ଏଇ ଅକ୍ଟୋବର ୨୮ ତାରିଖ ଦିନ, ଦେଶ ବିଦେଶର ବୌଦ୍ଧ ସନ୍ନ୍ୟାସୀଙ୍କ ଗହଣରେ ପାଳିତ ହୋଇଯାଇଛି ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ। ସେହି ବୌଦ୍ଧ ସନ୍ନ୍ୟାସୀମାନେ ଭାରତ, ଜାପାନ, କାଜାଖ୍ସ୍ତାନ୍, ଆମେରିକା ଓ ଆଜିର ଯୁଦ୍ଧଜର୍ଜର ୟୁକ୍ରେନ୍ ଆଦିରୁ ଆସିଥିଲେ। ଉତ୍ସବରେ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଅଶାନ୍ତ ବିଶ୍ୱ ପାଇଁ ଶାନ୍ତିର କୌଣସି ବିକଳ୍ପ ନାହିଁ ବୋଲି କହିଥିଲେ।
ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୨୮ ଅକ୍ଟୋବର, ୨୦୨୨)ରେ, ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଥିବା ଏହି ଶାନ୍ତିସ୍ତୂପର ସୁନା ଇତିହାସ ସଂପର୍କରେ ସଂକ୍ଷିପ୍ତ ଆଲୋକପାତ କରାଯାଇଛି। କିନ୍ତୁ, ଡକ୍ଟର ବିମଳେନ୍ଦୁ ମହାନ୍ତିଙ୍କ ଇଂରାଜୀ ପୁସ୍ତକ ‘ଧଉଳି: ପାଷ୍ଟ୍ ଆଣ୍ଡ୍ ପ୍ରେଜେଣ୍ଟ୍’ (ଧଉଳି: କାଲି ଓ ଆଜି)ରେ ଧଉଳି ପାହାଡ଼ର ଅତୀତ ଇତିହାସ ସହିତ ଏହି ଶାନ୍ତିସ୍ତୂପ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ବର୍ଣ୍ଣିତ ହୋଇଛି। ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ, ‘ଆମ ଓଡ଼ିଶା’ ପକ୍ଷରୁ ଏହି ପୁସ୍ତକର ଏକ ନୂତନ ସଂସ୍କରଣ ପ୍ରକାଶ ପାଇଛି। ପୁସ୍ତକର ଦ୍ୱିତୀୟ ଭାଗରେ ଡକ୍ଟର ମହାନ୍ତି କହିଛନ୍ତି- ଗୁରୁଜୀ ଫୁଜିଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶାନ୍ତିସ୍ତୂପ ନିର୍ମାଣ ହୋଇଥିଲା। ୧୫ ନଭେମ୍ବର ୧୯୭୦ରେ ସେ ଧଉଳିରେ ପହଞ୍ଚିଥିଲେ। ସେ ଥିଲେ ନିପ୍ପନଜେନ୍ ମ୍ୟୋହୋଜି ସଂଘର ପ୍ରତିଷ୍ଠାତା। ତାଙ୍କ ସହିତ ଥିଲେ ୧୫ ଜଣ ଜାପାନୀ ବୌଦ୍ଧଭିକ୍ଷୁ ଓ ଭିକ୍ଷୁଣୀ। ସେମାନଙ୍କ ମଧ୍ୟରୁ ଏବେ ଉପଲବ୍ଧ ୧୨ ଜଣ ଭିକ୍ଷୁ ଓ ଭିକ୍ଷୁଣୀଙ୍କର ନାମ ତାଲିକା ଓ ବୟସ ସେ ତାଙ୍କ ପୁସ୍ତକରେ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ସବୁଠୁ ବୟସ୍କ ଥିଲେ ଜୁଇତେନ୍ ମାତ୍ସୁକୋ (ବୟସ ୬୦) ଏବଂ ସବୁଠୁ ତରୁଣ ଥିଲେ କାଜୁଓ ୟୋଦ୍ଦା (ବୟସ ୧୭)। ଏହି ସର୍ବକନିଷ୍ଠ ଭିକ୍ଷୁ କାଜୁଓ ୟୋଦ୍ଦା ହିଁ ଧଉଳି ଶାନ୍ତିସ୍ତୂପର ପ୍ରଥମ ମୁଖ୍ୟ ଭିକ୍ଷୁ ଦାୟିତ୍ୱ ମୃତ୍ୟୁ ପର୍ଯ୍ୟନ୍ତ ନିର୍ବାହ କରିଥିଲେ। ବୟସରେ ମାତ୍ସୁଙ୍କ ପଛକୁ ଥିଲେ ଶାନ୍ତି ସୁଗାଇ (ବୟସ ୪୪)। ସେ କଳିଙ୍ଗ-ନିପ୍ପନ ବୁଦ୍ଧସଂଘର ସାଧାରଣ ସଂପାଦକ ତଥା କୋଷାଧ୍ୟକ୍ଷ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ସେ ମଧ୍ୟ ଥିଲେ ନିପ୍ପନଜେନ୍ ମ୍ୟୋହୋଜି ସଂଘର ମୁଖ୍ୟ ଭିକ୍ଷୁ। ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ, ଯେ ଡକ୍ଟର ମହାନ୍ତିଙ୍କ ପୁସ୍ତକର ଆରମ୍ଭରେ ଏହି ତିନି ମୁଖ୍ୟ ବୌଦ୍ଧଭିକ୍ଷୁ- ଗୁରୁଜୀ ଫୁଜିଇ, ଶାନ୍ତି ସୁଗାଇ ଓ କାଜୁଓ ୟୋଦ୍ଦାଙ୍କ ରଙ୍ଗିନ ଫଟୋଚିତ୍ର ସ୍ଥାନ ପାଇଛି।
ଏହି ଶାନ୍ତିସ୍ତୂପରେ ଭଗବାନ ବୁଦ୍ଧଙ୍କର ପବିତ୍ର ଅସ୍ଥି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା ୧୮ ଅକ୍ଟୋବର, ୧୯୭୨ରେ। ଶାନ୍ତିସ୍ତୂପ ନିର୍ମାଣରେ ବ୍ୟୟ ହୋଇଥିଲା ପ୍ରାୟ ୨୫ ଲକ୍ଷ ଟଙ୍କା। ସେହି ଉତ୍ସବର ବିବରଣୀ, ୨୦ ଅକ୍ଟୋବର ସଂଖ୍ୟା ‘ସମାଜ’ର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଛି। ବିବରଣୀ ଅନୁସାରେ, ଏହି ପବିତ୍ର ଅସ୍ଥି ଗୋଟିଏ ସ୍ୱର୍ଣ୍ଣନିର୍ମିତ ଶାନ୍ତିସ୍ତୂପାକୃତି ଛାଞ୍ଚ ଭିତରେ ଜାପାନରୁ ଅଣାଯାଇଥିଲା। କଳିଙ୍ଗ-ନିପ୍ପନ ବୁଦ୍ଧସଂଘର ସାଧାରଣ ସଂପାଦକ, ବୌଦ୍ଧଭିକ୍ଷୁ ଶାନ୍ତିସୁଗାଇ, ଅନ୍ୟ ଦୁଇଜଣ ବୌଦ୍ଧଭିକ୍ଷୁଙ୍କ ଗହଣରେ ଉକ୍ତ ପବିତ୍ର ଅସ୍ଥି ରଖାଯାଇଥିବା ସ୍ୱର୍ଣ୍ଣପାତ୍ରକୁ ମସ୍ତକରେ ଧାରଣ କରି, ଶୋଭାଯାତ୍ରାରେ ଆସି, ଶାନ୍ତିସ୍ତୂପ ପାଦଦେଶର ସୁସଜ୍ଜିତ ପୂଜାମଞ୍ଚରେ ସ୍ଥାପନ କରିଥିଲେ। ଏହି ପବିତ୍ର ଅସ୍ଥି ଉପରେ ମହାମାନ୍ୟ ଗୁରୁଜୀ ଫୁଜିଇ ଓ ଭିକ୍ଷୁ ଶାନ୍ତି ସୁଗାଇ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମବେତ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣୀମାନେ ଗୁରୁଜୀ ଫୁଜିଇଙ୍କ ନିର୍ଦ୍ଦେଶରେ ଯଥାବିଧି ପୂଜାପାଠ ଓ ପ୍ରାର୍ଥନା କରିବା ପରେ, ଭିକ୍ଷୁ ଶାନ୍ତି ସୁଗାଇ ପୁନର୍ବାର ଏହି ଅସ୍ଥି ସମ୍ବଳିତ ସ୍ୱର୍ଣ୍ଣସ୍ତୂପକୁ ମସ୍ତକରେ ଧରି, ଅନ୍ୟ ଦୁଇ ଭିକ୍ଷୁଙ୍କ ଗହଣରେ, ଗୋଟିଏ ଅସ୍ଥାୟୀ ବାଉଁଶ ଶିଡ଼ିରେ ଚଢ଼ି ନବନିର୍ମିତ ଶାନ୍ତିସ୍ତୂପର ଶିଖରକୁ ନେଇଯାଇଥିଲେ। ଏହି ଅତ୍ୟୁଚ୍ଚ ଶାନ୍ତିସ୍ତୂପର ଶିଖରରେ ସେମାନେ ଦଣ୍ଡାୟମାନ ହୋଇ ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିବା ପରେ, ପବିତ୍ର ଅସ୍ଥିକୁ ସେଠାରେ ଆନୁଷ୍ଠାନିକ ଭାବରେ ସ୍ଥାପନ କରିଥିଲେ।
ପୁସ୍ତକରେ ପ୍ରଦତ୍ତ ବିବରଣୀ ଅନୁସାରେ, ଏହି ଶାନ୍ତିସ୍ତୂପର ନକ୍ସା ପ୍ରସ୍ତୁତ କରିଥିଲେ ଜାପାନୀ ସ୍ଥପତି ଡକ୍ଟର ମିନରୁ ଓହୋକା ଏବଂ ଅନ୍ୟ ଜାପାନୀ ଇଂଜିନିୟର। ତେବେ, ଏହି ଶାନ୍ତିସ୍ତୂପ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ବିଶିଷ୍ଟ ଓଡ଼ିଆ ଶିଳ୍ପୀ, ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀ। ଧଉଳି ପରିଦର୍ଶନ ଏବଂ ସେଠାରେ ଶାନ୍ତିସ୍ତୂପ ନିର୍ମାଣ ପାଇଁ ସେ ଥିଲେ ଗୁରୁଜୀ ଫୁଜିଇଙ୍କର ମୁଖ୍ୟ ପ୍ରେରଣା। ସେ ଥିଲେ ଗୁରୁଜୀଙ୍କର ପଟ୍ଟଶିଷ୍ୟ। ୧୯୬୪ରୁ ସେ ରାଜଗିର ବୌଦ୍ଧ ବିହାରର ନିର୍ମାଣ ସହ ଘନିଷ୍ଠ ଭାବରେ ସଂପୃକ୍ତ ଥିଲେ। ରତ୍ନଗିରି (ରାଜଗିର)ର ସଦ୍ଧର୍ମ ବିହାର, ବୈଶାଳୀର ପ୍ରାକୃତ ଓ ଜୈନ ଗବେଷଣା ପ୍ରତିଷ୍ଠାନ, ଏବଂ ନବନାଳନ୍ଦା ମହାବିହାରର ନକ୍ସା ମଧ୍ୟ ସେ ପ୍ରସ୍ତୁତ କରିଥିଲେ।
ଏହି ଅସ୍ଥିସ୍ଥାପନ ଉତ୍ସବରେ କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ପକ୍ଷରୁ ଅଭିଭାଷଣ ଦେଇଥିଲେ ‘ସମାଜ’ ସଂପାଦକ ଡକ୍ଟର ରାଧାନାଥ ରଥ। ସମ୍ବାଦପତ୍ରର ମୁଦ୍ରିତ ବିବରଣୀ ଅନୁସାରେ, ସେ କହିଥିଲେ- ଭଗବାନ ବୁଦ୍ଧଙ୍କର ପବିତ୍ର ଅସ୍ଥି ଆଧାରିତ ଏହି ଶାନ୍ତିସ୍ତୂପ ଚିରକାଳ ଲାଗି ଶାନ୍ତି, ମୈତ୍ରୀ ଓ କରୁଣାର ଅମର ଉତ୍ସ ରୂପେ ବିରାଜମାନ ରହିଥିବ। ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ଅଭିଭାଷଣ ମଧ୍ୟ ‘ସମାଜ’ର ସେହି ସଂଖ୍ୟାର ଚତୁର୍ଥ ପୃଷ୍ଠାରେ ପ୍ରକାଶ ପାଇଛି। ସେ କହିଥିଲେ- ଇତିହାସପ୍ରସିଦ୍ଧ ଦୟାନଦୀର ସମ୍ମୁଖବର୍ତ୍ତୀ ଏହି ଐତିହାସିକ ଧଉଳି ପାହାଡ଼ର ଶିଖର ଦେଶରେ ଠିଆହୋଇ ଏହି ଅସ୍ଥିସ୍ଥାପନ ଉତ୍ସବରେ ଯୋଗଦେବାବେଳେ, ଏହି ସ୍ଥାନର ଚତୁର୍ପାର୍ଶ୍ବର ଧୂଳିକଣାରେ ନିହିତ ଇତିହାସ ମୋର ମନେପଡ଼ୁଛି। ଏ ଇତିହାସ ପଛରେ ସମଗ୍ର ମାନବ ଜାତିର ଧର୍ମଭାବର ବିକାଶ ରହିଛି। ବୌଦ୍ଧଧର୍ମର ବିକାଶ ଓ ପ୍ରସାର ଦିଗରେ ଏହି ଧଉଳି ପାହାଡ଼ କେବଳ ସ୍ଥଳଭାଗରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମୃତିଚିହ୍ନ ନୁହେଁ; ଏହା ବିଶ୍ୱଜନୀନ ଶ୍ରଦ୍ଧା ଓ ଶାନ୍ତିର ଏକ କେନ୍ଦ୍ରରୂପେ ବିରାଜିତ।
ସେଦିନର ଅନ୍ୟତମ ପ୍ରମୁଖ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’, ୨୧ ଅକ୍ଟୋବର ସଂଖ୍ୟାର ସଂପାଦକୀୟ ଅଗ୍ରଲେଖରେ, ଏହାକୁ “ବୌଦ୍ଧଧର୍ମର ‘କଳିଙ୍ଗ’ ପ୍ରତ୍ୟାବର୍ତ୍ତନ” ଭାବରେ ଅଭିହିତ କରିଥିଲା। ସେଥିରେ ଉଲ୍ଲେଖ ଅଛି- ଧଉଳିଗିରିରେ ଶାନ୍ତିସ୍ତୂପ ସ୍ଥାପନ ଘଟଣାକୁ ବୌଦ୍ଧଧର୍ମର ‘କଳିଙ୍ଗ’ ପ୍ରତ୍ୟାବର୍ତ୍ତନ ବୋଲି କୁହାଯିବ। ଯେଉଁ ସ୍ଥାନରୁ ବୁଦ୍ଧଙ୍କ ମହାନ୍ ଶାନ୍ତିବାଣୀ ଦେଶ ବିଦେଶର ଜନସାଧାରଣଙ୍କୁ ନୂତନ ଆଲୋକ ପ୍ରଦାନ କରିବାପାଇଁ ଦିନେ ବିଚ୍ଛୁରିତ ହୋଇଥିଲା, ଏବଂ ଯେଉଁ ସ୍ଥାନରେ ଅଶୋକଙ୍କ ଶାନ୍ତି, ମୈତ୍ରୀ ଓ କରୁଣାପୂର୍ଣ୍ଣ ଭାବୋଚ୍ଛ୍ୱାସ ଶିଳାଲିପି ଆକାରରେ ଲିପିବଦ୍ଧ ହୋଇ ରହିଛି, ସେହି ସ୍ଥାନରେ ଜାପାନୀ ବୌଦ୍ଧଭିକ୍ଷୁମାନଙ୍କ ଦ୍ୱାରା ଶାନ୍ତିସ୍ତୂପ ପ୍ରତିଷ୍ଠା, ହିଂସାଦ୍ୱେଷ ବିଜଡ଼ିତ ପ୍ରାଚ୍ୟଦେଶରୁ ବିତାଡ଼ିତ ବୌଦ୍ଧଧର୍ମର ଶେଷ ଆଶ୍ରୟ ଭିକ୍ଷା ପରି ମନେହେଉଛି।
ଏଣୁ, ସେଦିନ ଧଉଳିଠାରେ ଏହି ଶାନ୍ତିସ୍ତୂପର ପ୍ରତିଷ୍ଠା ଥିଲା ଭାରତ ତଥା ବିଶ୍ୱ ବୌଦ୍ଧ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ବିହାରର ରାଜଗିର ପରେ, ଏହା ଥିଲା ଭାରତର ଦ୍ୱିତୀୟ ଶାନ୍ତିସ୍ତୂପ।
ଏକ ଉଲ୍ଲେଖନୀୟ ବିଷୟ ଯେ ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ର ମଧ୍ୟ ସେଦିନର ସେହି ଅସ୍ଥି ସ୍ଥାପନ ଉତ୍ସବରେ ଯୋଗ ଦେଇଥିଲେ। ତାହାର ପ୍ରାୟ ଦୁଇବର୍ଷ ପରେ ପ୍ରକାଶ ପାଇଥିଲା ତାଙ୍କର ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ‘ଧଉଳୀର ଇତିହାସ’। ତାହା ଥିଲା ତାଙ୍କ ଦ୍ୱାରା ପ୍ରଣୀତ ‘ଐତିହାସିକ ଗ୍ରନ୍ଥମାଳା’ର ଚତୁର୍ଥ ଖଣ୍ଡ।
ସେହି ପୁସ୍ତକର ପ୍ରକାଶ ବେଳକୁ କେଦାରନାଥ ମହାପାତ୍ର ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ପଦରୁ ଅବସର ନେଇ ସାରିଥିଲେ। କିନ୍ତୁ ପୁସ୍ତକର ‘ମୁଖବନ୍ଧ’ କହେ ଯେ ଧଉଳି ଶାନ୍ତିସ୍ତୂପ ପ୍ରତିଷ୍ଠାର ପ୍ରାୟ ଦୁଇବର୍ଷ ପରେ, ୧୯୭୫ରେ ଏହି ପୁସ୍ତକ ପ୍ରକାଶ ପାଇଥିଲେ ମଧ୍ୟ, ଏ ବାବଦରେ କଟକ ରେଭେନ୍ସା କଲେଜରେ ପଢ଼ିବା ସମୟରୁ ହିଁ ସେ ଲେଖାଲେଖି ଆରମ୍ଭ କରିଥିଲେ। ରେଭେନ୍ସା କଲେଜର ତ୍ରୈମାସିକ ପତ୍ରିକା ‘ରେଭେନ୍ସାଭିଆନ୍’ର ୧୯୩୨ ମସିହା ଡିସେମ୍ବର ସଂଖ୍ୟାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଗବେଷଣାମୂଳକ ଇଂରେଜୀ ପ୍ରବନ୍ଧ ‘ଆଇଡେଣ୍ଟିଫିକେସନ୍ ଅଫ୍ ତୋଷଳୀ’ (‘ତୋଷଳୀର ଅବସ୍ଥିତି ନିର୍ଣ୍ଣୟ’)। ତାହା ପଢ଼ି, ସେଦିନର ସ୍ୱନାମଧନ୍ୟ ଅଧ୍ୟାପକ ନିର୍ମଳ ଚନ୍ଦ୍ର ବନ୍ଦ୍ୟୋପାଧ୍ୟାୟ, ତୋଷଳୀ ସଂପର୍କରେ ଗୋଟିଏ ପୁସ୍ତକ ରଚନା ପାଇଁ ତାଙ୍କୁ ବାରମ୍ବାର ଉତ୍ସାହିତ କରିଥିଲେ। ତାହାରି ସୁଫଳ ଏହି ପୁସ୍ତକ। ପୁସ୍ତକର ପ୍ରଚ୍ଛଦରେ ‘ଧଉଳୀର ଇତିହାସ’ ବୋଲି ଉଲ୍ଲେଖ ଥିଲେ ହେଁ, ପୁସ୍ତକର ପ୍ରଥମ ଭିତର ପୃଷ୍ଠାରେ ସେ ଏହାକୁ ‘ଧଉଳୀ (ତୋଷଳୀ)ର ଇତିହାସ’ ବୋଲି ଉଲ୍ଲେଖ କରିଛନ୍ତି। ‘ରେଭେନ୍ସାଭିଆନ୍’ରେ ପ୍ରକାଶିତ ସେହି ପ୍ରଥମ ଗବେଷଣା ପ୍ରବନ୍ଧ ପରେ, ସେହିବର୍ଷ, ବୁଦ୍ଧଦେବଙ୍କ ଜନ୍ମସ୍ଥାନ ଲୁମ୍ବିନୀବନ ଲେଖର ‘କପିଳେଶ୍ୱର ପ୍ରତିଲିପି’ ଓ ଗୌତମବୁଦ୍ଧଙ୍କ ପ୍ରଥମ ଦୁଇ ଶିଷ୍ୟ ‘ତପୁସ୍ସ ଓ ଭଲ୍ଲିକଙ୍କ ବାସସ୍ଥାନ’ ସଂପର୍କରେ ସେ ଦୁଇଟି ପ୍ରବନ୍ଧ ମାସିକ ‘ସହକାର’ରେ ଲେଖିଥିଲେ। ପରେ ସେ ଆଉ ଏକ ଦୀର୍ଘ ପ୍ରବନ୍ଧ ‘ଅଶୋକ ଓ କଳିଙ୍ଗଯୁଦ୍ଧ’ ୧୯୩୪ର ‘ଦୈନିକ ଆଶା’ରେ ଲେଖିଥିଲେ। ୧୯୩୬ରେ ମଧ୍ୟ ‘ତୋଷଳୀର ଅବସ୍ଥିତି’ ବିଷୟରେ ଏକ ଗବେଷଣାମୂଳକ ପ୍ରବନ୍ଧ ସେ ‘ସହକାର’ରେ ଲେଖିଥିଲେ। ସେସବୁକୁ ନେଇ ୧୯୪୮ରେ ‘ଷ୍ଟୁଡେଣ୍ଟସ୍ ଷ୍ଟୋର’ ଦ୍ୱାରା ପ୍ରକାଶିତ ହୋଇଥିଲା ‘ତୋଷଳୀର ଇତିହାସ’ ନାମରେ ଏକ ପୁସ୍ତକ। ତାହାର ପ୍ରାୟ ତିନି ଦଶନ୍ଧି ପରେ, ବହୁ ନୂତନ ତଥ୍ୟ ଓ ଲେଖାରେ ସମୃଦ୍ଧ ହୋଇ ପ୍ରକାଶ ପାଇଥିଲା ଏହି ପୂର୍ଣ୍ଣାଙ୍ଗ ପୁସ୍ତକ।
କେଦାରନାଥ ମହାପାତ୍ରଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ପୁସ୍ତକର ପ୍ରଥମ ଚାରିଟି ଅଧ୍ୟାୟ ହେଉଛି- ୧. ତୋଷଳୀ ଓ ତୋଷଳ ରାଜ୍ୟ, ୨. ତୋଷଳୀ ଓ କଳିଙ୍ଗ ଯୁଦ୍ଧ, ୩. ତୋଷଳୀର ପ୍ରାଚୀନ ବୌଦ୍ଧକୀର୍ତ୍ତି, ଏବଂ ୪. ବୌଦ୍ଧକେନ୍ଦ୍ର ତୋଷଳୀର ପତନ। ଦୀର୍ଘ ୧୧୪ ପୃଷ୍ଠାର ସେହି ଆଲୋଚନା ସାବ୍ୟସ୍ତ କରେ ଯେ ଦୟାନଦୀ ବିଧୌତ ସମତଳ ଅଞ୍ଚଳରେ ହିଁ ସେଦିନ ତୋଷଳୀ ନଗରର ଉଦ୍ଭବ ଘଟିଥିଲା। ଧଉଳି ପାହାଡ଼ରେ ଉତ୍କୀର୍ଣ୍ଣ କଳିଙ୍ଗ ଅନୁଶାସନ ଦ୍ୱୟରେ ଥିବା ‘ତୋଷଳୀ’ର ପ୍ରଥମ ଉଲ୍ଲେଖ ସୂଚାଏ ଯେ କଳିଙ୍ଗ ବିଜୟ ପରେ ସମ୍ରାଟ ଅଶୋକ ଖ୍ରୀଷ୍ଟପୂର୍ବ ୨୬୧ରୁ ୨୩୨, ଦୀର୍ଘ ୨୮ ବର୍ଷ କାଳ ଏହି ରାଜ୍ୟକୁ ତୋଷଳୀରୁ ହିଁ ଶାସନ କରିଥିଲେ। ଉତ୍ତମ ଶାସନ ପାଇଁ, ଉତ୍ତର-ପଶ୍ଚିମ ସୀମାନ୍ତର ତକ୍ଷଶିଳା, ମଧ୍ୟ-ଭାରତର ଉଜ୍ଜୟିନୀ ଓ ଦକ୍ଷିଣ ଭାରତର ସୁବର୍ଣ୍ଣଗିରି (କର୍ଣ୍ଣାଟକ) ପରି, ପୂର୍ବ-ଭାରତର ତୋଷଳୀଠାରେ କୁମାର ଓ ଉଚ୍ଚପଦସ୍ଥ ରାଜକର୍ମଚାରୀମାନେ ନିଯୁକ୍ତ ହୋଇଥିଲେ। ଏହି ତୋଷଳୀ, ଧଉଳି ପାହାଡ଼ ନିକଟରେ ଅବସ୍ଥିତ ଥିଲା। ଧଉଳିଠାରେ ଅଶୋକଙ୍କ ଯୁଗର ବହୁ ପ୍ରାଚୀନ ବୌଦ୍ଧକୀର୍ତ୍ତିର ଆବିଷ୍କାର ଏହାର ଅକାଟ୍ୟ ପ୍ରମାଣ। ଧଉଳିର ପ୍ରାଚୀନ ନାମ ‘ସୁରଭ ପର୍ବତ’ ସଂପର୍କରେ ମଧ୍ୟ ଏହି ପୁସ୍ତକରେ ସେ ଆଲୋଚନା କରିଛନ୍ତି। ମହା ମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀଙ୍କର ଭାଷାତାତ୍ତ୍ୱିକ ପ୍ରମାଣ ଉଲ୍ଲେଖ କରି ସେ କହିଛନ୍ତି- ‘ତୋଷଳୀ’ କାଳକ୍ରମେ ‘ତୋହଳି’ ଓ ‘ଦୋହଳି’ ହୋଇ ଶେଷରେ ହୋଇଛି ‘ଧଉଳି’; ଏବଂ ତାହା ଅନୁସାରେ କାଳକ୍ରମେ ‘ସୁରଭ ପର୍ବତ’ ମଧ୍ୟ ‘ଧଉଳି’ ନାମରେ ପରିଚିତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି- ଏହି ପର୍ବତ ଶିଖରରେ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ପ୍ରତିଷ୍ଠିତ ‘ଧବଳେଶ୍ୱର’ ଶିବ ଆଜି ବି ପୂଜିତ ହେଉଛନ୍ତି। ଏହି ନାମ ଲୋକମୁଖରେ କ୍ରମଶଃ ଅପଭ୍ରଷ୍ଟ ହୋଇ ‘ଧଉଳେଶ୍ୱର’ ହୋଇଥିବା ଏବଂ ଶିବଙ୍କ ଦ୍ୱାରା ପବିତ୍ରିତ ‘ଧଉଳେଶ୍ୱର’ ପର୍ବତ ‘ଧଉଳି’ ନାମ ଧାରଣ କରିଥିବା ସମ୍ଭବପର। ଅଶୋକଙ୍କ ଯୁଗର ବହୁ ଗୁମ୍ଫା, ସ୍ତୂପ, ଚୈତ୍ୟ ଓ ପ୍ରାସାଦର ଅବଶେଷ ମଧ୍ୟ ଏହାର ସମୃଦ୍ଧ ବୌଦ୍ଧ ଇତିହାସର ସାକ୍ଷ୍ୟ ବହନ କରେ।
ଧଉଳି ବା ତୋଷଳୀର ଏହି ପତନର ଐତିହାସିକ ବିବରଣୀ ମଧ୍ୟ କେଦାରନାଥ ମହାପାତ୍ରଙ୍କ ଏହି ପୁସ୍ତକର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ କହିଛନ୍ତି- ଖ୍ରୀଷ୍ଟୀୟ ଚତୁର୍ଥ-ପଞ୍ଚମ ଶତାବ୍ଦୀରୁ ପ୍ରବଳ ବୌଦ୍ଧ-ବିଦ୍ୱେଷୀ ପାଶୁପତ ମତାବଲମ୍ବୀ ଶୈବମାନଙ୍କର ପ୍ରାଧାନ୍ୟ ଏହାର ପତନର ଅନ୍ୟତମ ହେତୁ। ଏକ ବିରାଟ ଅଶୋକସ୍ତମ୍ଭକୁ ଭାଙ୍ଗି ଭୁବନେଶ୍ୱରର ଭାସ୍କରେଶ୍ୱର ଶିବଲିଙ୍ଗରେ ପରିବର୍ତ୍ତିତ କରାଯିବା ଏହାର ଏକ ବଡ଼ ପ୍ରମାଣ। ‘ବୌଦ୍ଧକେନ୍ଦ୍ର ତୋଷଳୀର ପତନ’ ଅଧ୍ୟାୟରେ, ଅଶୋକଙ୍କ ପରବର୍ତ୍ତୀ ଯୁଗରୁ ବ୍ରାହ୍ମଣ୍ୟଧର୍ମର ପୁନରୁତ୍ଥାନ ପାଇଁ କିପରି କ୍ରମାଗତ ଉଦ୍ୟମ ହୋଇଥିଲା, ତାହାର ବିବରଣୀ ସେ ଦେଇଛନ୍ତି। ଧଉଳି ପାହାଡ଼ ଶିଖରରେ ଶିବ ମନ୍ଦିର ନିର୍ମାଣ ସେହି ଉଦ୍ୟମର ଷଷ୍ଠ ଶତାବ୍ଦୀର ଏକ ପ୍ରମାଣ। ନବମ ଶତାବ୍ଦୀରେ ପରିବ୍ରାଜକାଚାର୍ଯ୍ୟ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଉତ୍କଳ ଆଗମନ ବ୍ରାହ୍ମଣ୍ୟ ଧର୍ମକୁ ଦେଇଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଅଭ୍ୟୁଦୟ ଏବଂ ତାହା ମଧ୍ୟ ଧଉଳିର ବୌଦ୍ଧ ଐତିହ୍ୟର ପତନର ଅନ୍ୟ ଏକ କାରଣ ହୋଇଥିଲା। ‘ଏକାମ୍ର ପୁରାଣ’ ଓ ‘ମାଦଳା ପାଞ୍ଜି’ରେ ବର୍ଣ୍ଣିତ ‘ବୌଦ୍ଧ ବିତାଡ଼ନ’ ପ୍ରସଙ୍ଗ ଆଦି ବହୁ ଦୃଷ୍ଟାନ୍ତ ସେ ଏ ବାବଦରେ ଦେଇଛନ୍ତି। ପରିଶେଷରେ, ତ୍ରୟୋଦଶ ଶତାବ୍ଦୀର ମୁସଲମାନ ଆଧିପତ୍ୟ ସମୟରୁ ଅଷ୍ଟାଦଶ ଶତାବ୍ଦୀର ତକି ଖାଁଙ୍କ ହିନ୍ଦୁକୀର୍ତ୍ତି ଧ୍ୱଂସ ପର୍ଯ୍ୟନ୍ତ, ବହୁ ଘଟଣାର ଉଲ୍ଲେଖ ଏ ପ୍ରସଙ୍ଗରେ ସେ କରିଛନ୍ତି। ଏଣୁ ଧଉଳିରେ ଅବସ୍ଥିତ ଆଜିର ଏହି ଶାନ୍ତିସ୍ତୂପର ସୁନା-ଇତିହାସ ଅନ୍ତରାଳରେ ଲୁଚି ରହିଛି, ଧଉଳି ଓ ତୋଷଳୀର ଚୂନା-ଇତିହାସ। ଆଜିର ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହର ଔଜ୍ଜ୍ବଲ୍ୟ ଭିତରେ, ଆମେ କେବେ ବି ଇତିହାସର ସେହି ଅନ୍ଧାରି ଅଧ୍ୟାୟଗୁଡ଼ିକୁ ଭୁଲିଯିବା ଉଚିତ ନୁହେଁ। କାରଣ, ତାହା ଆଜିର ଧଉଳିର ଅସଲ ଐତିହ୍ୟ।
ମୋ: ୯୪୩୭୦ ୩୪୮୦୪