ସାମାନ୍ୟ କଥନ: ଅସାମାନ୍ୟ ବିଶ୍ବ ଦୃଷ୍ଟି

ପ୍ରୀତୀଶ ଆଚାର୍ଯ୍ୟ

ସ୍ବାଧୀନତା-ପୂର୍ବ ଭାରତ ଇତିହାସର ପୃଷ୍ଠାରେ ଓଡ଼ିଶାର ଯେଉଁ କେତେକ ରାଷ୍ଟ୍ରପୁରୁଷ ମହତ୍ତ୍ବପୂର୍ଣ୍ଣ ସ୍ଥାନର ହକ୍‌ଦାର, ‌ସେମାନଙ୍କ ମଧ୍ୟରେ ଗୋପବନ୍ଧୁ ଦାସ (୧୮୭୭-୧୯୨୮) ହେବେ ଅଗ୍ରଗଣ୍ୟ! ସେହି ଦୃଷ୍ଟିରୁ ‘ଉତ୍କଳମଣି’ ରୂପେ ତାଙ୍କୁ ଶ୍ରଦ୍ଧା ଓ ଭକ୍ତିପୂର୍ବକ ସଂବୋଧନ କରିବାରେ ଗୋପବନ୍ଧୁଙ୍କ ମହାଭାରତୀୟ ମହତ୍ତ୍ବ ସୀମିତ ହୋଇଯାଏ! ଏ କଥା ସତ ଯେ ଗୋପବନ୍ଧୁଙ୍କ କାର୍ଯ୍ୟକ୍ଷେତ୍ର ଓଡ଼ିଶା; ସେ ଓଡ଼ିଶା ବାହାରକୁ (ମୁଖ୍ୟତଃ କଲିକତାକୁ) ବେଳେବେଳେ ଯାଇଛନ୍ତି ସତ, ତାହା ଓଡ଼ିଆ ଓ ଓଡ଼ିଶା ଚିନ୍ତାରେ। ତା’ ସତ୍ତ୍ବେ, ବିଚାର ଓ ଭାବ ଦୃଷ୍ଟିରୁ ସେ ବିଶ୍ବମାନବ! ଓଡ଼ିଆ ଜାତିକୁ ସଂକୀର୍ଣ୍ଣ ଆଞ୍ଚଳିକତାରୁ ଦୂରରେ ରଖିବା ଲାଗି ସେ ନିରନ୍ତର ପ୍ରୟାସ କରିଛନ୍ତି। ତାଙ୍କରି ପ୍ରୟା‌ସରେ ୧୯୨୦ରେ ଓଡ଼ିଶାରେ ମହାଭାରତୀୟ ମହାସ୍ରୋତର ପ୍ରବାହ ବଢ଼ିଲା ଏବଂ ଅସହଯୋଗ ଆନ୍ଦୋଳନର ଜୁଆର ପଶିଲା। ଗୋପବନ୍ଧୁଙ୍କ ଜାତୀୟତା ଭାରତର ଭୌଗୋଳିକ ସରହଦକୁ ମଧ୍ୟ ଅତିକ୍ରମ କରୁଥିଲା। ବିଶ୍ବମାନବତା ଥିଲା ତାଙ୍କ କାମ୍ୟ!

ଓଡ଼ିଆ ଜାତୀୟତା ମହାଭାରତୀୟ ସ୍ରୋତରେ ସମାହିତ ହେଲା ପରେ ତାହା ବଳଶାଳୀ ହେଲା ଏବଂ ୧୯୩୬ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା। ଏହା ଦ୍ବାରା ଭାରତୀୟ ଜାତୀୟତାର ସଂଗ୍ରାମ ମଧ୍ୟ ଆଞ୍ଚଳିକ ବିବିଧତାର ମହତ୍ତ୍ବକୁ ବୁଝିବା ପାଇଁ ଅବସର ପାଇଲା। ଏହା ହୋଇ ନ ଥିଲେ, ସ୍ବାଧୀନତା ପରେ ବିଭିନ୍ନ ଭାଷା ଓ ଅଞ୍ଚଳଗୁଡ଼ିକରେ ରାଷ୍ଟ୍ରର ମୂଳ ଯେ ଦୁର୍ବଳ ହୋଇଥାନ୍ତା- ଏହା କହିବା ବାହୁଲ୍ୟ। ଦେଶ ବିଭାଜନ ପରେ ପାକିସ୍ତାନ ଆଞ୍ଚଳିକ ଭାଷା ବିବିଧତାକୁ ଉପେକ୍ଷା କଲା ଏବଂ ଉର୍ଦ୍ଦୁକୁ ରାଷ୍ଟ୍ର ଉ‌ପରେ ଲଦି ଦେଲା ବୋଲି ୧୯୭୧ରେ ଦ୍ବିଖଣ୍ଡିତ ହେଲା। ସେହି ଦୃଷ୍ଟିରୁ ଗୋପବନ୍ଧୁ ଓ ତାଙ୍କ ପୂର୍ବସୂରୀ ମଧୁସୂଦନ ଆଦି ଭାରତୀୟ ରାଷ୍ଟ୍ରୀୟତା ନିମନ୍ତେ ଦିଗବାରେଣୀ ଭଳି କାମ କଲେ ବୋଲି ବୁଝିବାକୁ ହେବ। ଜଣେ ସମାବେଶୀ ରାଜନେତା ଓ ଚିନ୍ତକ ଭାବରେ ସର୍ବଦା ଗୋପବନ୍ଧୁ ଭାରତ ଇତିହାସରେ ଅବିସ୍ମୃତ ରହିବେ। ବିଚାରରେ ସେ ଥିଲେ ଆଧୁନିକ। କିନ୍ତୁ ଆଧୁନିକତା ନାମରେ ଯେତେବେଳେ ରାଧାନାଥ ରାୟ ପାରମ୍ପରିକ ସାହିତ୍ୟର ପ୍ରତୀକ ଉପେନ୍ଦ୍ର ଭଞ୍ଜଙ୍କର ଉପେକ୍ଷା କଲେ, ପୁରୀ ହାଇସ୍କୁଲ ଛାତ୍ର ଥିବା ଗୋପବନ୍ଧୁ ତା’ର ପ୍ରକାଶ୍ୟ ବିରୋଧ କରିଥିଲେ। ‘ଉତ୍କଳ ସମ୍ମିଳନୀ’ରେ ଯେତେବେଳେ ବଙ୍ଗୀୟ ବିରୋଧ ଦୃଶ୍ୟମାନ ହେଲା, ୧୯୦୪ରୁ ଗୋପବନ୍ଧୁ ତହିଁରେ ଅସହମତି ଦର୍ଶାଇଲେ ଏବଂ ୧୯୧୯ରେ ନିଜେ ସମ୍ମିଳନୀର ସଭାପତି ହେଲା ପରେ ସ୍ପଷ୍ଟ କରି କହିଥିଲେ, ‘ବଙ୍ଗଳାର ହୁଅନ୍ତୁ ବା ପଞ୍ଜାବର, ‌ମାରବାରର ହୁଅନ୍ତୁ ବା ମାନ୍ଦ୍ରାଜର, ହିନ୍ଦୁ ହୁଅନ୍ତୁ ବା ମୁସଲମାନ, ଆର୍ଯ୍ୟ ହୁଅନ୍ତୁ ବା ଆଦିମ ଅଧିବାସୀ, ଯେ ଉତ୍କଳ ଓ ଓଡ଼ିଶା ସଙ୍ଗେ ଆପଣାର ସମସ୍ତ ସ୍ବପ୍ନ ଓ ସ୍ବାର୍ଥ ମିଳାଇ ଦେଇ ଅଛନ୍ତି, ଓଡ଼ିଶା ତାଙ୍କର ଏବଂ ସେ ଓଡ଼ିଶାର। ଆଜିକାଲିର ସମୟରେ ଏକ ସ୍ଥାନରେ ଯେ କେବଳ ଏକ ପ୍ରକାର ଲୋକ ରହିବେ ତାହା ଅସମ୍ଭବ। ପୃଥିବୀର ଏପରି ସ୍ଥାନ ନାହିଁ, ଯେଉଁଠାରେ ଭିନ୍ନ ଭିନ୍ନ ଜାତି ବା ସମାଜର ଲୋକ ଏକତ୍ର ବାସ କରୁନାହାନ୍ତି।… କାଳକ୍ରମେ ଏକୀଭୂତ ହେବା ସେମାନଙ୍କ ପକ୍ଷେ ସ୍ବାଭାବିକ ଓ ଶ୍ରେୟସ୍କର।’

ଗୋପବନ୍ଧୁଙ୍କ ସମାବେଶୀ ବିଚାରର ଉଦାହରଣ ମିଳେ ତାଙ୍କ ଉଦାର ବନ୍ଧୁତାରୁ। ୧୯୨୨ରେ ଅସହଯୋଗ ଆନ୍ଦୋଳନର ପତନ ଘଟିଲା ଏବଂ ସେହି ସମୟରେ କଂଗ୍ରେସ ସର୍ବତ୍ର ଦାରୁଣ ଗୋଷ୍ଠୀ କନ୍ଦଳର ଶିକାର ହେଲା। ଓଡ଼ିଶାରେ ମଧ୍ୟ ଦଳରେ ‘ସତ୍ୟବାଦୀ ଗୋଷ୍ଠୀ’ ଓ ‘କଟକ ଗୋଷ୍ଠୀ’ର ଉଦୟ ହେଲା। ମାତ୍ର ଗୋପବନ୍ଧୁ ସତ୍ୟବାଦୀରେ ପରମ ପୂଜାସ୍ପଦ ହୋଇଥିବା ସହିତ କଟକ ଗୋଷ୍ଠୀର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ ଏବଂ ସମ୍ବଲପୁରର ଲକ୍ଷ୍ମୀନାରାୟଣ ମିଶ୍ରଙ୍କର ପରମ ପୂଜନୀୟ ଥିଲେ! କଲିକତାର ଓଡ଼ିଆ ପ୍ରବାସୀଙ୍କ ସଂଗଠନ କାମରେ ଗଲେ ସେ ହୁଏତ ଶ୍ରମିକ ବସ୍ତିରେ ରହୁଥିଲେ, ନୋହିଲେ ଶାନ୍ତିନିକେତନରେ ରବୀନ୍ଦ୍ରନାଥଙ୍କର କିମ୍ବା ନେତାଜୀ ସୁଭାଷ ବୋଷଙ୍କର ଅତିଥି ହେଉଥିଲେ। ରବୀନ୍ଦ୍ରନାଥ ଥିଲେ ଗାନ୍ଧୀଙ୍କ ତୁଳନାରେ ମଧ୍ୟ ଅଧିକ ଅହିଂସାବାଦୀ ଏବଂ ଯୁବକ ସୁଭାଷ ବୋଷ ଥିଲେ ପାଖାପାଖି ଭଗତ ସିଂହଙ୍କ ଭଳି ଉଗ୍ର ଜାତୀୟତାବାଦୀ। ଉଭୟଙ୍କ ସହିତ ନିବିଡ଼ ବନ୍ଧୁତା ଗୋପବନ୍ଧୁଙ୍କ ସମାବେଶୀ ଭାବକୁ ଦର୍ଶାଏ। ବ୍ରିଟିସ ସରକାରର ସହଯୋଗ ଭିତ୍ତିରେ ଯେତେବେଳେ ମଧୁସୂଦନ ଓଡ଼ିଆ ଅସ୍ମିତା ଆନ୍ଦୋଳନର ସଫଳତା ଖୋଜୁଥିଲେ, ସେତେବେଳେ ଗୋପବନ୍ଧୁ ବ୍ରିଟିସ୍‌ର ବିରୋଧ ଉପରେ ଜୋର ଦେଲେ। ଫଳରେ, ମଧୁବାବୁଙ୍କ ନେତୃତ୍ବକୁ ଗୋପବନ୍ଧୁ ଦୃଢ଼ ଭାବେ ବିରୋଧ କଲେ। ମାତ୍ର, ପରବର୍ତ୍ତୀ ସମୟରେ ଯେତେବେଳେ ମଧୁବାବୁ ଓ ତାଙ୍କ ‘ଉତ୍କଳ ଟେନେରୀ’ ଦୁଃସ୍ଥିତି‌ର ସମ୍ମୁଖୀନ ହେଲେ, ଗୋପବନ୍ଧୁ ମହାତ୍ମା ଗାନ୍ଧୀଙ୍କୁ ଅନୁରୋଧ କରି ଉଭୟଙ୍କ ମଧ୍ୟରେ ସାକ୍ଷାତର ବ୍ୟବସ୍ଥା କରିଥିଲେ; ୧୯୨୫ରେ କେବଳ ମଧୁବାବୁଙ୍କୁ ଭେଟିବା ଲାଗି ଗାନ୍ଧୀ କଟକ ଆସିଥିଲେ। ଗୋପବନ୍ଧୁଙ୍କ ଉଦାରତା ବିନା ଗାନ୍ଧୀଜୀ ଓ ମଧୁବାବୁଙ୍କ ମଧ୍ୟରେ ନିବିଡ଼ତା ସୃଷ୍ଟି ହୋଇପାରି ନଥାନ୍ତା!

ଦେଶୀୟ ରାଜ୍ୟଗୁଡ଼ିକର ପ୍ରଜାମାନଙ୍କ ଉପରେ ଚାଲିଥିବା ସାମନ୍ତବାଦୀ ଶୋଷଣକୁ ୧୯୩୦ ଦଶକରେ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ପ୍ରସଙ୍ଗ କଲା ଏବଂ ତାକୁ ସ୍ବାଧୀନତା ସଂଗ୍ରାମରେ ସାମିଲ କଲା। ମାତ୍ର ଏହାର ଦଶ ବର୍ଷ ପୂର୍ବରୁ ଅସହଯୋଗ ଆନ୍ଦୋଳନ ସମୟରୁ ଗୋପବନ୍ଧୁ ରାଜା-ଜମିଦାରଙ୍କ ଅତ୍ୟାଚାର ଓ ଶୋଷଣକୁ ଓଡ଼ିଶାରେ ରାଷ୍ଟ୍ରୀୟ ଆନ୍ଦୋଳନର ପ୍ରସଙ୍ଗ କରିଥିଲେ। ୧୯୨୨ରେ କନିକା ପ୍ରଜା ଆନ୍ଦୋଳନରେ ସଂପୃକ୍ତି ଯୋଗୁଁ ଭାଗୀରଥି ମହାପାତ୍ର ଓ ଗୋପବନ୍ଧୁଙ୍କୁ ଦୁଇ ବର୍ଷ ଜେଲ୍‌ଦଣ୍ଡ ମିଳିଥିଲା। ସଂଖ୍ୟା ଦୃଷ୍ଟିରୁ ଓଡ଼ିଶାରେ ମୁସଲମାନଙ୍କ ଅନୁପାତ ଅତି ଊଣା। ତା’ ସତ୍ତ୍ବେ ୧୯୨୦ରେ ତାଙ୍କ ସଭାପତିତ୍ବରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ଉପ-ସଭାପତି ଭାବେ ରହିଥିଲେ କଟକର ଏକରାମ ରସୁଲ। ଏହା ଗୋପବନ୍ଧୁଙ୍କ ସମାବେଶୀ ରାଜନୀତି ଓ ଦୃଷ୍ଟିର ପରିଚୟ ଦିଏ। ଗୋପବନ୍ଧୁ ଦାସଙ୍କ ସାହିତ୍ୟ, ରାଜନୀତି, ପତ୍ରକାରିତା, ଶିକ୍ଷା ସଂସ୍କାର ଓ ରିଲିଫ୍ କାମ ଆଦିକୁ ନେଇ ଅଧିକ ବୌଦ୍ଧିକ ଚର୍ଚ୍ଚା-ପରିଚର୍ଚ୍ଚା ହେବା କଥା। ନିଜ ୫୦ ବର୍ଷର ସ୍ବଳ୍ପ ଜୀବନାବଧି ମଧ୍ୟରେ ଗୋପବନ୍ଧୁ ନିଜେ କାହାକୁ କେବେ ପ୍ରତିଦ୍ବନ୍ଦ୍ବୀ ମନେ କରୁଥିବାର କୌଣସି ନଜିର ନାହିଁ। ତେଣୁ, ଇତିହାସରେ ତାଙ୍କୁ ଆଉ କାହାରି ପ୍ରତିଦ୍ବନ୍ଦ୍ବୀ କରି ଗଢ଼ିବା ଆଦୌ ଯୁକ୍ତିଯୁକ୍ତ ହେବନାହିଁ।
[email protected]

ସମ୍ବନ୍ଧିତ ଖବର