ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସମ୍ବେଦନଶୀଳ ସାକ୍ଷାତକାର ଆତ୍ମପ୍ରକାଶ କଲା ଦିନଠାରୁ ଟିଭି ଚ୍ୟାନେଲ ଓ ଖବରକାଗଜଗୁଡ଼ିକୁ ସତେ ଯେମିତି ବିଷଧର ସାପ ଦଂଶିଦେଇଛି। ଗୁଲାମ ନବୀ ଆଜାଦଙ୍କର ଛୋଟମୋଟ ଆରୋପକୁ ଭିତ୍ତି କରି ଲମ୍ବା ଚଉଡ଼ା କାର୍ଯ୍ୟକ୍ରମ ଚଳାଉଥିବା ଚ୍ୟାନେଲଗୁଡ଼ିକ ପାଖରେ ଏହି ରହସ୍ୟ ଉନ୍ମୋଚନ ବାବଦରେ ଚର୍ଚ୍ଚା କରିବା ପାଇଁ ଗୋଟିଏ ବି ମିନିଟ୍ ସମୟ ନାହିଁ। ଗତ ଏପ୍ରିଲ ୧୫ ତାରିଖ ଖବରକାଗଜଗୁଡ଼ିକରେ ମଧ୍ୟ ଏ ବିଷୟରେ କୌଣସି ଉଲ୍ଲେଖ ନଥିଲା।
ଏଇଠି ଉଲ୍ଲେଖ କରିବା ଠିକ୍ ହେବ କି, ୨୦୧୯ ଫେବ୍ରୁଆରି ୧୪ରେ ଯେତେବେଳେ ପୁଲଵାମା ଆକ୍ରମଣ ହୋଇଥିଲା, ସେ ସମୟରେ ସତ୍ୟପାଲ ମଲିକ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ। ତେବେ ସରକାରଙ୍କ ତ୍ରୁଟି ଯୋଗୁଁ ଏପରି ଅଘଟଣ ହୋଇଥିଲା ବୋଲି ସେ ପ୍ରକାଶ ଟଣ୍ଡନ ଓ ପରେ କରଣ ଥାପରଙ୍କୁ ଦେଇଥିବା ସାକ୍ଷାତକାରରେ ସ୍ବୀକାର କରିଛନ୍ତି। ଘଟଣା ଦିନ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ କି ଏପରି ଅଘଟଣ ଆମର ଭୁଲ୍ ଯୋଗୁଁ ହୋଇଥିଲା ଯାହାକୁ ଟାଳି ଦିଆଯାଇପାରିଥା’ନ୍ତା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଜିତ ଡୋଭାଲ ଏ ବାବଦରେ ସତ୍ୟପାଲଙ୍କୁ ଚୁପ୍ ରହିବା ପାଇଁ କହିଥିଲେ। ଏ କଥା ଜରୁରୀ ନୁହେଁ ଯେ, ଉକ୍ତ ସାକ୍ଷାତକାରରେ ସତ୍ୟପାଲ ମଲିକ ଯାହା ବି କିଛି କହିଛନ୍ତି, ତାହାକୁ ବ୍ରହ୍ମବାକ୍ୟ ପରି ସତ ବୋଲି ମାନି ନେଇହେବ। ଏକଥା ମଧ୍ୟ ଅଛପା ନୁହେଁ ଯେ, କାଶ୍ମୀରର ରାଜ୍ୟପାଳ ଥିଲା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କିଛି ମତଭେଦ ହୋଇଥିଲା ଏବଂ ବିଗତ କିଛି ଦିନ ହେଲା ସେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିମୁଖ ହୋଇ ଯାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ଅଭିଯୋଗରେ କୌଣସି ଦ୍ବେଷ ବା କ୍ଷୋଭ ହେତୁ ଅତିଶୟୋକ୍ତି ଅଥବା ମିଥ୍ୟା କାହାଣୀ ଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଯଦି ଏହି ସାକ୍ଷାତକାର ପରେ ଜାତୀୟ ଗଣମାଧ୍ୟମ ସତ୍ୟପାଲଙ୍କୁ ଗୁଡ଼େଇ ତୁଡ଼େଇ ପଚାରି ତାଙ୍କର ସବୁ ଦାବିକୁ ସତ କି ମିଛ ବୋଲି ନିଶ୍ଚିତ କରିଥା’ନ୍ତେ ଏବଂ ତାଙ୍କ ଦ୍ବାରା କରାଯାଇଥିବା ଭୁଲ୍ ଉପସ୍ଥାପନାକୁ ସମାଲୋଚନା କରିଥା’ନ୍ତେ, ତେବେ ଏହା ଯଥାର୍ଥ ହୋଇଥା’ନ୍ତା। କିନ୍ତୁ ଏ ପ୍ରସଙ୍ଗରେ ଦେଖାଦେଇଥିବା ନିରବତାରୁ ଏକ ଧାରଣା ହେଉଛି କି ଏଭଳି ଖବରକୁ ନ ଛୁଇଁବା ଲାଗି ଗଣମାଧ୍ୟମକୁ ସତେ ଯେମିତି ଧମକ ଦିଆଯାଇଛି। ଏହି ପ୍ରାୟୋଜିତ ନିରବତା ଯୋଗୁଁ ଉକ୍ତ ସାକ୍ଷାତକାରରେ ଉନ୍ମୋଚିତ ଗୋପନୀୟତାର ଗୁରୁତ୍ବ ଆହୁରି ବଢ଼ିଯାଇଛି।
ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ କି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହୋଇ ନାହିଁ? ନା ଏହା ଅବହେଳା ନୁହେଁ ବରଂ ଏକ ଷଡ୍ଯନ୍ତ୍ର ଥିଲା। ସବୁକିଛି ଜାଣିଶୁଣି ଘଟିବାକୁ ଦିଆଗଲା ଯାହା ଦ୍ବାରା ରାଜନୈତିକ ସୁବିଧା ନିଆଯାଇପାରିବ। ଯଦି ଏଭଳି ହୋଇଥାଏ ତେବେ ତାହା ସିଧାସଳଖ ଦେଶଦ୍ରୋହ ହେବ।
ତେବେ କେବଳ ଏହି ଆଧାରରେ ଏଭଳି ଗମ୍ଭୀର ପ୍ରସଙ୍ଗ ଉପରେ ମତାମତ ଦେବା ଠିକ୍ ହେବ ନାହିଁ। ସରକାରଙ୍କ ଅବହେଳା କିମ୍ବା ଗଭୀର ଷଡ୍ଯନ୍ତ୍ର ଯୋଗୁଁ ପୁଲଵାମା ଆକ୍ରମଣ ସମ୍ପର୍କିତ କୌଣସି ନିରପେକ୍ଷ ପ୍ରମାଣ ଅଛି କି ନାହିଁ, ତାହା ଆମକୁ ପରୀକ୍ଷା କରିବାକୁ ପଡ଼ିବ। ସଂଯୋଗବଶତଃ ଏହାର ପ୍ରମାଣ ପାଇଁ ଆମକୁ କୌଣସି ତାଜା ଗବେଷଣା କରିବାର ଆବଶ୍ୟକତା ନାହିଁ। ‘ଫ୍ରଣ୍ଟଲାଇନ୍’ ପତ୍ରିକାର ୨୦୨୧ ଫେବ୍ରୁଆରି ସଂସ୍କରଣରେ ଆନନ୍ଦ ଭକ୍ତଙ୍କ ଦ୍ବାରା ସରକାରଙ୍କ ଗୁପ୍ତଚର ବ୍ୟବସ୍ଥା ସମ୍ପର୍କରେ ଅନୁସନ୍ଧାନ କରିବା ପରେ ପ୍ରକାଶିତ ହୋଇଛି କି ଏହି ଅଘଟଣ ପୂର୍ବରୁ ସରକାର ଗୁପ୍ତଚର ତଥ୍ୟରୁ ଥରେ କି ଦୁଇ ଥର ନୁହେଁ, ୧୧ ଥର ସୂଚନା ପାଇଥିଲେ କି ଏପରି କିଛି ଘଟିବାକୁ ଯାଉଛି। ଏହି ସମସ୍ତ ନଥିପତ୍ର ଫ୍ରଣ୍ଟଲାଇନ୍ ପତ୍ରିକା ସହ ରହିଛି। ଆନନ୍ଦ ଭକ୍ତଙ୍କ ଏହି ଅନୁସନ୍ଧାନ ରିପୋର୍ଟକୁ ସରକାର ଆଜି ଯାଏ ଅସ୍ବୀକାର କରିନାହାନ୍ତି।
ଆସନ୍ତୁ, ଏଥର ସେହି ତଥ୍ୟଗୁଡ଼ିକ ଜାଣିବା ଯାହା ସତ୍ୟପାଲଙ୍କ ଦାବିକୁ ସିଧାସଳଖ ପ୍ରମାଣିତ କରେ। ଫ୍ରଣ୍ଟଲାଇନ୍ ଲେଖା ଅନୁଯାୟୀ, ପୁଲଵାମା ଘଟଣାର ଦେଢ଼ ମାସ ଆଗରୁ ୨୦୧୯ ଜାନୁଆରି ୨ ଓ ୩ ତାରିଖରେ ଜାମ୍ମୁ କାଶ୍ମୀର ଡିଜିପି ଓ କାଶ୍ମୀର ରେଞ୍ଜ ଆଇଜିପିଙ୍କ ନାମରେ ଆସିଥିବା ଗୁଇନ୍ଦା ରିପୋର୍ଟରେ ଜାମ୍ମୁ କାଶ୍ମୀର ପୁଲିସକୁ ପ୍ରଥମ ଚେତାବନୀ ଦିଆଯାଇଥିଲା। ସେଥିରେ କୁହାଯାଇଥିଲା କି, ଦକ୍ଷିଣ କାଶ୍ମୀରର ଜୈଶ-ଇ-ମହମ୍ମଦ (ଜେଇଏମ୍) ‘କିସାସ ମିସନ’ ଅଧୀନରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି। ଏହି ଚେତାବନୀର ଗମ୍ଭୀରତା ଉପରେ ଆଲୋକପାତ କରି ରିପୋର୍ଟରେ ସ୍ମରଣ କରାଗଲା କି ଗତ ଥର ଏପରି ଅନୁରୂପ ଚେତାବନୀ ପରେ ପୁଲଵାମାରେ ଏକ ସିଆରପିଏଫ୍ ଶିବିର ଉପରେ ଆକ୍ରମଣ ହୋଇଥିଲା। ସେହି ସପ୍ତାହରେ, ଜାନୁଆରି ୭ରେ ଏକ ତୃତୀୟ ସତର୍କ ସୂଚନା ମିଳିଥିଲା ଯେ କାଶ୍ମୀରର ସୋପିଆନ୍ ଅଞ୍ଚଲରେ ତିନି ଜଣ ଆତଙ୍କବାଦୀ (ସେମାନଙ୍କ ଭିତରୁ ଜଣେ ବିଦେଶୀ) ସ୍ଥାନୀୟ ଯୁବକମାନଙ୍କୁ ତାଲିମ ଦେଉଥିଲେ। ଜାନୁଆରି ୧୮ର ଗୁଇନ୍ଦା ରିପୋର୍ଟରେ ଏହା ନିଶ୍ଚିତ ହୋଇଥିଲା କି ବିଦେଶୀ ଆତଙ୍କବାଦୀଙ୍କ ସହାୟତାରେ ପୁଲଵାମାର ଅବନ୍ତୀପୁରା ଅଞ୍ଚଳରେ ୨୦ ଜଣ ସ୍ଥାନୀୟ ସନ୍ତ୍ରାସବାଦୀ କିଛି ବଡ଼ ଯୋଜନା କରୁଛନ୍ତି। ସେହି ଦିନ ଓ ପୁଣି ୨୧ ଜାନୁଆରିରେ ଜଣାପଡ଼ିଥିଲା କି, ୨୦୧୭ରେ ଜେଇଏମ୍ ମୁଖ୍ୟର ଭଣଜା ତଲହା ରସିଦର ମୃତ୍ୟୁର ପ୍ରତିଶୋଧ ଯୋଜନା କିସାସ ମିସନ ଅଧୀନରେ କରାଯାଉଛି।
ମାତ୍ର ଏହି ଆକ୍ରମଣ କେଉଁଠି ଘଟିବ, କିଏ କରିବ ଏବଂ କାହା ବିରୋଧରେ ହେବ, ସେ ସମ୍ପର୍କରେ ସେ ଯାଏ ଜଣା ପଡ଼ିନଥିଲା। ଜାନୁଆରି ୨୪ ଓ ୨୫ ଗୁଇନ୍ଦା ରିପୋର୍ଟରେ ମଧ୍ୟ ଏହି କଥା ଯୋଡ଼ାଯାଇଥିଲା। ପରେ ଜଣାପଡ଼ିଥିଲା କି ମୁଦାସିନ ଖାଁ ନେତୃତ୍ବରେ ଜେଇଏମ୍ର ଅବନ୍ତୀପୁରା ଗୋଷ୍ଠୀ ଏକ ବଡ଼ ଆତ୍ମଘାତୀ ଆକ୍ରମଣ ବାବଦରେ ଜଣାଇଛି ଏବଂ ଉକ୍ତ ଗୋଷ୍ଠୀ ପୁଲଵାମାର ଶାହିଦ ବାବା ସହ ଯୋଗାଯୋଗରେ ରହିଛି। ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ହାତରେ ଠୋସ ସୂଚନା ରହିଥିଲା। ମୁଦାସିର ଜଣେ ସ୍ଥାନୀୟ ଆତଙ୍କବାଦୀ ଏବଂ ତା’ ପାଖରେ ପହଞ୍ଚିବା ଅସମ୍ଭବ ନଥିଲା। ଜାନୁଆରି ୨୫ରେ ଗୁଇନ୍ଦା ଖବର ମିଳିଥିଲା କି ମିଦୁରା ଗାଁ ନିକଟରେ ମୁଦାସିରର ଚଳପ୍ରଚଳ ଦେଖିବାକୁ ମିଳିଛି। ସେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇଥିଲା କି ଅବନ୍ତୀପୁରା କିମ୍ବା ପାମ୍ପୋର ନିକଟରେ ପ୍ରସ୍ତୁତି ଚାଲିଛି। ଫେବ୍ରୁଆରି ୯ରେ ସିଆର୍ପିଏଫ୍କୁ ଖବର ଆସିଲା ଯେ ଜେଇଏମ୍ ପ୍ରତିଶୋଧ ନେବାକୁ ଚାହୁଁଛି।
ଆକ୍ରମଣର ଦୁଇ ଦିନ ଆଗରୁ ଏକଥା ମଧ୍ୟ ଜଣାପଡ଼ିଥିଲା କି ଆକ୍ରମଣ କେମିତି ହେବ। ଫେବ୍ରୁଆରି ୧୨ରେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ସଂସ୍ଥା ଆଇବିର ମଲ୍ଟି ଏଜେନ୍ସି ସେଣ୍ଟର ଏକ ରିପୋର୍ଟ ପାଇଥିଲା କି, ଜେଇଏମ୍ର ପାକିସ୍ଥାନୀ ସଂଚାଳକମାନେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ବ୍ୟବହାର କରୁଥିବା ରାସ୍ତାରେ ଆଇଇଡି ବିସ୍ଫୋରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏବଂ ଆକ୍ରମଣର ୨୪ ଘଣ୍ଟା ପୂର୍ବରୁ ଶେଷ ତଥା ଏକାଦଶ ଚେତାବନୀ ମିଳିଥିଲା ଯେ, ସୁରକ୍ଷା ବାହିନୀ ରାସ୍ତାରେ ଜେଇଏମ୍ ଆଇଇଡି ବିସ୍ଫୋରଣ କରିପାରେ ଏବଂ ସୁରକ୍ଷା ବାହିନୀକୁ ତୁରନ୍ତ ସତର୍କ କରାଯିବା ଉଚିତ। ଏହି ସମସ୍ତ ଚେତାବନୀ ସତ୍ତ୍ବେ ତହିଁ ପରଦିନ ଅର୍ଥାତ୍ ଫେବ୍ରୁଆରି ୧୪ରେ ୨,୫୦୦ରୁ ଅଧିକ ସିଆର୍ପିଏଫ୍ କର୍ମଚାରୀଙ୍କୁ ସେହି ରାସ୍ତା ଦେଇ ପଠାଯାଇଥିଲା ଯେଉଁଠାରେ ଆଇଇଡି ବିସ୍ଫୋରଣ ବିଷୟରେ ଗୁଇନ୍ଦା ସୂଚନା ଥିଲା। ଅପରପକ୍ଷେ, ସଡ଼କ ପରିବର୍ତ୍ତେ ଆକାଶମାର୍ଗରେ ପଠାଯିବାକୁ ସିଆର୍ପିଏଫ୍ ଦାବି କରିଥିଲା, କିନ୍ତୁ ତାହା ପ୍ରତ୍ୟାଖ୍ୟାନ କରାଯାଇଥିଲା। କେବଳ ଏତିକି ନୁହେଁ, ସତ୍ୟପାଲ ମଲିକଙ୍କ ଅନୁଯାୟୀ, ସେହି ରାସ୍ତାରେ ଥିବା ସମସ୍ତ ତନଖି ଫାଟକ ମଧ୍ୟ ବନ୍ଦ ହୋଇନଥିଲା। ତା’ପରେ ଯାହା ଅନୁମାନ କରାଯାଉଥିଲା, ତାହା ହିଁ ଘଟିଲା। ସେହି ଜେଇଏମ୍ ଦ୍ବାରା ସେହି ମୁଦାସିର ଖାଁ ନେତୃତ୍ବରେ ସେହି ପୁଲଵାମା ଅବନ୍ତୀପୁରା ଇଲାକାରେ ଆଇଡି ବିସ୍ଫୋରଣ ହେଲା, ଯେଉଁ ଖବର ଆଗରୁ ମିଳିସାରିଥିଲା। ଆମର ୪୦ ଜଣ ଯବାନ ସହିଦ ହେଲେ।
ସେଥିପାଇଁ ସତ୍ୟପାଲ ମଲିକଙ୍କ ରହସ୍ୟ ଉନ୍ମୋଚନକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଏହି ସମସ୍ତ ପ୍ରମାଣ ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଚୁପ୍ ରହିବାକୁ କହିଥିଲେ ବୋଲି ତାଙ୍କର ରହସ୍ୟ ଉନ୍ମୋଚନ ଜାତୀୟ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ଲଗାଇଛି। ଯଦି ଏହି ସମସ୍ତ ଗୁଇନ୍ଦା ସୂଚନା ସତ୍ତ୍ବେ ସୁରକ୍ଷା ବାହିନୀକୁ ମରଣ ମୁହଁକୁ ଠେଲି ଦିଆଗଲା, ତେବେ ଏହା ଚରମ ଅବହେଳାର ବିଷୟ। ଯଦି ଏପରି ହୋଇଥିବ, ତେବେ ଏହି ଆପରାଧିକ ଅବହେଳା ପାଇଁ କିଏ ଦାୟୀ, ତାହା ଜାଣିବାର ଅଧିକାର ଦେଶବାସୀଙ୍କର ରହିଛି। ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ କି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହୋଇ ନାହିଁ? ନା ଏହା ଅବହେଳା ନୁହେଁ ବରଂ ଏକ ଷଡ୍ଯନ୍ତ୍ର ଥିଲା। ସବୁକିଛି ଜାଣିଶୁଣି ଘଟିବାକୁ ଦିଆଗଲା ଯାହା ଦ୍ବାରା ରାଜନୈତିକ ସୁବିଧା ନିଆଯାଇପାରିବ। ଯଦି ଏଭଳି ହୋଇଥାଏ ତେବେ ତାହା ସିଧାସଳଖ ଦେଶଦ୍ରୋହ ହେବ। ଦେଶବାସୀଙ୍କର ଏହା ଜାଣିବାର ଅଧିକାର ଅଛି ଯେ ଏହି ଷଡ୍ଯନ୍ତ୍ର କାହା ଇଙ୍ଗିତର ହୋଇଥିଲା। ଯେ ପର୍ଯ୍ୟନ୍ତ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳି ନାହିଁ, ସେ ପର୍ଯ୍ୟନ୍ତ ସତ୍ୟପାଲ ମଲିକ ପ୍ରଘଟ କରିଥିବା ତଥ୍ୟଗୁଡ଼ିକ ଗୁଞ୍ଜରିତ ହେଉଥିବ।