ରାତି ପାହିଲେ ଏପ୍ରିଲ୍ ୧୩। ପ୍ରତିବର୍ଷ ପ୍ରାୟ ଏହି ତାରିଖରେ ବା ତା’ ପରଦିନ, ପାଳିତ ହୁଏ ମହାବିଷୁବ ସଂକ୍ରାନ୍ତି। ଓଡ଼ିଶାରେ ଏହି ଦିନଟିକୁ ହନୁମାନ ଜୟନ୍ତୀ ରୂପେ ବି ପାଳନ କରାଯାଏ। ପ୍ରାୟ ସମସ୍ତେ ଏହାକୁ ଓଡ଼ିଆ ନବବର୍ଷ ଭାବରେ ବି ପାଳନ କରନ୍ତି। କାରଣ, ଏହା ବୈଶାଖ ସଂକ୍ରାନ୍ତି। ସୌରବର୍ଷର ପ୍ରଥମ ଦିନ। କିନ୍ତୁ ଏହିସବୁ ଆମୋଦପ୍ରମୋଦ ଓ ପର୍ବଉତ୍ସବ ପାଳନ ଭିତରେ ପ୍ରାୟ ସମସ୍ତେ ଭୁଲିଯାଆନ୍ତି, ଯେ ଏହି ଦିନଟି ହେଉଛି ଓଡ଼ିଶାର ଜଣେ ପ୍ରଣମ୍ୟ ପୁରୁଷଙ୍କର ପୁଣ୍ୟତିଥି। ସେ ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର ମିଶ୍ର।
ଗୋବିନ୍ଦ ଚନ୍ଦ୍ର ମିଶ୍ର କିଏ? ଏ ପ୍ରଶ୍ନର ଉତ୍ତର ଆଜି ହୁଏତ ଅନେକେ ହଠାତ୍ ଦେଇ ପାରିବେ ନାହିଁ। ତେବେ ଏ ପ୍ରଶ୍ନର ଗୋଟିଏ ଉତ୍ତର ଅଛି, ଆଜିଠୁ ୫୮ ବର୍ଷ ତଳର, ୧୯୬୬ ମସିହା ଏପ୍ରିଲ୍ ୧୬ ତାରିଖ ‘ପ୍ରଜାତନ୍ତ୍ର’ ଦୈନିକର ଏକ ସମ୍ବାଦରେ। ସେହି ସମ୍ବାଦର ଶିରୋନାମ ହେଉଛି, ‘ପ୍ରବୀଣ ବିପ୍ଳବୀ ନେତା ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପରଲୋକ।’ ତାହାର କେତୋଟି ଧାଡ଼ି ଏହିପରି-
“ଓଡ଼ିଶାର ବିପ୍ଳବୀ ବୟୋବୃଦ୍ଧ ନେତା ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ଗତ ୧୩ ତାରିଖ ସଂଧ୍ୟା ୭.୧୫ ମିନିଟ୍ରେ ଏଠାରେ (କଟକଠାରେ) ପରଲୋକ ହୋଇ ଯାଇଚି। ମୃତ୍ୟୁ ବେଳକୁ ଶ୍ରୀ ମିଶ୍ରଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ହୃଦ୍ରୋଗରେ ଆକ୍ରାନ୍ତ ହୋଇ ସେ ତାଙ୍କର ପୁତ୍ର ଆଡ଼ଭୋକେଟ ଶ୍ରୀନିବାସ ମିଶ୍ରଙ୍କ ବାସଭବନରେ ହଠାତ୍ ଟଳିପଡ଼ିଲେ ଏବଂ ଆଉ ତାଙ୍କର ଚେତା ଫେରିଲା ନାହିଁ।
ଶ୍ରୀ ମିଶ୍ରଙ୍କର ଅଚେତ ହେବାର ସମ୍ବାଦ ପାଇ ବିଷୁବ ମିଳନ ଉତ୍ସବ ଛାଡ଼ି ଡକ୍ଟର ହରେକୃଷ୍ଣ ମହତାବ ଓ ଶ୍ରୀ ରାଧାନାଥ ରଥ ପ୍ରମୁଖ ତାଙ୍କ ବାସଭବନକୁ ଯାଇଥିଲେ ଓ ତାଙ୍କୁ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରିଥିଲେ। ମାତ୍ର ଡାକ୍ତରଖାନାରେ ସେ ଅଧଘଣ୍ଟା ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ... ତାଙ୍କର ମୃତ୍ୟୁ ସମ୍ବାଦ ପାଇ କଟକ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ଛାତ୍ର ଓ ଜନସାଧାରଣ ତାଙ୍କର ଶେଷ ଦର୍ଶନ ପାଇଁ ଯାଇଥିଲେ। ବିଷୁବ ମିଳନ ସଂଧ୍ୟା ସାହିତ୍ୟ ଅଧିବେଶନରେ ତାଙ୍କର ଆତ୍ମାର ଶାନ୍ତି ପାଇଁ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା।
ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ପ୍ରତି ଶ୍ରଦ୍ଧାଜ୍ଞାପନ କରି କହିଥିଲେ ଯେ ଶ୍ରୀ ମିଶ୍ର ଆଜୀବନ ଦେଶସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ଯେପରି ଦୁଃଖ, ଅଭାବରେ କାଳାତିପାତ କରିଛନ୍ତି ତାହା କଳନା କରି ହେବ ନାହିଁ। ... ତାଙ୍କର ଶେଷଦର୍ଶନ ପାଇଁ ବହୁ ବ୍ୟକ୍ତି ତାଙ୍କର ବାସଭବନକୁ ଯାଇଥିଲେ। ଡକ୍ଟର ହରେକୃଷ୍ଣ ମହତାବ, ସମାଜ ପକ୍ଷରୁ ଶ୍ରୀ ରାଧାନାଥ ରଥ, ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ନେତାଜୀ ଜୟନ୍ତୀ କମିଟି ପକ୍ଷରୁ ଶ୍ରୀ ତ୍ରୈଲୋକ୍ୟନାଥ ମହାନ୍ତି, କଟକ ଜିଲ୍ଲା ଭିନ୍ନମତାବଲମ୍ବୀ କଂଗ୍ରେସ ପକ୍ଷରୁ ଶ୍ରୀ ବିଶ୍ୱମ୍ଭର ପରିଡ଼ା, ଶ୍ରମିକନେତା ଶ୍ରୀ ସତ୍ୟବାଦୀ ମିଶ୍ର ଓ ଶ୍ରୀମତୀ ରତ୍ନମାଳି ଜେମା ପ୍ରମୁଖ ସ୍ୱର୍ଗୀୟ ମିଶ୍ରଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।”
ସେଦିନର ସମ୍ବାଦପତ୍ରରୁ ଏହି ଦୀର୍ଘ ଉଦ୍ଧୃତି ଦେବାର ଉଦ୍ଦେଶ୍ୟ ଏହି, ଯେ ସେଦିନର ସେହି ପ୍ରମୁଖ ବିପ୍ଳବୀ ନେତାଙ୍କୁ ଏହି ପ୍ରାୟ ଛଅ ଦଶନ୍ଧି ଭିତରେ ଆମେ ପ୍ରାୟ ଭୁଲିଯାଇଛୁ। ଏପରିକି, ତାଙ୍କର ପ୍ରତିମୂର୍ତ୍ତିଟିଏ ବି ପୁରୁଣା ରାଜଧାନୀ କଟକ ବା ନୂଆ ରାଜଧାନୀ ଭୁବନେଶ୍ୱରରେ ନାହିଁ।
୧୮୮୮ ମସିହା, ପୌଷ କୃଷ୍ଣ ଚତୁର୍ଦ୍ଦଶୀରେ, ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ଜନ୍ମ। ତାଙ୍କର ପିତା ବୈଦ୍ୟନାଥ ମିଶ୍ର ଓ ମାଆ କମଳାଦେବୀ। ସ୍କୁଲ୍ ଶିକ୍ଷା ସମାପ୍ତ କରି ଉଚ୍ଚଶିକ୍ଷା ପାଇଁ ସେ ଆସିଥିଲେ କଟକ ଏବଂ ସେହି ସମୟରୁ ତାଙ୍କର ବୈପ୍ଳବିକ ଜୀବନଯାତ୍ରାର ଆରମ୍ଭ। ଦଶପଲ୍ଲା ପ୍ରଜାମେଳି ବିପକ୍ଷରେ ରାଜସାକ୍ଷୀ ହେବାକୁ ମନା କରିଦେବା ଯୋଗୁଁ ତାଙ୍କୁ ଆତ୍ମଗୋପନ କରିବାକୁ ପଡ଼ିଥିଲା। କଲିକତାରେ ଗୋପନରେ ରହିଥିବାବେଳେ, ଧରାପଡ଼ିଯିବା ମୁହୂର୍ତ୍ତରେ ସେ ଗାନ୍ଧୀ ସେବାଶ୍ରମ ସାବରମତୀକୁ ଚାଲିଯାଇଥିଲେ। ନିଜକୁ ଦେଶସେବା ପାଇଁ ପ୍ରସ୍ତୁତ କରିଥିଲେ। ସନ୍ଥ ବିନୋବାଙ୍କ ସହିତ ଗୋଟିଏ ତମ୍ବୁରେ ରହିବାର ସୌଭାଗ୍ୟ ପାଇଥିଲେ। ସି.ଏଫ୍. ଆଣ୍ଡ୍ରୁଜଙ୍କ ସହିତ ଘନିଷ୍ଠ ହୋଇଥିଲେ।
ଏସବୁର ବିବରଣୀ ଗୋବିନ୍ଦ ଚନ୍ଦ୍ରଙ୍କ ଆତ୍ମଜୀବନୀ ‘ଜାତୀୟ ଜୀବନର ଆତ୍ମବିକାଶ’ରେ ଅଛି। ତାହା ସେତେବେଳେ ତିନିଭାଗରେ ପ୍ରକାଶ ପାଇଥିଲା ଏବଂ ୧୯୫୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବି ପାଇଛି। ଏହା ବ୍ୟତୀତ ଗୋବିନ୍ଦଚନ୍ଦ୍ରଙ୍କର ରହିଛି ଅନ୍ୟାନ୍ୟ ରଚନା। ତାଙ୍କର ଗ୍ରନ୍ଥାବଳି ୧୯୯୮ରେ କଟକର ‘ଆର୍ଯ୍ୟ ପ୍ରକାଶନ’ ଦ୍ୱାରା ଦୁଇଖଣ୍ଡରେ ସଂକଳିତ ହୋଇଛି।
ଏହି ଆତ୍ମଜୀବନୀରେ ଗୋବିନ୍ଦ ଚନ୍ଦ୍ର ନିଜର ପିଲାଦିନ ସଂପର୍କରେ ଏକ ରୋଚକ ବିବରଣୀ ଦେଇଛନ୍ତି। ସେ କହିଛନ୍ତି, “ସନ୍ତାନ ଜନ୍ମପାଇଁ ମୋ ମାତା ବହୁତ ଓଷାବ୍ରତ କଲାପରେ ମୋର ଜନ୍ମ ହେଲା। ମୋ ଜନ୍ମ ହେବା ପରେ ମୋ ପିତାମାତା ମୋତେ ପୁରୁଣା ଦଶପଲ୍ଲା ଗଡ଼ରେ ଥିବା ପ୍ରସିଦ୍ଧ ବଳଭଦ୍ର ଠାକୁରଙ୍କ ନିକଟରେ ବନ୍ଧା ପକାଇ ଦେଇଥିଲେ।... କିନ୍ତୁ ମୋତେ ଆଉ ମୋ ପିତାମାତା ମୁକୁଳାଇ ନାହାନ୍ତି। ମୋତେ ମୁକୁଳାଇବାର ସମୟ ଉପସ୍ଥିତ ହେବା ପୂର୍ବରୁ ସେମାନେ ସଂସାର ଛାଡ଼ି ଚାଲିଗଲେ। ଆଜି ପର୍ଯ୍ୟନ୍ତ ମୁଁ ଠାକୁରଙ୍କ ନିକଟରେ ବନ୍ଧା ରହିଅଛି। ଏଥିଯୋଗୁଁ ମୁଁ ଦିଅଁଙ୍କର; ଏହି କଥାଟି ମୋତେ ଗୋଟିଏ ବଡ଼ ଯୁକ୍ତି ଯୋଗାଇଛି। ମୋର ନିକଟ ସଂପର୍କୀୟ ବ୍ୟକ୍ତିସବୁ ଦେଶକାର୍ଯ୍ୟରୁ ନିବୃତ୍ତ ହୋଇ ସଂସାର ଭିତରେ ପ୍ରବେଶ କରିବା ପାଇଁ ମୋ ସହିତ ଯୁକ୍ତି କଲାବେଳେ ମୁଁ କହିଥାଏ, ମୁଁ ବଳଭଦ୍ର ଠାକୁରଙ୍କ ନିକଟରେ ବନ୍ଧା ଅଛି। ମୁଁ ଠାକୁରଙ୍କ କାର୍ଯ୍ୟ କରିବି। ସଂସାର କଥା ଆଉ ମୋତେ କାହିଁକି କହୁଛ?”
ଏହାର ଶେଷଭାଗରେ ତାଙ୍କର ଶେଷକଥା ବି ଅଛି। ୧୯୫୬ ଡିସେମ୍ବର ୬ ତାରିଖରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ଦେଶର ସ୍ଥିତି ଓ ଦେଶଲୋକଙ୍କ ମାନସିକତା ତାଙ୍କୁ ବିବ୍ରତ କରୁଥିଲା। ସେ ସଂପର୍କରେ ସେ କହିଛନ୍ତି, “ମନୁଷ୍ୟ ଯେଉଁ ଦେଶରେ ଜନ୍ମଗ୍ରହଣ କରେ, ସେ ହେଉଛି ସେ ଦେଶର ଅଧିକାରୀ। ଅଧିକାରର ପ୍ରଶ୍ନ ଥିଲେ ଦାୟିତ୍ୱର କଥା ନିଶ୍ଚୟ ଅଛି। ମନୁଷ୍ୟ ଯାହାକୁ ନିଜର ବୋଲି ଭାବେ, ସେଠାରେ ଅଧିକାର ବିସ୍ତାର କରିବାକୁ ଲାଳାୟିତ ହୁଏ। କିନ୍ତୁ ଅଧିକାର ପାଇଲା ମାତ୍ରକେ ଉକ୍ତ ଦ୍ରବ୍ୟକୁ ନିଜର ବୋଲି ଭାବି ତହିଁରେ ଦେଖାଯାଉଥିବା ତ୍ରୁଟିକୁ ସଂଶୋଧନ କରିବାକୁ ବ୍ୟାକୁଳ ହେବା ଉଚିତ। କିନ୍ତୁ ଲୋକେ ଅଧିକାର ବଳରେ କେବଳ ସୁବିଧା ଖୋଜୁଛନ୍ତି ଏବଂ ଦାୟିତ୍ୱ କଥାଟି କାହାରି ମନରେ ନଥିବାରୁ ସବୁପ୍ରକାର ବିଭ୍ରାଟ ଉପୁଜୁଛି।”
ଏପରି ସ୍ଥିତିରେ ସେଦିନ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ଆଶା କେବଳ କଂଗ୍ରେସ ଉପରେ ହିଁ ଥିଲା। ସେଥିପାଇଁ ସେ ସେଥିରେ କହିଛନ୍ତି, “କଂଗ୍ରେସର ପତାକା ତଳେ କାର୍ଯ୍ୟ କରି ଜୀବନ ଆସି ନିର୍ବାଣ ମୁଖରେ ପହୁଞ୍ଚିଲାଣି। କଂଗ୍ରେସର ନାମ ଶୁଣିବାମାତ୍ରକେ ମନ ଓ ହୃଦୟରେ ଅପୂର୍ବ ବଳ ସଞ୍ଚାରିତ ହେଉଥିଲା। କଂଗ୍ରେସର ପତାକା ଆମ୍ଭମାନଙ୍କର ଆଶା ଓ ଆକାଂକ୍ଷାର ପ୍ରତୀକ ଥିଲା। ଆଜି ମଧ୍ୟ ସେହି ଆଶା ଓ ବିଶ୍ୱାସ ଆମ୍ଭମାନଙ୍କର କଂଗ୍ରେସ ଉପରେ ରହିଛି। କିନ୍ତୁ ଦେଶରେ ବହୁ ଲୋକ କଂଗ୍ରେସ ଉପରୁ ଆସ୍ଥା ହରେଇଲା ପରି ଜଣାପଡ଼ୁଛି। କଂଗ୍ରେସକୁ ବାଦ୍ ଦେଲେ ଭାରତରେ ବର୍ତ୍ତମାନ ଉପୁଜୁଥିବା ସମସ୍ୟାମାନଙ୍କର ସମାଧାନ କିଏ କରିବ? ଏହି ପ୍ରଶ୍ନ ମନରେ ଜାଗି ଉଠେ।”
ଏହି ପରିପ୍ରେକ୍ଷୀରେ ସେ ରାଜ୍ୟସଭାକୁ ନିର୍ବାଚିତ ହେବା ପ୍ରସଙ୍ଗରେ କହିଛନ୍ତି, “ରାଜ୍ୟସଭାରେ ଓଡ଼ିଶାର ସଭ୍ୟସଂଖ୍ୟା ଦଶ ଜଣ। କାର୍ଯ୍ୟ କରିବାକୁ ଗୋଟିଏ ସୁଯୋଗ ଘଟିଛି। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦେଶସେବାରେ ଏ ଜୀବନ ଲୀନ ହେଉ।” ତାହାହିଁ ହୋଇଥିଲା, ୧୯୬୬ ଏପ୍ରିଲ୍ ୧୩ ତାରିଖ ଦିନ ତାଙ୍କର ଜୀବନ ଲୀନ ହୋଇଗଲା।
ଜୀବନର ଶେଷଦିନ ପର୍ଯ୍ୟନ୍ତ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ ଦେଶସେବୀ। ପଦାଧିକାରୀ ଓ ପ୍ରତିପତ୍ତିସଂପନ୍ନମାନଙ୍କର ପ୍ରବଳ ଚାପ ସତ୍ତ୍ୱେ, ଶେଷ ସୁଦ୍ଧା ସେ ୧୯୧୪ର ଦଶପଲ୍ଲା କନ୍ଧମେଳି ବିରୋଧରେ ରାଜସାକ୍ଷୀ ହେବାକୁ ମନା କରିଦେଇଥିଲେ ଏବଂ ଲୁଚି ପଳାଇ ଯାଇ ଆତ୍ମରକ୍ଷା କରିଥିଲେ। ପୁରୀରେ ସେ ସାକ୍ଷାତ୍ କରିଥିଲେ ଗୋପବନ୍ଧୁ ଦାସଙ୍କୁ। ଗୋପବନ୍ଧୁ ତାଙ୍କୁ କହିଥିଲେ, “ତୁମେ ଜଙ୍ଗଲ ରାଜ୍ୟରୁ ଆସିଛ। ଈଶ୍ୱରଙ୍କ କୃପାରୁ କିଛି ଆଲୋକ ପାଇଛ। ଦଶପଲ୍ଲା କନ୍ଧ ପ୍ରଜା ଜଙ୍ଗଲୀ ଓ ମୂର୍ଖ। ସେମାନେ ଆଜି ନ୍ୟାୟ ଓ ସତ୍ୟ ବୋଲି ଯାହା ମନେକଲେ, ସେଥିପାଇଁ ନିଜର ଧନ, ଜୀବନ, ସ୍ତ୍ରୀ, ପୁତ୍ର, କନ୍ୟା ଆଦି ସମସ୍ତ ବଳି ଦେଇ ଅଛନ୍ତି। ଦଶପଲ୍ଲାରେ ଅଗ୍ନି ଜଳୁଛି। ସେ ଅଗ୍ନି କେବେ କିପରି ଶାନ୍ତ ହେବ ଏବଂ କାହାଦ୍ୱାରା ହେବ, ସେ କଥା କେବଳ ସେହି ମଙ୍ଗଳମୟ ବିଭୁଙ୍କୁ ଜଣା। ଏପରି ଅବସ୍ଥାରେ ସେହି ଜ୍ୱଳନ୍ତ ଅଗ୍ନିରେ ଆହୁତି ଦେଇ ସେହି ଅଗ୍ନିର ଦାଉକୁ ବଢ଼ାଇବ, କିମ୍ବା ତାହାକୁ ନିର୍ବାପିତ କରିବାପାଇଁ ନିଜକୁ ବଳି ଦେବ, ଏହା ତୁମେ ଭାବି ସ୍ଥିର କର।” ଗୋପବନ୍ଧୁ ତାଙ୍କୁ ଏହା କହିବାବେଳେ ନିଜେ କାନ୍ଦୁଥିଲେ; ଗୋବିନ୍ଦ ଚନ୍ଦ୍ର ବି କାନ୍ଦୁଥିଲେ।
ସେଦିନ ତାଙ୍କୁ ଗୋପବନ୍ଧୁ କହିଥିଲେ, “ଗୋବିନ୍ଦ, କାନ୍ଦିଲେ କ’ଣ ହେବ। ଯାହା ସତ୍ୟ, ଯାହା ନ୍ୟାୟ ବୋଲି ଭାବୁଛ, ସେହି ପଥ ତୁମେ ଅନୁସରଣ କର। ପ୍ରଭୁ ତୁମର ସହାୟ ହେବେ। ମନୁଷ୍ୟର ସାହାଯ୍ୟ କିଛି ନୁହେଁ। ଈଶ୍ୱରଙ୍କର କୃପା ଓ ତାହାଙ୍କର ଅନୁଗ୍ରହ ମନୁଷ୍ୟର ଏକମାତ୍ର ସମ୍ବଳ। ତୁମେ ସେହି ସମ୍ବଳ ଲାଭ କରିବାକୁ ପ୍ରସ୍ତୁତ ହୁଅ।”
ତାହା ପରେ, ଘଟଣାକ୍ରମେ, କଲିକତା ଓ ଶାନ୍ତିନିକେତନ ଆଦି ହୋଇ, ଗୋବିନ୍ଦଚନ୍ଦ୍ର ଯାଇ ପହଞ୍ଚିଥିଲେ ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମରେ। ଶାନ୍ତିନିକେତନ ଯିବା ପଛରେ ତାଙ୍କର ଇଚ୍ଛା ଥିଲା ଗାନ୍ଧୀଜୀଙ୍କୁ ଭେଟି ସବୁକଥା ଜଣାଇବା। କିନ୍ତୁ ସେ ପହଞ୍ଚିବା ବେଳକୁ ଗାନ୍ଧୀଜୀ ସେଠାରୁ ଚାଲିଯାଇଥିଲେ। ସେଠାରେ ସେ ରବୀନ୍ଦ୍ରନାଥଙ୍କୁ ଭେଟିଥିଲେ ଏବଂ ରବୀନ୍ଦ୍ରନାଥ ଆଣ୍ଡ୍ରୁଜ୍ ସାହେବଙ୍କୁ “ଓଡ଼ିଶାର ଏହି ବାଳକଟିକୁ ସାହାଯ୍ୟ କର” ବୋଲି କହିଥିଲେ। ଆଣ୍ଡ୍ରୁଜ୍ ତାଙ୍କୁ ଭରସା ଦେଇ କହିଥିଲେ, “ତୁମେ ମୋ ନିକଟକୁ ଆସି ତୁମର କର୍ତ୍ତବ୍ୟ ପୂର୍ଣ୍ଣ କରିସାରିଛ। ମୋତେ ବିଶ୍ୱାସ କର, ବର୍ତ୍ତମାନ ତୁମପାଇଁ ଓ ତୁମ ଦେଶଲୋକଙ୍କପାଇଁ ଯାହା କିଛି କରିବାର ମୁଁ କରିବି।”
ସେଦିନ ଅବଶ୍ୟ ଆଣ୍ଡ୍ରୁଜ୍ ସାହେବ ଦଶପଲ୍ଲା ଘଟଣା ସଂପର୍କରେ ଭାରତର ବଡ଼ଲାଟ ଲର୍ଡ ହାର୍ଡିଞ୍ଜଙ୍କୁ ଲେଖି ଜଣାଇଥିଲେ; ମାତ୍ର ଦଶପଲ୍ଲାରେ ସେପରି କିଛି ଘଟିନାହିଁ ବୋଲି ବଡ଼ଲାଟ ଉତ୍ତର ଦେଇଥିଲେ। ତେବେ ପରେ, ସେହି ଆଣ୍ଡ୍ରୁଜ୍ଙ୍କ ପରାମର୍ଶରେ, ଗୋବିନ୍ଦ ଚନ୍ଦ୍ର ଯାଇ ପହଞ୍ଚିଥିଲେ ଗାନ୍ଧୀଜୀଙ୍କ ସାବରମତୀରେ।
୧୯୧୮ ନଭେମ୍ବରରେ ସାବରମତୀ ଯାଇ ପହଞ୍ଚିଥିଲେ ସେ। ସେଠାରେ ଆରମ୍ଭ ହୋଇଥିଲା ତାଙ୍କର ସତ୍ୟାଗ୍ରହୀ ଜୀବନ। ସେ ହୋଇଥିଲେ ଓଡ଼ିଶାର ପ୍ରଥମ ସତ୍ୟାଗ୍ରହୀ।
ସେତେବେଳେ ସେ ହିଁ ‘ପୁରୀର ଦୁର୍ଭିକ୍ଷ’ ସଂପର୍କରେ ଗାନ୍ଧୀଜୀଙ୍କୁ ପ୍ରଥମେ ଅବଗତ କରାଇଥିଲେ। ଏ ସଂପର୍କରେ ‘ଜାତୀୟ ଜୀବନର ଆତ୍ମବିକାଶ’ରେ ସେ କହିଛନ୍ତି, “ଅସହଯୋଗ ଆନ୍ଦୋଳନକୁ ଏ ଦେଶରେ କିପରି ପ୍ରବର୍ତ୍ତାଇବେ, ଏ ବିଷୟ ନେଇ ସବୁବେଳେ ସେ (ଗାନ୍ଧୀଜୀ) ଚିନ୍ତା କରୁଥାନ୍ତି। ଏପରି ଅବସ୍ଥାରେ କେଉଁଠାରେ ଓଡ଼ିଶା ତାହା ସେ ଭଲକରି ଜାଣନ୍ତି କି ନା ସନ୍ଦେହ। ଏପରି ଅବସ୍ଥାରେ ଓଡ଼ିଶା ପରି ଗୋଟାଏ ପ୍ରଦେଶରେ, ପୁରୀ ନାମକ କୌଣସି ଜିଲ୍ଲାରେ, କ’ଣ ଦୁର୍ଭିକ୍ଷ ହେଉଛି, ସେ କଥାକୁ ସେ ବେଶୀ ଗୁରୁତ୍ୱ ଦିଅନ୍ତି ନାହିଁ।”
ଏ ସଂପର୍କରେ ସେ ଆହୁରି ମଧ୍ୟ ଲେଖିଛନ୍ତି, “କିନ୍ତୁ ମୁଁ ଯେଉଁକଥା ଆରମ୍ଭ କରିଛି ତହିଁର ଶେଷସୀମାକୁ ନ ଗଲା ପର୍ଯ୍ୟନ୍ତ ନିରବ ରହିବା ପ୍ରକୃତିର ଲୋକ ନୁହେଁ। ମୁଁ ଟିକିଏ ସୁବିଧା ପାଇଲେ ପୁରୀ ଦୁର୍ଭିକ୍ଷର ପ୍ରଶ୍ନ ପକାଏ। ଓଡ଼ିଶାର ନେତାମାନଙ୍କର ନାମ କହିଲାବେଳେ ଗୋପବନ୍ଧୁଙ୍କ ନାମ କହେ। ଏହିପରି ଥରକୁ ଥର ମୋ’ଠାରୁ ଶୁଣି ଗୋପବନ୍ଧୁ ଦାସ କିଏ, କ’ଣ କରନ୍ତି ବୋଲି ମହାତ୍ମାଜୀ ମୋତେ ପଚାରିବାରୁ, ମୁଁ କହିଲି- ଗୋପବନ୍ଧୁ ଓଡ଼ିଶାର ଗାନ୍ଧୀ।”
ଏଣୁ ପରେ ଯେ ଗାନ୍ଧୀଜୀ ‘ପୁରୀର ଦୁର୍ଭିକ୍ଷ’ ଓ ‘ଓଡ଼ିଶାର ଦାରିଦ୍ର୍ୟ’ ପ୍ରତି ବିଶେଷ ଦୃଷ୍ଟି ଦେଲେ, ତାହାର ମୂଳରେ ଥିଲେ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଗାନ୍ଧୀଜୀଙ୍କୁ ଗୋପବନ୍ଧୁଙ୍କ ସଂପର୍କରେ ଜଣାଇବା ମୂଳରେ ମଧ୍ୟ ସେ ଥିଲେ।
ପରବର୍ତ୍ତୀ କାଳରେ, ଓଡ଼ିଶାରେ ‘କଂଗ୍ରେସ ଓ ଗାନ୍ଧୀ-ଗଙ୍ଗା’ଙ୍କୁ ପ୍ରବାହିତ କରିବାର ଶ୍ରେୟ ନିଶ୍ଚିତ ଭାବରେ ଗୋପବନ୍ଧୁଙ୍କର। ସେ ଦୃଷ୍ଟିରୁ ସେ ଓଡ଼ିଶାରେ ‘କଂଗ୍ରେସ ଓ ଗାନ୍ଧୀ-ଗଙ୍ଗା’ର ‘ଭଗୀରଥ’। କିନ୍ତୁ ଗାନ୍ଧୀଙ୍କୁ ଓଡ଼ିଶା ତଥା ଗୋପବନ୍ଧୁଙ୍କ ସହ ପରିଚିତ କରାଇବାର ମୂଳ ବ୍ୟକ୍ତି ହିଁ ଥିଲେ ଗୋବିନ୍ଦଚନ୍ଦ୍ର ମିଶ୍ର। ଏ ଦୃଷ୍ଟିରୁ, ଯେତେ ଅଳ୍ପ ହେଲେ ବି, ଭଗୀରଥର କିଛି ଭୂମିକା ଯେ ଗୋବିନ୍ଦଚନ୍ଦ୍ରଙ୍କର ଥିଲା, ଏହା କ’ଣ ଆମେ ଅସ୍ୱୀକାର କରିବା!
ମୋ: ୯୪୩୭୦ ୩୪୮୦୪
ସାହିତ୍ୟିକ ପାଣିପାଗ: ଗାନ୍ଧୀ-ଗଙ୍ଗା, ଗୋବିନ୍ଦ-ଭଗୀରଥ!
ଅସିତ ମହାନ୍ତି