ରାମ ଓ ରାମାୟଣ ସହିତ ଓଡ଼ିଶାର ସମ୍ପର୍କ ଖୁବ୍ ନିବିଡ଼। ବାଲ୍ମୀକି ରାମାୟଣ ଓ କାଳିଦାସଙ୍କ ‘ରଘୁବଂଶ’ରେ କଳିଙ୍ଗ, ଉତ୍କଳ, ମହାନଦୀ, ମହୋଦଧି, ମହେନ୍ଦ୍ର, ମାଲ୍ୟବନ୍ତ ଓ ଦଣ୍ଡକାରଣ୍ୟର ବହୁଳ ପ୍ରୟୋଗ ପରିଲକ୍ଷିତ ହୁଏ। ବନବାସ କାଳରେ ଶ୍ରୀରାମଚନ୍ଦ୍ର ଦଣ୍ଡକାରଣ୍ୟ ଓ ମାଲ୍ୟବନ୍ତଗିରିରେ ଅବସ୍ଥାନ କରିଥିବା ସର୍ବଜନବିଦିତ। ସେହିପରି ଅଯୋଧ୍ୟାରୁ ନର୍ମଦା ଅବବାହିକାକୁ ଦକ୍ଷିଣକୋଶଳ ଦେଇ ରାମଚନ୍ଦ୍ର ଯାତ୍ରା କରିଥିବା ବିଷୟରେ ପୌରାଣିକ ଆଖ୍ୟାୟନ ବିଦ୍ୟମାନ। ପୁନଶ୍ଚ ଶ୍ରୀରାମଙ୍କ ଶ୍ରୀକ୍ଷେତ୍ର ଆଗମନ ସଂପର୍କିତ ଅନୁମାନ ମଧ୍ୟ ଅମୂଳକ ନୁହେଁ। ସୁତରାଂ ଭୂମିର ସଂସ୍ପର୍ଶ ହେତୁ ଶ୍ରୀରାମଙ୍କ ସହିତ ଓଡ଼ିଶାର ଭାବ ଗହନ।
ଓଡ଼ିଶାରେ ଏପରି ଜନପଦ ହୁଏତ ନ ଥାଇ ପାରେ ଯେଉଁଠି କୌଣସି ନଦନଦୀ, ଅଦ୍ରିଅଟବୀ ବା ପୁରପଲ୍ଲୀ ରାମ ବା ରାମାୟଣର ଚରିତ୍ରମାନଙ୍କ ନାମ ସହିତ ସଂଯୋଜିତ ନୁହନ୍ତି। ରାମଗିରି, ରାମେଶ୍ୱର, ରାମଚନ୍ଦ୍ରପୁର, ରଘୁରାଜପୁର, ରଘୁନାଥପୁର ବା ରାମଚଣ୍ଡୀ, ସୀତାକୁଣ୍ଡ ଅଥବା ଲକ୍ଷ୍ମଣନାଥ, ଭରତପୁର, ଦଶରଥପୁର, କୋଦଣ୍ଡପୁର, ଅଯୋଧ୍ୟା, କୌଶଲ୍ୟାଗଙ୍ଗ ଓ ରାଘବ ମଠ ଆଦି ରାମବାଚକ ଶବ୍ଦର ମହାର୍ଣ୍ଣବ ଓଡ଼ିଶା। ପିଢ଼ି ପିଢ଼ି ଧରି ଓଡ଼ିଶାବାସୀଙ୍କର ରାମ ଓ ରାମାୟଣ ପ୍ରତି ଅକୃତ୍ରିମ ଆକର୍ଷଣର ଏହା ନିଦର୍ଶନ।
ଆମ ଭୂମି ସହିତ କେବଳ ନୁହେଁ, ଆମ ଭାଷା ସହିତ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ସମ୍ବନ୍ଧ ସାନ୍ଦ୍ର। ଏହାର ପ୍ରମାଣ ଓଡ଼ିଆରେ ରଚିତ ବହୁ ସଂଖ୍ୟକ ରାମାୟଣ ଏବଂ ରାମାୟଣଭିତ୍ତିକ ଅଗଣିତ କାବ୍ୟକବିତା। ପଞ୍ଚସଖା ଯୁଗର ଜ୍ୟେଷ୍ଠ ସାଧକ ବଳରାମ ଦାସଙ୍କ ଦାଣ୍ଡୀ ବା ଜଗମୋହନ ରାମାୟଣ ମୌଳିକତା ଦୃଷ୍ଟିରୁ ଏକ ସ୍ମରଣୀୟ ସୃଷ୍ଟି। ଓଡ଼ିଶାବାସୀଙ୍କ ମନରେ ରାମଙ୍କ ପ୍ରତି ଭକ୍ତିଭାବ ସୃଷ୍ଟି କରିବାରେ ଏହି ଗ୍ରନ୍ଥର ଭୂମିକା ଅତୁଳନୀୟ। ତୁଳସୀ ରାମାୟଣ ପୂର୍ବବର୍ତ୍ତୀ ଏହା ଏକ ମହାନ ରଚନା। ତେବେ କେତେକ ଗବେଷକଙ୍କ ମତରେ ଆଦିକବି ସାରଳା ଦାସ ମଧ୍ୟ ରାମାୟଣ ରଚନା କରିଛନ୍ତି ଯାହାର ନାମ ‘ବିଚିତ୍ର ରାମାୟଣ’। ଏହାଦ୍ୱାରା ପ୍ରଥମ ଓଡ଼ିଆ ରାମାୟଣର ରଚନାକାଳ ପଞ୍ଚଦଶ ଶତାବ୍ଦୀର ପ୍ରଥମାର୍ଦ୍ଧ ବୋଲି ଧରିବାକୁ ହେବ। ଓଡ଼ିଶାରେ ରାମ ଉପାସନାର ପରମ୍ପରା ଯେ ପ୍ରାଚୀନ, ଏଥିରେ ସନ୍ଦେହ ନାହିଁ।
ଏତଦ୍‌ବ୍ୟତୀତ ଅନ୍ୟ ଅନେକ ଓଡ଼ିଆ ରାମାୟଣ ମଧ୍ୟରୁ ଅର୍ଜୁନ ଦାସଙ୍କ ‘ରାମବିଭା’, ଧନଞ୍ଜୟ ଭଞ୍ଜଙ୍କ ‘ରଘୁନାଥ ବିଳାସ’, ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’, ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’, ଯଦୁମଣିଙ୍କ ‘ରାଘବ ବିଳାସ’, କାହ୍ନୁ ଦାସଙ୍କ ‘ରାମ ରସାମୃତ’, ବନମାଳୀ ଦାସଙ୍କ ‘ସୁଚିତ୍ର ରାମାୟଣ’, ପୁରୁଷୋତ୍ତମ ଦାସଙ୍କ ‘ରାମାୟଣ-ହରିକଥା’, କେଶବ ପଟ୍ଟନାୟକ, ରଘୁନାଥ ଦାସ, ଅନଙ୍ଗ ନରେନ୍ଦ୍ର, ବିକ୍ରମ ନରେନ୍ଦ୍ର ଓ ବୈଶ୍ୟ ସଦାଶିବଙ୍କ ‘ରାମଲୀଳା’, ହଳଧର ପଟ୍ଟନାୟକ ଓ ସୂର୍ଯ୍ୟମଣି ଚ୍ୟାଉପଟ୍ଟନାୟକଙ୍କ ‘ଆଧ୍ୟାତ୍ମ ରାମାୟଣ’, ଲକ୍ଷ୍ମଣ ମିଶ୍ରଙ୍କ ‘ବିଚିତ୍ର ରାମରସ’, ତେଲେଙ୍ଗା ଗୋପାଳଙ୍କ ‘ରାମଚରିତ’, କ୍ଷେତ୍ରମୋହନ ପ୍ରଧାନଙ୍କ ‘ବାଲ୍ମୀକି ରାମାୟଣ’ ଏବଂ ଲିଙ୍ଗରାଜ ମିଶ୍ର, ବିଷ୍ଣୁଚରଣ ପଟ୍ଟନାୟକ, କୃଷ୍ଣଚରଣ ପଟ୍ଟନାୟକ, ଭାଗବତ ପ୍ରସାଦ ଦାନ୍, ମୋହନ ଚରଣ ଦାସ, ରତ୍ନାକର ଗର୍ଗବଟୁ ଓ ପୀତବାସିଆଙ୍କ ‘ରାମାୟଣ’ ଉଲ୍ଲେଖନୀୟ। ପୁନଶ୍ଚ ବ୍ୟାସକବି ଫକୀର ମୋହନ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବାଲ୍ମୀକି ରାମାୟଣ ଅନୁବାଦ କରିଛନ୍ତି। ତାଙ୍କ ପୀଡ଼ିତା ପତ୍ନୀଙ୍କ ପ୍ରୀତ୍ୟାର୍ଥେ ସେ ରାମାୟଣ ରଚନାରେ ମନୋନିବେଶ କରିଥିଲେ। ସେହିପରି ଅସଂପୂର୍ଣ୍ଣ ହେଲେ ମଧ୍ୟ ଭକ୍ତମଧୁ ‘ବାଳ ରାମାୟଣ’ ଲେଖିଥିବା ବେଳେ ପଣ୍ଡିତ ନୀଳକଣ୍ଠ ଦାସ ‘ପିଲାଙ୍କ ରାମାୟଣ’ ଲେଖିଛନ୍ତି।
‘ବ’ ଅକ୍ଷରଧାରାରେ ଉପେନ୍ଦ୍ର ଭଞ୍ଜଙ୍କ ‘ବୈଦେହୀଶ ବିଳାସ’ରେ ଗଙ୍ଗାପାରି ସମୟରେ ଧୀବରର ଶ୍ରୀରାମଙ୍କ ପଦଧୌତ ବର୍ଣ୍ଣନା ଅତ୍ୟନ୍ତ ଚିତ୍ତାକର୍ଷକ। ଭଞ୍ଜଙ୍କ ଭାଷାରେ, “ବ୍ରହ୍ମାରେ ଧୌତ ଯେ ପାଦ ନୋହିଛି ଶିବ ବିଷାଦ ନପାଇ ଚରଣାମୃତ ପାନକୁ ଇଛି, ବିଜ୍ଞାନୀ କୈବର୍ତ୍ତ ଧୋଇଲା, ବିଶ୍ୱେ ପତିତପାବନ ନାମ ରହିଲା।” ରାମଭକ୍ତ ଉପେନ୍ଦ୍ରଙ୍କ ଦୃଷ୍ଟିରେ ଶ୍ରୀରାମଙ୍କ ପାଦପଦ୍ମ ଏମନ୍ତ ଗୂଢ଼ ଯେ ବ୍ରହ୍ମା ବା ଶିବ ସେହି ପଦପ୍ରକ୍ଷାଳନ ପାଇଁ ଇଚ୍ଛା କରି ମଧ୍ୟ ସଫଳ ହୋଇପାରନ୍ତି ନାହିଁ। ଅଥଚ ଭାବଗ୍ରାହୀ ରଘୁବୀର ଭକ୍ତକୈବର୍ତ୍ତର ଇଚ୍ଛା ପୂରଣ କରନ୍ତି।
ପ୍ରଭୁ ଶ୍ରୀରାମଙ୍କ ଶୌର୍ଯ୍ୟ ଓ ସୌନ୍ଦର୍ଯ୍ୟର ପଟାନ୍ତର ନାହିଁ। ଶିବଧନୁ ଭାଙ୍ଗିବା ଠାରୁ ରାବଣ ନିଧନ ପର୍ଯ୍ୟନ୍ତ ତାଙ୍କ କଥା ଓ ଗାଥା ବୀରତ୍ୱରେ ପରିପୂର୍ଣ୍ଣ। ରାମଚନ୍ଦ୍ର ପୁଣି ମର୍ଯ୍ୟାଦାପୁରୁଷ କେବଳ ନୁହନ୍ତି, ସୁନ୍ଦରତମ ପୁରୁଷ ମଧ୍ୟ। କବିସମ୍ରାଟଙ୍କ ଶବ୍ଦ ବିଚିତ୍ରାରେ ସେ ‘ବାର ବେନି ପୁରସାର ମୋହନ ପୁଂସ’। ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ ଅନୁଯାୟୀ ପୁଷ୍ପକ ବିମାନରୁ ଶ୍ରୀରାମଙ୍କୁ ଦେଖିଲା କ୍ଷଣି ରାବଣ ଅଭିଭୂତ ହୋଇପଡ଼ିଥିଲା: “ଡୋଳେ ଦେଖିଲା ଦୁର୍ବାଦଳ ରାମଶରୀର, ବ୍ରହ୍ମାଣ୍ଡ ଶୋଭା କି ଘେନି ଅବତାର, ମଦନ ଯାର ପରିଚାର।” ଓଡ଼ିଆ ରାମସାହିତ୍ୟର ଏତାଦୃଶ ବର୍ଣ୍ଣନା ଭାରତୀୟ ରାମସାହିତ୍ୟରେ ବିରଳ।
ଓଡ଼ିଆ କାବ୍ୟକବିତା, ନାଟକ ଓ ଗୀତିନାଟ୍ୟରେ ମଧ୍ୟ ରାମକଥାର ପ୍ରାବଲ୍ୟ ପରିଦୃଷ୍ଟ। ରାମାୟଣରୁ କଥାବସ୍ତୁ ସଂଗ୍ରହ କରାଯାଇ ରଚିତ କାବ୍ୟ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ‘ରାମଲୀଳାମୃତ’, ଚନ୍ଦ୍ର ଚୂଡ଼ାମଣିଙ୍କ ‘ରାମବିଳାସ’, କାର୍ତ୍ତିକ ଦାସଙ୍କ ‘ଲକ୍ଷ୍ମଣ ଶକ୍ତିଭେଦ’, ଲକ୍ଷ୍ମୀଧର ଦାସଙ୍କ ‘ଅଙ୍ଗଦପେଡ଼ି’, ଦୀନନିଧିଙ୍କ ‘ଅଶ୍ୱମେଧ ଯଜ୍ଞ’, ରାମଚନ୍ଦ୍ର ତ୍ରିପାଠୀଙ୍କ ‘ଅହଲ୍ୟା’, ମାଧବ ଚନ୍ଦ୍ର ମିଶ୍ରଙ୍କ ‘ସତୀ ଚନ୍ଦ୍ରିକା’ ଏବଂ ବିଶ୍ୱନାଥ ଚମ୍ପତିଙ୍କ ‘ଶ୍ରୀରାମଙ୍କ ମାଲ୍ୟବନ୍ତ ବିହାର’ ସୁପରିଚିତ। ସ୍ୱଭାବକବି ଗଙ୍ଗାଧରଙ୍କ ସୁପ୍ରସିଦ୍ଧ କାବ୍ୟଦ୍ୱୟ ‘ଇନ୍ଦୁମତୀ’ ଓ ‘ତପସ୍ୱିନୀ’ର ଭିତ୍ତି ରାମାୟଣ। ‘ସତ୍ୟ’ ଓ ‘ଦାଂପତ୍ୟ’ ରାମକଥାର ଦୁଇ ବର୍ଗ ବନ୍ଧନୀ। ପିତୃସତ୍ୟ ପାଳନ କରି ରାମଚନ୍ଦ୍ର ବନବାସ ଗଲେ ଏବଂ ଦାଂପତ୍ୟ ଦାୟରେ ସୀତା ମଧ୍ୟ ତାଙ୍କୁ ଅନୁସରଣ କଲେ। ଶ୍ୱାପଦସଙ୍କୁଳ ଘୋର ଅରଣ୍ୟ ମଧ୍ୟରେ ରାମସୀତାଙ୍କ ଦାଂପତ୍ୟ ଜୀବନ ଥିଲା ମଧୁମୟ। ତାହା ଗଙ୍ଗାଧରଙ୍କ ଶବ୍ଦର ସୌକୁମାର୍ଯ୍ୟରେ ଜୀବନ୍ତ: “ପଲ୍ଲବ ଆସନେ ସୁପ୍ତି ହେବ ନାହିଁ ବୋଲି, ଅଙ୍କ ପଲଙ୍କେ ତା’ ପାଇଁ ସାଜୁଥିଲ ଦୋଳି।”
ରାମାୟଣ ଆଧାରିତ ପୌରାଣିକ ନାଟକ ମଧ୍ୟରେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ‘ରାମରାଜ୍ୟ’ ଓ ‘ଭରତ ମିଳନ’ ଏବଂ ଗୀତିନାଟ୍ୟ ମଧ୍ୟରେ ବୈଷ୍ଣବ ପାଣିଙ୍କ ‘ସୀତା ବନବାସ’ ଓ ‘ରାବଣବଧ’ ବେଶ୍ ଲୋକପ୍ରିୟ। ପୁଣି ପ୍ରଥମ ଓଡ଼ିଆ ସିନେମା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ‘ସୀତା ବିବାହ’ର ସୂତ୍ର ମଧ୍ୟ ରାମାୟଣ।
ଓଡ଼ିଆ ସାହିତ୍ୟର ପ୍ରାୟ ପ୍ରତି ବିଭବରେ ରାମକଥାର ସ୍ପର୍ଶ ସ୍ପଷ୍ଟ। ସ୍ପଷ୍ଟ ମଧ୍ୟ ସେହିସବୁ ରଚନାରେ ଓଡ଼ିଶାର ଚିତ୍ର ଓ ଚରିତ୍ର।
ମୋ: ୯୪୩୭୧୪୩୮୯୬