କବି ଶ୍ରୀ ମଧୁସୂଦନଙ୍କ ତୃତୀୟ କବିତା ‘ଜନନୀର ଉକ୍ତି’। ଏହା ପ୍ରକାଶ ପାଇଥିଲା ସାପ୍ତାହିକ ‘ଆଶା’ ସମ୍ବାଦପତ୍ରର ଦ୍ୱିତୀୟ ବର୍ଷ, ଚତୁର୍ଦ୍ଦଶ ସଂଖ୍ୟା, ୧୭ ଡିସେମ୍ବର, ୧୯୧୪ରେ। ପ୍ରକାଶ ସମୟରେ ଏହାର ଶୀର୍ଷକ ଥିଲା ‘ଉତ୍କଳମାତାର ଖେଦୋକ୍ତି’। କିନ୍ତୁ କୌତୂହଳର ବିଷୟ ଏହି, ଯେ ସେଥିରେ କବିଙ୍କର ନାମ ଗୋପନ ରହିଥିଲା। ମଧୁବାବୁଙ୍କର ଜଣେ ତରୁଣ ବନ୍ଧୁ ପାରେଶ୍ୱର ମହାନ୍ତି ତାହା ‘ଆଶା’ର ସଂପାଦକଙ୍କୁ ପ୍ରକାଶ ପାଇଁ ପଠାଇ, ସେ ବାବଦରେ ଲେଖିଥିବା ଚିଠିରେ କହିଥିଲେ-
“ମହାଶୟ,
ମୋହର ଜଣେ ବନ୍ଧୁଙ୍କର ରଚିତ ଗୋଟିଏ ପଦ୍ୟ ଘଟଣାକ୍ରମେ ମୋହର ହସ୍ତଗତ ହେଲା। ମୁଁ ତାହାକୁ ଏଥିସହିତ ଆପଣଙ୍କ ନିକଟକୁ ପଠାଇଲି। ପଦ୍ୟଟି ମୋହର ମନକୁ ବିଶେଷ ରୂପେ ଲାଗିବାରୁ ମୁଁ ତାହା ପ୍ରକାଶ କରିବାକୁ ଆପଣଙ୍କଠାକୁ ପଠାଇଲି।
ଆପଣଙ୍କର
ଶ୍ରୀ ପାରେଶ୍ୱର ମହାନ୍ତି”
ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୭ ଏପ୍ରିଲ୍‌, ୨୦୨୩)ରେ ସୂଚିତ ଅଛି, ଯେ ମଧୁସୂଦନଙ୍କର ପ୍ରଥମ ଦୁଇ କବିତା, ‘ଜଣାଣ’ ଓ ‘ଉତ୍କଳ ସନ୍ତାନ’ ପ୍ରଥମେ ‘ମୁକୁର’ ପତ୍ରିକାର ନବମ ବର୍ଷ, ସପ୍ତମ ସଂଖ୍ୟା (ଅକ୍ଟୋବର ୧୯୧୪)ରେ ଏକତ୍ର ପ୍ରକାଶ ପାଇଥିଲା। ତାହାର ଶୀର୍ଷକ ଥିଲା ‘ଜାତୀୟ ଗୀତ’। ମଧୁସୂଦନଙ୍କର ଏହି ତୃତୀୟ କବିତା ବାବଦରେ ଗୋଟିଏ ସୂଚନାଯୋଗ୍ୟ ତଥ୍ୟ ହେଉଛି, ଏ କବିତାଟି ମଧ୍ୟ ସେହି ‘ମୁକୁର’ ପତ୍ରିକାର ପରବର୍ତ୍ତୀ ସଂଖ୍ୟା (ନବମ ବର୍ଷ, ଅଷ୍ଟମ ଓ ନବମ ସଂଖ୍ୟା, ନଭେମ୍ବର-ଡିସେମ୍ବର ୧୯୧୪)ରେ, ‘ଜାତୀୟ ଗୀତ’ ଶୀର୍ଷକରେ ପ୍ରକାଶ ପାଇଥିଲା। କିନ୍ତୁ ଏ ବାବଦରେ ଆଉ ଗୋଟିଏ ସୂଚନାଯୋଗ୍ୟ ତଥ୍ୟ ହେଉଛି, ସାପ୍ତାହିକ ‘ଆଶା’ରେ କବିଙ୍କର ନାମ ଉଲ୍ଲେଖ ନଥିବା ବେଳେ, ‘ମୁକୁର’ରେ କବିଙ୍କର ନାମ ଥିଲା ‘ଶ୍ରୀ’।
ପୂର୍ବସୂଚିତ, ଯେ ମୂଳରୁ ଏ କବିତାର ଶୀର୍ଷକ ଥିଲା ‘ଉତ୍କଳ ମାତାର ଖେଦୋକ୍ତି’। ପରବର୍ତ୍ତୀ କାଳରେ ଏହା ‘ଜନନୀର ଉକ୍ତି’ ଶୀର୍ଷକରେ ସଂକଳିତ। କାରଣ, ଏହାର ପରବର୍ତ୍ତୀ, ଚତୁର୍ଥ କବିତାର ଶୀର୍ଷକ ଥିଲା ‘ସନ୍ତାନର ଉକ୍ତି’। ତାହା ମଧ୍ୟ ‘ମୁକୁର’ର ସେହି ନବମବର୍ଷ, ଅଷ୍ଟମ-ନବମ ସଂଖ୍ୟା (ନଭେମ୍ବର-ଡିସେମ୍ବର, ୧୯୧୪)ରେ ପ୍ରକାଶ ପାଇଥିଲା। ତାହାର ଲେଖକ ଭାବରେ ମଧ୍ୟ ସେହି ‘ଶ୍ରୀ’ଙ୍କର ଉଲ୍ଲେଖ ଥିଲା। ଏଣୁ, ମଧୁସୂଦନଙ୍କର ଏ ଦୁଇ କବିତା ମଧ୍ୟରେ ଅଛି ଏକ ଆତ୍ମିକ ସଂଯୋଗସୂତ୍ର।
‘ଉତ୍କଳ ମାତାର ଖେଦୋକ୍ତି’ ବା ‘ଜନନୀର ଉକ୍ତି’ରେ ଅତ୍ୟନ୍ତ ମାର୍ମିକ ଭାବରେ ପ୍ରକାଶ ପାଇଛି ଉତ୍କଳମାତାର ଖେଦ। ଉତ୍କଳମାତା କହିଛନ୍ତି-
“ମାତା ମାତା ରବ ବହୁଦିନ ହେଲା ଦୂରରୁ ଶୁଣିଛି ମୁହିଁ,
ଦୂରରୁ ଶବଦ ପବନ ଆଣୁଛି ନିକଟରେ କେହି ନାହିଁ।”
ସେତେବେଳେ, ଉତ୍କଳବାସୀ ବା ଉତ୍କଳମାତାର ସନ୍ତାନମାନଙ୍କର ମାତୃପ୍ରୀତିର ଆନ୍ତରିକତା ନେଇ ମଧୁସୂଦନ ସନ୍ଦିହାନ ଥିଲେ। କାରଣ, ଉତ୍କଳମାତାଙ୍କ ପ୍ରତି ନିଜର କଥାରେ ପ୍ରୀତି ପ୍ରଦର୍ଶନ କରୁଥିବା ସନ୍ତାନମାନେ, ପ୍ରକୃତ କର୍ମକ୍ଷେତ୍ରରେ ପରିଲକ୍ଷିତ ହେଉ ନଥିଲେ। ସେଥିପାଇଁ ଉତ୍କଳମାତାଙ୍କ ‘ଖେଦ’ ରୂପେ ଏ କବିତାରେ ସେ କହିଛନ୍ତି-
“ଗର୍ଭେ ଧରିଥିଲି ଶତ କର୍ମବୀର
ସେମାନେ ଡାକିଲେ ନାହିଁ,
ବାକ୍ୟବୀରଙ୍କର ରବ ଶୁଭୁଅଛି
କର୍ମବୀରେ ଗଲେ କାହିଁ?”
କିନ୍ତୁ ମଧୁସୂଦନ କାହିଁକି ସେଦିନ ଏ କବିତାଟିକୁ ‘ଆଶା’ରେ ବିନା ନାମରେ ଏବଂ ‘ମୁକୁର’ରେ ‘ଶ୍ରୀ’ ଛଦ୍ମ ନାମରେ ପ୍ରକାଶ କରିଥିଲେ? ଏ କବିତାର ପର ପଦରେ ଅଛି ତାହାର ସୂଚନା। ସେହି ପଦଟି ହେଉଛି-
“ଏକ ପୁତ୍ର ମୋର ନୀଳାଚଳ ଧାମେ
ଉଡ଼ାଇଲା ମୋର ଧ୍ୱଜା,
ସମସ୍ତ ଭାଇଙ୍କୁ କୋଳେ ବସାଇଲା
ଭେଦ ନାହିଁ ରାଜା ପ୍ରଜା।”
ଏ ପ୍ରସଙ୍ଗରେ ସ୍ମରଣୀୟ, ଯେ ଏହାର ପ୍ରାୟ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ପୂର୍ବେ, ୧୮୮୨ ମସିହାରେ ଘଟିଥିଲା ଉତ୍କଳ ଇତିହାସର ସେହି ଗୁରୁତ୍ୱପୂର୍ଣ୍ଣ ଘଟଣା- ପୁରୀର ନାବାଳକ ରାଜା ମୁକୁନ୍ଦଦେବଙ୍କୁ ସ୍ୱୀକୃତି ଦେବା ନେଇ ଦ୍ୱନ୍ଦ୍ୱ। ଖୋର୍ଦ୍ଧାରାଣୀ ସୂର୍ଯ୍ୟମଣି ପାଟ ମହାଦେଈ ସେହି ପରିପ୍ରେକ୍ଷୀରେ ସେ ବାବଦ ମୋକଦ୍ଦମା ଚଳାଇବାର ଦାୟିତ୍ୱ ମଧୁସୂଦନଙ୍କୁ ଦେଇଥିଲେ।
ସେହି ବର୍ଷ ପୁରୀର ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ସୂର୍ଯ୍ୟମଣି ପାଟ ମହାଦେଈଙ୍କର ନାତି ଜଗନ୍ନାଥ ଜେନାମଣିଙ୍କୁ ରାଜା ମୁକୁନ୍ଦଦେବ ତୃତୀୟ ନାମରେ ଅଭିଷିକ୍ତ କରିବା ନିମନ୍ତେ ଏକ ଆବେଦନପତ୍ରର ଚିଠା କରିଥିଲେ ମଧୁସୂଦନ। ପରବର୍ତ୍ତୀ କାଳରେ, ୧୮୮୭ରେ, ସେ ନେଇ ଦାଖଲ ହୋଇଥିବା ଅପିଲ କେଶ୍‌ର ଆଇନଗତ ବ୍ୟାଖ୍ୟାନ ଓ ତର୍ଜମା ସହିତ ସ୍ୱତନ୍ତ୍ର ନୋଟ୍ ମଧ୍ୟ ସେ ପ୍ରସ୍ତୁତ କରିଥିଲେ। ତାହାର ଆଧାରରେ ଅନ୍ୟ ଆଇନଜୀବୀମାନେ ସେହି ମାମଲା ଲଢ଼ିଥିଲେ। ମଧୁସୂଦନ ଦାସଙ୍କ ପ୍ରସ୍ତୁତ ତଥ୍ୟାବଳୀ ଏପରି ଯୁକ୍ତିନିଷ୍ଠ ଓ ଶାଣିତ ଥିଲା ଯେ ତାହାର ଆଧାରରେ ଲଢ଼ାଯାଇଥିବା ମାମଲାରେ ରାଣୀ ସୂର୍ଯ୍ୟମଣି ପାଟ ମହାଦେଈ ବିଜୟୀ ଘୋଷିତ ହୋଇଥିଲେ। ସେହି ଘଟଣାରୁ ରାଣୀ ସୂର୍ଯ୍ୟମଣି କିପରି ମଧୁସୂଦନଙ୍କୁ ନିଜର ‘ଧର୍ମପୁତ୍ର’ କରି ନେଇଥିଲେ, ତାହାର ପ୍ରମାଣ ତାଙ୍କର ଏକ ହାତଲେଖା ଚିଠିରେ ଅଛି। ସେହି ହାତଲେଖା ଚିଠିଟି ଶ୍ରୀଜଗନ୍ନାଥ ମନ୍ଦିରରର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀଙ୍କ ‘ଶ୍ରୀମନ୍ଦିର ଇତିହାସର କେତେକ ଛିନ୍ନପୃଷ୍ଠା’ ପୁସ୍ତକରେ ସଂକଳିତ ହୋଇଛି। ସୁରେନ୍ଦ୍ର ମହାନ୍ତି ମଧ୍ୟ ମଧୁସୂଦନଙ୍କୁ ନେଇ ରଚିତ ତାଙ୍କର ଚରିତ ଉପନ୍ୟାସ ‘ଶତାବ୍ଦୀର ସୂର୍ଯ୍ୟ’ର ତ୍ରୟୋଦଶ ଓ ଷୋଡ଼ଶ ଅଧ୍ୟାୟରେ ତାହାର ବିସ୍ତୃତ ବିବରଣୀ ଦେଇଛନ୍ତି। ଷୋଡ଼ଶ ଅଧ୍ୟାୟର ଶେଷରେ ସେ ଲେଖିଛନ୍ତି, “ପୁରୀ ରାଜା ମୁକୁନ୍ଦଦେବଙ୍କ ରାଜା-ସନନ୍ଦ ପ୍ରାପ୍ତିରେ ଅଖ୍ୟାତ ଓକିଲ ମଧୁସୂଦନଙ୍କ ଯଶ ଗୌରବ ଚାରିଆଡ଼େ ବିଚ୍ଛୁରିତ ହୋଇପଡ଼ିଲା। ଅନେକ ଦିନ ପର୍ଯ୍ୟନ୍ତ ଲୋକମୁଖରେ ସେଇ ଗୋଟିଏ କଥା ଲାଗି ରହିଥିଲା, “ମଧୁବାବୁ ଓକିଲ ଯୋଗୁଁ ସିନା ଦଶବର୍ଷର ବାଳୁତ ଜଗନ୍ନାଥ ଜେନାମଣି ରାଜା ମୁକୁନ୍ଦଦେବ ହୋଇପାରିଲେ।”
ସେଦିନ ମଧୁସୂଦନ, ତାଙ୍କ ‘ଜନନୀର ଉକ୍ତି’ କବିତାରେ “ଏକପୁତ୍ର ମୋର ନୀଳାଚଳ ଧାମେ ଉଡ଼ାଇଲା ମୋର ଧ୍ୱଜା” ମାଧ୍ୟମରେ, ଉତ୍କଳବାସୀଙ୍କୁ ସେହି କଥା ସ୍ମରଣ କରାଇ ଦେଇ, ସମସ୍ତେ ତାଙ୍କ ପରି ହୁଅନ୍ତୁ ବୋଲି କହିବାକୁ ଚାହିଁଥିଲେ। ସେଥିପାଇଁ ସେହି କବିତାକୁ ବିନା ନାମରେ ବା ‘ଶ୍ରୀ’ ଛଦ୍ମନାମରେ ହିଁ ପ୍ରକାଶ କରିବାକୁ ଦେଇଥିଲେ। କିନ୍ତୁ ସେ ଲକ୍ଷ୍ୟ କରିଥିଲେ, ଯେ ନା ଅଦୂର ଅତୀତର ଏ କଥା, ନା ଇତିହାସରେ ଅମର କୀର୍ତ୍ତି ଉତ୍‌କୀର୍ଣ୍ଣ କରିଯାଇଥିବା ଅତୀତର ଉତ୍କଳ ସନ୍ତାନଙ୍କର କଥା- କେଉଁଥିରେ ହେଲେ ବି ଉଦ୍‌ବୁଦ୍ଧ ହେବାର ପ୍ରବଣତା ଉତ୍କଳବାସୀଙ୍କର ନାହିଁ। ସେଥିପାଇଁ ଉତ୍କଳ ଜନନୀଙ୍କ ଖେଦୋକ୍ତି କ୍ରମରେ ସେ କହିଥିଲେ-
“ଇତିହାସ ତୂରୀ ଜଗତେ ଘୋଷୁଛି
ମୋର ସୁତଙ୍କର ଯଶ
ତାଙ୍କର ବଂଶଜ ଘୃଣିତ ଓଡ଼ିଆ
ଏହା ମୋ କପାଳ ଦୋଷ।”
ସେତେବେଳେ ଓଡ଼ିଶା ଯେଉଁ ସ୍ଥିତିରେ ଥିଲା, ତାହା ଥିଲା ଅତ୍ୟନ୍ତ ଦୟନୀୟ। ଉତ୍କଳ ଜନନୀ ଥିଲେ ରୋରୁଦ୍ୟମାନା। କିନ୍ତୁ ସେ ରୋରୁଦ୍ୟମାନା ହେଲେ ମଧ୍ୟ, ମଧୁସୂଦନ ଜାଣିଥିଲେ, ତାଙ୍କର ଶିରାପ୍ରଶିରାରେ ପ୍ରବାହିତ ହେଉଛି ବୀରପ୍ରସବିନୀର ରକ୍ତ। ତାହା ଉତ୍କଳବାସୀଙ୍କ ଶିରାପ୍ରଶିରାରେ ପ୍ରବାହିତ ହେଉ ବୋଲି ସେ ଚାହୁଁଥିଲେ। ସେଥିପାଇଁ ପରିଶେଷରେ ‘ଜନନୀର ଉକ୍ତି’ ରୂପେ ଉତ୍କଳ ସନ୍ତାନକୁ ଆହ୍ୱାନ କରି କହିଥିଲେ-
“ନାହିଁ ମୋର ମାନ ନାହିଁ ମୋର ଧନ
ବଦନେ ଲାଗିଛି ଧୂଳି,
ବୀର ପ୍ରସବିନୀ ଶୋଣିତ ରହିଛି
ତୋ ଶିରାରେ ଦେବି ଢାଳି।
ସେ ଶୋଣିତ ବଳେ ବୁଦ୍ଧିର କୌଶଳେ
ହେବୁ ତୁହି କର୍ମବୀର,
ଅତି ଅଳ୍ପ ଦିନେ ପ୍ରଭୁଙ୍କ କୃପାରେ
ତୋର ଦୁଃଖ ହେବ ଦୂର।”
‘ଜନନୀର ଉକ୍ତି’ ପରେ, ସ୍ୱାଭାବିକ ଭାବରେ ମଧୁସୂଦନଙ୍କର ଚତୁର୍ଥ କବିତା ଥିଲା ‘ସନ୍ତାନର ଉକ୍ତି’। ମାତୃଭକ୍ତ ‘ଉତ୍କଳ ସନ୍ତାନ’ର ଅନ୍ତରର ଆକୁତି ଅତ୍ୟନ୍ତ ଆବେଗପୂର୍ଣ୍ଣ ଭାବରେ ଏ କବିତାରେ ରୂପାୟିତ; ଯାହା ଭିତରେ ଗୋଟାପଣେ ମଧୁସୂଦନ ହିଁ ଦେଖାଯାଆନ୍ତି। କାରଣ, ଉତ୍କଳମାତାର ଦୁଃଖ ଦୂର କରିବାକୁ ଯେଉଁ ଭାଇମାନଙ୍କୁ ସେ ସେତେବେଳେ ଖୋଜୁଥିଲେ, ପାଉ ନଥିଲେ। ଉତ୍କଳ ମାତାର ସ୍ଥିତି ମଧ୍ୟ ସେତେବେଳେ ଥିଲା ସଂକଟରେ। ସେ କବିତା ଅତ୍ୟନ୍ତ ଲୋକପ୍ରିୟ। ତାହାର ପ୍ରଥମ ପଙ୍‌କ୍ତି ହେଉଛି-
“ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନ ଦେଲେ ଉତ୍ତର କେହି।”
ଏ କବିତା ଆବୃତ୍ତି କଲେ, ତା’ ପଛରେ ଥିବା ମଧୁସୂଦନଙ୍କର ହୃଦୟର ସ୍ପନ୍ଦନ ଆଜି ବି ଅନୁଭବ କରିହୁଏ। ସେଦିନ ତାଙ୍କର ଆକୁଳ ଆହ୍ୱାନ ଥିଲା- ହେ ଓଡ଼ିଆ ଭାଇମାନେ, ଆସ; ଆମେ ମିଳିମିଶି ଉତ୍କଳମାତାର ଦୁଃଖ ଦୂର କରିବା! ତାହାର ମାର୍ଗ ମଧ୍ୟ ସେଦିନ ସେ ନିର୍ଦ୍ଦେଶ କରିଥିଲେ। କହିଥିଲେ-
“ଜନନୀର ଦେଖା କରିବାରେ ଇଚ୍ଛା
ଯଦି ହୋଇଥାଏ ମନେ,
ଉତ୍କଳର ମାଟି ଆଲିଙ୍ଗନ କରି
ତା ଧୂଳି ଲେପ ବଦନେ।”
କେବଳ ଏତିକି ନୁହେଁ; ସେହି କବିତାରେ ସେ ଆହୁରି ମଧ୍ୟ କହିଥିଲେ-
“କୋଟିଏ ସନ୍ତାନ ଗୋଟିଏ ସ୍ୱରରେ
‘ଜନନୀ’, ‘ଜନନୀ’ ଡାକ,
ତୃଷ୍ଣାରେ କାତର ଗଗନକୁ ଚାହିଁ
ଯେସନେ ଡାକେ ଚାତକ।”
କବି ଶ୍ରୀ ମଧୁସୂଦନଙ୍କ ଭାବନା ଅନୁସାରେ, ସେଦିନ ତାହା କେବଳ ଉତ୍କଳ ସନ୍ତାନଙ୍କର ଏକ କର୍ତ୍ତବ୍ୟ ନଥିଲା; ଥିଲା ଏକ ଯଜ୍ଞ। ଏକ ‘ସ୍ୱାର୍ଥମେଧ ଯଜ୍ଞ’। ସେ ଯଜ୍ଞର ପବିତ୍ର ଅଗ୍ନି- ଜାତିପ୍ରେମ ବହ୍ନି। ସେଥିରେ ସ୍ୱାର୍ଥକୁ ଆହୁତି ଦେବାର ପ୍ରୟୋଜନ ରହିଥିଲା। ସେଥିପାଇଁ ସେ କହିଥିଲେ-
“ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର
ସ୍ୱାର୍ଥକୁ ଦିଅ ଆହୁତି,
‘ସ୍ୱାର୍ଥମେଧ ଯଜ୍ଞ’ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି।”
ତାହା ହେଲେ ହିଁ, ଉତ୍କଳ ସନ୍ତାନ ଖୋଜି ପାଇ ପାରୁ ନଥିବା ତା’ ମାଆକୁ; ଡାକିଲେ ଉତ୍ତର ମିଳୁନଥିବା ତା’ ଭାଇକୁ ପାଇପାରିବ, ଏ ବିଶ୍ୱାସ ସେଦିନ ପୋଷଣ କରିଥିଲେ ମଧୁସୂଦନ। ସେଥିପାଇଁ ପରିଶେଷରେ ସେ ସେହି ଭବିତବ୍ୟରେ ଦୃଢ଼ ବିଶ୍ୱାସୀ ହୋଇ କହିଥିଲେ- ଏହା ହେଲେ ଭୂମିକମ୍ପ ଘଟି ପୃଥ୍ୱୀ ବିଦୀର୍ଣ୍ଣ ହେବ। ସେଥିରୁ ଆବିର୍ଭୂତ ହେବେ ସହସ୍ରଭୁଜା। ତାଙ୍କରି ଭିତରେ ଉତ୍କଳ ସନ୍ତାନ ଖୋଜି ପାଇବ ତାର ମାତାଙ୍କୁ। ଏବଂ, ସେହି ମାତା ହିଁ ହେବେ ତା’ର ପରିତ୍ରାତା।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ଆଜି ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ୮୬ ବର୍ଷ ପୂରିଲାଣି। କିନ୍ତୁ ୧୦୮ ବର୍ଷ ତଳେ ଲେଖା ଏ କବିତାର ସ୍ପନ୍ଦନ ଆଜି ବି ଅନୁଭୂତ ହେଉଛି। ଆଜି ବି ଅନୁଭୂତ ହେଉଛି ଏ କବିତାର ପ୍ରାସଙ୍ଗିକତା। ଏହା ହିଁ କବି ଶ୍ରୀ ମଧୁସୂଦନଙ୍କର ବିଶେଷତ୍ୱ।
ମୋ: ୯୪୩୭୦ ୩୪୮୦୪