ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ବବିଦ୍ୟାଳୟ)ର ଗୌରବମୟ ଇତିହାସ, ତାହାର ପୁରାତନ ତଥା ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କର ନିଜ ଶିକ୍ଷା ମାତୃକା ସହିତ ଆବେଗପୂର୍ଣ୍ଣ ସମ୍ପର୍କ ଓ ସର୍ବଭାରତୀୟ ସ୍ତରରେ ତାହାର ପରିଚୟ ବିଷୟରେ ଯେଉଁମାନଙ୍କର ସାମାନ୍ୟ ଧାରଣା ନାହିଁ, ଆଜି ସେମାନେ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ବିତର୍କ କରୁଛନ୍ତି। ଦେଢ଼ଶହ ବର୍ଷରୁ ଅଧିକ ଆୟୁ ବହନ କରିଥିବା ଏକ ଐତିହ୍ୟସଂପନ୍ନ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାର ଅପଚେଷ୍ଟା ସେଇମାନେ କରନ୍ତି, ଯେଉଁମାନେ ସେହି ଅନୁଷ୍ଠାନ ତଥା ନିଜ ଜାତିର ଗୌରବ, ଐତିହ୍ୟ ଓ ବୌଦ୍ଧିକ ପରମ୍ପରା ବିଷୟରେ ଅଜ୍ଞ। ସାଧାରଣ ଭାବେ ଗୋଟିଏ ଅନୁଷ୍ଠାନ ସହିତ ଜଡ଼ିତ ବ୍ୟକ୍ତିମାନେ ଅନୁଷ୍ଠାନର ନାମ ପରିବର୍ତ୍ତନ କରି ନିଜର ପରିଚୟ ହଜାଇବାକୁ ଚାହାନ୍ତି ନାହିଁ। ଏହା କୌଣସି ପରିସ୍ଥିତିରେ ଏକ ସ୍ବାଭାବିକ ପ୍ରକ୍ରିୟା ନୁହେଁ। ଦୁର୍ଭାଗ୍ୟର କଥା, ଭାରତରେ ସରକାର ବଦଳିଲେ ପୂର୍ବ ସରକାର କରିଥିବା ନାମକରଣକୁ ନୂତନ ସରକାର ବଦଳେଇ ଦେବାର ରୁଗ୍ଣ ମାନସିକତା ଦୃଷ୍ଟିଗୋଚର ହୁଏ। କିନ୍ତୁ, ଆଜି ଓଡ଼ିଆ ଅସ୍ମିତାର ଦ୍ବାହି ଦେଇ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ ଯେଉଁ ଦାବି ହେଉଛି, ତାହା ସଂପୂର୍ଣ୍ଣ ଅକାରଣ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ରେଭେନ୍ସାପ୍ରେମୀଙ୍କ ମନରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।
ରେଭେନ୍ସା ନାମର ପରିବର୍ତ୍ତନ ପାଇଁ ଯେଉଁ ଯୁକ୍ତି ଉପସ୍ଥାପନ କରାଯାଉଛି, ତାହା ହେଲା ଏୟା ଯେ କମିସନର୍ ରେଭେନ୍ସାଙ୍କ ଅବହେଳା ଓ ଅପାରଗତା ଯୋଗୁଁ ୧୮୬୬ ମସିହାରେ ଓଡ଼ିଶାରେ ଦୁର୍ଭିକ୍ଷ ହୋଇ ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରିଥିଲେ। ତେଣୁ ଓଡ଼ିଆଙ୍କ ପ୍ରତି ତାଙ୍କର ସମବେଦନା ନଥିଲା। ଏହି ଅଭିଯୋଗର ସତ୍ୟତାକୁ ଜାଣିବାକୁ ଚେଷ୍ଟା ନକରି କିଛି ବ୍ୟକ୍ତି ଏହାକୁ ଭିତ୍ତି କରି ରେଭେନ୍ସା ନାମକୁ ବଦଳାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବାସ୍ତବ କଥା ହେଲା ୧୮୬୬ ମସିହାର ଦୁର୍ଭିକ୍ଷର କିଛି ମାସ ପୂର୍ବରୁ କାମଚଳା କମିସନର୍ ଭାବେ ରେଭେନ୍ସା ଓଡ଼ିଶାରେ ଯୋଗ ଦେଇଥିଲେ। ସେତେବେଳକୁ ଦୁର୍ବଳ ମୌସୁମୀ ଯୋଗୁଁ ଫସଲ ହାନି ହୋଇ ଦୁର୍ଭିକ୍ଷର ଆଶଙ୍କା ଦେଖା ଦେଇଥିଲା। ପୁରୀ, କଟକ ଓ ବାଲେଶ୍ବର ଜିଲ୍ଲାପାଳମାନେ କମିସନର ରେଭେନ୍ସାଙ୍କୁ ଏ ବିଷୟରେ ଆଗୁଆ ଜଣାଇଥିଲେ। ରେଭେନ୍ସା ଓଡ଼ିଶାରେ ସାମ୍ଭାବ୍ୟ ଦୁର୍ଭିକ୍ଷ ସମ୍ବନ୍ଧରେ ବଙ୍ଗଳାର ରାଜ୍ୟପାଳ ଓ ରାଜସ୍ବ ପରିଷଦକୁ ସାବଧାନ କରି ଦେଇଥିଲେ। କିନ୍ତୁ, ଓଡ଼ିଶା ବଜାରରେ ଯଥେଷ୍ଟ ଚାଉଳ ଥିବା କହି ରାଜସ୍ବ ପରିଷଦ ରେଭେନ୍ସାଙ୍କ ଚିଠିକୁ ଅଣଦେଖା କଲେ ଏବଂ ରାଜ୍ୟପାଳ ସାର୍ ସେସିଲ୍ ବିଡନ୍ଙ୍କୁ ଓଡ଼ିଶାରେ କୌଣସି ସମସ୍ୟା ହେବ ନାହିଁ ବୋଲି ବୁଝାଇଦେଲେ। ଫସଲ ହାନି ଯୋଗୁଁ ରେଭେନ୍ସାଙ୍କର ଭୂମି କର ଛାଡ଼ କରିବା ଆଦେଶକୁ ମଧ୍ୟ ରାଜ୍ୟପାଳ ବାତିଲ କରିଦେଲେ ଏବଂ ଏଥି ପାଇଁ ରେଭେନ୍ସାଙ୍କୁ ଭର୍ତ୍ସନା ସହିବାକୁ ପଡ଼ିଥିଲା।
ଯେତେବେଳେ ନେଡ଼ି ଗୁଡ଼ କହୁଣିକୁ ବହିଗଲା, ସେତେବେଳେ ରାଜ୍ୟପାଳ ସେସିଲ ଫେବ୍ରୁଆରି ମାସରେ ଓଡ଼ିଶା ଆସିଲେ ଏବଂ ଟିପ୍ପଣୀ ଦେଇ କହିଥିଲେ ଯେ ଏଭଳି ଦୈବୀ ଦୁର୍ବିପାକକୁ ରୋକିବା କିମ୍ବା ତା’ର ପ୍ରକୋପକୁ କମାଇବା ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ। ପରିସ୍ଥିତି ଗୁରୁତର ହେବାରୁ ରେଭେନ୍ସା ପୁନଶ୍ଚ ଚିଠି ଲେଖି ଚାଉଳ ପଠାଇବାକୁ ଅନୁରୋଧ କରିଥିଲେ। ଶେଷକୁ ରାଜ୍ୟପାଳ ପରିସ୍ଥିତିର ଗୁରୁତ୍ୱ ବୁଝି ଦଶ ହଜାର ଟନ୍ ଚାଉଳ ପଠାଇଲେ। କିନ୍ତୁ, ଦୁର୍ଭାଗ୍ୟକୁ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା କାରଣରୁ ଲୋକଙ୍କ ପାଖରେ ସେ ଚାଉଳ ପହଞ୍ଚି ପାରିଲାନାହିଁ। ଏହା ପରେ ପରେ ହଇଜା ହୋଇ ବହୁ ଲୋକଙ୍କର ମୃତ୍ୟୁ ହେଲା। ପରିସ୍ଥିତର ମୁକାବଲା କରିବାକୁ ରେଭେନ୍ସାଙ୍କ ଦ୍ବାରା ଗୋଟିଏ ଦୁର୍ଭିକ୍ଷ ରିଲିଫ ପାଣ୍ଠି ସୃଷ୍ଟି କରିବାର ଉଦ୍ୟମ ପ୍ରଥମେ ଅସଫଳ ହେଲା। କିନ୍ତୁ, ଇଂଲାଣ୍ଡରେ ଜନମତର ଚାପରେ ବଙ୍ଗଳା ସରକାର ରେଭେନ୍ସାଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଦୁର୍ଭିକ୍ଷର ସମୀକ୍ଷା କରିବା ପାଇଁ ବ୍ରିଟିସ୍ ସରକାର ଜର୍ଜ କ୍ୟାମ୍ପବେଲ୍ଙ୍କ ଅଧ୍ୟକ୍ଷତାରେ ଯେଉଁ ତଦନ୍ତ କମିସନ୍ ବସାଇଥିଲେ, ସେ କମିସନ୍ ନ’ ଅଙ୍କ ଦୁର୍ଭିକ୍ଷ ପାଇଁ ତତ୍କାଳୀନ ବଙ୍ଗଳାର ରାଜ୍ୟପାଳ ଓ ରାଜସ୍ବ ପରିଷଦକୁ ଦାୟୀ କରିଥିଲେ। ଓଡ଼ିଶାର ଶାସନ ଓ ପରିସ୍ଥିତି ସମ୍ବନ୍ଧରେ ବିଶେଷ ଅଭିଜ୍ଞତା ଓ ଅନ୍ତର୍ଦୃଷ୍ଟି ନ ଥିବାରୁ ରେଭେନ୍ସା ଦୁର୍ଭିକ୍ଷ ପରିସ୍ଥିତିର ଠିକ୍ ଆକଳନ କରି ପାରି ନଥିଲେ ବୋଲି କମିସନ୍ ମନ୍ତବ୍ୟ ଦେଇଥିଲେ। କମିସନର୍ ରେଭେନ୍ସା ଏହି ଦୁର୍ବିପାକର ଏକ ପୂର୍ଣ୍ଣ ଓ ସ୍ପଷ୍ଟ ବିବରଣୀ ତଦନ୍ତ କମିସନ୍ ଆଗରେ ଉପସ୍ଥାପନ କରିଥିବା କମିସନ୍ ଉଲ୍ଲେଖ କରିଥିଲେ। ‘ଦି ଟାଇମ୍ସ’ ଓ ‘ସ୍ପେକ୍ଟାଟର୍’ ପ୍ରଭୃତି ଖବରକାଗଜ ମଧ୍ୟ ରାଜ୍ୟପାଳ ଓ ରାଜସ୍ବ ପରିଷଦର ତିନି ଜଣ ସଭ୍ୟଙ୍କୁ ଏହି ଦୁର୍ବିପାକ ପାଇଁ ଦାୟୀ କରି କଠୋର ସମାଲୋଚନା କରିଥିଲେ। ଭାରତ ବ୍ୟାପାର ଦାୟିତ୍ବରେ ଥିବା ସଚିବ ସାର୍ ଷ୍ଟାଫୋର୍ଡ ନର୍ଥକୋଟ୍ ଉକ୍ତ ରିପୋର୍ଟକୁ ‘ବ୍ରିଟିସ୍ ହାଉସ୍ ଅଫ୍ କମନ୍ସ’ରେ ଆଲୋଚନା ପାଇଁ ଉପସ୍ଥାପନ କରି ରାଜ୍ୟପାଳ, ରାଜସ୍ୱ ପରିଷଦ ଓ ଗଭର୍ନର ଜେନେରାଲଙ୍କୁ ଦୋଷ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ନ’ ଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସାଙ୍କୁ ଦାୟୀ କରି ତାଙ୍କ ନାମରେ ନାମିତ ଅନୁଷ୍ଠାନରୁ ତାଙ୍କ ନାମକୁ ହଟାଇବା କେତେ ଦୂର ଯୁକ୍ତିଯୁକ୍ତ ତାହା ବିଚାର୍ଯ୍ୟ। ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରସାର ଓ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ରେଭେନ୍ସା ସାହେବଙ୍କର ଅବଦାନକୁ ସମ୍ମାନ ଜଣାଇ ଓଡ଼ିଶାର ତତ୍କାଳୀନ ବରପୁତ୍ରମାନେ ତାଙ୍କ ନାମରେ ନାମିତ କରିଥିବା ମହାବିଦ୍ୟାଳୟର ନାମକୁ ବର୍ତ୍ତମାନ ପିଢ଼ିର ସଦସ୍ୟମାନେ ଇତିହାସକୁ ବିକୃତ କରିବା ପୂର୍ବକ ପରିବର୍ତ୍ତନର ଉଦ୍ୟମ କରିବା ହାସ୍ୟାସ୍ପଦ ନୁହେଁ କି? ଏମାନେ କ’ଣ ତାଙ୍କ ପୂର୍ବଜଙ୍କ ଅପେକ୍ଷା ଦେଢ଼ଶହ ବର୍ଷ ତଳର ପରିସ୍ଥିତକୁ ସମୀକ୍ଷା କରି ନିଷ୍ପତ୍ତି ଗ୍ରହଣ କରିବାକୁ ଅଧିକ ଯୋଗ୍ୟ? ଏମାନେ କ’ଣ ଏଇ କାମ କରିବା ପାଇଁ ଜନାଦେଶ ପାଇଥିଲେ?
୧୮୬୬ ମସିହା ପରେ ପ୍ରାୟ ଦଶ ବର୍ଷ ପର୍ଯ୍ୟନ୍ତ ରେଭେନ୍ସା ଓଡ଼ିଶାରେ କମିସନର୍ ହୋଇ ରହିଥିଲେ। ଏହି ଦଶ ବର୍ଷ ଭିତରେ ସେ ଶିକ୍ଷାର ଉନ୍ନତି ପାଇଁ ବହୁତ ଗୁଡ଼ିଏ ପଦକ୍ଷେପ ନେଇଥିଲେ। ବଙ୍ଗଳା ସରକାରଙ୍କ ଦ୍ୱାରା ଉପେକ୍ଷିତ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଯଦି ରେଭେନ୍ସା ସାହେବ ଏଠାରେ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ସୃଷ୍ଟି କରି ନଥାନ୍ତେ, ତେବେ ଆଜି ମଧ୍ୟ ଓଡ଼ିଆମାନେ ବଙ୍ଗଳା ରାଜ୍ୟରେ ମାଳୀ ବା କୁଲି କିମ୍ବା ପୂଜାରୀ ହୋଇ ଖଟୁ ଥାଆନ୍ତେ। ଶିକ୍ଷା ଉପରେ ତାଙ୍କର ପ୍ରଥମ ରିପୋର୍ଟରେ ସେ ଓଡ଼ିଶାରେ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଯୁକ୍ତି ବାଢ଼ିଥିଲେ। ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାରେ ପଢ଼ାଇବା ପାଇଁ ଓ ବଙ୍ଗଳା ବହି ଜାଗାରେ ଓଡ଼ିଆ ବହିର ପ୍ରଚଳନ ପାଇଁ ଅନୁରୋଧ କରିଥିଲେ। ନ’ ଅଙ୍କ ଦୁର୍ଭିକ୍ଷ ପରେ ଗ୍ରାମାଞ୍ଚଳରେ ବନ୍ଦ ହୋଇ ଯାଇଥିବା ସ୍କୁଲ୍ଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଲାଇ ପାଠପଢ଼ା ଆରମ୍ଭ କରିଥିଲେ। ସେହି ସବୁ ସ୍କୁଲଗୁଡ଼ିକ ପାଇଁ ବନ୍ଦ ହୋଇ ଯାଇଥିବା ସରକାରୀ ଅନୁଦାନ ବ୍ୟବସ୍ଥା ପୁନଶ୍ଚ କାର୍ଯକାରୀ କରାଇଥିଲେ। ତାଙ୍କରି ଉଦ୍ୟମରେ ୧୮୭୧ ମସିହାରୁ ଓଡ଼ିଶାର ସୁଲ୍ଗୁଡ଼ିକରେ ବଙ୍ଗଳା ପରିବର୍ତ୍ତେ ଓଡ଼ିଆ ଭାଷା ଶିକ୍ଷାଦାନର ମାଧ୍ୟମ ହେଲା। ଓଡ଼ିଆ ପୁସ୍ତକ ଛପାଇବା ପାଇଁ ସେ ଅନୁଦାନର ବ୍ୟବସ୍ଥା ମଧ୍ୟ କରିଥିଲେ। ୧୮୬୮ ମସିହାରେ ଆରମ୍ଭ ହୋଇଥିବା କଟକ ମହାବିଦ୍ୟାଳୟକୁ ସ୍ନାତକ ସ୍ତରକୁ ଉନ୍ନୀତ କରିବା ପାଇଁ ସେ ସରକାରଙ୍କ ସବୁ ସର୍ତ୍ତ ପୂରଣ କରିଥିଲେ, ଯଦ୍ଦ୍ବାରା ୧୮୭୬ ମସିହାରେ ସ୍ନାତକ ଶ୍ରେଣୀ ଆରମ୍ଭ ହୋଇଥିଲା। ୧୮୭୦ ମସିହାରେ କଟକର ତତ୍କାଳୀନ ସିଭିଲ୍ ସର୍ଜନ୍ ଡକ୍ଟର ଡବ୍ଲୁ. ଡି. ଷ୍ଟୁଆର୍ଟଙ୍କ ପରାମର୍ଶ କ୍ରମେ କଟକରେ ୧୮୭୫ ମସିହାରେ ଗୋଟିଏ ମେଡିକାଲ୍ ସ୍କୁଲ୍ ଖୋଲାଇଲେ, ଯାହାକି ଆଜି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ନାମରେ ଖ୍ୟାତ। ୧୮୬୬ ମସିହାରେ ତାଙ୍କ ଉଦ୍ୟମରେ କଟକରେ ଏକ ସର୍ଭେ ସ୍କୁଲ୍ ସ୍ଥାପନ କରାଯାଇଥିଲା, ଶିକ୍ଷକମାନଙ୍କର ତାଲିମ ପାଇଁ ୧୮୬୯ ମସିହାରେ ନିର୍ମାଲ ଟ୍ରେନିଂ ସ୍କୁଲ୍ ଖୋଲାଯାଇଥିଲା। କଟକରେ ଗୋଟିଏ ମାଇନର ସ୍କୁଲ ଖୋଲିବା ପାଇଁ ପ୍ୟାରୀମୋହନ ଆଚାର୍ଯ୍ୟଙ୍କୁ ସେ ସହାୟତା ପ୍ରଦାନ କରିଥିଲେ। ୧୮୭୯ ମସିହାରେ କଟକ ଏକାଡେମୀ ନାମରେ ବିଦ୍ୟାଳୟଟି ଖୋଲିଥିଲା, ଯାହା ପରବର୍ତ୍ତୀ ସମୟରେ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇ ପ୍ୟାରୀମୋହନଙ୍କ ନାମରେ ନାମିତ ହୋଇଛି। ଗରିବ ଓ ମେଧାବୀ ପିଲାମାନଙ୍କ ପାଇଁ ରାଜା ଓ ଜମିଦାରମାନଙ୍କ ଦ୍ବାରା ବିଭିନ୍ନ ଶିକ୍ଷା ବୃତ୍ତିର ବ୍ୟବସ୍ଥା ତାଙ୍କ ଉଦ୍ୟମରେ ସମ୍ଭବ ହୋଇଥିଲା। ପ୍ରାଥମିକ ସ୍ତରରୁ ଡିଗ୍ରି ସ୍ତର ପର୍ଯ୍ୟନ୍ତ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇ ଶିକ୍ଷାର ବିକାଶକୁ ତ୍ୱରାନ୍ୱିତ କରାଯିବା ଫଳରେ ଓଡ଼ିଶାରେ ଏକ ବୁଦ୍ଧିଜୀବୀ ଗୋଷ୍ଠୀର ଅଭ୍ୟୁଦୟ ହୋଇଥିଲା, ଯାହା ବଙ୍ଗଳାରେ ବହୁ ପୂର୍ବରୁ ହୋଇ ସାରିଥିଲା। ଏହା ଫଳରେ ବ୍ରିଟିସ୍ ସରକାରଙ୍କ ଦପ୍ତରରେ ଓଡ଼ିଆଙ୍କ ଉପସ୍ଥିତି ଜାହିର ହେଲା; ଓଡ଼ିଆଙ୍କର ଗରିମା ଓ ଆତ୍ମସମ୍ମାନ ବଢ଼ିଲା।
ଯେଉଁ ମହାନ ବ୍ୟକ୍ତି ଆମ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରି ବିଶ୍ବ ଦରବାରରେ ଆମକୁ ମୁଣ୍ଡ ଟେକି ଠିଆ ହେବାକୁ ସକ୍ଷମ କରାଇଲେ, ତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା କ’ଣ ଓଡ଼ିଆ ଅସ୍ମିତାର ପରିଚୟ? ଆଜି ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠାର ୧୫୬ ବର୍ଷ ପରେ ‘ରେଭେନ୍ସା’ ଶବ୍ଦଟି ଆଉ କୌଣସି ବ୍ୟକ୍ତିଙ୍କର ହୋଇ ରହିନାହିଁ। ଏହା ଉଚ୍ଚ ମାନର ଶିକ୍ଷା ଓ ଜ୍ଞାନର ଏକ ‘ବ୍ରାଣ୍ଡ୍’ ରୂପେ ପରିଚୟ ଲାଭ କରିଛି। ଏହାକୁ ଔପନିବେଶିକ ମାନସିକତାର ପ୍ରତୀକ ବୋଲି କହି ଏକ ମହାନ ବ୍ୟକ୍ତିଙ୍କୁ ଅପମାନିତ କରିବା କ’ଣ ଶାଳୀନତା ଓ ସଂଭ୍ରମବୋଧର ପରିଚୟ? ଆମେ ଯେତେବେଳେ ବିଲାତି ମଦ ପିଉଛୁ, କଫି ପିଉଛୁ, କୋଟ୍ ଓ ଗାଉନ ପିନ୍ଧୁଛୁ, ସେତେବେଳେ ଆମେ ଔପନିବେଶିକ ମାନସିକତା କଥା ଭାବୁଛୁ ନା ବ୍ରିଟିସ୍ ଲିଗାସି ବା ‘ବୁନିଆଦି’କୁ ବର୍ଜନ କରିଦେଉଛୁ? ଯେଉଁମାନେ ଏ ଜାତିର ଶୁଭ ଚିନ୍ତକଙ୍କୁ ନ୍ୟୂନ କରି ନିଜର ଅଜ୍ଞତାର ଧ୍ବଜା ଉଡ଼ାଉଛନ୍ତି, ସେହି ଆତ୍ମଘୋଷିତ ଅସ୍ମିତା ରକ୍ଷକମାନଙ୍କୁ ଏ ଜାତି କେବେ କ୍ଷମା ଦେବନାହିଁ। ପ୍ରଭୁ ଜଗନ୍ନାଥ ତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ନାମ ପରିବର୍ତ୍ତନ କରିବା, ବିଶ୍ବବିଦ୍ୟାଳୟଗୁଡ଼ିକରେ ଦୁର୍ନୀତିପ୍ରବଣ ନିଯୁକ୍ତି ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା ଭଳି ନକାରାତ୍ମକ କାର୍ଯ୍ୟରୁ ସେମାନେ କ୍ଷାନ୍ତ ହୋଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦିଗରେ ମନ ଦିଅନ୍ତୁ।
ଅଧ୍ୟକ୍ଷ, ରେଭେନ୍ସା ବିଶ୍ବବିଦ୍ୟାଳୟ ଉନ୍ନୟନ ନ୍ୟାସ, ପୂର୍ବତନ ରେଜିଷ୍ଟ୍ରାର୍, ରେଭେନ୍ସା ବିଶ୍ବବିଦ୍ୟାଳୟ ଓ
ପୂର୍ବତନ ଚେୟାରମ୍ୟାନ୍, ଓପିଏସ୍ସି
ମୋ: ୯୪୩୭୨୭୭୩୧୩
ରେଭେନ୍ସା କେବଳ ଏକ ନାମ ନୁହେଁ
ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ବବିଦ୍ୟାଳୟ)ର ଗୌରବମୟ ଇତିହାସ, ତାହାର ପୁରାତନ ତଥା ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କର ନିଜ ଶିକ୍ଷା ମାତୃକା ସହିତ ଆବେଗପୂର୍ଣ୍ଣ...