ନଦୀ, ଦାରିଦ୍ର୍ୟ ଓ ଦଦରା ନାବ

ଅଶ୍ବିନୀ କୁମାର ମିଶ୍ର

ଯାହା ବୁଝା ପଡ଼େ, ମହୋଦଧି ହେଉ ବା ନଦୀ, ପାଣିର ଦୁଇଟି ଚେହେରା; ଗୋଟିଏ ପ୍ରାଚୁର୍ଯ୍ୟର ଅନ୍ୟଟି ଦୁରବସ୍ଥାର। ଗୋଟିଏ ପଟେ ସମୁଦ୍ର ଓ ଦିଗ୍‌ବଳୟର ଅନ୍ତରଙ୍ଗ ଅଭିଷେକ, ବାଲିରେ ରଙ୍ଗିନ ଛତା ତଳେ ଡେକ୍ ଚେୟାର୍ ଉପରେ ସନ୍‌ଗ୍ଲାସ୍, ସୁଇମିଂ ସୁଟ୍, ସନ୍‌ସ୍କ୍ରିନ୍‌ କ୍ରିମ୍‌ ଲଗା ତରୁଣ-ତରୁଣୀ, ଢେଉ ସାଙ୍ଗରେ ତାଳଦିଆ ସର୍ଫିଂ ବୋଟ୍, ବାଥିଂ ଟ୍ୟୁବ୍ ଓ ସାମୁଦ୍ରିକ ସରହଦରେ ଉଲ୍ଲସିତ ସଂଭ୍ରାନ୍ତ ମଣିଷ; ଅନ୍ୟ ପଟେ ଭଙ୍ଗା-ଦଦରା ଡଙ୍ଗା, ଡୁବି ଯାଉଥିବା ମଣିଷମାନଙ୍କୁ ଉଦ୍ଧାର କରିବା ପାଇଁ ଛିଣ୍ଡା ଗେଞ୍ଜି, ନୁଖୁରା ବାଳରେ ପ୍ରାଣମୂର୍ଚ୍ଛା ଉଦ୍ୟମରତ ଜଣେ, ଦି’ ଜଣ ନାଉରି, ଅତଳ ପାଣିର ଘନ କୃଷ୍ଣ ଭଉଁରିରେ ଅସହାୟଙ୍କ ଆର୍ତ୍ତନାଦ। ଏମିତି ଦୁଇ ସମାନ୍ତରାଳ ରେଖା ମଝିରେ ଛନ୍ଦି ହୋଇ କବି ନଜରୁଲ୍ ଇସ୍‌ଲାମ ଦିନେ ‌େଲଖିଥିଲେ, ‘କାଣ୍ଡାରୀ ହୁସିୟାର’ ବା ‘ନାଉରି ସାବଧାନ’ ଶୀର୍ଷକ କବିତା। ସେ ଦିନ ଝାରସୁଗୁଡ଼ା ଜିଲ୍ଲା ଲଖନପୁରସ୍ଥିତ ଶରଧା ଠାରେ ନୌକା ବୁଡ଼ିରେ ପାଞ୍ଚ ଜଣ ମହିଳାଙ୍କ ସହିତ ତିନି ଜଣ ଶିଶୁ ସଲିଳ ସମାଧି ଲଭିଲେ। ସମ୍ବେଦନଶୀଳ ଲୋକେ ବିବ୍ରତ ହେଲେ। କାରଣ, ଆଜିକାଲି ନଦୀ ବନ୍ଧ ଓ ସେତୁ ନିର୍ମାଣର କୃତିର ତୁଳନା ନ ଥିବା ବେଳେ ଏବଂ ନଦୀ ବିଭାଜିତ ଅଞ୍ଚଳଗୁଡ଼ିକୁ ପ୍ରଶସ୍ତ ସେତୁମାନ ସଂଯୁକ୍ତ କରୁଥିବା ବେଳେ ଏଭଳି ସ୍ଥିତି? ଗୋଟିଏ ଡଙ୍ଗାରେ ଜାକିଜୁକି ହୋଇ ସେମାନେ ସମସ୍ତେ ବସିଥିବେ; ଅଭୀଷ୍ଟ ଥିବ ହୀରାକୁଦ ଜଳଭଣ୍ଡାର ତଥା ମହାନଦୀ ଅପର ପାର୍ଶ୍ବରେ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଠାରେ ପୂଜା ପାଉଥିବା ମା’ ପଧରସେନୀ ମନ୍ଦିରରେ ଦେବୀ ଦର୍ଶନ। ଡଙ୍ଗାରେ ନା ଥିଲା ଲାଇଫ୍ ଜ୍ୟାକେଟ୍ ନା ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନା ନାବିକ ପାଖରେ ଥିଲା ଅନୁମତି ପତ୍ର। ତ ଡୁବିଗଲା ଡଙ୍ଗା ଏବଂ ହାହାକାର ହଜିଗଲା ମହାନଦୀ ଗର୍ଭରେ!
ଊଣେଇଶ ମୌଜା ନାମରେ ପରିଚିତ ଏହି ଅଞ୍ଚଳକୁ କନକତୋରା ଯାକେ ଝାରସୁଗୁଡ଼ା ବେଲପାହାଡ଼ ଦେଇ ରହିଛି ୪୯ ନମ୍ବର ଜାତୀୟ ରାଜପଥ; ଯାହା ଲମ୍ବିଛି ଛତିଶଗଡ଼ର ରାୟଗଡ଼ା ଯାକେ। ସୁତରାଂ, ଏହା ହେଉଛି ସୀମାନ୍ତବର୍ତ୍ତୀ ଅଞ୍ଚଳ ଏବଂ ଶରଧା ହେଉଛି ଶେଷ ଗ୍ରାମ। ଏଠାରେ ମହାନଦୀ ତଥା ହୀରାକୁଦ ଜଳଭଣ୍ଡାର ଦିଗନ୍ତ ବିସ୍ତାରୀ। ତେବେ, ନିକଟସ୍ଥ ବାରପାହାଡ଼ ଠାରେ ମହାନଦୀର ବିସ୍ତାର ସଂକୁଚିତ ହୋଇଛି। ଐତିହାସିକ ଶିବପ୍ରସାଦ ଦାଶ ‘ସମ୍ବଲପୁର ଇତିହାସ’ (ରଚନା କାଳ ହୀରାକୁଦ ବନ୍ଧ ପୂର୍ବରୁ)ରେ ଏହି ଅଞ୍ଚଳ ସଂପର୍କରେ ଉଲ୍ଲେଖ କରି କହିଛନ୍ତି ଯେ ‘ଏହି ସକାଶେ ମହାନଦୀର ବିସ୍ତାର ଏଠାରେ ଅତି ସଂକୀର୍ଣ୍ଣ ଏବଂ ଶଯ୍ୟା ଶୈଳମୟ। ପଦ୍ମପୁର ତଳେ ଓ ଉପରେ ଅନେକ ଗଭୀର ଗଣ୍ଡ ଅଛି। ମହାନଦୀ ଏଠାରେ ଆବର୍ତ୍ତମୟ ଭୀଷଣ ମୂର୍ତ୍ତି ଧାରଣ କରେ’। ଦେବୀ ଦର୍ଶନର ବିହ୍ବଳତାରେ ସମ୍ଭବତଃ ଏଇ ସ୍ଥିତିକୁ ଯାତ୍ରୀ ତଥା ଶ୍ରଦ୍ଧାଳୁ ଗୁରୁତ୍ବ ଦେଇ ନାହାନ୍ତି। ତେଣୁ ସରକାରୀ ନିୟମାବଳୀ ଅନୁସାରେ ସର୍ବନିମ୍ନ ନିରାପତ୍ତା ବିଷୟ ପ୍ରତି କାହାରି ଧ୍ୟାନ ରହିନାହିଁ। ଏହା ହିଁ ବିଡ଼ମ୍ବନା ଏବଂ ତେଣୁ ଏହି ଦାରୁଣ ଦୁର୍ଘଟଣା!
ଏହି ଅଞ୍ଚଳର ଅଧିବାସୀମାନେ ମୁଖ୍ୟତଃ ହୀରାକୁଦ ବନ୍ଧ ଦ୍ବାରା ବିସ୍ଥାପିତ। ଏମାନେ ନିତାନ୍ତ ଦରିଦ୍ର ଏବଂ ମୁଖ୍ୟତଃ ମତ୍ସ୍ୟଜୀବୀ। ସାମ୍ବାଦିକ ମେହବୁବ ମାହତାବଙ୍କ ଭାଷାରେ ଏହି ଗ୍ରାମବାସୀମାନେ ‘ଖରା, ବର୍ଷା, ଶୀତକୁ ଭ୍ରୂକ୍ଷେପ ନ କରି ପାହାନ୍ତିଆ ପୂର୍ବାରୁ ଜାଲ, କାତ ନେଇ ଛୋଟିଆ ଡଙ୍ଗାରେ ଅଗାଧ ଜଳରାଶି ମଧ୍ୟରେ ପେଟକୁ ଦାନା, ଦେହକୁ କନା ଓ ମୁଣ୍ଡକୁ ଛାତ ଯୋଗାଇବା ପାଇଁ ଦିନ ଦିନ ଧରି ଭୋକଉପାସରେ ଅଣ୍ଡାଳି ହୋଇଥାନ୍ତି’। କାହାରି ପାରିବାରିକ ଆୟ ଦୁଇ ବା ତିନି ହଜାରରୁ ଅଧିକ ନୁହେଁ। ପାଖାପାଖି ଗାଁ ମହମ୍ମଦପୁର, ତାମଦେଇ, ଠେବରା ପ୍ରଭୃତିରେ ଏକଦା ଗଠିତ ହୋଇଥିବା ମତ୍ସ୍ୟଜୀବୀ ସମବାୟ ସମିତି କେବେଠୁଁ ବନ୍ଦ ହେବା ଉପରେ। ୨୦୨୩-୨୪ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ‌େଯାଜନାର ସୁଫଳ ଏଠାକୁ କେବେ ପହଞ୍ଚିବ, ଏହା କେବଳ ପ୍ରଶାସନକୁ ଜଣା। କେବଳ ‌େସତିକି ନୁହେଁ, ବ୍ୟାଙ୍କ, ସ୍କୁଲ ଓ ଡାକ୍ତରଖାନା କିଛି ନାହିଁ ଏ ଅଞ୍ଚଳରେ। ମୋଟ ଉପରେ ଦାରିଦ୍ର୍ୟ ଓ ଅବହେଳାର କରୁଣ ଦୃଶ୍ୟପଟ।
ବୃତ୍ତିଗତ କାରଣରୁ ମୁଁ ଏହି ଅଞ୍ଚଳରେ ଦୀର୍ଘ ଦିନ ଅତିବାହିତ କରିଛି। ଏ ଅଞ୍ଚଳର ମାଟି, ପାଣି, ପବନ ଓ ଜୀବନ ମୋର ମର୍ମେ ମର୍ମେ ଭେଦିଛି। ସେବେ ଯେଉଁ ସ୍ଥିତି ଥିଲା, ଏବେ ମଧ୍ୟ ପ୍ରାୟ ସେହି ସ୍ଥିତି। ଅଭାବ ଅନଟନ ଓ ଦାରିଦ୍ର୍ୟ ଆଦି ସତେ ଯେମିତି ଏଠାରେ ଚିରନ୍ତନତା ଲାଭ କରିଛନ୍ତି। ଏବେ ବି ଅଗାଧ ଜଳରାଶି ଉପରେ ଦଦରା ନାବରେ ଜୀବନ ଜିଉଛି ଓ ମରୁଛି। ମୋଟର ବୋଟ୍‌ଟିଏ ମଧ୍ୟ ଦୁରନ୍ତ ସ୍ବପ୍ନ! ଏ ସ୍ଥିତି ବଦଳିବ ନାହିଁ କି? ନୌକା ଡୁବି ଭଳି ଦାରୁଣ ଟ୍ରାଜେଡି ନ ଘଟିଲେ ଏ ଅଞ୍ଚଳର ବିକାଶ ନେଇ ସରକାରଙ୍କ ମନେ ପଡ଼ିବ ନାହିଁ କି?
ସୁତରାଂ, ଏବେ ସମୟ ଉପନୀତ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଓ ପର୍ଯ୍ୟଟନ ସାଙ୍ଗକୁ ଜଳ ସଂପଦ ବିଭାଗର ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏ ଅଞ୍ଚଳର ବିକାଶର ନୀଳ ନକ୍‌ସା ତିଆରି କରାଯାଉ। ‘ମହାନଦୀ କୋଲ୍ ଫିଲ୍‌ଡସ’ର ‘ପେରିଫେରାଲ୍ ଡେଭଲ୍‌ପମେଣ୍ଟ’ ବା ‘ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବିକାଶ’ କ୍ରମରେ ଏଥି ପାଇଁ ଅତିରିକ୍ତ ଅର୍ଥ ବ୍ୟବସ୍ଥା କରାଯାଇପାରିବ। ସ୍ଥାନୀୟ ପ୍ରଶାସନର ସହାୟତାରେ ପଶ୍ଚିମାଞ୍ଚଳ ବିକାଶ ପରିଷଦ ପକ୍ଷରୁ ନଦୀ ଉପରେ ଅତ୍ୟାଧୁନିକ ମୋଟର ବୋଟ୍‌ର ବ୍ୟବସ୍ଥା କରାଯାଉ। ଏକବିଂଶ ଶତାବ୍ଦୀର ପ୍ରଥମ ଚଉଠ ସରିବାକୁ ବସିଥିବା ବେଳେ ଏଭଳି ଦୟନୀୟ ନୌକାବୁଡ଼ି ଆଉ ନ ହେଉ।
ମୋ: ୯୪୩୮୬୧୫୭୦୨

ସମ୍ବନ୍ଧିତ ଖବର