ସମାନ ନାଗରିକ ସଂହିତା ଉପରେ ବିଜେପି ଜୋର୍ ଦେଉଛି। ବର୍ଷ ବର୍ଷ ଧରି ଦଳର ମୂଳ ଏଜେଣ୍ଡାରେ ତିନିଟି ଲକ୍ଷ୍ୟ ରହିଥିଲା। ସେଗୁଡ଼ିକ ହେଲା- ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ, ଧାରା ୩୭୦ର ଉଚ୍ଛେଦ ଏବଂ ସମାନ ନାଗରିକ ସଂହିତା। ପ୍ରଥମ ଦୁଇଟି ହାସଲ ହୋଇସାରିଥିବା ବେଳେ ଦଳ ଏବେ ତୃତୀୟଟିକୁ ହାସଲ କରିବା ଲାଗି ପ୍ରୟାସ ଜାରି ରଖିଛି। ଦଳ ବି ତାହାକୁ ଲୁଚାଇ ରଖୁନାହିଁ। ରାମ ମନ୍ଦିର ଓ କାଶ୍ମୀର ମାମଲା ପରି ସମାନ ନାଗରିକ ସଂହିତା ପଛରେ ଏହାର ଉଦ୍ଦେଶ୍ୟ ହେଉଛି ମୁସଲମାନମାନେ ଅନ୍ୟାୟପୂର୍ଣ୍ଣ ଭାବେ ଉପଭୋଗ କରି ଆସୁଥିବା ବିଶେଷାଧିକାରକୁ ସମାପ୍ତ କରିବା। ସେହି ବିଶେଷାଧିକାର ହେଉଛି ସେମାନଙ୍କର ବିବାହ, ଛାଡ଼ପତ୍ର ଓ ଉତ୍ତରାଧିକାର ପରି ପାରିବାରିକ ବ୍ୟାପାରକୁ ମୁସଲିମ୍ ପର୍ସନାଲ ଲ’ ଅନୁସାରେ ପରିଚାଳନା କରିବା। ‘ସଂବିଧାନରେ ସବୁ ନାଗରିକଙ୍କ ପାଇଁ ସମାନତା କଥା କୁହାଯାଇଥିବା ବେଳେ ପାରିବାରିକ ବ୍ୟାପାରରେ ଦେଶରେ ଦୁଇଟି ଭିନ୍ନ ଆଇନ କିପରି ରହିପାରିବ?’ ବୋଲି ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶ୍ନ କରିଥିଲେ।
ଏ କଥା ସ୍ପଷ୍ଟ ଯେ, ବିଜେପି ଏକ ସମୃଦ୍ଧ ହିନ୍ଦୁ ଭୋଟ ଅମଳ ପାଇଁ ଏପରି କରୁଛି। ତେବେ ବିଜେପି ମୁସଲମାନଙ୍କ ଭିତରେ ଲିଙ୍ଗଗତ ସମାନତା ପ୍ରତିଷ୍ଠା କରିବା ପାଇଁ ଏହା କରୁଛି ବୋଲି କହି ନିଜର ପ୍ରକୃତ ଉଦ୍ଦେଶ୍ୟକୁ ଛଦ୍ମାବରଣ କରୁଛି। ତିନି ତଲାକ୍ ଉପରେ ପ୍ରତିବନ୍ଧ ଲଗାଯିବା ପରେ ମୁସଲମାନ ମହିଳାଙ୍କୁ ‘ସଶକ୍ତ’ କରିବା ପାଇଁ ଏହା ପରବର୍ତ୍ତୀ ବଡ଼ ପଦକ୍ଷେପ ବୋଲି ବିଜେପି ଉପସ୍ଥାପନ କରିଚାଲିଛି। ଏହି ଖେଳରେ ଏହା ବିରୋଧୀଙ୍କୁ ମାତ୍ ଦେଇଥିବା କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ବିଜେପି ଅପେକ୍ଷାକୃତ ଅଧିକ ଅତ୍ୟାଧୁନିକ ଓ ପ୍ରଗତିଶୀଳ ଜଣାପଡୁଛି ଏବଂ ବିରୋଧୀମାନେ ଆଧୁନିକତା ବିରୋଧୀ ଓ ରକ୍ଷଣଶୀଳ ଭଳି ଲାଗୁଛନ୍ତି। ଅନ୍ତତଃ ମୁସଲମାନ ମହିଳାଙ୍କ ପାଇଁ ବିଜେପି ବାମପନ୍ଥୀ ଭଳି ଓ ବିରୋଧୀମାନେ ଦକ୍ଷିଣପନ୍ଥୀ ପରି ମନେ ହେଉଛନ୍ତି।
ଅବଶ୍ୟ ବିଜେପିର ଲାଭକୁ ବିଚାରକୁ ନନେଇ ଏକଥାକୁ ଅଣଦେଖା କରାଯାଇପାରିବ ନାହିଁ ଯେ ମୁସଲିମ୍ ପର୍ସନାଲ୍ ଲ’ରେ ଲିଙ୍ଗଗତ ସମାନତାର ଅଭାବ ରହିଛି। ଏହା ବିବାହ ଓ ଛାଡ଼ପତ୍ର ମାମଲାରେ ସ୍ତ୍ରୀ ଅପେକ୍ଷା ସ୍ବାମୀଙ୍କ ପକ୍ଷ ନେଇଥାଏ। ଏହା ଉତ୍ତରାଧିକାରରେ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କୁ ଅଗ୍ରାଧିକାର ଦେଇଥାଏ। ୧୯୩୭ ମସିହାରୁ ମୁସଲିମ୍ ପର୍ସନାଲ ଲ’ ଲାଗୁ ହୋଇଆସିଛି। ସେବେଠାରୁ କେବଳ ଦୁଇଟି ଆଇନ ପାରିତ ହୋଇଛି ଯାହା ମୁସଲମାନ ମହିଳାଙ୍କ ସପକ୍ଷରେ ଯାଇଛି। ଗୋଟିଏ ପାରିତ ହୋଇଥିଲା ୧୯୩୯ ମସିହାରେ, ଯେଉଁଥିରେ ପତ୍ନୀମାନଙ୍କୁ ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ସେମାନଙ୍କ ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ନେବାର ଅଧିକାର ଦିଆଯାଇଥିଲା। ଅନ୍ୟଟି ଥିଲା ୨୦୧୭ ମସିହାରେ, ଯେଉଁଥିରେ ସ୍ବାମୀଙ୍କ ଦ୍ବାରା ଥରକେ ଉଚ୍ଚାରିତ ତିନି ତଲାକ୍ (ତଲାକ୍, ତଲାକ୍, ତଲାକ୍) ଦ୍ବାରା ଛାଡ଼ପତ୍ର ଦେବା ପ୍ରକ୍ରିୟାରେ ପ୍ରତିବନ୍ଧ ଲଗାଯାଇଥିଲା।
ତେବେ ଏହି ଦୁଇଟି ଯାକ ଆଇନ ପତ୍ନୀଙ୍କ ଜୀବନକୁ ସୁରକ୍ଷିତ ରଖିପାରିନାହିଁ। ବର୍ତ୍ତମାନ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ଅଧିକାର ପତ୍ନୀଙ୍କର ରହିଛି, ତେବେ ଏହା ଦ୍ବାରା ସେମାନେ ଅଧିକ ଉପକୃତ ହେଉନାହାନ୍ତି, କାରଣ ମୁସଲିମ୍ ପର୍ସନାଲ ଲ’ ଅନୁଯାୟୀ, ତାଙ୍କୁ ଆଜୀବନ ଭରଣପୋଷଣ ରାଶି ମିଳିବ ନାହିଁ। ଅପରପକ୍ଷେ, ଏହା ଦ୍ବାରା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ବିବାହ (ନିକାହ) ବେଳେ ଦେଇଥିବା ମାହର ଓ ଯୌତୁକ (ନଗଦ ଟଙ୍କା, ଅଳଙ୍କାର, ଘର, ଜମି) ଆଦି ହରାଇବାକୁ ପଡ଼ିବ। ୧୯୮୫ ମସିହାରେ ସୁପ୍ରିମ୍ କୋର୍ଟ ମୁସଲିମ୍ ପର୍ସନାଲ୍ ଲ’କୁ ଅଣଦେଖା କରି ଶାହ ବାନୋ ନାମକ ଛାଡ଼ପତ୍ର ପାଇଥିବା ଜଣେ ମୁସଲିମ୍ ମହିଳାଙ୍କୁ ସାଧାରଣ ଭରଣପୋଷଣ ଆଇନ (ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୧୨୫) ଅନୁଯାୟୀ ଆଜୀବନ ଭରଣପୋଷଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯୮୬ରେ ରାଜୀବ ଗାନ୍ଧୀ ସରକାର ସର୍ବୋଚ୍ଚ ଅଦାଲତର ଉକ୍ତ ଆଦେଶକୁ ରଦ୍ଦ କରିଦେଇଥିଲେ ଏବଂ ମୁସଲିମ୍ ପର୍ସନାଲ ଲ’ରେ ପ୍ରଦତ୍ତ ବ୍ୟବସ୍ଥା ଅନୁଯାୟୀ, ସ୍ବାମୀ ଉଚ୍ଚାରଣ କରିଥିବା ପ୍ରଥମ ‘ତଲାକ’ର ତିନି ମାସ ପରେ କେବଳ ‘ଇଦ୍ଦତ’ ସମୟରେ ହିଁ ମୁସଲମାନ ପତ୍ନୀଙ୍କୁ ଭରଣପୋଷଣ ଦେବାକୁ ଆଇନ ପ୍ରଣୟନ କରିଥିଲେ।
ମୁସଲିମ୍ ମହିଳାମାନେ ସମ୍ମାନର ସହ ବଞ୍ଚିବା ପାଇଁ ଏବଂ ଆମ ସମସ୍ତଙ୍କ ଭଳି ସ୍ବାଧୀନତା ଓ ମାନବାଧିକାର ଉପଭୋଗ କରିବା ପାଇଁ ସେମାନଙ୍କୁ ମୁସଲିମ୍ ପର୍ସନାଲ ଲ’ର ବନ୍ଧନରୁ ମୁକ୍ତ କରିବାକୁ ପଡ଼ିବ। ଶହ ଶହ ବର୍ଷ ଧରି ଭାରତୀୟ ମୁସଲମାନ ନେତାମାନେ ମୁସଲିମ୍ ପର୍ସନାଲ୍ ଲ’ରେ କୌଣସି ପ୍ରକାର ପରିବର୍ତ୍ତନକୁ ବିରୋଧ କରି ଆସିଛନ୍ତି ଏବଂ ‘ତାହାର ଏକ ଐଶ୍ବରୀୟ ସ୍ବୀକୃତି ଅଛି ଯାହା ଅପରିବର୍ତ୍ତନୀୟ’ ବୋଲି କହି ଆସିଛନ୍ତି। ତେବେ ଏହା ସଂପୂର୍ଣ୍ଣ ଭାବରେ ଏକ ମିଥ୍ୟା ଦାବି। ଇସଲାମ୍ରେ ମୌଳିକ ବିଶ୍ବାସ ବ୍ୟତୀତ ଅନ୍ୟ କିଛି ଦିବ୍ୟ କି ଅପରିବର୍ତ୍ତନୀୟ ନୁହେଁ। ଆଉ ଯାହା କିଛି ରହିଛି, ସବୁ ପରିସ୍ଥିତି ଅନୁସାରେ ବିତର୍କ, ବିଚାର ଓ ପରିବର୍ତ୍ତନ ପାଇଁ ଉନ୍ମୁକ୍ତ।
ଏ ପରିପ୍ରେକ୍ଷୀରେ ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଏକ ପ୍ରସିଦ୍ଧ କାହାଣୀ ରହିଛି। ଏକଦା ସେ ମାଧ ବିନ୍ ଜବାଲଙ୍କୁ ୟେମେନ୍ର ଗଭର୍ଣ୍ଣର ଭାବେ ନିଯୁକ୍ତ କରିଥିଲେ ଏବଂ ସେ କିପରି ଶାସନ କରିବେ ବୋଲି ପଚାରିଥିଲେ। ଉତ୍ତରରେ ମାଧ କହିଥିଲେ, ‘କୋରାନ୍ ଅନୁସାରେ’। ‘ଯଦି କୌଣସି ସମସ୍ୟାର ସମାଧାନ କୋରାନ୍ରେ ନ ମିଳିଲା, ତେବେ ତୁମେ କ’ଣ କରିବ?’ ବୋଲି ମହମ୍ମଦ ପ୍ରଶ୍ନ କରିଥିଲେ। ମାଧ କହିଥିଲେ, ‘ମୁଁ ହାଦିଥ (ମହମ୍ମଦଙ୍କ ବାଣୀ ଓ କାର୍ଯ୍ୟ) ଅନୁସାରେ ଶାସନ କରିବି।’ ଯଦି ହାଦିଥରେ ମଧ୍ୟ ସମାଧାନର ବାଟ ନମିଳେ, ତେବେ କ’ଣ ହେବ ବୋଲି ମହମ୍ମଦ ପୁଣି ପଚାରିଥିଲେ। ତେବେ ମୁଁ ମୋର ବିବେକ ଅନୁସାରେ କରିବି ବୋଲି ଶେଷରେ ମାଧ ଉତ୍ତର ଦେଇଥିଲେ। ଏହାପରେ ମହମ୍ମଦ ମାଧଙ୍କ ପିଠି ଥାପୁଡ଼େଇ ‘ଏହା ହିଁ ଉଚିତ୍ ପଦକ୍ଷେପ’ ବୋଲି ମହମ୍ମଦ କହିଥିଲେ।
ତେଣୁ ମହମ୍ମଦଙ୍କ ସ୍ପଷ୍ଟ ବାର୍ତ୍ତା ହେଉଛି: ଧର୍ମ ଉପରେ ଆସ୍ଥା ରଖିଥିବା ଆସ୍ତିକମାନେ ପରିସ୍ଥିତି ଅନୁସାରେ ଅଣଧର୍ମତାତ୍ତ୍ବିକ (ସାମାଜିକ, ପାରିବାରିକ, ରାଜନୈତିକ, ଅର୍ଥନୈତିକ ଓ ଅନ୍ୟାନ୍ୟ) ସମସ୍ୟାର ସୃଜନଶୀଳ ସମାଧାନ ଖୋଜିବାର ସ୍ବାଧୀନତା ପାଇଥା’ନ୍ତି। ମୁସଲିମ୍ ପର୍ସନାଲ୍ ଲ’ର ଧର୍ମତତ୍ତ୍ବ ସହିତ କୌଣସି ସମ୍ପର୍କ ନାହିଁ। ତେଣୁ ଧର୍ମବିଶ୍ବାସୀମାନେ ପରିସ୍ଥିତି ଅନୁସାରେ ଏଥିରେ ସୁଧାର ଆଣିବା ପାଇଁ ମୁକ୍ତ।
ସପ୍ତମ ଶତାବ୍ଦୀରେ ଆରବରେ ହିଁ ଇସଲାମ୍ର ଉତ୍ପତ୍ତି ହୋଇଥିଲା। ମୁସଲିମ୍ ପର୍ସନାଲ୍ ଲ’ର ଅଧିକାଂଶ ବିଧିବିଧାନର ରୂପରେଖ ତତ୍କାଳୀନ ଆରବୀୟ ରୀତିନୀତି ଓ ପରିସ୍ଥିତି ଦ୍ବାରା ନିର୍ଣ୍ଣୟ ହୋଇଥିଲା। ଉଦାହରଣ ସ୍ବରୂପ, ବହୁବିବାହ ପ୍ରଥାର ଇସଲାମୀୟ ବିଶ୍ବାସ ସହ କୌଣସି ସମ୍ପର୍କ ନଥିଲା। ଏହା ସେହି ସମୟର ଆରବୀୟ ପରିସ୍ଥିତିରୁ ହିଁ ଉତ୍ପନ୍ନ ହୋଇଥିଲା। ମହମ୍ମଦ ମୂର୍ତ୍ତିପୂଜକଙ୍କ ବିରୋଧରେ ଅନେକ ଯୁଦ୍ଧ କରିଥିଲେ ଯେଉଁଥିରେ ବହୁ ସଂଖ୍ୟକ ପୁରୁଷ ନିହତ ହୋଇଥିଲେ। ଫଳସ୍ବରୂପ ଏହା ଅନେକ ଝିଅଙ୍କୁ ଅନାଥ ତଥା ଅସହାୟ କରିଦେଲା ଯେଉଁମାନେ ଅସଭ୍ୟ ବର୍ବରମାନଙ୍କ କବଳରୁ ସୁରକ୍ଷା ଓ ଭରଣପୋଷଣ ପାଇଁ ସମର୍ଥନ ଆବଶ୍ୟକ କରୁଥିଲେ। ସେ ସମୟର ମୁସଲିମ୍ ପର୍ସନାଲ୍ ଲ’ ଜଣେ ପୁରୁଷକୁ ସେହି ଅନାଥ ଝିଅମାନଙ୍କ ଭିତରୁ ଦୁଇ କି ତିନି କି ଚାରି ଜଣଙ୍କୁ ବିବାହ କରିବାର ଅନୁମତି ଦେଇଥିଲା, ପୁଣି ଏହି ସର୍ତ୍ତରେ ଯେ ଯଦି ସେ ସମସ୍ତ ପତ୍ନୀଙ୍କ ସହିତ ‘ନ୍ୟାଯ୍ୟ’ ବ୍ୟବହାର କରିପାରୁଥିବେ। ତେଣୁ ସମୟର ପରିସ୍ଥିତି ଅନୁସାରେ ବହୁବିବାହ ଏଭଳି ସାମାଜିକ ସମସ୍ୟାର ଏକ ସୃଜନଶୀଳ ସମାଧାନ ଭାବେ ଉଭା ହୋଇଥିଲା।
ଆଜି ଭାରତରେ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ ରହିଛି। ଏଠାରେ କୌଣସି ଯୁଦ୍ଧ ହେଉନାହିଁ କି ତାହାର ଫଳସ୍ବରୂପ ବହୁସଂଖ୍ୟକ ଝିଅ ଆଉ ଅନାଥ ହେଉନାହାନ୍ତି। ସୁତରାଂ ଏଠାରେ ବହୁବିବାହ ପ୍ରଥା କାହିଁକି ଜାରି ରହିବ?
ସେହିପରି ସପ୍ତମ ଶତାବ୍ଦୀର ଆରବୀୟ ସମାଜ ବିଶେଷ କରି ଆଦିବାସୀ ଓ ପିତୃକୈନ୍ଦ୍ରିକ ଥିଲା। ଶାରୀରିକ ଓ ମାନସିକ ସ୍ତରରେ ଏହା ମହିଳାମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଥିଲା ଏବଂ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସମାନତାରୁ ବଞ୍ଚିତ କରି ରଖୁଥିଲା। ସେହି ସମୟର ମୁସଲିମ୍ ପର୍ସନାଲ୍ ଲ’ରେ ସେହି ମନୋଭାବ ହିଁ ପ୍ରତିଫଳିତ ହୋଇଥିଲା। ବିବାହ, ଛାଡ଼ପତ୍ର ଓ ଉତ୍ତରାଧିକାର ସଂକ୍ରାନ୍ତ ବ୍ୟବସ୍ଥାଗୁଡ଼ିକ ପୁରୁଷଙ୍କ ସପକ୍ଷରେ ପକ୍ଷପାତିତାପୂର୍ଣ୍ଣ ରହିଥିଲା। ଆଜିର ଭାରତରେ ମହିଳାମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ସାମାଜିକ ଚେତନା ବଢ଼ିବାରେ ଲାଗିଛି। ପୂର୍ବରୁ କେବଳ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଥିବା କ୍ଷେତ୍ରରେ ଏବେ ମହିଳାମାନେ ଉତ୍କର୍ଷ ପ୍ରଦର୍ଶନ କରି ଏହା ପ୍ରମାଣିତ କରିଛନ୍ତି। ତେଣୁ ସପ୍ତମ ଶତାବ୍ଦୀର ଆରବୀୟ ମନୋଭାବକୁ ତ୍ୟାଗ କରିବାର ସମୟ ଆସିନାହିଁ କି? ଭାରତରେ ଧର୍ମବିଶ୍ବାସୀମାନେ ମହମ୍ମଦଙ୍କ ପରାମର୍ଶ ଅନୁସରଣ କରିବା ଏବଂ ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ମୁସଲିମ୍ ପର୍ସନାଲ୍ ଲ’ରେ ସଂସ୍କାର ଆଣିବା ଉଚିତ ହେବ ନାହିଁ କି?
ଅନ୍ୟ କେତେକ ଦେଶରେ ଧର୍ମବିଶ୍ବାସୀମାନେ ଏହା କରିସାରିଛନ୍ତି। ୧୯୫୬ ମସିହାରେ ଟ୍ୟୁନିସିଆ ସରକାର ମହିଳାମାନଙ୍କୁ ବିବାହ ଓ ଛାଡ଼ପତ୍ର କ୍ଷେତ୍ରରେ ସମାନତା ପ୍ରଦାନ କରିବା ପାଇଁ ଏକ ଆଇନ ପ୍ରଣୟନ କରିଥିଲେ। ତାହା ବହୁବିବାହ ପ୍ରଥାର ଅନ୍ତ ଘଟାଇଥିଲା। ଏଥିରେ ତିନି ଥର ତଲାକ୍ ଉଚ୍ଚାରଣ କରି ପତ୍ନୀଙ୍କୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ପୁରୁଷଙ୍କ ଠାରୁ ଛଡ଼ାଇ ନିଆଯାଇଥିଲା। କେବଳ ଅଦାଲତ ହିଁ ଛାଡ଼ପତ୍ର ଉପରେ ନିଷ୍ପତ୍ତି ନେଇପାରିବେ। ମରକ୍କୋ, ଇଜିପ୍ଟ, ତୁର୍କି, ସିରିଆ, ଇରାକ ଓ ୟେମେନ୍ ସମେତ ଅନ୍ୟ କେତେକ ମୁସଲିମ୍ ଦେଶ ମଧ୍ୟ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମୁସଲିମ୍ ପର୍ସନାଲ୍ ଲ’ରେ ସଂସ୍କାର ଆଣିଛନ୍ତି। ତେଣୁ ଆମେ ଭାରତରେ ତାହା କରିପାରିବାନି କାହିଁକି?
[email protected]
ପୂର୍ବବର୍ତ୍ତୀ ଖବର