“ଆମ ସମାଜ ସହ ଖାପ ଖାଇପାରୁନଥିବା ମୁଁ ଜଣେ ବେଖାପିଆ ବା ଅବାଗିଆ (ମିସ୍‌ଫିଟ୍‌) ମଣିଷଟିଏ। ସେଇଥିପାଇଁ ହିଁ ମୁଁ ନିଜକୁ ଜଣେ ଅପାଙ୍‌କ୍ତେୟ ବ୍ୟକ୍ତି ବୋଲି ମନେ କରେ। ତେଣୁ ଏହା ଏକ ବେଖାପିଆ ବା ଅବାଗିଆ ବ୍ୟକ୍ତିର ସ୍ମୃତିକଥା।” ‘ଶିକ୍ଷାଜୀବୀର କଥା’ର ‘ଭୂମିକା’ରେ ଏହା କହିଛନ୍ତି ଗଗନେନ୍ଦ୍ର ନାଥ ଦାଶ।
୧୯୪୦ ମସିହା ନଭେମ୍ବର ମାସ ୨୫ ତାରିଖରେ, ଆଜିର ଯାଜପୁର ଜିଲାର ବଡ଼ଚଣା ବ୍ଲକ୍ ଅନ୍ତର୍ଗତ କଡ଼େଇଶାସନ ଗ୍ରାମରେ ଗଗନେନ୍ଦ୍ରନାଥଙ୍କର ଜନ୍ମ। ବଡ଼ଚଣା ସ୍କୁଲ୍‌ରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଶେଷ କରି ସେ ଆସିଥିଲେ କଟକର ରେଭେନ୍‌ସା କଲେଜ ଏବଂ ସେଠାରୁ ସ୍ନାତକ ହୋଇଥିଲେ। ପରେ ସ୍ନାତକୋତ୍ତର ଶିକ୍ଷା ସହ ପିଏଚ୍‌.ଡି. କରିଥିଲେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନରୁ। ତାହା ପରେ, ୧୯୬୨ରେ ଭୁବନେଶ୍ୱରର ବି.ଜେ.ବି. ସାଂଧ୍ୟ ମହାବିଦ୍ୟାଳୟରୁ ଅଧ୍ୟାପନା ଆରମ୍ଭ କରି, ୧୯୬୭ରେ ଅଧ୍ୟାପନା ପାଇଁ ସେ ଯାଇଥିଲେ ଶାନ୍ତିନିକେତନ ଏବଂ ପରବର୍ତ୍ତୀ କାଳରେ, ୧୯୭୬ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଓ ସ୍ନାତକୋତ୍ତର ଭାଷାବିଜ୍ଞାନ ବିଭାଗରେ କାର୍ଯ୍ୟ କରି ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ।
ଏହା ଗଗନେନ୍ଦ୍ର ନାଥ ଦାଶଙ୍କର ଏକ ଅତି ସଂକ୍ଷିପ୍ତ ପରିଚିତି। ତେବେ ‘ଶିକ୍ଷାଜୀବୀର କଥା’ରେ କେବଳ ତାଙ୍କର ବୃତ୍ତିଗତ ଜୀବନ ବା ଜଣେ ଶିକ୍ଷାଜୀବୀ ଭାବରେ ତାଙ୍କ ଅନୁଭୂତିର କଥା ହିଁ ଲିପିବଦ୍ଧ ହୋଇଛି। ତାହାର ‘ଭୂମିକା’ ସେ ୨୦୨୦ ଫେବ୍ରୁଆରିରେ ଲେଖିଥିଲେ ମଧ୍ୟ, ତାହା ପ୍ରଥମେ ଏକ ‘ପାଣ୍ଡୁଲିପି-ପୁସ୍ତକ’ ରୂପେ ହିଁ ମୁଦ୍ରିତ ହୋଇଥିଲା। ମୁଦ୍ରଣ ସଂଖ୍ୟା ଥିଲା ମାତ୍ର ୨୫ ଖଣ୍ଡ; ଏବଂ ତାହା ନିର୍ଦ୍ଦିଷ୍ଟ କେତେଜଣ ବନ୍ଧୁ ଓ ଛାତ୍ରମାନଙ୍କ ମଧ୍ୟରେ ମାଗଣା ଓ ଘରୋଇ ପ୍ରସାରଣ ପାଇଁ ଉଦ୍ଦିଷ୍ଟ ଥିଲା। ୧୯ ନଭେମ୍ବର ୨୦୨୨ରେ ୮୨ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିବା ପରେ, ୧୦ ଡିସେମ୍ବର ୨୦୨୩ରେ ତାହା ପ୍ରକୃତ ଅର୍ଥରେ ପ୍ରକାଶ ପାଇଛି। ଏହି ବୃହତ୍ ଓ ତଥ୍ୟନିଷ୍ଠ ପୁସ୍ତକର ପ୍ରକାଶକ ‘ଆମ ଓଡ଼ିଶା’।
ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ, ଯେ ଆଜିଠୁଁ ପ୍ରାୟ ଛଅ ଦଶନ୍ଧି ପୂର୍ବେ, କବି ମାୟାଧର ମାନସିଂହ ଲେଖିଥିଲେ ତାଙ୍କର ଆତ୍ମଜୀବନୀ ‘ଶିକ୍ଷାବିଦ୍‌ର ଗାଥା’। ସଦ୍ୟତମ ‘ଶିକ୍ଷାଜୀବୀର କଥା’ ତାହାକୁ ହିଁ ସ୍ମରଣ କରାଇ ଦିଏ। ଏ ନାମକରଣ ଅବସରରେ ଗଗନେନ୍ଦ୍ର ନାଥଙ୍କ ସ୍ମୃତିରୁ ବି ତାହା ଅନ୍ତର ହୋଇ ନାହିଁ। ତାହାର ‘ଭୂମିକା’ରେ ସେ ଲେଖିଛନ୍ତି, “ସମ୍ମାନାସ୍ପଦ ମାୟାଧର ମାନସିଂହ ତାଙ୍କ ସ୍ମୃତିକଥାର ନାମ ରଖିଥିଲେ, ‘ଶିକ୍ଷାବିଦ୍‌ର ଗାଥା’। ତେବେ ମାୟାଧର ମାନସିଂହଙ୍କ ତୁଳନାରେ ମୁଁ ନିଜକୁ ଅତ୍ୟନ୍ତ କ୍ଷୁଦ୍ର ମନେକରେ ଓ ମୁଁ ନିଜକୁ ଜଣେ ଶିକ୍ଷାବିଦ୍ ବୋଲି ଭାବି ପାରେ ନାହିଁ। ମୁଁ ତ ସମାଜ ଆଖିରେ ସାମାନ୍ୟ ଶିକ୍ଷାଜୀବୀଟିଏ।”
ଗଗନେନ୍ଦ୍ର ନାଥଙ୍କ ଜୀବନାଲେଖ୍ୟ ପ୍ରତି ଦୃଷ୍ଟିପାତ କଲେ ଦେଖାଯାଏ, ସେ ଉଭୟ ଓଡ଼ିଆ ଓ ଇଂରେଜୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଲେଖିଛନ୍ତି। ଦେଶ, ବିଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ମଧ୍ୟ କାମ କରିଛନ୍ତି। ତାଙ୍କର ପ୍ରଥମ ଓଡ଼ିଆ କୃତି ‘ଜନଶ୍ରୁତି କାଞ୍ଚିକାବେରୀ’ ୧୯୭୯ରେ ପ୍ରକାଶ ପାଇ ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ଇଂରେଜୀରେ ମଧ୍ୟ, ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସହିତ ମିଶି, ମହୀଶୂରର ଭାରତୀୟ ଭାଷା ସଂସ୍ଥାନ ପ୍ରକାଶିତ ‘କନ୍‌ଭରସେସନାଲ୍ ଓରିୟା’ ପୁସ୍ତକ ସେ ପ୍ରଣୟନ କରିଥିଲେ। ସେଦିନଠୁ ଆରମ୍ଭ କରି ୨୦୨୨ ପର୍ଯ୍ୟନ୍ତ, ଓଡ଼ିଆରେ ଅନ୍ୟୂନ ୧୮ଟି ଏବଂ ଇଂରେଜୀରେ ଅନ୍ୟୂନ ୧୦ଟି ପୁସ୍ତକ ସେ ପ୍ରଣୟନ ବା ସଂପାଦନା କରିଛନ୍ତି। ଅନେକ ପୁରସ୍କାର ଓ ସମ୍ମାନରେ ମଧ୍ୟ ସେ ବିଭୂଷିତ। ୨୦୦୬ରେ ‘ନିର୍ବାଚିତ ପ୍ରବନ୍ଧ ସଂକଳନ’ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲେ ମଧ୍ୟ, ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାହାର ପାଞ୍ଚବର୍ଷ ପରେ, ୨୦୧୧ରେ ତାଙ୍କୁ ପ୍ରଦାନ କରାଯାଇଥିଲା ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ- ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର। ସେହିପରି, କେନ୍ଦ୍ର ସାହିତ୍ୟ ଅକାଦେମି ୨୦୧୮ରେ ତାଙ୍କୁ ‘ଭାଷା ସମ୍ମାନ’ ପ୍ରଦାନ କରି, ଭାଷାବିତ୍ ଭାବରେ ତାଙ୍କର ଅସାମାନ୍ୟ ଅବଦାନକୁ ସ୍ୱୀକୃତି ଦେଇଥିଲା। ଏହା ସତ୍ତ୍ୱେ, ପରିଣତ ବୟସରେ ଲେଖିଥିବା ଏହି ସ୍ମୃତିକଥାର ‘ଭୂମିକା’ରେ ସେ ନିଜକୁ ‘ସାମାନ୍ୟ ଶିକ୍ଷାଜୀବୀଟିଏ’ ବୋଲି ହିଁ କହିଛନ୍ତି। ଏହାର କାରଣ ମଧ୍ୟ ସେ ସୂଚାଇଛନ୍ତି। ସେ ଲେଖିଛନ୍ତି, “ମୁଁ ନିଜକୁ ‘ସମାଜ ଆଖିରେ ସାମାନ୍ୟ’ ବୋଲି କହିବାର କାରଣ, ମୁଁ ଶକ୍ତି ଓ ସଂପଦହୀନ। ଏ ଦେଶରେ ତ ଶକ୍ତି ଓ ସମ୍ପଦହୀନମାନଙ୍କୁ ଅଧିକାଂଶ ଲୋକ, ଏପରିକି ବହୁ ଉଚ୍ଚଶିକ୍ଷିତ ଲୋକ ବି ସାମାନ୍ୟ ଲୋକ ବୋଲି ବିଚାର କରନ୍ତି ଓ କେବଳ ଦୟା ହିଁ କରନ୍ତି; କାରଣ ସେମାନେ ଭବିଷ୍ୟତରେ କାହାର କିଛି କାମରେ ଲାଗିବାର ସମ୍ଭାବନା ବା କ୍ଷତି କରିପାରିବାର କୌଣସି ଆଶଙ୍କା ନଥାଏ।”
କିନ୍ତୁ ଏହା କହିଥିଲେ ମଧ୍ୟ, ରବୀନ୍ଦ୍ରନାଥ ଠାକୁରଙ୍କର ଏକ କବିତାର ଉଦ୍ଧୃତି ଦେଇ ସେ କହିଛନ୍ତି, “ତେବେ ମୋର ବୃତ୍ତି ସଂପର୍କରେ ମୁଁ ଭାବିଆସିଛି, ଏ ହେଉଛି ସେହି ବୃତ୍ତି, ‘ଚିତ୍ତ ଯେଥା ଭୟଶୂନ୍ୟ, ଉଚ୍ଚ ଯେଥା ଶିର’। ସେଇଥିପାଇଁ ଏ ସମାଜରେ ମୁଁ ଖାପ ଖାଇପାରୁନଥିବା, ଏକ ବେଖାପିଆ ବା ଅବାଗିଆ ବ୍ୟକ୍ତି।”
ତେବେ କ’ଣ ଅଛି ‘ଶିକ୍ଷାଜୀବୀର କଥା’ ନାମକ ଏହି ବେଖାପିଆ ବା ଅବାଗିଆ ବ୍ୟକ୍ତିର ସ୍ମୃତିକଥାରେ? ତାହାର ସାରମର୍ମ ଲିପିବଦ୍ଧ ହୋଇଛି, ଆଦ୍ୟରେ ମୁଦ୍ରିତ ତାଙ୍କର ଏକ କବିତାରେ। ତାହାର ଶୀର୍ଷକ ମଧ୍ୟ ‘ଶିକ୍ଷାଜୀବୀର କଥା’। ତାହାର ଗଦ୍ୟରୂପ ଆପାତତଃ ହେବ ଏହିପରି-
“ସଂଗ୍ରାମ ଓ ସାଧନାର ସ୍ୱେଦ ଓ ଅଶ୍ରୁରେ ସିକ୍ତ ମୋର ବୀଣା ନବତାନ ତୋଳୁଛି। ସେଥିରେ କି ସ୍ୱର ଝଙ୍କୃତ ହେଉଛି ତାହା ମୋତେ ଜଣା ନାହିଁ। ତାଳ, ଲୟ ଜ୍ଞାନ ବି ମୋର ନାହିଁ। ମୁଁ କେବଳ ମୋର ହାତରେ ବୀଣାଟିକୁ ଧରିଛି। ବୀଣା ଆପଣା ଇଚ୍ଛାରେ ବାଜି ଚାଲିଛି; ଶିକ୍ଷାଜୀବୀ ଜୀବନର ଯେତେଯେତେ ଅକୁହା କଥା, ତାହା ଉଦ୍‌ଗିରଣ କରିଚାଲିଛି। ସେଥିରେ ଯନ୍ତ୍ରଣା ଓ ବେଦନାର ଅଶ୍ରୁ ସହ ଆନନ୍ଦର ଅଶ୍ରୁ ମିଶି, ସବୁ ଏକାକାର ହୋଇଯାଉଛି। ସେଥିରେ କିଏ ସ୍ନାନ କରିବ କି ନା, ସେ ବିଚାର ଏ ଶିକ୍ଷାଜୀବୀର ନାହିଁ।”
‘ଶିକ୍ଷାଜୀବୀର କଥା’ରେ ଅଛି ପାଞ୍ଚଟି ଅଧ୍ୟାୟ। ସେଥିରୁ ପ୍ରଥମ ଅଧ୍ୟାୟରେ ଅଛି, ସେ କିପରି ଭାବରେ ଶିକ୍ଷାଜୀବୀ ବୃତ୍ତି ଗ୍ରହଣ କଲେ ତାହାର ବିବରଣୀ। ଏହା ୧୦ଟି ପରିଚ୍ଛେଦରେ ବର୍ଣ୍ଣିତ ହୋଇଛି। ଦ୍ୱିତୀୟ ଅଧ୍ୟାୟରେ, ମୂଳରୁ ଆରମ୍ଭ କରି ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ତାଙ୍କ ଶିକ୍ଷାଜୀବୀ ଜୀବନର ଧାରାବାହିକ ବୃତ୍ତାନ୍ତ ଲିପିବଦ୍ଧ ହୋଇଛି। ଏହାକୁ ସେ ‘ପତନ ଅଭ୍ୟୁଦୟ ବନ୍ଧୁର ପନ୍ଥା’ ବୋଲି ଅଭିହିତ କରିଛନ୍ତି। ଏହା ବର୍ଣ୍ଣିତ ହୋଇଛି ୭୧ଟି ପରିଚ୍ଛେଦରେ। ଏହାର ‘ଉପସଂହାର’ର ଶୀର୍ଷକ ‘ଶିକ୍ଷାଜୀବୀର ଶେଷକଥା’। ତାହାର ଶେଷରେ ସେ ଲେଖିଛନ୍ତି, “ଜୀବନସାରା ପୁରୁଷକାର ଉପରେ ବିଶ୍ୱାସ କରି ଆସୁଥିବା ମୁଁ ବାରମ୍ବାର ବଞ୍ଚିତ ଓ ଲାଞ୍ଛିତ ହୋଇ ଏବେ ଭାଗ୍ୟବାଦୀ ହୋଇପଡ଼ିଛି ଏବଂ ତାହା ମୋର ଭାଗ୍ୟରେ ଥିଲା ବୋଲି ଭାବି ଆଶ୍ୱାସନା ଓ ସାନ୍ତ୍ୱନା ପାଇଛି ଓ ପାଉଛି। ପୁଣି ତା’ ସହ କିଛି ବି ପାଇବାପାଇଁ କେବେ ନୀତି ସହ ସାଲିସ କରି ନଥିବାରୁ ମୁଁ ଆହୁରି ଆନନ୍ଦିତ ଓ ଗର୍ବିତ। ଶେଷରେ କହିବି, ‘ଜୀବନପାତ୍ର ମୋ ଭରିଛ କେତେମତେ, ନ ଦେଲ ବୋଲି କିଛି କହିବି କି ହେ ଆଉ!” ଗଗନେନ୍ଦ୍ର ନାଥଙ୍କ ନିଜ ସୂଚନା ଅନୁସାରେ, ଏହି ଦ୍ୱିତୀୟ ଅଧ୍ୟାୟର ପରବର୍ତ୍ତୀ ତିନି ଅଧ୍ୟାୟ ହେଉଛି, ସେହି ଶିକ୍ଷାଜୀବୀ ଜୀବନର ତିନିଟି ବିଶେଷ ଦିଗ ଉପରେ ଆଲୋକପାତ। ତେଣୁ, ସେହି ତିନି ଅଧ୍ୟାୟକୁ “ଦ୍ୱିତୀୟ ଅଧ୍ୟାୟର ପରିଶିଷ୍ଟ ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ” ବୋଲି ସେ କହିଛନ୍ତି।
ଏହି ଶେଷ ତିନି ଅଧ୍ୟାୟ ହେଉଛି- ୧. ଭାଷାବିଜ୍ଞାନ ଶିକ୍ଷା ଓ ଓଡ଼ିଆ ଭାଷାଚର୍ଚ୍ଚା, ୨. ମୁଁ ଓ ଓଡ଼ିଶାରେ ଜର୍ମାନ୍ ଗବେଷଣା ପ୍ରକଳ୍ପ, ଏବଂ ୩. ବ୍ୟଥାର ଗାଥା। ‘ବ୍ୟଥାର ଗାଥା’ ସହିତ ‘ଶିକ୍ଷାଜୀବୀର କଥା’ର ମଧ୍ୟ ଶେଷ ହୋଇଛି। ଏହାର ଶେଷ ପରିଚ୍ଛେଦର ଶୀର୍ଷକ ‘ମୋର ଅସତ୍ୟଦର୍ଶନ’। ତାହାର ଉପସଂହାରରେ ସେ ଲେଖିଛନ୍ତି, “ଭାଗବତରେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ପ୍ରିୟଭକ୍ତ ଉଦ୍ଧବଙ୍କୁ କହିଥିଲେ, ‘ପୃଥିବୀ କରି ପର୍ଯ୍ୟଟନ। / ଅସତ୍ୟ ଦେଖ ତ୍ରିଭୁବନ।’ ପୂର୍ବରୁ ବିଭିନ୍ନ ସମୟରେ କିଛି କିଛି ଅସତ୍ୟଦର୍ଶନ କରିଥିଲି। ମୋର ଅସତ୍ୟଦର୍ଶନ ଏବେ ପୂର୍ଣ୍ଣତା ଲାଭ କଲା। ଜୀବନର ବହୁ ବିଚିତ୍ର ତିକ୍ତ-ମଧୁର ଅନୁଭୂତି ଓ ଅଭିଜ୍ଞତା ମଧ୍ୟରେ ଯେଉଁ ଅପୂର୍ଣ୍ଣତା ଟିକକ ରହିଯାଇଥିଲା, ତା’ ତ ଏବେ ପୂର୍ଣ୍ଣତା ପାଇଲା। ଆଉ ଏଣିକି ଏଠାରେ ରହିବାର କୌଣସି ଆବଶ୍ୟକତା ତ ନାହିଁ। ଏଠାରେ ରହିବାର ସମସ୍ତ ଆବଶ୍ୟକତା ତ ଶେଷ ହେଲା। ଏଣିକି ତ ଆସିଗଲା ଆରପାରିକୁ ପାଦ ବଢ଼ାଇବାର ବେଳ।”
ତାହା ହିଁ ସତ୍ୟ ହେଲା। ପୂର୍ବସୂଚିତ, ଯେ ଏ ‘ଶିକ୍ଷାବିତ୍‌ର କଥା’ର ଭୂମିକା ଗଗନେନ୍ଦ୍ର ନାଥ ଲେଖିଥିଲେ ୨୪ ଫେବ୍ରୁଆରି ୨୦୨୦ରେ। ତାହା ପରେ ପରେ ସେ ହରାଇଲେ ଦୃଷ୍ଟିଶକ୍ତି ଏବଂ ବର୍ଷାଧିକ କାଳ ଶଯ୍ୟାଶାୟୀ ହେବା ପରେ, ତାଙ୍କର ବିୟୋଗ ଘଟିଲା ୧୯ ନଭେମ୍ବର ୨୦୨୨ରେ।
ଆଜି ଗଗନେନ୍ଦ୍ର ନାଥ ଦାଶଙ୍କ ଅବର୍ତ୍ତମାନରେ, ‘ଶିକ୍ଷାଜୀବୀର କଥା’ ପୂର୍ଣ୍ଣରୂପରେ, ବଡ଼ମାପର ସାଢ଼େସାତଶହ ପୃଷ୍ଠାରେ ପ୍ରକାଶ ପାଇଛି। ପୁସ୍ତକର ଆଦ୍ୟରେ ସଂଯୋଜିତ ଶୀର୍ଷକ କବିତା ଅନୁସାରେ, ଏଥିରେ ଅଛି ତାଙ୍କର ସଂଗ୍ରାମ ଓ ସାଧନାର ସ୍ୱେଦ ଓ ଅଶ୍ରୁରେ ସିକ୍ତ ବୀଣାର ତାନ। ସେଥିରେ ଯନ୍ତ୍ରଣା ଓ ବେଦନାର ଅଶ୍ରୁ ସହ ଆନନ୍ଦର ଅଶ୍ରୁ ମଧ୍ୟ ମିଶି ଏକାକାର ହୋଇଯାଇଛି। ସେଥିରେ କିଏ ସ୍ନାନ କରିବ କି ନା ସେ ବିଚାର ସେହି ଶିକ୍ଷାଜୀବୀ କରି ନଥିଲେ।
କିନ୍ତୁ ଏବେ ଆମେ ସେ ବିଚାର କରିବା। ସେହି ଯନ୍ତ୍ରଣା, ବେଦନା ଓ ଆନନ୍ଦର ଅଶ୍ରୁରେ ସ୍ନାନ କରିବା। ତାହା ହିଁ ବୋଧହୁଏ ହେବ ଆମ ସାହିତ୍ୟ କ୍ଷେତ୍ରର ଏହି ବେଖାପିଆ ଓ ଅବାଗିଆ ବ୍ୟକ୍ତିଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। କାରଣ, କାଳେକାଳେ ଏପରି ବେଖାପିଆ ବା ଅବାଗିଆ ବ୍ୟକ୍ତିମାନେ ହିଁ ନବଦିଗନ୍ତର ସନ୍ଧାନ ଦେଇ ଆସିଛନ୍ତି।
ମୋ: ୯୪୩୭୦ ୩୪୮୦୪