ବିଂଶ ଶତାବ୍ଦୀରେ ଓଡ଼ିଶାର ଯେଉଁ ମହୀୟସୀ ମହିଳା ସ୍ୱାଧୀନତା ଆନ୍ଦୋଳନ ଓ ସାହିତ୍ୟ ସେବା କ୍ଷେତ୍ରରେ ଅବତୀର୍ଣ୍ଣା ହୋଇ ଆମ ସମାଜକୁ ଦିଗ୍ଦର୍ଶନ ଦେବା ସହ ନାରୀସମାଜକୁ ଉପରକୁ ଉଠାଇବା ପାଇଁ ଅହରହ ଉଦ୍ୟମ କରୁଥିଲେ, ସେ ଯେ ଏକବିଂଶ ଶତାବ୍ଦୀରେ ବିସ୍ମୃତ ହୋଇଯିବେ, ତାହାହିଁ ବିସ୍ମୟର ବିଷୟ। ତାଙ୍କର କିମ୍ବା ତାଙ୍କ ପରିବାରର ଅବଦାନକୁ ଏ ଜାତି ଭୁଲିଯିବା ଉଚିତ ନୁହେଁ। ସେହି ମହୀୟସୀ ମହିଳା ଜଣକ ହେଉଛନ୍ତି ସରଳା ଦେବୀ।
୧୯୦୪ ଅଗଷ୍ଟ ୯ ତାରିଖରେ ଅଭିବକ୍ତ କଟକ ଜିଲ୍ଲାର ଜଗତ୍ସିଂହପୁର ଅନ୍ତର୍ଗତ ବାଲିକୁଦାର ନରିଲୋଠାରେ ସେ ଭୂମିଷ୍ଠ ହୋଇଥିଲେ। ସେବର ଅଭିବକ୍ତ କଟକ ଜିଲ୍ଲାର ଜଗତ୍ସିଂହପୁର ସବ୍ଡିଭିଜନ ଆଜି ଜିଲ୍ଲାରେ ପରିଣତ ହୋଇଛି। ଓଡ଼ିଶାର ବହୁ ବିଶିଷ୍ଟ ଶିକ୍ଷିତ ଓ ସଚେତନ ବ୍ୟକ୍ତି ଏବଂ ରାଜନେତା ସେହି ଅଞ୍ଚଳରୁ ଆସିଛନ୍ତି। ସେହି ମାଟିରେ ଜନ୍ମ ହୋଇଥିବା ମହୀୟସୀ ମହିଳା ସରଳା ଦେବୀ କିମ୍ବା ତାଙ୍କର ପତି ବିଶିଷ୍ଟ ସ୍ୱାଧିନତାସଂଗ୍ରାମୀ ଭାଗୀରଥି ମହାପାତ୍ର କିମ୍ବା ସେମାନଙ୍କର ଏକମାତ୍ର ପୁତ୍ର ସ୍ୱାଧୀନତାସଂଗ୍ରାମୀ ଅମିତାଭ ମହାପାତ୍ରଙ୍କୁ କେବଳ ଜଗତ୍ସିଂହପୁରବାସୀ ନୁହେଁ, ଓଡ଼ିଶାବାସୀ ଏତେଶୀଘ୍ର ଭୁଲିଯିବାଟା ଦୁର୍ଭାଗ୍ୟଜନକ।
ଓଡ଼ିଶାର ପ୍ରଥମ ମହିଳା ବିଧାୟିକା, ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟ ସାଧିକା ଭାବେ ସରଳା ଦେବୀଙ୍କ ସ୍ମୃତିରକ୍ଷା ପାଇଁ ଓଡ଼ିଆମାନେ ସତେ ଯେପରି ଯତ୍ନଶୀଳ ନୁହନ୍ତି। ଏକଦା ଓଡ଼ିଶାରେ ତାଙ୍କର ଖୁବ୍ ନାଁ ଡାକ ଥିଲା। ତାଙ୍କ କୃତିତ୍ୱର ପ୍ରଶଂସା ମଧ୍ୟ କରାଯାଉଥିଲା। ସେତେବେଳେ ଅବଶ୍ୟ ଗଣମାଧ୍ୟମ ଏତେଟା ସକ୍ରିୟ ନଥିଲା। ଅନେକ ଓଡ଼ିଆ କଙ୍କଡ଼ାଙ୍କ ପରି ଆଚରଣ କରୁଥିଲେ ବୋଲି ଅଭିଯୋଗ ହେଉଥିଲା। ମାତ୍ର ଏବେ ଓଡ଼ିଆମାନେ ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ଉପନୀତ ହୋଇପାରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ‘ସାହିତ୍ୟ ଏକାଡ଼େମୀ’ ମେକର୍ସ ଅଫ୍ ଇଣ୍ଡିଆନ ଲିଟରେଚର ‘ଭାରତୀୟ ସାହିତ୍ୟ ପୃଷ୍ଠା ଶିରୋନାମାରେ ‘ସରଳା ଦେବୀ’ ପୁସ୍ତକ ଅବଶ୍ୟ ଇଂରାଜୀ ଭାଷାରେ ପ୍ରକାଶ କରିଛନ୍ତି। ଏହି ପୁସ୍ତକର ରଚୟିତା ହେଉଛନ୍ତି ସୁଲେଖକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି। ସେ ଅନ୍ୟ ଜଣେ ଓଡ଼ିଆ କବୀ ବିଦ୍ୟୁତ୍ପ୍ରଭା ଦେବୀ ଓ ପଞ୍ଚାନନ ମହାନ୍ତିଙ୍କ ସୁପୁତ୍ର। ସେ ଏହି ପୁସ୍ତକର ଆଦ୍ୟରେ ରହିଥିବା ମୁଖବନ୍ଧରେ ଲେଖିଛନ୍ତି,- ସରଳା ଥିଲେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରିଣୀ। ସେ ଜଣେ କବି, ଔପନ୍ୟାସିକା, କଥାଶିଳ୍ପୀ, ସମାଲୋଚକ, ଅନୁବାଦିକା ଓ ସ୍ତମ୍ଭକାର ଭାବେ ନିଜର ବୈଶିଷ୍ଟ୍ୟ ପ୍ରତିପାଦିତ କରିଯାଇଛନ୍ତି। ସେ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ, ମହିଳାଙ୍କ ସ୍ୱାର୍ଥ ରକ୍ଷାକାରୀ କର୍ମୀ, ସମାଜ ସଂସ୍କାରକ ଓ ଶିକ୍ଷାବିତ୍ ଥିଲେ।
ବିଶିଷ୍ଟ ଓଡ଼ିଆ କବି ଓ ତତ୍କାଳୀନ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମୁଖପତ୍ର ‘କୋଣାର୍କ’ର ସଂପାଦକ ରାଧାମୋହନ ଗଡ଼ନାୟକ ସରଳା ଦେବୀଙ୍କ ବିୟୋଗରେ ତାଙ୍କର ସଂପାଦକୀୟରେ ଲେଖିଥିଲେ– ସରଳା ଦେବୀ ଜଣେ ନାରୀନେତ୍ରୀ ହୋଇଥିବାରୁ ନାରୀ ସଂପର୍କରେ, ନାରୀ ସମସ୍ୟା ଉପରେ ବହୁ ପୁସ୍ତକ ଲେଖିଯାଇଛନ୍ତି। ସର୍ବୋପରି ତାଙ୍କର ‘ସାରଳା ମହାଭାରତରେ ନାରୀ’ ଓ ‘ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କ କବି ପ୍ରତିଭା’ ଦିଓଟି ଓଡ଼ିଆ ସାହିତ୍ୟକୁ ଅମୂଲ୍ୟ ଅବଦାନ। (୬୨ତମ ସଂଖ୍ୟା – ୧୯୮୬, କୋଣାର୍କ)।
ଜଣେ ବିଧାୟିକା ଭାବରେ ତାଙ୍କର ଅବଦାନ ରହିଛି। ଓଡ଼ିଶା ବିଧାନସଭା ଗବେଷଣା ବିଭାଗରୁ ତାଙ୍କର ବକ୍ତୃତାଗୁଡ଼ିକ ସଂଗୃହୀତ ହୋଇପାରିଲେ ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ଉନ୍ମୋଚିତ ହୋଇପାରନ୍ତା।
୧୯୮୬ ଅକ୍ଟୋବର ୪ ତାରିଖରେ କଟକର ତେଲେଙ୍ଗା ବଜାରସ୍ଥିତ ବାସଭବନରେ ୮୨ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।
ପୂର୍ବତନ ମୁଖ୍ୟ ସଂପାଦକ, ‘ଉତ୍କଳ ପ୍ରସଙ୍ଗ’