ଗୀତିକା ପଟ୍ଟନାୟକ
ମଣିଷ କଳ୍ପନା ପ୍ରବଣ। ଏମିତି ବସିଥିବା ବେଳେ ହଠାତ୍ ସେ କଳ୍ପନାରେ ବିଚରଣ କରି ସ୍ବପ୍ନରେ ବୁଡ଼ିଯାଇପାରେ; ପକ୍ଷୀରାଜ ଘୋଡ଼ାରେ ଚଢ଼ି ସୁନ୍ଦରୀ ରାଜକୁମାରୀ ସହ ନିଜକୁ ଏକ ଅଜଣା ଦ୍ବୀପରେ ହୁଏତ ଆବିଷ୍କାର କରିପାରେ। ନିଦରେ ଶୋଇ ଯାଇଥିବା ବେଳେ ମଧ୍ୟ ସ୍ବପ୍ନ ଏକ ଅନିମନ୍ତ୍ରିତ ଅତିଥି ଭଳି ଚେତନା ମଧ୍ୟକୁ ପ୍ରବେଶ କରିଥାଏ। ସ୍ବପ୍ନରେ ଅନ୍ୟ ଏକ ଦୁନିଆରେ ମଣିଷ ନିଜକୁ ପାଇଥାଏ। ପ୍ରାଚୀନ କାଳରେ ଲୋକେ ସ୍ବପ୍ନକୁ ଏକ କୁହୁକ ବୋଲି ବିଚାର କରୁଥିଲେ। କ୍ରମେ ଏହା ପଛେର ଥିବା ରହସ୍ୟର ପରଦାମାନ ଖୋଲିଲା। ସିଗମଣ୍ଡ ଫ୍ରଏଡ୍ ଓ କାର୍ଲ ଗୁଷ୍ଟଭ ୟୁଙ୍ଗଙ୍କ ଭଳି ମନୋବୈଜ୍ଞାନିକମାନେ ସ୍ବପ୍ନର ବିଶ୍ଳେଷଣ କରି ଅନେକ ରହସ୍ୟର ଉନ୍ମୋଚନ କଲେ।
ସିଗ୍ମଣ୍ଡ୍ ଫ୍ରଏଡଙ୍କ ମତରେ ସ୍ବପ୍ନ ହେଉଛି ଆମର ଅବଚେତନ ମନର ବାର୍ତ୍ତାବହ ଏବଂ ସ୍ବପ୍ନରେ ଅବଚେତନ ମନ ସକ୍ରିୟ ହୋଇଯାଏ। ଶାମୁକା ଭିତରେ ଲୁକ୍କାୟିତ ମୁକ୍ତା ପରି ଅେନକ ଅକୁହା କଥା, ଅବ୍ୟକ୍ତ ବେଦନା, ଅପୂର୍ଣ୍ଣ ଇଚ୍ଛା ଓ ଅପ୍ରାପ୍ତି ଇତ୍ୟାଦି ଆମ ଅବଚେତନରେ ଗଚ୍ଛିତ ହୋଇ ରହିଥାଏ, ଯାହା ସ୍ବପ୍ନ ମାଧ୍ୟମରେ ଜୀବନ୍ୟାସ ପାଏ। ନିଜ ଭାଙ୍ଗିଲା ପରେ ସଚେତ ମନ ସ୍ବପ୍ନକୁ ନେଇ ଭାଳି ହୁଏ ସିନା, ତା’ର ଗୂଢ଼ ଅର୍ଥ ସହଜରେ ବୁଝା ପଡ଼ି ନ ଥାଏ; କାରଣ ସ୍ବପ୍ନ ହେଉଛି ସଂକେତଧର୍ମୀ। ନିଦ୍ରାରେ ଆମେ ଯେଉଁ ସ୍ବପ୍ନ ଦେଖୁ, ତାହା ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଦ୍ବାରା ପରିଚାଳିତ ହୋଇଥାଏ। କୁହାଯାଇପାରେ ଯେ ସ୍ବପ୍ନ ହେଉଛି ଚିତ୍ର-ଧର୍ମୀ ଲିଖନ ଯହିଁରେ ଠାର ଲିପି ବ୍ୟବହୃତ ହୋଇଛି। ସାଧାରଣତଃ, ସ୍ବପ୍ନେର ଆମେମାନେ ଯାହା ଦେଖୁ, ତାକୁ ବାସ୍ତବ ବୋଲି ଭାବି ନେଇ ଏକ ଧାରଣା ପୋଷଣ କରିଥାଉଁ। କିନ୍ତୁ ସ୍ବପ୍ନ ରୂପକଳ୍ପ ଜରିଆରେ ପ୍ରକାଶିତ ହୋଇଥାଏ। ସ୍ବପ୍ନରେ ଆମେ ଦେଖୁଥିବା ଚିତ୍ର ବା ଚରିତ୍ରଗୁଡ଼ିକ ଆମ ମନ ଭିତରେ ଥିବା ଆଶା, ଆକାଂକ୍ଷା କିମ୍ବା ଭୟ ଇତ୍ୟାଦିର ପ୍ରତୀକ ହୋଇଥାଏ। ଶିକ୍ଷକଙ୍କ ପାଖରୁ ବେତ ମାଡ଼ ଖାଇଥିବା ପିଲାଟି ହୁଏତ ସ୍ବପ୍ନ ଦେଖିପାରେ ଯେ ମୂଷା-ବିରାଡ଼ି ଯୁଦ୍ଧରେ ମୂଷାଟି ବିରାଡ଼ିକୁ କ୍ଷତବିକ୍ଷତ କରି ପକାଉଛି। ଏଭଳି ସ୍ବପ୍ନ ମାଧ୍ୟମରେ ପିଲାଟି ମନରେ ସଂଗୁପ୍ତ ଭାବେ ଥିବା ପ୍ରତିଶୋଧମୂଳକ ଇଚ୍ଛାଟି ପୂରଣ ହୋଇଥାଏ। ମନସ୍ତତ୍ତ୍ବବିତ କାର୍ଲ ୟୁଙ୍ଗ ସ୍ବପ୍ନକୁ ବ୍ୟାଖ୍ୟା କରିବାକୁ ଯାଇ ‘କଲେକ୍ଟିଭ ଅନ୍କନ୍ସସ୍’ ବା ‘ସାମୂହିକ ଅଚେତନ’ ବିଷୟ କହିଛନ୍ତି, ଯାହାର ଅର୍ଥ ହେଲା ପ୍ରତ୍ୟେକ ମନୁଷ୍ୟର ଚେତନାର ଅତଳ ଗର୍ଭରେ ସମଗ୍ର ମାନବ ଜାତିର ଅତୀତ ଲୁଚି ରହିଥାଏ, ଯାହା ହେଉଛି ‘ସମୂହ ଅଚେତନ’ ଏବଂ ତା’ ଦ୍ବାରା ସ୍ବପ୍ନା ସୃଷ୍ଟି ବିଶେଷ ଭାବେ ପ୍ରଭାବିତ ହୋଇଥାଏ।
ମନସ୍ତତ୍ତ୍ବବିତଙ୍କ ମତରେ ସ୍ବପ୍ନକୁ ଅନୁଧ୍ୟାନ କରି ସ୍ବପ୍ନ ଦେଖିଥିବା ଲୋକ ସଂପର୍କରେ କିଛିଟା ଧାରଣା ମଧ୍ୟ କରାଯାଇପାରେ। ଗବେଷଣାରୁ ଜଣାଯାଏ ଯେ ବ୍ୟକ୍ତିର ଚାରିତ୍ରିକ ଲକ୍ଷଣ ଓ ସ୍ବପ୍ନରେ ପ୍ରଦର୍ଶିତ ଚରିତ୍ର ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ଥାଏ। ତେଣୁ ସ୍ବପ୍ନର ଅନୁଧ୍ୟାନ କରି ବ୍ୟକ୍ତିର ବିଚାର ବା ଚିନ୍ତନ ଆଦିର ଝଲକ ମିଳିପାରେ। ତେବେ, ମୋଟାମୋଟି ଭାବେ ଆମେ ସମସ୍ତେ ନିଜର ବିଶ୍ବାସ, ଦୃଷ୍ଟିଭଙ୍ଗୀ, ଅଭିଳାଷ ଓ ଆବେଗ ଅନୁସାରେ ସ୍ବପ୍ନକୁ ବୁଝିଥାଉ ଏବଂ ଅନ୍ୟକୁ ବୁଝାଇବାର ଚେଷ୍ଟା କରିଥାଉ।
ସ୍ବପ୍ନ ହେଉଛି ମନ ମନ୍ଦିରର ମୁଖଶାଳା ସଦୃଶ, ଯେଉଁ ମନ୍ଦିରର ଗର୍ଭଗୃହରେ ଅନେକ କିଛି ଲୁଚି ରହିଥାଏ। ବେଳେ ବେଳେ ଆମେ ସମସ୍ୟାରେ ପଡ଼ି ସମାଧାନର ବାଟ ଖୋଜିଲା ବେଳେ ସ୍ବପ୍ନ ମାଧ୍ୟମରେ ସୂତ୍ର ମିଳିଯାଇଥାଏ। କଥିତ ଅଛି ଯେ ବୈଜ୍ଞାନିକ ଜେମସ ୱାଟସନ ତାଙ୍କ ସ୍ବପ୍ନରୁ ‘ଡି.ଏନ.ଏ.’ର ‘ଡବଲ ହେଲିକ୍ସ ବିନ୍ୟାସ’ ବା ‘ଛନ୍ଦାଛନ୍ଦି ହୋଇଥିବା ନିଶୁଣି’ ଭଳି ଗଠନର ଆଭାସ ପାଇଥିଲେ। ଏ ନେଇ ଗବେଷଣା କଲା ବେଳେ ଗଭୀର ଚିନ୍ତାରେ ବୁଡ଼ି ଯାଇ ଶୋଇ ପଡ଼ିଥିବା ବେଳେ ସେ କୁଆଡ଼େ ଦେଖିଥିଲେ ଛନ୍ଦାଛନ୍ଦି ହୋଇଥିବା ଦୁଇଟି ସାପଙ୍କ ଚିତ୍ର ଯହିଁରୁ ସେ ‘ଡି.ଏନ.ଏ.’ର ଗଠନ ବିଷୟରେ ଇଙ୍ଗିତ ପାଇଥିଲେ। ଅନେକ ସମୟରେ ସ୍ବପ୍ନରୁ ଅଛିଣ୍ଡା ଗଣିତର ଉତ୍ତର ଅଥବା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ସଂକେତ ମିଳିଥାଏ। ମନସ୍ତତ୍ତ୍ବବିତମାନେ କହନ୍ତି ଯେ ଯଦି ସ୍ବପ୍ନ ନ ଥାଆନ୍ତା, ତେବେ ଅପୂର୍ଣ୍ଣ ଇଚ୍ଛାମାନ ଅବଦମିତ ହୋଇ ରହିଯାଆନ୍ତେ, ଯାହା ସମୟ କ୍ରମେ ଅସ୍ବାଭାବିକ ବ୍ୟାବହାରିକ ବିକୃତିରେ ପରିଦୃଷ୍ଟ ହୁଅନ୍ତା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୨୪୯୬୨୬୭୮୫