ରାଷ୍ଟ୍ରର ଆତ୍ମା

ହରପ୍ରସାଦ ଦାସ

ସ୍ବାଧୀନ ଭାରତର ରାଜଧାନୀ ନୂଆଦିଲ୍ଲୀର ରଚନାକୁ ନେଇ କ୍ଷମତା ହସ୍ତାନ୍ତରଣ ସମୟରେ କୌଣସି ପରିକଳ୍ପନା ନ ଥିଲା। ଯେଉଁ ସଂରଚନା ବ୍ରିଟିସ୍‌ ଇଣ୍ଡିଆ ଛାଡ଼ି ଯାଇଥିଲା, ତାହାରି ବ୍ୟବହାର ସହିତ ସ୍ବାଧୀନ ଭାରତର ପ୍ରାଶାସନିକ ବ୍ୟବସ୍ଥା ଆରମ୍ଭ ହୋଇଗଲା। ବସ୍ତୁତଃ ବ୍ରିଟିସ୍‌ ସରକାର ଛାଡ଼ି ଯାଇଥିବା ଭବ୍ୟ ସୌଧମାଳା ସେତେବେଳେ ବିସ୍ମୟକର କଳାତ୍ମକ ଦୃଷ୍ଟାନ୍ତ ହୋଇ ଠିଆ ହୋଇଥିଲେ। ଭାରତୀୟ ସଂଘୀୟ ଲୋକତନ୍ତ୍ରରେ କେନ୍ଦ୍ର ସରକାରଙ୍କ ପ୍ରଶାସକୀୟ କେନ୍ଦ୍ର ଭାବରେ ନୂଆଦିଲ୍ଲୀର ସୌଧ ବା ଭବନଗୁଡ଼ିକ ଅତୁଳନୀୟ ବାସ୍ତୁପ୍ରତିମା ଭାବରେ କେବଳ ଗୃହୀତ ହେଲେ ନାହିଁ, ଔପନିବେଶିକ ଭାରତର ଐତିହାସିକ ଅତୀତ ଓ ତାର ନିରବଧି ପ୍ରବାହ ସହିତ ଯୋଡ଼ି ହୋଇ ନୂଆ ରାଷ୍ଟ୍ରର ଏକ ପରିଚୟ ବି ନିର୍ମାଣ କଲେ। କିନ୍ତୁ ଦିଲ୍ଲୀ ବିକାଶ ପ୍ରାଧିକରଣର ସ୍ଥାପନା ସହିତ ଦିଲ୍ଲୀ ପାଇଁ ଏକ ମାଷ୍ଟର ପ୍ଲାନ୍‌ର ଯୋଜନା ହେଲା। ଫୋର୍ଡ ଫାଉଣ୍ଡେସନ୍‌ ନେତୃତ୍ବରେ ପ୍ରଥମ ଦିଲ୍ଲୀ ମାଷ୍ଟର ପ୍ଲାନ୍‌ ୧୯୬୨ ପ୍ରସ୍ତୁତ ହେଲା। ଏ ମାଷ୍ଟର ପ୍ଲାନ୍‌ ବ୍ରିଟିସ୍‌ ବାସ୍ତୁକଳା ଓ ଲେ’ଆଉଟ୍‌କୁ କେବଳ ଗୁରୁତ୍ବ ଦେଲା ନାହିଁ, ୟା ବି କହିଦେଲା ଯେ ଭବିଷ୍ୟତର ସବୁ ସଂପ୍ରସାରଣରେ ସେହି ବ୍ରିଟିସ୍‌ ବାସ୍ତୁକଳାର ଢାଞ୍ଚା ରହିବ। ସୁତରାଂ, ସ୍ବାଧୀନ ଭାରତର ରାଜଧାନୀର, ତଥା ବିଶ୍ବର ବୃହତ୍ତମ ଗଣତନ୍ତ୍ରର ପ୍ରଶାସକୀୟ ଭାରକେନ୍ଦ୍ରର ବାସ୍ତୁଗତ ବ୍ୟକ୍ତିତ୍ବ ନିର୍ମାଣରେ ଏ ମାଷ୍ଟର ପ୍ଲାନ୍‌ର କୌଣସି ଆଗ୍ରହ ନ ଥିଲା। ପୂର୍ବ ଉପନିବେଶ ଓ ଦରିଦ୍ର ଭାରତରେ ପୁରୁଣା ଦିଲ୍ଲୀରୁ ଲୋକ ଭିଡ଼ କିପରି ସମତୁଲ ବିତରିତ ହେବ, କିଭଳି ଦିଲ୍ଲୀ ଚାରିଆଡ଼େ ସାଟେଲାଇଟ୍‌ ଟାଉନ୍‌ସିପ୍‌ ଦିଲ୍ଲୀରୁ ଲୋକ ଭିଡ଼ କମେଇବାରେ ସହାୟକ ହେବ, ଏହା ହିଁ ଥିଲା ପ୍ରଥମ ମାଷ୍ଟର ପ୍ଲାନ୍‌।

ଏଥିରେ ନା ଦୃଶ୍ୟ ଥିଲା ନା ଦର୍ଶନ ନା କଳା ନା ସ୍ବପ୍ନ। ବ୍ରିଟିସ୍‌ ରାଜତନ୍ତ୍ର କବଳରୁ ମୁକ୍ତ ବିଶ୍ବର ସବୁ ରାଜଧାନୀଗୁଡ଼ିକ‌େର କିଛି କିଛି ସ୍ବପ୍ନର ଆବେଗ ମିଶିଥିଲା ନୂଆ ନିର୍ମାଣରେ। କିନ୍ତୁ ଭାରତ, ବ୍ରିଟିସ୍‌ ରାଜତନ୍ତ୍ରର ମୁକୁଟର ମଥାମଣି ଓ ସ୍ବାଧୀନତା ପରେ ପ୍ରମୁଖ କମନ୍‌ୱେଲ୍‌ଥ ରାଷ୍ଟ୍ର, ଭବିଷ୍ୟତରେ ମଧ୍ୟ ଗୋଟିଏ ମାଗି ଆଣିଥିବା ବା କୃପାରେ ପାଇଥିବା ବ୍ୟକ୍ତିତ୍ବକୁ ନେଇ ନିଜକୁ ଧନ୍ୟ ମନେ କରିବାରେ କିଛି ଅସୁବିଧା ନ ଥିଲା। ସ୍ବାଧୀନତା ସଂଗ୍ରାମର ନେତା ଯେଉଁମାନେ ନୂଆ ଭାରତର ନେତୃତ୍ବ ‌େନଇଥିଲେ, ସେମାନଙ୍କ ଆଖିରେ ସ୍ବାଧୀନ ଭାରତର ରୂପକଳ୍ପୀୟ ସୌନ୍ଦର୍ଯ୍ୟକୁ ନେଇ କୌଣସି ସ୍ବପ୍ନ ନ ଥିଲା। ସେମାନେ ସମସ୍ତେ ବାସ୍ତୁକାର ଲୁଟ୍ୟେନ୍‌ଙ୍କ ଦ୍ବାର ପରିକଳ୍ପିତ ଭବ୍ୟ ବାସଗୃହ ମାନଙ୍କରେ ରହୁଥିଲେ, କେନ୍ଦ୍ରୀୟ ଦିଲ୍ଲୀର ହରିତ୍‌ ବୃକ୍ଷରାଜି ଓ ନୀଳ ଜଳଧାରା ପରିବେଷ୍ଟିତ ହୋଇ। ଦପ୍ତରମାନଙ୍କରେ ଇଂରେଜ ଛାଡ଼ି ଯାଇଥିବା ଇଂରେଜୀ ଭାଷା ଓ ପ୍ରାଶାସନିକ ବ୍ୟବସ୍ଥା ଭିତରେ ସ୍ବାଧୀନତାର ରୂପ ପ୍ରତିଷ୍ଠା କଥା ଚିନ୍ତାରେ ନ ଥିଲା। ୧୯୬୨ ପରେ ଦିଲ୍ଲୀ ଦ୍ବିତୀୟ ମାଷ୍ଟର ପ୍ଲାନ୍‌ ବି ଥିଲା ସେଇ ପୁରୁଣା ଦୃଷ୍ଟିକୋଣର ଆଉ ଏକ ସଂସ୍କରଣ। ପରିବର୍ତ୍ତନ ଥିଲା କେବଳ ନିର୍ମାଣରେ ଘରୋଇ ଉଦ୍ୟୋଗର ପ୍ରବେଶ ଓ ଦିଲ୍ଲୀକୁ କେନ୍ଦ୍ର କରି ଏକ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରର ରଚନା। ଏଥିରେ ବି ଦିଲ୍ଲୀର ସ୍ବାଧୀନତା ବ୍ୟକ୍ତିତ୍ବ ନିର୍ମାଣର କୌଣସି ସ୍ବପ୍ନ ନ ଥିଲା, ବରଂ କହିପାରନ୍ତି ୨୦୦୧ ବେଳକୁ ଲୁଟ୍ୟେନ୍‌ଙ୍କ ସାହେବୀ ଦିଲ୍ଲୀ ଓ ଚତୁଃପାର୍ଶ୍ବର ମଳିମୁଣ୍ଡିଆ ଦିଲ୍ଲୀ ଭିତରେ ଗୋଟେ ବିରକ୍ତି ଓ ତାଚ୍ଛଲ୍ୟର ସଂପର୍କ ଗଢ଼ି ଉଠିଥିଲା। ୨୦୦୭ରେ ୨୦୨୧ ମାଷ୍ଟର ପ୍ଲାନ୍‌ ନୋଟିଫିକେସନ୍‌ ହେଲା। ୨୦୨୨ରେ ୨୦୪୧ ମାଷ୍ଟର ପ୍ଲାନ୍‌ ଭିତରେ କେନ୍ଦ୍ରୀୟ ଦିଲ୍ଲୀରେ ଜମି ବ୍ୟବହାର ବଦଳାଇ ସେଣ୍ଟ୍ରାଲ୍‌ ଭିସ୍ତା ପ୍ରୋଜେକ୍ଟର ପରିକଳ୍ପନା ଆସି ଦଣ୍ଡାୟମାନ। ସ୍ବାଧୀନ ଭାରତର ବାସ୍ତୁ ପୁରୁଷ ଏବେ ସ୍ଥାପିତ ହେବେ। ସେଣ୍ଟ୍ରାଲ୍‌ ଭିସ୍ତା ହେବ ସ୍ବାଧୀନ ଭାରତର ପ୍ରଥମ ବୃହତ୍ତମ ମେଗା ଅର୍ବାନ୍‌ ପ୍ରୋଜେକ୍ଟ। ପ୍ରାୟ ଚଉଦ ହଜାର କୋଟି ଟଙ୍କା ବ୍ୟୟରେ, ଏ ପ୍ରୋଜେକ୍ଟ ଭାରତୀୟ ଅସ୍ମିତାର ଅଭିବ୍ୟକ୍ତି ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏ ସ୍ବପ୍ନର ପରିଯୋଜନା। ୟାର ବାସ୍ତୁକାର ବିମଳ ପଟେଲ। ଏ ସେହି ବାସ୍ତୁକାର (ଆର୍କିଟେକ୍ଟ) ଯିଏ ପୁରୀରେ ଜଗନ୍ନାଥ ମନ୍ଦିର ପ୍ରୋଜେକ୍ଟ କରୁଚନ୍ତି। ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟର କଣ୍ଟ୍ରାକ୍‌ଟର ସା ପୋରଜୀ ପାଲୋନ୍‌ ଜୀ! ଭାରତୀୟ ଆର୍କିଟେକ୍ଟ ଓ ଭାରତୀୟ କଣ୍ଟ୍ରାକ୍‌ଟର! ଭାରତର ଇତିହାସରେ ଏତେ ବଡ଼ ‌ପ୍ରୋଜେକ୍ଟର ପ୍ରଥମ ଭାରତୀୟ ନିର୍ବାହ।

ସେଣ୍ଟ୍ରାଲ ଭିସ୍ତାର ଭବ୍ୟ ରୂପ ୨୦୨୪ ସୁଦ୍ଧା ବିକଶିତ ହୋଇଗଲେ ଭାରତର ଉପନିବେଶ-ମୁକ୍ତିର ପ୍ରତୀକ ମିଳିବ ଆମକୁ। ଆମେ କହିପାରିବା ଯେ ଆମେ ‘ପୋଷ୍ଟ-କଲୋନିଆଲ୍‌’ ନୋହୁ, ଆମେ ‘ଡି-କଲୋନାଇଜ୍‌ଡ୍‌’। କହିବାରେ ଦ୍ବିଧା ନାହିଁ ଯେ ଉଦାରବାଦୀ ଚିନ୍ତନର ପାଶ୍ଚାତ୍ୟ ରୂପକରେ ଉତ୍ତର ଆଧୁନିକତା ଓ ଉତ୍ତର ‌ଔପନିବେଶିକତା ନିର୍ଦ୍ଦିଷ୍ଟ ବିଚାରଧାରା ଭାବରେ ବିକଶିତ ହେବାର ଦୁଇଟି କାରଣ ଥିଲା। ଉତ୍ତର ଆଧୁନିକତାରେ ମୌଳିକତାକୁ ଅସ୍ବୀକାର କରି ପାଷ୍ଟିସ୍‌ (ଅନୁକରଣ), ପାରୋଡି (ହନୁକରଣ) ଓ ‌େକାଲାଜ୍‌ (ସଂଯୋଜନ)କୁ ସୃଜନଶୀଳ‌ତାର ମାନ୍ୟତା ଦେବାର ତାତ୍ପର୍ଯ୍ୟ ଥିଲା ଏହି ଯେ ଯାହା ଘଟିଯାଇଚି ତାକୁ ସମ୍ମାନ ଦେଇ ଅନୁକରଣ କର, ବା ପରିହାସ କରିବା ପାଇଁ ହନୁକରଣ କର ବା ବିବିଧତାକୁ ସଂଯୋଜିତ କରି ବିଚିତ୍ର ରୂପ ସମ୍ଭବ ‌କରାଅ, ସେତିକି ଯଥେଷ୍ଟ। ୟାର ଗୂଢ଼ ଅଭୀଷ୍ଟ ଥିଲା ଏହି ଯେ ନୂଆ ଚିନ୍ତନ ଆଉ ସମ୍ଭବ ହେବନାହିଁ, ପାଶ୍ଚାତ୍ୟ ସଭ୍ୟତାରେ ମାନବୀୟ ଦର୍ଶନ, ସୃଜନ ଓ ଉତ୍କର୍ଷର ଯେଉଁ ମାନକ ପ୍ରତିଷ୍ଠିତ ହୋଇଚି, ସେଇ ଅନ୍ତିମ। ୟାର ଗୂଢ଼ତମ ସ୍ତରରେ ଥିଲା ଏଭଳି ଏକ ବୌଦ୍ଧିକ ପ୍ରପଞ୍ଚ ଯେ ଜ୍ଞାନ ଓ ସୃଜନ କ୍ଷେତ୍ରରେ ପାଶ୍ଚାତ୍ୟ ପ୍ରଭୁପାଠଗୁଡ଼ିକ ଅଲଂଘ୍ୟ; ତାକୁ ଅତିକ୍ରମ କରି ନୂଆ କ୍ଷେତ୍ରର ମୌଳିକ ଆବିଷ୍କାର ଅସମ୍ଭବ। ଯାହା ଅଛି ତାକୁ ଯୋଡ଼ାଯୋଡ଼ି କରି ବିଚିତ୍ର ଚମତ୍କାରିତା ଉତ୍ପାଦନ କର, ଅର୍ଥାତ ସ୍ବୀକାର କର ଯେ ବିଂଶ ଶତାବ୍ଦୀର ଶେଷ ସୁଦ୍ଧା ଯାହା କିଛି ହେବାର ଥିଲା ହୋଇଯାଇଛି, ଆଉ ‘ନୂଆ’ କିଛି ହେବାର ନାହିଁ। ଦ୍ବିତୀୟରେ ପାଶ୍ଚାତ୍ୟ ଜ୍ଞାନ, କଳା ଓ ଅଭିବ୍ୟକ୍ତି ହିଁ ଶ୍ରେଷ୍ଠତାର ପରିମାପକ ଓ ପାଶ୍ଚାତ୍ୟ ପ୍ରଭୁତ୍ବ (ହେଜିମୋନି)ରୁ ମୁକ୍ତି ନାହିଁ। ଉତ୍ତର ଔପନିବେଶିକତାର ତତ୍ତ୍ବ ବିକଶିତ ହେବା ପଛରେ ଗୋଟିଏ ଉଦ୍ଦେଶ୍ୟ ଥିଲା ସମଗ୍ର ବିଶ୍ବକୁ ୟୁରୋପୀୟ ସାମ୍ରାଜ୍ୟବାଦର ପରିଣତି ଭାବରେ ଉପସ୍ଥାପିତ କରିବା। ଅର୍ଥାତ୍‌ ଉପନିବେଶ ସମାପ୍ତ ହେବା ପରେ ବି ‘ପୂର୍ବତନ-ଉପନିବେଶ’ ଭାବରେ ନବସ୍ବାଧୀନ ଓ ନବଗଠିତ ରାଷ୍ଟ୍ରଗୁଡ଼ିକ ଯାହା କହିବେ ତାହା ସେହି ଔପନିବେଶିକ ଅସ୍ତିତ୍ବର ସଂପ୍ରସାରଣ ମାତ୍ର ହେବ। ଥରେ ଉପନିବେଶ ହେବାର ଅର୍ଥ ଚିର କାଳ ନିଜର ଔପନିବେଶିକ ଅତୀତର ଭାର ବୋହିବା। ଆଉ ଗୋଟିଏ ଗୂଢ଼ କଥା ଏ ମଧ୍ୟ ଥିଲା ଯେ ଉପନିବେଶଗୁଡ଼ିକ ସ୍ବାଧୀନତା ପରେ ମଧ୍ୟ ସେଇ ପୁରୁଣା ଔପନିବେଶିକ ଢାଞ୍ଚା ବା ଫ୍ରେମ୍‌ୱର୍କ ଚାରି ଆଡ଼େ ତାଙ୍କର ନୂଆ ରାଷ୍ଟ୍ରୀୟ ପରିଚୟ ଖୋଜିବେ, ସ୍ବାଧୀନ ବ୍ୟକ୍ତିତ୍ବର ସନ୍ଧାନ କରିବେ ନାହିଁ। ସେହି ଦୃଷ୍ଟିରୁ ସ୍ବାଧୀନତା ପରେ ଭାରତକୁ ପୂର୍ବତନ ଉପନିବେଶମାନଙ୍କ ସହିତ ମିଶି ବ୍ରିଟିସ୍‌ କମନ୍‌ୱେଲ୍‌ଥରେ ସଦସ୍ୟ ହୋଇ ରହିବାର ଲଜ୍ଜାକର ସ୍ଥିତିକୁ ବୁଝିବାରେ ଭାରତୀୟ ନେତୃତ୍ବ ବିଫଳ ହେବା ଭାରତୀୟ ରାଷ୍ଟ୍ରୀୟତାର ପରିପନ୍ଥୀ ଥିଲା। କୋଉ ଖୁସିରେ ଭାରତ କମନ୍‌ୱେଲ୍‌ଥର ସଦସ୍ୟ ହୋଇ ରହିଚି ଏଯାଏଁ ବ୍ରିଟିସ ରାଜା ବା ରାଣୀଙ୍କ ଅଧୀନରେ? ଆମର ଦରକାର ‘ଡିକଲୋନାଇଜ୍‌ଡ୍‌’ ଭାରତ, ‘ପୋଷ୍ଟ-କଲୋନାଇଜ୍‌ଡ୍‌’ ନୁହେଁ। ତେଣୁ, ସେ ଅତୀତକୁ କାଟି ଫିଙ୍ଗି ଦେବାର ଅର୍ଥ ସବୁ ଔପନିବେଶିକ ଚିନ୍ତନ, ମନନ ଓ ପ୍ରତୀକ ଚିହ୍ନଗୁଡ଼ିକୁ ଲୋପ କରି ନୂଆ ଭାରତର ପରିଚୟ ଲେଖିବା!

ଭାରତର ରାଜଧାନୀ ସ୍ବାଧୀନ ଭାରତର ରାଜଧାନୀ ନା ପୂର୍ବତନ ଉପନିବେଶର ରାଜଧାନୀ? କୌଣସି ଭାରତୀୟ କହିବ ନାହିଁ ଯେ ତା ରାଷ୍ଟ୍ର ବା ଦେଶର ରାଜଧାନୀ ଗୋଟିଏ ଔପନିବେଶିକ ପ୍ରତୀକ ଚିହ୍ନମାନଙ୍କର ମ୍ୟୁଜିଅମ୍‌! ଏଥିରେ ଗର୍ବ କରିବାର କିଛି ନାହିଁ। ରାଜପଥ ସହିତ ସାମ୍ରାଜ୍ୟବାଦୀ ଶାସକଙ୍କ କର୍ତ୍ତୃତ୍ବର ଶୋଭାଯାତ୍ରା ଯଦି ଐତିହାସିକ ସତ୍ୟ, ତେବେ ଏ କଥା ବି ସ୍ବୀକାର କରିବାକୁ ହେବ ଯେ ‌ନୂଆ ଭାରତର ରାଜଧାନୀ ଦିଲ୍ଲୀରେ ସେ ରାଜପଥ, ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବୋଚ୍ଚ ପ୍ରଶାସକୀୟ ଓ ବିଧିବିଧାନର ବ୍ୟବସ୍ଥାର ହୃଦ୍‌କ୍ଷେତ୍ର, ଯହିଁରେ ‘କର୍ତ୍ତବ୍ୟ ସାଧନ’ ସବୁଠୁ ବଡ଼ ଆବଶ୍ୟକତା, ତେଣୁ ରାଜପଥକୁ ‘କର୍ତ୍ତବ୍ୟ ପଥ’ ନାମ ଦେବାରେ ଭ୍ରାନ୍ତି କେଉଁଠି? ଯେଉଁମାନେ ଦିଲ୍ଲୀରେ ରହିନାହାନ୍ତି ସେମାନେ ହୁଏତ କଳ୍ପନା କରିପାରୁନାହାନ୍ତି କର୍ତ୍ତବ୍ୟ ପଥର ବାମ ଓ ଦକ୍ଷିଣକୁ ନେଇ ଏକ ବୃତ୍ତାକାର ସଂରଚନାରେ ଯେଉଁ ‘କେନ୍ଦ୍ରୀୟ ଦୃଶ୍ୟ’ (ସେଣ୍ଟ୍ରାଲ ଭିସ୍ତା)ର ପରିକଳ୍ପନା କରାଯାଇଚି, ତାହା ଭାରତର ସ୍ବାଧୀନତା ପ୍ରାପ୍ତିର ପଞ୍ଚସ୍ତରି ବର୍ଷ ପରେ ପ୍ରଥମ ଉପନିବେଶ ମୁକ୍ତିର ଗୌରବମୟ ପଦ‌େକ୍ଷପ। ଯେଉଁ ପରିକଳ୍ପନା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଧୀନତାର ରୂପକଳ୍ପ ନିର୍ମାତାର ସମ୍ମାନ ମିଳିବା କଥା। ଅତ୍ୟନ୍ତ ଖେଦର ବିଷୟ ଯେ ସଂକୀର୍ଣ୍ଣ ରାଜନୀତି ତାଙ୍କର ପରିକଳ୍ପନାର ଦୂରଗାମୀ ରାଜନୈତିକ ତତ୍ତ୍ବକୁ ବୁଝିନାହିଁ। ଆପଣ ଯଦି ସେଣ୍ଟ୍ରାଲ ଭିସ୍ତାର ରଚନାକୁ କେବଳ ଡ୍ରଇଁ ଆକାରରେ ଦେଖିବେ, ଆପଣ ବିସ୍ମିତ ଓ ବିହ୍ବଳ ହେବେ ଯେ ଭାରତରେ ସ୍ବାଧୀନତାର ‌େଘାଷଣା ବାସ୍ତୁକଳାର ଅପରୂପ ନିୟୋଜନରେ କିଭଳି ବିଶ୍ବପ୍ରତିଷ୍ଠ ହୋଇଚି। ସେଣ୍ଟ୍ରାଲ ଭିସ୍ତାର ରଚନାରେ କଳା, ସୌନ୍ଦର୍ଯ୍ୟବୋଧ, ଭାରତୀୟତା ସହିତ ଟେକ୍‌ନୋଲୋଜି-ସମର୍ଥ ବିଶ୍ବର ବୃହତ୍ତମ ଗଣତନ୍ତ୍ରର ପ୍ରତୀକାନୁଷ୍ଠାନ ମଧ୍ୟ ସାମିଲ! ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷଙ୍କ ସଲାମୀ ପ୍ରତିମୂର୍ତ୍ତିର ସ୍ଥାପନା ଭାରତର ବ୍ୟଗ୍ର, ଉଦାତ୍ତ, ଆକ୍ରାମକ ଗଣ ନେତୃତ୍ବର ଏକ ଅବହେଳିତ ପକ୍ଷକୁ ସମ୍ମାନ ଦେବା ସହିତ, ‘ସେଣ୍ଟ୍ରାଲ ଭିସ୍ତା’ରେ ଶୁଦ୍ଧ ଭାରତୀୟ ରକ୍ତ ପ୍ରବାହ ଖେଳେଇ ଦେଇଚି। ମୋଟ ଉପରେ ସେଣ୍ଟ୍ରାଲ ଭିସ୍ତାର ଲୋକାର୍ପଣ ସହିତ ଭାରତର ଜନଗଣ ତାଙ୍କ ନିଜକୁ ରାଷ୍ଟ୍ରୀୟତାର ଶ୍ରେଷ୍ଠ ବାସ୍ତୁ-ପ୍ରତୀକ ଅର୍ପଣ କରି ସ୍ବାଧୀନତାର ପଞ୍ଚସ୍ତରି ବର୍ଷରେ ଅତୀତର ବିଭ୍ରାନ୍ତିକୁ ଓ ଉତ୍ତର-ଔପନିବେଶିକ ନିର୍ଭରତାକୁ ଲୋପ କରି ଦେଇଚନ୍ତି। ସ୍ବୀକାର କରିବାକୁ ହେବ ଯେ ସ୍ବାଧୀନ ଭାରତକୁ ମୋଦୀ ‌ତାର ପରିଚୟ ଦେଲେ ଓ ସେ ପରିଚୟର ଶିଳ୍ପ ଓ ସାହିତ୍ୟ ମଧ୍ୟ ଦେଲେ। କୁହାଯାଇପାରେ ଯେ ଗୋଟିଏ ଯାଦୁକରୀ କଳ୍ପନାରେ ସେ ଭାରତର ସଭ୍ୟତା, ବୌଦ୍ଧିକତା, କଳାତ୍ମକତା ଓ ରାଜନୈତିକ ବାସ୍ତବତାକୁ ଏକାଠି କରି ଭାରତୀୟଙ୍କ ପାଇଁ ଭବିଷ୍ୟତ୍‌ର ମାର୍ଗ ନିର୍ମାଣ କଲେ। ଭାରତୀୟତାର କଳ୍ପନାରେ ରାଜଧାନୀର କେନ୍ଦ୍ରୀୟ ରୂପମାଳା ତ ମାତ୍ର ଗୋଟିଏ ପରିଯୋଜନା। ୟାର ଚତୁଃପାର୍ଶ୍ବରେ ଅଛନ୍ତି ଭାରତୀୟ ଇତିହାସ, ଜ୍ଞାନ ପରଂପରା, ସାର୍ବଭୌମତ୍ବ, ଯାନ୍ତ୍ରିକୀ, ଅନୁଷ୍ଠାନ ନିର୍ମାଣ ଓ ରାଷ୍ଟ୍ରବୋଧର ସର୍ବଶ୍ରେଷ୍ଠ ପ୍ରୟାସ ଓ ଉପଲବ୍‌ଧି। ଶିକ୍ଷାକୁ କେନ୍ଦ୍ରରେ ରଖି ଭାରତୀୟ ଅସ୍ମିତାର ନୂଆପାଠ ଲେଖିବାର ଦୂରଦୃଷ୍ଟିକୁ ଯେଉଁମାନେ ବୁଝନ୍ତି ନାହିଁ, ସେମାନେ କେହି ରାଷ୍ଟ୍ରର କେନ୍ଦ୍ରୀୟତାକୁ ବୁଝନ୍ତି ନାହିଁ। ୟାକୁ ଅତି ସରଳ ରୂପରେ ଏହିଭଳି କହାଯାଇପାରେ ଯେ କେନ୍ଦ୍ର ନ ଥିଲେ ସଂରଚନାକୁ ଧରି ରଖିବାର ସାମର୍ଥ୍ୟ ମିଳେ ନାହିଁ ଓ ବିିଭିନ୍ନ ଅଂଶ ଧସିପଡ଼ନ୍ତି। ଭାରତ ଏକ ସାମ୍ବିଧାନିକ ଗଣତନ୍ତ୍ର; ଏକ ସମାଜତାନ୍ତ୍ରିକ ଓ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଆମେ ଜାଣୁ, କିନ୍ତୁ ଏସବୁ ଗୁଡ଼ିକର ସମନ୍ବୟ କେଉଁ ବିନ୍ଦୁରେ ହେବ ଅର୍ଥାତ୍‌ ବିଚ୍ଛୁରିତ ନୀତିମାନଙ୍କର ସମ୍ମିଳନ, ସଂଶ୍ଳେଷଣ, ସମୀକରଣ ଓ ସନ୍ତୁଳନ କେଉଁ ସୂତ୍ରରେ ହେବ? ସେ ସୂତ୍ର ‘କେନ୍ଦ୍ରୀୟତା’। ସ୍ବାଧୀନ ଭାରତର ରାଜଧାନୀରେ ଭାରତୀୟତାର ଉଦ୍‌‌ଘୋଷଣା ଏକ ବିପୁଳ ବୌଦ୍ଧିକ କେନ୍ଦ୍ରୀୟତା ଭାରତୀୟ ରାଷ୍ଟ୍ରର ସେଣ୍ଟ୍ରାଲ ଭିସ୍ତାକୁ ଯଦି ଏକ ମେଟାଫର୍‌ ଭାବରେ ଗ୍ରହଣ କରାଯାଏ, ତେବେ ଲୋଡ଼ା ହେବ ‘ସଂଘୀୟ ଗଣରାଜ୍ୟ’ ବା ‘ଇଣ୍ଡିଆନ୍‌ ଫେଡେରାଲିଜମ୍‌’ର ଏକ କେନ୍ଦ୍ରୀୟ ବ୍ୟାଖ୍ୟାନ। ସ୍ବାଧୀନତା ପର ଠାରୁ ସଂଘୀୟ ଗଣରାଜ୍ୟର ପାଠରେ ଆମେ ପଢ଼ିଆସୁଚୁ ଯେ ଗଢ଼ଣରେ ଗୋଟିଏ ସଂଘ, କିନ୍ତୁ ରାଜ୍ୟମାନଙ୍କ ସହିତ କେନ୍ଦ୍ରୀୟ ଶାସନର ସଂପର୍କରେ ସଂପଦ ବିତରଣକୁ ନେଇ ଯେଉଁ ନୀତିସୂତ୍ର ବ୍ୟବହୃତ ହୁଏ, ତହିଁରେ ପରିସଂଖ୍ୟାନ-ବିଚାର ନିର୍ଣ୍ଣାୟକ ହୋଇ ରହିଚି ଅଦ୍ୟାବଧି ଓ କହିବାକୁ ଗଲେ ଭାରତୀୟ ରାଷ୍ଟ୍ରର ରାଜନୈତିକ ଏକତ୍ବ ଆର୍ଥିକ ବିସଂଗତିର ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଚି।

ଦଳଗତ ପ୍ରାଧାନ୍ୟ ବିତ୍ତ-ଆବଣ୍ଟନ ବ୍ୟବସ୍ଥାର ନୀତିସୂତ୍ରକୁ ନେଇ ସନ୍ଦିଗ୍‌ଧ ‌ହୋଇ ରହିଚି। ଭାରତ ଏକ ଅର୍ଥନୈତିକ ଗଣତନ୍ତ୍ରରେ ପରିଣତ ହୋଇଚି। ରାଜନୈତିକ ଗଣତନ୍ତ୍ରରେ ଅର୍ଥନୀତି ମୁଖ୍ୟ ଧ୍ୟେୟ ନୁହେଁ। ରାଜନୈତିକ ଗଣତନ୍ତ୍ର ବସ୍ତୁତଃ ରାଜନୀତିରେ ରାଷ୍ଟ୍ରୀୟ କେନ୍ଦ୍ରୀୟତାର ସ୍ଥାପନା ଉପରେ ଆଧାରିତ ହେବା କଥା। ଆମେରିକାନ୍‌ ଫେଡେରାଲିଜ୍‌ମ୍‌ ଗୋଟେ ଅତି ସରଳ ବ୍ୟାପାର, ସେଠି ଏ ପ୍ରକାରର ବିବିଧତା ଓ ବୈଚିତ୍ର୍ୟ ନାହିଁ, ତେଣୁ ରାଷ୍ଟ୍ରର କେନ୍ଦ୍ରୀୟ ଉଦ୍‌ଘେ‌ାଷଣ ରାଷ୍ଟ୍ରାଧ୍ୟକ୍ଷ ବା ପ୍ରେସିଡେଣ୍ଟର ଏକକ ସାମର୍ଥ୍ୟରେ ଠୁଳୀଭୂତ। ଆମ ଭାରତୀୟ ରିପବ୍ଲିକ୍‌ରେ ରାଷ୍ଟ୍ରପତି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ପରାମର୍ଶରେ ଶକ୍ତିର ପ୍ରୟୋଗ କରନ୍ତି। ଅନ୍ୟ ଭାବରେ କହିଲେ ପରୋକ୍ଷ ନିର୍ବାଚନରେ ବିଜୟୀ ରାଷ୍ଟ୍ରପତି ଓ ପ୍ରତ୍ୟକ୍ଷ ନିର୍ବାଚନରେ ବିଜୟୀ ସଂସଦର ସଂଖ୍ୟାଗରିଷ୍ଠ ଦଳର ନେତା; ଦୁହେଁ ଲୋକଶକ୍ତିର ରାଷ୍ଟ୍ରୀୟ ପ୍ରତିମା। କିନ୍ତୁ ରାଷ୍ଟ୍ରର କେନ୍ଦ୍ରୀୟତା ସଂଖ୍ୟାଗରିଷ୍ଠ ଦଳର ନେତୃତ୍ବରେ ଅଭିବ୍ୟକ୍ତି ପାଏ। ରାଷ୍ଟ୍ରପତି ସାର୍ବଭୌମତ୍ବର ପ୍ରତୀକ, କିନ୍ତୁ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟତାର ପ୍ରତୀକ। ସଂଘୀୟ ଗଣତନ୍ତ୍ରରେ ସାର୍ବଭୌମତ୍ବର ଭାର ରାଷ୍ଟ୍ରର କେନ୍ଦ୍ରୀୟତା ଉପରେ। କିନ୍ତୁ କେନ୍ଦ୍ରୀୟତା ସ୍ଥୂଳ ଶକ୍ତି ଠୁଳୀକରଣ ନୁହେଁ ବା ବିକେନ୍ଦ୍ରୀକରଣରେ ନଷ୍ଟ ହେବାର ବସ୍ତୁ ନୁହେଁ। ରାଷ୍ଟ୍ରର କେନ୍ଦ୍ରୀୟତା ରାଷ୍ଟ୍ରବେ‌ାଧରେ। ଏ ବୋଧ ରାଷ୍ଟ୍ରର ଐନ୍ଦ୍ରୀୟ ଅନୁଭବ। ଏହା ଏକ ପ୍ରତୀକ ଶୃଙ୍ଖଳା। ଏହା ହିଁ ରାଷ୍ଟ୍ରର ଆତ୍ମା। କେତେକୋଟି ଭୋକିଲା ଭାରତୀୟଙ୍କୁ କେତେ ଦିନର କେତେ ମୁଠା ଖାଦ୍ୟ ଯୋଗାଇବାର ଆତ୍ମସନ୍ତୋଷ ଠାରୁ ବଡ଼ ସବୁ ଭାରତୀୟଙ୍କ ପାଇଁ ସ୍ବାଧୀନ ରାଷ୍ଟ୍ରର ଅସ୍ମିତା ଓ ଆସ୍ପର୍ଦ୍ଧାର ସନ୍ତକ ନିର୍ମାଣ କରିବା। ଅାମକୁ କଷ୍ଟ ସହିବାକୁ ହେବ, ତ୍ୟାଗ କରିବାକୁ ହେବ, ରାଷ୍ଟ୍ରର ଆତ୍ମାକୁ ଉଜାଗର କରିବାକୁ ହେବ।
ମୋ- ୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର