ଡାକ୍ତର ରାମଚନ୍ଦ୍ର ରାଉତ
ଘରୋଇ ହସପିଟାଲଗୁଡ଼ିକ ବ୍ୟୟବହୁଳ ଓ ଆକର୍ଷଣୀୟ ବିଜ୍ଞାପନ ଦେଇ ଲୋକମାନଙ୍କୁ ଆକୃଷ୍ଟ କରନ୍ତି, କିନ୍ତୁ ଏକ ସାଧାରଣ ଅଭିଯୋଗ ଶୁଣିବାକୁ ମିଳେ ଯେ ସେଠାରେ ରୋଗୀଙ୍କୁ ଅଯଥାରେ ଅଧିକ ଖର୍ଚ୍ଚାନ୍ତ କରାଯାଏ। ଅବଶ୍ୟ, ସରକାରୀ ସ୍ବାସ୍ଥ୍ୟ ସେବାର ସମାଲୋଚନାରେ ଦିସ୍ତା ଦିସ୍ତା ଲେଖା ସରିଲାଣି ଓ ଚାଲିଛି। ଏବେ ଆସନ୍ତୁ ଘରୋଇ ଡାକ୍ତରଖାନାର ଚିକିତ୍ସା ଉପରେ ଟିକିଏ ଦୃଷ୍ଟି ପକାଇବା।
ଭୁବନେଶ୍ବରରେ ଅନେକ ବଡ଼ ଘରୋଇ ହସପିଟାଲ ଗଢ଼ି ଉଠିଛି, ଯେଉଁଥି ଲାଗି ରାଜ୍ୟ ସରକାର ସ୍ବଳ୍ପ ବା ନାମମାତ୍ର ମୂଲ୍ୟରେ ଭଲ ଜମି ଯୋଗାଇ ଦେଇଛନ୍ତି। କିନ୍ତୁ ଏଥି ଲାଗି ସରକାର ଓ ଘରୋଇ ହସପିଟାଲର ମୁଖ୍ୟଙ୍କ ମଧ୍ୟରେ ସଂପାଦିତ ହେଉଥିବା ଚୁକ୍ତି ଅନୁଯାୟୀ ଘରୋଇ ହସପିଟାଲଗୁଡ଼ିକ ଜନସାଧାରଣଙ୍କ ଲାଗି ଯେଉଁ ଉତ୍ତରଦାୟିତ୍ବମୂଳକ କାର୍ଯ୍ୟମାନ ହାତକୁ ନେବା କଥା, ତାହା ନିଅନ୍ତି କି ନାହିଁ, ତା’ ଉପରେ କାହାର ଦୃଷ୍ଟି ନ ଥାଏ। ସାଧାରଣ ଲୋକେ ମଧ୍ୟ ଏ ବାବଦରେ ସଚେତନ ନୁହନ୍ତି। ଅବଶ୍ୟ, କେତେକ ଘରୋଇ ହାସପାତାଲ ର ଠ ଭାବେ କିଛି କାର୍ଯ୍ୟ କରି ବାହାରକୁ ଦେଖାଇ ଦିଅନ୍ତି।
ସରକାରୀ ଡାକ୍ତରଖାନାଗୁଡ଼ିକରେ ପ୍ରତ୍ୟେକ ରୋଗ ଓ ଉପସର୍ଗ ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଓ କାର୍ଯ୍ୟ ବିଧାନ ରହିଛି। ମାତ୍ର ଘରୋଇ ଡାକ୍ତରଖାନାଗୁଡ଼ିକରେ ଏଭଳି ନ ଥାଏ। ଗୋଟିଏ ଉଦାହରଣରୁ ଏହା ସ୍ପଷ୍ଟ ହେବ। ଶିଶୁ ଜନ୍ମ ଏକ ପ୍ରାକୃତିକ ଓ ସ୍ବାଭାବିକ ଶାରୀରିକ ପ୍ରକ୍ରିୟା ହୋଇଥିବାରୁ କୌଣସି ଅସ୍ତ୍ରୋପଚାରର ସାହାଯ୍ୟ ନ ନେଇ ପ୍ରାକୃତିକ ଭାବେ ସନ୍ତାନ ଜନ୍ମ କରାଯିବା ବିଧେୟ, ଯାହା ଉଭୟ ମା’ ଓ ଶିଶୁର ସ୍ବାସ୍ଥ୍ୟ ସକାଶେ ଉତ୍ତମ ବୋଲି ସମସ୍ତେ ଜାଣନ୍ତି। ସରକାରୀ ଡାକ୍ତରଖାନାରେ ୮୦%ରୁ ଅଧିକ କ୍ଷେତ୍ରରେ ସ୍ବାଭାବିକ ଭାବେ ପ୍ରସବ କରାଯାଇଥାଏ। ଯେଉଁଠି ଜଟିଳତା ହେତୁ ମା’ ବା ଶିଶୁ ବା ଉଭୟଙ୍କର ଜୀବନ ବିପନ୍ନ ହେବାର ଆଶଙ୍କା ଥାଏ, ସେଠାରେ ଅସ୍ତ୍ରୋପଚାର କରାଯାଇଥାଏ। କିନ୍ତୁ ଘରୋଇ ଡାକ୍ତରଖାନାରେ ‘ସିଜରିଏନ୍’ ଅେସ୍ତ୍ରାପଚାର କରି ଶିଶୁକୁ ଭୂମିଷ୍ଠ କରାଇବା ଏକ ଧାରା ବା ରୁୁଟିନ। ସେଠାରେ ପ୍ରାକୃତିକ ଭାବେ ସନ୍ତାନ ଜନ୍ମ କରାଇବା ଏକ ବିରଳ କଥା। ଅବଶ୍ୟ, ଅସ୍ତ୍ରୋପଚାର କରାଗଲେ ମା’ ତାତ୍କାଳିକ ପ୍ରସବ ବେଦନାରୁ ମୁକ୍ତି ପାଏ, କିନ୍ତୁ ହସପିଟାଲରେ ସପ୍ତାହକର ରହଣି ଏବଂ ପରବର୍ତ୍ତୀ କାଳରେ ଦେଖାଯାଉଥିବା କେତେକ ଜଟିଳତା ହେତୁ ମା’ ଅଧିକ କଷ୍ଟ ପାଏ ଏବଂ ବ୍ୟୟ ଭାରର ଚାପ ଦ୍ବାରା ପରିବାର ଆଲୋଡ଼ିତ ହୁଏ।
ଏବେ ଆସିବା ଘରୋଇ ହାସପାତାଲର ମାନବ ସମ୍ବଳ ସଂଦର୍ଭକୁ। ସରକାରୀ କ୍ଷେତ୍ରରେ ଚାକିରି ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଉପରେ ବିଶେଷ ଧ୍ୟାନ ଦିଆଯାଏ। ଏମାନଙ୍କ ଯୋଗ୍ୟତା ବିଭିନ୍ନ ପରୀକ୍ଷା ଦ୍ବାରା ଏକାଧିକ ସ୍ତରରେ ଯାଞ୍ଚ କରାଯାଇଥାଏ। ମାତ୍ର, ଘରୋଇ ଡାକ୍ତରଖାନା କ୍ଷେତ୍ରରେ ନିଯୁକ୍ତି ବିଷୟରେ ନା ସରକାରଙ୍କୁ ଅବଗତ କରାଯାଏ ନା ଏହାକୁ ସାର୍ବଜନୀନ କରାଯାଏ। ଘରୋଇ ହାସପାତାଲରେ କିଛି ଖ୍ୟାତିସଂପନ୍ନ ଡାକ୍ତରଙ୍କୁ ମୋଟା ଦରମାରେ ‘କନସଲଟାଣ୍ଟ’ ଭାବେ ନିଯୁକ୍ତ କରାଯାଏ ଓ ସେମାନେ ହିଁ ହସପିଟାଲର ମଞ୍ଜ ହୁଅନ୍ତି। କିନ୍ତୁ, ରୋଗୀକୁ ସିଧାସଳଖ ସେବା ଯୋଗାଉଥିବା ସ୍ଥାୟୀ ଭାବେ ନିଯୁକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦକ୍ଷତା ଅନେକ ସମୟରେ ପ୍ରଶ୍ନାକୁଳ ହୋଇଥାଏ। ଅନେକ ରୋଗୀ ସ୍ବୀକାର ମଧ୍ୟ କରନ୍ତି ଯେ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀମାନେ ଅଧିକ ଦକ୍ଷ, ଯଦିଓ ସେମାନଙ୍କ ଆଭିମୁଖ୍ୟ ବେଳେ ବେଳେ ନକରାତ୍ମକ ହୋଇଥାଏ।
ଘରୋଇ ହାସପାତାଲରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ପରିବାର ଲୋକ ଅଭିଯୋଗ କରନ୍ତି ଯେ ସେଠାରେ ରୋଗୀର ମାତ୍ରାଧିକ ପରୀକ୍ଷାନିରୀକ୍ଷା କରାଯାଇ ଅଯଥାରେ ଅର୍ଥ ଆଦାୟ କରାଯାଏ। ଏହା ସତ ଯେ ରୋଗ ନିରୂପଣ ପାଇଁ ଡାକ୍ତରୀ ପରୀକ୍ଷାର ନିହାତି ଆବଶ୍ୟକତା ରହିଛି ଏବଂ ରୋଗୀ ବା ତାଙ୍କ ସଂପର୍କୀୟ ନୁହନ୍ତି, କେବଳ ଡାକ୍ତର ହିଁ କହିପାରିବେ ଯେ କେଉଁ ଭଳି ପରୀକ୍ଷାନିରୀକ୍ଷା ଆବଶ୍ୟକ। ଅବଶ୍ୟ, ଅନେକ ଅଭିଜ୍ଞ ଡାକ୍ତର ରୋଗୀକୁ ଭଲ ଭାବେ ଶୁଣି ତା’ର ସମସ୍ୟାକୁ ବୁଝି ବିଚାରି ରୋଗ ଠାରେ ପହଞ୍ଚି ଯାଇପାରନ୍ତି, ଯେଉଁଥି ଲାଗି ଅନେକ ପ୍ରକାର ପରୀକ୍ଷାନିରୀକ୍ଷା କରିବା ଲୋଡ଼ା ପଡ଼େ ନାହିଁ। ଘରୋଇ ହାସପାତାଲରେ ବ୍ୟବସ୍ଥାଗତ ଭାବେ ବ୍ୟୟବହୁଳ ପରୀକ୍ଷା ସବୁର ତାଲିକା ରୋଗୀକୁ ଧରାଇ ଦିଆଯାଏ ବୋଲି ଅଭିଯୋଗ ହୋଇଥାଏ ଏଭଳି ପରୀକ୍ଷାନିରୀକ୍ଷା କୁଆଡ଼େ ଘରୋଇ ଡାକ୍ତରଖାନା ସକାଶେ ଆୟର ଏକ ବଡ଼ ଉତ୍ସ। ସେମିତି ଆଉ କିଛି ରୋଗୀ ଅଭିଯୋଗ କରନ୍ତି ଯେ ଘରୋଇ ହାସପାତାଲରେ ଡାକ୍ତରମାନେ ପ୍ରେସକ୍ରିପସନ ବା ଚିଠାରେ ଅତ୍ୟଧିକ ସଂଖ୍ୟକ ଔଷଧ ଲେଖି ପକାନ୍ତି। ପ୍ରତ୍ୟେକ ଘରୋଇ ହାସପାତାଲର ନିଜସ୍ବ ଔଷଧ ଦୋକାନ ଥାଏ, ଯାହାକୁ ଏହା ବ୍ୟବସାୟ ଯୋଗାଏ ବୋଲି ଲୋକଙ୍କ ଧାରଣା। କେତେକ ଅଭିଯୋଗ ଅନୁସାରେ ଘରୋଇ ହାସପାତାଲରେ ସରକାରୀ ସ୍ବାସ୍ଥ୍ୟବୀମା କାର୍ଡର ଦୁରୁପଯୋଗ ମଧ୍ୟ କରାଯାଇଥାଏ।
ଏହା ସତ୍ତ୍ବେ ସମସ୍ତେ ଘରୋଇ ଡାକ୍ତରଖାନା ମୁହଁା ହୋଇଥାଆନ୍ତି। ଏହାର କାରଣ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେଉଥିବା ଆରାମପ୍ରଦ ବାତାବରଣ ଓ ଚାକଚକ୍ୟ, ଯାହା ସରକାରୀ ଡାକ୍ତରଖାନରେ ନ ଥାଏ। ଗୋଟିଏ ଘରୋଇ ହାସପାତାଲ ଚଳାଇବା ଅତ୍ୟନ୍ତ ଖର୍ଚ୍ଚସାପେକ୍ଷ ହୋଇଥିବାରୁ ରୋଗୀ ସେବା ଏକ ବ୍ୟବସାୟରେ ପରିଣତ ହୋଇଛି, ଯାହାର ମୂଳ ଲକ୍ଷ୍ୟ ହେଉଛି ଲାଭ ଉପାର୍ଜନ। ମନେ ରଖିବା ଉଚିତ ଯେ ଏବେ ବି ସବୁ ବଡ଼ ମେଡିକାଲ କଲେଜ ହାସପାତାଲ ଓ ‘ଏମ୍ସ’ରେ ରୋଗୀଙ୍କ ଭିଡ଼ ଘରୋଇ ହାସପାତାଲ ତୁଳନାରେ ଅନେକ ଅଧିକ। ଏହାର ଏକମାତ୍ର କାରଣ ହେଲା, ସେଠାରେ ଅନ୍ତତଃ ଉତ୍ତମ ବିଶେଷଜ୍ଞମାନେ ଉନ୍ନତ ଚିକିତ୍ସା ମାଗଣାରେ ବା ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ କରାନ୍ତି। ସରକାର ଚାହିଁଲେ ଜିଲ୍ଲା ଓ ସବଡିଭିଜନ ସ୍ତରରେ ସରକାରୀ ଚିକିତ୍ସାଳୟରେ ଏହି ଭଳି ଉନ୍ନତ ଚିକିତ୍ସାର ବ୍ୟବସ୍ଥା କରି ଲୋକଙ୍କୁ ଆକର୍ଷିତ କରିପାରିବେ। ଏହା କିନ୍ତୁ ସହଜ କଥା ନୁହେଁ। ଏଥି ଲାଗି ବିଧିବଦ୍ଧ ଓ ସଘନ ମାନସମନ୍ଥନ କରିବାକୁ ହେବ। ଦରକାର ପଡ଼ିଲେ େକତେକ ନୀତିଗତ ନିଷ୍ପତ୍ତି ନେବାକୁ ହେବ। ତେବେ, ଏହା ଯଦି ସମ୍ଭବ ହୁଏ, ତେବେ ଜଣେ ବ୍ୟକ୍ତି ସ୍ଥାନୀୟ ସରକାରୀ ଚିକିତ୍ସା ବ୍ୟବସ୍ଥାର ସୁଯୋଗ ନ ନେଇ କାହିଁକି ଭୁବନେଶ୍ବର ଆସି ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ଚାହିଁବ?
(ମତାମତ ଲେଖକଙ୍କ ନିଜସ୍ବ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/13/3YnjSO4lIsf0JRvc7Y2S.jpg)