ଅସିତ ମହାନ୍ତି
ଶ୍ରୀଜଗନ୍ନାଥଙ୍କର ନବଯୌବନ ଦର୍ଶନ ଓ ରଥଯାତ୍ରା ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ, ଦୁଇ ଦିନ ପୂର୍ବେ ନିଜ ପୁତ୍ର ଦ୍ୱାରା ନିହତ ହୋଇଛନ୍ତି ସୁନୀଲ ଚୌଧୁରୀ। ସେ ଥିଲେ ‘ନାଲ୍କୋ’ର ଜଣେ ବରିଷ୍ଠ ଅଧିକାରୀ ଏବଂ ପ୍ରାୟ ସାତ ବର୍ଷ ତଳେ ଅବସର ଗ୍ରହଣ କରିଥିଲେ।
ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ନବରତ୍ନ କଂପାନୀ ‘ନାଲ୍କୋ’ର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କର ଚର୍ଚ୍ଚା ଏ ସାହିତ୍ୟ-ସ୍ତମ୍ଭରେ କାହିଁକି? ଏ ପ୍ରଶ୍ନର ଉତ୍ତର ଏହି, ଯେ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ରତ୍ନ ମୁଖ୍ୟତଃ ତାଙ୍କରି ଉଦ୍ୟମ ଫଳରେ ହିଁ ବିସ୍ମୃତି ଓ ବିଲୁପ୍ତି ଗର୍ଭରୁ ଉଦ୍ଧାର ହୋଇ ପାରିଥିଲା। ପୁନର୍ଜନ୍ମ ପାଇଥିଲା।
ତେବେ, ସେ କଥା ପଛକୁ ଥାଉ। ପ୍ରାସଙ୍ଗିକତା ଦୃଷ୍ଟିରୁ ପ୍ରଥମେ ଆସିବା ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥାକୁ।
୨୦୧୫ ମସିହା, ନବକଳେବର ରଥଯାତ୍ରା ସମୟର କଥା। ସେଦିନ ଜୁଲାଇ ୧୬ ତାରିଖ; ନୂତନ ବିଗ୍ରହଙ୍କର ନବଯୌବନ ଦର୍ଶନ। ସେହି ଅବସରରେ, ନବଯୌବନ ହୋଇଥିଲା ଆମ ସାହିତ୍ୟର ଭିନ୍ନ ଓ ଅନନ୍ୟ କବି ଦୁର୍ଗାଚରଣ ପରିଡ଼ାଙ୍କ ‘ଇନ୍ଦ୍ରାୟୁଧ’ର। ସେହି କବିତା ପୁସ୍ତକ ଦୀର୍ଘ ୫୩ ବର୍ଷ ତଳେ ପ୍ରକାଶ ପାଇ ଖୁବ୍ ଆଦୃତ ହୋଇଥିଲା। ଅଥଚ କବିଙ୍କର ଉଦାସୀନତା ଯୋଗୁଁ ପରେ ତାହାର ଆଉ ଗୋଟିଏ ହେଲେ ସଂସ୍କରଣ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଭିତରେ ହୋଇ ନଥିଲା। ତା’ ସହିତ, ବହୁ ପ୍ରୟାସ ପରେ ସଂକଳିତ ହୋଇଥିଲା ତାଙ୍କର ଏକ ନୂତନ କବିତା ପୁସ୍ତକ ‘ରାଗ ଯୋଗେଶ୍ୱରୀ’। ସେଇ ବହି ଦୁଇଟିକୁ ପ୍ରକାଶ କରିଥିଲେ ସୁନୀଲ ଚୌଧୁରୀ। ତାଙ୍କ ନାଆଁରେ ସେହି ପ୍ରକାଶନ ସଂସ୍ଥାର ନାମ ରଖାଯାଇଥିଲା ‘ସୁ ପ୍ରକାଶନୀ’। ‘ସମ୍ବାଦ ଭବନ’ରେ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ତାହାର ଉନ୍ମୋଚନ ଉତ୍ସବ। ସ୍ୱାଭାବିକ ଭାବରେ କବି ଶ୍ରୀ ପରିଡ଼ା ସେଥିରେ ଉପସ୍ଥିତ ଥିଲେ। କିନ୍ତୁ ଉନ୍ମୋଚକ ଭାବରେ ଯୋଗଦେଇଥିଲେ ବରିଷ୍ଠ କବି ରମାକାନ୍ତ ରଥ। ସେଦିନ କବି ଶ୍ରୀ ରଥ ଅସୁସ୍ଥ ଥିବା ସତ୍ତ୍ୱେ ସେ ସଭାକୁ ଆସିଥିଲେ ଏବଂ କବିତା ପୁସ୍ତକ ଦୁଇଟିକୁ ଉନ୍ମୋଚନ କରି କହିଥିଲେ- “ଅସୁସ୍ଥତା ସତ୍ତ୍ୱେ ମୁଁ ଆଜି ଆସିଛି, କେବଳ ଦୁର୍ଗାଚରଣ ପରିଡ଼ାଙ୍କୁ ଟିକିଏ ଦେଖିବାକୁ ଏବଂ ପ୍ରଣାମ କରିବାକୁ।”
ସେଦିନ ଏହା ସମ୍ଭବ ହୋଇଥିଲା ସୁନୀଲ ଚୌଧୁରୀଙ୍କ ଯୋଗୁଁ। ଦୁର୍ଗାଚରଣ ପରିଡ଼ା ଆଜି ଆଉ ନାହାନ୍ତି। ଏବଂ, ଆଜି ବି ତାହା ସ୍ୱର୍ଗତ କବି ଶ୍ରୀ ପରିଡ଼ାଙ୍କର ପ୍ରଥମ ଓ ଶେଷ କବିତା ସଂକଳନ ହୋଇ ରହିଛି।
କିନ୍ତୁ ଆମ ଓଡ଼ିଆ ସାହିତ୍ୟକୁ ସୁନୀଲ ଚୌଧୁରୀଙ୍କର ଅମୂଲ୍ୟ ଅବଦାନ ହେଉଛି ‘ପରମାର୍ଥ ପୟୋଧି’ର ସଂଗ୍ରହ। ୨୦୧୦ ଓ ୨୦୧୩ରେ ଏହା ଦୁଇଖଣ୍ଡରେ ପ୍ରକାଶ ପାଇଛି। ୨୦୧୦ରେ ଏହାର ପ୍ରଥମ ଖଣ୍ଡକୁ ଉନ୍ମୋଚନ କରିଥିଲେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସେଦିନର ସଭାପତି ତଥା ପୁରୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ।
‘ପରମାର୍ଥ ପୟୋଧି’ର ପ୍ରଣେତା ରାଜକବି ରାଧାମୋହନ ରାଜେନ୍ଦ୍ରଦେବ। ସେ ଥିଲେ ‘ଚିକିଟୀର ଅଧୀଶ୍ୱର’। ଓଡ଼ିଆ ସାହିତ୍ୟର ଇତିହାସକାରମାନେ ଅବଗତ ଯେ ଆମ ସାହିତ୍ୟକୁ ଚିକିଟୀ ରାଜବଂଶର ଦାନ ଅତୁଳନୀୟ। ‘ଚିକିଟୀ’ ନାମର ତାତ୍ପର୍ଯ୍ୟ ସଂପର୍କରେ ଅନେକ ଆଲୋଚନା ପଣ୍ଡିତମାନେ କରିଛନ୍ତି। ସେସବୁ ମଧ୍ୟରୁ ସେ ଅଞ୍ଚଳର ସୁସାହିତ୍ୟିକ ସ୍ୱର୍ଗତ ନରସିଂହ ରାଓଙ୍କ ମତରେ, ‘ଚିକିଟୀ’ ହେଉଛି ‘ଚିତ୍ତକିରୀଟୀ’ର ଅପଭ୍ରଂଶ। ‘ଚିତ୍ତ’ ଅର୍ଥାତ୍ ଜ୍ଞାନ ଏବଂ ଜ୍ଞାନରେ ଏହି ଅଞ୍ଚଳ କିରୀଟୀ ଧାରଣ ପାଇଁ ଯୋଗ୍ୟ। କିରୀଟୀର ଅର୍ଥ ଶିରୋଭୂଷଣ। ଏଣୁ ଏହାର ନାମ ଚିତ୍ତକିରୀଟୀ- ଚିକିଟୀ।
‘ପରମାର୍ଥ ପୟୋଧି’ର ପ୍ରଥମ ଖଣ୍ଡରେ ଏକ ଦୀର୍ଘ ମୁଖବନ୍ଧ ଲେଖିଛନ୍ତି, ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀ। ଏହି ଲେଖକ ଓ ସେ ଏହି ଅମୂଲ୍ୟ ଗ୍ରନ୍ଥକୁ ଦୁଇଖଣ୍ଡରେ ସଂପାଦନା କରିଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି- ରାଧାମୋହନ ରାଜେନ୍ଦ୍ରଦେବ ଚିକିଟୀ ରାଜବଂଶର ଶ୍ରେଷ୍ଠ ସାହିତ୍ୟିକ। ତାଙ୍କ ‘ପ୍ରେମ ମଞ୍ଜରୀ’ କାବ୍ୟର ଷଡ଼ବିଂଶ ଛାନ୍ଦରେ ସେ ତାଙ୍କ ବଂଶର ଉତ୍ପତ୍ତିଠାରୁ ଆରମ୍ଭ କରି ତାଙ୍କର ପିତା କିଶୋର ଚନ୍ଦ୍ର ରାଜେନ୍ଦ୍ରଦେବଙ୍କ ରାଜତ୍ୱର ବିବରଣୀ ଦେଇଛନ୍ତି। ତାହା ଅନୁସାରେ, ପ୍ରଥମ ରାଜା କେଶବ ରାଉତରାୟ ଓରଫ କର୍ଦ୍ଦମସିଂହ ରାଉତରାୟଙ୍କଠାରୁ ଷୋଡ଼ଶ ରାଜା ଯଦୁମଣି ରାଉତରାୟଙ୍କ ପର୍ଯ୍ୟନ୍ତ ସମୟ ପ୍ରାୟ ୮୦୦ ବର୍ଷ। ତାଙ୍କ ପରେ ସେମାନେ ହେଲେ ‘ରାଜେନ୍ଦ୍ରଦେବ’। ଏହି ରାଜବଂଶର ସପ୍ତଦଶ ରାଜା ଥିଲେ ମଧୁସୂଦନ ରାଜେନ୍ଦ୍ରଦେବ। ରାଧାମୋହନ ରାଜେନ୍ଦ୍ରଦେବ ତାଙ୍କ କ୍ରମରେ ଏକାଦଶ ରାଜା। ତାଙ୍କର ରାଜତ୍ୱର ସମୟ ୧୯୦୩ରୁ ୧୯୨୩।
ଏହି ରାଜବଂଶର ସାହିତ୍ୟ-ସାଧନା ପରମ୍ପରା ସଂପର୍କରେ ‘ଦାରୁଦେବତା’ର ପ୍ରସିଦ୍ଧ ଗବେଷକ ଡକ୍ଟର ବେଣୀମାଧବ ପାଢ଼ୀଙ୍କର ବିବରଣୀ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, “ଦିନ ଥିଲା, ଯେତେବେଳେ ଓଡ଼ିଆ ସାହିତ୍ୟ ଉତ୍କଳର ବିଭିନ୍ନ ପ୍ରାନ୍ତୀୟ ରାଜା ମହାରାଜାମାନଙ୍କର ପୃଷ୍ଠପୋଷକତାରେ କେବଳ ବଞ୍ଚି ରହିଥିଲା ତାହା ନୁହେଁ, ପୁଷ୍ପିତ ଓ ଫଳିତ ହୋଇ ସର୍ବଭାରତୀୟ ସ୍ତରରେ ଏକ ସମ୍ମାନିତ ସ୍ଥାନ ଲାଭ କରିଥିଲା। ରାଜା ମହାରାଜା ଓଡ଼ିଆ ସାହିତ୍ୟର କେବଳ ପୃଷ୍ଠପୋଷକ ନ ଥିଲେ, ସେମାନଙ୍କ ମଧ୍ୟରୁ ଅନେକେ ଉତ୍ତମ ସାହିତ୍ୟର ସ୍ରଷ୍ଟା ମଧ୍ୟ ଥିଲେ। ... ଗଞ୍ଜାମ ଜିଲ୍ଲା ଚିକିଟୀ ରାଜେନ୍ଦ୍ର ପରିବାରରେ ବହୁ ରାଜା ଜନ୍ମଗ୍ରହଣ କରିଥିଲେ, ଯେଉଁମାନଙ୍କର କୃତି ଓଡ଼ିଆ ସାହିତ୍ୟର ଏକାନେକ ବିଭାବର ପରିପୁଷ୍ଟି ସାଧନ କରି ଆସିଥିଲା।”
ଏ ସଂପର୍କରେ ପଣ୍ଡିତ ନୀଳମଣି ମିଶ୍ର କହିଛନ୍ତି, “ଦକ୍ଷିଣ ଓଡ଼ିଶାର ରାଜବଂଶମାନଙ୍କ ମଧ୍ୟରୁ ପାରଳାଖେମଣ୍ଡି, ବଡ଼ଖେମଣ୍ଡି, ଧରାକୋଟ, ଘୁମୁଷର, ଖଲ୍ଲିକୋଟ, ଚିକିଟୀ ଆଦି ରାଜବଂଶର ଓଡ଼ିଆ ସାହିତ୍ୟକୁ ଦାନ ଅତୁଳନୀୟ କହିଲେ ଅତ୍ୟୁକ୍ତି ହେବନାହିଁ।”
ଏହି ପରିପ୍ରେକ୍ଷୀରେ, ‘ପରମାର୍ଥ ପୟୋଧି’ର ବିସ୍ତୃତ ମୁଖବନ୍ଧରେ ରାଧାମୋହନ ରାଜେନ୍ଦ୍ରଦେବଙ୍କ ସଂପର୍କରେ ଆଲୋଚନା କରିଛନ୍ତି ଏହାର ଅନ୍ୟତମ ସଂପାଦକ ମହୀମୋହନ ତ୍ରିପାଠୀ। ସେ କହିଛନ୍ତି, “ସେ (ରାଧାମୋହନ) ଚିକିଟୀ ରାଜବଂଶର ସର୍ବଶ୍ରେଷ୍ଠ ସାହିତ୍ୟ ସାଧକ। ତାଙ୍କର ଜୀବନ ଅବଧି ଥିଲା ମୋଟେ ୬୩ ବର୍ଷ (୧୮୮୧ ଜୁଲାଇ ୧୮ରୁ ୧୯୪୪ ଜୁଲାଇ ୧୭)। ... ପ୍ରକାଶଭଙ୍ଗୀ ଓ ରଚନାପାଟବକୁ ଅନୁଧ୍ୟାନ କଲେ ରାଧାମୋହନ ଜଣେ ପ୍ରକାଣ୍ଡ ପଣ୍ଡିତ ଥିଲେ ଏବଂ ସଂସ୍କୃତ, ତୈଲଙ୍ଗ, ହିନ୍ଦୀ ଓ ବଙ୍ଗଳା ପ୍ରଭୃତି ଭାଷାରେ ଧୂରୀଣ ଥିଲେ। ... ସେ ବାଲ୍ୟକାଳରୁ ପଦ୍ୟରଚନା ପାଇଁ ପ୍ରେରଣା ପାଇଥିଲେ ନିଜର ପିତୃବ୍ୟ, କବି ପୀତାମ୍ବର ରାଜେନ୍ଦ୍ରଦେବଙ୍କଠାରୁ।”
ରାଧାମୋହନ ରାଜେନ୍ଦ୍ରଦେବଙ୍କ ସାହିତ୍ୟିକ କୃତିତ୍ୱ ସଂପର୍କରେ ଶ୍ରୀ ତ୍ରିପାଠୀ କହିଛନ୍ତି, “ସେ ଥିଲେ ଏକାଧାରରେ କବି, ନାଟ୍ୟକାର ଓ ପ୍ରାବନ୍ଧିକ। ତାଙ୍କର ଗୋଟିଏ କାବ୍ୟ, ଦୁଇଟି ପଦ୍ୟାବଳୀ, ସାତଟି ନାଟକ, ଦୁଇଟି ଅନୁବାଦ ଗ୍ରନ୍ଥ ଓ ଗୋଟିଏ ଧର୍ମତତ୍ତ୍ୱ ଗ୍ରନ୍ଥ ଉପଲବ୍ଧ ହୁଏ।” ତାଙ୍କ ବିବରଣୀ ଅନୁସାରେ, ‘ପ୍ରେମମଞ୍ଜରୀ’ ତାଙ୍କର ଏକମାତ୍ର କାବ୍ୟ; ‘ପ୍ରକୃତି ବର୍ଣ୍ଣନା’ ଓ ‘ପ୍ରକ୍ରମ ପଦ୍ୟାବଳୀ’ ପଦ୍ୟରଚନା; ‘ପ୍ରେମତରଙ୍ଗ’, ‘ପରିମଳା ସହଗମନ’, ‘ପ୍ରକୃତି ରହସ୍ୟ’, ‘ପ୍ରକୃତ ପ୍ରଣୟ’, ‘ପ୍ରତାପ’, ‘ପାଞ୍ଚାଳୀ ପଟ୍ଟାପହରଣ’ ଓ ପାଣ୍ଡବ ବନବାସ’, ନାଟକ। ‘ଭର୍ତ୍ତୃହରି ଶତକତ୍ରୟ’ ଓ ‘ଯୋଗବାଶିଷ୍ଠ ରାମାୟଣ’ ଅନୂଦିତ ଗ୍ରନ୍ଥ ଏବଂ ‘ପରମାର୍ଥ ପୟୋଧି’ ତତ୍ତ୍ୱଗ୍ରନ୍ଥ। ଉଲ୍ଲେଖନୀୟ ଏହି ଯେ ଅନୂଦିତ ଗ୍ରନ୍ଥଦ୍ୱୟକୁ ବାଦ୍ ଦେଲେ, ତାଙ୍କର ଅନ୍ୟ ସମସ୍ତ କୃତିର ନାମକରଣ ହୋଇଛି ‘ପ’ରେ। ‘ପରମାର୍ଥ ପୟୋଧି’ ତାହାର ବ୍ୟତିକ୍ରମ ନୁହେଁ।
ତାଙ୍କ ସଂପର୍କରେ ଶ୍ରୀ ତ୍ରିପାଠୀ ଦେଇଥିବା ଅନ୍ୟ ବିବରଣୀ ଅନୁସାରେ- ରାଜା ରାଧାମୋହନ ୧୯୨୩ ମସିହାରେ ଜ୍ୟେଷ୍ଠପୁତ୍ର ଗୌରଚନ୍ଦ୍ରଙ୍କୁ ରାଜ୍ୟଭାର ଅର୍ପଣ କରିଥିଲେ। ପରେ ହରିଦ୍ୱାର ଯାଇ ଏକପ୍ରକାର ବାନପ୍ରସ୍ଥ ଜୀବନ ବିତାଇଥିଲେ। ମାତ୍ର ଗୌରଚନ୍ଦ୍ରଙ୍କର ୧୯୩୪ରେ ଅକାଳ ବିୟୋଗ ଘଟିଲା। ତାହା ଥିଲା ତାଙ୍କ ପାଇଁ ଦାରୁଣ ଧକ୍କା। ଫଳରେ ଛଅବର୍ଷ ପରେ ତାଙ୍କୁ ଫେରିବାକୁ ପଡ଼ିଥିଲା। ଯୌବନରେ ପ୍ରିୟତମା ପତ୍ନୀଙ୍କ ବିୟୋଗ ଏବଂ ପ୍ରୌଢ଼ କାଳରେ ପ୍ରଥମ ପୁତ୍ରର ବିୟୋଗ- ଏହିପରି ଘାତ ପ୍ରତିଘାତ ସତ୍ତ୍ୱେ ସେ ଜୀବନର ଶେଷ ସମୟ ଯାଏ ସାହିତ୍ୟ ସାଧନାରୁ ବିରତ ହୋଇ ନ ଥିଲେ। ତାଙ୍କ ଶେଷ ସମୟର ଦୁଇ ମହାର୍ଘ ରଚନା ଥିଲା ‘ଯୋଗବାଶିଷ୍ଠ ରାମାୟଣ’ର ଅନୁବାଦ ଏବଂ ତତ୍ତ୍ୱଗ୍ରନ୍ଥ ‘ପରମାର୍ଥ ପୟୋଧି’ର ପ୍ରଣୟନ।
‘ପରମାର୍ଥ ପୟୋଧି’ ଏପରି ଏକ ଗ୍ରନ୍ଥ- ଯାହା ବାରମ୍ବାର ବିଲୁପ୍ତି ଓ ବିଧ୍ୱଂସ ଭିତରୁ ବର୍ତ୍ତିଛି। ବିଭିନ୍ନ ସୂତ୍ରର ଆଧାରରେ ତାହାର ଯେଉଁ ବିବରଣୀ ଦେଇଛନ୍ତି ଶ୍ରୀ ତ୍ରିପାଠୀ, ତାହା ହେଉଛି- ଗ୍ରନ୍ଥଟି ମୁଦ୍ରିତ ହୋଇଥିଲା, କିନ୍ତୁ ଲୋକଲୋଚନକୁ ଆସିପାରି ନ ଥିଲା। ମୁଦ୍ରଣ ବ୍ୟୟ ନ ପାଇ ତତ୍କାଳୀନ ଶାରଦା ପ୍ରେସ୍ରେ ପରମାର୍ଥ ପୟୋଧିର ସମାଧି ହୋଇଯାଇଥିଲା। ପରବର୍ତ୍ତୀ ଅନୁଧ୍ୟାନରୁ ଜଣାଯାଇଥିଲା ଯେ ତାହା ମୁଦ୍ରିତ ଅବସ୍ଥାରେ ପ୍ରେସ୍ରୁ ବାହାରିବା ପୂର୍ବରୁ ପ୍ରେସ୍ରେ ନିଆଁ ଲାଗି ନଷ୍ଟ ହୋଇଯାଇଥିଲା। ଏ ସଂପର୍କରେ ପଣ୍ଡିତ ନୀଳମଣି ମିଶ୍ର କହିଛନ୍ତି, “ପରମାର୍ଥ ପୟୋଧି ପ୍ରେସ୍ରେ ନଷ୍ଟ ହୋଇଯିବା ହେତୁ ଓଡ଼ିଆ ସାହିତ୍ୟର ପ୍ରଭୂତ କ୍ଷତି ହୋଇଗଲା।”
ଏହି ଦୃଷ୍ଟିରୁ ସଦ୍ୟ ଦିବଂଗତ ସୁନୀଲ ଚୌଧୁରୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ବ୍ରହ୍ମପୁର ସହରର ଏକ ସମ୍ଭ୍ରାନ୍ତ ପରିବାରର ସୁସନ୍ତାନ ଶ୍ରୀ ଚୌଧୁରୀ ବହୁ ଅନୁସନ୍ଧାନ ଓ ଶ୍ରମ କରି, ବିଭିନ୍ନ ସୂତ୍ରରୁ ‘ପରମାର୍ଥ ପୟୋଧି’ର ଏକ ଜରାଜୀର୍ଣ୍ଣ ସେଟ୍ ଉଦ୍ଧାର କରିଥିଲେ। ତାହାର ମଲାଟ ନ ଥିଲା। ପୁରାତନ ମୁଦ୍ରଣ ହେତୁ ପୃଷ୍ଠାଗୁଡ଼ିକ ଦୁର୍ବଳ ହୋଇଥିଲା। କିଛି ପୃଷ୍ଠା ନଷ୍ଟ ମଧ୍ୟ ହୋଇଯାଇଥିଲା। ସେ ତାହାକୁ ଆଣି ଶ୍ରୀ ତ୍ରିପାଠୀଙ୍କୁ ଦେବା ପରେ, ଏହି ଲେଖକ ଓ ଶ୍ରୀ ତ୍ରିପାଠୀଙ୍କ ସଂପାଦନାରେ ତାହାର ପୁନଃପ୍ରକାଶ ବା ପୁଜର୍ଜନ୍ମ ଘଟିଥିଲା।
ଏ ପ୍ରସଙ୍ଗରେ, ‘ପରମାର୍ଥ ପୟୋଧି’ କିପରି ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ, ସେ ସଂପର୍କରେ ସମ୍ୟକ୍ ସୂଚନା ଆବଶ୍ୟକ। ଏହାର ନାମ ‘ପରମାର୍ଥ ପୟୋଧି’। ‘ପରମାର୍ଥ’ ଅର୍ଥ- ଆଧ୍ୟାତ୍ମିକ ଜ୍ଞାନ, ଧର୍ମ, ମୋକ୍ଷ। ‘ପୟୋଧି’ ଅର୍ଥ- ସମୁଦ୍ର। ଏଣୁ ଏହା ଆଧ୍ୟାତ୍ମିକ ଜ୍ଞାନର ସମୁଦ୍ର- ଯାହା ଧର୍ମ ଓ ମୋକ୍ଷ ସହ ସଂପର୍କିତ। ଯେହେତୁ ଏହା ଏକ ସମୁଦ୍ର- ସେହେତୁ ଏହାର ଭାଗଗୁଡ଼ିକୁ ଚିହ୍ନିତ କରାଯାଇଛି ‘ତରଙ୍ଗ’ରେ। ଏହାର ମୋଟ ଦଶଟି ତରଙ୍ଗ ଏବଂ ସେଗୁଡ଼ିକ ହେଉଛି- ୧. ବେଦ ତରଙ୍ଗ, ୨. ସୃଷ୍ଟିତତ୍ତ୍ୱ ତରଙ୍ଗ, ୩. ମହାଭୂତ ତରଙ୍ଗ, ୪. ଆର୍ଯ୍ୟଦର୍ଶନ ତରଙ୍ଗ, ୫. ଧର୍ମଶାସ୍ତ୍ର ତରଙ୍ଗ, ୬. ପ୍ରସ୍ଥାନତ୍ରୟ ତରଙ୍ଗ, ୭. ସାଂପ୍ରଦାୟିକ ଦର୍ଶନ ତରଙ୍ଗ, ୮. ପାଶ୍ଚାତ୍ୟ ଦର୍ଶନ ତରଙ୍ଗ, ୯. ସିଦ୍ଧାନ୍ତ ତରଙ୍ଗ ଓ ୧୦. ନିରୂପଣ ତରଙ୍ଗ। ଏବଂ, ଏହି ୧୦ଟି ତରଙ୍ଗ ସହିତ ‘ପରମାର୍ଥ ପୟୋଧି’ର ଆରମ୍ଭରେ ରହିଛି ‘ଅବତରଣିକା’, ‘ଐଶୀତତ୍ତ୍ୱ ସୂଚିକା’ ଓ ‘ଗ୍ରନ୍ଥଗତ ବିଷୟର ସାର ସଂକ୍ଷିପ୍ତ ପରିଚୟ’। ଏସବୁ ଦୃଷ୍ଟିରୁ ‘ପରମାର୍ଥ ପୟୋଧି’ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଓ ଅନନ୍ୟ ଗ୍ରନ୍ଥ ଏବଂ ଏ ଗ୍ରନ୍ଥର ପୁନର୍ଜନ୍ମ ସମ୍ଭବ ହୋଇଛି କେବଳ ଅନୁସନ୍ଧିତ୍ସୁ ସଂଗ୍ରାହକ ସ୍ୱର୍ଗତ ସୁନୀଲ ଚୌଧୁରୀଙ୍କ ଯୋଗୁଁ। ଏହି ଅମୂଲ୍ୟ ସଂଗ୍ରହ ପାଇଁ ଶ୍ରୀ ଚୌଧୁରୀ କାଳକାଳକୁ ସ୍ମରଣୀୟ ରହିବେ।
ଏ ପ୍ରସଙ୍ଗରେ ଏହି ଅମୂଲ୍ୟ ଗ୍ରନ୍ଥର ସଂକଳନ କାଳରେ ରାଜା ରାଧାମୋହନ ରାଜେନ୍ଦ୍ରଦେବ କରିଥିବା ସଂକଳ୍ପ ସଂପର୍କରେ କିଞ୍ଚିତ୍ ସୂଚନା ଦେବା ଆବଶ୍ୟକ। ସେଦିନ ସେ କହିଥିଲେ, “ଦୁର୍ବଳ ହୃଦୟ ଏବଂ ବର୍ବର ଅନୁର୍ବର ମସ୍ତିଷ୍କର ଖିଆଲ ଯୋଗୁଁ ବ୍ୟଗ୍ରତର ହୋଇ, ଗୋଷ୍ପଦୀଭୂତ, ମତ୍ସଙ୍କଳିତ ଗ୍ରନ୍ଥଟିକୁ ‘ପରମାର୍ଥ ପୟୋଧି’ ନାମରେ ଆଖ୍ୟାୟିତ କରି ଏକାଦିକ୍ରମେ ତରଙ୍ଗ ଭେଦରେ ଆର୍ଯ୍ୟଜାତିର ପ୍ରାୟ ସକଳ ଧର୍ମଶାସ୍ତ୍ର, ସକଳ ସଂପ୍ରଦାୟ ବିଷୟର ସାରସୂଚନା ଦେଇ ସ୍ୱଜାତି ସମକ୍ଷରେ ଉପସ୍ଥାପିତ କରିବା ସଂକଳ୍ପ କରୁଅଛି। ପରେ ଈଶ୍ୱରେଚ୍ଛା।”
ସେଦିନ ‘ଈଶ୍ୱରେଚ୍ଛା’ ବଳରେ ସେ ତାହା ସଂକଳିତ କରିଥିଲେ ସିନା; କିନ୍ତୁ ତାହାର ପୁନର୍ଜନ୍ମ ସମ୍ଭବତଃ ଥିଲା ଆଉ ଏକ ‘ଈଶ୍ୱରେଚ୍ଛା’। ଏବଂ ସେହି ‘ଈଶ୍ୱରେଚ୍ଛା’ ପୂରଣ କରିବାକୁ ହିଁ ସମ୍ଭବତଃ, ସୁନୀଲ ଚୌଧୁରୀ ଏ ସଂସାରକୁ ଆସିଥିଲେ। ତାଙ୍କୁ ଆମର ଶ୍ରଦ୍ଧାଞ୍ଜଳି।
ମୋ: ୯୪୩୭୦ ୩୪୮୦୪