ବୌଦ୍ଧ ଧର୍ମର ଉତ୍ପତ୍ତି ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ। ତା’ର ପ୍ରାୟ ୩୦୦ ବର୍ଷ ଉତ୍ତାରୁ ବୌଦ୍ଧ ଧର୍ମରେ ମହାଯାନ ଦର୍ଶନର ଆବିର୍ଭାବ। ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ମହାଯାନ ଦର୍ଶନର ଆରମ୍ଭ, ତାହା ସୁସ୍ପଷ୍ଟ ନୁହେଁ। ଆରମ୍ଭର ଅନେକ ବର୍ଷ ପରେ ନାଗାର୍ଜୁନ (୧୫୦ ଖ୍ରୀଷ୍ଟାବ୍ଦ ପ୍ରାୟ), ଅସଂଶ (ଚତୁର୍ଥ ଶତାବ୍ଦୀ) ଓ ବସୁବନ୍ଧୁ (ପଞ୍ଚମ ଶତାବ୍ଦୀ) ଆଦି ଦାର୍ଶନିକ ମହାଯାନ ଦର୍ଶନକୁ ଲିପିବଦ୍ଧ କଲେ। ଆମେ ବୌଦ୍ଧ ଧର୍ମରେ ମହାଯାନ ଓ ହୀନଯାନକୁ ଦୁଇଟି ପୃଥକ୍‌ ସଂଭାଗ ରୂପରେ ଜାଣନ୍ତି। ମାତ୍ର ସେପରି ନୁହେଁ। ପ୍ରଚଳିତ ବୌଦ୍ଧ ଦର୍ଶନରେ କିଛି ନୂଅା ତତ୍ତ୍ବକୁ ଯୋଡ଼ାଗଲା ପରେ ତାକୁ ମହାଯାନ କୁହାଗଲା। ଯେଉଁ ବୌଦ୍ଧ ଗୋଷ୍ଠୀ ଉକ୍ତ ନୂଆ ତତ୍ତ୍ବକୁ ଅନାବଶ୍ୟକ ବୋଲି ମନେ କଲେ, ସେମାନଙ୍କ ମାର୍ଗକୁ ହୀନଯାନ ବା ନିକୃଷ୍ଟ ମାର୍ଗ ବୋଲି ମହାଯାନପନ୍ଥୀମାନେ ଆଖ୍ୟା ଦେଲେ ଏବଂ ନିଜ ମାର୍ଗକୁ ମହାଯାନ ବା ମହତ୍ ମାର୍ଗ ବୋଲି କହିଲେ। ଅନ୍ୟଥା, ‘ତଥାକଥିତ’ ହୀନଯାନ ହେଲା ଆଦି-ବୌଦ୍ଧିକ ପରମ୍ପରା।
ଚତୁର୍ଥ ଶତାବ୍ଦୀରେ ଚୀନ୍‌ରୁ ଆସିଥିବା ପରିବ୍ରାଜକ ଫାଇଆନ୍ ଓ ସପ୍ତମ ଶତାବ୍ଦୀରେ ହୁଏନ୍‌ସାଙ୍କ ବିବରଣୀରୁ ଜଣାପଡ଼େ ଯେ ଉଭୟ ହୀନଯାନ ଓ ମହାଯାନ ପନ୍ଥୀ ଗୋଟାଏ ବୌଦ୍ଧ ସଂଘରେ ମଧ୍ୟ ଅବସ୍ଥାନ କରୁଥିଲେ। ବିଚାର-ପାର୍ଥକ୍ୟ ସେମାନଙ୍କୁ ପରସ୍ପରର ଶତ୍ରୁରେ ପରିଣତ କରି ନ ଥିଲା। ମହାଯାନର ଆବିର୍ଭାବ ପରେ ବୌଦ୍ଧ ରଚନାଗୁଡ଼ିକୁ ପାଲି ଭାଷା ବଦଳରେ ଅଧିକରୁ ଅଧିକ ସଂସ୍କୃତରେ ଲିପିବଦ୍ଧ କରାଗଲା। ହିନ୍ଦୁ ପୌରାଣିକ ପରମ୍ପରାର ପ୍ରଭାବରେ ମହାଯାନ ମୂର୍ତ୍ତି ପୂଜା ଉପରେ ମହତ୍ତ୍ବ ଦେଲା। ଆଗରୁ ବୁଦ୍ଧଙ୍କର ନଖ, ବାଳ ଆଦି ଅବଶେଷର ପୂଜା ପଦ୍ଧତି ରହିଥିଲା। ଏବେ ତା’ ସାଙ୍ଗରେ ବୌଦ୍ଧ ମୂର୍ତ୍ତିକୁ ମଧ୍ୟ ସ୍ଥାପିତ କରାଗଲା। ଅନ୍ୟଥ‌‌ା, ଗୌତମ ବୁଦ୍ଧ ସ୍ବ-ଜୀବନାବଧିରେ ମୂର୍ତ୍ତି ପୂଜାର ବିରୋଧ କରୁଥିଲେ ଏବଂ ମହାଯାନର ଆରମ୍ଭ ପୂର୍ବରୁ ବୌଦ୍ଧଧର୍ମୀ ତାକୁ ପାଳନ କରୁଥିଲେ। ମହାଯାନର ଆରମ୍ଭ ପରେ କେବଳ ହୀନଯାନ ପନ୍ଥୀମାନେ ମୂର୍ତ୍ତି ପୂଜାର ବିରୋଧ କଲେ ଏବଂ ପାଲି ଭାଷାରେ ନିଜ ଦର୍ଶନକୁ ଲିପିବଦ୍ଧ କରିବା ଅବ୍ୟାହତ ରଖିଲେ। ମନେ ହୁଏ, ମହାଯାନର ବ୍ୟାପକ ପ୍ରସାର ଓ ଲୋକ ସ୍ବୀକୃତି ହୀନଯାନକୁ କ୍ଷୀଣତନୁ କଲା। ହିନ୍ଦୁ ପୌରାଣିକ ପରମ୍ପରାକୁ ସମାବିଷ୍ଟ କରି ମହାଯାନ ଲୌକିକ ସ୍ତରରେ ଏହି ସ୍ବୀକୃତି ହାସଲ କରିଥିଲା।
ମହାଯାନର ଯେଉଁ ଦାର୍ଶନିକ ବିଚାର ଏହାକୁ ହୀନଯାନ ଠାରୁ ପୃଥକ୍‌ କରେ, ‌ତାହା ହେଲା ନିର୍ବାଣକୁ ନେଇ ବ୍ୟାଖ୍ୟା। ବୌଦ୍ଧ ଦର୍ଶନରେ ନିର୍ବାଣ ହେଲା ପ୍ରମୁଖ ବିଚାର। ଗୌତମ ବୁଦ୍ଧ ନିଜେ ନିର୍ବାଣ କଥା କହିଥିଲେ ଏବଂ ତାକୁ ଜୀବନର ଅନ୍ତିମ ଲକ୍ଷ୍ୟ ବୋଲି ତାଙ୍କ ଅନୁଯାୟୀମାନେ ମନେ କରୁଥିଲେ। ସେହି ମତରେ, ନିର୍ବାଣର ଅର୍ଥ ହେଲା ଜନ୍ମ-ମୃତ୍ୟୁର ଅବାରିତ ଚକ୍ରରୁ ବିମୁକ୍ତି। ମୁକ୍ତିକାମୀ ବୌଦ୍ଧ ଭିକ୍ଷୁମାନେ ଅର୍ହତ ନାମରେ ପରିଚିତ ଥିଲେ ଏବଂ ସେମାନଙ୍କ ଅନ୍ତିମ କାମନା ଥିଲା ନିର୍ବାଣ। ସେହି ଲକ୍ଷ୍ୟରେ ସେମାନେ ଜୀବନବ୍ୟାପୀ ପର ହିତରେ କାର୍ଯ୍ୟ କରିବାକୁ ସଂକଳ୍ପ ନେଉଥିଲା। ନିଜେ ଗୌତମ ବୁଦ୍ଧ ପୂର୍ବ ଜନ୍ମରେ ଅନେକ ଥର ବୋଧିସତ୍ତ୍ବ ରୂପରେ ଅବତରଣ କରି ପର ହିତରେ ଯୋଜନା ଓ ଯନ୍ତ୍ରଣାକୁ ବରଣ କରିଥିଲେ ବୋଲି ତାଙ୍କ ଅନୁଗାମୀମାନେ ବିଶ୍ବାସ କରୁଥିଲେ। ମାତ୍ର ମହାଯାନ ଦର୍ଶନ ଏହାକୁ ଜୀବନଯାପନର ଏକ ନିକୃଷ୍ଟ ମାଧ୍ୟମ ବୋଲି ମନେ କଲା; କାରଣ ଏଥିରେ ନିର୍ବାଣ ମଧ୍ୟ ଏକ କାମନା ରୂପେ ରହିଥିବାରୁ କାମନାର ଅନ୍ତ ଘଟୁନାହିଁ ବୋଲି ବିଚାର ଉଠିଲା। ମହାଯାନ ବିଚାରରେ ଜନ୍ମ-ମୃତ୍ୟୁର ଚକ୍ରରୁ ନିବୃତ୍ତି କଦାପି ଅର୍ହତର ଅନ୍ତିମ ଲକ୍ଷ୍ୟ ହୋଇ ନ ପାରେ। ବରଂ ‌ସାଂସାରିକ କର୍ମରେ ରହି ବ୍ୟକ୍ତି ‌ବା ମୁକ୍ତିକାମୀ ଅର୍ହତ ନିରନ୍ତର ପର ହିତରେ ନିଜକୁ ଉତ୍ସର୍ଗ କରିବା ହେଉଛି ଦ୍ୟେୟ! ପର ହିତରେ ଉତ୍ସର୍ଗୀକୃତ ହେବା ହେଉଛି ତା’ ପାଇଁ ଉପଲବ୍‌ଧ, ଆତ୍ମଜ୍ଞାନ ବା ନିର୍ବାଣ। ସେଥିପାଇ ବୋଧିସତ୍ତ୍ବ ବାରମ୍ବାର ଜନ୍ମ ନେଇ ପର ହିତରେ ନିଜକୁ ଉତ୍ସର୍ଗ କରିବାକୁ ଜୀବନର ପରମ ଲକ୍ଷ୍ୟ ବୋଲି ମନେ କରୁଥିଲେ। ସେହି କ୍ରମରେ ‌େସ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ଚାହିଁ ନ ଥିଲେ। ଏହା ହେଲା ମହାଯାନ ଦର୍ଶନର ମୂଳ ତତ୍ତ୍ବ।
ମହାଯାନରେ ଦୁଇଟି ବିଚାର ପ୍ରମୁଖ; ଗୋଟିଏ ମାଧ୍ୟମକ ଏବଂ ଅନ୍ୟଟି ଯୋଗାଚାର। ଉଭୟ ବିଚାରରେ ଗୌତମ ବୁଦ୍ଧ ପ୍ରଦତ୍ତ ଅଷ୍ଟାଂଗ ମାର୍ଗକୁ ଧ୍ୟେୟ କରି ବୁଦ୍ଧତ୍ବ ଲାଭ କରିହେବ ବୋଲି କୁହାଯାଏ। ଯଦିଓ ମହାଯାନରେ ବୁଦ୍ଧତ୍ବ ଲାଗି ଧ୍ୟାନକୁ ଅଧିକ ପ୍ରମୁଖତା ମିଳିଥାଏ। ବୌଦ୍ଧ ଧର୍ମର ବୈଶିଷ୍ଟ୍ୟ ହେଲା ମଧ୍ୟମ ମାର୍ଗ। ଏହାର ଅର୍ଥ ନିଜ ବିବେକକୁ ଗୁରୁ ମନେ କରି ସତ୍‌ ପଥକୁ ଆଦରି ନେବା; ନିଜ ଅନ୍ତରରେ ମହାକରୁଣା ଓ ଦିବ୍ୟ ଆଲୋକକୁ ଉପଲବ୍‌ଧି କରିବା। ବ୍ୟକ୍ତି ଅନ୍ତରରେ ରହିଥିବା ଅପରିମିତ ସାମର୍ଥକୁ ହୀନଯାନ ଭଳି ମହାଯାନ ମଧ୍ୟ ସ୍ବୀକାର କରନ୍ତି। ବୋଧିସତ୍ତ୍ବ ଏହି ସାମର୍ଥ୍ୟକୁ ଅନୁଭବ କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତି ତାହା କରିପାରିବା ସମ୍ଭବ ବୋଲି ସେ ବିଚାର କରୁଥିଲେ ବୋଲି ମହାଯାନୀମାନେ ବିଶ୍ବାସ କରନ୍ତି। ଅବସୋସର କଥା, ସମୟାନ୍ତରେ ମହାଯାନ ଦର୍ଶନର ଏହି ସାରମର୍ମ ବଦଳରେ ମୂର୍ତ୍ତି ପୂଜା ଅଧିକ ପ୍ରମୁଖତା ପାଇଲା, ଯାହା ବୌଦ୍ଧଧର୍ମ ଭିତରେ ହିନ୍ଦୁ ପୌରାଣିକ ପରମ୍ପରାର ଜାତିବାଦକୁ ଆମଦାନି ହେବାର ବାଟ ଖୋଲିଦେଲା।
[email protected]