ଇରାନ୍‌ର ପାର୍ଲିଆମେଣ୍ଟ ହର୍ମୁଜ ପ୍ରଣାଳୀରେ ତୈଳବାହୀ ଜାହାଜମାନଙ୍କ ଉପରେ ଆକ୍ରମଣ କରି ସେଇ ଗୁରୁତ୍ବପୂର୍ଣ୍ଣ ଜଳପଥକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଲାଣି। ଇରାନ୍ ଯଦି ଏଭଳି ଆକ୍ରମଣାତ୍ମକ ପନ୍ଥା ଅନୁସରଣ କରେ, ଆମେରିକା ଯେ ଚୁପ୍ ହୋଇ ରହିବ ନାହିଁ, ଟ୍ରମ୍ପ ତାହା ସ୍ପଷ୍ଟ କରିଦେଇଛନ୍ତି ଏବଂ ଏଥର ତାଙ୍କୁ ଆଉ ଅବିଶ୍ବାସ କରାଯାଇ ପାରିବ ନାହିଁ।

Advertisment

ଅବଶେଷରେ ଇରାନ୍ ଓ ଆମେରିକା ମଧ୍ୟରେ ବିଗତ ୪୫ ବର୍ଷ ଧରି ଲାଗି ରହିଥିବା ଛକାପଞ୍ଝା ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପରମାଣୁ ବୋମା ନିର୍ମାଣ ପାଇଁ ଇରାନ୍ ଚଳାଇଥିବା ଉଦ୍ୟମକୁ ପଣ୍ଡ କରିବା ଲାଗି ଆମେରିକା ସିଧାସଳଖ ଇରାନ୍‌ର ତିନିଟି ପରମାଣୁ ଅସ୍ତ୍ର ପ୍ରସ୍ତୁତି ସଂପର୍କିତ ସ୍ଥଳୀ ଉପରେ ଭୀଷଣ ବୋମା ମାଡ଼ କରି ତା’ ସହିତ ସମ୍ମୁଖ ସମରକୁ ଓହ୍ଲାଇ ଆସିଛି। ସୂଚନାଯୋଗ୍ୟ ଯେ ଅତୀତରେ ଆମେରିକୀୟ ରାଷ୍ଟ୍ରପତିମାନେ ଇରାନ୍‌କୁ ଏକ ‘ଦୁଷ୍ଟ ରାଷ୍ଟ୍ର’ ବା ‘ରୋଗ୍ ଷ୍ଟେଟ୍’ ରୂପେ ଘୋଷଣା କରିଥିଲେ ହେଁ ଏଥିପୂର୍ବରୁ କେହି ହେଲେ ଏହି ଦୁଷ୍ଟ ଶତ୍ରୁ ସହିତ ସିଧାସଳଖ ଯୁଦ୍ଧରେ ଛନ୍ଦି ହେବା ପାଇଁ ପ୍ରସ୍ତୁତ ନ ଥିଲେ। ବରଂ ବାରାକ୍ ଓବାମାଙ୍କ ପରି ରାଷ୍ଟ୍ରପତି ଏହି ଜିହାଦୀ ରାଷ୍ଟ୍ର ସହିତ ଏକ ଚୁକ୍ତିରେ ଆବଦ୍ଧ ହୋଇ ତାକୁ ପରମାଣୁ ଅସ୍ତ୍ର ନିର୍ମାଣରୁ କ୍ଷାନ୍ତ କରିବାକୁ ଚେଷ୍ଟା କରିବା ଦେଖାଯାଇଥିଲା। ଇରାନ୍ ଅବଶ୍ୟ ସ୍ବାଭାବିକ ଭାବରେ ଏହି ଚୁକ୍ତି ଆଢୁଆଳରେ ବୋମା ନିର୍ମାଣ ପାଇଁ ଆବଶ୍ୟକ ୟୁରାନିଅମ୍ ଉନ୍ନତୀକରଣ (ଏନ୍‌ରିଚ୍‌ମେଣ୍ଟ) ଚଳାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଶକ୍ତି ଉତ୍ପାଦନକୁ ବାହାନା କରି ଇରାନ୍ ଏହି ୟୁରାନିଅମ୍ ଏନ୍‌ରିଚ୍‌ମେଣ୍ଟ କାର୍ଯ୍ୟ ଜାରି ରଖିଥିଲା। କିନ୍ତୁ ଶକ୍ତି ଉତ୍ପାଦନ ନିମିତ୍ତ ୟୁରାନିଅମ୍‌ର ମାତ୍ର ପ୍ରାୟ ୩ ଶତାଂଶ ଏନ୍‌ରିଚ୍‌ମେଣ୍ଟ ଆବଶ୍ୟକ ହେଉଥିବାବେଳେ ଇରାନ୍ ତା’ର ଆଣବିକ କେନ୍ଦ୍ରମାନଙ୍କରେ ଏହାକୁ ୬୦ ଶତାଂଶରେ ପହଞ୍ଚାଇ ସାରିଥିଲା ବୋଲି ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକମାନେ ସତର୍କବାଣୀ ଶୁଣାଇ ସାରିଥିଲେ। ପରମାଣୁ ବୋମା ନିର୍ମାଣ ପାଇଁ ୟୁରାନିଅମ୍‌ର ୯୦ ଶତାଂଶ ଏନ୍‌ରିଚ୍‌ମେଣ୍ଟ ଆବଶ୍ୟକ ହୋଇଥାଏ ଏବଂ ମାତ୍ର କେଇ ସପ୍ତାହ ମଧ୍ୟରେ ଇରାନ୍ ତାହା ହାସଲ କରିପାରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଚାଲିଥିଲେ। ପ୍ରାୟ ଦଶଟି ବୋମା ନିର୍ମାଣ ପାଇଁ ଇରାନ୍ ପାଖରେ ବର୍ତ୍ତମାନ ଯଥେଷ୍ଟ ପରିମାଣର ଏଭଳି ଉପଯୁକ୍ତ ୟୁରାନିଅମ୍ ଗଚ୍ଛିତ ଅଛି ବୋଲି ସେମାନେ ଆକଳନ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକା ବାୟୁ ସେନାର ବି-୨ ବୋମାବର୍ଷା ବିମାନମାନ ଜୁନ୍ ୨୨ ପାହାନ୍ତା ପ୍ରହରରେ ଇରାନ୍‌ର ତିନିଟି ମୁଖ୍ୟ ଆଣବିକ କେନ୍ଦ୍ରମାନଙ୍କ ଉପରେ ପ୍ରଚଣ୍ଡ ବୋମା ମାଡ଼ କରି ସେଗୁଡ଼ିକୁ ଧ୍ବଂସ କରିଦେଇଛନ୍ତି ବୋଲି ଆମେରିକା ଦାବି କରିଛି। ବର୍ତ୍ତମାନ ଦୁଇଟି ବିରାଟ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଆମେରିକା ଏହି ବୋମା ମାଡ଼ କରି ପ୍ରକୃତରେ ଇରାନ୍‌ର ଆଣବିକ କାର୍ଯ୍ୟକ୍ରମର କେତେଦୂର ଧ୍ବଂସ ସାଧନ କରିପାରିଛି; ଏବଂ ଇରାନ୍ ଏହାର ପ୍ରତିକ୍ରିୟାରେ ଆମେରିକା ଉପରେ ପାଲଟା ଆକ୍ରମଣ କରିବ କି ଓ ଯଦି କରେ ତାହାର ସ୍ବରୂପ କିଭଳି ହେବ? ଆମେରିକାର ଇରାନ୍ ଉପରେ ଆକ୍ରମଣ ଏତିକିରେ ସୀମିତ ରହିବ ଓ ଏଥିସହିତ ଇରାନ୍ ସହିତ ଇସ୍ରାଏଲର ଯୁଦ୍ଧରେ ସମାପ୍ତି ଘଟିବ କିମ୍ବା ଆମେରିକା ଏକ ବ୍ୟାପକତର ଯୁଦ୍ଧ ଭିତରକୁ ଟାଣି ହୋଇ ଆସିବ, ତାହା ଉକ୍ତ ପ୍ରଶ୍ନ ଦୁଇଟିର ଉତ୍ତର ଉପରେ ନିର୍ଭର କରିଥାଏ।
ପରଦିନ ସକାଳେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଥିବା ସୂଚନା ଅନୁସାରେ ଇରାନ୍‌ର ଫର୍ଡୋ, ନାତାଞ୍ଜ ଓ ଇସ୍‌ଫାହାନ୍‌ ଠାରେ ଅବସ୍ଥିତ ପରମାଣୁ କେନ୍ଦ୍ରମାନଙ୍କ ଉପରେ ହୋଇଥିବା ଏହି ଆକ୍ରମଣରେ ସାତଟି ବି-୨ ସ୍ପିରିଟ ବୋମାବର୍ଷା ବିମାନରୁ କ୍ଷେପଣ କରାଯାଇଥିବା ୧୪ଟି ବିଶାଳ ‘ବଙ୍କର୍ ବଷ୍ଟର୍’ ବୋମା ସମେତ ସେଇ ସମୟରେ ଆରବ ସାଗରସ୍ଥିତ ଆମେରିକୀୟ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇଥିବା କ୍ରୁଜ୍ କ୍ଷେପଣାସ୍ତ୍ରମାନଙ୍କୁ ମିଶାଇ ମୋଟ ୭୫ଟି ଲକ୍ଷ୍ୟଭେଦୀ ବୋମା ବ୍ୟବହୃତ ହୋଇଥିଲା। ଆକାଶରେ ୧୨ କି.ମି. ଉପରୁ କ୍ଷେପଣ କରାଯାଇଥିବା ପ୍ରତ୍ୟେକ ‘ବଙ୍କର୍ ବଷ୍ଟର୍’ ବୋମାର ଓଜନ ହେଉଛି ପ୍ରାୟ ୧୪ ଟନ୍ ଏବଂ ଏହା କଂକ୍ରିଟ୍ ପ୍ରତିବନ୍ଧକ ଭେଦ କରି ଭୂ-ଗର୍ଭରେ ୬୦ ମିଟର ଗଭୀରତାରେ ଥିବା ଲକ୍ଷ୍ୟ ଭେଦ କରି ବିରାଟ ବିସ୍ଫୋରଣ ଘଟାଇଥାଏ। ଫର୍ଡୋ ଠାରେ ଅବସ୍ଥିତ ଇରାନ୍‌ର ମୁଖ୍ୟ ୟୁରାନିଅମ୍ ଏନ୍‌ରିଚ୍‌ମେଣ୍ଟ କେନ୍ଦ୍ର ଏକ ପାହାଡ଼ ତଳେ ପ୍ରାୟ ୮୦ ମିଟର ଗଭୀରତାରେ ନିର୍ମିତ ବଙ୍କର୍ ଭିତରେ ସକ୍ରିୟ ଥାଏ, ଯାହାକୁ ଅତି-ମଜଭୁତ କଂକ୍ରିଟ୍ କବଚ ଦ୍ବାରା ସୁରକ୍ଷିତ ରଖାଯାଇଛି। ଏହା ଗୋଟିଏ ‘ବଙ୍କର୍ ବଷ୍ଟର୍’ର ପହୁଞ୍ଚ ବାହାରେ ଥିବାରୁ ଏହାକୁ ଧ୍ବଂସ କରିବା ପାଇଁ ଆମେରିକା ସେଠାରେ ଛ’ଟି ଏହି ଅତିକାୟ ବୋମା ବ୍ୟବହାର କରିଥିବା ଅନୁମାନ କରାଯାଉଛି। ନାତାଞ୍ଜ ଠାରେ ପ୍ରାୟ ୨୦ ମିଟର ଗଭୀରତାରେ ଅବସ୍ଥିତ ଇରାନ୍‌ର ଅନ୍ୟ ୟୁରାନିଅମ୍ ଏନ୍‌ରିଚ୍‌ମେଣ୍ଟ କେନ୍ଦ୍ର ଉପରେ ଇସ୍ରାଏଲ ଏଥିପୂର୍ବରୁ ଆକ୍ରମଣ କରି ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇ ସାରିଥିଲା। ଆମେରିକାର ବୋମା ମାଡ଼ରେ ଯଦିବା ଫର୍ଡୋସ୍ଥିତ ପରମାଣୁ କେନ୍ଦ୍ର ସଂପୂର୍ଣ୍ଣ ରୂପେ ଧ୍ବଂସ ପାଇ ନ ଥାଏ, ଏହାର ପ୍ରଚଣ୍ଡ ଆଘାତରେ ସେଠାକାର ସୂକ୍ଷ୍ମ ଯନ୍ତ୍ରପାତି ସବୁ ନିଶ୍ଚିତ ରୂପେ ଭୀଷଣ କ୍ଷତିଗ୍ରସ୍ତ ହୋଇଥିବ।
ଇରାନ୍ ତା’ର ଏନ୍‌ରିଚ୍ ହୋଇଥିବା ୟୁରାନିଅମ୍‌କୁ ଇସ୍‌ଫାହାନ୍ ଠାରେ ସୁଡ଼ଙ୍ଗ ଭିତରେ ମହଜୁଦ କରି ରଖିଥିବା ଅନୁମାନ କରାଯାଉ ଥିବାରୁ ସେଇ ସୁଡ଼ଙ୍ଗ ସବୁର ପ୍ରବେଶ ପଥକୁ ଧସେଇ ବନ୍ଦ କରିଦେବା ଉଦ୍ଦେଶ୍ୟରେ ଆମେରିକା ସେଠାରେ କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ ଘଟାଇଛି। ଇରାନ୍ କିନ୍ତୁ ସୂଚନା ପ୍ରସାର କରିଛି ଯେ ସେମାନେ ସେ ୟୁରାନିଅମ୍‌କୁ ଅନ୍ୟତ୍ର ନେଇ ଲୁଚାଇ ରଖି ଦେଇଛନ୍ତି।
ଆମେରିକା ସରକାର ବିବୃତ୍ତି ଜାରି କରିଛନ୍ତି ଯେ ଆମେରିକା କେବଳ ଇରାନ୍‌ର ପରମାଣୁ ପ୍ରକଳ୍ପ ବିରୁଦ୍ଧରେ ଆକ୍ରମଣ କରିଛି, ଇରାନ୍ ବିରୁଦ୍ଧରେ ନୁହେଁ। ଅର୍ଥାତ୍ ଆମେରିକା ଇରାନ୍ ସହ ଯୁଦ୍ଧରେ ପ୍ରବୃତ୍ତ ହେବାକୁ ଚାହେଁ ନାହିଁ। ଇରାନ୍ କିନ୍ତୁ କେତେଦୂର ଏଭଳି ଯୁକ୍ତିକୁ ଗ୍ରହଣ କରି ଚୁପ୍ ହୋଇ ରହିବ, ତାହା ସନ୍ଦେହଜନକ। ଇରାନ୍ ସବୁମନ୍ତେ ସମ୍ଭବ ଏହାର ପ୍ରତିଶୋଧ ନେବ ବୋଲି ଦୃଢ଼ ଭାବରେ ଘୋଷଣା କରିଛି। ଇରାନ୍ ପାଖରେ ଏବେ ବି ବହୁସଂଖ୍ୟକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମହଜୁଦ ଅଛି। ସେ ଏହାକୁ ବ୍ୟବହାର କରି ଇସ୍ରାଏଲ ଉପରେ ଆକ୍ରମଣ ଅବ୍ୟାହତ ରଖିପାରେ। ସେ ସେତିକିରେ ସୀମିତ ନ ରହି ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟୀମାନଙ୍କ ଉପରେ ଆକ୍ରମଣ କରିପାରେ। ସେ ମଧ୍ୟ ସେ ଅଞ୍ଚଳରେ ଅବସ୍ଥିତ ଆମେରିକାର ମିତ୍ର ରାଷ୍ଟ୍ରମାନଙ୍କ ଉପରେ ଆକ୍ରମଣ କରିପାରେ- ‌ସାଉଦି ଆରବର ତୈଳ କୂପମାନଙ୍କରୁ ଦୁବାଇର ନଭଶ୍ଚୁମ୍ବୀ ଅଟ୍ଟାଳିକାମାନ ପର୍ଯ୍ୟନ୍ତ ତା’ର ନିଶାଣରେ ପରିଣତ ହୋଇପାରନ୍ତି।
ଇରାନ୍ ଦ୍ବାରା ପ୍ରତିପାଳିତ ହେଜ୍‌ବୋଲା ଓ ହମାସ୍ ଜିହାଦୀ ସଂଗଠନମାନ ଇସ୍ରାଏଲର ଆକ୍ରମଣ ଦ୍ବାରା ଦୁର୍ବଳ ହୋଇଯାଇଥିଲେ ହେଁ, ୟେମେନ୍‌ର ହୁଥି ଓ ଇରାକ୍‌ରେ ସକ୍ରିୟ ଥିବା ଜିହାଦୀମାନେ ଆମେରିକୀୟ ଜାହାଜ ଓ ଅନ୍ୟ ନିଶାଣମାନ ଉପରେ ଆକ୍ରମଣ କରିପାରନ୍ତି। ଇରାନ୍‌ର ପାର୍ଲିଆମେଣ୍ଟ ହର୍ମୁଜ ପ୍ରଣାଳୀରେ ତୈଳବାହୀ ଜାହାଜମାନଙ୍କ ଉପରେ ଆକ୍ରମଣ କରି ସେଇ ଗୁରୁତ୍ବପୂର୍ଣ୍ଣ ଜଳପଥକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଲାଣି। ଇରାନ୍ ଯଦି ଏଭଳି ଆକ୍ରମଣାତ୍ମକ ପନ୍ଥା ଅନୁସରଣ କରେ, ଆମେରିକା ଯେ ଚୁପ୍ ହୋଇ ରହିବ ନାହିଁ, ଟ୍ରମ୍ପ ତାହା ସ୍ପଷ୍ଟ କରିଦେଇଛନ୍ତି ଏବଂ ଏଥର ତାଙ୍କୁ ଆଉ ଅବିଶ୍ବାସ କରାଯାଇ ପାରିବ ନାହିଁ।
ଇରାନ୍‌ର ଯଦି ଶୁଭ ବୁଦ୍ଧି ଉଦୟ ହୁଏ, ତେବେ ସେ ତା’ର ପରମାଣୁ ବୋମା ନିର୍ମାଣ ସ୍ବପ୍ନ ତ୍ୟାଗ କରି ଆମେରିକା ସହିତ ଏକ ବୁଝାମଣା କରିବାକୁ ଆଗେଇ ଆସିବ। ବୋଧହୁଏ ଏଇ ବାଟ ଖୋଲା ରଖିବା ଉଦ୍ଦେଶ୍ୟରେ ଇରାନ୍‌ର ନେତୃବୃନ୍ଦ ଦାବି କରୁଛନ୍ତି ଯେ ଆମେରିକାର ବୋମା ମାଡ଼ରେ ଇରାନ୍‌ର ବିଶେଷ କିଛି କ୍ଷୟକ୍ଷତି ଘଟି ନାହିଁ। ଏଣୁ ଇରାନ୍ ଯଦି ଅତ୍ୟଧିକ ପ୍ରତିଶୋଧପରାୟଣ ନ ହୋଇ ଆଲୋଚନା ପାଇଁ ଟ୍ରମ୍ପଙ୍କର ଆହ୍ବାନକୁ ଗ୍ରହଣ କରେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।