ହାଇସ୍କୁଲ ବେଳର କଥା। ସ୍କୁଲରେ କିଛିଟା ସାମାନ୍ୟ ବ୍ୟବସ୍ଥାର ଅଭାବ ଆମ ପିଲାମାନଙ୍କୁ ଅସ୍ଥିର କରି ଦେଉଥାଏ। ବର୍ଷକୁ ଥରେ ଆମ ଠାରୁ ମେଡିକାଲ୍ ଫିଜ୍ ନିଆଯାଏ, ହେଲେ ସ୍କୁଲରେ ସାଧାରଣ ଫାଷ୍ଟଏଡ୍ ବାକ୍ସଟିଏ ବି ନ ଥାଏ। ଲାଇବ୍ରେରି ଫିଜ୍ ନିଅାଯାଏ, ହେଲେ ବହି ଇସ୍ୟୁ ହୁଏନା। ଲାଇବ୍ରେରି ଘରର ଅଭାବରେ ବହି କିଛି ଏକ ବଡ଼ ବାକ୍ସରେ ଥାଏ, ଯାହାକୁ ଆମେ ଖୋଲି ଦେଖିବାର ବି ସୁଯୋଗ ପାଉନା। ସାମାନ୍ୟ ପରିସ୍ରାଗାରଟିଏ ନ ଥିବା କାରଣରୁ ଖାସ୍ କରି ଛାତ୍ରୀମାନେ ଖୁବ୍ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସ୍କୁଲରେ ଏକ ବିଜ୍ଞାନାଗାର ଥାଏ। କିନ୍ତୁ ସେଠି ସର୍ବଦା ତାଲା ଝୁଲୁଥାଏ। ପିଲାଙ୍କ ପ୍ରବେଶରେ ସେଠିକାର ଆସବାବପତ୍ର ନଷ୍ଟ ହେବାର ଡର ଥାଏ ବୋଲି ତାକୁ ବ୍ୟବହାର କରାଯାଏ ନାହିଁ।
ଆମେ ପିଲାଏ ଭାବୁ ସ୍କୁଲ ଚାହିଁଲେ ତ ସମସ୍ୟାଗୁଡ଼ିକର ଅତି ସହଜରେ ସମାଧାନ ହୋଇପାରନ୍ତା! ଏକାଦଶ ଶ୍ରେଣୀରେ ପହଞ୍ଚିଲା ବେଳକୁ ପିଲାଙ୍କ କୈଶୋରାବସ୍ଥା। ଉଭୟ ଦେହ ଓ ମନରେ ବଳ ଆସି ଯାଇଥାଏ। ଦିନେ ଏକାଦଶ ଶ୍ରେଣୀର ଆମେ ପିଲାଏ ସ୍ଥିର କଲୁ- ସମସ୍ୟାଗୁଡ଼ିକୁ ପ୍ରଧାନ ଶିକ୍ଷକଙ୍କ ଦୃଷ୍ଟିକୁ ଅଣାଯିବ। ଏକ ଆବେଦନ ପତ୍ରରେ ସମସ୍ୟାଗୁଡ଼ିକୁ ତାଲିକାଭୁକ୍ତ କରାଗଲା। ଲେଖିବାର ଦାୟିତ୍ବ ନେଲା ଜଣେ ସାଙ୍ଗ, ଯାହାର ହସ୍ତାକ୍ଷର ସୁନ୍ଦର। ପତ୍ରଟିକୁ ଆମେ ଦଳେ ଛାତ୍ର ମିଶି ପ୍ରଧାନ ଶିକ୍ଷକଙ୍କୁ ହସ୍ତାନ୍ତର କଲୁ। ଦିନକ ପରେ ସମସ୍ୟାର ସମାଧାନ ମିଳିବ କ’ଣ, ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ ଏକ ନୋଟିସ ଆସିଲା- ଉପର ଓଳି ଏକ ମିଳିତ ସଭା ହେବ; ସେଠାରେ ଶିକ୍ଷକମାନଙ୍କ ଉପସ୍ଥିତିରେ ଛାତ୍ରମାନେ ସମସ୍ୟାଗୁଡ଼ିକୁ ଉପସ୍ଥାପିତ କରିବେ। ନୋଟିସ ପାଇଲା ପରେ ଆମ ଭିତରେ ଏକ ନୂଅା ଭୟ ଖେଳିଗଲା। କିଏ ଛିଡ଼ା ହୋଇ ସଭାରେ ଦାବିଗୁଡ଼ିକୁ ଉପସ୍ଥାପିତ କରିବ? ପିଲାଙ୍କ ଭିତରେ ଭୟ ସୃଷ୍ଟି କରିବା ପାଇଁ ଶିକ୍ଷକମାନେ ମିଳିତ ସଭାର ଅଭିନବ ଉପାୟ ଖଞ୍ଜିଥିଲେ!
ଆମମାନଙ୍କ ମଧ୍ୟରେ ପୁଣି ଆଲୋଚନା ଚାଲିଲା। ଏବେ ଯଦି ଆମେ ପଛଘୁଞ୍ଚା ଦିଅନ୍ତି, ଶିକ୍ଷକମାନେ ଆମ ଉପରେ ଆହୁରି ଦାଉ ସାଧିବେ! ତଳ ଶ୍ରେଣୀର ପିଲାଙ୍କ ଆଗରେ ଆମେ ସମ୍ମାନ ହରାଇବା! କୈଶୋରାବସ୍ଥାର ଉତ୍ତାପରେ ଏହା ଆଦୌ ସହ୍ୟ ହେବାର ନୁହେଁ! ଶେଷକୁ ସଭାରେ ଦାବି ଉପସ୍ଥାପନ କରିବାର ଭାର ମୋ ଉପରେ ପଡ଼ିଲା। ସଭା ସମୟ ଯେତେ ପାଖେଇ ଆସୁଥାଏ, ଭୟ ସେତେ ଅଧିକ ଆଚ୍ଛନ୍ନ କରୁଥାଏ, ଯଦିଓ ବାହାରକୁ ଦମ୍ଭ ଅତୁଟ ଥିବାର ମୁଁ ଛଳନା କରୁଥାଏ!
ସଭାରେ ଦାବିଗୁଡ଼ିକୁ ଉପସ୍ଥାପନ କଲା ପରେ ଶିକ୍ଷକମାନେ ନିଜ ନିଜର ମନ୍ତବ୍ୟ ରଖିଲେ। ସମସ୍ତ ମନ୍ତବ୍ୟର ସାରତତ୍ତ୍ବ ହେଲା- ଏକାଦଶ ଶ୍ରେଣୀର ପିଲା ଶୃଙ୍ଖଳା ଜ୍ଞାନ ହରାଇଛନ୍ତି। ଏହା ଦ୍ବାରା ସେମାନଙ୍କ ଭବିଷ୍ୟତ୍ ଓ ସ୍କୁଲର ସମ୍ମାନ କ୍ଷତିଗ୍ରସ୍ତ ହେବ। ସମସ୍ୟାଗୁଡ଼ିକର ସମାଧାନ କଥା କୌଣସି ଶିକ୍ଷକ ଉଲ୍ଲେଖ ସୁଦ୍ଧା କଲେ ନାହିଁ। ତେବେ ମିଳିଥିବା ତାଚ୍ଛଲ୍ୟ ଓ ଗାଳିର ମାତ୍ରା ଆମ ଅାଶଙ୍କା ତୁଳନାରେ ଯଥେଷ୍ଟ ଊଣା ଥିଲା।
ହେଲେ, ସେଠାରେ ଘଟଣାର ଅନ୍ତ ହୋଇ ନ ଥିଲା। କିଛି ଦିନ ପରେ ଆମେ କେତେଜଣ ଛାତ୍ର ‘ଶିକ୍ଷକ କମନ୍ ରୁମ୍’କୁ ଯିବାକୁ ଡକରା ପାଇଲୁ। କୌଣସି ପିଲାର ଅପରାଧ ଅକ୍ଷମଣୀୟ ହେଲେ ତା’ ଲାଗି ‘ଶିକ୍ଷକ କମନ୍ ରୁମ୍’ରୁ ଡକରା ଆସେ। ସେଠି ଜଣ ଜଣ କରି ଯିବାକୁ ପଡ଼େ; ବେତ ମାଡ଼ କିମ୍ବା ଗାଳି ବଦଳରେ ସେଠି ପ୍ରାୟତଃ ଭର୍ତ୍ସନା ମିଳେ, ଯାହା କୈଶୋରାବସ୍ଥାରେ ଖୁବ୍ ଅସହ୍ୟ ପ୍ରତୀତ ହୁଏ। ଶିକ୍ଷକମାନଙ୍କ ପକ୍ଷରୁ ପିଲା ଉପରେ ସାମୂହିକ ଆକ୍ରମଣ ହେଉଛି ଏଭଳି ଡାକରାର ଏକ ବଡ଼ ବୈଶିଷ୍ଟ୍ୟ। ‘ଶିକ୍ଷକ କମନ୍ ରୁମ୍’କୁ ପଶିଲା ବେଳକୁ ମୋତେ ଚାରିଅାଡ଼େ ଅନ୍ଧକାର ଦିଶୁଥାଏ। ଏକାଦଶ ଶ୍ରେଣୀର ଛାତ୍ର; ନା ମୁଁ ପିଲାଙ୍କ ପରି କାନ୍ଦି ପାରିବି ନା ପାଦ ଧରି କ୍ଷମା ମାଗି ପାରିବି! ପୂର୍ବ ଘଟଣାର ଆଦୌ ଉଲ୍ଲେଖ ନ କରି ଜଣେ ଶିକ୍ଷକ କହିଲେ, ‘ତୋର ଆଚରଣ ଖରାପ ବୋଲି ସମସ୍ତେ ଅନୁଭବ କରୁଛନ୍ତି ଏବଂ ତୋର ଶୁଭେଚ୍ଛୁ ଭାବରେ ଆମେ ଚାହୁଁ ଯେ ନିଜ ଆଚରଣକୁ ତୁ ଠିକ୍ କର।’ ମୁଣ୍ଡ ତଳକୁ କରି ମୁଁ ପଚାରିଲି, ‘ମୋର ଖରାପ ଆଚରଣର କୌଣସି ନମୁନା ଦିଆଗଲେ, ତାକୁ ସୁଧାରିବାକୁ ମୁଁ ପ୍ରୟାସ କରନ୍ତି।’ ଏହାର ଉତ୍ତରରେ ଜଣେ ଶିକ୍ଷକ କହିଲେ, ‘ଏହି ନମୁନା ମାଗିବା ହେଲା ତୋ ଖରାପ ଆଚରଣର ନମୁନା!’
ଏହି ଘଟଣା ମାନସିକ ସ୍ତରରେ ମୋତେ ଏତେ ଦୁର୍ବଳ କରିଦେଲା ଯେ ସାଙ୍ଗ ଗହଣରେ ବି ତେଣିକି ଚୁପ୍ ରହିବା ପସନ୍ଦ କଲି। ଆଗରୁ କେବେ କେମିତି ଶ୍ରେଣୀରେ ପ୍ରଶ୍ନ ପଚାରୁଥିଲି। ତାହା ପୂର୍ଣ୍ଣତଃ ବନ୍ଦ ହେଲା। ଏଣିକି ଚୁପ୍ ରହିବା ହେଲା ମୋ ନିୟତି!
ଉପାଧ୍ୟୁତ୍ତର ଶିକ୍ଷା ପାଇଁ ଜେଏନ୍ୟୁ (ଦିଲ୍ଲୀ) ଯିବାକୁ ହେଲା। ସେଠି ଶ୍ରେଣୀରେ ସଂପୂର୍ଣ୍ଣ ବିପରୀତ ସ୍ଥିତି। ଶିକ୍ଷକମାନଙ୍କ ଦୃଷ୍ଟିରେ ଉତ୍ତମ ଛାତ୍ରର ଲକ୍ଷଣ ହେଲା ଶ୍ରେଣୀରେ ପ୍ରଶ୍ନ ପଚାରିବା, ଯାହା କ୍ଲାସ୍କୁ ସ୍ବୟଂକ୍ରିୟ କରେ। କିନ୍ତୁ ମୁଁ ଚୁପ୍ ରହେ। ଜିଜ୍ଞାସା ସତ୍ତ୍ବେ ପ୍ରଶ୍ନ ପଚାରିବାକୁ କେବେ ସାହସ ହୁଏନା। ଥରେ ଜଣେ ଶିକ୍ଷକ ଅନୌପଚାରିକ କଥାବାର୍ତ୍ତା ବେଳେ ମନ୍ତବ୍ୟ ଦେଲେ, ‘ଆଗକୁ ମୁହଁ ଖୋଲି ପ୍ରଶ୍ନ ନ ପଚାରିଲେ, ତୋର ବୌଦ୍ଧିକ ବିକାଶ ବାଧିତ ହେବ! କୌଣସି ପ୍ରଶ୍ନ ଅବାନ୍ତର ନୁହେଁ; ଉତ୍ତର ନ ଥିବା ସ୍ଥିତିରେ ମଧ୍ୟ ତାହା ସ୍ବାଗତଯୋଗ୍ୟ!’
ନିଜର ଦୀର୍ଘ କାଳର ଶିକ୍ଷକତା ଭିତରେ ମୁଁ ଅନୁଭବ କରିଛି ଯେ ହାତଗଣତି କିଛି ଶିକ୍ଷକଙ୍କୁ ବାଦ୍ ଦେଲେ, ପ୍ରାୟତଃ ଶିକ୍ଷକମାନେ ଶ୍ରେଣୀରେ ପିଲାର ପ୍ରଶ୍ନକୁ ‘ଅବଜ୍ଞା’ କରନ୍ତି। ଏଭଳି କି ଶିକ୍ଷକ-ଶିକ୍ଷାରେ ନିୟୋଜିତ ଶିକ୍ଷକ ମଧ୍ୟ ଏହାର ବ୍ୟତିକ୍ରମ ନୁହନ୍ତି। ମୋ ବିଚାରରେ ଏହା ହେଉଛି ଆମ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ ତ୍ରୁଟି!
[email protected]
ସାମାନ୍ୟ କଥନ: ପ୍ରଶ୍ନ ପଚାରିବାର ସାହସ
ପ୍ରୀତୀଶ ଆଚାର୍ଯ୍ୟ
/sambad/media/post_attachments/wp-content/uploads/2024/08/gjgjggjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)