ଜଣେ ସାହିତ୍ୟିକ ବନ୍ଧୁ; ଲେଖନ୍ତି କମ୍, ପଢ଼ନ୍ତି ଅଧିକ। ଆମ ଦୁହିଁଙ୍କ ମଧ୍ୟରେ ଦୂରତା କାରଣରୁ ମଝିରେ ମଝିରେ ଫୋନ୍ ମାଧ୍ୟମରେ ଆଲୋଚନା ହୁଏ। ନିକଟରେ ଏକ ଲେଖା ସମ୍ବନ୍ଧରେ କହୁ କହୁ ଭାବବିହ୍ବଳ ହୋଇ ସେ କାନ୍ଦିବାକୁ ଲାଗିଲେ। ଫୋନ୍ରେ ତାଙ୍କ ସ୍ବରରୁ ଅନୁମାନ କରି ହେଲା। ହେଲେ କିଛି କହିଲି ନାହିଁ। ପ୍ରକୃତିସ୍ଥ ହେଲା ପରେ କ୍ଷମା ମାଗି କହିଲେ, ‘‘ଆପଣ ଭୁଲ୍ ବୁଝିବେ ନାହିଁ ଆଜ୍ଞା! ମୁଁ ଜଣେ କାନ୍ଦୁରା ପାଠକ। ବହି ପଢ଼ିଲା ବେଳେ, ନାଟକ ଓ ସିନେମା ଦେଖିଲା ବେଳେ କାନ୍ଦି ପକାଏ। ପ୍ରାୟତଃ କେହି ଜାଣିପାରନ୍ତି ନାହିଁ। କିନ୍ତୁ କେବେକେବେ ଧରାପଡ଼ିଯାଏ। ସାଙ୍ଗମାନେ ତାଚ୍ଛଲ୍ୟ କରନ୍ତି। ଅତି ପିଲା ଦିନେ ସିନେମା ହଲ୍ରେ ଥରେ କାନ୍ଦିଲି ବୋଲି ମତେ ସାଙ୍ଗରେ ନେଇଥିବା ବଡ଼ଭାଇ ଗାଳି କଲେ; ଆଉ କେବେ ସାଙ୍ଗରେ ଆଣିବେନି ବୋଲି ତାଗିଦ କଲେ।’’ ସାମାନ୍ୟ ସାନ୍ତ୍ବନା ଦେଇ ତାଙ୍କୁ କହିଲି, ‘ନା ନା, ଏଥିରେ ଲଜ୍ଜିତ ହେବାର କିଛି ନାହିଁ। ଆଖିରୁ ଲୁହ ଗଡ଼ିବା ଏକ ସ୍ବାଭାବିକ ପ୍ରକ୍ରିୟା!’ ସେ କେତେ ଆଶ୍ବସ୍ତ ହେଲେ, ଜଣା ନାହିଁ!
ଋଷିପ୍ରତିମ ଇଂରେଜୀ ଅଧ୍ୟାପକ ସର୍ବେଶ୍ବର ଦାଶଙ୍କର ରେଭେନ୍ସାରେ ଛାତ୍ର ଥିଲେ ଅଭିନେତା ଶରତ ପୂଜାରୀ। ନିଜ ଗୁରୁଙ୍କ କ୍ଲାସ୍ କଥା ଥେର କହୁଥିଲେ। ପ୍ରତିଦିନ ଠିକ୍ ସମୟରେ କ୍ଲାସ୍କୁ ଆସୁଥିବା ସର୍ବେଶ୍ବର ସାର୍ ସେଦିନ ଅନେକ ଡେରି ଯାଏ ଆସିଲେ ନାହିଁ। ଶିକ୍ଷକଙ୍କ ଅନୁପସ୍ଥିତିରେ ପିଲା ହୋହଲ୍ଲା କଲେ; ଖବର ଯାଇ ଅଧ୍ୟକ୍ଷଙ୍କ ପାଖରେ ପହଞ୍ଚିଲା। ଠିକ୍ ସେତିକି ବେଳକୁ ସର୍ବେଶ୍ବର ସାର୍ ଧଇଁସଇଁ ହୋଇ ଶ୍ରେଣୀରେ ପହଞ୍ଚିେଲ; କହିଲେ, ‘ଆଜି ପତ୍ନୀ ଖାଇବାକୁ ଦେବାରେ ବିଳମ୍ବ କଲେ; ରାସ୍ତାରେ ଆସୁଆସୁ ସାଇକେଲ୍ର ଚେନ୍ ଛିଣ୍ଡିଗଲା; ମୋର କ୍ଲାସ୍କୁ ଆସିବାରେ ଡେରି ହେଲା; ତୁମେ ସାମାନ୍ୟ ଅପେକ୍ଷା ନ କରି ହଲ୍ଲା କରିବା ଆରମ୍ଭ କରିଦେଲ; ଖବର ପାଇ ଅଧ୍ୟକ୍ଷ ମତେ ଆସୁ ଆସୁ ତାଗିଦା କଲେଣି; ହେଲେ ମୁଁ ଆଉ କ’ଣ କରିଥାନ୍ତି, କହିଲ!’ ଏତିକି କହି ସେ ଶ୍ରେଣୀରେ ଥନଥନ ହୋଇ କାନ୍ଦିବାକୁ ଲାଗିେଲ। ସ୍ଥିତି େଦଖି ବାଳୁଙ୍ଗା ପିଲାଏ ବି ସ୍ତବ୍ଧ; ସାର୍ଙ୍କ ଅନୁପସ୍ଥିତିରେ ସେମାନେ ହଲ୍ଲା କରି କେତେବଡ଼ ଭୁଲ୍ ନ କରିଛନ୍ତି ସତେ! ଅନ୍ୟଥା, ନିଜ ନିଷ୍ପତ୍ତିରେ ସର୍ବଦା ଅତି ଦୃଢ଼, ସ୍ଥିର ଓ ଅବିଚଳ ରହୁଥିବା ସର୍ବେଶ୍ବର ସାର୍ଙ୍କ ଆଖି ଲୁହ କୁଆଡ଼େ ସେଦିନ ଶ୍ରେଣୀକ ଯାକ ପିଲାଙ୍କୁ କନ୍ଦେଇ ପକେଇଥିଲା!
୨୦୦୪-୦୫ରେ ମୁଁ ‘ସ୍ମୃତିରେ ଶିକ୍ଷକ’ ଶୀର୍ଷକରେ ଏକ ପୁସ୍ତକ ସମ୍ପାଦନା କଥା ଯୋଜନା କଲି। ତହିଁରେ ନିଜ ଆଦର୍ଶ ଶିକ୍ଷକଙ୍କ ସ୍ମୃତିକୁ ଲେଖିବା ପାଇଁ କେତେ ଜଣ ଲବ୍ଧପ୍ରତିଷ୍ଠ ବ୍ୟକ୍ତିଙ୍କୁ ଅନୁରୋଧ କଲି। ତନ୍ମଧ୍ୟରେ ସର୍ବେଶ୍ବର ଦାଶ ଥିଲେ; ଶରତ ପୂଜାରୀ ମଧ୍ୟ ରହିଥିଲେ। ଉଭୟଙ୍କ ସାଙ୍ଗରେ ମୋର କୌଣସି ପୂର୍ବ ପରିଚୟ ନ ଥିଲା। ଠିକଣା ସଂଗ୍ରହ କରି ଡାକରେ ଚିଠିଟିଏ ଲେଖା ପଠାଇଥିଲି। ଫୋନ୍ କରିବାକୁ ମଧ୍ୟ ସାହସ ଯୋଗାଡ଼ କରିପାରି ନ ଥିଲି। ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଶରତ ପୂଜାରୀ ମତେ ଫୋନ୍ କଲେ। ଲେଖା ତାଙ୍କର ପ୍ରସ୍ତୁତ ଏବଂ ସେ ମତେ ମୋର ଆବାସରେ ଭେଟି ତାକୁ ହସ୍ତାନ୍ତର କରିବାକୁ ଚାହାନ୍ତି। ମୁଁ ନିଜେ ଆସି ଲେଖା ତାଙ୍କ ପାଖରୁ ସଂଗ୍ରହ କରି ନେବାକୁ ପ୍ରସ୍ତାବ ଦେଲି। ସେ ମନା କଲେ ଏବଂ ଅଗତ୍ୟା ଆମ ବସାକୁ ଆସିଲେ।
ଲେଖାଟିକୁ ଦେବା ମାଧ୍ୟମରେ ସେ ସମ୍ବଲପୁର ଜିଲ୍ଲାର ଲରଂଭା ସ୍କୁଲରେ ତାଙ୍କ ହେଡ୍ମାଷ୍ଟର ଖଗେନ ବାବୁଙ୍କ କଥା କହିଲେ। ‘ଖଗେନ ସାର୍ଙ୍କ ଯୋଗୁଁ ମୁଁ ଅବାଟରୁ ବାଟକୁ ଆସିଛି; ମଣିଷ ହୋଇଛି!’
ଖଗେନ ସାର୍ ବଙ୍ଗାଳୀ, ଦେଶ ବିଭାଜନ ବେଳେ ଦେଶାନ୍ତରୀ ହୋଇ ସୁଦୂର ଲରଂଭା ଗାଁରେ ପହଞ୍ଚିଥିଲେ; ଏବଂ ବ୍ରଜମୋହନ ପଣ୍ଡାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ବେସରକାରୀ ଏହି ସ୍କୁଲରେ ଶିକ୍ଷକତା କରୁଥିଲେ। ଦେଖିବାକୁ ଦୁବ୍ଲା-ପତ୍ଲା; ମୁଣ୍ଡରେ ଖୁବ୍ ଅଳ୍ପ ଚୁଟି; ପ୍ରଥମ ଦେଖାରେ ହିଁ ନାକଚ ହୋଇଯିବେ! େହଲେ ସେ ଥିଲେ ଜଣେ ଅନନ୍ୟ ଶିକ୍ଷକ। ଶରତ ପୂଜାରୀ ନିଜ ପ୍ରିୟ ଶିକ୍ଷକଙ୍କ ସ୍ମୃତି ସବୁ ବଖାଣି ବଖାଣି କେତେ ଥର ଯେ ସେଦିନ କାନ୍ଦିଥିବେ, ତା’ର ହିସାବ ନାହିଁ। ଶରତ ପୂଜାରୀ ଜଣେ ପୋଖତ ଚିତ୍ରକର ମଧ୍ୟ। ନିଜ ଆଦର୍ଶ ଶିକ୍ଷକଙ୍କ ସ୍ମୃତି ହାତଛଡ଼ା ନ ହେବ ବୋଲି ଖଗେନ ବାବୁଙ୍କ ଏକ ଚିତ୍ର ମଧ୍ୟ ଆଙ୍କି ମୋତେ ହସ୍ତାନ୍ତର କଲେ। ତାଙ୍କ କହିବା କଥା, ବିସ୍ମୃତି ଗହ୍ବରକୁ ଚାଲି ଯାଉଥିବା ତାଙ୍କ ଆଦର୍ଶ ଶିକ୍ଷକଙ୍କ ସ୍ମୃତିକୁ ସାଇତି ରଖିବାରେ ମୁଁ ସହଯୋଗ କରିଥିବାରୁ ସେ କୃତଜ୍ଞ। ତେଣୁ ସେ ମତେ ବ୍ୟକ୍ତିଗତ ଭାବେ ଭେଟି ଲେଖାଟିକୁ ହସ୍ତାନ୍ତର କରିବାକୁ ଚାହିଁଥିଲେ।
ଖଗେନ ସାର୍ଙ୍କ ସ୍ମୃତିର ଅବତାରଣା ବେଳର ଶରତ ପୂଜାରୀଙ୍କ କଇଁକଇଁ ହୋଇ କାନ୍ଦିବାର ଦୃଶ୍ୟ କେବେ ବି ଭୁଲି ହେବ ନାହିଁ! ସ୍ବାଭାବିକ ଭାବେ କାନ୍ଦି ପାରିବାର ଏହି ଗୁଣ ସମ୍ଭବତଃ ଶରତ ପୂଜାରୀଙ୍କୁ ଏକ ସହଜ, ସ୍ବାଭାବିକ ଅଭିନେତା ହେବାର ଦକ୍ଷତା ଯୋଗାଇଥିଲା। ଅଭିନେତା ଭାବରେ ସେ ହସାନ୍ତି ଯେମିତି, ଦର୍ଶକଙ୍କୁ କନ୍ଦାନ୍ତି ସେମିତି! କିନ୍ତୁ, ଏ କଥା କହିଲା ବେଳେ, ତାଙ୍କୁ ପାଖରୁ ଦେଖିଥିବା ଲୋକ ଏହା ନିଶ୍ଚିୟ ସ୍ବୀକାର କରିବେ ଯେ ଜଣେ ମଣିଷ ଭାବରେ ନିଜ ସ୍ମୃତି ସମ୍ଭାରକୁ ନେଇ ସେ ସମ ପରିମାଣରେ ହସୁଥିଲେ ଏବଂ କାନ୍ଦୁଥିଲେ ମଧ୍ୟ, ଯାହା ପ୍ରତ୍ୟେକ ମଣିଷର ଏକ ସହଜାତ ପ୍ରବୃତ୍ତି; ତାକୁ ଲୁଚାଇବା ବା ସେଥିଲାଗି ଲଜ୍ଜିତ ହେବାର କୌଣସି କାରଣ ନାହିଁ!
କାନ୍ଦିବା, ଆଖିରୁ ଲୁହ ଗଡ଼ିବା ଏବଂ ବିକଳରେ ଗଡ଼ି ବିଳାପ କରିବା ଏକା କଥା ନୁହେଁ। ଆଖି କୋଟରରୁ ଧୂଳିମଳିକୁ ନିଷ୍କାସିତ କରିବା ଲାଗି ସମସ୍ତ ପ୍ରାଣୀଙ୍କ ଆଖିରୁ ଲୁହ ଗଡ଼େ। ମଣିଷ ବ୍ୟତୀତ, ମାଙ୍କଡ଼ ଏବଂ ହାତୀ ମଧ୍ୟ ଅକଳରେ ପଡ଼ିଲେ କିମ୍ବା ପ୍ରିୟଜନଠାରୁ ବିଚ୍ଛେଦରେ କାନ୍ଦନ୍ତି ମଧ୍ୟ। ହେଲେ ସବୁ ପ୍ରାଣୀଙ୍କ ତୁଳନାରେ ମଣିଷର କାନ୍ଦିବା ସ୍ବତନ୍ତ୍ର! କେବଳ ଦୁଃଖ ନୁହେଁ, କୃତଜ୍ଞତାରେ ହୃଦୟ ଭରିଗଲେ ମଧ୍ୟ ସେ କାନ୍ଦେ! ଅନ୍ୟର ତ୍ୟାଗ ଏବଂ ଅନାବିଳ ଭଲ ପାଇବାରେ ଲୀନ ହୋଇ ମଧ୍ୟ ସେ କୋହ ସମ୍ଭାଳି ନ ପାରି କାନ୍ଦି ପକାଏ। ବୟସ ବଢ଼ିବା ସାଙ୍ଗରେ ଅନେକ ସମୟରେ ସେ ନିରୋଳାରେ କାେନ୍ଦ; ଲଜ୍ଜିତ ହେବା ଭୟରେ ଅନ୍ୟମାନଙ୍କ ଆଗରେ କାନ୍ଦେ ନାହିଁ। ଈଶ୍ବରବିଶ୍ବାସୀ ଲୋକ ଭଗବାନଙ୍କ ସମକ୍ଷରେ କାନ୍ଦନ୍ତି, ତେଣିକି ଭଗବାନ ପଥର ହୁଅନ୍ତୁ ବା ପ୍ରତୀକ! ପୁରୁଷ ତୁଳନାରେ ସ୍ତ୍ରୀମାନେ ବିନା ଲଜ୍ଜାବୋଧରେ ପ୍ରିୟଜନ ଆଗରେ କାନ୍ଦି ପାରନ୍ତି। ମୋର ସ୍ଥୂଳ ବିଚାରରେ ଅଭିନୟରେ ଯଦିଓ କନ୍ଦା ଯାଇପାରେ, କିନ୍ତୁ ପ୍ରକୃତ କାନ୍ଦିବା କେବେ ବି ଅଭିନୟ ହୋଇ ନ ପାରେ।
pritishacharya [email protected]
ସାମାନ୍ୟ କଥନ: କାନ୍ଦ ଓ କାନ୍ଦୁରା ଲୋକ
ପ୍ରୀତୀଶ ଆଚାର୍ଯ୍ୟ