ସତ୍ୟକାମ ମିଶ୍ର

ସଂପ୍ରତି କଟକ ସହରରେ ଉପୁଜିଥିବା ଅଶାନ୍ତି ପାଇଁ ବିଭିନ୍ନ ଲୋକ ଓ ପୁଲିସକୁ ଦାୟୀ କରାଯାଇଛି। କଟକର ସ୍ଥାୟୀ ବାସିନ୍ଦାଙ୍କ ମନରେ ଏହି ଘଟଣା ଗଭୀର ଆଘାତ ଦେଇଛି। ଶିକ୍ଷା, ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର କଟକ ସହରରେ ଏଭଳି ଅଶୋଭନୀୟ ଘଟଣା ଘଟିବା ନିଶ୍ଚିତ ଭାବେ ଚିନ୍ତାଜନକ। କେବଳ ଏହି ଘଟଣା ନୁହେଁ, ଆହୁରି ଅନେକ ଅବାଞ୍ଛିତ ଘଟଣାବଳୀ ସେଠାରେ ଘଟୁଛି ଯାହା ବୁଦ୍ଧିଜୀବୀମାନଙ୍କୁ ବିଚଳିତ କରୁଛି। ଧର୍ମ ଓ ପରମ୍ପରା ନାମରେ କଟକ ସହରରେ ଯେଉଁଭଳି ଭାବେ ପୂଜା ପର୍ବାଣି ପାଳିତ ହେଉଛି ତାହା ଦ୍ୱାରା ଜନଜୀବନ କିଭଳି ପ୍ରଭାବିତ ହେଉଛି ସେ ବିଷୟରେ ପ୍ରଶାସନ ହୁଏତ ଜାଣି ପାରୁନି, ନଚେତ ଜାଣି ଅଜଣା ରହୁଛି। ପୂଜା ମଣ୍ଡପରେ ଯେତେ ପ୍ରକାର ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ କରିବାରେ ବାଧା ନାହିଁ। ଲୋକମାନେ ନିଜର ରୁଚି ଅନୁସାରେ ପୂଜା ପାଳନ କରନ୍ତୁ, କିନ୍ତୁ ପୂଜା ସରିଗଲା ପରେ ବିସର୍ଜନ ପ୍ରକ୍ରିୟାକୁ ସରଳ କରାଯାଉ।
ବିସର୍ଜନ ସମୟରେ କାନଫଟା ବାଦ୍ୟ, ଗୀତ ଓ ଉଦ୍ଦଣ୍ଡ ନୃତ୍ୟର ପରମ୍ପରା ଏହି କିଛି ବର୍ଷ ହେବ ଆରମ୍ଭ ହୋଇ ବର୍ତ୍ତମାନ ଏପରି ଆକାର ଧାରଣ କଲାଣି ଯାହା ଏକ ଉନ୍ନତ ଓ ସଭ୍ୟ ସମାଜର ସ୍ଥିତିକୁ ବିପଦଗ୍ରସ୍ତ କରିଛି। ସର୍ବସାଧାରଣ ରାସ୍ତାକୁ ଅବରୋଧ କରି ଏହି ବିସର୍ଜନ ଯାତ୍ରା ପାଳନ ଫଳରେ ଜନସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସହରରେ ଶାନ୍ତି ଭଙ୍ଗ ହେଉଛି ଓ ଜୀବନ ହାନି ମଧ୍ୟ ହେଉଛି। ଏ ବିଷୟରେ ପ୍ରଶାସନ ଚିନ୍ତା କରିବାର ସମୟ ଆସିଛି। ବେଳ ଥାଉ ଥାଉ ଯଦି ଏହାକୁ ଶୃଙ୍ଖଳିତ କରା ନ ଯାଏ ତେବେ ସହରରେ ପ୍ରତି ପୂଜା ପରେ ଚଳିତ ବର୍ଷର ଘଟଣାର ପୁନରାବୃତ୍ତି ହେଉଥିବ।
କଟକର ସାଂସଦ ଦୁର୍ଗାପୂଜା ସମୟରେ ଗଣ୍ଡଗୋଳ ଭିଆଇବାର ଆଶଙ୍କା ଥିବା କଥା ପ୍ରଶାସନକୁ ଜଣାଇଥିଲେ, କିନ୍ତୁ ବୋଧହୁଏ ତାଙ୍କ କଥାକୁ ଗୁରୁତ୍ବ ଦିଆଗଲାନି। ଏହି ଘଟଣା ତଥା ବାଲିଯାତ୍ରା ପାଳନ ଉପର ପଡ଼ିଆରେ ନ କରିବା ପାଇଁ ପ୍ରଶାସନର ଏକତରଫା ନିଷ୍ପତ୍ତିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଅଧିକାରୀମାନେ ଜନମତକୁ ଖାତିର କରୁନାହାନ୍ତି। ଲୋକମାନଙ୍କର ବିଶ୍ୱାସଭାଜନ ହୋଇ ନ ପାରିଲେ କିମ୍ବା ଜନସାଧାରଣଙ୍କର ସହାୟତା ନ ଲୋଡ଼ିଲେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅସମ୍ଭବ। ସରକାରୀ ଅଧିକାରୀମାନେ ନିଜକୁ ଜନସାଧାରଣଙ୍କ ସେବକ ବୋଲି ନ ଭାବି ହାକିମ ଓ ସାହେବ ବୋଲି ଭାବିବାର ମାନସିକତା ପରିହାର ନ କରିବା ପର୍ଯ୍ୟନ୍ତ ପ୍ରଶାସନ ଲୋକାଭିମୁଖୀ ହୋଇପାରିବ ନାହିଁ।
ଅତୀତରେ ୧୯୬୯ ମସିହାରେ କଟକ ସହରରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ସାମାନ୍ୟ ଘଟଣାରୁ ସେହି ଦଙ୍ଗା ଆକସ୍ମିକ ଭାବେ ଆରମ୍ଭ ହୋଇଥିଲା ଏବଂ ତତ୍‌କାଳୀନ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରି ରାତାରାତି ଦଙ୍ଗାକୁ ନିୟନ୍ତ୍ରଣ କରିଦେଇଥିଲେ। କିଛି ଦୋକାନ ବଜାର ପୋଡ଼ି ଯାଇଥିବା ବେଳେ କାହାର ଜୀବନ ହାନି ହୋଇ ନ ଥିଲା। ଯେଉଁମାନଙ୍କ ଯୋଗୁଁ ସେହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ସେମାନେଙ୍କର କିଛି କ୍ଷତି ହେଲା ନାହିଁ। ଅପର ପକ୍ଷରେ କିଛି ଗରିବ ଲୋକଙ୍କର ଜୀବିକା ବୁଡ଼ିଗଲା। ଏହି ଘଟଣା ପରେ କଟକ ସହରରେ ସେହିଭଳି ପରିସ୍ଥିତି ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇ ନ ଥିଲା। ୧୯୯୦ ମସିହାରେ ମେଢ଼ ଭାସାଣି ବେଳେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା, କିନ୍ତୁ ପ୍ରଶାସନର ତ୍ବରିତ ପଦକ୍ଷେପ ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିଥିଲା। ଯେଉଁମାନେ ଜିଲ୍ଲା ପ୍ରଶାସନ ଦାୟିତ୍ବରେ ରହୁଛନ୍ତି ସେମାନେ କିଛି ସାମ୍ବାଦିକ ଓ ରାଜନୈତିକ ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଜିଲ୍ଲାର କେତେଜଣ ବୁଦ୍ଧିଜୀବୀଙ୍କ ସଙ୍ଗେ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତି? ଯେ ପର୍ଯ୍ୟନ୍ତ ପ୍ରଶାସନ ଓ ସମାଜ ମଧ୍ୟରେ ଦୃଢ଼ ସମ୍ପର୍କ ପ୍ରତିଷ୍ଠା ନ ହୋଇଛି ସେ ପର୍ଯ୍ୟନ୍ତ ପ୍ରଶାସନ ଲୋକମାନଙ୍କୁ ସେବା ପ୍ରଦାନ ତଥା ଆଇନଶୃଙ୍ଖଳା ରକ୍ଷା କରିବାରେ ସଫଳ ହୋଇପାରିବ ନାହିଁ।
ଚଳିତ ବର୍ଷ ଦୁର୍ଗା ମେଢ଼ ଭସାଣି ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଯେଉଁ ଉତ୍ତେଜନା ସୃଷ୍ଟି ହେଲା ତାହା କିଛି ଉଦ୍‌ଭ୍ରାନ୍ତ ଯୁବକଙ୍କ ଔଦ୍ଧତ୍ୟ ଓ ଅସହିଷ୍ଣୁ ମନୋଭାବର ପ୍ରତିଫଳନ ଥିଲା। ଏଥିପ୍ରତି କୌଣସି ସଂପ୍ରଦାୟର ସମର୍ଥନ ନ ଥିଲା ଏବଂ ତାହା ସାଂପ୍ରଦାୟିକ ଦଙ୍ଗା ବୋଲି କହିବା ମଧ୍ୟ ଉଚିତ ନୁହେଁ। ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। କଥାଟି ସେଇଠି ସରିଥାଆନ୍ତା ଯଦି ସେହି ଘଟଣାକୁ କେନ୍ଦ୍ର କରି କୌଣସି ସଂଗଠନ ପ୍ରତିବାଦ ବା ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ରାଜରାସ୍ତାକୁ ଆସି ନଥାନ୍ତେ। ଅକ୍‌ଟୋବର ୫ ତାରିଖରେ ଘଟିଥିବା ବିଶୃଙ୍ଖଳାର ପ୍ରସ୍ଥଦପଟ ନାୟକମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।
କଟକ ସହର ଏପରି ଏକ ସହର ଯେଉଁଠି ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ଧର୍ମାବଲମ୍ବୀ ପରିବାରମାନେ ଏକାଠି ରହି ଆସିଛନ୍ତି। ସେମାନଙ୍କ ମଧ୍ୟରେ ପାରିବାରିକ ସଂପର୍କ ଅତ୍ୟନ୍ତ ନିବିଡ଼। କୌଣସି ବାହ୍ୟ ଶକ୍ତି ସେମାନଙ୍କ ମଧ୍ୟରେ ସହଜରେ ଫାଟ ସୃଷ୍ଟି କରିପାରିବେ ନାହିଁ। ଏହା ହେଉଛି କଟକର ସାଂସ୍କୃତିକ ଜୀବନର ଏକ ସକାରାତ୍ମକ ଦିଗ ଯାହାକୁ ଲୋକେ ଭାଇଚାରା ବୋଲି କହନ୍ତି। କିନ୍ତୁ ଅନ୍ୟାନ୍ୟ ରାଜ୍ୟରେ ଘଟୁଥିବା ଘଟଣା ପରିପ୍ରେକ୍ଷୀରେ ସାଂପ୍ରଦାୟିକ ସଦ୍‌ଭାବକୁ ବଜାୟ ରଖିବାକୁ ହେଲେ ଆମକୁ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ।
ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଅବାଧରେ ଦେଶରେ ରହିବାକୁ ସୁଯୋଗ ଦେଇ ସେମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ନିର୍ବାଚନ ଆୟୁକ୍ତଙ୍କ ଅଣ-ନାଗରିକ ଚିହ୍ନଟ ପ୍ରକ୍ରିୟାକୁ ବିରୋଧ କରି ଗୋଟିଏ ପଡ଼ୋଶୀ ରାଜ୍ୟର ଖୋଦ ମୁଖ୍ୟମନ୍ତ୍ରୀ ଦଙ୍ଗା ହେବାର ଧମକ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାଯାଉଛି ଯେ ଦଙ୍ଗା ଭଳି ଏକ ସମାଜ ତଥା ମାନବିକତା ବିରୋଧୀ କାର୍ଯ୍ୟକୁ ଏକ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ରାଜନେତାମାନେ ପଶ୍ଚାତ୍‌ପଦ ନୁହନ୍ତି। ଏଭଳି ଧୃଷ୍ଟତାକୁ ଜନସାଧାରଣ ଓ ଗଣତନ୍ତ୍ରର ଅନ୍ୟାନ୍ୟ ସ୍ତମଗୁଡ଼ିକ ଦୃଢ଼ ବିରୋଧ କରିବା ଆବଶ୍ୟକ। 
ଓଡ଼ିଶା ବାହାରେ ବିଭିନ୍ନ ସମୟରେ ଅନୁପ୍ରବେଶକାରୀ ଗୋଷ୍ଠୀ ଏକାଧିକ ହିଂସାକାଣ୍ଡରେ ଲିପ୍ତ ହେଉଥିବା ସମସ୍ତେ ଜାଣନ୍ତି। ବଙ୍ଗଳା ଓ ବିହାରରୁ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକ, କବାଡ଼ିବାଲା, ଫେରିବାଲା ପ୍ରଭୃତି ଆସି କଟକରେ ରହିଛନ୍ତି। ସେମାନଙ୍କର ସ୍ଥାନୀୟ ଲୋକମାନଙ୍କ ସଙ୍ଗେ କୌଣସି ପାରିବାରିକ ସଂପର୍କ ନାହିଁ, କିନ୍ତୁ ସେମାନେ ରହିବା ପାଇଁ ସ୍ଥାନୀୟ ଲୋକେ ଘର ଭଡ଼ା ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଜୀବିକାର୍ଜନ ପାଇଁ ଆସୁଥିବା ଲୋକମାନଙ୍କର ବିବରଣୀ ସ୍ଥାନୀୟ ଥାନାମାନଙ୍କରେ ନାହିଁ। ଏମାନଙ୍କର ଗତିବିଧି ଉପରେ କେହି ନଜର ରଖୁ ନାହାନ୍ତି। କିଛି ବର୍ଷ ପୂର୍ବେ ମୁର୍ସିଦାବାଦରୁ ଆସି ଏଠାରେ ଦୋଳମୁଣ୍ଡାଇ ଅଞ୍ଚଳରେ ଜଣକ ଘରେ ନିର୍ମାଣ କାର୍ଯ୍ୟ କରୁଥିବା କିଛି ମିସ୍ତ୍ରୀ ଘର ମାଲିକଙ୍କୁ ମାରି ଫେରାର ହୋଇଯାଇଥିଲେ। ତେଣୁ ବହିରାଗତ ଲୋକମାନଙ୍କ ମଧ୍ୟରେ ଅପରାଧୀ କିମ୍ବା ଅସାମାଜିକ ବ୍ୟକ୍ତି ନ ଥିବେ ବୋଲି କହି ହେବ ନାହିଁ କିମ୍ବା ବଙ୍ଗଳାରେ ସେମାନଙ୍କ ଗୋଷ୍ଠୀର ଆସାମାଜିକ ଲୋକମାନଙ୍କ ସଙ୍ଗେ ସେମାନଙ୍କର ସଂପର୍କ ନ ଥିବ ବୋଲି ମଧ୍ୟ କହି ହେବନି।
ତେଣୁ କଟକରେ ସେମାନଙ୍କର ସଂଖ୍ୟା ଓ ପରିଚୟ ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ଜିଲ୍ଲା ପ୍ରଶାସନ ପାଖରେ ଉପଲବ୍‌ଧ ହେବା ଅତ୍ୟନ୍ତ ଆବଶ୍ୟକ। ସାଂପ୍ରଦାୟିକ ଗଣ୍ଡଗୋଳ କରିବାକୁ ଚାହୁଁଥିବା ଅସାମାଜିକ ତତ୍ତ୍ବ ଏମାନଙ୍କୁ ବ୍ୟବହାର କରିବାର ଆଶଙ୍କା ମଧ୍ୟ ରହିଛି। ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଅଧିକାରୀମାନେ ଏ ବିଷୟରେ ସଚେତନ ହେବା ଆବଶ୍ୟକ। ସହରର ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ ସଂପ୍ରଦାୟର ଯୁବକ ଓ ମୁରବିସ୍ଥାନୀୟ ବ୍ୟକ୍ତିମାନଙ୍କୁ ନେଇ ସଦ୍‌ଭାବନା କମିଟି ଗଠନ ମାଧ୍ୟମରେ ସାଂପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବାକୁ ପ୍ରଶାସନ ଉଦ୍ୟମ କରିବା ଆବଶ୍ୟକ। ଏହି କମିଟି ସହିତ ସ୍ଥାନୀୟ ପୁଲିସ ନିରନ୍ତର ସମ୍ପର୍କ ରଖି ବିଭେଦକାରୀ ଶକ୍ତିକୁ ତଥା ଅପରିଚିତ ଓ ସନ୍ଦିଗ୍‌ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ କୌଣସି ପ୍ରକାର ଅଶାନ୍ତି ସୃଷ୍ଟି ହେବା ପୂର୍ବରୁ ତାହାକୁ ପ୍ରତିହତ କରିବା ପାଇଁ ଉଦ୍ୟମ କଲେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିବ। କେବଳ ଶାନ୍ତି ଭଙ୍ଗ ହେଲେ ସଦ୍‌ଭାବନା ପାଇଁ ଚେଷ୍ଟା କରିବା ନୀତିକୁ ପରିତ୍ୟାଗ କରି ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଏହି ଭଳି କମିଟି ମାଧ୍ୟମରେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ନିୟମିତ ସାକ୍ଷାତ୍ ଆଲୋଚନା ଜାରି ରହିଲେ କୌଣସି ବଡ଼ ଧରଣର ସାଂପ୍ରଦାୟିକ ବିଶୃଙ୍ଖଳା ଘଟିବ ନାହିଁ ଏବଂ ଗଣ୍ଡଗୋଳ ସୃଷ୍ଟି କରୁଥିବା ଲୋକଙ୍କୁ ପୁଲିସ ସହଜରେ ନିୟନ୍ତ୍ରଣ କରିପାରିବ।
ବର୍ତ୍ତମାନ ଦେଶରେ ଜାତି ଓ ଧର୍ମକୁ ଆଧାର କରି ଯେଉଁ ରାଜନୀତି ମୁଣ୍ଡ ଟେକୁଛି ତାହାକୁ ପରାହତ କରିବା ପାଇଁ ଜନଜାଗରଣ ଆବଶ୍ୟକ। ନୈତିକତା ଓ ଜାତୀୟତା ବୋଧର ଅବକ୍ଷୟ ରୋକିବା ପାଇଁ ଯୁବଗୋଷ୍ଠୀ ସଂକଳ୍ପବଦ୍ଧ ହେବାର ବେଳ ଆସିଯାଇଛି। ଦେଶ ଓ ଜାତିର ମହନୀୟତାକୁ ହୃଦୟଙ୍ଗମ କରି ନ ଥିବା ଓ ସରକାରୀ ଅନୁଦାନ ପାଇବା ପାଇଁ ବ୍ୟାକୁଳ ହେଉଥିବା ବ୍ୟକ୍ତିମାନଙ୍କ ହାତରେ ସରକାର ନିର୍ବାଚନ କ୍ଷମତାକୁ ଛାଡ଼ିଦେବା ଦ୍ୱାରା ଆଜି ଏ ଅବସ୍ଥା ସୃଷ୍ଟି ହୋଇଛି। କାର୍ଯ୍ୟପାଳିକାର ସାଧୁତା ଓ ସ୍ୱଚ୍ଛତାରେ କଳଙ୍କ ଲାଗିଯାଇଛି। ଶିକ୍ଷିତ ଓ ସଚେତନ ବ୍ୟକ୍ତିମାନେ ଜନମତକୁ ପ୍ରଭାବିତ କରିବାକୁ ଆଗେଇ ଆସନ୍ତୁ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଥିବା ଦୁର୍ବଳତା ଓ ଅସଙ୍ଗତି ଦୂର କରିବା ପାଇଁ ଉଦ୍ୟମ ହେଉ। 
ଗଣତନ୍ତ୍ର ଆମ ସମସ୍ତଙ୍କ ପାଇଁ ଏକ ଆଶୀର୍ବାଦ। ଏହାର ଦୁରୁପଯୋଗ ନ ହେଉ। ଅବାଞ୍ଛିତ ବ୍ୟକ୍ତିମାନଙ୍କୁ କ୍ଷମତା ଦଖଲ କରିବାର ସୁଯୋଗ ଦିଆ ନ ଯାଉ। ଦେଶଭକ୍ତି ଓ ଜାତୀୟତାବାଦର ପ୍ରସାର ହେଉ। ନୂତନ ପିଢ଼ି ପାଇଁ ଆଦର୍ଶ ସୃଷ୍ଟି ହେଉ। ଦେଶପ୍ରେମ ଓ ଦେଶଭକ୍ତିର ଭାବନା ସେମାନଙ୍କ ହୃଦୟରେ ଅଙ୍କୁରିତ ହେବା ପାଇଁ ଉଭୟ ସରକାର ଓ ନାଗରିକମାନେ ଆଗ୍ରହ ପ୍ରକାଶ କଲେ ବର୍ତ୍ତମାନର ପରିସ୍ଥିତରେ ପରିବର୍ତ୍ତନ ଆସିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨୭୭୩୧୩ 

Advertisment