ଗ୍ରୀଷ୍ମର ବିଦାୟ ଏବଂ ବର୍ଷାର ଆଗମନ ସହିତ, ବୃକ୍ଷର ଶାଖାରୁ ବିଦାୟ ନେଇଛି କୃଷ୍ଣଚୂଡ଼ା। ଅନେକ ରୋମାଞ୍ଚ ନେଇ ଏବେ ଶାଖାରେ ଶାଖାରେ ଫୁଟି ଉଠିଛି କଦମ୍ବ। କିନ୍ତୁ ମନେହୁଏ, ସୁରେନ୍ଦ୍ର ମହାନ୍ତିଙ୍କ ପରି, ଓଡ଼ିଆ ଗଳ୍ପ ଉପବନରୁ ଯେମିତି କୃଷ୍ଣଚୂଡ଼ାର ବିଦାୟ ନାହିଁ।
ଅନ୍ୟ ଓଡ଼ିଆ କଥାକାରମାନେ ଯେ କୃଷ୍ଣଚୂଡ଼ାକୁ ନେଇ ଗଳ୍ପ ଲେଖିନାହାନ୍ତି ବା ଲେଖୁନାହାନ୍ତି, ତା’ ନୁହେଁ। ଲେଖିଛନ୍ତି ଓ ଲେଖୁଛନ୍ତି ବି। କିନ୍ତୁ ସୁରେନ୍ଦ୍ର ମହାନ୍ତିଙ୍କ ‘କୃଷ୍ଣଚୂଡ଼ା’ର ଯେପରି ବିକଳ୍ପ ନାହିଁ।
ଶୁଆ ନିଜ ମୂଲ ନିଜ ମୁହଁରେ କହିବା ପରି, ନିଜେ ସୁରେନ୍ଦ୍ର ମହାନ୍ତି ‘କୃଷ୍ଣଚୂଡ଼ା’ ବାବଦରେ କ’ଣ କହିଛନ୍ତି ଦେଖାଯାଉ।
ଓଡ଼ିଆ ସାହିତ୍ୟର ଇତିହାସ ଆଲୋଚନା କ୍ଷେତ୍ରରେ ତାଙ୍କର ଶେଷ ପୁସ୍ତକ ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’। ସେଥିରେ ନିଜକୁ ‘ତୃତୀୟ ପର୍ଯ୍ୟାୟ’ର ଗାଳ୍ପିକ ଭାବରେ ସ୍ଥାନିତ କରିଛନ୍ତି ସେ। କହିଛନ୍ତି, “ସ୍ୱାଧୀନୋତ୍ତର କାଳରେ ସୁରେନ୍ଦ୍ର ମହାନ୍ତିଙ୍କର କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଆବିର୍ଭାବ ଘୋଷିତ ହୁଏ ‘ଭାରତ ଆବିଷ୍କାର’, ‘ଭାଗାବଣ୍ଡ’ ଓ ‘ଅଷ୍ଟ୍ରେଲିଆ’ ପ୍ରଭୃତି ଗଳ୍ପଗୁଡ଼ିକରେ। ସୁରେନ୍ଦ୍ରଙ୍କ ଆଦ୍ୟଗଳ୍ପଗୁଡ଼ିକରେ ସର୍‌ରିଆଲିଷ୍ଟିକ୍ ପ୍ରବୃତ୍ତି ଓ ଚେତନା-ପ୍ରବାହଧର୍ମୀ ଆଙ୍ଗିକ, ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଏକ ନୂତନ ଆଲୋଡ଼ନ ସୃଷ୍ଟି କରିଥିଲା। ତାହାର ସ୍ପନ୍ଦନ ସପ୍ତମ ଦଶକ ପର୍ଯ୍ୟନ୍ତ ସୁଦ୍ଧା ନିରବ ରହିନାହିଁ।”
ଏ ସଂପର୍କରେ ସେ ଆହୁରି ମଧ୍ୟ କହିଛନ୍ତି, “ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳ, ନିଃଶବ୍ଦରେ, ଅଲକ୍ଷିତରେ ବିଦଗ୍‌ଧ ଚେତନା ଓ ମାନସିକତାରେ ଆଣିଥିଲା ଏକ ଆକସ୍ମିକ ପରିବର୍ତ୍ତନ। ଗୋପୀନାଥଙ୍କ ବର୍ଣ୍ଣନାଧର୍ମୀ କଥକତା ବା ରାଜକିଶୋର (ରାୟ)ଙ୍କ ରୋମାଣ୍ଟିକ ଉଚ୍ଛ୍ୱାସ ଏ କାଳର ପାଠକମାନଙ୍କ ରସଚେତନାକୁ ଆଉ ସ୍ପର୍ଶ କରିପାରୁ ନଥିଲା। ସିନିସିଜମ୍ ବା ନେତିବାଦ, ପ୍ରତିଷ୍ଠିତ ମୂଲ୍ୟବୋଧ ସଂପର୍କରେ ସନ୍ଦେହ, ଜିଜ୍ଞାସା ଓ ଉଦ୍ଭଟତା (ଆବସର୍ଡିଟି) ପ୍ରଭୃତି କେତେକ ଜଟିଳ ପ୍ରବୃତ୍ତି, ଏହି କାଳର ମାନସିକତାରେ ପ୍ରତିଫଳିତ ହୋଇଥିଲା। ଓଡ଼ିଆ ଉପନ୍ୟାସ- ଏକ ରକ୍ଷଣଶୀଳ ମାଧ୍ୟମ ହୋଇଥିବାରୁ- ଏସବୁ ପ୍ରବୃତ୍ତିର ସଫଳ ପ୍ରତିଫଳନରେ ଅକ୍ଷମ ହୋଇଥିଲେ ହେଁ, ସ୍ୱାଧୀନୋତ୍ତର କାଳରେ ଓଡ଼ିଆ କ୍ଷୁଦ୍ରଗଳ୍ପ କେତେକାଂଶରେ ତାହାର ଯଥାର୍ଥ ପ୍ରତିନିଧିତ୍ୱ କରିପାରିନଥିଲା। ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକରେ ଶୁଣିବାକୁ ମିଳିଥିଲା ଏହାର ପ୍ରଥମ ଉଚ୍ଚାରଣ... ‘ଭାରତ ଆବିଷ୍କାର’, ‘ଅଷ୍ଟ୍ରେଲିଆ’, ‘ଭାଗାବଣ୍ଡ୍‌’ ଓ ‘କୃଷ୍ଣଚୂଡ଼ା’ ପ୍ରଭୃତି ଗଳ୍ପମାନଙ୍କରେ।”
ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ ‘କୃଷ୍ଣଚୂଡ଼ାର କଥାକାର’ (୩୦ ଜୁନ୍ ୨୦୨୩)ରେ ‘କୃଷ୍ଣଚୂଡ଼ା’ର କଥାଭାଗ ଆଲୋଚିତ ହୋଇଛି। ସୁରେନ୍ଦ୍ର ମହାନ୍ତିଙ୍କ ଜୀବନସ୍ମୃତି ‘ପଥ ଓ ପୃଥିବୀ’ର ସ୍ୱୀକାରୋକ୍ତି ଆଧାରରେ ଏହା ମଧ୍ୟ ସୂଚିତ ହୋଇଛି, ଯେ ‘କୃଷ୍ଣଚୂଡ଼ା’ ତାଙ୍କ ସାମ୍ବାଦିକ ଓ ସାହିତ୍ୟିକ ସତ୍ତା ମଧ୍ୟରେ ଦ୍ୱନ୍ଦ୍ୱ ଓ ସଂଘର୍ଷର ଚିତ୍ର।
ଏଣୁ ଚପଳ ଏକ ଆବେଗରେ, ଗଛରେ ଚଢ଼ି କୃଷ୍ଣଚୂଡ଼ା ତୋଳିବାରେ ବିଫଳ ହେବା ପରେ, ଗଳ୍ପନାୟକ ସଦାନନ୍ଦର ମନେ ହୋଇଛି, “ଏ ପୃଥିବୀ ମରିଯାଇଛି। ସଦାନନ୍ଦ ମରିଯାଇଛି। କୃଷ୍ଣଚୂଡ଼ା କେବଳ ସେଇ ଏକଦା ଛବିଳ ଜୀବନର ଅଶ୍ରୁଳ ସ୍ମାରକୀ।”
‘କୃଷ୍ଣଚୂଡ଼ା’ର ରଚନା ଓ ପ୍ରକାଶ କାଳ, ଜୁଲାଇ ୧୯୪୮। ସୁରେନ୍ଦ୍ର ମହାନ୍ତିଙ୍କ ନିଜ ଭାଷାରେ- ଯୁଦ୍ଧୋତ୍ତର ମାନସିକତାର ଏଇ ସିନିସିଜମ୍ ବା ନେତିବାଦ, ଖଣ୍ଡିତ ବ୍ୟକ୍ତିତ୍ୱର ମାନସିକ ଦ୍ୱନ୍ଦ୍ୱ, ସ୍ଥିତିବାଦୀ ଶୂନ୍ୟତା, ନୈରାଶ୍ୟ ଓ ଉଦ୍ଭଟତା ପ୍ରଭୃତି ଜଟିଳ ପ୍ରବୃତ୍ତି ଓଡ଼ିଆ ଗଳ୍ପରେ ପ୍ରଥମ କରି, ‘କୃଷ୍ଣଚୂଡ଼ା’ ଏବଂ ସେହି ସମୟର ଅନ୍ୟ ଗଳ୍ପଗୁଡ଼ିକରେ ପ୍ରକାଶ ପାଇଥିଲା। ବିଂଶ ଶତାବ୍ଦୀର ଚତୁର୍ଥ ଦଶକର ମଧ୍ୟଭାଗ ଆଡ଼କୁ ହିଁ ସେ ଏସବୁ ଗଳ୍ପ ଲେଖିଥିଲେ।
ଏଣୁ, କୃଷ୍ଣଚୂଡ଼ା ଏଠାରେ ଏକ ପ୍ରତୀକ। ଏକ ବ୍ୟଞ୍ଜନା। କିନ୍ତୁ ଲକ୍ଷ୍ୟ କରି ଦେଖିଲେ ଜଣାଯାଏ, କେବଳ ଏଇ ଗୋଟିଏ ଗଳ୍ପରେ ନୁହେଁ; ସୁରେନ୍ଦ୍ର ମହାନ୍ତିଙ୍କର ଆହୁରି କେତେକ ଗଳ୍ପରେ ବି କୃଷ୍ଣଚୂଡ଼ା ବାରମ୍ବାର ଆସିଛି ଭିନ୍ନ ଭିନ୍ନ ପ୍ରତୀକ ବା ବ୍ୟଞ୍ଜନା ହୋଇ।
ଏପରି ଗୋଟିଏ ଗଳ୍ପ ‘ପାଗଳା ଗାରଦର କାହାଣୀ’। ଏ ଗଳ୍ପର ରଚନା ଓ ପ୍ରକାଶକାଳ ୧୯୬୨ ଏବଂ ସେହିବର୍ଷ ହିଁ ତାହା ଲେଖକଙ୍କର ଷଷ୍ଠ ଗଳ୍ପପୁସ୍ତକ ‘ମରାଳର ମୃତ୍ୟୁ’ରେ ସଂକଳିତ ହୋଇଥିଲା।
ଚରିତ୍ର ଓ ପରିବେଷ୍ଟନୀ ଭିନ୍ନ। କିନ୍ତୁ ଏଠି ବି ଅଛି ସେଇ ୧୯୪୮ର ‘କୃଷ୍ଣଚୂଡ଼ା’ର ପ୍ରତିଫଳନ। ସେଠି ‘କୃଷ୍ଣଚୂଡ଼ା’ର ନାୟକ ଥିଲା ସଦାନନ୍ଦ, ‘ସଂଗ୍ରାମ’ ସମ୍ବାଦପତ୍ରର ଏକଧାରରେ ସମ୍ପାଦକ, ପ୍ରୁଫ୍‌ରିଡର, ସବୁ। ପରିଣତ ବୟସରେ, ସେଇ ଗତାନୁଗତିକତାର ରୁଦ୍ଧ ପରିବେଶ ମଧ୍ୟରେ, ହଠାତ୍ ଦିନେ ଖୋଲା ଝରକା ଦେଇ, ଆରପାଖର କୃଷ୍ଣଚୂଡ଼ା ତା’ ଭିତରେ ପୁଣି ଗତାୟୁ ଦିନର ଚପଳତା ଭରି ଦେଇଥିଲା। ଏଠି ‘ପାଗଳା ଗାରଦର କାହାଣୀ’ର ନାୟକ ସନାତନ ମହାପାତ୍ର। ସେ ଖତ ଓ ସାର ବିଭାଗର ସ୍ୱନାମଧନ୍ୟ ଅବସରପ୍ରାପ୍ତ ଡିରେକ୍ଟର। ତାଙ୍କର ଜଣେ ବନ୍ଧୁ, ରାଧାଗୋବିନ୍ଦବାବୁ ସାହିତ୍ୟରେ ପ୍ରଫେସରୀ ଚାକିରିରୁ ଅବସର ନେଇ ଗୋଟିଏ ଅଟାପେଷା କଳ ବସାଇଥିଲେ। ଅନ୍ୟ ଜଣେ, ଅବନୀବାବୁ ମଧ୍ୟ ଅବସର ନେବା ପରେ ଗୋଟିଏ ତେଜରାତି ଦୋକାନ ଖୋଲିଥିଲେ। କିନ୍ତୁ ପଞ୍ଚାବନ ବର୍ଷ ବୟସରେ ଅବସର ନେବା ପରେ, କିଛି ଗୋଟାଏ କରିବାକୁ ବନ୍ଧୁବର୍ଗଙ୍କର ଶତ ଅଯାଚିତ ଉପଦେଶ, ଶୁଭଚିନ୍ତକମାନଙ୍କର ଶତ ଉତ୍ପୀଡ଼କ ପରାମର୍ଶ ସତ୍ତ୍ୱେ, ସେ କିଛି କରି ନଥିଲେ। କ୍ରମେ ସେସବୁ ସହିତ ତାଙ୍କର ଆତ୍ମୀୟ ସ୍ୱଜନ ବର୍ଗଙ୍କ ଅଭିଯୋଗପୂର୍ଣ୍ଣ ଦୃଷ୍ଟି ମିଶି ତାଙ୍କୁ ପାଗଳ କରି ଦେଇଥିଲା।
ସନାତନବାବୁ ଥିଲେ ଅଭିଜ୍ଞ ଓ ପାରଦର୍ଶିତା ସଂପନ୍ନ ପଦାଧିକାରୀ। ପଞ୍ଚାବନ ବର୍ଷ ପରେ ମଧ୍ୟ, ତାଙ୍କ ଚାକିରିକାଳ ବଢ଼ାଇବାପାଇଁ ସରକାରୀ କର୍ତ୍ତୃପକ୍ଷଙ୍କର ଆପତ୍ତି ନଥିଲା। କେନ୍ଦ୍ର ସରକାରରେ ମଧ୍ୟ ତାଙ୍କୁ ଏକ ଉପର ପାହିଆର ପଦ ଅର୍ପିତ ହୋଇଥିଲା। କିନ୍ତୁ ସେସବୁକୁ ସେ ଭ୍ରୂକ୍ଷେପ ନକରି ଚାକିରିରୁ ବିଦାୟ ନେଇ ଚାଲି ଆସିଥିଲେ।
କିନ୍ତୁ କ’ଣ ତାହାର କାରଣ?
ତାହା ଖୁବ୍ ଚମତ୍କାର ଭାବରେ ଚିତ୍ରିତ କରିଛନ୍ତି ସୁରେନ୍ଦ୍ର ମହାନ୍ତି। ତାହା ଏମିତି।
“ଖତ ଓ ସାର ବିଭାଗର ଡିରେକ୍ଟରୀରେ, ଶୀତତାପନିୟନ୍ତ୍ରିତ, ନିଓନ ଆଲୋକରେ ଆଲୋକିତ, ବହଳ ପର୍ଦ୍ଦାରେ ଆବୃତ ସନାତନଙ୍କ ଅଫିସ୍‌ର କାଚଅଣ୍ଟା ଝରକା ବାହାରେ, ସେଦିନ ବୈଶାଖର ରୌଦ୍ରଦୀପ୍ତ ଆକାଶ ତଳେ, ବୈଶାଖୀର ପାଗଳ ଘୂର୍ଣ୍ଣିରେ, ଝରକା ଦେହରେ ଲାଗି କୃଷ୍ଣଚୂଡ଼ା ଗଛଟା ଦୋଳୁଥିଲା- ରୌଦ୍ରଦଗ୍‌ଧ ଧରଣୀର ଅବରୁଦ୍ଧ କାମନା, ଅକସ୍ମାତ୍ ପ୍ରକାଶର ଏକ ପଥ ପାଇବା ପରି।
ସେଦିନ ଝରକା ବାହାରର ସେହି କ୍ଷୁଧିତ ଆକାଶ ଓ ଅଶାନ୍ତ ଲାଲ କୃଷ୍ଣଚୂଡ଼ା, ଅତି ମର୍ମାନ୍ତିକ ଭାବରେ ସନାତନଙ୍କୁ ଚେତାଇ ଦେଇଥିଲା, ତାଙ୍କର ଅନ୍ନପୁଷ୍ଟ ଜୀବନ ଏକାନ୍ତ ଭାବରେ ବୁଭୁକ୍ଷୁ। ଖତ ଓ ସାରର ଆବର୍ଜନା ମଧ୍ୟରେ, ଆନନ୍ଦର ଉତ୍ସ ନିଷ୍ଠୁର ଭାବରେ ଶୁଷ୍କ। ଅନୁତ୍ତେଜିତ ଦୈନନ୍ଦିନତାର ଶୀତଳତା ମଧ୍ୟରେ ଅନୁଭୂତିର ତୀବ୍ରତା ଅତ୍ୟନ୍ତ ଦୟନୀୟ ଭାବରେ ବାର୍ଦ୍ଧକ୍ୟଗ୍ରସ୍ତ।”
ତାହାର ପର ଘଟଣା ଏହିପରି।
ସେଦିନ ଝରକା ବାହାରର ସେହି ରୌଦ୍ରଦୀପ୍ତ ଆକାଶ ଆଡ଼େ ଚାହିଁ, ସନାତନଙ୍କ ଝଲସି ପଡ଼ିଥିବା ଧୂମାଚ୍ଛନ୍ନ ଦୃଷ୍ଟିରେ ଭାସି ଉଠିଥିଲା ଗୋଟିଏ ସ୍ୱୈରିଣୀର ଛବି- ଦୁଇ ନୀଳ ଆଖିରେ ତାର ଆଲିଙ୍ଗନ ପାଇଁ ଅଶ୍ଳୀଳ ଇଙ୍ଗିତ... ବ୍ୟଗ୍ର ବିଲମ୍ବିତ ବାହୁରେ ଆଲିଙ୍ଗନ ପାଇଁ ଅକୁଣ୍ଠ ଆହ୍ୱାନ। ମାତ୍ର ସେହି ନିର୍ଲଜ୍ଜ ଇଙ୍ଗିତର ପ୍ରତ୍ୟୁତ୍ତର ଦେବାପାଇଁ ପ୍ରୌଢ଼ତ୍ୱର ଶୀତଳତା ମଧ୍ୟରେ ସନାତନ ଥିଲେ ଅସହାୟ ଭାବରେ ପଙ୍ଗୁ। କିନ୍ତୁ ପରେ, ଆଶ୍ୱିନର ଗୋଟିଏ ମେଘଧୁଆ, ସୁନେଲି ସକାଳରେ, ସେ ନିଜର ସେଇ ପଙ୍ଗୁତାରୁ ମୁକ୍ତ ହୋଇ ଗଲେ। ପୂର୍ବ ରାତିରେ ତାଙ୍କର ଉତ୍ତପ୍ତ ଆଖି ଆଗରେ ବାରମ୍ବାର ଭାସି ଉଠିଥିଲା ସେଦିନର ସେଇ ରୌଦ୍ରତପ୍ତ ଆକାଶ। ଅଶାନ୍ତ କୃଷ୍ଣଚୂଡ଼ାର ପୃଷ୍ଠଭୂମିରେ, ସେଇ ଅକୁଣ୍ଠିତା ସ୍ୱୈରିଣୀର ଅଶରୀରୀ ମୂର୍ତ୍ତି। ସେଇ ରାତିର ପାହାନ୍ତି ନିଦ ପରେ, ସେଦିନ ସକାଳେ ସେ ଅନୁଭବ କରିଥିଲେ, ଯେ ସେ ଆଉ ପ୍ରୌଢ଼ ସନାତନ ନୁହନ୍ତି। ସେ ଏକ ଚପଳ ଶିଶୁ। ତାଙ୍କର ହାତ ଚପଳ ପ୍ରଜାପତିର ଦୁଇଟି ଡେଣା। ତାଙ୍କର ପାଦ ମୃଗଶିଶୁର ଅଶାନ୍ତ ଖୁରା। ତା’ପରେ ଯାହା ଯାହା ଘଟିଥିଲା, ତାହା ଅନ୍ୟମାନଙ୍କ ଆଖିରେ ପ୍ରମାଣିତ କରିଥିଲା ଯେ ସେ ପାଗଳ।
ଏଣୁ, ‘ପାଗଳା ଗାରଦର କାହାଣୀ’ର ଏ ସନାତନ, ପ୍ରକୃତରେ ‘କୃଷ୍ଣଚୂଡ଼ା’ର ସଦାନନ୍ଦର ଅନ୍ୟ ଏକ ରୂପ। ଅନ୍ୟ ଏକ ଉନ୍ମୋଚନ।
ସୁରେନ୍ଦ୍ର ମହାନ୍ତିଙ୍କର ଆଉ ଦୁଇଟି ଗଳ୍ପରେ ବି ଅଛି କୃଷ୍ଣଚୂଡ଼ା। ସେ ଦୁଇ ଗଳ୍ପ ସଂକଳିତ ହୋଇଛି, ୧୯୭୧ରେ ପ୍ରକାଶିତ ତାଙ୍କର ସପ୍ତମ ଗଳ୍ପ ପୁସ୍ତକ ‘ଦୁଇ ସୀମାନ୍ତ’ରେ। ସେଥିରୁ ଗୋଟିଏ ‘ଖ୍ରୀ.ଅ. ୨୦୬୬’ (୧୯୬୬) ଓ ଅନ୍ୟଟି ‘ସୁନା ମାହାରୀ’ (୧୯୭୧)।
‘ଦୁଇ ସୀମାନ୍ତ’ର ପ୍ରଥମ ଗଳ୍ପ ‘ଖ୍ରୀ.ଅ. ୨୦୬୬’। ଏ ଗଳ୍ପଟି ସେ ଲେଖିଥିଲେ ୧୯୬୬ରେ। ଏଣୁ ଶହେ ବର୍ଷ ପରର ଭବିଷ୍ୟଦୃଷ୍ଟି ଏଥିରେ ପରିକଳ୍ପିତ ଓ ପ୍ରକଟିତ। ଓଡ଼ିଆ ସାହିତ୍ୟରେ ବୋଧହୁଏ ପ୍ରଥମକରି ଏଥିରେ ଇଂରାଜି ‘ସ୍ମଗ୍‌’ ଶବ୍ଦଟି ବ୍ୟବହାର କରିଛନ୍ତି ସେ- ଶହେବର୍ଷ ପରର ପରିବେଶର ବର୍ଣ୍ଣନା କରିବାପାଇଁ। ଗଳ୍ପର ଆରମ୍ଭରେ କହିଛନ୍ତି, “ସକାଳ... ରାତି ଶେଷ ହୋଇଥିବା ଅର୍ଥରେ କେବଳ। ତା’ ନହେଲେ, କୁହୁଡ଼ି, ଧୂଆଁ, ଧୂଳି ଆଉ କୋଇଲାଗୁଣ୍ଡର ‘ସ୍ମଗ୍‌’ ଫ୍ଲାଟ୍ ବାହାରେ ଦ୍ୱିତୀୟ ରାତ୍ରିର ଭ୍ରମ ସୃଷ୍ଟି କରିଥିଲା।”
କେବଳ ଦୁଇଟି ଦୃଶ୍ୟର ଅବତାରଣା କଲେ, ବୋଧହୁଏ ଏ ଗଳ୍ପର କାହାଣୀ ଓ ବ୍ୟଞ୍ଜନା ଅସ୍ପଷ୍ଟ ରହିବ ନାହିଁ। ସେହି ଦୁଇଟି ଦୃଶ୍ୟ ଏହିପରି।
ପ୍ରଥମ ଦୃଶ୍ୟ:
“ବହୁ ବ୍ୟୟ ଓ ପରିଶ୍ରମରେ ‘ଘାସ ଉତ୍ପାଦନ ଡିରେକ୍‌ଟରେଟ୍‌’, ପାର୍କରେ ଯେତେ କଅଁଳ ଦୁବଘାସ ଜନ୍ମାଉଥିଲେ, ଭୋକିଲା ଲୋକେ, ଯେଉଁମାନେ ମଣିଷ ମାଂସ ସୁଦ୍ଧା ବଜାରରୁ କିଣି ପାରୁ ନଥିଲେ, ସେମାନେ ରାତିରେ ପାର୍କରୁ ସେହି କଅଁଳ ଦୁବସବୁ ତାଞ୍ଛି ନେଇ ପଳାଉଥିଲେ। ପାର୍କର ଡେଙ୍ଗା ଡେଙ୍ଗା ଗଛଗୁଡ଼ାକରେ ମଧ୍ୟ ଗୋଟାଏ ହେଲେ ପତ୍ର ନଥିଲା। ତାହାର ଡାଳମାନଙ୍କରେ ପଲ୍ଲବଟିଏ କଅଁଳିବା ମାତ୍ରେ ସେମାନେ ତାହାକୁ ମଧ୍ୟ ଖୁଣ୍ଟି ନେଉଥିଲେ ପଙ୍ଗପାଳ ପରି। ଗଛ ସବୁ ଥୁଣ୍ଟା ଡାଳ ମେଲି ପ୍ରେତର କଙ୍କାଳ ପରି ଠିଆହୋଇଥିଲେ। ପକ୍ଷୀକୁଳ ମଧ୍ୟ ଭୂପୃଷ୍ଠରୁ କେବେଠାରୁ ନିଶ୍ଚିହ୍ନ ହୋଇସାରିଥିଲେ। ସେମାନଙ୍କର ଦିନାନ୍ତର କାକଳି କେବେଠାରୁ ସର୍ବଗ୍ରାସୀ ମଣିଷର ଜଠରରେ ନିରବ ହୋଇସାରିଥିଲା।”
ଦ୍ୱିତୀୟ ଦୃଶ୍ୟ:
“ଦିନ ଶେଷରେ କାଉଟିଏ କୁଆଡ଼ୁ ଉଡ଼ିଆସି ଗୋଟିଏ କୃଷ୍ଣଚୂଡ଼ା ଗଛର ଥୁଣ୍ଟା, ପତ୍ରହୀନ ଡାଳ ଉପରେ ବସି କାହାର ପ୍ରତୀକ୍ଷାରେ ରାବି ଉଠୁଥିଲା କେଜାଣି! ପାର୍କ ଭିତରେ ହଠାତ୍ କେଉଁଠୁ ଗୋଟାଏ ବନ୍ଧୁକ ଫୁଟିଉଠିଲା। ଗୁଳିମାଡ଼ରେ କୃଷ୍ଣଚୂଡ଼ାର ଥୁଣ୍ଟା ଡାଳରୁ କାଉଟା ତଳେ ଖସିପଡ଼ିଲା। ପୋଡ଼ା ବାରୁଦ ଗନ୍ଧରେ ସନ୍ଧ୍ୟାର ପବନ ଭାରି ହୋଇଉଠିଲା।”
ତାତ୍ପର୍ଯ୍ୟପୂର୍ଣ୍ଣ, ଯେ ଏଠି ଆଉ କେଉଁ ଗଛକୁ ନଆଣି, କୃଷ୍ଣଚୂଡ଼ାକୁ ହିଁ ଆଣିଛନ୍ତି ସୁରେନ୍ଦ୍ର ମହାନ୍ତି। ସେ ଏ ଗଳ୍ପ ଲେଖିବା ଆଜିକୁ ଅର୍ଦ୍ଧଶତାବ୍ଦୀରୁ ଅଧିକ ହେଲାଣି। ଆଉ ଅର୍ଦ୍ଧଶତାବ୍ଦୀରୁ କମ୍ ସମୟ ମଧ୍ୟରେ, ସତରେ କ’ଣ ସବୁ ଗଛ ଥୁଣ୍ଟା ହୋଇଯିବେ? କୃଷ୍ଣଚୂଡ଼ାର ବୈଶାଖର ବର୍ଣ୍ଣିଳତା ସତରେ କ’ଣ ପାଲଟିଯିବ ପ୍ରେତର କଙ୍କାଳ? ଏ ବ୍ୟଞ୍ଜନା ପ୍ରତି ଆମକୁ ଏବେଠୁ ସଚେତନ ହେବାକୁ ପଡ଼ିବ।
ସୁରେନ୍ଦ୍ର ମହାନ୍ତିଙ୍କ ପ୍ରଥମ ସାତଟି ଗଳ୍ପ ସଂକଳନ ମଧ୍ୟରେ କୃଷ୍ଣଚୂଡ଼ାର ଶେଷ ଉଲ୍ଲେଖ ମିଳେ ‘ସୁନାମାହାରୀ’ ଗଳ୍ପରେ। ‘ସୁନାମାହାରୀ’, ‘ଦୁଇ ସୀମାନ୍ତ’ର ପଞ୍ଚମ ଗଳ୍ପ।
ସୁନା ଦିନେ ଥିଲା ଭରା ଯୌବନରେ। ସୌଖୀନ୍ ବୈଠକଖାନା ଓ ଆସରମାନଙ୍କରେ ଶୁଭୁଥିଲା ତା’ର ଜୟଜୟକାର। ତା’ର କଣ୍ଠରେ ଛାନ୍ଦ, ଚଉପଦୀର ମୂର୍ଚ୍ଛନା, ଦେହରେ ଓଡ଼ିଶୀ ନୃତ୍ୟର ତରଙ୍ଗ, କେତେ ବୁନିଆଦ୍ ବଂଶର ସୌଭାଗ୍ୟ ଉପରେ କଳାକନା ପରି ବୁଲିଯାଉଥିଲା, ତାହାର ଇୟତ୍ତା ନଥିଲା। ସୁନାର ଲେଲିହାନ ପ୍ରଦୀପ ଶିଖାରେ କେତେ ପତଙ୍ଗ ଆସିଥିଲେ ଆତ୍ମାହୁତି ପାଇଁ, ସ୍ୱୈରିଣୀର ତାହା ସ୍ମରଣ ନଥିଲା।
ଏଇ ଯୌବନଭରା ସ୍ୱୈରିଣୀ ସୁନା ମାହାରୀ ପାଇଁ କୃଷ୍ଣଚୂଡ଼ାର ସୁନ୍ଦର ଉପଯୋଗ କରିଛନ୍ତି ବିଚକ୍ଷଣ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି- ମାତ୍ର ଦୁଇଟି ବାକ୍ୟରେ। କହିଛନ୍ତି, “ସୁନା ସେଦିନ କୃଷ୍ଣଚୂଡ଼ାର ଶୃଙ୍ଗାରବିଳାସରେ ଚଟୁଳା, ଶୃଙ୍ଗାରମୟୀ ହୋଇ ଉଠିଥିଲା। ତା’ର ଦୁଇ ଆଖିରେ ସର୍ପିଣୀର ହଳାହଳମୟ ଆମନ୍ତ୍ରଣ।”
କିନ୍ତୁ କୃଷ୍ଣଚୂଡ଼ାର ଶୃଙ୍ଗାରବିଳାସରେ ଚଟୁଳା ସେଇ ସୁନା ମାହାରୀର ଅନ୍ୟ ରୂପ ସେ ଆଙ୍କିଛନ୍ତି ଦୟଣାମାଳ ମାଧ୍ୟମରେ। କହିଛନ୍ତି, “ସମୟର ରସିକତା କମ୍ ନୁହେଁ ତ! ସୁନା ମାହାରୀ ଆଜି ପୂଜାରିଣୀ।”
ଏ ଗଳ୍ପର ପରିଣତିରେ ତାହାରି ରୂପଚିତ୍ର ଅତ୍ୟନ୍ତ କରୁଣ। ସେ କହିଛନ୍ତି-
“ସୁନାମାହାରୀ ନାଟମନ୍ଦିରର ଗୋଟିଏ ଅଭ୍ୟସ୍ତ ସ୍ଥାନରେ, ତଳକୁ ମୁହଁ ନୁଆଁଇ ବସି ଦୟଣାମାଳ ଗୁନ୍ଥୁଥିଲା। ସୁନାର ମୁହଁ, କପାଳ ଓ ଚିବୁକରେ ଅତୀତର ପଇଁଚାଳିଶ ବର୍ଷ ବ୍ୟାପୀ ଅନ୍ୱେଷଣର ବ୍ୟର୍ଥ ପାଦଚିହ୍ନ ଗୋଟି ଗୋଟି ହୋଇ ଫୁଟି ଉଠିଥିଲା। ତାର କପାଳ ଉପରେ ଚୂର୍ଣ୍ଣକୁନ୍ତଳର ଯେଉଁ କୁଣ୍ଡଳିଟି ଦିନେ ବହୁ ହୃଦୟକୁ ବନ୍ଦୀ କରିଥିଲା, ସକାଳର ମଳିନ ଆଲୋକରେ, ହେମନ୍ତର କାଶସ୍ତବକ ପରି ତାହା ବିବର୍ଣ୍ଣ ଓ ଧୂସର ଦିଶୁଥିଲା।
ଜୀବନର ଶେଷ ହିସାବ ନିକାଶ ମିଳାଇବା ପରି ଅଭିନିବେଶରେ, ସୁନାମାହାରୀ ଗୋଟିଗୋଟି ଫୁଲରେ ମାଳା ଗୁନ୍ଥୁଥିଲା।”
ଏଣୁ ଏ ଗଳ୍ପଟି ପଢ଼ିଲେ ମନେହୁଏ, ସୁରେନ୍ଦ୍ର ମହାନ୍ତି ଯେପରି କହିବାକୁ ଚାହିଁଛନ୍ତି, ଜୀବନ କେବେକେବେ ଭରା ଯୌବନର ବର୍ଣ୍ଣିଳ କୃଷ୍ଣଚୂଡ଼ା ହୋଇପାରେ; ମାତ୍ର ତାହାର ଅନ୍ତିମ ପରିଣତି ହିଁ ହେଉଛି ଦେବ ମନ୍ଦିରର ଦୟଣାମାଳ!
ମୋ: ୯୪୩୭୦ ୩୪୮୦୪