ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସତରେ କ’ଣ ରଥଯାତ୍ରା ଅନୁଷ୍ଠିତ ହୋଇଥିଲେ କିଛି ସମସ୍ୟା ଉପୁଜି ଥାଆନ୍ତା? ଉତ୍ତର ହେଉଛି ‘ଅବଶ୍ୟ’। କାରଣ ଯେତେବେଳେ କରୋନା ଭୂତାଣୁ ସମଗ୍ର ବିଶ୍ବକୁ ଗ୍ରାସ କରିଛି ଏବ˚ ସେଥିପାଇଁ ସମସ୍ତ ସଭାସମିତି ତଥା ଧାର୍ମିକ ଉତ୍ସବାନୁଷ୍ଠାନ ଉପରେ ଅଙ୍କୁଶ ଲଗାଯାଇଛି, ସେହି ସମୟରେ ରଥଯାତ୍ରା ଭଳି ଏକ ବିଶାଳ ସମାବେଶ କରାଯିବା ଉଚିତ ହୁଅନ୍ତା ନାହିଁ। ଯଦିଓ ଏହା ସମଗ୍ର ହିନ୍ଦୁ ସମାଜର ଆବେଗ ସହିତ ଜଡ଼ିତ; କିନ୍ତୁ ଆବେଗ ସହିତ ଭୂତାଣୁର କୌଣସି ସମ୍ପର୍କ ନାହିଁ।

Advertisment

ପୁରୁଷୋତ୍ତମ ପୀଠରେ ଜଗନ୍ନାଥଙ୍କ ଦର୍ଶନ କରି ପ୍ରତ୍ୟେକ ହିନ୍ଦୁ ନିଜକୁ ଧନ୍ୟ ମନେ କରେ। ସେଥିପାଇଁ ଯୁଗେ ଯୁଗେ କେଉଁ ଅନାଦି କାଳରୁ ତୀର୍ଥଯାତ୍ରୀ ଓ ସାଧୁସନ୍ଥମାନେ ପୁରୀ ଧାମକୁ ଆସି ପବିତ୍ର କରିବା ସହ ନିଜେ ମଧୢ ଧନ୍ୟ ହେଇଛନ୍ତି। ଭାରତ ତଥା ଭାରତ ବାହାରେ ଅନେକ ସ୍ଥାନରେ ରଥଯାତ୍ରା କେତେବର୍ଷ ହେଲା ପାଳିତ ହେଇଆସୁଛି। ତଥାପି ପୁରୀ ବଡ଼ଦାଣ୍ତରେ ରଥାରୂଢ଼ ଜଗନ୍ନାଥ ଦର୍ଶନର ଏକ ଅପୂର୍ବ ମାହାତ୍ମ୍ୟ ରହିଛି।

ଭାରତୀୟ ଧର୍ମଧାରଣା ଏବ˚ ସ˚ସ୍କୃତିରେ ରଥଯାତ୍ରାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ରଥଯାତ୍ରାର କାଳ ନିରୂପଣ କରିବା ଉଭୟ ଧାର୍ମିକ ତଥା ଐତିହାସିକ ଦୃଷ୍ଟିରୁ ପ୍ରାୟତଃ ଅସମ୍ଭବ। ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ତିଚା ଦେବୀ ଏହି ରଥଯାତ୍ରା ପ୍ରଚଳନ କରିଥିଲେ ବୋଲି ସମ୍ଭବତଃ ଏହାର ନାମ ଗୁଣ୍ତିଚାଯାତ୍ରା ରଖାଯାଇଛି। ଐତିହାସିକ ଦୃଷ୍ଟିରୁ ଅନୁମାନ କରାଯାଏ ଯେ ବର୍ତ୍ତମାନର ମନ୍ଦିର ପ୍ରତିଷ୍ଠା କାଳରୁ ଅର୍ଥାତ୍‌ ଚୋଡ଼ଗଙ୍ଗ ଦେବଙ୍କ ସମୟ ଠାରୁ ଏହି ପ୍ରଥା ଚାଲି ଆସୁଛି ଏବ˚ ତାଙ୍କ ପତ୍ନୀ ରାଣୀ ଗଣ୍ତି ରୋଡ଼ିଙ୍କ ନାମ ଅନୁସାରେ ଏହା ଗୁଣ୍ତିଚାଯାତ୍ରା ରୂପେ ବିଦିତ।

କିନ୍ତୁ ଚଳିତ ବର୍ଷ ରଥଯାତ୍ରା ପାଳନ କରୋନା ସ˚କ୍ରମଣ ହେତୁ ଅନିଶ୍ଚିତତା ଭିତରେ ଗତି କରି ପରିଶେଷରେ ସୁପ୍ରିମ କୋର୍ଟଙ୍କ ଆଦେଶ ବଳରେ ବନ୍ଦ ହୋଇଯାଇଛି। ସେହି ପରିପ୍ରେକ୍ଷୀରେ ଏକ ଆଲୋଚନା ପ୍ରାସଙ୍ଗିକ ଯେ ଏହା ସ˚ପନ୍ନ କରିବା ପ୍ରକୃତରେ ଉଚିତ ହୁଅନ୍ତା ନା ନାହିଁ? ଗତ କିଛି ଦିନ ଧରି ଟିଭି, ଖବରକାଗଜ ଏବ˚ ଅନ୍ୟାନ୍ୟ ଅନେକ ସାମାଜିକ ଗଣମାଧୢମରେ ଏ ବର୍ଷର ରଥଯାତ୍ରା ବିଷୟରେ ବହୁଳ ଭାବରେ ଆଲୋଚନା ଚାଲି ଆସିଥିଲା। ଶ୍ରୀମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ଅନେକ ବ୍ୟକ୍ତିବିଶେଷ ଏ ବିଷୟରେ ନିଜର ମତ ରଖୁଥିଲେ। ଏପରିକି ପ୍ରଭୁ ଜଗନ୍ନାଥଙ୍କର ଆଦ୍ୟସେବକ ଶ୍ରୀ ଗଜପତି ମହାରାଜ ଏବ˚ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମଧୢ ନିଜର ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ମତ ରଖିଥିଲେ। ରଥଯାତ୍ରା ସହିତ ସ˚ପୃକ୍ତ ସେବାୟତମାନେ ଯାତ୍ରା ସପକ୍ଷରେ ଅନେକ ବାର ନିଜର ବଳିଷ୍ଠ ଯୁକ୍ତି ପ୍ରଦାନ କରିଥିଲେ। କରୋନା ମହାମାରୀର ଶୃଙ୍ଖଳା ନିୟମକୁ କଡ଼ାକଡ଼ି ଭାବରେ ପାଳନ କରି ରଥଯାତ୍ରା କରିବାକୁ ପ୍ରତିଶ୍ରୁତି ମଧୢ ଦେଇଥିଲେ। କିନ୍ତୁ ଯେ କୌଣସି କାରଣରୁ ହେଉ ସରକାର, ଯିଏ ନିର୍ଣ୍ଣାୟକ ଭୂମିକା ନେବା କଥା, ନିଜର ସ୍ପଷ୍ଟ ମତାମତ ପ୍ରକାଶ୍ୟ କରି ନ ଥିଲେ। ସରକାରଙ୍କର ଏ ଦ୍ବନ୍ଦ୍ବ ସ୍ବାଭାବିକ ଥିଲା। ଗୋଟିଏ ପାଖରେ ସମଗ୍ର ଜାତିର ଭାବାବେଗ, ଅନ୍ୟ ପଟରେ କରୋନା ମହାମାରୀର ପ୍ରକୋପ; ତା ମଧୢରେ ଏଭଳି ଦ୍ବନ୍ଦ୍ବ ଅବଶ୍ୟମ୍ଭାବୀ ଥିଲା। ଏକ ସମୟରେ ରାଜ୍ୟ ସରକାର ଏ ଦ୍ବନ୍ଦ୍ବର ସମାଧାନ ପାଇଁ କେନ୍ଦ୍ରର ସହାୟତା ତଥା ଅନୁମତି ଚାହିଁଥିଲେ। କିନ୍ତୁ ତାହା ମଧୢ ନିର୍ଣ୍ଣାୟକ ଭଳି ଲାଗୁ ନ ଥିଲା। ଏଭଳି ସ୍ଥିତିରେ ପରିଶେଷରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆସିଯାଇଛି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସତରେ କ’ଣ ରଥଯାତ୍ରା ଅନୁଷ୍ଠିତ ହୋଇଥିଲେ କିଛି ସମସ୍ୟା ଉପୁଜି ଥାଆନ୍ତା? ଉତ୍ତର ହେଉଛି ‘ଅବଶ୍ୟ’। କାରଣ ଯେତେବେଳେ କରୋନା ଭୂତାଣୁ ସମଗ୍ର ବିଶ୍ବକୁ ଗ୍ରାସ କରିଛି ଏବ˚ ସେଥିପାଇଁ ସମସ୍ତ ସଭାସମିତି ତଥା ଧାର୍ମିକ ଉତ୍ସବାନୁଷ୍ଠାନ ଉପରେ ଅଙ୍କୁଶ ଲଗାଯାଇଛି, ସେହି ସମୟରେ ରଥଯାତ୍ରା ଭଳି ଏକ ବିଶାଳ ସମାବେଶ କରାଯିବା ଉଚିତ ହୁଅନ୍ତା ନାହିଁ। ଯଦିଓ ଏହା ସମଗ୍ର ହିନ୍ଦୁ ସମାଜର ଆବେଗ ସହିତ ଜଡ଼ିତ; କିନ୍ତୁ ଆବେଗ ସହିତ ଭୂତାଣୁର କୌଣସି ସମ୍ପର୍କ ନାହିଁ। ଇଦ୍‌ ତଥା ଗୁଡ୍‌ ଫ୍ରାଇଡେ ଭଳି ଅନ୍ୟ ଧର୍ମାବଲମ୍ବୀମାନଙ୍କର ପର୍ବକୁ ମଧୢ ସରକାର ଅନୁମତି ଦେଇ ନାହାନ୍ତି। ତେଣୁ ରଥଯାତ୍ରାକୁ ଅନୁମତି ଦେବା ଉଚିତ ହୁଅନ୍ତା ନାହିଁ।

ଏହି ପରିପ୍ରେକ୍ଷୀରେ ପ୍ରଥମେ ଦୁଇଟି କଥାକୁ ଦେଖା ଯାଇପାରେ। କରୋନା କଟକଣା ସହିତ ରଥ ନିର୍ମାଣ କାମ ଆବଶ୍ୟକତାରୁ ଅଧିକ କ୍ଷିପ୍ର ଗତିରେ ଆଗେଇ ଚାଲିଥିଲା। ହୁଏତ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ସ˚ପୂର୍ଣ୍ଣ ହେଇଯାଇଥାଆନ୍ତା। ପୁଣି ସ୍ନାନଯାତ୍ରା ଶୃଙ୍ଖଳିତ ଭାବରେ ସମାହିତ ହୋଇଗଲା। କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ଯେତେବେଳେ ରଥ ନିର୍ମାଣ ପାଇଁ ସରକାର ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ, ସେତେବେଳକୁ କରୋନାର ପ୍ରଭାବ ରାଜ୍ୟରେ ନିୟନ୍ତ୍ରଣରେ ଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଭଳି ଲାଗୁଛି। ସେମିତି ସ୍ନାନଯାତ୍ରା ପୂର୍ବରୁ ଯେତେବେଳେ ରଥଯାତ୍ରାର ହେବା ନହେବା ନେଇ ଦ୍ବନ୍ଦ୍ବ ରହୁଥିଲା, ସେତିକି ବେଳେ ଦଇତାପତିମାନେ ରଥଯାତ୍ରା କରାଯିବା ସପକ୍ଷରେ ବଳିଷ୍ଠ ଯୁକ୍ତି ରଖୁଥିଲେ। ସେମାନେ କହିଥିଲେ ଯେ ପୂର୍ବରୁ ବହୁ ବାର ରଥଯାତ୍ରା ହୋଇ ନ ଥିବାର କାରଣ ସେ ସବୁ ଥର ଶ୍ରୀବିଗ୍ରହମାନେ ବିଭିନ୍ନ କାରଣରୁ ମନ୍ଦିର ବାହାରେ ରହିଥିଲେ। ତେଣୁ ମନ୍ଦିର ଭିତରେ ଦିଅଁ ଥାଇ ରଥଯାତ୍ରା ନ ହେଲେ ଆଗାମୀ ବାର ବର୍ଷ ପର୍ଯ୍ୟନ୍ତ ଆଉ ରଥଯାତ୍ରା ହେଇ ପାରିବ ନାହିଁ। କିନ୍ତୁ ଏହା କ’ଣ ଶାସ୍ତ୍ର ଅନୁମୋଦିତ ମତ? ଏହା ବିଚାରସାପେକ୍ଷ। ଜଣେ ବାଡ଼ଗ୍ରାହୀ କହିଥିଲେ ଯେ ଯଦି ରଥ ଏବ˚ ସ୍ନାନଯାତ୍ରା ନହୁଏ, ତା’ହେଲେ ଶ୍ରୀ ଅ˚ଗର ସୁରକ୍ଷା ପ୍ରତି ବିପଦ ରହିଛି। ସ୍ନାନଯାତ୍ରା ପରେ ଅଣସର ସମୟରେ ଗୁପ୍ତ ନୀତିରେ ପ୍ରତି ବର୍ଷ ଶ୍ରୀ ଅ˚ଗର ସୁରକ୍ଷା ପାଇଁ ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯାଇଥାଏ। ଏବେ ୨୦୧୫ରେ ନବକଳେବର ଅନୁଷ୍ଠିତ ହେଇଛି। ତେଣୁ ଶ୍ରୀ ଅ˚ଗ ଆଦୌ ପୁରୁଣା ହୋଇ ନାହାନ୍ତି। ଗତ ବର୍ଷ ମଧୢ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ତେଣୁ ଏ ଭଳି ଆଶଙ୍କା ଅମୂଳକ ଭଳି ଲାଗେ।

ଏହି ପରିପ୍ରେକ୍ଷୀରେ ପରିଚାଳନା କମିଟି ତଥା ଗଜପତି ମହାରାଜଙ୍କ ବକ୍ତବ୍ୟ ପ୍ରଣିଧାନଯୋଗ୍ୟ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧୢ ଏହାକୁ ପରବର୍ତ୍ତୀ ସମୟରେ ଅନୁମୋଦନ କରିଛନ୍ତି। ସେମାନଙ୍କ ମତରେ ସା˚କେତିକ ନୀତିରେ ଶ୍ରୀମନ୍ଦିର ଭିତରେ ଉଭୟ ସ୍ନାନଯାତ୍ରା ଏବ˚ ରଥଯାତ୍ରା ପାଳନ କରାଯାଇପାରନ୍ତା। ଏ ଥର ସ୍ନାନଯାତ୍ରାରେ ଆଦ୍ୟ ସେବକ ଗଜପତି ମହାରାଜାଙ୍କର ଅନୁପସ୍ଥିତି କରୋନାର ଭୟାବହତା ତଥା ବ୍ୟକ୍ତି ସାବଧାନତାର ଏକ ଜ୍ବଳନ୍ତ ଏବ˚ ସକାରାତ୍ମକ ଉଦାହରଣ। ଏହି ଦୃଷ୍ଟିରୁ ଆମେ ସମସ୍ତେ ବୁଝିବା ଦରକାର ଯେ ରଥଯାତ୍ରାର ଜନସମାଗମ ଅନେକ ବଡ଼ ବିପଦକୁ ଆମନ୍ତ୍ରଣ କରିବ।

ପ୍ରଶ୍ନ ଉଠେ ଯେ ରଥଯାତ୍ରା କାହା ପାଇଁ? ଭକ୍ତଙ୍କ ପାଇଁ ନା ସେବକଙ୍କ ପାଇଁ ନା ନୀତିକାନ୍ତି ପାଇଁ? କୁହାଯାଏ, ରଥଯାତ୍ରା ହେଉଛି ପତିତମାନଙ୍କ ପାଇଁ ପତିତପାବନଙ୍କର ଯାତ୍ରା। ଜଗତ୍‌ର ନାଥ ଜଗନ୍ନାଥ ପ୍ରତ୍ୟକ୍ଷ ଦର୍ଶନ ଦେବା ପାଇଁ ବରଷକେ ଥରେ ରତ୍ନ ସି˚ହାସନରୁ ଦାଣ୍ତକୁ ଓହ୍ଲାଇ ଆସନ୍ତି। ଯେଉଁ ଆଶାୟୀ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ମନା ସେମାନଙ୍କୁ ଦର୍ଶନ ଦେବାକୁ ଚକାଡ଼ୋଳା ରଥ ଉପରେ ଆସୀନ ହୁଅନ୍ତି ଏବ˚ ବିଶାଳ ବାହୁ ପ୍ରସାରିତ କରି ଭେଦଭାବ ଭୁଲି ସମସ୍ତଙ୍କୁ ଆଶୀର୍ବାଦ କରନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିନା ଭକ୍ତରେ ରଥଯାତ୍ରା କେତେ ଯୁକ୍ତିଯୁକ୍ତ ହୋଇଥାଆନ୍ତା?

ସ୍ନାନଯାତ୍ରାରେ ୫୦୦ ସେବାୟତଙ୍କର ଆବଶ୍ୟକତା ପଡ଼ିଲା। ରଥଯାତ୍ରା ପାଇଁ ଢେର‌୍‌ ଅଧିକ ସ˚ଖ୍ୟକ ସେବାୟତ ଏବ˚ ପୁଲିସ୍‌ର ଆବଶ୍ୟକତା ପଡ଼ନ୍ତା। କାରଣ ରଥକୁ ଟାଣିବାକୁ ହେବ। ଏତେ ଲୋକଙ୍କ ସମାଗମରେ ସାମାଜିକ ଦୂରତା ରକ୍ଷା କରିବା ଅସମ୍ଭବ। ତେଣୁ ନୀତିକାନ୍ତିର ଦ୍ବାହି ଦେଇ ବା ସେବକମାନଙ୍କର ଜିଦ୍‌ ଲାଗି ରଥଯାତ୍ରାକୁ ଆଗେଇ ନେବା ଉଚିତ ହୋଇ ନ ଥାଆନ୍ତା। ସେହି ଦୃଷ୍ଟିରୁ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ଯଥାର୍ଥ ବୋଲି ମନେହୁଏ।

ପୂର୍ବତନ କୁଳପତି
ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟ