ଅନେକଙ୍କ ମତରେ ଆର୍.ଏସ୍.ଏସ୍. ବିରୋଧରେ ରାହୁଳ ଗାନ୍ଧୀଙ୍କ ବିଦ୍ବେଷ ବା ଘୃଣା ଏକ ବିରକ୍ତିକର ଚର୍ବିତଚର୍ବଣତାେର ପହଞ୍ଚିଲାଣି। ସଂପ୍ରତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ହେଉଛି ପୃଥିବୀରେ ଅନ୍ୟତମ ବୃହତ୍ତମ ସଂଗଠନ, ଯାହା ସହିତ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ପ୍ରାୟ ୨୦ କୋଟି ଲୋକ ସଂପୃକ୍ତ! ଅନେକ ବିଶେଷଜ୍ଞଙ୍କ ମତରେ ଆର୍.ଏସ୍.ଏସ୍.ର ମତାଦର୍ଶ ସହିତ ଏକମତ ନ ହେଲେ ସୁଦ୍ଧା ତାକୁ ସଂପୂର୍ଣ୍ଣ ଅସ୍ପୃଶ୍ୟ ଏବଂ ନିଜ ବିଚାର ବଳୟରୁ ତାକୁ ବହିର୍ଭୂତ କରି ରଖିବା ହେଉଛି ଅପରିଣାମଦର୍ଶୀ ଅପରିପକ୍ବତାର ଚିହ୍ନ!
ଦିଲ୍ଲୀ ରାଜ୍ୟ ନିର୍ବାଚନ ସକାଶେ ମାତ୍ର କେଇ ସପ୍ତାହ ବାକି ଥିବା ବେଳେ ନିର୍ବାଚନ ପ୍ରଚାରରେ ରାହୁଳ ଗାନ୍ଧୀଙ୍କ ଆବିର୍ଭାବ ସହିତ ତାଙ୍କ ମୁଖ ନିସୃତ ଯେଉଁ ଦୁଇଟି ମନ୍ତବ୍ୟ ବ୍ୟାପକ ଭ୍ରୂକୁଂଚନ, ବିସ୍ମୟ, କ୍ଷୋଭ, ପରିହାସ, ବିବାଦ ଓ ବିତର୍କ ଆଦି ସୃଷ୍ଟି କଲାଣି, ତହିଁରୁ ଅନେକ ପର୍ଯ୍ୟବେକ୍ଷକ ମତ ବ୍ୟକ୍ତ କଲେଣି ଯେ କୌଣସି ନିର୍ବାଚନ ପ୍ରଚାରର ବାତାବରଣରେ ଏକ ଅପ୍ରସଙ୍ଗକୁ କେନ୍ଦ୍ର କରି ବିବାଦର ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ଏହା ହେଉଛି ଏକ ଶାସ୍ତ୍ରୀୟ ଦୃଷ୍ଟାନ୍ତ। ଉଲ୍ଲେଖଯୋଗ୍ୟ ଯେ ରାହୁଳ ଗାନ୍ଧୀଙ୍କ ଦ୍ବାରା ପ୍ରଦତ୍ତ ବିବାଦୀୟ ମନ୍ତବ୍ୟ ଦ୍ବୟରୁ ପ୍ରଥମଟି ହେଲା ଏହା ଯେ ଦେଶର ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନମାନ ବି.ଜେ.ପି. ଏବଂ ଆର୍.ଏସ୍.ଏସ୍. ଦ୍ବାରା ସଂପୂର୍ଣ୍ଣ କବଳିତ ହୋଇ ସାରିଥିବା ଦୃଷ୍ଟିରୁ ସଂପ୍ରତି କଂଗ୍ରେସର ଯୁଦ୍ଧ ବି.ଜେ.ପି. ବା ଆର୍.ଏସ୍.ଏସ୍. ଭଳି ରାଜନୈତିକ ଦଳ ବିରୋଧରେ ସୀମାବଦ୍ଧ ହୋଇ ରହିନାହିଁ; ବାସ୍ତବରେ ଏହା ‘ଷ୍ଟେଟ୍’ ବା ‘ରାଷ୍ଟ୍ର’ ବିପକ୍ଷରେ ଯୁଦ୍ଧରେ ପରିଣତ ହୋଇଛି ଏବଂ ଦ୍ବିତୀୟଟିରେ ସେ କହିଛନ୍ତି ଯେ ଆର୍.ଏସ୍.ଏସ୍.ର ମୁଖ୍ୟ ମୋହନ ଭାଗୱତଙ୍କ ଗୋଟିଏ ବୟାନ ‘ଟ୍ରିଜନ୍’ ବା ‘ରାଷ୍ଟ୍ରଦ୍ରୋହ’ର ସମକକ୍ଷ ଏବଂ ଭାରତ ବ୍ୟତୀତ ଅନ୍ୟ ଯେ କୌଣସି ଦେଶରେ ଏଭଳି ମନ୍ତବ୍ୟ ଲାଗି ତାଙ୍କୁ ଜେଲ ଦଣ୍ଡ ମିଳନ୍ତା। ପ୍ରକାଶ ଥାଉ କି ମୋହନ ଭାଗୱତଙ୍କ ଯେଉଁ ମନ୍ତବ୍ୟ ଲାଗି ରାହୁଳ ଏଭଳି ମତ ପ୍ରଦାନ କରିଛନ୍ତି, ତାହା ହେଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ରାଜନୈତିକ ସ୍ବାଧୀନତା ଲାଭ କରିଥିଲା ସତ, ସାଂସ୍କୃତିକ ସ୍ବାଧୀନତା କେବଳ ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସହିତ ସଂପନ୍ନ ହୋଇଛି। କହିବା ଅନାବଶ୍ୟକ ଯେ ଦିଲ୍ଲୀ ପରିପ୍ରେକ୍ଷୀରେ ରାହୁଳଙ୍କ ବିବୃତିଗୁଡ଼ିକର କୌଣସି ନିର୍ବାଚନୀ ପ୍ରାସଙ୍ଗିକତା ନାହିଁ, ଅଥଚ ଏହା ଦ୍ବାରା ସେ ନିଜକୁ ତଥା ନିଜ ଦଳ କଂଗ୍ରେସକୁ ଏକ ଅସ୍ବସ୍ତିକର ପରିସ୍ଥିତିରେ ପକାଇ ଦେଇଛନ୍ତି।
ଏଥିରେ ଦ୍ବିଧା ନାହିଁ ଯେ ରାହୁଳ ଗାନ୍ଧୀଙ୍କ ମନ୍ତବ୍ୟରେ ‘ଷ୍ଟେଟ୍’ ବା ‘ରାଷ୍ଟ୍ର’ ଶବ୍ଦଟିର ବ୍ୟବହାର ‘ଗଭର୍ନମେଣ୍ଟ’ ବା ସରକାର ଅର୍ଥରେ ହୋଇଥିବ। ସଂବିଧାନ ଅନୁସାରେ ‘ରାଷ୍ଟ୍ର’ ହେଉଛି ଏକ ସର୍ବଭୌମ ଅସ୍ତିତ୍ବ, ଯାହା ବିରୋଧରେ ଯୁଦ୍ଧ ଡାକରା ହେଉଛି ‘ରାଷ୍ଟ୍ର ଦ୍ରୋହ’, ଯହିଁରେ ରାଷ୍ଟ୍ରର କର୍ତ୍ତୃତ୍ବ ଏବଂ ପବିତ୍ରତାକୁ ସ୍ବୀକାର କରୁ ନ ଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ବା ନକ୍ସଲବାଦୀମାନେ ପ୍ରବୃତ୍ତ ଥାଆନ୍ତି ସିନା, ରାହୁଳଙ୍କ ଭଳି ଜଣେ ନିର୍ବାଚିତ ଜନପ୍ରତିନିଧି ଏବଂ ସଂସଦର ବିରୋଧୀ ଦଳର ନେତା ହୋଇ ନ ଥାଆନ୍ତି। କେବଳ ସେତିକି ନୁହେଁ, ରାହୁଳ ଗାନ୍ଧୀଙ୍କ ଦେଶ ପ୍ରେମ ମଧ୍ୟ ପ୍ରଶ୍ନାତୀତ। କିନ୍ତୁ ବିଡ଼ମ୍ବନାଟି ହେଲା ଦେଶ ଭିତରେ ହେଉ ବା ବାହାରେ; ଅନେକ ସମୟରେ ତାଙ୍କ ଅଭିବ୍ୟକ୍ତିଗୁଡ଼ିକରେ କେତେକ ପ୍ରମାଦପୂର୍ଣ୍ଣ ଶବ୍ଦର ଅନୁପ୍ରବେଶ ଘଟି ତାଙ୍କୁ ‘ଆଣ୍ଟିନେସନାଲ’ ବା ‘ରାଷ୍ଟ୍ର ବିରୋଧୀ’ ବୋଲି ଅପବାଦିତ କରିଥାଏ। ଶଂସିତ ବିବାଦରେ ଯଦିଓ କଂଗ୍ରେସ ପକ୍ଷରୁ ରାହୁଳଙ୍କୁ ସୁରକ୍ଷା ପ୍ରଦାନ କରାଯିବାର ଉଦ୍ୟମ ହେଉଛି, ତାହା ଅନାବଶ୍ୟକ; ବରଂ, ରାହୁଳ ଗାନ୍ଧୀଙ୍କ ଦ୍ବାରା ଶବ୍ଦ ବ୍ୟବହାରଜନିତ ତ୍ରୁଟିକୁ ସ୍ବୀକାର କରିନେବା ଅଧିକ ପରିପକ୍ବତା ହୁଅନ୍ତା।
ଏଥିରେ ପ୍ରାୟ ସମସ୍ତେ ଏକମତ ହୁଅନ୍ତି ଯେ ରାହୁଳ ଗାନ୍ଧୀ ଅନେକ ସମୟରେ ତାଙ୍କ ବକ୍ତବ୍ୟରେ ଅସଂଗତ ଶବ୍ଦମାନଙ୍କୁ ସ୍ଥାନ ଦିଅନ୍ତି, ଯଦ୍ଦ୍ବାରା ସେ ଭୁଲ୍ ବୁଝାମଣାର ଶରବ୍ୟ ମଧ୍ୟ ହୋଇଥାନ୍ତି। ‘ଚୌକିଦାର ଚୋର ହୈ’ ବା ‘ସବୁ ମୋଦୀ ଚୋର’ ଭଳି ତାଙ୍କ ଠାରୁ ନିସୃତ ସ୍ଲୋଗାନ ଓ ମନ୍ତବ୍ୟ ଅତୀତରେ ଘୋର ବିବାଦ ଏପରିକି ଅଦାଲତୀ କାର୍ଯ୍ୟାନୁଷ୍ଠାନକୁ ଆମନ୍ତ୍ରଣ କରିଥିଲା। ଅବଶ୍ୟ, ଏହା ମଧ୍ୟ ସତ ଯେ କେବଳ ରାହୁଳ ନୁହନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବି.ଜେ.ପି.ର ଅନେକ ତୁଙ୍ଗ ନେତା ମଧ୍ୟ ଏଭଳି ବିବାଦାସ୍ପଦ ଏବଂ ଅସଂଗତ ମନ୍ତବ୍ୟମାନ ପ୍ରଦାନ କରିଥାଆନ୍ତି; କିନ୍ତୁ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ ଯେ କେବଳ ରାହୁଳ ଗାନ୍ଧୀ ହିଁ ଏହି କାରଣରୁ ରୋଷ ଓ ବିଦ୍ରୂପର ଶିକାର ହୋଇଥାଆନ୍ତି! ଏହାର କାରଣ କ’ଣ ହୋଇପାରେ? ଏହାର ଏକ ବଡ଼ କାରଣ ହେଲା ରାହୁଳ ଗାନ୍ଧୀ ତାଙ୍କ ପ୍ରପିତାମହ ଜୱାହରଲାଲ ନେହରୁ ବା ମାତାମହୀ ଇନ୍ଦିରା ଗାନ୍ଧୀଙ୍କ ତୁଲ୍ୟ ହୃଦୟସ୍ପର୍ଶକାରୀ ସ୍ବାଭାବିକ ବକ୍ତା ନୁହନ୍ତି; ଅପର ପକ୍ଷରେ ବିରୋଧୀ ବି.ଜେ.ପି.ର ଅଧିକାଂଶ ଶୀର୍ଷସ୍ତରୀୟ ନେତାଙ୍କୁ ମର୍ମସ୍ପର୍ଶୀ ଅଭିବ୍ୟକ୍ତି ପ୍ରଦାନର ସାମର୍ଥ୍ୟ ଈଶ୍ବର ପ୍ରଦତ୍ତ ଉପହାର ଭଳି ମିଳିଥାଏ। ଅନେକଙ୍କ ମତରେ ରାହୁଳଙ୍କ ଭାଷଣଗୁଡ଼ିକ ଯୁକ୍ତିଯୁକ୍ତ, ତଥ୍ୟନିଷ୍ଠ ଓ ଶାଣିତ ହେଇଥିଲେ ସୁଦ୍ଧା ରସ ଓ ରସିକତାର ଅଭାବ ସେ ସବୁକୁ ନିଦାରୁଣ ଭାବେ ଶୁଷ୍କ କରିଥାଏ। ସୁତରାଂ, ଏହି ଅଭାବକୁ ପୂରଣ କରିବା ସହିତ ଅଧିକ ପ୍ରଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ମାତ୍ରାଧିକ ପ୍ରୟାସ କରି ଅକାରଣେ ଅଧିକ ଆକ୍ରାମକ ମଧ୍ୟ ହୋଇ ଉଠନ୍ତି। ସେମାନଙ୍କ ମତରେ ସ୍ବଭାବସୁଲଭ ଢଙ୍ଗେର ସହଜ ଓ ସରଳ ଭାବେ ନିଜକୁ ବ୍ୟକ୍ତ କରି ପାରୁଥିବା ରାହୁଳ ଗାନ୍ଧୀ ହିଁ ଅଧିକ ପ୍ରଭାବ ସୃଷ୍ଟି କରି ପାରନ୍ତେ!
ରାହୁଳଙ୍କ ସକାଶେ ଏକ ଦାରୁଣ ବିଡ଼ମ୍ବନା ହେଲା ଏଭଳି କୌଣସି ଘଟଣା ଘଟିଲେ ଯେଉଁ ସଘନ ବିତର୍କମାନ ସୃଷ୍ଟି ହୁଏ, ତହିଁରେ ରାହୁଳ ଗାନ୍ଧୀଙ୍କ ବ୍ୟକ୍ତିତ୍ବ ଓ ଭାବମୂର୍ତ୍ତି ହିଁ ଅଧିକ ପ୍ରହାର ସହନ କରେ। ଉଦାହରଣ ସ୍ବରୂପ ମୋହନ ଭାଗୱତଙ୍କ ଦ୍ବାରା ପ୍ରଦତ୍ତ ମନ୍ତବ୍ୟରେ ‘ରାଷ୍ଟ୍ର ଦ୍ରୋହ’ ସମତୁଲ କୌଣସି ଉପାଦାନ ନାହିଁ ବୋଲି ପ୍ରାୟ ସମସ୍ତେ ଏକମତ ହେଉଥିବା ବେଳେ ଏହା ଏକ ‘ରାଷ୍ଟ୍ର ଦ୍ରୋହ’ ଏବଂ ଏଥି ଲାଗି ମୋହନ ଭାଗୱତ କାରାବାସ ଭୋଗିବାକୁ ହକଦାର ବୋଲି ରାହୁଳଙ୍କ ଯୁକ୍ତି ସୂଚାଇ ନ ଥାଏ କି ଯେ କ୍ଷମତା ଲାଭ କଲେ ସେ ମଧ୍ୟ ଅତ୍ୟନ୍ତ ଅସହିଷ୍ଣୁ ସ୍ବୈରାଚାରୀରେ ପରିଣତ ହୁଅନ୍ତେ (ଅନେକଙ୍କ ମତରେ ତାଙ୍କ ମାତାମହୀଙ୍କ ଭଳି) ଓ ତାଙ୍କ ସହିତ ଏକମତ ହେଉ ନ ଥିବା ବ୍ୟକ୍ତିବିଶେଷଙ୍କୁ ଜେଲରେ ପୂରାଇ ଦିଅନ୍ତେ? ସୁତରାଂ, ବିଜେପି ବା ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସେ ବରାବର ଆଣୁଥିବା ଅସହିଷ୍ଣୁତା ଓ ନିରଙ୍କୁଶ ସ୍ବେଚ୍ଛାଚାରର ଅଭିଯୋଗ ଏହା ଫଳରେ ମଳିନ ପଡ଼ିଯାଇ ନ ଥାଏ କି?
ଅନେକଙ୍କ ମତରେ ଆର୍.ଏସ୍.ଏସ୍. ବିରୋଧରେ ରାହୁଳ ଗାନ୍ଧୀଙ୍କ ବିଦ୍ବେଷ ବା ଘୃଣା ଏକ ବିରକ୍ତିକର ଚର୍ବିତଚର୍ବଣତାେର ପହଞ୍ଚିଲାଣି। ସଂପ୍ରତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ହେଉଛି ପୃଥିବୀରେ ଅନ୍ୟତମ ବୃହତ୍ତମ ସଂଗଠନ, ଯାହା ସହିତ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ପ୍ରାୟ ୨୦ କୋଟି ଲୋକ ସଂପୃକ୍ତ! ଅନେକ ବିଶେଷଜ୍ଞଙ୍କ ମତରେ ଆର୍.ଏସ୍.ଏସ୍.ର ମତାଦର୍ଶ ସହିତ ଏକମତ ନ ହେଲେ ସୁଦ୍ଧା ତାକୁ ସଂପୂର୍ଣ୍ଣ ଅସ୍ପୃଶ୍ୟ ଏବଂ ନିଜ ବିଚାର ବଳୟରୁ ତାକୁ ବହିର୍ଭୂତ କରି ରଖିବା ହେଉଛି ଅପରିଣାମଦର୍ଶୀ ଅପରିପକ୍ବତାର ଚିହ୍ନ! ‘ହାଓ ପ୍ରାଇମ୍ ମିନିଷ୍ଟର୍ସ ଡିସାଇଡ୍’ର ଲେଖିକା ତଥା ପ୍ରଖ୍ୟାତ ସାମ୍ବାଦିକ ନୀରଜା ଚୌଧୁରୀ କହିଥାନ୍ତି କିଭଳି ଇନ୍ଦିରା ଗାନ୍ଧୀ ଚମତ୍କାର ରାଜନୈତିକ ଦୂରଦୃଷ୍ଟିର ପରିଚୟ ଦେଇ ଅନେକ ସମୟରେ ସନ୍ତର୍ପଣରେ ଆର୍.ଏସ୍.ଏସ୍. ପ୍ରତି ରଣନୈତିକ ସଦ୍ଦିଚ୍ଛା ପ୍ରକଟ କରିଥିଲେ, ଯଦ୍ଦ୍ବାରା ତାଙ୍କୁ ନିର୍ବାଚନୀ ସଫଳତା ମଧ୍ୟ ପ୍ରାପ୍ତ ହେଉଥିଲା। ପ୍ରକାଶ ଥାଉ କି ହିନ୍ଦୁ ଜନାଧାରକୁ ନ ହରାଇବା ଲାଗି ଇନ୍ଦିରା ଗାନ୍ଧୀ ଜନସଂଘ (ବି.ଜେ.ପି.ର ଆଦ୍ୟ ଅବତାର)କୁ କଦାପି ଏକ ‘ହିନ୍ଦୁତ୍ବବାଦୀ’ ଦଳ ରୂପେ ଅଭିହିତ କରୁ ନ ଥିଲେ; ତାଙ୍କ ବ୍ୟାଖ୍ୟାନରେ ଜନସଂଘ ଥିଲା ଏକ ‘ବଣିଆ’ ବା ବ୍ୟବସାୟୀଙ୍କ ଦଳ। ରାହୁଳ ଗାନ୍ଧୀ କିନ୍ତୁ ସେଭଳି ସୂକ୍ଷ୍ମ ରାଜନୈତିକ ବୁଦ୍ଧି ପ୍ରଦର୍ଶନ କରି ନାହାନ୍ତି। ଆର୍.ଏସ୍.ଏସ୍. ଉପରେ ତାଙ୍କର ନିରନ୍ତର ଆକ୍ରମଣ ଏଭଳି ଅସଂଖ୍ୟ ହିନ୍ଦୁଙ୍କୁ ରୁଷ୍ଟ କରିଛି, ଯେଉଁମାନେ ବି.ଜେ.ପି.ର ସମର୍ଥକ ହୋଇ ନ ଥିଲେ ସୁଦ୍ଧା କଂଗ୍ରେସ ପ୍ରତି ବିମୁଖ ହୋଇ ଉଠିଛନ୍ତି। ତେଣୁ ରାହୁଳଙ୍କ ଲାଗି ସର୍ବୋତ୍ତମ ପରାମର୍ଶଟି ହେବ ଏହା ଯେ ଜିହ୍ବା ସଂଚାଳନ କରିବା ପୂର୍ବରୁ ସେ ମସ୍ତିଷ୍କ ଚାଳନା କରନ୍ତୁ। କାରଣ ‘କଥା’ ପବନରେ ମିଳାଇ ଯାଉଥିବା ଭଳି ଅସାର ସତ୍ତା ନୁହେଁ; ଏହା ମର୍ମ ଭେଦ କରି ହେଉ ବା ମର୍ମ ସ୍ପର୍ଶ କରି ହେଉ କାଳାତୀତ ହୋଇ ରହିପାରେ! ଏଭଳି କିଛି ହୃଦୟଙ୍ଗମ କରିଥିଲେ ବୋଲି ହୁଏତ କାଲ୍ଭିନ କୁଲିଜ ଖୁବ୍ କମ୍ କଥା କହୁଥିଲେ; ଅତି ଆବଶ୍ୟକ ହେଲେ ପଦେ ଦୁଇ ପଦ ମାତ୍ର! ଏହି କାରଣରୁ ତାଙ୍କ ସଶ୍ରଦ୍ଧ ଡାକ ନାମ ଥିଲା ‘ସାଇଲେଣ୍ଟ କାଲ୍’ ବା ‘ନିରବ କାଲ୍’। ପ୍ରକାଶ ଥାଉ କି କାଲ୍ଭିନ କୁଲିଜ ଥିଲେ ଆମେରିକାର ତ୍ରିଂଶତମ ରାଷ୍ଟ୍ରପତି ଓ ରାଜନୀତି କ୍ଷେତ୍ରରେ ସକ୍ରିୟ ଓ ସଫଳ। ତେଣୁ ପ୍ରଭାବ ସୃଷ୍ଟି କରିବା ଲାଗି ମାତ୍ରାଧିକ ଉଚ୍ଚାଟ ନ ହେଲେ ମଧ୍ୟ ଚଳିପାରେ; କାରଣ ଅଭିବ୍ୟକ୍ତିର ମୂଳ ଲକ୍ଷ୍ୟ ହେଉଛି ହୃଦୟକୁ ଭେଦିଯିବା।