୨୧ ଜୁନ, ୧୯୨୨- ସୁରେନ୍ଦ୍ର ମହାନ୍ତିଙ୍କର ଜନ୍ମଦିନ।
ଆଜି ଜୀବିତ ଥିଲେ, ସେ ପୂରଣ କରିଥାନ୍ତେ ଜୀବନର ୧୦୧ ବର୍ଷ। କିନ୍ତୁ ତାଙ୍କର ବିୟୋଗ ଘଟିଲା ୨୧ ଡିସେମ୍ବର, ୧୯୯୦ରେ; ମାତ୍ର ୬୮ ବର୍ଷ ବୟସରେ। କିନ୍ତୁ ବିୟୋଗର ଦୀର୍ଘ ପ୍ରାୟ ୩୩ ବର୍ଷ ପରେ ବି, ସେ ଓଡ଼ିଆ ପାଠକ ପାଠିକାଙ୍କ ସ୍ମୃତିରେ ସଂଜୀବିତ ଅଛନ୍ତି- ସବୁଜପତ୍ର ପରି। ହୋଇଯାଇ ନାହାନ୍ତି- ଧୂସରଗୋଲାପ। ସେ ଦୃଷ୍ଟିରୁ ସୁରେନ୍ଦ୍ର ମହାନ୍ତି ‘୧୦୧, ନଟ୍ ଆଉଟ୍‌’; ମନ୍ଦ ନୁହେଁ...!
‘ମନ୍ଦ ନୁହେଁ...!’ କହିବା ହୁଏତ ଠିକ୍ ନୁହେଁ; ତାଙ୍କ ପାଇଁ କହିବା ଉଚିତ୍‌, ଖୁବ୍ ଭଲ। ମାତ୍ର ‘ମନ୍ଦ ନୁହେଁ’ ଏଇଥିପାଇଁ କୁହାଯାଉଛି- ଯେ ଏ ଶବ୍ଦଯୁଗ୍ମ ସୁରେନ୍ଦ୍ର ମହାନ୍ତିଙ୍କର ଖୁବ୍ ପ୍ରିୟ।
‘ମନ୍ଦ ନୁହେଁ’ କହିଲେ, ସହସା ସ୍ମୃତିରେ ସଂଜୀବିତ ହୋଇଉଠେ ଅକ୍ଷୟ ମହାନ୍ତିଙ୍କର ଗୋଟିଏ ଗୀତ- ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ।’ କିନ୍ତୁ ଆମ ଓଡ଼ିଆ ସାହିତ୍ୟରେ କିଏ ଏଇ ‘ମନ୍ଦ ନୁହେଁ’ ଶବ୍ଦଯୁଗ୍ମର ଆଦିସ୍ରଷ୍ଟା? ତାହାର ସନ୍ଧାନ ଅତ୍ୟନ୍ତ ରୋଚକ।
ଅକ୍ଷୟ ମହାନ୍ତିଙ୍କର ଏ ‘କୃଷ୍ଣଚୂଡ଼ା’ ଗୀତିଟିର ରଚନାକାଳ- ୧୯୫୯। ତାଙ୍କର ପ୍ରଥମ ଗୀତିଗୁଚ୍ଛ ‘ଏଇ କଥା ରହିଲା’ରେ ଏହା ସଂକଳିତ ହୋଇଛି। ‘ଏଇ କଥା ରହିଲା’ ତାଙ୍କର ପଥମ ଗୀତିଗ୍ରନ୍ଥ। ତାହାର ମୁଦ୍ରାକର- ରବୀନ୍ଦ୍ରନାଥ ପଟ୍ଟନାୟକ, ଅରୁଣ ପ୍ରେସ୍‌, କାଠଗଡ଼ା ସାହି, କଟକ-୧, ଏବଂ ପରିବେଷକ- ମଦର ପବ୍ଲିକେସନ୍‌ସ, କାଜିବଜାର, କଟକ-୧। ପ୍ରଥମ ପ୍ରକାଶ- ଦୀପାବଳି, ୧୯୬୨। ସଂକଳିତ ଗୀତିଗୁଡ଼ିକ ‘ଆକାଶବାଣୀ ସୌଜନ୍ୟରୁ’ ପ୍ରକାଶିତ ଓ ପରିବେଷିତ ବୋଲି ମଧ୍ୟ ସେଥିରେ ଉଲ୍ଲେଖ ଅଛି। ‘କୃଷ୍ଣଚୂଡ଼ା’ ଗୀତିଟିର ରଚନା ବା ଆକାଶବାଣୀରୁ ପ୍ରସାରଣର ତାରିଖ ରୂପେ ସୂଚିତ ହୋଇଛି- ୧୯ ଏପ୍ରିଲ, ୧୯୫୯।
ଏ ଗୀତିଟିର ରଚନା ପ୍ରେରଣା ସଂପର୍କରେ ଅକ୍ଷୟ ମହାନ୍ତି କେବେ, କେଉଁଠି, କିଛି କହିଥିବା ଜଣା ନାହିଁ। ମାତ୍ର କୌଣସି ଏକ ସମୟରେ, ଜେ.ଇ. କ୍ୟାସେଟ୍ କମ୍ପାନି ପକ୍ଷରୁ ତାଙ୍କର କାଳଜୟୀ ଗୀତର ଏକ ‘ଗୋଲ୍‌ଡେନ୍ କଲେକ୍‌ସନ୍‌’ ପ୍ରସ୍ତୁତ ହେବା ବେଳେ, ‘କୃଷ୍ଣଚୂଡ଼ା’ ଗୀତଟିକୁ ନୂଆ ଭାବରେ ଗାଇବା ସହିତ, ସେ ସଂପର୍କରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ସେ ଦେଇଥିଲେ। ସେଥିରେ କହିଥିଲେ- “୧୯୫୯ରେ ଏ ଗୀତ ଲେଖା ହେଲା ଓ ପ୍ରଥମେ ରେଡ଼ିଓରେ ପ୍ରଚାରିତ କରାଗଲା। ସେ ସମୟରେ ଆଉ କିଛି ନହଉ, ମୋର ୟୁଥ୍‌, ଯୌବନ; ଏବଂ ସବୁଠୁ ଭଲ ଲାଗୁଥିଲା କୃଷ୍ଣଚୂଡ଼ାର ରଙ୍ଗ। କୃଷ୍ଣଚୂଡ଼ା ଉପରେ ବହୁତ ଗୁଡ଼ାଏ ଗୀତି ମୁଁ କରିଦେଲି। ତା’ ଭିତରେ ଏ ଗୀତଟି ସବୁଠୁ ବେଶୀ ଲୋକପ୍ରିୟ, ପପୁଲାର୍। ତା’ର କାରଣ- କୃଷ୍ଣଚୂଡ଼ା ଶବ୍ଦ ନୁହେଁ; ‘ମନ୍ଦ ନୁହେଁ’ ଶବ୍ଦ। ଏ ‘ମନ୍ଦ ନୁହେଁ’ଟା ସେଦିନ ଚହଳ ପକାଇ ଦେଇଥିଲା। ... ବର୍ତ୍ତମାନ ଦେଖାଯାଉ, ସେ କୃଷ୍ଣଚୂଡ଼ାର ରଙ୍ଗ ମୋ ଦେହରେ ଅଛି କି ନା!”
ଅକ୍ଷୟ ମହାନ୍ତିଙ୍କର ବେଶ୍ କେତୋଟି ଗୀତରେ କୃଷ୍ଣଚୂଡ଼ା ଅଛି। ଯେମିତି- ‘କୃଷ୍ଣଚୂଡ଼ା ପଥଧାରେ ଫୁଟେ...’। ଓଡ଼ିଆ ଗୀତି ଜଗତରେ କୃଷ୍ଣଚୂଡ଼ା ଗୀତର ସଂଖ୍ୟା କିଛି କମ୍ ନୁହେଁ। ଲୋକପ୍ରିୟ ଫୁଲମାନଙ୍କୁ ନେଇ ‘ରେବତୀ’ ପତ୍ରିକାରେ ନିୟମିତ ଫିଚର ଲେଖୁଥିବା ଶ୍ୱେତା ରାଉତ ବି, ‘କୃଷ୍ଣଚୂଡ଼ା’କୁ ନେଇ ଲେଖିଥିବା ଗୋଟିଏ ଲେଖାରେ ତାହାର ଏକ ନାତିଦୀର୍ଘ ସୂଚୀ ଦେଇଛନ୍ତି। ସେହି ଲେଖାରେ କୃଷ୍ଣଚୂଡ଼ାକୁ ସେ କହିଛନ୍ତି- ‘ନିଦାଘ ମଞ୍ଜରୀ’। ପୁଣି କହିଛନ୍ତି, ପ୍ରଭୁ ଶ୍ରୀକୃଷ୍ଣଙ୍କ ଚୂଡ଼ାର ଶୃଙ୍ଗାରରେ ପ୍ରଯୁକ୍ତ ହେତୁ ଏହାର ନାମ କୃଷ୍ଣଚୂଡ଼ା।
କୃଷ୍ଣଚୂଡ଼ାର ମୁଖ୍ୟତଃ ଦୁଇଟି ପ୍ରଜାତି- ଲାଲ ଓ ହଳଦି। ଲାଲ ପ୍ରଜାତିକୁ କୃଷ୍ଣଚୂଡ଼ା କୁହାଯିବା ବେଳେ, ହଳଦି ପ୍ରଜାତିକୁ ଅନେକେ ରାଧାଚୂଡ଼ା ବୋଲି କହନ୍ତି। କିନ୍ତୁ ନିଦାଘର ମଞ୍ଜରୀ ଏଇ କୃଷ୍ଣଚୂଡ଼ା ତାହାର ଲାଲ ରଙ୍ଗ ପାଇଁ ହିଁ ପ୍ରଲୁବ୍‌ଧ କରିଥାଏ। ସେଇଥିପାଇଁ ସମ୍ଭବତଃ, ଅକ୍ଷୟ ମହାନ୍ତି ତାହାକୁ ଏକ ଅପୂର୍ବ ବ୍ୟଞ୍ଜନା ଦେଇ ପ୍ରଯୁକ୍ତ କରିଛନ୍ତି ଏକ ନାରୀକ୍ଷେତ୍ରରେ। ସେ ନାରୀ ହୋଇଛି- ‘ବୟସର କୃଷ୍ଣଚୂଡ଼ା’; ରଙ୍ଗ ତା’ର ‘ମନ୍ଦ ନୁହେଁ’।
ଅକ୍ଷୟ ମହାନ୍ତି, ଗୀତି-ସମ୍ରାଟ।
ସୁରେନ୍ଦ୍ର ମହାନ୍ତି, କଥା-ସମ୍ରାଟ।
ଏ ଉପାଧି ତାଙ୍କୁ ଆନୁଷ୍ଠାନିକ ଭାବରେ କେହି ଦେଇ ନାହିଁ। ଏ ଉପାଧି ତାଙ୍କୁ ଦେଇଛନ୍ତି ଓଡ଼ିଶାର ଶ୍ରୋତା ବା ପାଠକ। ହୃଦ-ସିଂହାସନରେ ତାଙ୍କୁ ସମ୍ରାଟ ରୂପେ ଅଭିଷିକ୍ତ କରିଛନ୍ତି।
କୃଷ୍ଣଚୂଡ଼ା ଗୀତ କଥା ଆସିଲେ ଅକ୍ଷୟ ମହାନ୍ତି ମନେ ପଡ଼ିବା ପରି, କୃଷ୍ଣଚୂଡ଼ା ଗପ କଥା ଆସିଲେ ମନେପଡ଼ନ୍ତି ସୁରେନ୍ଦ୍ର ମହାନ୍ତି।
‘କୃଷ୍ଣଚୂଡ଼ା’ ଶୀର୍ଷକରେ ଗୋଟିଏ ଗଳ୍ପ ପୁସ୍ତକ ଅଛି ସୁରେନ୍ଦ୍ର ମହାନ୍ତିଙ୍କର। ତାହା ତାଙ୍କର ଦ୍ୱିତୀୟ ଗଳ୍ପ ସଂକଳନ। ପ୍ରକାଶକାଳ- ୧୯୫୧, ଏବଂ ପ୍ରକାଶକ- ନିଉ ଷ୍ଟୁଡ଼େଣ୍ଟସ୍ ଷ୍ଟୋର୍ସ ପ୍ରା: ଲି:, ବ୍ରହ୍ମପୁର: କଟକ। ଦଶଟି ଗଳ୍ପକୁ ନେଇ ସଂକଳିତ ସେହି ପୁସ୍ତକର ଆରମ୍ଭ ଓ ଶେଷରେ ଅଛି ସୁରେନ୍ଦ୍ର ମହାନ୍ତିଙ୍କର ଦୁଇ ପ୍ରସିଦ୍ଧ ଗଳ୍ପ- ‘ସାରୀପୁତ୍ତ’ ଓ ‘କୃଷ୍ଣଚୂଡ଼ା’। ତାହାର ଅଷ୍ଟମ ଗଳ୍ପ ରୂପେ ସଂକଳିତ ହୋଇଛି- ‘ମଣିଷ ଓ ଅର୍ଥନୀତି’।
‘ବନ୍ଦୀ’ ସୁରେନ୍ଦ୍ର ମହାନ୍ତିଙ୍କର ପ୍ରଥମ ପ୍ରକାଶିତ ଗଳ୍ପ। ତାହାର ପ୍ରକାଶକାଳ- ୧୯୩୮ ଏବଂ ତାହା ପ୍ରକାଶ ପାଇଥିଲା ‘ଉତ୍କଳ ସାହିତ୍ୟ’ର ୪୧ ଭାଗ, ୫ମ ସଂଖ୍ୟାରେ। ତାହା ୧୯୮୬ ମସିହା ପୂର୍ବରୁ ସୁରେନ୍ଦ୍ର ମହାନ୍ତିଙ୍କର କୌଣସି ଗଳ୍ପ ସଂକଳନରେ ସ୍ଥାନ ପାଇ ନଥିଲା। ‘ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ’ (୧୯୮୬) ପ୍ରକାଶ ପାଇବା ବେଳେ, ତାହାକୁ ସେଥିରେ ସଂକଳିତ କରିଥିଲେ ଗାଳ୍ପିକ। ତାହାର ‘ଭୂମିକା’ରେ କହିଥିଲେ, “୧୯୩୮ରେ ଲେଖା ମୋର ସର୍ବପ୍ରଥମ ଗଳ୍ପ ‘ବନ୍ଦୀ’ ଏ ପର୍ଯ୍ୟନ୍ତ କୌଣସି ଗଳ୍ପ ସଂଗ୍ରହରେ ସ୍ଥାନ ପାଇ ନଥିଲା। ସେହି ଗଳ୍ପଟି ଏଥିରେ ମଧ୍ୟ ସମ୍ପୂଟିତ ହୋଇଅଛି।” କିନ୍ତୁ ୧୯୫୧ରେ ସଂକଳିତ ‘କୃଷ୍ଣଚୂଡ଼ା’ର ଆରମ୍ଭରେ ସେ ଯେଉଁ ସୂଚନା ଦେଇଛନ୍ତି, ସେଥିରେ କହିଛନ୍ତି, “‘ମଣିଷ ଓ ଅର୍ଥନୀତି’ ଗଳ୍ପଟି ‘ଆରତି’ ପତ୍ରିକାର ୧୯୪୧ ମସିହା ପୂଜାସଂଖ୍ୟାରେ ପ୍ରକାଶ ପାଇଥିଲା- ଲେଖକଙ୍କର ସର୍ବପ୍ରଥମ କ୍ଷୁଦ୍ରଗଳ୍ପ।”
ବସ୍ତୁତଃ, ଅଙ୍ଗ ଓ ଆତ୍ମା ଉଭୟ ଦୃଷ୍ଟିରୁ, ‘ମଣିଷ ଓ ଅର୍ଥନୀତି’ ହିଁ ସୁରେନ୍ଦ୍ର ମହାନ୍ତିଙ୍କର ସର୍ବପ୍ରଥମ କ୍ଷୁଦ୍ରଗଳ୍ପର ମାନ୍ୟତା ନିମନ୍ତେ ହକ୍‌ଦାର। ଏବଂ ତାହା ‘କୃଷ୍ଣଚୂଡ଼ା’ ସଂକଳନରେ ସଂଯୋଜିତ ହେବା ହୁଏତ ଏକ ସଂଯୋଗ ମାତ୍ର; କିନ୍ତୁ ସେହିଥିରେ ହିଁ ‘ମନ୍ଦ ନୁହେଁ’ ଶବ୍ଦଯୁଗ୍ମର ପ୍ରଥମ ପ୍ରୟୋଗ ସୁରେନ୍ଦ୍ର ମହାନ୍ତି କରିଥିବା ଲକ୍ଷ୍ୟ କରାଯାଏ।
‘ମଣିଷ ଓ ଅର୍ଥନୀତି’ ଏକ କିରାଣୀ ଜୀବନର ଅଭାବୀ କାହାଣୀ।
ସେଦିନ ରବିବାର। କିରାଣୀ ଜୀବନର ଏକ ଈପ୍‌ସିତ ଦିନ। ସେଦିନର କାହାଣୀ ସୁରେନ୍ଦ୍ର ମହାନ୍ତି ବର୍ଣ୍ଣନା କରିଛନ୍ତି ଏମିତି-
“ସକାଳ ୮ଟା, କାନ୍‌ଭାସ୍ ଖଟିଆଟା ଉପରେ ପଡ଼ି ଏକଡ଼ ସେକଡ଼ ହେଉ ହେଉ, ଆଖି ପଡ଼ିଗଲା ସାମନା କ୍ୟାଲେଣ୍ଡରଟା ଉପରେ। ଆଜି ରବିବାର। ବାହାରେ ଦିନଟା କେମିତି କାଉଁଳିଆ। ଆକାଶରେ ମେଘ ଢାଙ୍କି ରହିଛି, ତଥାପି ବର୍ଷାର ସମ୍ଭାବନା ନାହିଁ। ପ୍ରଥମ ଆଷାଢ଼ର ଆଗମନୀ ସେତେବେଳକୁ ବାଜି ଉଠିଥାଏ ଶ୍ୟାମାୟିତ ଧରଣୀ ପୃଷ୍ଠରେ। ଘରଣୀ ଆସି ଆଇସ୍‌କ୍ରିମ୍‌-ସ୍ନିଗ୍‌ଧ-କଣ୍ଠରେ କହିଲେ, ‘ଦିନ ଆସି ଆଠଟା ହେବ, ଏତେବେଳଯାଏ ନିଦ ଭାଙ୍ଗିବ ନାହିଁ କି?’
ମୁଁ ଘରଣୀଙ୍କର ଦୁଇଟି ଗୋଲାପ ପାଖୁଡ଼ା ଅଥବା ପଦ୍ମପାଖୁଡ଼ା ପରି ହାତ ଦୁଇଟିକୁ ଟାଣିଧରି କୁହୁକଣ୍ଠରେ ଗାଇ ଉଠିଲି, ‘ପ୍ରଭାତେ ଉଠିୟା ତୋ ମୁଖ ହେରିନୁ ଦିନ ଯାବେ ଆଜ ଭାଲୋ’। ଘରଣୀ କିଛି ନ କହି, ଫିକ୍ କରି ହସିଦେଇ ଚାଲିଗଲେ। ମୁଁ ଚଟ୍‌ପଟ୍ ଉଠି ୧୫/୨୦ ମିନିଟ୍ ଭିତରେ ନିତ୍ୟକର୍ମଟା ସାରିନେଲି। ତା’ପରେ ଘରଣୀ ଖଣ୍ଡେ ଥାଳିଆରେ ନେଇ ଆସି ପହଞ୍ଚିଲେ ସୋରିଷତେଲଗୋଳା ମୁଢ଼ି, ତା’ ଦେହରେ ଖଣ୍ଡି ଖଣ୍ଡି ପିଆଜ କଟା ହୋଇ ପଡ଼ିଛି। ଯାହାହେଉ, ମନ୍ଦ ନୁହେଁ।”
ଏହିପରି ଭାବରେ, ସୁରେନ୍ଦ୍ର ମହାନ୍ତିଙ୍କର ସର୍ବପ୍ରଥମ କ୍ଷୁଦ୍ରଗଳ୍ପରେ ହିଁ ପ୍ରଯୁକ୍ତ ହୋଇଛି ସେହି ଲୋକପ୍ରିୟ ଶବ୍ଦଯୁଗ୍ମ- ‘ମନ୍ଦ ନୁହେଁ।’
‘ମହାନଗରୀର ରାତ୍ରି’ ସୁରେନ୍ଦ୍ର ମହାନ୍ତିଙ୍କର ପ୍ରଥମ ଗଳ୍ପଗ୍ରନ୍ଥ। ଏହାର ପ୍ରଥମ ପ୍ରକାଶକାଳ- ୧୯୫୦ ଏବଂ ପ୍ରକାଶକ- କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର୍। ପରେ, ତାହା ତାଙ୍କର ପ୍ରଥମ ମୁଦ୍ରିତ ପୁସ୍ତକ ‘କଲେଜ ବୟ’ (୧୯୪୭) ସହିତ ‘ପ୍ରଜାପତି’ ନାମରେ ମିଶି, ପରିବର୍ଦ୍ଧିତ କଳେବରରେ ପ୍ରକାଶ ପାଇଛି, ‘ବୁକ୍‌ସ ଆଣ୍ଡ୍ ବୁକ୍‌ସ’, ବିନୋଦବିହାରୀ, କଟକ-୨ରୁ, ୧୯୭୯ରେ। ତାହାର ତୃତୀୟ ଗଳ୍ପ ‘ଭାରତ ଆବିଷ୍କାର’; ପ୍ରକାଶକାଳ- ୧୯୪୬। ସେଥିରେ ମଧ୍ୟ ମିଳେ ସେହି ଲୋକପ୍ରିୟ ଶବ୍ଦଯୁଗ୍ମ- ‘ମନ୍ଦ ନୁହେଁ’।
‘ଭାରତ ଆବିଷ୍କାର’ କ୍ଷୁଦ୍ରଗଳ୍ପର ଆରମ୍ଭ ଜବାହରଲାଲ ନେହରୁଙ୍କ ପୁସ୍ତକ ‘ଭାରତ ଆବିଷ୍କାର’ରୁ। ସେ ସଂପର୍କରେ ସୁରେନ୍ଦ୍ର ମହାନ୍ତିଙ୍କର ବର୍ଣ୍ଣନା ଏହିପରି-
“ଜବାହରଲାଲଙ୍କର ନୂଆ ବହି ‘ଭାରତ ଆବିଷ୍କାର’, ‘ଡିସ୍‌କଭରି ଅଫ୍ ଇଣ୍ଡିଆ’...
ସମସ୍ତେ କହୁଛନ୍ତି ବହିଟାର କାଟତି ଖୁବ୍।
ଚିନାବାଦାମଗୁଡ଼ାକ କିନ୍ତୁ ବାସ୍ତବିକ ରଦ୍ଦି। ମାତ୍ର ଖବରକାଗଜର ଠୁଙ୍ଗାଗୁଡ଼ାକ ସତରେ ଚମତ୍କାର। କେତେ ପୁରୁଣା ଅଥଚ କେତେ ବିଚିତ୍ର ଖବର, ପ୍ରଥମେ ପଢ଼ିବାବେଳେ ଯାହା ଦୃଷ୍ଟି ଏଡ଼ାଇ ଯାଇଥାଏ, ସେସବୁ ପୁଣି ଆଖିରେ ପଡ଼େ ଅତି ଅତର୍କିତ ଭାବରେ, ଅନ୍ୟମନସ୍କ ଓ ବେକାର ମୁହୂର୍ତ୍ତରେ... ଖବରକାଗଜର ଠୁଙ୍ଗାଗୁଡ଼ିକ ଉପରେ ଆଖି ବୁଲାଇଲା ବେଳେ। ଜବାହରଲାଲ ତା’ହେଲେ ଏଇ ୧୯୪୫ ମସିହାର ଶେଷରେ ଭାରତ ଆବିଷ୍କାର କଲେ। ମନ୍ଦ ନୁହେଁ!”
କେବଳ ସର୍ବପ୍ରଥମ କ୍ଷୁଦ୍ରଗଳ୍ପ ‘ମଣିଷ ଓ ଅର୍ଥନୀତି’ରେ, ବା ସର୍ବପ୍ରଥମ କ୍ଷୁଦ୍ରଗଳ୍ପ ପୁସ୍ତକ ‘ମହାନଗରୀର ରାତ୍ରି’ରେ ସଂକଳିତ ‘ଭାରତ ଆବିଷ୍କାର’ରେ ନୁହେଁ; ଦ୍ୱିତୀୟ କ୍ଷୁଦ୍ରଗଳ୍ପ ପୁସ୍ତକ ‘କୃଷ୍ଣଚୂଡ଼ା’ ପରି, ତୃତୀୟ କ୍ଷୁଦ୍ରଗଳ୍ପ ସଂକଳନ ‘ରୁଟି ଓ ଚନ୍ଦ୍ର’ରେ ମଧ୍ୟ ମିଳେ, ସେଇ ଲୋକପ୍ରିୟ ଶବ୍ଦଯୁଗ୍ମ- ‘ମନ୍ଦ ନୁହେଁ’।
‘ରୁଟି ଓ ଚନ୍ଦ୍ର’ର ପ୍ରକାଶକାଳ- ୧୯୫୪। ପ୍ରକାଶକ- ଛାତ୍ରବନ୍ଧୁ ପୁସ୍ତକାଳୟ, ନୟାସଡ଼କ, କଟକ-୨। ଶୀର୍ଷକଗଳ୍ପ ‘ରୁଟି ଓ ଚନ୍ଦ୍ର’ଠାରୁ ଶେଷଗଳ୍ପ ‘ନର୍ତ୍ତକୀ’ ପର୍ଯ୍ୟନ୍ତ ମୋଟ ଦଶଟି ଗଳ୍ପ ସେଥିରେ ସଙ୍କଳିତ। ସେଥିରେ ଷଷ୍ଠଗଳ୍ପ ରୂପେ ସଂକଳିତ ହୋଇଛି ‘ସାଙ୍ଗ୍‌ରିଲା’। ‘ସାଙ୍ଗ୍‌ରିଲା’ର ରଚନାକାଳ- ୧୯୫୨। ଅମିତାଭ, ଅଶୋକ, ସୁରଜିତ ଓ ସୁକାନ୍ତ ଏବଂ ଏକାଧାରରେ ସାଙ୍ଗ୍‌ରିଲାର ଭୃତ୍ୟ, ସୂପକାର ଓ ଦରଦୀବନ୍ଧୁ ରାଧା ଓରଫ୍ ରାଧିକାଙ୍କୁ ନେଇ ଗଳ୍ପ ଗତିଶୀଳ। ସୁରେନ୍ଦ୍ର ମହାନ୍ତି କହିଛନ୍ତି, “ଅମିତାଭ, ଅଶୋକ, ସୁରଜିତ, ସୁକାନ୍ତ ଓ ରାଧା ଆଉ ଏମାନଙ୍କୁ ଘେରି ସାଙ୍ଗ୍‌ରିଲା। କଳା, ସଂସ୍କୃତି ଓ ବୁଦ୍ଧିଜୀବୀ ମଧ୍ୟବିତ୍ତର ଜୀବନ୍ତ ସମାଧି।”
ମହାନଗରୀ କଲିକତାରେ, ଅତ୍ୟନ୍ତ ଦୁଃସ୍ଥ ଜୀବନ ଜିଉଥିବା ଏହି ଚାରି ଉପାର୍ଜନହୀନ ଯୁବକ, ଜଣେ ଧନୀ କପଡ଼ା ବେପାରୀଙ୍କ ନିଖୋଜ ଜାମାତାଙ୍କର ସନ୍ଧାନ କରନ୍ତି, ପୁରସ୍କାର ଅର୍ଥ ଲୋଭରେ ଏବଂ ଗଭୀର ରାତ୍ରିରେ ଏକ ପାର୍କରେ ଜଣେ ଯୁବକକୁ ଦେଖି ତାଙ୍କୁ ହିଁ ସେହି ନିଖୋଜ ଜାମାତା ବୋଲି ମନେ କରନ୍ତି। କିନ୍ତୁ ସେହି ପାର୍କରୁ ସେମାନଙ୍କୁ କମ୍ୟୁନିଷ୍ଟ ବୋଲି ଭାବି ପୋଲିସ୍ ସର୍ଜେଣ୍ଟ ଗିରଫ କରି ନେଇ ହାଜତରେ ଠୁଙ୍କିଦିଅନ୍ତି। ସେହି ପ୍ରସଙ୍ଗରେ, ଏ ଗଳ୍ପରେ ବି ସୁରେନ୍ଦ୍ର ମହାନ୍ତି ପ୍ରୟୋଗ କରିଛନ୍ତି ସେହି ଶବ୍ଦଯୁଗ୍ମ- ‘ମନ୍ଦ ନୁହେଁ’। ସେ ବର୍ଣ୍ଣନା ଏମିତି-
“ହାଜତରେ ଗୋଟିଏ ସଂକୀର୍ଣ୍ଣ କୋଠରି। ଜଣେ କନେଷ୍ଟବଲ ସେ ପାଞ୍ଚଜଣଙ୍କୁ ଏକାଠି ତା’ ଭିତରେ ପୂରାଇଦେଇ, ବାହାରୁ ରେଲିଂଦିଆ ଲୁହାକବାଟ ବନ୍ଦ କରିଦେଲା। ଗୋଟାଏ କୋଣରେ ରାସ୍ତାରୁ ଧରା ହୋଇ ଆସିଥିବା ଦୁଇଜଣ ମାତାଲ୍ ପଡ଼ିଛନ୍ତି, ତଳକୁ ମୁହଁମାଡ଼ି।
ସୁକାନ୍ତ କହିଲା, ମନ୍ଦ ନୁହେଁ।”
ଏହିପରି ଭାବରେ, ସୁରେନ୍ଦ୍ର ମହାନ୍ତିଙ୍କର ସର୍ବପ୍ରଥମ କ୍ଷୁଦ୍ରଗଳ୍ପଠାରୁ ଆରମ୍ଭ କରି, ପ୍ରଥମ ତିନିଟି ଗଳ୍ପ ପୁସ୍ତକ- ‘ମହାନଗରୀର ରାତ୍ରି’, ‘କୃଷ୍ଣଚୂଡ଼ା’ ଓ ‘ରୁଟି ଓ ଚନ୍ଦ୍ର’ରେ ସଂକଳିତ ତିନିଟି ଗଳ୍ପରେ, ଏହି ‘ମନ୍ଦ ନୁହେଁ’ ବିଦ୍ୟମାନ। ସ୍ମରଣଯୋଗ୍ୟ, ଯେ ଏ ତିନି ଗଳ୍ପ ସଂକଳନର ପ୍ରକାଶକାଳ ଯଥାକ୍ରମେ ୧୯୫୦, ୧୯୫୧ ଓ ୧୯୫୪। ଏଣୁ ମନେହୁଏ, ପରବର୍ତ୍ତୀ କାଳରେ ଗଳ୍ପ ସମ୍ରାଟ ଭାବରେ ଆଖ୍ୟାୟିତ ସୁରେନ୍ଦ୍ର ମହାନ୍ତିଙ୍କର ଏହି ଲୋକପ୍ରିୟ ଶବ୍ଦଯୁଗ୍ମ ସହିତ, କୃଷ୍ଣଚୂଡ଼ା ମଧ୍ୟ, ପରବର୍ତ୍ତୀକାଳର ଗୀତି ସମ୍ରାଟ ଅକ୍ଷୟ ମହାନ୍ତିଙ୍କ କୃଷ୍ଣଚୂଡ଼ା ଗୀତିରଚନାର ପ୍ରେରଣା ହୋଇଛି। ‘ବୟସର କୃଷ୍ଣଚୂଡ଼ା’ର ବିଶେଷଣ ବା ବ୍ୟଞ୍ଜନା ସହିତ ‘ମନ୍ଦ ନୁହେଁ’କୁ ଯୋଡ଼ି, ଅକ୍ଷୟ ମହାନ୍ତି ଓଡ଼ିଆ ଗୀତିଜଗତର ଏକ ନୂଆ ଉଚ୍ଛ୍ୱାସ ସୃଷ୍ଟି କରିଛନ୍ତି।
ସୁରେନ୍ଦ୍ର ମହାନ୍ତି ତ ଏବେ ୧୦୧ରେ ନଟ୍ ଆଉଟ୍‌! ଅକ୍ଷୟ ମହାନ୍ତି ବି, ଆଜି ପ୍ରାୟ ୯୦ ବର୍ଷରେ, ସେଇ ପଥରେ। ମନ୍ଦ ନୁହେଁ!
ମୋ: ୯୪୩୭୦ ୩୪୮୦୪