ସାହିତ୍ୟିକ ପାଣିପାଗ: ତିରୁପତିର ‘ଉତ୍କଳପୀଠ’ ପରିକ୍ରମା

ଅସିତ ମହାନ୍ତି

ଏଇ ଫେବ୍ରୁଆରି ୨୨ ଓ ୨୩ ତାରିଖରେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଏକ ଦୁଇଦିନିଆ ରାଷ୍ଟ୍ରୀୟ ସଂପାନ। ଏହି ସଂପାନର ବିଷୟ ଥିଲା ‘ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ ଓ ସଂସ୍କୃତି’। ଏହା ଆୟୋଜିତ ହୋଇଥିଲା ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ୱତନ୍ତ୍ର ‘ଉତ୍କଳପୀଠ’ ସ୍ଥାପନାର ରଜତ ଜୟନ୍ତୀ ଅବସରରେ। ଏହି ଉପଲକ୍ଷ୍ୟେ, ସେଠାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ସ୍ୱତନ୍ତ୍ର ‘ବିଜୟ ସ୍ତମ୍ଭ’ ମଧ୍ୟ ଉଦ୍‌ଘାଟିତ ହୋଇଥିଲା।
ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଏହାର ଯେପରି ଗୋଟିଏ ଗୌରବମୟ ଇତିହାସ ଅଛି, ଏହି ବିଶ୍ୱବିଦ୍ୟାଳୟର ଏକ ଅଭିନ୍ନ ଅଙ୍ଗ ଭାବରେ ପ୍ରତିଷ୍ଠିତ ‘ଉତ୍କଳପୀଠ’ର ମଧ୍ୟ ସେହିପରି ଏକ ଗୌରବମୟ ଇତିହାସ ଅଛି। ରଜତଜୟନ୍ତୀ ଉପଲକ୍ଷ୍ୟେ ପ୍ରକାଶିତ ‘ଉତ୍କଳଶ୍ରୀମଞ୍ଜୁଷା’ (ଉତ୍କଳପୀଠ ଗ୍ରନ୍ଥମାଳା-୨୦)ରେ ଏହାର ସଂକ୍ଷିପ୍ତ ଅବତାରଣା କରିଛନ୍ତି ବିଶ୍ୱବିଦ୍ୟାଳୟର ବର୍ତ୍ତମାନର କୁଳପତି ଆଚାର୍ଯ୍ୟ ଜି.ଏସ୍‌.ଆର୍‌. କୃଷ୍ଣମୂର୍ତ୍ତି। ତାଙ୍କର ସେହି ଲେଖାର ଶିରୋନାମ ‘ବନ୍ଦେ ଉତ୍କଳ ଜନନୀ’। ସେଥିରେ ସେ କହିଛନ୍ତି- ଭାରତ ସରକାରଙ୍କ ସଂସ୍କୃତ ଆୟୋଗ (୧୯୫୭)ର ପ୍ରସ୍ତାବକ୍ରମେ ୧୯୬୧ରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଭାରତର ତତ୍‌କାଳୀନ ଉପରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ୪ ଜାନୁଆରି, ୧୯୬୨ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଂସ୍କୃତ ଶିକ୍ଷକ ଶିକ୍ଷା ପ୍ରଦାନ ଓ ପ୍ରଶିକ୍ଷଣ, ଉଚ୍ଚତର ସଂସ୍କୃତ ଶିକ୍ଷାରେ ଗତିବେଗ ଆନୟନ ଏବଂ ଆଧୁନିକ ବୈଜ୍ଞାନିକ ଅନୁସନ୍ଧାନ ସହିତ ପାରମ୍ପରିକ ସଂସ୍କୃତ ଶିକ୍ଷାର ସଂଯୋଜନ। ସେତେବେଳେ ତାହାର ନାମ ଥିଲା ‘ତିରୁପତି ସଂସ୍କୃତ ବିଦ୍ୟାପୀଠ’। ପରବର୍ତ୍ତୀ କାଳରେ ତାହା ଏକ ମାନୀତ ବିଶ୍ୱବିଦ୍ୟାଳୟ ରୂପେ ଘୋଷିତ ହେଲା। ୨୬ ଅଗଷ୍ଟ, ୧୯୮୯ରେ ଭାରତର ତତ୍‌କାଳୀନ ରାଷ୍ଟ୍ରପତି ଆର୍‌. ଭେଙ୍କଟରମଣ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ୨୦୦୦ ମାର୍ଚ୍ଚରୁ ଏହା ଏକ ରାଷ୍ଟ୍ରୀୟ (କେନ୍ଦ୍ରୀୟ) ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି।
ସେହିପରି, ଏହି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ‘ଉତ୍କଳପୀଠ’ର ମଧ୍ୟ ଅଛି ଏକ ସ୍ୱତନ୍ତ୍ର ଇତିହାସ। ‘ଉତ୍କଳଶ୍ରୀମଞ୍ଜୁଷା’ରେ ଏ ସଂପର୍କରେ କୁଳପତି ଆଚାର୍ଯ୍ୟ କୃଷ୍ଣମୂର୍ତ୍ତି ଲେଖିଛନ୍ତି- ଓଡ଼ିଶାର ଆରାଧ୍ୟ ଦେବ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଆନ୍ଧ୍ରପ୍ରଦେଶର ଆରାଧ୍ୟ ଦେବ ଭଗବାନ ଶ୍ରୀଭେଙ୍କଟେଶ। ଏ ଦୃଷ୍ଟିରୁ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶ୍ରୀଭେଙ୍କଟନାଥ ସଂସ୍କୃତିର ଗଭୀର ଅଧ୍ୟୟନ ଓ ଅନୁଧ୍ୟାନର ଆବଶ୍ୟକତା ରହିଛି। ସେହିପରି, କବି ଶ୍ରୀଜୟଦେବଙ୍କ ସାହିତ୍ୟର ପ୍ରଭାବ ଆନ୍ଧ୍ରପ୍ରଦେଶର ସାହିତ୍ୟରେ ବି ପରିଲକ୍ଷିତ। ଅନ୍ନମାଚାର୍ଯ୍ୟ ସାହିତ୍ୟରେ ମଧ୍ୟ ପ୍ରଭୁ ଶ୍ରୀଚୈତନ୍ୟଙ୍କ ଭକ୍ତ ସଂପ୍ରଦାୟ, ବିଶେଷତଃ ସାଗରତଟୀୟ ପ୍ରଦେଶରେ ପରିବ୍ୟାପ୍ତ। ଶ୍ରୀଜଗନ୍ନାଥ ସଂସ୍କୃତି, ଶ୍ରୀଜୟଦେବ ସାହିତ୍ୟ ଓ ଶ୍ରୀଚୈତନ୍ୟ ଚିନ୍ତନ ବିଶ୍ୱଶାନ୍ତି ନିମନ୍ତେ ଅତ୍ୟନ୍ତ ଉପଯୋଗୀ। ଏହାକୁ ଦୃଷ୍ଟିରେ ରଖି, ଓଡ଼ିଶା ସରକାର, ଗଭୀର ଗବେଷଣା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ପୁସ୍ତକ ପ୍ରକାଶନ ପାଇଁ ଏବଂ ଆମ ଦେଶର ସାଂସ୍କୃତିକ ଐତିହ୍ୟରେ ଶ୍ରୀଚୈତନ୍ୟ ଓ କବି ଶ୍ରୀଜୟଦେବଙ୍କ ଯୋଗଦାନକୁ ଜାଗ୍ରତ କରି ରଖିବାପାଇଁ, ୫୦ ଲକ୍ଷ ଟଙ୍କାର ‘ବୀଜ ଅନୁଦାନ’ ସହିତ ଏହି ଉତ୍କଳପୀଠର ସ୍ଥାପନା କରିଥିଲେ। ଏହାର ଔପଚାରିକ ଉଦ୍‌ଘାଟନ ୧୪ ଅକ୍‌ଟୋବର ୨୦୦୦ରେ ଭାରତର ଉଚ୍ଚତମ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ନ୍ୟାୟାଧୀଶ ତଥା ଭାରତ ସରକାରଙ୍କ କେନ୍ଦ୍ରୀୟ ସଂସ୍କୃତ ବୋର୍ଡର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଶ୍ରୀ ରଙ୍ଗନାଥ ମିଶ୍ରଙ୍କ ଦ୍ୱାରା ସଂପନ୍ନ ହୋଇଥିଲା।
ଏହା ସହିତ କୁଳପତି ଶ୍ରୀ କୃଷ୍ଣମୂର୍ତ୍ତି ତାଙ୍କ ଲେଖାରେ ଆହୁରି ମଧ୍ୟ କହିଛନ୍ତି- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରଜ୍ଞାନ ବାଚସ୍ପତି ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳାଧିପତି ପ୍ରଫେସର ରମାରଞ୍ଜନ ମୁଖାର୍ଜୀ ଏବଂ ପୂର୍ବତନ କୁଳପତି ପ୍ରଫେସର ଏସ୍‌.ବି. ରଘୁନାଥାଚାର୍ଯ୍ୟ ଏହି ‘ଉତ୍କଳପୀଠ’ ପ୍ରତିଷ୍ଠାର ସମସ୍ତ ଶ୍ରେୟର ଅଧିକାରୀ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ କିପରି ଏହି ପୀଠର ପ୍ରତିଷ୍ଠା ହେଲା, ତାହାର ସ୍ମୃତିଚାରଣ ମଧ୍ୟ, ଏହି ଅବସରରେ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କରିଛନ୍ତି। ‘ଉତ୍କଳଶ୍ରୀ ମଞ୍ଜୁଷା’ର ରଜତ ଜୟନ୍ତୀ ମହୋତ୍ସବ ବିଶେଷାଙ୍କରେ ସେ ଲେଖିଛନ୍ତି- ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠର ଏକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା ୧୯ ଡିସେମ୍ବର ୧୯୯୬ରେ। ସେଥିରେ ସମ୍ମାନନୀୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର। ସେଥିରେ ଜାନକୀବାବୁ ସମାବର୍ତ୍ତନ ଅଭିଭାଷଣ ଦେଇଥିଲେ ଏବଂ ତାହା ପରେ ତାଙ୍କୁ ବିଶ୍ୱବିଦ୍ୟାଳୟର ଉଚ୍ଚତର ସମ୍ମାନସୂଚକ ଉପାଧି ‘ବିଦ୍ୟା ବାଚସ୍ପତି’ ପ୍ରଦାନ କରାଯାଇଥିଲା। ସଂସ୍କୃତଶିକ୍ଷା କ୍ଷେତ୍ରକୁ ବିଶେଷ ଅବଦାନ ତଥା ପୁରୀରେ ‘ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା ନିମନ୍ତେ ତାଙ୍କୁ ଏହା ପ୍ରଦତ୍ତ ହୋଇଥିଲା। ସେହି ସମାବର୍ତ୍ତନ ଉତ୍ସବର ସମାପ୍ତି ପରେ, କୁଳାଧିପତି ପ୍ରଫେସର ମୁଖାର୍ଜୀ ଓ କୁଳପତି ଶ୍ରୀ ରଘୁନାଥାଚାର୍ଯ୍ୟ ବିଶ୍ୱବିଦ୍ୟାଳୟର କୌଣସି ଏକ ପ୍ରକଳ୍ପକୁ ସହଯୋଗ ଦେବା ନିମନ୍ତେ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ସେହି ଅନୁରୋଧକୁ ସ୍ୱୀକାର କରିବା ସହିତ, ସେଥି ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ଦେବାକୁ ଶ୍ରୀ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ତଦନୁସାରେ ବିଶ୍ୱବିଦ୍ୟାଳୟ ଯେଉଁ ପ୍ରସ୍ତାବ ଦେଲେ, ଓଡ଼ିଶା ସହ ସଂପର୍କିତ ତିନିଟି ବିଷୟରେ ସ୍ୱତନ୍ତ୍ର ଚେୟାର ପ୍ରତିଷ୍ଠାର ପ୍ରସ୍ତାବ ତାହାର ଅନ୍ତର୍ଭୁକ୍ତ ଥିଲା। ତାହା ଥିଲା- ଶ୍ରୀଜଗନ୍ନାଥ, ଶ୍ରୀଜୟଦେବ ଓ ଶ୍ରୀଚୈତନ୍ୟଙ୍କ ସଂପର୍କିତ ଗବେଷଣା ଓ ଅଧ୍ୟୟନର ପ୍ରସ୍ତାବ। ସେ ସଂପର୍କରେ ଓଡ଼ିଶା ସରକାରଙ୍କର ବିଶଦ ଅନୁଧ୍ୟାନ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ସବିଶେଷ ଆଲୋଚନା ପରେ, ଏକ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ଅଧୀନରେ ଏ ତିନି ବିଷୟରେ ଗବେଷଣା, ଅନୁଧ୍ୟାନ ଓ ଗ୍ରନ୍ଥ ପ୍ରକାଶନ ନିମନ୍ତେ ଏକ ସ୍ୱତନ୍ତ୍ର ‘ଓଡ଼ିଶା ଚେୟାର’ ପ୍ରତିଷ୍ଠା ନିମନ୍ତେ ସ୍ଥିର ହେଲା। ଗୋଟିଏ ଅନୁଷ୍ଠାନ ଅଧୀନରେ ଏହା କାର୍ଯ୍ୟ କରିବ ବୋଲି ମଧ୍ୟ ନିର୍ଦ୍ଧାରିତ ହେଲା। ସେହି ଅନୁସାରେ ପ୍ରତିଷ୍ଠା ହେଲା ‘ଓଡ଼ିଶା ଚେୟାର’ ବା ‘ଉତ୍କଳପୀଠ’। ଏବେ ସଫଳତାର ସହ କାର୍ଯ୍ୟକରି ତାହା ୨୫ ବର୍ଷ ପୂରଣ କରିଛି। ତାହାର ରଜତ ଜୟନ୍ତୀ ଉତ୍ସବ ସଦ୍ୟ ପାଳିତ ହୋଇଯାଇଛି। ଗତ ୨୦୦୯ ମସିହାରେ ‘ଉତ୍କଳପୀଠ’ ପାଇଁ ଉତ୍ସର୍ଗିତ ଏକ ସ୍ୱତନ୍ତ୍ର ଜଗନ୍ନାଥ ମନ୍ଦିର ମଧ୍ୟ ନିର୍ମିତ ହୋଇଛି। ତାହାର ଶିଳାନ୍ୟାସ ଯୋଗଗୁରୁ ବାବା ରାମଦେବ କରିଥିଲେ। ସେହି ମନ୍ଦିରରେ ଭଗବାନ ଶ୍ରୀଭେଙ୍କଟନାଥଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ-ବଳଭଦ୍ର-ସୁଭଦ୍ରା-ସୁଦର୍ଶନଙ୍କ ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଠିତ ହୋଇଛନ୍ତି। ରଜତ ଜୟନ୍ତୀ ସ୍ମାରକୀ ସ୍ୱରୂପ ସେଠାରେ ଏକ ସ୍ୱତନ୍ତ୍ର ‘ବିଜୟସ୍ତମ୍ଭ’ ମଧ୍ୟ ସଦ୍ୟ ପ୍ରତିଷ୍ଠା ହୋଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି।
ଏହି ରଜତଜୟନ୍ତୀ ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀକୃଷ୍ଣମୂର୍ତ୍ତି ଦେଇଥିବା ଗୋଟିଏ ସୂଚନା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ତାଙ୍କ ଲେଖାରେ ସେ କହିଛନ୍ତି- ତିରୁପତି ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟରେ ଏବେ ୨୨ଟି ରାଜ୍ୟର ପ୍ରାୟ ୨୫୦୦ ଛାତ୍ରଛାତ୍ରୀ ଅଧ୍ୟୟନରତ ଏବଂ ସେଥିରୁ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୬୦ ପ୍ରତିଶତ। ‘ଉତ୍କଳପୀଠ’ ବା ‘ଓଡ଼ିଶା ଚେୟାର’ର ନିର୍ଦ୍ଦେଶକ ଡକ୍ଟର ଜ୍ଞାନରଞ୍ଜନ ପଣ୍ଡା ମଧ୍ୟ ସୂଚନା ଦେଇଛନ୍ତି, ଯେ ଉତ୍କଳପୀଠ ଅଧୀନରେ ଏବେ ପ୍ରାୟ ୧୦୦୦ ଓଡ଼ିଆ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି।
ଉତ୍କଳପୀଠର ଏହି ରଜତ ଜୟନ୍ତୀ ଉତ୍ସବକୁ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ ଭାରତର ମାନ୍ୟବର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ଅଭିଭାଷଣରେ ସେ କହିଥିଲେ- ଆଜି ବିଶ୍ୱବିଦ୍ୟାଳୟର ‘ଓଡ଼ିଶା ଚେୟାର’ (ଉତ୍କଳପୀଠ) ତାହାର ରଜତ ଜୟନ୍ତୀ ଉତ୍ସବ ପାଳନ କରୁଛି। ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭକ୍ତକବି ଶ୍ରୀଜୟଦେବ ଓ ପ୍ରଭୁ ଶ୍ରୀଚୈତନ୍ୟଙ୍କ ସଂପର୍କରେ ଅଧ୍ୟୟନ ଓ ଗବେଷଣା ନିମନ୍ତେ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ‘ଓଡ଼ିଶା ଚେୟାର’ ଏକ ମାଇଲ ଖୁଣ୍ଟ ଏବଂ ଅଧ୍ୟୟନ ଓ ଗବେଷଣା ମାଧ୍ୟମରେ ଏହା ଶ୍ରୀଜଗନ୍ନାଥ ସଂସ୍କୃତି, ଶ୍ରୀଜୟଦେବ ସାହିତ୍ୟ ଓ ଶ୍ରୀଚୈତନ୍ୟ ଦର୍ଶନର ଗଭୀର ପ୍ରଭାବ ଓ ଉତ୍କର୍ଷ ପ୍ରତିପାଦିତ କରିଆସୁଛି। ଓଡ଼ିଶାର ଏହି ସମୃଦ୍ଧ ଐତିହ୍ୟ ବହୁ ଧର୍ମଧାରା ଓ ଦର୍ଶନର ସମନ୍ୱୟକୁ ସୂଚାଏ।
ଆଜିଠୁ ଚଉଠ ଶତାବ୍ଦୀ ପୂର୍ବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ଓ ସଂସ୍କୃତପ୍ରେମୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦୂରଦର୍ଶୀ ପଦକ୍ଷେପ ରୂପେ ଉତ୍କଳ ପୀଠ ପ୍ରତିଷ୍ଠା ହୋଇଥିଲା। ଏହି ଦୀର୍ଘ ଅବଧି ମଧ୍ୟରେ, ପିଢ଼ି ପରେ ପିଢ଼ି, ଏହା ସମଗ୍ର ଭାରତବର୍ଷରେ ଶ୍ରୀଜଗନ୍ନାଥ, କବି ଶ୍ରୀଜୟଦେବ ଓ ପ୍ରଭୁ ଶ୍ରୀଚୈତନ୍ୟଙ୍କୁ ନେଇ ସଂଗଠିତ ଓଡ଼ିଶା ଐତିହ୍ୟର ଗୌରବମୟ ଗାଥା ଉଦ୍‌ଘୋଷଣ କରିଆସୁଛି। ଏହା ସୂଚାଉଛି, କୌଣସି ପରିକ୍ରମା ପ୍ରକଳ୍ପ କେବଳ ଶୁଷ୍କ, ନିରସ ପଥରର ଏକ କୀର୍ତ୍ତି ନୁହେଁ। ଏହି ମୂର୍ତ୍ତ କୀର୍ତ୍ତିର ଊର୍ଦ୍ଧ୍ୱରେ ଅମୂର୍ତ୍ତ କୀର୍ତ୍ତି ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ।
ରଜତ ଜୟନ୍ତୀ ଅବସରରେ, ଏହା ହିଁ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ‘ଉତ୍କଳପୀଠ’ର ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର