ଭାରତେନ୍ଦୁ ହରିଶ୍ଚନ୍ଦ୍ର (୧୮୫୦-୧୮୮୫) ହେଲେ ଆଧୁନିକ ହିନ୍ଦୀ ସାହିତ୍ୟର ନିର୍ବିବାଦୀୟ ଜନକ। ମାତ୍ର ୩୪ ବର୍ଷର ଆୟୁଷ ମଧ୍ୟରେ ସେ କେତେ ଯେ ବିଧାନର ସାହିତ୍ୟ ରଚନା କରିଥିଲେ ଏବଂ ସେହି ପ୍ରକ୍ରିୟାରେ ଶିଶୁ ହିନ୍ଦୀ ସାହିତ୍ୟର ପାଳନ ପୋଷଣ କରିଥିଲେ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏଠାରେ ଜାଣିବା କଥା ଯେ, ହିନ୍ଦୀ ଭାଷା ସାହିତ୍ୟ ହେଉଛି ଭାରତ ଉପମହାଦେଶରେ ସର୍ବ-କନିଷ୍ଠଙ୍କ ଭିତରେ ଅନ୍ୟତମ। ଏହାର ପ୍ରାଚୀନ ଓ ମଧ୍ୟକାଳୀନ ଇତିହାସ ନାହିଁ, କାରଣ ଅତୀତରେ ଯାହା ଖଡ଼ିବୋଲି, ଅବଧି, ଭୋଜପୁରୀ, ବ୍ରଜ ଏବଂ ବୁନ୍ଦେଲୀ ଅାଦି ଉପଭାଷା ଓ ଲୋକଭାଷା ରୂପେ ପ୍ରଚଳିତ ଥିଲା, ତା’ର ଏକ ମିଶ୍ରିତ ଓ ବିଶିଷ୍ଟ ରୂପ ହେଲା ଆଧୁନିକ ହିନ୍ଦୀ। ଉକ୍ତ ଉପଭାଷା ତଥା ଅନ୍ୟ ଭାରତୀୟ ଭାଷାଗୁଡ଼ିକରୁ ଖୁବ୍ ଉଦାର ଭାବରେ ଏହା ଶବ୍ଦ, ବିଷୟ, ଉପମା ଓ ଅଳଙ୍କାରମାନ ଆହରଣ କରି ଖୁବ୍ କମ୍ ସମୟ ମଧ୍ୟରେ ଦେଶର ସବୁଠୁ ଅଧିକ କହି-ବୁଝି ହେଉଥିବା ଭାଷା-ସାହିତ୍ୟର ମାନ୍ୟତା ଲାଭ କଲା। ହିନ୍ଦୀର ବିକାଶ ଓ ବିବର୍ତ୍ତନ ପଛରେ ନିଶ୍ଚିତ ରୂପରେ ଭାରତୀୟ ରାଷ୍ଟ୍ରବାଦର ଅବଦାନ ରହିଛି; କିନ୍ତୁ ତା’ର ଜନକ ଏବଂ ଏକନିଷ୍ଠ ସାଧକ ଭାରତେନ୍ଦୁଙ୍କ ପରିଶ୍ରମ ମଧ୍ୟ ଅନସ୍ବୀକାର୍ଯ୍ୟ!
ଭାରତେନ୍ଦୁଙ୍କ ଜନ୍ମ ବନାରସର ଏକ ସଂପନ୍ନ ବ୍ୟବସାୟୀ ପରିବାରରେ। ପିତା ଗୋପାଳ ଚନ୍ଦ୍ର ଥିଲେ ବେଶ୍ କବି ସ୍ବଭାବର ବ୍ୟକ୍ତି, ଫଳରେ କବିତ୍ବ ଭାରତେନ୍ଦୁଙ୍କୁ ଜନ୍ମଗତ ସୂତ୍ରରେ ଲାଭ ହୋଇଥିଲା। ହେଲେ, ମାତ୍ର ପାଞ୍ଚ ବର୍ଷ ବୟସରେ ସେ ପିତାଙ୍କୁ ଏବଂ ଦଶ ବର୍ଷ ବୟସରେ ମାତାଙ୍କୁ ହରାଇ ନିଜ ହାତରେ ନିଜକୁ ଗଢ଼ିବାକୁ ବାଧ୍ୟ ହୋଇଥିଲେ। ତାଙ୍କର ମୋଟ ରଚନା କାଳ ଥିଲା ମାତ୍ର ୧୭ ବର୍ଷ (୧୮୬୮ରୁ ୧୮୮୫); ଏହି ସ୍ବଳ୍ପ କାଳ ମଧ୍ୟରେ ସେ ଅନ୍ୟୂନ ତିନିଟି ସାହିତ୍ୟ ପତ୍ରିକା, ‘କବି ବଚନ ସୁଧା’, ‘ହରିଶ୍ଚନ୍ଦ୍ର ପତ୍ରିକା’ ଏବଂ ‘ବାଳ ବୋଧିନୀ’ର ସଂପାଦନା କରୁଥିଲେ; ‘ଅନ୍ଧେର ନଗରୀ’ (୧୮୮୧) ଏବଂ ‘ଭାରତ ଦୁର୍ଦ୍ଦଶା’ (୧୮୭୫) ଅାଦି ଭଳି ପାଞ୍ଚଟି ନାଟକ ଲେଖିଥିଲେ; ‘ପ୍ରେମ ମାଳିକା’ (୧୮୭୫) ଏବଂ ‘ପ୍ରେମ ତରଙ୍ଗ’ (୧୮୭୭) ଭଳି ୧୩ଟି କବିତା ସଂଗ୍ରହ ପ୍ରକାଶିତ କରିଥିଲେ; ସଂସ୍କୃତରୁ ହର୍ଷବର୍ଦ୍ଧନଙ୍କ ‘ରତ୍ନାବଳୀ’, ବିଶାଖା ଦତ୍ତଙ୍କ ‘ମୁଦ୍ରା ରାକ୍ଷସ’, ବଙ୍ଗଳାରୁ ନବ ଜାଗରଣର ଜ୍ୟୋତିକ ‘ବିଦ୍ୟା ସୁନ୍ଦର’, ପ୍ରାକୃତରୁ ‘କର୍ପୂର ସୁନ୍ଦରୀ’ ଏବଂ ଇଂରେଜୀରୁୁ ସେକ୍ସପିଅର୍ଙ୍କ ‘ମର୍ଚେଣ୍ଟ ଅଫ୍ ଭେନିସ୍’ ନାଟକର ହିନ୍ଦୀରେ ଅନୁବାଦ କରିଥିଲେ। କୌଣସି ଭାଷାର ବିକାଶରେ ଅନୁବାଦ ସାହିତ୍ୟର ଭୂମିକାକୁ ସେ ଭଲ ଭାବେ ବୁଝିଥିଲେ। ଏ ସବୁକୁ ବାଦ ଦେଲେ ସେ ଅନେକ ପ୍ରବନ୍ଧ, ଗଳ୍ପ ଏବଂ ଆତ୍ମଜୀବନୀ ମଧ୍ୟ ରଚନା କରିଥିଲେ। ଭାରତେନ୍ଦୁ ଥିଲେ ଉଭୟ ବହୁପାଠୀ ଏବଂ ବହୁଭାଷୀ। ସଂସ୍କୃତ, ମରାଠୀ, ବଙ୍ଗଳା, ଗୁଜରାଟୀ, ପଞ୍ଜାବୀ, ଉର୍ଦ୍ଦୁ ଏବଂ ଇଂରେଜୀ ଭାଷାରେ ତାଙ୍କର ଯଥେଷ୍ଟ ପ୍ରବେଶ ଥିଲା। ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ଥିଲା- ‘ନିଜ୍ ଭାଷା ଉନ୍ନତି ଲେହୖ ସବ୍ ଉନ୍ନତି କୋ ମୂଲ୍, ବିନ୍ ନିଜ୍ ଭାଷା ଜ୍ଞାନ କେ ମିଟ୍ ନ ଜିୟ କୋ ଶୁଲ୍’, ଅର୍ଥାତ୍ ସମସ୍ତ ଉନ୍ନତିର ମୂଳ ହେଲା ମାତୃଭାଷା। ଯାହା ବିନା ଜ୍ଞାନ ମିଳିବା ନୋହିବ।
ଭାରତେନ୍ଦୁଙ୍କ ବୌଦ୍ଧିକ ଯାତ୍ରା ମୂଳରେ ଓଡ଼ିଶାର ମଧ୍ୟ ଏକ ବିଶେଷ ଭୂମିକା ରହିଥିଲା। ପନ୍ଦର ବର୍ଷ ବୟସରେ ଅର୍ଥାତ୍ ତାଙ୍କ କୈଶୋରାବସ୍ଥାରେ (୧୮୬୫) ସେ ପରିବାରର ଗୁରୁଜନମାନଙ୍କ ସହିତ କଲିକତା ବାଟ ଦେଇ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାତ୍ରା କରିଥିଲେ। ମଝିରେ କଲିକତା ରହଣି ବେଳେ ସେ ବଙ୍ଗର ନବଜାଗରଣକୁ ପ୍ରତ୍ୟକ୍ଷ କଲେ। ଏହା ପରେ ପୁରୀରେ ଜଗନ୍ନାଥ ମନ୍ଦିରରେ ପଣ୍ଡା, ପୂଜକ ବର୍ଗ ଦ୍ବାରା ଧର୍ମ ନାମରେ ହେଉଥିବା ଶୋଷଣକୁ ମଧ୍ୟ ପାଖରୁ ଦେଖିଲେ। ନିଜ ଜନ୍ମ ମାଟି ବନାରସରେ ମଧ୍ୟ ପୂଜକ ଗୋଷ୍ଠୀ ଦ୍ବାରା ଧାର୍ମିକ ଶୋଷଣ ଚାଲିଥିଲା। ଏହାକୁ ସେ ଭାରତର ଦୁର୍ଦ୍ଦଶା ପାଇଁ ସେ ଦାୟୀ କରିବା ସହିତ ବଙ୍ଗର ନବଜାଗରଣକୁ ତା’ର ବିକଳ୍ପ ଭାବରେ ରଖି ସାହିତ୍ୟ ସେବାରେ ମନ ଦେଲେ। ଭାରତେନ୍ଦୁଙ୍କ ସମସ୍ତ ରଚନାରେ ସମକାଳୀନ ଭାରତର ଦୁର୍ଗତିର କାରଣଗୁଡ଼ିକୁ ତନ୍ନତନ୍ନ କରି ପରଖା ଯାଇଛି ଏବଂ ସେ ସବୁର ଉପଶମ ଲାଗି ହେତୁବାଦ, ଶିକ୍ଷାର ପ୍ରସାର ଏବଂ ରକ୍ଷଣଶୀଳ ସମାଜ ବ୍ୟବସ୍ଥାରେ ପରିବର୍ତ୍ତନକୁ ରେଖାଙ୍କିତ କରାଯାଇଛି। ଏହି ମହତ କାର୍ଯ୍ୟର ସିଦ୍ଧି ପାଇଁ ସେ ହିନ୍ଦୀକୁ ମାଧ୍ୟମ ରୂପରେ ପ୍ରସ୍ତୁତ କରୁଥିଲେ।
ଭାରତେନ୍ଦୁ ମଧ୍ୟ ଥିଲେ ଜଣେ ଆଦ୍ୟ ରାଷ୍ଟ୍ରବାଦୀ। ତାଙ୍କ ଦେହାନ୍ତ ବର୍ଷ (୧୮୮୫) ହିଁ ଜାତୀୟ କଂଗ୍ରେସର ସ୍ଥାପନା ଦେଖିଲା। ଜାତୀୟତାର ଏହି ଉନ୍ମେଷ କାଳରେ ସେ କେବଳ ପରୋକ୍ଷରେ ଇଂରେଜ ସରକାରର ସମାଲୋଚନା କରୁଥିଲେ। ଭାରତର ଦୁର୍ଗତି ପାଇଁ ଆମ ଭିତରେ ରହିଥିବା ତ୍ରୁଟିକୁ ସେ ଅଧିକ ଦାୟୀ କରୁଥିଲେ। ରାଷ୍ଟ୍ରବାଦର ଏହି ଶୈଶବ କାଳରେ ତାଙ୍କ ରଚନାରେ ପ୍ରତିମା ପୂଜାର ବିରୋଧ ବଦଳରେ ତାହାର ମହତ୍ତ୍ବ ପରିଦୃଷ୍ଟ ହୋଇଥାଏ। ସେ ଉର୍ଦ୍ଦୁର ବିରୋଧ କରୁଥିଲେ ଏବଂ ଇଂରେଜ ଶାସନ କାଳରେ ଗୋ ହତ୍ୟା ବନ୍ଦ ଦିଗରେ ସେ ଖୁବ୍ ସକ୍ରିୟ ଥିବା ପରିଲକ୍ଷିତ ହୁଏ। େସତେବେଳେ ଭାରତୀୟ ବିଦ୍ବାନ ବର୍ଗ ୟୁରୋପୀୟ ପ୍ରାଚ୍ୟବିଦମାନଙ୍କ ଦ୍ବାରା ଭାରତୀୟ ଶାସ୍ତ୍ର-ପୁରାଣର ଅନୁବାଦ ଓ ତର୍ଜମାକୁ ସ୍ବାଗତ କରୁଥିଲେ। ମାତ୍ର, ଭାରତେନ୍ଦୁ ହରିଶ୍ଚନ୍ଦ୍ର ଏହି ବିଦେଶୀ ପ୍ରାଚ୍ୟବିଦମାନଙ୍କ ଅଧ୍ୟୟନକୁ ସମସ୍ୟାପୂର୍ଣ୍ଣ ବୋଲି ଆକ୍ଷେପ କରୁଥିଲେ। ଭାରତୀୟ ବିଜ୍ଞାନ ହିଁ ଭାରତୀୟ ଜ୍ଞାନ-ପରଂପରାର ଯଥାଯଥ ତର୍ଜମା କରିପାରିବ ବୋଲି ସେ କହୁଥିଲେ।
ଏହା ନିଃସନ୍ଦେହ ଯେ ହିନ୍ଦୀକୁ ଏକ ଆଧୁନିକ ଭାଷା-ସାହିତ୍ୟ ରୂପେ ପ୍ରତିଷ୍ଠା କରିବାରେ ଭାରତେନ୍ଦୁ ହରିଶ୍ଚନ୍ଦ୍ର ଥିଲେ ଏକନିଷ୍ଠ; ଏବଂ ହିନ୍ଦୀ ଭାଷା କ୍ଷେତ୍ରରେ ଆଦ୍ୟ ରାଷ୍ଟ୍ରବାଦର ବିବର୍ତ୍ତନକୁ ଅଧ୍ୟୟନ କରିବା ଲାଗି ତାଙ୍କ ବିଚାର ଓ ଦୃଷ୍ଟିକୋଣ ଏକ ମହତ୍ତ୍ବପୂର୍ଣ୍ଣ ବିନ୍ଦୁ ଭାବେ ସାବ୍ୟସ୍ତ ହୁଅନ୍ତି!
[email protected]
ସାମାନ୍ୟ କଥନ: ନବ ଜାଗରଣ ଓ ରାଷ୍ଟ୍ରବାଦର ସଙ୍ଗମ
ପ୍ରୀତୀଶ ଆଚାର୍ଯ୍ୟ
/sambad/media/post_attachments/wp-content/uploads/2023/12/fshsffhfhfhfh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)