ସାତଟି କବିତା ମଧ୍ୟରୁ ପ୍ରଥମ ଦୁଇଟି ବିନା ନାମରେ ଏବଂ ପରବର୍ତ୍ତୀ ଦୁଇଟି ‘-ଶ୍ରୀ’ ଛଦ୍ମନାମରେ ଲେଖିବା ପରେ, ମଧୁସୂଦନ ପଞ୍ଚମ କବିତା ଲେଖିଥିଲେ ନିଜ ନାମରେ। ତେବେ ଏ ସଂପର୍କରେ ସ୍ପଷ୍ଟ ଅନୁମେୟ, ଯେ ସାପ୍ତାହିକ ସମ୍ବାଦପତ୍ର ‘ଆଶା’ରେ ହେଉ ବା ‘ଜାତୀୟ ଗୀତ’ ପର୍ଯ୍ୟାୟରେ ପ୍ରକାଶିତ ‘ମୁକୁର’ରେ, ତାହାର ସଂପାଦକମାନେ ସେ କବିତାର ରଚୟିତା ଯେ ମଧୁସୂଦନ, ତାହା ଜାଣିଥିଲେ। କିନ୍ତୁ ମଧୁସୂଦନଙ୍କ ଇଚ୍ଛା ଅନୁସାରେ, ତାଙ୍କର ନାମକୁ ଗୋପନ ରଖାଯାଇଥିଲା ବା ନାମଟିଏ ପାଇଁ ଛଦ୍ମନାମ ‘-ଶ୍ରୀ’କୁ ବଛାଯାଇଥିଲା। କିନ୍ତୁ ମଧୁସୂଦନଙ୍କର ପଞ୍ଚମ ଓ ଷଷ୍ଠ କବିତା ପ୍ରକାଶ ପାଇଥିଲା ତାଙ୍କ ନିଜ ନାମରେ।
ସେହି ଦୁଇ କବିତା (ପଞ୍ଚମ ଓ ଷଷ୍ଠ)କୁ ଯିବା ଆଗରୁ, ଆଉ ଟିକିଏ ଯିବା ଚତୁର୍ଥ କବିତା ପାଖକୁ। ଏହି ସ୍ତମ୍ଭର ପୂର୍ବ ଲେଖା (୨୧ ଏପ୍ରିଲ୍‌, ୨୦୨୩)ରେ ସୂଚିତ, ଯେ ସେ କବିତାର ଶୀର୍ଷକ ଥିଲା ‘ସନ୍ତାନର ଉକ୍ତି’। ତୃତୀୟ କବିତା ‘ଜନନୀର ଉକ୍ତି’ରେ ଜନନୀ ବା ଉତ୍କଳମାତା ତା’ର ସନ୍ତାନମାନଙ୍କୁ ଖୋଜି ପାଉ ନଥିଲେ; ଏବଂ ଚତୁର୍ଥ କବିତା ‘ସନ୍ତାନର ଉକ୍ତି’ରେ ଉତ୍କଳସନ୍ତାନ ତାଙ୍କର ମାତାଙ୍କୁ ଖୋଜି ପାଇ ନଥିଲେ।
କିନ୍ତୁ ଉତ୍କଳସନ୍ତାନ ଉତ୍କଳମାତାଙ୍କୁ ଖୋଜିବାର ସେଇ ଚିତ୍ରଟି କିପରି ଥିଲା? ତାହାର ଅତି ସୁନ୍ଦର ବର୍ଣ୍ଣନା ‘ସନ୍ତାନର ଉକ୍ତି’ରେ ଅଛି। କବି ଶ୍ରୀ ମଧୁସୂଦନ ତାହାର ଅତ୍ୟନ୍ତ ମାର୍ମିକ ଚିତ୍ର ଦେଇଛନ୍ତି ସେହି କବିତାରେ। କହିଛନ୍ତି-
“ଖୋଜିଲି ଅରଣ୍ୟେ ଜନ ସମାଜରେ
ଖୋଜିଲି ବାରିଧି ତଟ,
ସର୍ବତ୍ର ଦେଖିଲି ମାତା ପଦଚିହ୍ନ
ନ ହେଲା ମାତାର ଭେଟ।
ଏ ପ୍ରସଙ୍ଗରେ ସେ କହିଛନ୍ତି- ସେଦିନର ଉତ୍କଳରେ ମାତାଙ୍କର ପଦଚିହ୍ନ ଅବଶ୍ୟ ମିଳୁ ଥିଲା; କିନ୍ତୁ ମାତା ମିଳୁ ନଥିଲେ। ତାହାର ବର୍ଣ୍ଣନା କରି ସେ କହିଛନ୍ତି-
“ଭୁବନେଶ୍ୱରରେ ପଦଚିହ୍ନ ପରେ
ଲେଖାଅଛି ‘ରାଜରାଣୀ’,
ନୀଳାଚଳ ଧାମେ ପୂଜା ପାଉଅଛି
ହିନ୍ଦୁଜାତି ମଥାମଣି।”
ଅର୍ଥାତ୍‌, ଉତ୍କଳର ଏକାମ୍ର କ୍ଷେତ୍ରରେ ‘ରାଜରାଣୀ’ ମନ୍ଦିର ପରି କୀର୍ତ୍ତି ଅଛି; ନୀଳାଚଳ ଧାମରେ ବି ହିନ୍ଦୁଜାତିର ମଥାମଣି ରୂପେ ଶ୍ରୀଜଗନ୍ନାଥ ପୂଜା ପାଉଛନ୍ତି; ଅଥଚ ଉତ୍କଳମାତା ନାହାନ୍ତି।
କାହିଁକି ନାହାନ୍ତି, ତାହାର କାରଣ ବି ସେହି କବିତାରେ ସେ ଦେଇଛନ୍ତି। କହିଛନ୍ତି- ଶାସ୍ତ୍ରରେ ଯେପରି ବର୍ଣ୍ଣିତ ଅଛି, ଯେ ସତୀ ସୀତାଙ୍କର ଅପମାନରେ ଧରା ବିଦୀର୍ଣ୍ଣ ହୋଇଥିଲା; ମହୀର ହୃଦୟରେ ସୀତାଦେବୀ ଆଶ୍ରୟ ନେଇଥିଲେ; ସେହିପରି, ଉତ୍କଳ ଜନନୀ ଅପମାନିତା ହୋଇ ଉତ୍କଳର ଭୂମଧ୍ୟରେ ଆତ୍ମଗୋପନ କରିଛନ୍ତି। ଉତ୍କଳସନ୍ତାନମାନେ ରୋଦନ କଲେ ତାଙ୍କର ଦର୍ଶନ ପାଇବେ ନାହିଁ। ଚାତକ ଯେପରି ତୃଷାରେ କାତର ହୋଇ ଗଗନକୁ ଚାହିଁ ଜଳପାଇଁ ଆତୁର ଡାକ ଦିଏ, ସେହିପରି, କୋଟିଏ ସନ୍ତାନ ଗୋଟିଏ ସ୍ୱରରେ ‘ଜନନୀ’ ‘ଜନନୀ’ ଡାକ ଦେଲେ ହିଁ ସେହି ମାତାକୁ ପାଇବେ। ଉତ୍କଳର ମାଟିକୁ ଆଲିଙ୍ଗନ କରି ତା’ ଧୂଳି ଦେହରେ ବୋଳିଲେ ହିଁ ସେହି ମାତାଙ୍କର ଦର୍ଶନ ମିଳି ପାରିବ। ସ୍ୱାର୍ଥକୁ ଆହୁତି ଦେଇ, ଏକ ପ୍ରାଣ ହୋଇ, ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କଲେ ହିଁ ମାଆକୁ ପାଇବାର ସାଧନା ସଫଳ ହେବ।
ଏ କବିତା ସମେତ, କବି ଶ୍ରୀ ମଧୁସୂଦନଙ୍କର ପ୍ରଥମ ଚାରିଟିଯାକ କବିତା ପ୍ରକାଶ ପାଇଥିଲା ଅକ୍ଟୋବର, ୧୯୧୪ରୁ ଡିସେମ୍ବର ୧୯୧୪ ମଧ୍ୟରେ। ସେତେବେଳକୁ ‘ଉତ୍କଳ ସମ୍ମିଳନୀ’ର ଗଠନକୁ ଦୀର୍ଘ ଦଶବର୍ଷ ବିତି ସାରିଥିଲା। ଏଥିରେ କୌଣସି ଦ୍ୱିମତ ନାହିଁ ଯେ ମଧୁସୂଦନ ହିଁ ଆରମ୍ଭରୁ ଥିଲେ ତାହାର ପ୍ରମୁଖ କର୍ତ୍ତା।
କବି ଶ୍ରୀ ମଧୁସୂଦନଙ୍କ ପଞ୍ଚମ କବିତାର ରଚନାକାଳ ଅକ୍ଟୋବର, ୧୯୧୫ ଏବଂ ତାହାର ଶିରୋନାମ ‘ସମ୍ମିଳନୀ’। ତାହା ମଧ୍ୟ ‘ଜାତୀୟ ଗୀତ’ ଶୀର୍ଷକରେ ‘ମୁକୁର’ ପତ୍ରିକା (ଦଶମ ବର୍ଷ, ସପ୍ତମ ସଂଖ୍ୟା)ରେ ପ୍ରକାଶ ପାଇଥିଲା।
୧୯୦୩, ଅକ୍ଟୋବର ୨୫ ତାରିଖ ‘ଉତ୍କଳ ସମ୍ମିଳନୀ’ର ଜନ୍ମତିଥି। କଟକର କନିକା ରାଜବାଟୀରେ ଶୁଭାରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ମଧୁସୂଦନ ଯେଉଁ ଭାଷଣ ଦେଇଥିଲେ, ତାହାର ମୁଖ୍ୟ ପ୍ରସଙ୍ଗ ଥିଲା ‘ଜାତି’। ସେହି ‘ଜାତି’ ସମାଜରେ ପ୍ରଚଳିତ ‘ଜାତି’ ନଥିଲା; ଥିଲା ଉତ୍କଳୀୟ ମହାଜାତି। ଓଡ଼ିଆ ଜାତି। ସେହି ଉପଲକ୍ଷେ ‘ଉତ୍କଳ ସମ୍ମିଳନୀ ସଭା ୧୯୦୩- ଉଦ୍ଦେଶ୍ୟ’ ଶୀର୍ଷକରେ ଏକ ଉପକ୍ରମଣିକା ଲେଖିଥିଲେ ନିଜେ ମଧୁସୂଦନ। ତାହାର ଆରମ୍ଭରେ ସେ କହିଥିଲେ, “ଇଉରୋପରେ ନେଶନ ଅର୍ଥାତ୍ ଜାତି ଶବ୍ଦ ଗୋଟିଏ ରାଷ୍ଟ୍ର ବା ଦେଶର ଲୋକସମୂହକୁ ବୁଝାଏ। ଇଉରୋପୀୟ ଜାତିସମୂହ ପରସ୍ପରଠାରୁ ଯେଉଁ ପରିମାଣରେ ବିଭିନ୍ନ, ଭାରତବର୍ଷର ପ୍ରାଦେଶିକ ଲୋକସମୂହ ସେହିପରି ନାନା ବିଷୟରେ ପରସ୍ପରଠାରୁ ପରିମାଣରେ ବିଭିନ୍ନ। ଏହି ହେତୁରୁ ଭାରତବର୍ଷରେ ଜାତୀୟତା ଏହି ଶବ୍ଦ ଗୋଟିଏ ବିଶେଷ ଅର୍ଥରେ ବ୍ୟବହୃତ ହେବାର ଦେଖାଯାଏ। ଏକ ଜାତିର କେତେକ ବ୍ୟକ୍ତି ସହିତ ଅନ୍ୟ ଏକ ଜାତିର କେତେକ ବ୍ୟକ୍ତିଙ୍କର ପରସ୍ପର ବିରୋଧ ଥିବାର ଦେଖାଗଲେ, ଲୋକେ ଭ୍ରମରେ ପଡ଼ି ବ୍ୟକ୍ତିଗତ ବିରୋଧକୁ ଜାତୀୟ ବିଦ୍ୱେଷରେ ପରିଣତ କରିବାକୁ ଚେଷ୍ଟା କରନ୍ତି। ଏହା ଦୁଇ ଜାତି ବା ସମାଜ ମଧ୍ୟରେ ମିତ୍ରଭାବ-ରକ୍ଷା-ପକ୍ଷରେ ଗୋଟିଏ ମହା ପ୍ରତିବନ୍ଧକ ଅଟେ। ଲୋକେ ଧୀର ଭାବରେ ବିଚାର ନକରି ଯେତେଦିନ ଯାଏ ଏହିପରି ଦ୍ୱେଷଭାବର ଉତ୍ତେଜନାରେ ଚାଳିତ ହେଉଥିବେ, ସେ ପର୍ଯ୍ୟନ୍ତ ଦୁଇ ଜାତି ମଧ୍ୟରେ ମିତ୍ରଭାବ ବର୍ଦ୍ଧିତ ହେବା ଅସମ୍ଭବ। ଅତଏବ ଦୁଇ ଜାତି ବା ସମାଜ ମଧ୍ୟରେ ମିତ୍ରତା ବର୍ଦ୍ଧନ କରିବାପାଇଁ, ଦୃଢ଼ ନିର୍ବନ୍ଧ ସହିତ କୌଣସି ଜାତୀୟ ଅନୁଷ୍ଠାନ କରିବା ଏକାନ୍ତ ଆବଶ୍ୟକ।”
ଏଇଥିପାଇଁ ହିଁ, ସେଦିନ, ଓଡ଼ିଶାରେ ଓଡ଼ିଆ ଜାତିକୁ ମିତ୍ରତାର ବନ୍ଧନରେ ବାନ୍ଧି, ଜାତୀୟ କାର୍ଯ୍ୟରେ ପ୍ରବୃତ୍ତ କରିବା ପାଇଁ ‘ଉତ୍କଳ ସମ୍ମିଳନୀ’ର ପ୍ରତିଷ୍ଠା ହୋଇଥିଲା।
ଏହି ପରିପ୍ରେକ୍ଷୀରେ, ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠାର ‘ଉଦ୍ଦେଶ୍ୟ’ କ’ଣ, ତାହାର ଅବତାରଣା ମଧ୍ୟ ବିସ୍ତୃତ ଭାବରେ କରିଥିଲେ ମଧୁସୂଦନ। ସେଥିରେ ସେ କହିଛନ୍ତି, “ପୂର୍ବେ ଆମ୍ଭମାନଙ୍କର ଏହି ଉତ୍କଳ ଦେଶ ଭାରତବର୍ଷର ଅନ୍ୟାନ୍ୟ ଦେଶମାନଙ୍କ ମଧ୍ୟରେ ଗୋଟିଏ ଉଚ୍ଚସ୍ଥାନ ଅଧିକାର କରିଥିଲା। ଉତ୍କଳ ଦେଶ ଅର୍ଥରେ ଆମ୍ଭେମାନେ ଓଡ଼ିଶା, ଗଞ୍ଜାମ ଓ ସମ୍ବଲପୁର ଏବଂ ଯେତେ ସ୍ଥାନରେ ଓଡ଼ିଆ ଭାଷା ଚଳୁଅଛି, ସେ ସମସ୍ତ ଅଞ୍ଚଳକୁ ନେଇଅଛୁ। ପୂର୍ବେ ଏ ସବୁ ଜିଲା ଉତ୍କଳ ମଧ୍ୟରେ ଗଣାଯାଉଥିଲା। ଏକ ସମୟରେ ଓଡ଼ିଶାର ସୀମା ଗଙ୍ଗାନଦୀଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଲାଗିଥିଲା। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ପୂର୍ବେ ଶିଳ୍ପ, ବାଣିଜ୍ୟ, ଧର୍ମ ଓ ସାହିତ୍ୟରେ ଢେର ଉନ୍ନତି କରିଥିଲେ। ଆମ୍ଭମାନଙ୍କ ଦେଶର ରାଜାମାନେ ନିଜ ବାହୁବଳରେ ଉତ୍ତରରେ ଏବଂ ଦକ୍ଷିଣରେ କେତେକ ରାଜ୍ୟ ଜୟ କରିଥିଲେ। ଓଡ଼ିଶାର ରାଜାମାନେ ‘ଗଜପତି’ ପଦରେ ଭୂଷିତ ହୋଇଥିଲେ। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ବାଣିଜ୍ୟ କରିବା ନିମନ୍ତେ ବୋଇତରେ ସମୁଦ୍ରପାରି ହୋଇ ଯାବା, ବୋର୍ଣ୍ଣିଓ, ବାଲି ଦ୍ୱୀପ ପର୍ଯ୍ୟନ୍ତ ଯାଉଥିଲେ; କଟକ କାଠଯୋଡ଼ୀ ଓ ମହାନଦୀର ପଥରବନ୍ଧ, ଭୁବନେଶ୍ୱର ଓ ପୁରୀର ବିଚିତ୍ର ଦେଉଳମାନ ତିଆରି କରିଥିଲେ; ପୁରୀଠାରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରି ଜାତିଭେଦ ଉଠାଇ ଦେଇଥିଲେ; ହିନ୍ଦୁଧର୍ମ ଓ ବୌଦ୍ଧଧର୍ମ ଭିତରେ ଅମେଳ ଭାଙ୍ଗିଥିଲେ; କାରିଗରି ଓ ବୁଦ୍ଧିବଳରେ କଣାରକଠାରେ ଗୋଟିଏ ବିଚିତ୍ର ଦେଉଳ ତିଆରି କରି ତାକୁ ଚକ ଉପରେ ଠିଆ କରାଇଥିଲେ।”
ଏହିପରି, ଖାଲି ବହିର୍ବାଣିଜ୍ୟ, ରାଜ୍ୟଜୟ ଏବଂ ମନ୍ଦିର ପରି ମହାକୀର୍ତ୍ତି ଏବଂ ଶ୍ରୀଜଗନ୍ନାଥଙ୍କ ପରି ମୈତ୍ରୀଦେବତାଙ୍କର କଥା ନୁହେଁ; ଏ ଓଡ଼ିଆ ମହାଜାତିର ଅନ୍ୟାନ୍ୟ ବହୁ କୃତି ଓ କୀର୍ତ୍ତିର ଗାଥା ମଧ୍ୟ ସେ ଏହି ‘ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ’ ଶୀର୍ଷକ ଆଲେଖ୍ୟରେ ବଖାଣିଛନ୍ତି। ପ୍ରସଙ୍ଗକ୍ରମେ ଗୋଟିଏ ଉଦାହରଣ ଦେଇ କହିଛନ୍ତି, “ହାତ ହାତର କାର୍ଯ୍ୟ କରୁ, ଗୋଡ଼ ଗୋଡ଼ର କାର୍ଯ୍ୟ କରୁ, ମୁଣ୍ଡ ମୁଣ୍ଡ କାର୍ଯ୍ୟରେ ଲାଗୁ, ଆଖି ଆଖିର କାର୍ଯ୍ୟ କରୁ; ଦେଖିବ ଶରୀରଯାକ ଏକ ହୋଇ ସୁରୁଖୁରୁ ହୋଇ ସୁସ୍ଥ ରହିବ; କୌଣସିଆଡୁ ଟିକିଏ ଖଇଚା ହେଲେ ସମୁଦାୟ ଯନ୍ତ୍ରଟି ବିଗିଡ଼ିଯିବ।”
ଏଣୁ, ସେଦିନ ସମସ୍ତଙ୍କୁ ନେଇ ଗଠିତ ହୋଇଥିଲା ‘ଉତ୍କଳ ସମ୍ମିଳନୀ’। ତାହାର ସୀମା ମଧ୍ୟରେ ରାଜନୈତିକ ଆନ୍ଦୋଳନ ଓ ଧର୍ମ ସମ୍ବନ୍ଧୀୟ ତର୍କ ପାଇଁ ସ୍ଥାନ ନଥିଲା। ମଧୁସୂଦନ ସ୍ପଷ୍ଟ ଭାବେ କହିଥିଲେ, “ରାଜନୈତିକ ଚର୍ଚ୍ଚା କରିବାକୁ ହେଲେ ଅନ୍ୟର ବା ସରକାର ବାହାଦୁରଙ୍କର କାର୍ଯ୍ୟକଳାପର ଦୋଷାଦୋଷ ବିବେଚନା କରିବାକୁ ହେବ; କିନ୍ତୁ ଧୀର ଭାବରେ ଉତ୍କଳର ବର୍ତ୍ତମାନର ଅବସ୍ଥା ଭାବିଲେ ସ୍ଥିରହେବ ଯେ ଅନ୍ୟର ଦୋଷ ଧରିବାପାଇଁ ପଦାକୁ ବାହାରିବା ପୂର୍ବରୁ, ଆପଣାର ଦୋଷ ସଂଶୋଧନ କରି, ଆପଣା ଉପରେ ନିର୍ଭର କରି ଉନ୍ନତି କରିବାକୁ ହେବ।” ସେହିପରି, ଧର୍ମ ବାବଦରେ ସେ କହିଥିଲେ, “ସବୁ ଧର୍ମର ମୂଳରେ ସେହି ଅନନ୍ତ ମହାମହୀୟାନ୍ ପରମେଶ୍ୱର ବିରାଜମାନ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ୍‌, ବ୍ରାହ୍ମ, ସମସ୍ତେ ସେହି ଅଭୟ ପାଦପଦ୍ମରେ ଶରଣାଗତ ହୁଅନ୍ତି। ଅତଏବ ସମସ୍ତଙ୍କର ମୂଳ ଭିତ୍ତି ସେହି ବ୍ରହ୍ମାଣ୍ଡ ଠାକୁର; ତାଙ୍କର ନାମ ଧରି କୌଣସି କାର୍ଯ୍ୟରେ ହାତ ଦେଲେ କେଉଁ ସଂପ୍ରଦାୟର କିଛି ଆପତ୍ତି ନାହିଁ; ବରଂଚ ମୂଳରେ ଏହିପରି ଗୋଟିଏ ଜୀବନ୍ତ ବନ୍ଧନ ନ ରହିଲେ, ଏ ସମ୍ମିଳନୀ ରୂପ ବୃହତ୍‌କାର୍ଯ୍ୟ ମଙ୍ଗଳମୟ ହୋଇଉଠିବାର ଅସମ୍ଭବ। ସେଇଥିପାଇଁ ଏ ସମ୍ମିଳନୀର ଆରମ୍ଭରେ ମାତୃପୂଜା କରି ବସିବା ପୂର୍ବରୁ ଭଗବାନଙ୍କ ନାମ ସ୍ମରଣ କରି, ସେହି ତେଜୋମୟଙ୍କ ବଳରେ ବଳୀୟାନ୍ ହୋଇ, ଆମ୍ଭେମାନେ କାର୍ଯ୍ୟ ଆରମ୍ଭ କରିଅଛୁଁ। ଯାହାଙ୍କ ନାମ କୀର୍ତ୍ତନରେ କେଉଁ ସଂପ୍ରଦାୟର କିଛି ଆପତ୍ତି ହୋଇ ନ ପାରେ, ସେହି ମଙ୍ଗଳମୟଙ୍କ ନାମ ଧରି ଆମ୍ଭେମାନେ ସମ୍ମିଳନୀର କାର୍ଯ୍ୟ ଆରମ୍ଭ କରିଅଛୁ। ... ଏ ଦୁଇ ବିଷୟରେ ତର୍କ ନ କରି କିପରି ଉତ୍କଳୀୟମାନଙ୍କର ଉନ୍ନତି ହେବ, ଏହା ହିଁ ଏହି ସମ୍ମିଳନୀର ଉଦ୍ଦେଶ୍ୟ।”
କିନ୍ତୁ ପ୍ରଥମ ଦିନରୁ, ‘ଉତ୍କଳ ସମ୍ମିଳନୀ’ର ଜନ୍ମଲଗ୍ନରୁ, ଏସବୁ କଥା ସ୍ପଷ୍ଟ କରିବା ପରେ; ଏବଂ ବର୍ଷ ପରେ ବର୍ଷ ଏ କଥାଟିକୁ ବିଭିନ୍ନ ବୈଠକ ଓ ଅଭିଭାଷଣ ଆଦିରେ ଉଦ୍‌ବୋଧିତ କରିବା ପରେ, ମଧୁସୂଦନ ଲକ୍ଷ୍ୟ କରିଥିଲେ ଯେ ସ୍ୱାର୍ଥରେ ବ୍ୟସ୍ତ ‘ମନ’ମାନେ ଜାତିର ଉନ୍ନତି ନିମନ୍ତେ ଆଗ୍ରହୀ ନୁହନ୍ତି। ତେଣୁ, ଦୀର୍ଘ ପ୍ରାୟ ଏକ ଦଶନ୍ଧି ପରେ, ସେ ପ୍ରଥମ କବିତା ‘ଜଣାଣ’ଠାରୁ ଆରମ୍ଭ କରି, ‘ଉତ୍କଳ ସନ୍ତାନ’, ‘ଜନନୀର ଉକ୍ତି’ ଓ ‘ସନ୍ତାନର ଉକ୍ତି’ କବିତା ଚତୁଷ୍ଟୟ ମଧ୍ୟରେ, ନିଜ ଅନ୍ତରର କ୍ଷୋଭ, ଆବେଦନ, ନିବେଦନ ଆଦିକୁ ଅତି ମାର୍ମିକ ଭାବରେ ପ୍ରକାଶ କରିଥିଲେ। ପ୍ରଥମ ଦୁଇଟି କବିତା ‘ମୁକୁର’ ପତ୍ରିକାର ସଂପାଦକଙ୍କୁ ପଠାଇବା ବେଳେ ‘ଏମ.ଏସ୍‌. ଦାସ’ ନାଆଁରେ ଯେଉଁ ଚିଠି ସେ ଲେଖିଥିଲେ, ସେଥିରେ କହିଥିଲେ, “ବାଳକ ବାଳିକାମାନଙ୍କ ମନରେ ସ୍ୱଦେଶପ୍ରେମ ଜାଗ୍ରତ କରିବା ଆମ୍ଭର ଅଭିପ୍ରାୟ। ବାଳକ ବାଳିକାମାନେ ପଦ୍ୟରେ ରଚିତ ଉପଦେଶମାନ ଯେତେ ଶୀଘ୍ର ମନେ ରଖିପାରନ୍ତି, ଗଦ୍ୟରେ ରଚିତ ହେଲେ ସେପରି ପାରନ୍ତି ନାହିଁ। ତେଣୁ କରି ଆମ୍ଭର ମନୋଭାବ ପଦ୍ୟରେ ପ୍ରକାଶ କଲୁଁ।”
ଏଣୁ, କବି ଶ୍ରୀ ମଧୁସୂଦନଙ୍କର ଅଭିପ୍ରାୟ ଥିଲା- ଯାହା ଦଶବର୍ଷ ଧରି ଗଦ୍ୟରେ ନହେଲା, ତାହା ଅନ୍ତତଃ ପଦ୍ୟରେ ହେଉ!
ତେଣୁ, ବିନା ନାମରେ ଓ ଛଦ୍ମନାମରେ ଚାରିଟି କବିତା ଲେଖିବା ପରେ, ସେ ପଞ୍ଚମ କବିତା ପ୍ରତ୍ୟକ୍ଷ ଭାବେ ‘ଉତ୍କଳ ସମ୍ମିଳନୀ’କୁ ନେଇ ହିଁ ଲେଖିଥିଲେ। ତାହାର ଶୀର୍ଷକ ଥିଲା ‘ସମ୍ମିଳନୀ’।
ମୋ: ୯୪୩୭୦ ୩୪୮୦୪