ଦାରୁଭୂତ ମୁରାରୀ ଶ୍ରୀ ଜଗନ୍ନାଥଙ୍କ ଅବସ୍ଥାନକ୍ଷେତ୍ର ଶ୍ରୀକ୍ଷେତ୍ର ବହୁଦୃଷ୍ଟିରୁ ଅସାଧାରଣ ଅଟେ। ଭାରତବର୍ଷର ଅନେକ ମନ୍ଦିର ସମୁଦ୍ର କୂଳରେ ରହିଥିଲେ ହେଁ ଶ୍ରୀଜଗନ୍ନାଥ ମନ୍ଦିର ଓ ତତ୍ସଂଲଗ୍ନ ସମୁଦ୍ର ସ୍ୱତନ୍ତ୍ରତା ବିମଣ୍ଡିତ ଶ୍ରୀମନ୍ଦିର ସଂଲଗ୍ନ ବଂଗୋପସାଗରର ଏଇ ଅଂଶଟି ହିଁ କେବଳ ମହୋଦଧି ନାମରେ ନାମିତ। କ୍ଷେତ୍ରବର ଶ୍ରୀକ୍ଷେତ୍ର ଓ ମହୋଦଧି ଏକ ଅକଳ୍ପନୀୟ ବିଚିତ୍ର ସଂଯୋଗ। କ୍ଷେତ୍ର ସଂଯୁକ୍ତ ଥିବାରୁ ଏହା ସାଧାରଣ ଉଦଧି ନୁହେଁ। ପୁରାଣ ଅନୁସାରେ ଏ ମହୋଦଧି ଲକ୍ଷ୍ମୀଙ୍କ ପିତ୍ରାଳୟ। ଜଳପ୍ରପୁଜନ ବା ମହୋଦଧି ପ୍ରପୁଜନ ଭାରତୀୟ ଆଧ୍ୟାତ୍ମ ଦିବ୍ୟ ବିଧାନରେ କିଛି ନୂଆ କଥା ନୁହେଁ। ମାତ୍ର ଆଦିଶଙ୍କରଙ୍କ ଦ୍ୱାରା ଏହାର ପୁନଃପ୍ରଚଳନ ପରେ ଏ ପରଂପରା ବଂଚି ରହିଛି। ବିଶେଷତଃ ସଂପ୍ରତି ଆଦିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଏଠାକାର ଗୋବର୍ଦ୍ଧନ ପୀଠ ଏହି ପରଂପରାକୁ ଗୁରୁତ୍ୱ ପ୍ରଦାନ କରି ଆଜକୁ ପ୍ରାୟ ତେରବର୍ଷ ତଳୁ ମହୋଦଧି ଆଳତୀ ପ୍ରକିୟା ଆରମ୍ଭ କରିଥିଲେ। ବେଦବିତ୍, ଦିବ୍ୟଦ୍ରଷ୍ଟା, ତତ୍ତ୍ୱଜ୍ଞ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିପାଳିତ ମହୋଦଧି ଆଳତି ପ୍ରକ୍ରିୟା ବିଶ୍ୱପାଇଁ ନିଶ୍ଚୟ ଏକ ବରଦାନ। ତାଙ୍କରି ନିର୍ଣ୍ଣୟାନୁସାରେ ଗୋବର୍ଦ୍ଧନମଠ କର୍ତ୍ତୃକ ପ୍ରତ୍ୟହ ସଂଧାରେ କରାଯାଇଥାଏ ସମୁଦ୍ର ଆଳତୀ। ବର୍ଷ ତମାମ ଏହା ଚାଲିଛି। ପୈାଷ ପୂର୍ଣ୍ଣିିମାଦିନ ମହୋଦଧି ଆଳତୀର ବାର୍ଷିକ ଉତ୍ସବ ବିଧିବିଧାନ ସହ କରାଯାଇଥାଏ। ଏଥିରେ ବୈଦିକ କ୍ରିୟାନ୍ୱୟନ ସଂଯୁକ୍ତ ରହେ। ବେଦଜ୍ଞ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନୀରେ ମହୋଦଧି ତୀର ଜୀବନ୍ତ ହୋଇ ଉଠେ। ସର୍ବୋପଚାର ସହ ଶେଷରେ ଆଳତୀପର୍ବ ଆରମ୍ଭ ହୁଏ। ଯାହାର ପ୍ରମୁଖ ଆଳତୀକାର ଥାଆନ୍ତି ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜ। ପ୍ରଚଣ୍ଡ ଶୀତକୁ ଖାତିର ନକରି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଏହି ଦିବ୍ୟ ଆଳତୀ ଦର୍ଶନ ଲାଭ କରି ତୃପ୍ତ ହୁଅନ୍ତି।
ଆମ ସନାତନ ଚେତନାରେ ଏ ସୃଷ୍ଟି ପଞ୍ଚ ମହାଭୂତର ସମାହାର। ତନ୍ମଧ୍ୟରୁ ଜଳ ଏକତମ। ଏ ସଚରାଚର ର ଆଧାର ହିଁ ପଞ୍ଚ ମହାଭୂତ। ମାନବ ସଭ୍ୟତାକୁ ସୁରକ୍ଷା ଦେବାପାଇଁ କେଉଁ ପ୍ରାଚୀନ କାଳରୁ ଭାରତୀୟ ବେଦବେଦାନ୍ତ ମହାଭୂତ ପୂଜନର ବ୍ୟବସ୍ଥା କରିଯାଇଛନ୍ତି। ଦୁର୍ଭାଗ୍ୟ ଯେ ଭାରତୀୟ ଜନମାନସ ଭାରତୀୟ ମୌଳିକ ବୈଦିକ ଶିକ୍ଷାବ୍ୟବସ୍ଥା ଠାରୁ ଦୂରେଇଯାଇଛନ୍ତି। ଅଥଚ ସ୍ୱାମୀ ନିଶ୍ଚଳାନନ୍ଦଙ୍କ ପରି ଭାରତରେ ତଥାପି ବୈଦିକ ଶାସ୍ତ୍ର ସିଦ୍ଧାନ୍ତ ଗ୍ରହଣ କାରୀ କେତେକ ଯୋଗୀଋଷି ରହିଛନ୍ତି ଯାହାଙ୍କ ଉଦ୍ୟମ ବିଶ୍ୱକଲ୍ୟାଣ ପାଇଁ ଉଦ୍ଦିଷ୍ଟ।
ପୈାଷପୂର୍ଣ୍ଣମୀ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପାଳନ ହେଉଥିବା ରାମାଭିଷେକ ଦିବସ। ଏହି ଦିନ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କର ଅଭିଷେକ ଉତ୍ସବର ଦିନଥିଲା। ଶ୍ରୀ ମନ୍ଦିରରେ ରାମାଭିଷେକ ପାଳନ ଦିନ ହିଁ ସମୁଦ୍ର ଆଳତୀର ବାର୍ଷିକ ଉତ୍ସବ ପ୍ରକୃତରେ ଜଣେ ସଚ୍ଚାଭକ୍ତ ପାଇଁ ମହାର୍ଘ ଦିନଟିଏ। ଏକାଦିନକେ ପ୍ରଭୁଙ୍କର ରାମାଭିଷେକ ଦର୍ଶନ ସହିତ ସମୁଦ୍ରତୀରରେ ସମୁଦ୍ର ଆଳତୀ ଦର୍ଶନ ଏକ ଦୁର୍ଲଭ ସଂଯୋଗ। ଏଣୁ ଆଦିଶଙ୍କରଙ୍କ ଦ୍ୱାରା ସ୍ଥାପିତ ଭାରତର ଚାରିଗୋଟି ପୀଠମଧ୍ୟରୁ ଗୋବର୍ଦ୍ଧନପୀଠ ସ୍ୱତନ୍ତ୍ର ଓ ଶ୍ରେଷ୍ଠ ଅଟେ। ବାସ୍ତବିକ ଧର୍ମ ଧର୍ମବିମୁଖ ସାଂପ୍ରତିକ ସମାଜକୁ ଆଦିଶଙ୍କର ପ୍ରଦର୍ଶିତ ମାର୍ଗ ସମୁଦ୍ର ଆଳତୀ ଏକ ମହାସନ୍ଦେଶ। ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ବର୍ତ୍ତମାନ ଚାଲିଛି ସରକାରଙ୍କ ଦ୍ୱାରା, ମାତ୍ର ଏ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟାରେ ସ୍ୱର୍ଗଦ୍ୱାର ନିକଟସ୍ଥ ସମୁଦ୍ରଆଳତୀ ସ୍ଥଳଟିକୁ ଆକର୍ଷଣୀୟ ଆଧ୍ୟାତ୍ମ ପରିବେଶ ବିମଣ୍ଡିତ କରାଯାଇପାରିଲେ ଏହାକୁ ମହାପ୍ରଭୁଙ୍କ କରୁଣା ଭାବି ସନ୍ଥ ଓ ଭକ୍ତ ପୁଲକିତ ହୁଅନ୍ତେ।
ମହାସଚିବ ତଥା ମହୋଦଧି ଆରତୀ
କମିଟି ଅଧକ୍ଷ, ଗୋବର୍ଦ୍ଧନ ମଠ, ପୁରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG-20191025-WA0032.jpg)