ମଧ୍ୟାହ୍ନ ସମୟ। ସେକ୍ରେଟାରିଏଟ୍ ଗେଟ୍ ପାଖରେ ଠିଆ ହୋଇ ଅପେକ୍ଷା କରିଥାଏ ରିକ୍ସାଟିଏ ପାଇଲେ ଘରକୁ ଯିବି। ଏହି ସମୟରେ ଗୋଟିଏ ରିକ୍ସା ମୋ ପାଖରେ ଅଟକିଲା। ମୁଁ କିଛି କହିବା ପୂର୍ବରୁ ସେ ମୋତେ କହିଲା- ‘ସାର୍ ବସନ୍ତୁ ମୋ ରିକ୍ସାରେ।’
ମୁଁ ବି ସେଥିରେ ବସି ପଡ଼ି ମୋତେ ୟୁନିଟ୍ ନଅରେ ରହୁଥିବା ମୋ ସଂପର୍କୀୟଙ୍କ କ୍ବାର୍ଟର ପାଖକୁ ନେଇ ଯିବାକୁ କହିଲି। ସେତେବେଳେ ମୁଁ ଅନୁଗୁଳରେ ଚାକିରି କରୁଥାଏ।
ବାଟରେ ରିକ୍ସା ବାଲା ହଠାତ୍ ପଚାରିଲା- ‘ସାର୍! ଏବେ କେଉଁଠି ଅଛନ୍ତି? ଭଲ ଅଛନ୍ତି ତ? ଯେଉଁଠି ଥାଆନ୍ତୁ, ଈଶ୍ବର ଆପଣଙ୍କୁ ଭଲରେ ରଖିଥାଆନ୍ତୁ।’
ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି- ‘ବାବୁରେ, ମୋତେ ଚିହ୍ନିଛ ନା କ’ଣ? ମୋତେ ବି ଦୋ ଦୋ ଚିହ୍ନା ଲାଗୁଛି! ତୁମ ଘର କ’ଣ ନୟାଗଡ଼ରେ?’
ସେ କହି ଉଠିଲା- ‘ସାର୍! ଠିକ କହିଲେ। ଆପଣ ଆମର ସେଇ ବି.ଡି.ଓ. ବାବୁ ନା?
ତା’ ପରେ ସେ କହିଲା- ‘ସାର୍ ମୋ ଘର ନୟାଗଡ଼ର କଣ୍ଟାବଣିଆ ଗାଁରେ। ମୁଁ ପରା ଗଦାଧର!’
କଣ୍ଟାବଣିଆ! ନୟାଗଡ଼ ବ୍ଲକ୍ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ କାର୍ଯ୍ୟରତ ଥିବା ସମୟର ସ୍ମୃତି ମୋତେ ଆନ୍ଦୋଳିତ କରି ପକାଇଲା। ଦୀର୍ଘ ଦଶ ଏଗାର ବର୍ଷ ତଳର କଥା ମନେ ପଡ଼ି ଯାଉଥିଲା। ତାକୁ ପଚାରିଲି- ‘ଇଆର୍ଆର୍ପି’ ଯୋଜନାରେ ୨ ଏକର ଚାଷ ଜମି ପାଇଥିବା ଗଦାଧର ନା? ତୁମ ଭଳି ଅନ୍ୟ ହିତାଧିକାରୀମାନେ କେମିତି ଅଛନ୍ତି? ବିମଳା କେମିତି ଅଛି? ବର୍ତ୍ତମାନ କ’ଣ ଚାଷ କରୁଛ? ଗାଁ ଛାଡ଼ି ଏଠି କେମିତି ଓ କାହିଁକି? ଏମିତି ଅନେକ ପ୍ରଶ୍ନର ବର୍ଷା କରିଦେଲି ଗଦାଧର ଉପରେ!
ମନ ପଛକୁ ଫେରି ଯାଇଥିଲା, ୧୯୮୪ ମସିହାକୁ। ଅବିଭକ୍ତ ପୁରୀ ଜିଲ୍ଲାର ନୟାଗଡ଼ ବ୍ଲକ୍ରେ ବିଡିଓ ଭାବରେ ମୁଁ ଅବସ୍ଥାପିତ ହେଲି। ସେତେବେଳେ ‘ଇଆର୍ଆର୍ପି’ ଯୋଜନାରେ ଭୂମିହୀନ ଗରିବ ଚାଷୀମାନଙ୍କୁ ଜଣ ପିଛା ଅତି କମ୍ରେ ୨ ଏକର କରି ଜମି ଯୋଗାଇ ଦେବାର ବ୍ୟବସ୍ଥା ଥାଏ। ଦୁଇ ବର୍ଷ ଭିତରେ କୃଷି ବିଭାଗର ସହାୟତାରେ ଜମିକୁ ଚାଷଯୋଗ୍ୟ କରି ହିତାଧିକାରୀମାନ ପ୍ରଦାନ କରିବାର ବ୍ୟବସ୍ଥା ଥାଏ। ତା’ ପରେ ହିତାଧିକାରୀମାନେ ସରକାରଙ୍କ ସହଯୋଗରେ ନିଜେ ଚାଷବାସ କରି ଉପାର୍ଜନ କରିବାରେ ସକ୍ଷମ ହେବା ଥାଏ ଏହି ଯୋଜନାର ଲକ୍ଷ୍ୟ।
ନୟାଗଡ଼ ବ୍ଲକ୍ରେ ଏହି କାମରେ ମୁଁ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲି। ସେଠାରେ ସେହି କାମରେ ମୁଁ ଗଭୀର ଆତ୍ମସନ୍ତୋଷ ପାଇଥିଲି। ୧୯୮୪ ମସିହାରେ ସେଠାରୁ ମୋର ବଦଳି ହେଲା। ତା’ ପରେ ସେହି ପ୍ରକଳ୍ପ ବିଷୟରେ ମୋ ନିକଟରେ ଆଉ କୌଣସି ସୂଚନା ନ ଥିଲା।
ମୋ ପ୍ରଶ୍ନର ଉତ୍ତରରେ ଗଦାଧର କହିଲା ଯେ ସେ ଚାଷ ଛାଡ଼ିନି। ତା’ ପିଲାମାନେ ବଡ଼ ହୋଇ ଚାଷ ସମ୍ଭାଳିଲେଣି। ବିଲକୁ ଯାଇ କାମ କରିବାକୁ ଏବେ ତାକୁ ମନା କରୁଛନ୍ତି ଓ ବିଶ୍ରାମ ନେବାକୁ କହୁଛନ୍ତି।
ସେ କହି ଚାଲିଥିଲା- ‘ସାର୍, ବିଶ୍ରାମ କ’ଣ ନେବି? ଆପଣ ଜମି ଦେବା ଆଗରୁ ମୁଁ ଟ୍ରଲି ଚଲାଇବା ଜାଣିଥିଲି। ତେଣୁ ଭୁବନେଶ୍ୱର ଚାଲି ଆସି ଦୁଇ ବର୍ଷ ହେଲା ରିକ୍ସା ଚଲଉଛି। ସାର୍, ଆମେ ବାଦାମ ଓ ଆଖୁ କରୁଚୁ। ଭଲ ଦି ପଇସା ଲାଭ ବି ହଉଚି। ବହୁତ ଭଲରେ ଅଛୁ ସାର୍। ବିମଳା ନାନୀ ବି ଭଲରେ ଅଛି। ଗାଁକୁ ଗଲେ ସମସ୍ତଙ୍କୁ ଆପଣଙ୍କ ସହ ଏହି ଦେଖା ହେବା କଥା କହିବି।’
ରିକ୍ସା କେତେ ବେଳୁ ଘର ସାମ୍ନାରେ ପହଞ୍ଚି ଯାଇଥାଏ। କିନ୍ତୁ ସ୍ମୃତିର ଗର୍ଭରୁ ବାହାରି ଆସୁଥିବା ଅନେକ ପ୍ରଶ୍ନ ଓ ଜିଜ୍ଞାସା ଆମ କଥାବାର୍ତ୍ତାକୁ ଅସରନ୍ତି କରି ତୋଳିଥାଏ। ଘରେ ବି ସମସ୍ତେ ତାଜୁବ୍। ଜଣେ ରିକ୍ସା ବାଲା ସହିତ ୟେ କି ଅନ୍ତରଙ୍ଗ ଆଳାପ!
ହଠାତ୍ ପ୍ରକୃତିସ୍ଥ ହେଲି। ଗଦାଧର ହାତକୁ ୧୦୦ ଟଙ୍କାର ନୋଟ୍ଟିଏ ବଢ଼ାଇ ଦେଇ କହିଲି- ଗଦା, ତୁମ ଗାଁରେ ସମସ୍ତଙ୍କୁ ମୋ ଶୁଭକାମନା ଜଣାଇ ଦେବ।
ମୋ ହାତରେ ଟଙ୍କା ଦେଖି ଗଦାଧର ଚମକି ପଡ଼ିବା ଭଳି କହିଲା- ‘ସାର୍, ମୁଁ ପୁଣି ଆପଣଙ୍କ ଠାରୁ ପଇସା ନେବି? ଆପଣଙ୍କ ଟଙ୍କାରେ ଏହି ରିକ୍ସା କିଣିଛି। ମୋର କି ଭାଗ୍ୟ, ଆପଣ ଆଜି ମୋ ରିକ୍ସାରେ ବସିଲେ। ଧନ୍ୟ ହୋଇଗଲି ସାର୍!’
ଗଦାଧରକୁ ବୁଝାଇବାକୁ ଅନେକ ଚେଷ୍ଟା କଲି। କିନ୍ତୁ ସେ ଟଙ୍କା ନେବାକୁ ନାରାଜ। ସେ କହିଲା- ‘ସାର୍ ଆପଣ ଆମକୁ ସବୁ ଦିନ ଲାଗି ଦାନା ଦେଇଛନ୍ତି। ଆଜି ମୋତେ କ୍ଷମା କରି ଦିଅନ୍ତୁ ସାର୍।’
ସମୟ ତିନିଟା ହୋଇଯାଇଥିଲା। ଗଦାଧରକୁ ବିଦାୟ ଦେବାକୁ ହେଲା। ଗଦାଧର ରିକ୍ସା ବୁଲାଇ ଯିବାକୁ ବାହାରିଲା। ଅପଲକ ନେତ୍ରରେ ମୁଁ ତା’ର ଯିବା ବାଟକୁ ଚାହିଁ ରହିଥିଲି। ଜଣେ ପ୍ରଶାସନିକ ଅଧିକାରୀ ଭାବେ ଚାକିରି କିଭଳି ଆତ୍ମସନ୍ତୋଷ ପ୍ରଦାନ କରିଥାଏ, ତାହା ସେ ଦିନ ମୋର ହୃଦ୍ବୋଧ ହୋଇଥିଲା। ମୋ ଆଖି ଲୋତକାର୍ଦ୍ର ହୋଇ ଉଠିଥିଲା।
ମୋ:୯୪୩୭୦୩୨୦୦୨
ପ୍ରଶାସକଙ୍କ ଅନୁଭୂତି: ରିକ୍ସାବାଲା
କୃଷ୍ଣଚନ୍ଦ୍ର ମହାପାତ୍ର
/sambad/media/post_attachments/wp-content/uploads/2022/04/4h65s4fh654fh65fhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)