ସାହିତ୍ୟିକ ପାଣିପାଗ: ସାତ୍ତ୍ୱିକ ଆହାରର ଐଶ୍ୱର୍ଯ୍ୟ

ଅସିତ ମହାନ୍ତି

୨୦୨୨ ବିଦାୟୀ ବର୍ଷରେ ଓଡ଼ିଶାର ମୁଖ୍ୟ ପ୍ରକାଶନଗୁଡ଼ିକ କ’ଣ? ଏହାର ଆକଳନ ତଥାପି ହୋଇନାହିଁ। କିନ୍ତୁ ସେପରି ଏକ ଆକଳନ ନିକଟ ଭବିଷ୍ୟତରେ ଯଦି କେହି କରନ୍ତି, ତେବେ ତା’ ମଧ୍ୟରେ ନିଶ୍ଚେ ଆସିବ ‘ଶ୍ରୀଜଗନ୍ନାଥଙ୍କ ରାଜଭୋଗ’। ଦ୍ୱାଦଶ ଶତାବ୍ଦୀରେ ବର୍ତ୍ତମାନର ଶ୍ରୀମନ୍ଦିର ପ୍ରତିଷ୍ଠା ହେବା ପରେ, ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶୀ ରାଜାମାନେ ଶ୍ରୀଜଗନ୍ନାଥଙ୍କୁ ରାଜାଧିରାଜ ଭାବରେ ଅଭିଷିକ୍ତ କରି ଯେଉଁସବୁ ରାଜୋଚିତ ବିଧିବ୍ୟବସ୍ଥାର ପ୍ରବର୍ତ୍ତନ କରିଥିଲେ, ସେହି ବିଧି ବ୍ୟବସ୍ଥା ମଧ୍ୟରେ ପ୍ରବର୍ତ୍ତିତ ହୋଇଥିଲା ରାଜଭୋଗ। ଏହା ରାଜାଧିରାଜ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ନିବେଦିତ ବା ରାଜା ଓ ଶାସକମାନଙ୍କଦ୍ୱାରା ପ୍ରବର୍ତ୍ତିତ ଭୋଗ। ଶ୍ରୀଜଗନ୍ନାଥଙ୍କର ଏହି ଭୋଗ ‘ଅମୃତ ମଣୋହି’ ଭାବରେ ମଧ୍ୟ ଶାସ୍ତ୍ରରେ ସ୍ୱୀକୃତ। ‘ସ୍କନ୍ଦପୁରାଣ’ ଅନ୍ତର୍ଗତ ‘ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍‌’ (୩୭/୨୧)ରେ ଏ ପ୍ରସଙ୍ଗରେ କୁହାଯାଇଛି, “ମୂର୍ତ୍ତିମାନ୍ ସାକ୍ଷାତ୍ ନାରାୟଣ କମଳା (ଲକ୍ଷ୍ମୀ)ଙ୍କ ସ୍ୱହସ୍ତ ସଂପାଦିତ ଅନ୍ନାଦି ନିତ୍ୟ ଭୋଜନ କରନ୍ତି। ଭଗବାନଙ୍କର ସେହି ନୈବେଦ୍ୟାନ୍ନ ଅମୃତସ୍ୱରୂପ ଏବଂ ତାହାକୁ ମସ୍ତକରେ ଧାରଣ କଲେ ପାପସମୂହର ବିନାଶ ଘଟିଥାଏ।

ଲୋକପ୍ରସିଦ୍ଧି ଅନୁସାରେ, ସମଗ୍ର ଭାରତବର୍ଷର ଚାରିଦିଗରେ ଯେଉଁ ଚାରିଧାମ ପ୍ରତିଷ୍ଠିତ, ସେଥିମଧ୍ୟରୁ ଉତ୍ତର ଦିଗବର୍ତ୍ତୀ ବଦ୍ରିନାଥଠାରେ ଭଗବାନ ବିଷ୍ଣୁ ସ୍ନାନ କରନ୍ତି; ପଶ୍ଚିମଦିଗବର୍ତ୍ତୀ ଦ୍ୱାରିକାଠାରେ ସେ ବେଶ ହୁଅନ୍ତି, ପୂର୍ବଦିଗବର୍ତ୍ତୀ ପୁରୀଠାରେ ସେ ଭୋଜନ କରନ୍ତି ଏବଂ ଦକ୍ଷିଣ ଦିଗବର୍ତ୍ତୀ ରାମେଶ୍ୱରଠାରେ ସେ ଶୟନ କରନ୍ତି। ସେହିହେତୁ ଜଗଦ୍‌ଗୁରୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ ପୂର୍ବତଟର ପୁରୀ ମଠ ‘ଭୋଗବର୍ଦ୍ଧନ ମଠ’ ଭାବରେ ପ୍ରଖ୍ୟାତ ହୋଇଛି। ଶାସ୍ତ୍ରୋକ୍ତି ସ୍ୱରୂପ, ‘ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟମ୍‌’ର ଅଷ୍ଟତ୍ରିଂଶ ଅଧ୍ୟାୟରେ ମଧ୍ୟ ଏହାର ପ୍ରମାଣ ଅଛି। ୪୮-୫୦ ଶ୍ଳୋକରେ କୁହାଯାଇଛି, “ସୁରେଶ୍ୱର ଜଗନ୍ନାଥ ଦେବଙ୍କ ଅଧରାମୃତକୁ ଯିଏ ଆହାର କରେ, ତାହାର ଶରୀର ପରିବ୍ୟାପ୍ତ ହୁଏ ଏବଂ ଆତ୍ମା କୌଣସି ପ୍ରକାର ପାତକରେ ଲିପ୍ତ ହୁଏ ନାହିଁ। ଏହି ନିବେଦିତ ଅନ୍ନ ପରମେଶ୍ୱର ହରିଙ୍କ ଅପରମୂର୍ତ୍ତି ସ୍ୱରୂପ। ଏଣୁ ଭଗବାନଙ୍କର ଏହି ଉଚ୍ଛିଷ୍ଟାନ୍ନ ସମସ୍ତଙ୍କ ପାଇଁ ପବିତ୍ର ଓ ମୁକ୍ତିପ୍ରଦ ବୋଲି କଥିତ ଅଛି। ଏଣୁ ଜୈମିନୀ ଅନ୍ୟ ମୁନିମାନଙ୍କୁ କହିଛନ୍ତି- ହେ ମୁନିଗଣ! ଏହି ପୁରୁଷୋତ୍ତମ କ୍ଷେତ୍ରରେ ଭଗବାନ୍ ସାକ୍ଷାତ୍ ଭୋଜନ କରନ୍ତି; ଅନ୍ୟ ସ୍ଥାନରେ ସେ କେବଳ ଭକ୍ତପ୍ରଦତ୍ତ ନୈବେଦ୍ୟାନ୍ନକୁ ଦୃଷ୍ଟିପାତ କରିଥାନ୍ତି।”

ଏହି ଦୃଷ୍ଟିରୁ, ଶ୍ରୀଜଗନ୍ନାଥଙ୍କୁ ନିବେଦିତ ‘ରାଜଭୋଗ’ ବା ‘ମହାପ୍ରସାଦ’ର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ମହତ୍ତ୍ୱ କାଳାନୁକ୍ରମେ ସମଗ୍ର ଭାରତବର୍ଷର ସାଧୁ-ସନ୍ଥଙ୍କ ଦ୍ୱାରା ସ୍ୱୀକୃତ ମଧ୍ୟ ହୋଇଆସିଛି। ଏହାର ଅଜସ୍ର ପ୍ରମାଣ ଶାସ୍ତ୍ରଗ୍ରନ୍ଥମାନଙ୍କରେ ରହିଛି।
କଥାରେ କୁହାଯାଏ, “ଯେପରି ଅନ୍ନ, ସେପରି ମନ।” ଅନ୍ନ ହେଉଛି ପୃଥିବୀର ରସ। ଏହାଦ୍ୱାରା ଅନ୍ନମୟ କୋଷ ଗଠିତ ହୁଏ। ଶାସ୍ତ୍ରଗ୍ରନ୍ଥମାନଙ୍କରେ ଆମର ଶରୀରକୁ ‘ପଞ୍ଚକୋଷୀ’ କୁହାଯାଇଛି। ଏହି ‘ପଞ୍ଚକୋଷ’ ହେଉଛି- ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷ, ବିଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ। ଏହାର ଊର୍ଦ୍ଧ୍ୱରେ, ଚୈତନ୍ୟମୟ କୋଷ। ଏହା ସୂଚାଏ, ଆମ ଶରୀରର ପ୍ରଥମ କୋଷ ହେଉଛି- ଅନ୍ନମୟ କୋଷ। ଏହା ଆମର ସ୍ଥୂଳ ଶରୀର। ଅନ୍ନ ବା ପୃଥିବୀର ରସ ଦ୍ୱାରା ଏହା ଗଠିତ ହୁଏ। ଏହା ସ୍ଥୂଳ ଶରୀରର କାରଣ, ସଂଚାଳକ, ଉତ୍ପାଦକ ଓ ଉପଭୋକ୍ତା। ଏହି ସ୍ଥୂଳ ଶରୀର ସାତ୍ତ୍ୱିକ, ରାଜସିକ ଓ ତାମସିକ ହୋଇପାରେ। ଏହି ଦୃଷ୍ଟିରୁ, ଆମର ଆହାର ମଧ୍ୟ ତ୍ରିବିଧ- ସାତ୍ତ୍ୱିକ, ରାଜସିକ ଓ ତାମସିକ।

‘ଶ୍ରୀମଦ୍‌ଭଗବଦ୍‌ଗୀତା’ର ସପ୍ତଦଶ ଅଧ୍ୟାୟ ହେଉଛି- ‘ଶ୍ରଦ୍ଧାତ୍ରୟବିଭାଗଯୋଗ’। ଏହାର ୭ମରୁ ୧୦ମ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ଏହି ତ୍ରିବିଧ ଆହାର ବିଷୟରେ କହିଛନ୍ତି। ଏଥିରୁ ସପ୍ତମ ଶ୍ଳୋକରେ ‘ଆହାର’, ‘ଯଜ୍ଞ’, ‘ତପ’ ଓ ‘ଦାନ’ର ତିନିଗୁଣ ସଂପର୍କରେ ସୂଚନା ଅଛି। କୁହାଯାଇଛି, ପ୍ରାଣୀମାନଙ୍କର ଶ୍ରଦ୍ଧା ଏହି ତିନିଟି ଗୁଣ ନେଇ ସୃଷ୍ଟି ହୋଇଥାଏ ଏବଂ ଏହା ସେମାନଙ୍କର ସ୍ୱଭାବରୁ ଜାତ ହୁଏ। ତାହାର ପରବର୍ତ୍ତୀ ତିନିଟି ଶ୍ଳୋକ- ଅର୍ଥାତ୍ ଅଷ୍ଟମ, ନବମ ଓ ଦଶମ ଶ୍ଳୋକରେ ଯଥାକ୍ରମେ ‘ସାତ୍ତ୍ୱିକ’, ‘ରାଜସିକ’ ଓ ‘ତାମସିକ’ ଆହାରର ଅବତାରଣା କରାଯାଇଛି। ବିଭିନ୍ନ ବ୍ୟକ୍ତି ନିଜ ନିଜର ସ୍ୱଭାବ ବା ରୁଚି ଅନୁସାରେ ଏହି ଭିନ୍ନ ଭିନ୍ନ ଆହାରର ଚୟନ କରିଥାନ୍ତି।

ଏ ପ୍ରସଙ୍ଗରେ, ଆମେ ପ୍ରଥମେ ଯିବା ‘ତାମସିକ’ ଆହାରକୁ। ଦଶମ ଶ୍ଳୋକରେ ଅଛି ଏହି ଆହାରର ବର୍ଣ୍ଣନା। ଗୋଟିଏ ସରଳ ନବାକ୍ଷରୀ ଅନୁବାଦ (ଅନୁବାଦକ- ‘ଦାଶରଥି’)ରେ କୁହାଯାଇଛି-
ବିଗତ ପ୍ରହରୁ ରନ୍ଧନ। ଅଇଁଠା ବାସି ରସହୀନ।ା
ଦୁର୍ଗନ୍ଧ ଅମେଧ୍ୟ ଭୋଜନ। ତାମସ ମଣଇ ଉତ୍ତମ।ା
ଅର୍ଥାତ୍‌, ବିଗତ ଯାମ ବା ପ୍ରହରକ ପୂର୍ବରୁ ରନ୍ଧନ ହୋଇ, ଶୀତଳ ହୋଇଯାଇଥିବା ଖାଦ୍ୟ, ଶୁଷ୍କ ବା ରସହୀନ ହୋଇଯାଇଥିବା ଖାଦ୍ୟ, ପର୍ଯ୍ୟୁଷିତ ବା ବାସି ଓ ପୂତି ବା ଦୁର୍ଗନ୍ଧ ହୋଇଯାଇଥିବା ଖାଦ୍ୟ, ଅନ୍ୟର ଉଚ୍ଛିଷ୍ଟ ବା ଭୋଜନର ଅବଶେଷ ଏବଂ ଅଶୁଚିପୂର୍ଣ୍ଣ ଓ ଅମେଧ୍ୟ ବା ମତ୍ସ୍ୟ, ମାଂସ ଓ ଅଣ୍ଡା ଆଦି ଖାଦ୍ୟ, ତାମସିକ। ଅନ୍ୟାୟ ମାର୍ଗରେ ଆହରିତ ଏବଂ ଅଶୁଦ୍ଧ ସ୍ଥାନ ଓ ପାତ୍ର ଆଦି ଦୋଷରୁ କଳୁଷିତ ଖାଦ୍ୟ ମଧ୍ୟ ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ।
ଏହା ପରେ, ‘ରାଜସିକ’ ଆହାର। ନବମ ଶ୍ଳୋକରେ ଏହି ଆହାରର ବର୍ଣ୍ଣନା ଅଛି। ସେହି ସରଳ, ନବାକ୍ଷରୀ ଅନୁବାଦରେ କୁହାଯାଇଛି-
କଟୁ ଲବଣ ଅମ୍ଳ ତୀକ୍ଷ୍‌ଣ। ରୁକ୍ଷ ବିଦାହୀ ଅତି ଉଷ୍ଣ।ା
ରାଜସର ଏ ପ୍ରିୟ ଭୋଗ। ଆଣେ ଯା ଦୁଃଖ ଶୋକ ରୋଗ।ା
ଅର୍ଥାତ୍‌, ଏହି ରାଜସିକ ଖାଦ୍ୟ ମଧ୍ୟରେ ଅଛି- ନିମ ପରି ପିତା ସହିତ ଖଟା, ଲୁଣିଆ ଓ ଲଙ୍କା ପରି ତୀକ୍ଷ୍‌ଣ ଏବଂ ଚିକ୍‌କଣତା ନଥିବା ରୁକ୍ଷ ଆହାର। ସୋରିଷ ପରି ଦ୍ରବ୍ୟ, ଯାହାର ଅଧିକ ଆହାର ବିଦାହୀ ବା ଜଳାପୋଡ଼ାକାରୀ, ତାହା ମଧ୍ୟ ଏହି ପର୍ଯ୍ୟାୟର।
ଏ ପ୍ରସଙ୍ଗରେ ମନକୁ ଆସେ- ତା’ହେଲେ କ’ଣ ଏସବୁର ଭୋଜନ ସର୍ବାଦୌ ବର୍ଜ୍ୟ? ଏହାର ଉତ୍ତର ହେଉଛି, ଏ ସବୁ ପୂର୍ବରୁ ‘ଅତି’ ଯୋଗ ହୁଏ- ଅର୍ଥାତ୍ ପ୍ରୟୋଜନୀୟ ମାତ୍ରାରେ ଏହା ଗ୍ରହଣୀୟ; କିନ୍ତୁ ଏହାର ‘ଅତି’ ମାତ୍ରାରେ ଆହାର ଗର୍ହିତ। କାରଣ, ଆହାର ସମୟରେ ଏହା ସୁଖକର; କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଶୋକଦାୟକ, ଅର୍ଥାତ୍ ଆମୟ ବା ରୋଗ ସୃଷ୍ଟିକାରୀ।
‘ଶ୍ରୀମଦ୍‌ଭଗବଦ୍‌ଗୀତା’ର ସେହି ଆହାରତ୍ରୟର ପ୍ରଥମ, ଅର୍ଥାତ୍ ଅଷ୍ଟମ ଶ୍ଳୋକରେ ସାତ୍ତ୍ୱିକ ଆହାର ବର୍ଣ୍ଣିତ। ସେହି ସରଳ, ନବାକ୍ଷରୀ ଓଡ଼ିଆରେ ତାହା ହେଉଛି-
ଆୟୁଷ ସତ୍ତ୍ୱ ସୁଖ ବଳ। ଆରୋଗ୍ୟ ପ୍ରୀତି ଏ ସକଳ।ା
ଯେଉଁ ଆହାରେ ବୃଦ୍ଧିପାଏ। ଯା ଗୁଣ ଦୀର୍ଘକାଳ ଥାଏ।ା
ଯା ସ୍ୱାଦୁ ସ୍ନିଗ୍‌ଧ ମନୋରମ। ସାତ୍ତ୍ୱିକ ମଣଇ ଉତ୍ତମ।ା
ଏହି ସାତ୍ତ୍ୱିକ ଆହାର ରସ୍ୟ, ଅର୍ଥାତ୍ ରସଯୁକ୍ତ; ସ୍ନିଗ୍‌ଧ, ଅର୍ଥାତ୍ ଦୁଗ୍‌ଧ, ଘୃତ ଆଦି ସ୍ନେହଗୁଣସଂପନ୍ନ; ସ୍ଥିର, ଅର୍ଥାତ୍ ସାରଯୁକ୍ତ ଏବଂ ହୃଦ୍ୟ, ଅର୍ଥାତ୍ ହୃଦୟପ୍ରୀତିକର। ଏହି ଆହାରର ଦର୍ଶନରେ ବି ଅନ୍ତରରେ ଆନନ୍ଦ ଜାତ ହୁଏ। ଏହା ସାତ୍ତ୍ୱିକ ବ୍ୟକ୍ତିଙ୍କର ପ୍ରିୟ ଏବଂ ଏହାଦ୍ୱାରା ତାଙ୍କଠାରେ ସତ୍ତ୍ୱଗୁଣର ବିକାଶ ଘଟିଥାଏ।

ଏହି ପ୍ରସଙ୍ଗରେ ଆସେ ଭାରତବର୍ଷର ତଥା ଓଡ଼ିଶାର ମନ୍ଦିରମାନଙ୍କର ଭୋଗ ପରମ୍ପରା। ଆଶ୍ୱାସନାର ବିଷୟ ଏହି, ଯେ କ୍ୱଚିତ୍ କେତେକ ବିରଳ ଓ ବିଶେଷ ରୀତିନୀତି ବ୍ୟତୀତ, ଓଡ଼ିଶାର ମନ୍ଦିରମାନଙ୍କରେ ମୁଖ୍ୟତଃ ସାତ୍ତ୍ୱିକ ଭୋଗର ପରମ୍ପରା ହିଁ ପ୍ରଚଳିତ। ବିଶେଷକରି, ଶ୍ରୀକ୍ଷେତ୍ରର ଶ୍ରୀପୁରୁଷୋତ୍ତମ ଧାମରେ ଏହି ସାତ୍ତ୍ୱିକ ଭୋଗର ବିପୁଳ ଐଶ୍ୱର୍ଯ୍ୟ ପରିଲକ୍ଷିତ। ଏହାର ଏକ ପ୍ରାମାଣିକ ଗ୍ରନ୍ଥ ‘ଶ୍ରୀଜଗନ୍ନାଥଙ୍କ ରାଜଭୋଗ’।
‘ଆମ ଓଡ଼ିଶା’ ପକ୍ଷରୁ ସଦ୍ୟ (ଡିସେମ୍ବର, ୨୦୨୨ରେ) ପ୍ରକାଶିତ ଏହି ଗ୍ରନ୍ଥର ରଚୟିତା ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ରୀତିନୀତି ଆଦିର ସୁପରିଚିତ ଗବେଷକ ଡକ୍ଟର ଭାସ୍କର ମିଶ୍ର। ସେ ଦୀର୍ଘ କାଳ ଧରି ବୃତ୍ତିଗତ ଭାବରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହ ସଂପୃକ୍ତ ଥିଲେ। ସେହି କାଳରେ, ଶ୍ରୀମନ୍ଦିର ପ୍ରଶାସନ ସହ ସଂପୃକ୍ତ ବିଧିବିଭାଗରେ ମଧ୍ୟ ଅବସ୍ଥାପିତ ହୋଇଥିଲେ। ଏହି ପ୍ରାୟ ତିନି ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ, ଶ୍ରୀଜଗନ୍ନାଥଙ୍କ ରୀତିନୀତିର ପ୍ରତ୍ୟକ୍ଷ ଅଭିଜ୍ଞତା ଓ ଅନୁଭୂତି ତାଙ୍କର ଅଛି। ତାହା ଏହି ସ୍ୱତନ୍ତ୍ର ଗ୍ରନ୍ଥକୁ ପୁଷ୍ଟ କରିଛି। ବର୍ଷବର୍ଷର ତଥ୍ୟ ସଂକଳନ ଓ ପ୍ରାମାଣିକ ଫଟୋଚିତ୍ର ଆଦିର ସଂଗ୍ରହଦ୍ୱାରା ମଧ୍ୟ ଏହି ସଚିତ୍ର ଗ୍ରନ୍ଥ ସୁପୁଷ୍ଟ ହୋଇଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖନୀୟ, ଯେ ଓଡ଼ିଶାର ସମୃଦ୍ଧ ଖାଦ୍ୟ ସଂସ୍କୃତି ସଂପର୍କରେ ଅଧିକ ଗ୍ରନ୍ଥ ଆମ ଭାଷାରେ ବା ବାହାର ଭାଷାରେ ନାହିଁ। ସାରଳା ଦାସଙ୍କ ‘ମହାଭାରତ’ ଓ ବଳରାମ ଦାସଙ୍କ ‘ରାମାୟଣ’ଠାରୁ ଆରମ୍ଭ କରି, ବହୁ ଓଡ଼ିଆ କାବ୍ୟରେ ଓଡ଼ିଆ ଖାଦ୍ୟର ବିସ୍ତୃତ ବର୍ଣ୍ଣନା ଅବଶ୍ୟ ଅଛି; ମାତ୍ର ସେସବୁ ଏଯାଏ ସଂକଳିତ ହୋଇନାହିଁ। ଓଡ଼ିଶାର ମନ୍ଦିରମାନଙ୍କର ଭୋଗ ପରମ୍ପରା ସଂପର୍କରେ ମଧ୍ୟ ଗ୍ରନ୍ଥର ସଂଖ୍ୟା ସ୍ପଳ୍ପ; ଏକାଧିକ ବି ନୁହେଁ। ଦଶନ୍ଧି ପୂର୍ବେ ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ସଂପାଦନାରେ ‘ଓଡ଼ିଶାର ଖାଦ୍ୟ ସଂସ୍କୃତି’ ଶିରୋନାମରେ ଗୋଟିଏ ଗ୍ରନ୍ଥର ପରିବର୍ଦ୍ଧିତ ସଂକଳନ ପ୍ରକାଶ ପାଇଥିଲା। ସେଥିରେ କାନାଡ଼ାର ମଣ୍ଟ୍ରିୟଲ ବିଶ୍ୱବିଦ୍ୟାଳୟର ପ୍ରଫେସର ପଲ୍ ସେଣ୍ଟ ପିୟରଙ୍କର ଗୋଟିଏ ଇଂରାଜୀ ଲେଖାର ଅନୁବାଦ ସଂକଳିତ ହୋଇଛି। ସେଥିରେ ପ୍ରଫେସର ପଲ୍ କହିଛନ୍ତି- “କୌଣସି ଦେଶର ସଂସ୍କୃତି କେବଳ ନୃତ୍ୟ, ଗୀତ, ସଂଗୀତ ବା କଳାରେ ପ୍ରକାଶିତ ହୁଏନାହିଁ। ଦୈନନ୍ଦିନ ଜୀବନର ସାଧାରଣ ଜୀବନଯାତ୍ରା ତଥା ସାମାଜିକ ସଂପର୍କରେ ମଧ୍ୟ ଏହା ପରିସ୍ଫୁଟ ହୁଏ। ଧର୍ମ, ପ୍ରକୃତି ଓ ପରିବେଶ ସହିତ ସାଧାରଣ ମଣିଷର ସଂପର୍କର ସ୍ୱରୂପ ସଂସ୍କୃତିର ଅନ୍ୟତମ ପରିପ୍ରକାଶ। ସାଧାରଣତଃ ଆମେ ସଂସ୍କୃତିର ଏହି ଦିଗଟି ପ୍ରତି ଦୃଷ୍ଟି ଦେଉ ନାହିଁ। ଯେତେବେଳେ ଆମର ଦୈନନ୍ଦିନ ଜୀବନର ଚଳଣି ବା ଧର୍ମ ଓ ପ୍ରକୃତି ସହିତ ଆମର ସଂପର୍କ ବଦଳିଯାଏ, ସେତେବେଳେ ଆମେ ସଂସ୍କୃତିର ଏହି ଦିଗଟି ସଂପର୍କରେ ସଚେତନ ହୋଇଉଠୁ।
ଏ ସଂପର୍କରେ ସେ ଆହୁରି ମଧ୍ୟ କହିଛନ୍ତି, “ଆଜି ଦେଶ ତଥା ଦେଶ ବାହାରର ପ୍ରଭାବରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତି ଦୁର୍ବଳ ହେବା ଆମେ ଲକ୍ଷ୍ୟ କରୁଛୁ। ଏହା ପୂର୍ବରୁ ହୁଏତ ଏଭଳି ପ୍ରଭାବ ଏତେ ଶକ୍ତିଶାଳୀ ନଥିଲା। କେବଳ ଓଡ଼ିଶା ନୁହେଁ, ସମଗ୍ର ପୃଥିବୀରେ ଜଗତୀକରଣ ପ୍ରକ୍ରିୟାରେ ଆଞ୍ଚଳିକ ଖାଦ୍ୟ ସଂସ୍କୃତି ତାର ନିଜସ୍ୱ ପରିଚୟ ହରାଇବାକୁ ବସିଛି।”
ଏ ଦୃଷ୍ଟିରୁ ‘ଶ୍ରୀଜଗନ୍ନାଥଙ୍କ ରାଜଭୋଗ’ ଗ୍ରନ୍ଥଟି ଗୁରୁତ୍ୱପୂର୍ଣ୍ଣ। କାରଣ, ଏହା ଆମକୁ କେବଳ ‘ଗୀତା’ ବର୍ଣ୍ଣିତ ସାତ୍ତ୍ୱିକ ଆହାର ସଂପର୍କରେ ସୂଚିତ କରୁନାହିଁ; ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ପ୍ରଚଳିତ ସାତ୍ତ୍ୱିକ ଆହାରର ଐଶ୍ୱର୍ଯ୍ୟ ସଂପର୍କରେ ମଧ୍ୟ ପରିଚିତ କରାଇବାକୁ ସକ୍ଷମ। ସେସବୁର ପ୍ରସ୍ତୁତିବିଧି ଓ ଉପାଦାନର ବିବରଣୀ ସହିତ, ସଚିତ୍ର ରଙ୍ଗିନ ଉପସ୍ଥାପନା, ଆମ ନିଜ ପାକଶାଳାରେ ଏସବୁର ପରୀକ୍ଷା ପ୍ରୟୋଗ ପାଇଁ ମଧ୍ୟ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛି।
ଏସବୁ ଦୃଷ୍ଟିରୁ, ସଦ୍ୟତମ ଏହି ସଚିତ୍ର ଗ୍ରନ୍ଥଟି ଯେ ବିଦାୟୀ ବର୍ଷର ଏକ ପ୍ରମୁଖ ପ୍ରକାଶନ ଏବଂ ଆଗାମୀ ନୂଆବର୍ଷର ଏକ ସମ୍ଭାବନା ରୂପେ ବିବେଚିତ ହେବାକୁ ଯୋଗ୍ୟ, ଏଥିରେ କୌଣସି ସନ୍ଦେହ ନାହିଁ।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର