ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀର ଅଭୂତପୂର୍ବ ସଫଳତା ଏବଂ ବୈଶ୍ୱିକ ସମସ୍ୟାର ସମାଧାନରେ ଭାରତର ଅଗ୍ରଣୀ ଭୂମିକାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଛି। ଗର୍ବର ବିଷୟ ହେଉଛି ଏହି ସମ୍ମିଳନୀର ଉଦ୍ଯାପନ ମଧ୍ୟ ଆମର- ‘ବସୁଧୈବ କୁଟୁମ୍ବକମ୍- ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ଅବଧାରଣାକୁ ମଜବୁତ କରୁଥିବା ସହଭାଗୀ ଘୋଷଣାପତ୍ର ମାଧ୍ୟମରେ ହୋଇଥିଲା। ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ ସମସ୍ତଙ୍କ ସହମତି ସୃଷ୍ଟି କରାଯାଇପାରିଛି, ଏଥିରୁ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠା ଓ ପ୍ରଭାବକୁ ଅନୁମାନ କରାଯାଇପାରିବ। ଜି-୨୦ ଶିଖର ସମ୍ମିଳନୀ ପରେ ଭାରତର ସଂସଦ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି ଏବଂ ତାହା ହେଲା- ‘ପି-୨୦’ ବା ଜି-୨୦ ସଂସଦୀୟ ବାଚସ୍ପତି ଶିଖର ସମ୍ମିଳନୀ। ଏହି ସମ୍ମିଳନୀ ଅକ୍ଟୋବର ୧୩ ଓ ୧୪ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ପି-୨୦ରେ ଜି-୨୦ ଏବଂ ଆମନ୍ତ୍ରିତ ରାଷ୍ଟ୍ରମାନେ ସଂସଦର ବାଚସ୍ପତି ବା ଅଧ୍ୟକ୍ଷ ପଦାଧିକାରୀମାନେ ଏକତ୍ରିତ ହେବେ। ସଂସଦ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା, ଯାହା ମାଧ୍ୟମରେ ଜନପ୍ରତିନିଧିମାନେ ସଦନରେ ଜନସାଧାରଣଙ୍କ ଆଶାଆକାଂକ୍ଷା ଉପସ୍ଥାପନ କରନ୍ତି ଏବଂ ଆଇନ ଓ ନୀତି ପ୍ରଣୟନ କରନ୍ତି।
ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଥିବା ବିଶ୍ୱର ପ୍ରାଚୀନ ସଭ୍ୟତା ମଧ୍ୟରୁ ଭାରତ ଅନ୍ୟତମ। ଯୁଗଯୁଗ ଧରି ଭାରତରେ ଗଣତନ୍ତ୍ର ଏକ ଅନ୍ତର୍ନିହିତ ଧାରଣା ଭାବେ ରହି ଆସିଛି। ଏପରିକି ଆମ ପ୍ରାଚୀନ ଗ୍ରନ୍ଥରେ ସଭା ଓ ସମିତି ଭଳି ଭାଗିଦାରୀ ଅନୁଷ୍ଠାନ ବିଷୟରେ ଉଲ୍ଲେଖ ରହିଛି, ଯାହା ବୈଦିକ ଯୁଗରେ ଜନ ପ୍ରତିନିଧି ଆଧାରିତ ଅନୁଷ୍ଠାନ ଭାବରେ ବିଦ୍ୟମାନ ଥିଲା। ସ୍ୱାଧୀନତା ପରଠାରୁ ୭୫ ବର୍ଷର ଯାତ୍ରାରେ ଗଣତନ୍ତ୍ର, ବିବିଧତା ଏବଂ ଜନସଂଖ୍ୟା ଆମର ଶକ୍ତି ଭାବେ ରହି ଆସିଛି। ଗଣତନ୍ତ୍ରର ଶକ୍ତି ବଳରେ ଆମେ ସମାଜର ସମସ୍ତ ବର୍ଗଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ସୃଷ୍ଟି କରିଛୁ ଏବଂ ସମସ୍ତଙ୍କ ପାଇଁ ସାମାଜିକ ଓ ଆର୍ଥିକ ବିକାଶ ସୁନିଶ୍ଚିତ କରିଛୁ। ଏହା କହିବା ଉଚିତ ଯେ ଜନକୈନ୍ଦ୍ରିକ ବିକାଶ ଏବଂ ସାମଗ୍ରିକ ବିକାଶ ଆମର ଗଣତାନ୍ତ୍ରିକ ଯାତ୍ରାର କେନ୍ଦ୍ରବିନ୍ଦୁରେ ରହିଛି।
ଏପରିକି ଆମ ସଂସଦରେ ଜନପ୍ରତିନିଧିମାନେ ବ୍ୟାପକ ଆଲୋଚନା ପରେ ବିଭିନ୍ନ ପ୍ରସଙ୍ଗରେ ସାମୂହିକ ସହମତି ସୃଷ୍ଟି କରିଥାନ୍ତି। ଏହା ଆମକୁ ଆହ୍ୱାନର ସାମୂହିକ ସମାଧାନ ଖୋଜିବାରେ ସାହାଯ୍ୟ କରେ। ତେଣୁ ପି-୨୦ ସମ୍ମିଳନୀରେ ମଧ୍ୟ ଭାରତୀୟ ସଂସଦ ବିଶ୍ୱ ଓ ମାନବିକତା ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ସମସାମୟିକ ସମସ୍ୟାର ସମାଧାନ ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ବିକଶିତ କରିବାକୁ ଚେଷ୍ଟା କରିବ। ଭାରତରେ ପି-୨୦ ସମ୍ମିଳନୀ ଆୟୋଜନର ଗୁରୁତ୍ୱ ବୃଦ୍ଧି ପାଇଛି, କାରଣ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସହମତି ମାନବତାର ସାଧାରଣ ଭବିଷ୍ୟତ ସହ ଜଡ଼ିତ। ପି-୨୦ ସମ୍ମିଳନୀରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ, ଜଳବାୟୁ ପରିବର୍ତ୍ତନ, ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ ମାନବ ଜାତିର ମିଳିତ ଭବିଷ୍ୟତ ଉପରେ ଗୁରୁତ୍ୱ ଦିଆଯିବ। ଏଥିରେ ପରିବେଶ ଅନୁକୂଳ ଜୀବନଶୈଳୀ ଅର୍ଥାତ୍ ‘ମିଶନ ଲାଇଫ୍’ ସହ ଜଡ଼ିତ ବିଷୟ ଉପରେ ମଧ୍ୟ ଆଲୋଚନା କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ନିଶ୍ଚିତ ଭାବରେ ବିଶ୍ୱରେ ସାମଗ୍ରିକ ମାନବ ବିକାଶର ଅବଧାରଣାକୁ ସାକାର କରିବା ପ୍ରୟାସକୁ ତ୍ୱରାନ୍ୱିତ କରିଛି। ଯେହେତୁ ଅତିଶୀଘ୍ର ଆମେ ୨୦୩୦ ମସିହା ପାଖେଇ ଆସୁଛୁ, ଏହି ପଦକ୍ଷେପ ଅଧୀନରେ ହୋଇଥିବା ଉପଲବ୍ଧିଗୁଡ଼ିକର ଆକଳନ କରିବା ଏବଂ ଏହାକୁ ସାକାର କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏସଡିଜିମାନଙ୍କ ମଧ୍ୟରେ ଏମିତି ଅନେକ ଲକ୍ଷ୍ୟ ରହିଛି ଯାହାର ପ୍ରଭାବ ସାର୍ବଜନୀନ। ସଂସଦରେ ଏସବୁ ପ୍ରସଙ୍ଗରେ ଆଲୋଚନା ଓ ବିଚାରବିମର୍ଶ କରି ସମସ୍ତ ଅସଙ୍ଗତି ଦୂର କରିବା ପାଇଁ ସହମତିରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱ ବଜାୟ ରଖିବା ସହ ନୀତିଗତ ସହମତି ବିକଶିତ ହେବା ଆବଶ୍ୟକ।
ବିଶ୍ୱର ସର୍ବବୃହତ୍ ବାୟୋମେଟ୍ରିକ୍ ପରିଚୟ ବ୍ୟବସ୍ଥା ‘ଆଧାର’ ସରକାରୀ ସେବା ହାସଲକୁ ସୁଗମ କରିଛି। ୟୁପିଆଇ (ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍) ଡିଜିଟାଲ ବ୍ୟାଙ୍କିଙ୍ଗକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ସବୁଠାରୁ ବଡ଼ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପକରଣରେ ପରିଣତ ହୋଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସମସ୍ତ ନାଗରିକଙ୍କୁ ଡିଜିଟାଲ ସେବା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି ଏବଂ ତୃଣମୂଳ ସ୍ତର ପ୍ରଶାସନରେ ବୈପ୍ଳବିକ ପରିବର୍ତ୍ତନ କରୁଛି। ଶିକ୍ଷା, କୃଷି, ଅର୍ଥ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳକୁ ଆପଣାଇବା ଦ୍ୱାରା ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ପି-୨୦ ଶିଖର ସମ୍ମିଳନୀରେ ଆମେ ଏହି ଐତିହାସିକ ଉପଲବ୍ଧିକୁ ବିଶ୍ୱର ସଂସଦରେ ବାଣ୍ଟିବୁ ଯାହା ଦ୍ୱାରା ଡିଜିଟାଲ ପରିବର୍ତ୍ତନରେ ଭାରତର ସଫଳତା ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ପାଲଟିବ।
ସେହିପରି ବିଶାଳ ଜନସଂଖ୍ୟାର ଆହ୍ୱାନକୁ ମୁକାବିଲା କରି ଏବଂ ଏକ ବିକଶିତ ରାଷ୍ଟ୍ର ହେବାର ଆକାଂକ୍ଷା ବଜାୟ ରଖି ମଧ୍ୟ ଭାରତ ଏହାର ବିକାଶ ପ୍ରକ୍ରିୟାକୁ ସବୁଜ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ଆପଣେଇବାକୁ ଚେଷ୍ଟା କରିଛି। ଆଜି ବିକଳ୍ପ ଶକ୍ତି କ୍ଷେତ୍ରରେ ଭାରତ ନେତୃସ୍ତରୀୟ ଭୂମିକାରେ ରହିଛି। ଆନ୍ତର୍ଜାତିକ ସୌର ମେଣ୍ଟ, ଆନ୍ତର୍ଜାତିକ ଜୈବ ଇନ୍ଧନ ମେଣ୍ଟ ଭଳି ନୀତିଗତ ପଦକ୍ଷେପକୁ ଭାରତ ସମର୍ଥନ ଦେଇଛି। ଆମ ସଂସଦରେ ପରିବେଶ ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ କ୍ରମାଗତ ଭାବରେ ଆଲୋଚନା ହେଉଛି। ଏହି ଆଲୋଚନା ମାଧ୍ୟମରେ ରାଜନୈତିକ ମତଭେଦକୁ ଦୂର କରିବା ସହିତ ଅକ୍ଷୟ ଶକ୍ତି ପାଇଁ ନୀତି ନିର୍ଦ୍ଧାରଣ ଉପରେ ଦେଶରେ ସହମତି ସୃଷ୍ଟି ହୋଇଛି। ମହିଳା ସଶକ୍ତୀକରଣ ଠାରୁ ଆରମ୍ଭ କରି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପ୍ରସଙ୍ଗକୁ ଆସିବା। ଭାରତର ପ୍ରାଚୀନ ସଂସ୍କୃତିରେ ନାରୀମାନଙ୍କୁ ଶକ୍ତି ଓ ଭକ୍ତିର ମୂର୍ତ୍ତି ବୋଲି ବିବେଚନା କରାଯାଏ। ଆମ ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ମହାକାଶ ବିଜ୍ଞାନ ହେଉ କିମ୍ବା କ୍ରୀଡ଼ା କ୍ଷେତ୍ର, ମହିଳାମାନେ ନିଜର ଦକ୍ଷତା ଓ ଶକ୍ତିର ବଳିଷ୍ଠ ପ୍ରମାଣ ଦେଇଛନ୍ତି। ଆମ ସମ୍ବିଧାନ ମହିଳାମାନଙ୍କୁ ମତଦାନ ଅଧିକାର ସମେତ ସବୁ କ୍ଷେତ୍ରରେ ସମାନ ଅଧିକାର ଦେଇ ସଶକ୍ତ କରିଛି। ଗଣତନ୍ତ୍ରର ଯାତ୍ରା ଯେତିକି ଆଗକୁ ବଢୁଥିଲା, ମହିଳାମାନଙ୍କୁ ରାଜନୈତିକ ଓ ଆର୍ଥିକ ସଶକ୍ତୀକରଣ ଦେବା ଏବଂ ସେମାନଙ୍କୁ ନେତୃତ୍ୱ ସୁଯୋଗ ଦେବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମେ ଗ୍ରାମ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ଆରକ୍ଷଣ ପାଇଁ ଆଇନ ପ୍ରଣୟନ କରାଯାଇଥିଲା। ଏହାକୁ ଆଗେଇ ନେଇ ଲୋକସଭା ଓ ବିଧାନସଭାରେ ସେମାନଙ୍କ ସ୍ଥାନ ଆରକ୍ଷଣ ପାଇଁ ଆଇନ ପ୍ରଣୟନ କରାଯାଇଛି। ସମଗ୍ର ଦେଶର ପ୍ରତ୍ୟେକ ରାଜନୈତିକ ଦଳ ମଧ୍ୟରେ ଏହି ଆଇନକୁ ନେଇ ସହମତି ପ୍ରକାଶ ପାଇଛି। ପି-୨୦ ସମ୍ମିଳନୀରେ ଆମେ ଏହି ବିଷୟରେ ଆମର ସକାରାତ୍ମକ ଅନୁଭୂତି ବାଣ୍ଟିବୁ ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ କରିବାକୁ ଚେଷ୍ଟା କରିବୁ।
ଭାରତ ଡିଜିଟାଲ ରୂପାନ୍ତରଣ କ୍ଷେତ୍ରରେ ଅଗ୍ରଣୀ ରହିଛି, ନିଜ ନାଗରିକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଯୁକ୍ତିର ଉପଯୋଗ କରୁଛି। ବିଶ୍ୱର ସର୍ବବୃହତ୍ ବାୟୋମେଟ୍ରିକ୍ ପରିଚୟ ବ୍ୟବସ୍ଥା ‘ଆଧାର’ ସରକାରୀ ସେବା ହାସଲକୁ ସୁଗମ କରିଛି। ୟୁପିଆଇ (ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍) ଡିଜିଟାଲ ବ୍ୟାଙ୍କିଙ୍ଗକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ସବୁଠାରୁ ବଡ଼ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପକରଣରେ ପରିଣତ ହୋଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସମସ୍ତ ନାଗରିକଙ୍କୁ ଡିଜିଟାଲ ସେବା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି ଏବଂ ତୃଣମୂଳ ସ୍ତର ପ୍ରଶାସନରେ ବୈପ୍ଳବିକ ପରିବର୍ତ୍ତନ କରୁଛି। ଶିକ୍ଷା, କୃଷି, ଅର୍ଥ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳକୁ ଆପଣାଇବା ଦ୍ୱାରା ଲକ୍ଷ ଲକ୍ଷ ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ପି-୨୦ ଶିଖର ସମ୍ମିଳନୀରେ ଆମେ ଏହି ଐତିହାସିକ ଉପଲବ୍ଧିକୁ ବିଶ୍ୱର ସଂସଦରେ ବାଣ୍ଟିବୁ ଯାହା ଦ୍ୱାରା ଡିଜିଟାଲ ପରିବର୍ତ୍ତନରେ ଭାରତର ସଫଳତା ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ପାଲଟିବ। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ଭାଗ୍ୟ ନିର୍ଦ୍ଧାରଣ କରିବାରେ ଭାରତର ସଂସଦ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଆମ ସଂସଦ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ୟାପକ ବିତର୍କ ପରେ ଜନକଲ୍ୟାଣ ଆଇନ ତିଆରି କରିଛି। ବହୁଦଳୀୟ ବ୍ୟବସ୍ଥା ଥିବା ସତ୍ତ୍ୱେ ଆମେ ବିଭିନ୍ନ ପ୍ରସଙ୍ଗରେ ସହମତିରେ ପହଞ୍ଚିଛୁ। ଏହିପରି ଭାବରେ ଆମ ସଂସଦ ବିଶ୍ୱ ଆଗରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ବିତର୍କର ଏକ ମଡେଲ ଉପସ୍ଥାପନ କରିଛି।
ଜି-୨୦ ଶିଖର ସମ୍ମିଳନୀରେ ଯେପରି ବୈଶ୍ୱିକ ଆହ୍ୱାନ ଉପରେ ସହମତି ହାସଲ କରାଯାଇପାରିଛି, ସେହିଭଳି ପି-୨୦ ଶିଖର ସମ୍ମିଳନୀ ସମସାମୟିକ ଆହ୍ୱାନର ମୁକାବିଲା କରିବାରେ ସଂସଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବ ଏବଂ ବୈଶ୍ୱିକ ପ୍ରସଙ୍ଗରେ ସଂସଦ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ଆରମ୍ଭ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି।