ସାବିତ୍ରୀ, ଶାଢ଼ି ଓ ଫଳମୂଳ

ଦାଶ ବେନହୁର

‘‘ସାବିତ୍ରୀ ବ୍ରତ’’, ଲୋଡ଼ା ନା ଅଲୋଡ଼ା!
ନିକଟରେ ସାରା ଓଡ଼ିଶାର ଅଧିକାଂଶ ଘରେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି। ଏ ବ୍ରତ ଓଡ଼ିଶାର ସହରାଞ୍ଚଳରୁ ଆରମ୍ଭ କରି ବନାଞ୍ଚଳ ଯାଏ ପରିବ୍ୟାପ୍ତ। ଗ୍ରାମାଞ୍ଚଳରେ ଏହାର ପ୍ରାଧାନ୍ୟ ଅଧିକ। ଯେ କୌଣସି ପର୍ବପର୍ବାଣି ଆନନ୍ଦ ଓ ଆଡ଼ମ୍ବର ସହ ପାଳିତ ହେଲେ ତାହାର ବିବରଣୀ ଖବରକାଗଜରେ ପ୍ରକାଶ ପାଏ। ଯେହେତୁ ଗଣମାଧ୍ୟମ, ଗଣଘଟଣାକୁ ପ୍ରଚାରିତ କରିବା ଖବରକାଗଜର ଧର୍ମ। ଏବେ ଡିଜିଟାଲ୍‌ ତଥା ଇଲେକ୍ଟ୍ରୋନିକ୍ ମିଡିଆର ପ୍ରାବଲ୍ୟ ହେତୁ ସାମାଜିକ ଗଣମାଧ୍ୟମ ମାତ୍ରାଧିକ ସକ୍ରିୟ। ହଠାତ୍ ଜଣାପଡୁଛି ସମସ୍ତଙ୍କର ଯେମିତି କିଛି କହିବାର ଅଛି। ଏ ଯାଏ ସେ ସୁଯୋଗ ମିଳି ନ ଥିଲା। ମୁହଁ ଗୋଟିକେ ପୁସ୍ତକ ଗୋଟିଏ। ପୃଷ୍ଠା ପୃଷ୍ଠା କଥା। ସାମାଜିକ ଗଣମାଧ୍ୟମ ସହସା ପ୍ରତ୍ୟେକ ବ୍ୟକ୍ତିକୁ ମୁଖର କରିଛି। ସେଇ ଧାରାରେ ଲକ୍ଷ୍ୟ କଲେ ଗତ କେତେ ବର୍ଷ ହେଲା ସାବିତ୍ରୀ ବ୍ରତ କଥାଟିକୁ ନେଇ କେତେକ ପରିହାସମୂଳକ ଓ ତାଚ୍ଛଲ୍ୟପୂର୍ଣ୍ଣ ମନ୍ତବ୍ୟ ନଜରକୁ ଆସେ।

ଖରାଦିନେ ଏ ପର୍ବ ବା ଧର୍ମକୃତ୍ୟର ସମୟ ଆସିଗଲେ ବଜାରରେ ଭିଡ଼ ଆରମ୍ଭ ହୋଇଯାଏ। ଦେଶୀ ବିଦେଶୀ ବିଭିନ୍ନ ଫଳର ଦରଦାମ୍‌ରେ ହଠାତ୍ ମୂଲ୍ୟ ବୃଦ୍ଧି ଘଟେ। ଶାଢ଼ି ବଜାର ଗହଗହ ହୁଏ। ସେଥିରୁ ମନେହୁଏ, ସାବିତ୍ରୀ ବ୍ରତଟି ବୋଧେ ଶାଢ଼ି ଓ ଫଳମୂଳର ଉତ୍ସବ। ତେଣୁ ବ୍ୟଙ୍ଗ କବିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମଧ୍ୟ ବ୍ରତର କାହାଣୀ, ପୂଜାବିଧି ଓ ପାଳନ-ପରମ୍ପରାକୁ ନେଇ ଥଟ୍ଟା ମଜା କରିବା ଆରମ୍ଭ କରିଦିଅନ୍ତି। କିଏ କହେ ଏହା ଶାଢ଼ିକିଣା ଉତ୍ସବ ତ କିଏ କହେ ଏଇଟି ସ୍ବାମୀମାନଙ୍କର ପକେଟ୍‌-କଣା କରିବାର ବ୍ରତ। ଆଉ କେଉଁଠି ବାପଘର ସାବିତ୍ରୀ ଭାର ପଠାଇ ନ ଥିବାର ପୃଷ୍ଠପଟକୁ ନେଇ ଶାଶୂଘରେ ବୋହୂକୁ ନିର୍ଯ୍ୟାତନାର ବିବରଣୀ। ପୁଣି କାହା ମତରେ ଏହା ଏକ ନାରୀ ନିର୍ଯ୍ୟାତନାର କାହାଣୀ ତ ଆଉ କାହା ପାଇଁ ଧର୍ମାନ୍ଧତା। ପୁରୁଷ ପାଇଁ ନାରୀ କାହିଁକି ବ୍ରତ କରିବ? ନାରୀ ଲାଗି ପୁରୁଷ କରୁନି?

ଆହୁରି ଦେଖାଯାଉଛି ଯେ ଏହା ଏକ ବୈବାହିତ ନାରୀର ବ୍ରତ-ଉତ୍ସବ ହେଲେ ମଧ୍ୟ ଅନେକ ଅବିବାହିତ ଯୁବକଙ୍କର ସାବିତ୍ରୀ-ବ୍ରତକୁ ନେଇ ପରିହାସ କରିବାର ରଚନାତ୍ମକତା ଏତେବେଳେ କିଛି କମ୍ ପ୍ରକାଶିତ ହୁଏ ନାହିଁ ଗଣମାଧ୍ୟମରେ। ଅନ୍ୟକୁ ଓ ଆପଣା ପରମ୍ପରାକୁ ତାଚ୍ଛଲ୍ୟ କରିବା ସମସାମୟିକ ରଚନାତ୍ମକ କଳାରେ ଏବେ ବେଶ୍ ପ୍ରତିଫଳିତ। ଆମର ଭାବ ଓ ଭାବପ୍ରବଣତାକୁ ପ୍ରକାଶ କରିବା ଲାଗି ଯେ ନବରସର ବିଭାଗୀକରଣ ହୋଇଛି ସେଥିରେ ରୌଦ୍ର, ଭୟାନକ, ବୀଭତ୍ସ ଏପରି କି ଅଦ୍ଭୁତ ରସ ଭଳି କେତେକ କଟୁ ରସର କଥା କୁହାଯାଇଛି ମାତ୍ର କେଉଁଠି ହେଲେ ତାଚ୍ଛଲ୍ୟ ରସର କଥା କୁ‌ହାଯାଇନାହିଁ। ଅଥଚ ଏବେ ତାଚ୍ଛଲ୍ୟ ରସ ପାଲଟିଛି ଅନେକଙ୍କର ଏକମାତ୍ର ସୃଷ୍ଟିଶୀଳ ପରିପ୍ରକାଶ। ନିଜ ପରମ୍ପରା ଓ ରୀତିନୀତିକୁ ଏଥିରେ ଅଧିକରୁ ଅଧିକ ଅନ୍ତର୍ଭୁକ୍ତ କରାଯାଉଛି। ବୁଝିବା ଆବଶ୍ୟକ ଯେ କାମ ଠାରୁ କଥା ଅଧିକ ହାଣିପାରେ ଓ ଗଢ଼ିବା ଠାରୁ ଭାଙ୍ଗିଦେବା ବହୁତ ସହଜ। ସାବିତ୍ରୀ ବ୍ରତ କ’ଣ ଓ ଏହା ଆମ ପାଇଁ ଲୋଡ଼ା କି ଅଲୋଡ଼ା ସେ କଥା ଆଲୋଚନା କରିବା ପୂର୍ବରୁ ବର୍ତ୍ତମାନ ଏ ତାଚ୍ଛଲ୍ୟକାମୀ ମନୋଭାବଟି ସମ୍ପର୍କରେ ଆଲୋଚନା ହେବା ଆବଶ୍ୟକ।

ନିଜକୁ ହୀନ କରିବା ସକାଶେ ତାଚ୍ଛଲ୍ୟର ଏ ଯେଉଁ ଅବିଚାରିତ ପ୍ରୟୋଗ ଏହା କେଉଁଠାରୁ ଆସିଲା ଆମ ପାଖକୁ? ଆମେ ନ୍ୟୂନ, ମେଣ୍ଢା, କଙ୍କଡ଼ା, ଧର୍ମାନ୍ଧ, ଅପାରଗ, ଅସଭ୍ୟ, ପଛୁଆ ଏବଂ ଆମର ପରମ୍ପରା ଲଜ୍ଜାଜନକ ତଥା ଆମର ଧର୍ମଧାରଣା ବର୍ବର ବୋଲି ବିଚାର ଆମ ଭିତରକୁ କିଏ ଆଣିଲା? ଆମେ ତ ଆମକୁ ନେଇ କେଡ଼େ ଗର୍ବ କରୁଥିଲୁ। ‘‘ଭାରତ ପଙ୍କଜ ଜଳମିଦ ମୁତ୍କଳ ମଣ୍ଡଳମିତି ବିଦିତଂ ଯତ୍’’। କିଏ ଆମକୁ ଏମିତି ଖର୍ବ କରିଦେଲା? ନିଜକୁ ନିନ୍ଦା କରିବାରେ ନିଜର ପୂଜା ଉତ୍ସବଗୁଡ଼ିକୁ ବିନା ଅନୁଶୀଳନରେ ତାଚ୍ଛଲ୍ୟ କରିବାର ପାଣ୍ଡିତ୍ୟ କେଉଁଠୁ ଆସିଲା ଆମ ପାଖକୁ?

୧୮୩୫ରେ ମାକଲେ ଆମ ଦେଶ ପାଇଁ ଓ ତାଙ୍କ ଦେଶର ଭବିଷ୍ୟତ ସୁରକ୍ଷା ଲାଗି ଯେଉଁ ପାଠନୀତି ତିଆରି କଲେ ତା’ ପୂର୍ବରୁ ସେ ଭାରତର ଅନ୍ଦିକନ୍ଦି ବୁଲିଥିଲେ। ବୁଝିଯାଇଥିଲେ ଯେ ଭାରତୀୟ ସଂସ୍କୃତି ମୂଳତଃ ଆଧ୍ୟାତ୍ମିକ ସଂସ୍କୃତି। ଏହାର ଆତ୍ମିକ ବଳ ଲୁଚିଛି ଏକ ଆଧ୍ୟାତ୍ମିକ ପରିବେଶରେ। ଏ ଭଳି ଗୋଟେ ଜନସମୂହକୁ ପଦାନତ କରି ରଖିବାର ବାଟ କ’ଣ? ତା’ର ଆଧ୍ୟାତ୍ମିକ ବିଚାରଟିକୁ ଖିନ୍‌ଭିନ୍ କରିଦେବାକୁ ପଡ଼ିବ। ତା’ ସଂସ୍କୃତିର ଶୀର୍ଷ ଭାଷା ସଂସ୍କୃତକୁ ହଟେଇଦେଲେ ଆପେ ଚେର ଛିଣ୍ଡିଯିବ। ଜ୍ଞାନର ଭାଷା ସଂସ୍କୃତରୁ ଯେ ତା’ର ଆଞ୍ଚଳିକ ଭାଷା ମାଧ୍ୟମରେ ଉତ୍ସବାନୁଷ୍ଠାନଗୁଡ଼ିକ ପଲ୍ଲବିତ ହୋଇ ରହିଛନ୍ତି, ତାହା ମଉଳି ଯିବ। ନିଜ ସଂସ୍କୃତିକୁ ସେମାନେ ନିନ୍ଦିବା ଆରମ୍ଭ କରିବେ। ଭାରତୀୟ ବିଚାରଟିକୁ ଥରେ ଇଂରେଜୀ ଭାଷା ଭିତରେ ପୂରେଇ ଦେଲେ ଆଗକୁ ଆପେ ସେ ବିଦେଶୀ ହେବାକୁ ଭଲ ପାଇବେ। ଶିକ୍ଷିତ ହୋଇ ନିଜ ଲୋକଙ୍କୁ ଘୃଣା କରିବେ, ତାଚ୍ଛଲ୍ୟ କରିବେ, ବାଡ଼େଇବେ, ଲାଠି ଗୁଳିଗୁଳା ଚଳେଇବେ। ଅ‌ାମେ ଧର କହିଲେ ସେମାନେ ବାନ୍ଧିବେ। ଦେହର ଚମଡ଼ା ବାଦାମୀ ରହିବ ମାତ୍ର ବିଚାରରେ ସେମାନେ ହେବେ ଗୋରା ମନର କ୍ରୀତଦାସ। ସବୁ ଦେଶୀ କଥାକୁ ଘୃଣା କରିବେ ଭାରତୀୟ। ୧୮୦୩ରେ ଗୋରା ଶାସନର ଓଡ଼ିଶା-ପ୍ରବେଶ। ତା’ର ମାତ୍ର ୩୨ ବର୍ଷ ପରେ ଗୋରା ମନର ପ୍ରବେଶ ହୋଇଥିଲା ଏ ମାଟିରେ। କେତେ ସୁଦୂରପ୍ରସାରୀ ତୀକ୍ଷ୍‌ଣ ବୁଦ୍ଧି ଥିଲା ଗୋରା ମାକଲେଙ୍କର! ଆମେ ସ୍ବାଧୀନତା ପାଇବାର ୭୫ ବର୍ଷ ହେଲାଣି। ଅମୃତ କଳସ ମୁଣ୍ଡରେ ଧରି ଡେଉଁଛୁ ଆମେ। ଶରୀର ଡେଉଁଛି ମାତ୍ର ମୁଣ୍ଡ ଭିତରେ ବସା ବାନ୍ଧିଛି ଗୋରା ମନ। ଆମେ ହୀନ। ଆମ ପର୍ବପର୍ବାଣି ତୁଚ୍ଛ। ସମସ୍ତଙ୍କ ଆଗରେ ମାକଲେ ଛାଡ଼ିଯାଇଥିବା ସେଇ ବିଲାତି ଦର୍ପଣ।

‘‘ସାବିତ୍ରୀ ବ୍ରତ’’ ସମ୍ପର୍କରେ ଯେ ତାଚ୍ଛଲ୍ୟ ତା’ ପଛରେ ଆମର ମାକଲେ-ବିକଶିତ ମନଟି ନାହିଁ ବୋଲି କ’ଣ କହି‌ ହେବ?
ଆଲୋଚନା କରି ଦେଖାଯାଇଛି, ଓଡ଼ିଶାରେ ସୋମନାଥ ବ୍ରତ ଠାରୁ ଆରମ୍ଭ କରି ବାରମାସୀ ଗୁରୁବାର ବ୍ରତ ଯାଏ ଯେତେ ଓଷାବ୍ରତ ଅଛି ସେଥିରେ ସାବିତ୍ରୀ ବ୍ରତଟି ଅଧିକ ଲୋକପ୍ରିୟ ଓ ପ୍ରସାରିତ। ଅନେକଙ୍କର ଧାରଣା, ଓଷା ଓ ବ୍ରତ ଭିତରେ ଏକ ଫରକ ଅଛି। ଭାଷାକୋଷ ପ୍ରଣେତା ଗୋପାଳ ପ୍ରହରାଜ ମଧ୍ୟ ଓଷା ଓ ବ୍ରତକୁ ସ୍ତ୍ରୀ ପୁରୁଷ ଭେଦରେ ବିଚାର କରିଛନ୍ତି। ବ୍ରତକୁ ସ୍ତ୍ରୀ ଓ ପୁରୁଷ ଉଭୟ ପାଳୁଥିବା ବେଳେ ଓଷାକୁ କେବଳ ସ୍ତ୍ରୀମାନେ ପାଳନ କରନ୍ତି। ପଣ୍ଡିତ ବିନାୟକ ମିଶ୍ର ମତ ଦେଇଛନ୍ତି ଯେ ‘‘ଦୃଢ଼ ଚିତ୍ତରେ ଆରାଧନା କରିବା ହିଁ ବ୍ରତ’’। ଅନ୍ୟ ଦିଗରେ ସଂସ୍କୃତ ଶବ୍ଦ ଉପାସନାରୁ ଆସିଛି ଓଷା। ବସ୍ତୁତଃ ବ୍ରତ ଓ ଓଷା ମଧ୍ୟରେ କୌଣସି ପାର୍ଥକ୍ୟ ହିଁ ନାହିଁ। ବ୍ରତ ଶବ୍ଦଟି ସଂସ୍କୃତ ଏବଂ ଓଷା ଶବ୍ଦଟି ଗ୍ରାମୀଣ। ଏବେ ‘‘ସାବିତ୍ରୀ ବ୍ରତ’କୁ ଆସିବା।

କ’ଣ ପାଇଁ ଏ ବ୍ରତ କଥାଟି ଆମ ଧର୍ମ ଧାରଣା ଭିତରକୁ ଆସିଛି? ଗୋଟାଏ ସତ୍ୟ ବିବର୍ଜିତ ଅସଜଡ଼ା ସମାଜକୁ ଶୃଙ୍ଖଳିତ କରି ରଖିବା ପାଇଁ ଓ ସତ୍ୟକୁ ଜୀବନାୟନର କେନ୍ଦ୍ରବିନ୍ଦୁ କରିବା ପାଇଁ ଶ୍ରୀରାମଙ୍କୁ ଆଦର୍ଶ କରି ବାଲ୍ମୀକି ଲେଖିଥିଲେ ସାତକାଣ୍ଡ ରାମାୟଣ, ପୃଥିବୀର ଆଦି ମହାକାବ୍ୟ। ସେ କିଛି ବେପାର କି ପୁରସ୍କାର ପାଇଁ ଜଙ୍ଗଲରେ ସ୍ବାପଦ ଶଙ୍କୁଳ ପରିବେଶରେ ବସି ଲେଖି ନ ଥିଲେ ଏତେ ବଡ଼ ଗ୍ରନ୍ଥ। ଲକ୍ଷ୍ୟ ସାମାଜିକ ସୁବ୍ୟବସ୍ଥା। ସେମିତି ଯେତେ ସବୁ ଓଷା ବ୍ରତ। ସାବିତ୍ରୀ ବ୍ରତ କଥାଟି ସେଇଭଳି।
କୌଣସି ଓଷାବ୍ରତକୁ ନିଜସ୍ବ ଆଚରଣ ଓ ଅନୁଶୀଳନ ମାଧ୍ୟମରେ ବୁଝିବା ଆଗରୁ ତାଚ୍ଛଲ୍ୟ କରିବା ଠାରୁ ବଡ଼ ଗଣବିଶ୍ବାସ-ଅପରାଧ ଆଉ କ’ଣ ଅଛି? ଅନେକ ଓଷାବ୍ରତ ଆମ ଭାରତୀୟ ସାଂସ୍କୃତିକ ଏକତାର ଚମତ୍କାର ଚିତ୍ର ପ୍ରଦାନ କରନ୍ତି। ଓଷାବ୍ରତର କଥା ମାନଙ୍କରେ ଭାରତର ବିଭିନ୍ନ ଅଞ୍ଚଳର ଉଲ୍ଲେଖ ମିଳେ। ସାବିତ୍ରୀ, ମଦ୍ରଦେଶ ନରପତି ଅଶ୍ବପତିଙ୍କ କନ୍ୟା ହେଲାବେଳେ ସତ୍ୟବାନ ଶଲ୍ବର ନରପତି ଦ୍ୟୁମତସେନଙ୍କ ପୁତ୍ର। ଏହାର ବିଷୟବସ୍ତୁକୁ ନେଇ ଯେ ବ୍ରତ ତାହା ଓଡ଼ିଶାରେ ପାଳିତ କାହିଁକି?

ବ୍ରତକଥାଗୁଡ଼ିକର ଅଭିପ୍ରାୟ ଓ ମୋଟିଫ୍ (ଗଳ୍ପାଣୁ) ଭିତରେ ଛପି ରହିଥାଏ ଗୋଟାଏ ସର୍ବଭାରତୀୟ ସମାନତା, ସାମଞ୍ଜସ୍ୟ ଓ ସାଂସ୍କୃତିକ ଏକତ୍ବବୋଧ। ଓଡ଼ିଶାରେ ପାଳିତ ଅନେକ ପର୍ବପର୍ବାଣି ଓ ଓଷାବ୍ରତରେ ଏହି ସର୍ବଭାରତୀୟ ପୃଷ୍ଠଭୂମି ପ୍ରଣିଧାନଯୋଗ୍ୟ। ବହୁ ବିଭିନ୍ନତା ଭିତରେ ଏ ମହାଜାତିକୁ ଗୋଟାଏ ସାଂସ୍କୃତିକ ଚେତନା ଭିତରେ ଗୁନ୍ଥି ରଖିବା ପାଇଁ ଓଷାବ୍ରତଗୁଡ଼ିକର ଭୂମିକାକୁ କ’ଣ ଆମେ ଅସ୍ବୀକାର କରିବା? ଗବେଷକମାନଙ୍କ ମତରେ ପ୍ରତ୍ୟେକ ଅଞ୍ଚଳରେ ଭାରତୀୟତାବୋଧର ଝଲକ ଅନେକ ଓଷାବ୍ରତରେ ପ୍ରତିଫଳିତ। ଭାରତ ଭଳି ଗୋଟାଏ ମହାଜାତି ତା’ର ଦୀର୍ଘ ଗତିପଥରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ସମାଜ ଉଜୁଡ଼ିଛି। ନାରୀ ପୁରୁଷ ସମ୍ପର୍କରେ ଉତ୍‌ଥାନ ପତନ ଆସିଛି। ନୂଆ ସଂପ୍ରଦାୟ ଓ ବିଶ୍ବାସ ମୁଣ୍ଡଟେକି ପାରିବାରିକ ତଥା ସାମୂହିକ ଜୀବନକୁ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରିଛି। ଭ୍ରଷ୍ଟତା ଓ ବିଭ୍ରାନ୍ତି ସୃଷ୍ଟି ହୋଇଛି। ସେ ସବୁକୁ ସମାଧାନ କରିବା ଦିଗରେ ଏ ଓଷାବ୍ରତ ଓ ପର୍ବପର୍ବାଣିର ଯୋଗଦାନ କିଛି ଊଣା ପଦକ୍ଷେପ ନୁହେଁ।

ପ୍ରଥମ କଥାଟି ହେଲା ଆଚରଣ ସଂହିତା। ଆମ ଧର୍ମ ଧାରଣାରେ ଏପରି କିଛି ଓଷାବ୍ରତ ଅଛି କି ଯାହା ପରିଚ୍ଛନ୍ନତା ବିରୋଧୀ? ସକାଳ ଗାଧୁଆ, ନୂଆ ବା ପରିଷ୍କାର ଲୁଗାପଟା ପିନ୍ଧା, ଘରଦ୍ବାର ପରିଷ୍କାର ଓ ଲିପାପୋଛା, ମୁରୁଜ ବା ଚିତା ଦ୍ବାରା ସଜ୍ଜୀକରଣ, ସୁଗନ୍ଧ ଓ ସୁବାସର ଉପଯୋଗ, ଉପବାସ, ଧ୍ୟାନ, ଏକାଗ୍ରତା ଆଦି ପ୍ରାୟ ପ୍ରତିଟି କଥା ଓଷାବ୍ରତର କେନ୍ଦ୍ରବିନ୍ଦୁ। ସେ ସବୁ କ’ଣ ଅକାରଣ?

ସାବିତ୍ରୀ ବ୍ରତରେ ନାରୀର ପବିତ୍ରତା, ଅଚଳ ନିଷ୍ଠା, ସତ୍ୟପରାୟଣତା, ସ୍ବାଧୀନତା, ପରୋପକାରିତା ଓ ପାତିବ୍ରତ୍ୟ ହିଁ ମୂଳକଥା। ମହର୍ଷି ଅରବିନ୍ଦ ସାବିତ୍ରୀଙ୍କ ଭିତରେ ଦେଖିଛନ୍ତି ଏକ ମହାଚେତନାର ଉତ୍ତରଣ। ନାରୀ ଓ ପୁରୁଷର ପବିତ୍ର ବନ୍ଧନ ଓ ପାରସ୍ପରିକ ଅତୁଟ ସମ୍ପର୍କ ସାମାଜିକ ବ୍ୟବସ୍ଥାରେ ଶାନ୍ତି ଓ ପ୍ରଗତିର ପ୍ରଧାନ ଲକ୍ଷଣ। ନାରୀ ଯେ ସର୍ବକୁଳ ହିତା ଏ କଥା ସାବିତ୍ରୀ ହିଁ ପ୍ରତିପାଦିତ କରିଛନ୍ତି। ଏ କଥା ବୁଝିବା ପାଇଁ ଆମକୁ ଇଉରୋପ, ଆମେରିକା ଯିବାକୁ ପଡ଼ିବ ନା ମାକଲେଙ୍କ ସମାଧି ପାଖରେ ଯାଇ ସାଧନା କରିବାକୁ ପଡ଼ିବ?

ମହାଭାରତର ଏକ ଆଖ୍ୟାନରୁ ସାବିତ୍ରୀ ବ୍ରତ କଥାଟି ଆନୀତ। ଦିନେ ଯୁଧିଷ୍ଠିର କୃଷ୍ଣଙ୍କୁ ପଚାରିଛନ୍ତି, ନାରୀମାନଙ୍କ ଲାଗି ସୁଖୀ ଜୀବନର ପନ୍ଥା ସମ୍ପର୍କରେ। ‘‘କି ବ୍ରତ କଲେ ନାରୀମାନେ/‌େହାଇବେ ସୁଖୀ ସବୁଦିନେ।’’ ତା’ ପରେ ଶ୍ରୀକୃଷ୍ଣ କାହାଣୀଟିକୁ କହିଛନ୍ତି- ‘‘ଧର୍ମରାଜଙ୍କ ବାକ୍ୟ ଶୁଣି/ହସି କହନ୍ତି ଚକ୍ରପାଣି। ସଧବା ନାରୀମାନଙ୍କର/ସକଳ ବ୍ରତ ମଧ୍ୟେ ସାର। ସାବିତ୍ରୀ ବ୍ରତ ଅଟେ ସେହି/ସେ କଥା ଶୁଣ ମନ ଦେଇ।’’ କାହାଣୀଟିରେ ଛପି ରହିଛି ଅନେକ କଥା। ରାଜା ଅଶ୍ବପତି ଓ ରାଣୀ କୌଶଲ୍ୟା ଅଠର ବର୍ଷ କାଳ ସାବିତ୍ରୀ ଯଜ୍ଞ କରି ଯେଉଁ କନ୍ୟାରତ୍ନଟିକୁ ପାଇଲେ ତାଙ୍କର ନାମ ରଖିଲେ ସାବିତ୍ରୀ। ସାବିତ୍ରୀ ଯଜ୍ଞରୁ ବାହାରି ନିଜେ ଦେବୀ ‘‘ସାବିତ୍ରୀ’’ କହିଛନ୍ତି- ମୁଁ ତୁମକୁ କନ୍ୟାଟିଏ ଦେବି। ‘‘ଶତପୁତ୍ରର ସୁଖଶିରୀ/ ସେ କନ୍ୟା ଏକା ଦେବ ଭରି’’। ଲକ୍ଷ୍ୟ କରିବାର କଥା, ସମସ୍ତେ ପୁତ୍ର ସନ୍ତାନ ପାଇଁ ପୁତ୍ରେଷ୍ଟି ଯଜ୍ଞ କରନ୍ତି। ମାତ୍ର ସାବିତ୍ରୀ ବ୍ରତ କଥାଟି ଆରମ୍ଭରୁ କନ୍ୟା ସନ୍ତାନର ମହନୀୟତା କଥା କହିଛି। ଦ୍ବିତୀୟଟି ହେଉଛି ସାବିତ୍ରୀଙ୍କର ବ୍ୟକ୍ତିତ୍ବ। ସେ ବ୍ୟକ୍ତିତ୍ବ ଏତେ ପ୍ରତିଭାଦୀପ୍ତ ଯେ ତାଙ୍କ ପାଇଁ ସମକକ୍ଷ ବରପାତ୍ରଟିଏ କେଉଁଠି ମିଳୁ ନାହିଁ। ‘‘ଆସିଲେ ଯେତେ ଯୁବରାଜ/ ବାହୁଡ଼ି ଗଲେ ପାଇ ଲାଜ’’।

ଅତଏବ ମାଣ୍ଡବ୍ୟ ଋଷିଙ୍କ ପରାମର୍ଶ ଅନୁସାରେ ସାବିତ୍ରୀ ନିଜେ ସଖୀ ଗହଣରେ ବୁଲି ବୁଲି ସତ୍ୟବାନଙ୍କୁ ଜଙ୍ଗଲ ଭିତରର ଗୋଟିଏ ଆଶ୍ରମରେ ପାଇ ପସନ୍ଦ କରିଛନ୍ତି। ସତ୍ୟବାନ ନିଃସ୍ବ, ଅନ୍ଧ ବିତାଡ଼ିତ ରାଜା ଦ୍ୟୁମତସେନଙ୍କ ପୁତ୍ର। ପିତା ଅଶ୍ବପତି କନ୍ୟାର ପସନ୍ଦକୁ ଗ୍ରହଣ କରିଛନ୍ତି। ଏତିକିବେଳେ ନାରଦ ଆସି କହିଛନ୍ତି ବରପାତ୍ରଟିର ଆୟୁଷ ମାତ୍ର ଏକ ବର୍ଷ। ଅସମ୍ଭବ ପରିସ୍ଥିତି। ସାବିତ୍ରୀ ଅଟଳ। ନାରୀ ଯେ କେତେ ଦୂର ସ୍ବାଧୀନଚେତା ଓ ନିଷ୍ଠାପରାୟଣା ତଥା ଦୃଢ଼ ହୋଇପାରେ ସାବିତ୍ରୀ ତା’ର ଚରମ ନିଦର୍ଶନ। ଶେଷକୁ ଆସିଛି ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି। ସତ୍ୟବାନଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ହେଲେ ଅଲୌକିକ ସାଧନା ବଳରେ ସାବିତ୍ରୀ ସ୍ବାମୀଙ୍କର ଜୀବନ କେବଳ ଫେରାଇ ଆଣିନାହାନ୍ତି, ଶ୍ବଶୁରଙ୍କର ଦୃଷ୍ଟିଶକ୍ତି ଫେରାଇ ଆଣିବା ସହ ହୃତରାଜ୍ୟ ଫେରାଇ ଆଣିଛନ୍ତି। ପିତାମାତାଙ୍କୁ ଶତପୁତ୍ରର ଜନକ ଜନନୀ ହେବାର ଶ୍ରେୟ ଆଣି ଦେବା ସହ ନିଜକୁ ଶତପୁତ୍ରର ଜନନୀ କରିଛନ୍ତି। ସେଥିପାଇଁ ଧର୍ମରାଜଙ୍କୁ କୃତଜ୍ଞତା ଜଣାଇବା ସହ ସେ ଲକ୍ଷ୍ମୀନାରାୟଣଙ୍କର ପୂଜା କରିଛନ୍ତି। ଲକ୍ଷ୍ମୀନାରାୟଣ ହିଁ ହିନ୍ଦୁ ଜଗତର ଠାକୁର ଠାକୁରାଣୀଙ୍କ ଭିତରେ ଦାମ୍ପତ୍ୟ ଶ୍ରେ‌ଷ୍ଠତାର ପ୍ରତୀକ। ସେ ଯେଉଁ ପୂଜାର୍ଚ୍ଚନା କଲେ ସେଥିରେ ଥିଲା ନିଜ ମାଟିର ଫଳମୂଳ। ନଡ଼ିଆ, କଦଳୀ, ଆମ୍ବ, ପଣସ, ଖଜୁରି। ସବୁ ଖରାଦିନିଆ ଗାଆଁ ଗହଳର ଫଳ। ଏଥିରେ ଶାଢ଼ି ପାଇଁ କନ୍ଦାକଟା ନାହିଁ କି ବିଦେଶରୁ ଆସୁଥିବା ଚଢ଼ା ଦାମ୍‌ର ଫଳ କିଣିବା ଲାଗି ବୈକଲ୍ୟ ନାହିଁ। ଅଛି ଆପଣା ମହନୀୟତାକୁ ବାରମ୍ବାର ସ୍ମରଣ କରି ନାରୀ ନିଜକୁ ସଶକ୍ତ କରିବାର ବିଧି। କହିବାର ଅଛି, ସବୁ ବ୍ରତ ଲୋଡ଼ା। ବ୍ରତଚାରୀ ବା ବ୍ରତଚାରିଣୀଙ୍କ ଇଚ୍ଛା ଉପରେ ତାହା ନିର୍ଭର କରେ। କିଏ କାହାକୁ ବାଧ୍ୟ କରୁଛି ଓଷାବ୍ରତ କରିବା ପାଇଁ? ସାବିତ୍ରୀ ବ୍ରତ କହୁଛି, ‘‘ହେ ନାରୀ! ସ୍ବାଧୀନ ହୁଅ, ସତ୍ୟନିଷ୍ଠ ହୁଅ, ନିଜକୁ ସାବ୍ୟସ୍ତ କର। ସର୍ବୋପରି ମଙ୍ଗଳମୟୀ ହୁଅ।’’
[email protected]

ସମ୍ବନ୍ଧିତ ଖବର