ଯୋଗେନ୍ଦ୍ର ଯାଦବ
ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହହଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତି ଜନସାଧାରଣ ପ୍ରଦର୍ଶନ କରିଥିବା ଅପୂର୍ବ ଶ୍ରଦ୍ଧା ଗୋଟିଏ ଦୃଷ୍ଟିରୁ ଆଶ୍ଚର୍ଯ୍ୟଜନକ। ସ୍ବର୍ଗତ ସିଂହ ଜଣେ ପରୋପକାରୀ ବ୍ୟକ୍ତିତ୍ବ ନଥିଲେ, କିମ୍ବା ତାଙ୍କର ବ୍ୟାପକ ସମର୍ଥନ ଆଧାର ନଥିଲା କିମ୍ବା ନିଜର ବକ୍ତବ୍ୟ ପାଇଁ ସେ ଜଣାଶୁଣା ନଥିଲେ। ତାଙ୍କ ନୀତିରୁ ଯେଉଁ ସାଧାରଣ ଲୋକ ଉପକୃତ ହୋଇଥିଲେ, ସେମାନେ ମଧ୍ୟ ତାହା ଜାଣିନଥିବେ। ତାଙ୍କ କଥା ସ୍ମରଣ କରାଇବା ଲାଗି ତାଙ୍କର କୌଣସି ପ୍ରତ୍ୟକ୍ଷ ରାଜନୈତିକ ଉତ୍ତରାଧିକାରୀ ନାହାନ୍ତି। ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭଳି ପଦରେ ଅବସ୍ଥାପିତ ବ୍ୟକ୍ତିଙ୍କ ଦେହାନ୍ତରେ ଆନୁଷ୍ଠାନିକ ବିବୃତି, ଫମ୍ପା ପ୍ରଶଂସା ଓ ଅଳ୍ପ କିଛି ଭକ୍ତ କିମ୍ବା ଦଳ ଦ୍ବାରା ତାଙ୍କର ଗୁଣଗାନ ଏକ ସାଧାରଣ କଥା। କିନ୍ତୁ ଏଭଳି ଔପଚାରିକ ପ୍ରଶଂସା ଖୁବ୍ ଶୀଘ୍ର ତିକ୍ତ ସତ୍ୟର ବୋଝ ତଳେ ଦବିଯାଇ ନିଶ୍ଚିହ୍ନ ହୋଇଯାଇଥାଏ। ମାତ୍ର ଏଥର ସେଭଳି ହୋଇନାହିଁ। ସେଥିରୁ ବୁଝାପଡୁଛି କି, ଶିଖ୍ ସମୁଦାୟ ତାଙ୍କୁ ଏପରି ସମ୍ମାନ ଦେବା ଉଚିତ ଥିଲା ଯାହା ତାଙ୍କୁ ଜୀବିତ ଥିଲା ବେଳେ ଦେଇପାରିନଥିଲା। କିନ୍ତୁ ଗତ କିଛି ଦିନ ମଧ୍ୟରେ ମନମୋହନ ସିଂହଙ୍କ ପ୍ରତି ଯେଉଁ ସ୍ନେହ ଓ ସମ୍ମାନ ସୃଷ୍ଟି ହୋଇଛି, ତାହା କେବଳ ଗୋଟିଏ ସମ୍ପ୍ରଦାୟ, କୌଣସି ଗୋଟିଏ ଦଳ କିମ୍ବା କୌଣସି ବିଚାରଧାରା ମଧ୍ୟରେ ସୀମିତ ନୁହେଁ। ଏହା ପଛରେ କୌଣସି ସୂଚନା ପ୍ରଯୁକ୍ତି କେନ୍ଦ୍ର (ଆଇଟି ସେଲ୍)ର ସୁନିୟୋଜିତ ପ୍ରଚାରପ୍ରସାର ନାହିଁ। ଅପରପକ୍ଷେ, ସାମାଜିକ ଗଣମାଧ୍ୟମରେ ଯେତେବେଳେ ତାଙ୍କ ବିରୋଧରେ ଅପପ୍ରଚାର ପାଇଁ ଉଦ୍ୟମ କରାଗଲା, ସେତେବେଳେ ତାହା ବିଫଳ ହେଲା। କଂଗ୍ରେସର ପରାଜୟ ପରେ ବିଜେପିର ନକାରାତ୍ମକ ସମାଲୋଚନା (ଟ୍ରୋଲ)ଗୁଡ଼ିକରେ ତାଙ୍କ ପ୍ରତି କଂଗ୍ରେସ ଅଣଦେଖା କରିଥିବାର ଆରୋପ ଲଗାଯିବା ସହ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଥିବା ଦେଖାଯାଇଥିଲା। ସରକାର ତାଙ୍କୁ ଭାରତରତ୍ନ ଦିଅନ୍ତୁ ବା ନ ଦିଅନ୍ତୁ, ସର୍ଦ୍ଦାର ମନମୋହନ ସିଂହଙ୍କ ପ୍ରତି ମରଣୋତ୍ତର ଲୋକପ୍ରିୟତା ତାଙ୍କୁ ସେଭଳି ମାନ୍ୟତାରେ ପହଞ୍ଚାଇଦେଇଛି।
ଯଦି ଏହାର କାରଣ ଆମେ ଖୋଜିବା, ତେବେ ତାହାର ପ୍ରଥମ ଓ ସହଜ ଉତ୍ତରରେ ତାଙ୍କ ବ୍ୟକ୍ତିତ୍ବ ହିଁ ଦୃଶ୍ୟମାନ ହେବ। ଏକ ନିପଟ ଗାଁରୁ ତାଙ୍କର ଅକ୍ସଫୋର୍ଡ-କେମ୍ବ୍ରିଜ୍ ଯାତ୍ରା ଏବଂ ଏକ ଗରିବ ପରିବାରରୁ କ୍ଷମତାର ଶୀର୍ଷରେ ପହଞ୍ଚିବାର ସଂଘର୍ଷ ହିଁ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ। ଏପରିକି ତାଙ୍କ ସମ୍ପର୍କିତ ଏହି ଦିଗଟିକୁ ମନେ ପକାଇବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବି କୌଣସି ଅସୁବିଧା ହୋଇନଥିଲା। ମାତ୍ର ଭାରତୀୟ ମାନସିକତା କେବଳ ସଫଳତାର ପୂଜାରୀ ହୋଇନଥାଏ। ଏମିତି ବି ତାଙ୍କର ସଂଘର୍ଷ କୌଣସି ସାମାଜିକ କିମ୍ବା ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷ ନଥିଲା। ତାଙ୍କ ସଫଳ ଜୀବନଯାତ୍ରା ଅପେକ୍ଷା ଅଧିକ ମହତ୍ତ୍ବପୂର୍ଣ୍ଣ ଥିଲା ତାଙ୍କ ବ୍ୟକ୍ତିତ୍ବ ଯାହା ସେହି ସଫଳତାର ସହାୟକ ହୋଇଥିଲା। ସ୍ବଳ୍ପ କଥାବାର୍ତ୍ତା କରିବା ସତ୍ତ୍ବେ ତାଙ୍କର ଏପରି ମିଷ୍ଟଭାଷୀ ଓ ବିନମ୍ର ଗୁଣକୁ କେବଳ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଲୋକଙ୍କୁ ପ୍ରତୀତ ହେଉଥିଲା। ଏହି ଲେଖକକୁ ମଧ୍ୟ ସେଭଳି ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। କିନ୍ତୁ ଏକଥା ଦୂରରୁ ମଧ୍ୟ ପ୍ରତୀୟମାନ ହେଉଥିଲା କି, କ୍ଷମତାର ଶୀର୍ଷରେ ଥାଇ ମଧ୍ୟ ଏହି ବ୍ୟକ୍ତି ଅହଂକାରର ଶିକାର ହୋଇନଥିଲେ। ଅର୍ଥମନ୍ତ୍ରୀ ହୋଇ ସୁଦ୍ଧା ଅତି ସାଧାରଣ ମାରୁତି-୮୦୦ କାର୍କୁ ନିଜେ ଚଳାଇବା, ନିଜ ପରିବାରର କାହାକୁ ବି କ୍ଷମତାର ପାଖ ନ ମଡ଼ାଇବା କିମ୍ବା ତାହାର ଫାଇଦା ଉଠାଇବାକୁ ନଦେବା ଆଦି ବାବଦରେ ସମସ୍ତେ ଜାଣିନଥିଲେ, କେହି କେବେ ସେ ସମ୍ପର୍କର ପ୍ରଚାର ବି କରିନଥିଲେ। ମାତ୍ର ତାଙ୍କ ସରଳତାର ଭାବମୂର୍ତ୍ତି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଥିଲା। କ୍ଷମତାର ଖେଳାଳିଙ୍କ ଶହେ ପାପକୁ ଭାରତୀୟ ମନୋଭାବ କ୍ଷମା କରିଦେଇଥାଏ, ସେମାନଙ୍କର ଅନେକ ଦୋଷକୁ ଦେଖି ମଧ୍ୟ ଆଖି ବୁଜିଦେଇଥାଏ, କିନ୍ତୁ ତଥାପି ସେମାନଙ୍କ ଠାରୁ ଊର୍ଦ୍ଧ୍ବରେ ଥିବା ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ମାନ୍ୟତା ଦେଇ ମନର ଏକ ବିଶେଷ କୋଠରିରେ ବସାଇଥାଏ। ତାହା ଏଭଳି ଏକ ସ୍ଥାନ ଯେଉଁଠି ଲାଲ ବାହାଦୂର ଶାସ୍ତ୍ରୀ ଓ ଡକ୍ଟର ଅବଦୁଲ କଲାମଙ୍କ ପରି ମନୀଷୀ ବିରାଜମାନ ହୋଇଥିଲେ। ମରଣ ପରେ ମଧ୍ୟ ଭାରତୀୟ ମାନସପଟରେ ମନମୋହନ ସିଂହ ସମାନ ମାନ୍ୟତା ପାଉଛନ୍ତି। କେଉଁଠି ନା କେଉଁଠି ତାଙ୍କ ପରେ ତାଙ୍କ ଆସନରେ ବସିଥିବା ନେତାଙ୍କ ଅହଂକାର ମନମୋହନଙ୍କ ଭାବମୂର୍ତ୍ତିକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଛି।
ଏହି କଥା ଅନ୍ୟ ପକ୍ଷ ପାଇଁ ଆହୁରି ମଧ୍ୟ ସ୍ପଷ୍ଟ ଭାବରେ ପ୍ରଯୁଜ୍ୟ। ଯେତେବେଳେ ସେ ପ୍ରଧାନମନ୍ତ୍ରୀ ପଦରେ ଆସୀନ ଥିଲେ, ତାଙ୍କ ନେତୃତ୍ବ ପ୍ରତି ତମାମ ଆକ୍ଷେପ ହୋଇଥିଲା। ତାଙ୍କୁ ଜଣେ ପ୍ରକ୍ସି ନେତା ବା ମୁଖା ଭାବେ ବର୍ଣ୍ଣନା କରାଯାଉଥିଲା। ତାଙ୍କ ସମର୍ଥକମାନେ କହିପାରନ୍ତି କି, ଏପରି ପଦରେ ଥିବା ନେତା ସଂପୂର୍ଣ୍ଣ ସ୍ବାଧୀନ ନୁହନ୍ତି, କି ସେ ସ୍ବଚ୍ଛନ୍ଦ ହେବା ଉଚିତ ନୁହେଁ। ପ୍ରଶ୍ନ କେବଳ ଏତିକି ଯେ, ନେତାଙ୍କ ଉପରେ କେଉଁ ଶକ୍ତିର ଲଗାମ ଥିଲା। ଆଜି ଏହା ଦେଖାଯାଇପାରେ କି, ମନମୋହନ ସିଂହ ହୁଏତ ସୋନିଆ ଗାନ୍ଧୀଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବେ (ଯିଏ ନିଃସନ୍ଦେହରେ ସେ ସମୟରେ ଜଣେ ଲୋକପ୍ରିୟ ନେତ୍ରୀ ଥିଲେ ଏବଂ ଯାହାଙ୍କୁ ନିର୍ବାଚନରେ ଜନାଦେଶ ମିଳିଥିଲା), ମାତ୍ର ତାଙ୍କ ଲଗାମ କୌଣସି ବ୍ୟବସାୟୀଙ୍କ ହାତରେ ନଥିଲା। ମନମୋହନ ସିଂହ କୋଟି କୋଟି ଟଙ୍କାର ନିଷ୍ପତ୍ତି ନେଇଥିଲେ, ତାଙ୍କ ମନ୍ତ୍ରିମଣ୍ଡଳକୁ ଭ୍ରଷ୍ଟାଚାରର ଆରୋପ ଘେରି ରହିଥିଲା, ମାତ୍ର ତାଙ୍କ ବିରୋଧରେ ଗୋଟିଏ ପଇସାର ବି ହେରଫେର ଅଭିଯୋଗ ନଥିଲା। ତାଙ୍କ ଦ୍ବିତୀୟ ପାଳି ସରକାରର ଅନ୍ତିମ ପର୍ଯ୍ୟାୟରେ ଗଣମାଧ୍ୟମ ଖୋଲାଖୋଲି ଭାବେ ତାଙ୍କ ବିରୋଧରେ ଆରୋପ ଲଗାଇଥିଲା, ତାଙ୍କୁ ପରିହାସ କରିଥିଲା, ମାତ୍ର ସେ ଗଣମାଧ୍ୟମର ସମ୍ମୁଖୀନ ହେବା ବନ୍ଦ କରିନଥିଲେ, ବରଂ ଉଭୟ ଉତ୍ତମ ଓ ମନ୍ଦ ପ୍ରଶ୍ନର ଉତ୍ତର ରଖିଥିଲେ। ତାଙ୍କ ସରକାର ବିରୋଧରେ ରାଜରାସ୍ତାରେ ଆନ୍ଦୋଳନ ହୋଇଥିଲା। କିନ୍ତୁ ସେ କେବେ କୌଣସି ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ବିରୋଧରେ ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟାନୁଷ୍ଠାନ କରିନଥିଲେ, ବରଂ ବିରୋଧୀଙ୍କ ପ୍ରତି ସମ୍ମାନ ବଜାୟ ରଖିଥିଲେ। ଏହି ଲେଖକ ସାକ୍ଷୀ ରହିଛି କି, ରାଜରାସ୍ତାରେ ବିରୋଧ କରୁଥିବା ଲୋକଙ୍କ ପ୍ରତି ତାଙ୍କର ସ୍ନେହ ଓ ସମ୍ମାନ ଆଦୌ କମିନଥିଲା। ଏହା କେବଳ ଏକ ବ୍ୟକ୍ତିଗତ ଗୁଣ ନଥିଲା, ଏହା ଗଣତାନ୍ତ୍ରିକ ମର୍ଯ୍ୟାଦାର ଏକ ସ୍ଥାପିତ ପରିପାଟୀ ଥିଲା। ଆଜି ମନମୋହନ ସିଂହଙ୍କ ପ୍ରତି ଉଛୁଳି ପଡୁଥିବା ସ୍ନେହ ଓ ସମ୍ମାନ ମଧ୍ୟ ସେହି ଗଣତାନ୍ତ୍ରିକ ମର୍ଯ୍ୟାଦା ପ୍ରତି ସମ୍ମାନ ଯାହା ତାଙ୍କ କାର୍ଯ୍ୟକାଳ ପରେ ବିଗତ ଦଶ ବର୍ଷ ହେଲା ଛିନ୍ନଛତ୍ର ହୋଇ ପଡ଼ିଛି।
ଶେଷ କଥା ହେଉଛି, ଆଜି ମନମୋହନ ସିଂହଙ୍କୁ ଯେଉଁମାନେ ହୃଦୟର ସହ ମନେ ପକାଉଛନ୍ତି, ସେମାନଙ୍କ ମଧ୍ୟରେ ସେଭଳି ରାଜନୈତିକ ଦଳ, ନେତା ଓ ସଂଗଠନ ରହିଛନ୍ତି, ଯେଉଁମାନେ ତାଙ୍କର ଆର୍ଥିକ ନୀତିକୁ ଦୃଢ଼ ବିରୋଧ କରୁଥିଲେ। ମନମୋହନ ସିଂହ ଯେତେବେଳେ ନୂତନ ଆର୍ଥିକ ନୀତି ଲାଗୁ କଲେ, ଅଧିକାଂଶ ଜନଆନ୍ଦୋଳନ ଓ ପ୍ରଗତିଶୀଳ ରାଜନେତା ତାହାକୁ ଜନବିରୋଧୀ ଓ ଲୋକବିରୋଧୀ ବୋଲି ଆଖ୍ୟା ଦେଇଥିଲେ ଏବଂ ଆମର ଅର୍ଥବ୍ୟବସ୍ଥା ଛାରଖାର ହୋଇଥିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ଘରୋଇକରଣ, ଉଦାରୀକରଣ ଓ ଜଗତୀକରଣ ନୀତିକୁ ବିରୋଧ କରିବା ହେଉଛି ପ୍ରଗତିଶୀଳ ରାଜନୀତିର ମଞ୍ଜିକଥା। କିନ୍ତୁ କେଉଁଠି ନା କେଉଁଠି ମନମୋହନ ସିଂହଙ୍କ ପ୍ରତି ସମ୍ମାନ ଏହି ସତ୍ୟକୁ ସ୍ବୀକାର କରିଛି ଯେ ଦେଶ ବିନାଶର ଭବିଷ୍ୟବାଣୀ ସତ ହୋଇନାହିଁ। ଆର୍ଥିକ ବୈଷମ୍ୟ ବୃଦ୍ଧି ପାଇଲେ ବି ଦାରିଦ୍ର୍ୟ ମଧ୍ୟ ହ୍ରାସ ପାଇଛି। ବିଶ୍ବଶକ୍ତି ଆଗରେ ଭାରତ ଆଣ୍ଠୁମାଡ଼ି ବସିବାକୁ ବାଧ୍ୟ ହୋଇନାହିଁ। ମନମୋହନ ସିଂହଙ୍କୁ ମନେ ପକାଇବା ହେଉଛି ଜଣଙ୍କର ବୈଚାରିକ ଆଗ୍ରହକୁ ପୁନର୍ମୂଲ୍ୟାଙ୍କନ କରିବାର ଗୋପନ ଇଚ୍ଛାର ମଧ୍ୟ ଏକ ଅଭିବ୍ୟକ୍ତି।
ସ୍ବର୍ଗତ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ହେଉଛି ଏକ କଷ୍ଟକର ସମୟରେ ବ୍ୟକ୍ତିଗତ ମର୍ଯ୍ୟାଦା, ଗଣତାନ୍ତ୍ରିକ ପରିପାଟୀ ଓ ସଚ୍ଚୋଟ ବୈଚାରିକ ବିତର୍କର ଭାରତୀୟ ଐତିହ୍ୟକୁ ସ୍ମରଣ କରିବା।
ରାଷ୍ଟ୍ରୀୟ ସଂଯୋଜକ, ଭାରତ ଯୋଡ଼ୋ ଅଭିଯାନ
(ମତାମତ ଲେଖକଙ୍କ ନିଜସ୍ବ)