାବରକରଙ୍କୁ ଭାରତରତ୍ନ ଦେବା ପ୍ରସ୍ତାବକୁ ପ୍ରତ୍ୟାହାର କରିଥିଲେ। ଏହା ଦର୍ଶାଉଛି ଯେ ରାଷ୍ଟ୍ରପତିଙ୍କ ମନକୁ ବୁଝି ପ୍ରଧାନମନ୍ତ୍ରୀ ବାଜପେୟୀ କେତେ ପରିପକ୍ବତା ଦେଖାଇ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାହାର କରିଥିଲେ।
୧୯୯୭ରେ ଉତ୍ତର ପ୍ରଦେଶ ବିଧାନସଭାରେ ବିଜେପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ବହୁମତ ସାବ୍ୟସ୍ଥ କରିବା ବେଳେ ତୁମୁଳ ହିଂସାକାଣ୍ଡ ଘଟିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ଆଇ. କେ. ଗୁଜରାଲ କଲ୍ୟାଣ ସିଂ ସରକାରକୁ ବରଖାସ୍ତ କରି ସମ୍ବିଧାନର ଧାରା ୩୫୬ ଅନୁସାରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ରାଷ୍ଟ୍ରପତି ନାରାୟଣନଙ୍କ ପାଖକୁ ପ୍ରସ୍ତାବ ଦେଲେ। କିନ୍ତୁ ନାରାୟଣନ ତାକୁ ଗ୍ରହଣ ନ କରି ପ୍ରଶ୍ନ କଲେ ଯେ ବିଧାନସଭାର ହୋଇଥିବା ହିଂସା ଦର୍ଶାଇନଥିଲା ଯେ ସମଗ୍ର ରାଜ୍ୟରେ ହିଂସା ହୋଇଥିଲା ଓ ସାମ୍ବିଧାନିକ ବ୍ୟବସ୍ଥା ଭାଙ୍ଗି ଥିଲା।
ତାହା ଥିଲା ଆମର ଗଣତନ୍ତ୍ର ଇତିହାସରେ ପ୍ରଥମ ଉଦାହରଣ ଯାହା ଦର୍ଶାଇଥିଲା କିପରି ରାଷ୍ଟ୍ରପତି ସମ୍ବିଧାନ ପରିଧି ମଧ୍ୟରେ ରହି ଧାରା ୩୫୬ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିପାରିବେ। ପ୍ରଧାନମନ୍ତ୍ରୀ ଗୁଜରାଲ ସେହି ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କଲେ।
ଇତିହାସକୁ ବର୍ତ୍ତମାନ କେନ୍ଦ୍ର ସରକାର ପରିବର୍ତ୍ତନ କରୁଛନ୍ତି। ରାଷ୍ଟ୍ରପତି କେ. ଆର. ନାରାୟଣନଙ୍କ ସମୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜାନୁଆରି ୨୦୦୨ରେ ଭାରତୀୟ ଇତିହାସ କଂଗ୍ରେସକୁ ଏକ ସନ୍ଦେଶରେ ସେ ୨ ଅଗଷ୍ଟ ୧୯୬୫ରେ ବମ୍ବେ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟର କିଛିକାଂଶ ଉଦ୍ଧୃତ କରିଥିଲେ: “ଇତିହାସକୁ ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାର ହାତ ବାରିସି ଭାବରେ ବ୍ୟବହାର କରିବା ଠିକ ନୁହେଁ। ଇତିହାସ ନିରପେକ୍ଷ ଏବଂ ତଥ୍ୟ ଭିତ୍ତିକ ହେବା ଜରୁରୀ। ଲୋକପ୍ରିୟତା କିମ୍ବା ଜାତୀୟତାବାଦୀ ଅହଂକାରକୁ ନେଇ ଇତିହାସକୁ ପୁନର୍ଲିଖନ କଲେ ଇତିହାସ ବିକୃତ ହେବ”। ସେହି ରାୟ ଦ୍ୱାରା ସେ ଚେତାଇ ଦେଇଥିଲେ ଯେ ଇତିହାସରେ ଯାହା ହୋଇଛି ତାକୁ ନେଇ ପ୍ରତିଶୋଧାତ୍ମକ ଭାବ ରଖିଲେ ସମାଜରେ ହିଂସା ଓ ଘୃଣା ବ୍ୟାପିବ। ବର୍ତ୍ତମାନ ଯେତେବେଳେ ଇତିହାସର ପୁନର୍ଲିଖନ କରାଯାଇ ବିବାଦ ସୃଷ୍ଟି କରାଯାଉଛି ତାଙ୍କର ସେ ସତର୍କବାଣୀର ପ୍ରାସଙ୍ଗିକତା ଗଭୀର ଭାବେ ବୁଝି ହେଉଛି। ଏହି କିଛି ଉଦାହରଣ ଶିକ୍ଷା ଦେଉଛି ଯେ ଭାରତର ରାଷ୍ଟ୍ରପତିଙ୍କୁ ସମ୍ବିଧାନ ରକ୍ଷା ପାଇଁ ନିରନ୍ତର ଜାଗ୍ରତ ରହିବାକୁ ପଡ଼ିବ। ବର୍ତ୍ତମାନ ଯେତେବେଳେ ସମ୍ବିଧାନ ଘୋର ସଂକଟରେ ପଡ଼ିଛି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଗୁରୁଦାୟିତ୍ବ ତୁଲାଇବେ ବୋଲି ଦେଶ ଆଶା କରେ।
ମୋ: ୯୮୭୧୮୯୪୫୩୪