ପଚାଶ ବର୍ଷରୁ ଅଧିକ କାଳ ହେବ ଘଟଣାଟିକୁ। ମୁଁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀରେ ପଢୁଥାଏ। ସକାଳେ ଗାଁରେ ଲୋକେ କୁହାକୁହି ହେଲେ- ନିଧିବୁଢ଼ା ରାତିରେ ବିଷ ପି’ଦେଲା; ସକାଳେ ମରିପଡ଼ିଛି। ଗାଁ ଲୋକେ ସେଇଠି କଥାଟିକୁ ପାଟପୁଟ କରିଦେଲେ; ପୁଲିସ-ଥାନା ଯାଏ କଥା ଯିବାର ନୁହେଁ! ନିକଟ ପରିଜନ ବିନା କନ୍ଦାକଟାରେ ଯେତେ ଶୀଘ୍ର ସମ୍ଭବ ବୁଢ଼ାକୁ ମାଟି ଦେଇଦେଲେ।
ଦୁଇ-ତିନି ମାସ ହେଲା ବୁଢ଼ା ପାଗଳ ହୋଇଯାଇଥିଲା। ସାନ-ସାନ ପିଲାଙ୍କୁ ଦେଖିଲା କ୍ଷଣି କେବେ ନିଜେ ଲୁଚିଯାଏ, ତ ଆଉ କେବେ ଲାଠି ଧରି ପଛରେ ଦଉଡ଼େ। ପିଲାଏ ତା’ର ମଜା ନେବାକୁ ‘ମଟର-ଢିସା’ କହିଦେଇ ଦଉଡ଼ି ପଳାନ୍ତି। ବୁଢ଼ା ଅତର୍ଚ୍ଛା ଗୋଡ଼ାଏ; ସାଙ୍ଗେ ସାଙ୍ଗେ ତା’ର ବିପରୀତ କଡୁ ଆଉ ଦଳେ ପିଲା ଅଧିକ ବଡ଼ ପାଟିରେ ଚିଲ୍ଲାନ୍ତି, ‘ମଟର-ଢିସା’। ତେଣିକି ବୁଢ଼ାର ଆଉ ହିତାହିତି ଜ୍ଞାନ ରହେନା, ଅକଥ୍ୟ ଭାଷାରେ ବକେ; ପାଖରେ ଯାହା ପାଏ- ଢ଼େଲା-ପଥର ତାକୁ ଶସ୍ତ୍ର କରି ପିଲାଙ୍କ ଉପରକୁ ଫୋପାଡ଼େ। ଏହି ପ୍ରକ୍ରିୟାରେ ଅଣ୍ଟାରୁ ତା’ର କେବେ ଲୁଗା ଖସିଯାଏ ତ ଆଉ କେବେ ବୁଢ଼ା ଝୁଣ୍ଟି ପଡ଼ି ଖଣ୍ଡିଆ-ଖାବରା ହୋଇଯାଏ। ବୁଢ଼ାର ଏ ରୂପ ଗାଁ ଦାଣ୍ଡରେ ଭୟ ବଦଳରେ ହାସ୍ୟରୋଳ ସୃଷ୍ଟି କରେ। ବଡ଼ମାନେ ଏଥିରେ ବୁଢ଼ାର ଦୋଷ ଦେଖନ୍ତି। ପିଲାଙ୍କ ପାଇଁ ତାହା ଏକ ଆମୋଦ! ଜାଣି, ନିଧିବୁଢ଼ା ଏକ କ୍ରୀଡ଼ନକ; ପୁଣି ସାରା ଗାଁ ଯେମିତି ତା’ ବିରୁଦ୍ଧରେ; ସେ ଶତ୍ରୁ!
‘ମଟର-ଢିସା’ର ଅର୍ଥ ମୋଟର ସହିତ ଧକ୍କା। ପ୍ରକୃତ କଥାଟି ହେଲା, ନିଧିବୁଢ଼ା ଜାଣିଶୁଣି ଚଳନ୍ତା ମଟରଗାଡ଼ିରେ ଯାଇ ଧକ୍କା ଖାଇଲା; ଉଦ୍ଦେଶ୍ୟ ଗାଡ଼ିବାଲା ଠାରୁ ପଇସା ଆଦାୟ କରି ସେହି ପଇସାରେ ମହାଡ଼ମ୍ବରରେ ନୂଆଁଖାଇ ପାଳନ କରିବ।
ଘଟଣାଟି ଥିଲା ଏହିପରି- ନୂଆଁଖାଇ ପୂର୍ବ ଦିନ ଦୁଇପହରେ ବୁଢ଼ା ଗାଈ-ଗୋରୁ ଘେନି ବିଲରୁ ଫେରୁଥିଲା। ରାଜରାସ୍ତା ପାରି ହେଲା ବେଳେ ଗାଁ ମୁହଁରେ ତା’ ସମ୍ମୁଖକୁ ମୋଟରକାର୍ଟିଏ ଆସିଗଲା। ଗୋରୁ ପଲ ଥିଲେ ବୋଲି ଗାଡ଼ିର ଗତି ଧୀର ଥାଏ। ତା’ ସତ୍ତ୍ବେ ବୁଢ଼ା ଗାଡ଼ି ଉପରକୁ ପଡ଼ିଗଲା, ଚେତାଶୂନ୍ୟ ହେଲା। ଗାଡ଼ିବାଲାର ନଜର ପଡ଼ିବାରୁ ସେ ଗାଡ଼ିରୁ ଓହ୍ଲାଇଲା; ବୋତଲ ପାଣିରେ ବୁଢ଼ାକୁ ସାଷ୍ଟାମ କଲା। ଏତିକି ବେଳକୁ ଗଁାଲୋକ ରୁଣ୍ଡ ହୋଇଗଲେ। ତେଣିକି ସେଠାରେ ଭିଡ଼ର ରାଜୁତି ଚାଲିଲା। ଭିଡ଼ର ନିଷ୍ପତ୍ତି- ନିଧିବୁଢ଼ା ଉପରକୁ ଗାଡ଼ି ମାଡ଼ିଗଲା। ସବୁ ଦୋଷ ଗାଡ଼ିବାଲାର। ଗାଡ଼ିରେ ନିଆଁ ଲଗେଇ ଦିଅ; ଗାଡ଼ିବାଲାକୁ ମାରି ହାଣି ପକାଅ। ଶେଷରେ ବୁଢ଼ାର ଚିକିତ୍ସା ବାବଦକୁ ଗାଡ଼ିବାଲା ପଚାଶ ଟଙ୍କା ଦେଲା; ଘଟଣା ସ୍ଥଳରୁ ବହୁ କଷ୍ଟରେ ଗାଡ଼ି ଆଗକୁ ଯିବା ପାଇଁ ଅନୁମତି ପାଇଲା।
ବୁଢ଼ାଠାରେ ଆଘାତର କୌଣସି ଚିହ୍ନ ନ ଥିଲା। ଘରକୁ ବୁହା ହେଇ ଅଣା ହେଲା ପରେ ସାମାନ୍ୟ ଆରାମ ପରେ ସୁସ୍ଥ ହୋଇ ପଡ଼ିଲା। ଗାଡ଼ିବାଲା ଠାରୁ ମିଳିଥିବା ପଚାଶ ଟଙ୍କାରେ ତା’ ପରିବାର ଲୋକେ ମହାଉଲ୍ଲାସରେ ନୂଆଁଖାଇ ପାଳନ କଲେ। ଗାଁର ଅନ୍ୟମାନଙ୍କ ପରି ନୂଆଁଖାଇ ଦିନ ଅଭାବର ଗଞ୍ଜଣା ଭୋଗିଲେ ନାହିଁ।
ନୂଆଁଖାଇ ପର୍ବ ଆସେ ଭାଦ୍ରବ ମାସରେ। ତାହା ଘୋର ଅନଟନର ସମୟ। ସାଧାରଣ ଚାଷୀ ଘରେ ଦୁଇ ଓଳି ଚୁଲି ଜଳିବା କଷ୍ଟ ହୋଇପଡ଼େ। କାର୍ତ୍ତିକ ମାସ ଯାଏ କ୍ଷେତରୁ ନୂଆଁ ଧାନ ଅମଳ ହେବାର ନୁହେଁ। ଗାଁସାରା ଲୋକେ କୃଷିଆଶ୍ରିତ; କିଏ ଜମି ଚାଷକରେ ତ କିଏ ଚାଷୀ ବିଲରେ ମଜୁରି ଖଟେ। ବିକାକିଣା ସବୁ ଧାନରେ। ରୋଜଗାରର ଅଲଗା ପନ୍ଥା ବିରଳ ପ୍ରାୟ। ଅନଟନ ଯୋଗୁଁ ଅନେକ ସାନଚାଷୀ ଓ ମଜୁରିଆଙ୍କ ପାଇଁ ନୂଆଁଖାଇର ଖର୍ଚ୍ଚ ଯୋଗାଡ଼ ବିଷମ ହୋଇପଡ଼େ।
ନିଧିବୁଢ଼ା ଗାଁର ଏକ ଛୋଟ ଚାଷୀ; ମଝିରେ ମଝିରେ ତା’ ପୁଅ-ବୋହୂ ଅନ୍ୟ ଚାଷୀର ବିଲରେ ମଜୁରି ନ କଲେ ଦିନ ଯାଏନା। ବୁଢ଼ାର କାମ ଘରର ଗାଈ-ଗୋରୁ ଚରାଇବା। ବୁଢ଼ା ହେଲାଣି ବୋଲି ମଜୁରି ପାଇଁ ତା’ର ଚାହିଦା ନାହିଁ। ଏଭଳି ଏକ ଦୁଃସ୍ଥିତିରେ ସେ ଦିନର ପଚାଶ ଟଙ୍କା ଥିଲା ଯେମିତି ତା’ ପରିବାର ପାଇଁ ଏକ ବଡ଼ ବରଦାନ!
ହେଲେ, ଖୁବ୍ ଶୀଘ୍ର ବରଦାନଟି ଯେମିତି ଅଭିଶାପ ଭଳି ଲାଗିଲା। ନୂଆଁଖାଇ ପରଦିନ କେହି ଜଣେ ଗାଁ ଦାଣ୍ଡରେ କହିଲା- ବୁଢ଼ା ନୂଆଁଖାଇର ଖର୍ଚ୍ଚ ଯୋଗାଡ଼ ଉଦ୍ଦେଶ୍ୟରେ ଜାଣିଶୁଣି ସେ ଦିନ ମୋଟର ଉପରକୁ କୁଦି ପଡ଼ିଲା। ଖୁବ୍ ଅଳ୍ପ ସମୟ ମଧ୍ୟରେ ଏହା ଏକ ଅକାଟ୍ୟ ‘ସତ କଥା’ରେ ରୂପାନ୍ତରିତ ହେଲା। ବଡ଼ମାନଙ୍କର ତହିଁରେ ମୌନ ସମ୍ମତି ରହିଥିଲା। ସାନ ସାନ ପିଲା, ବୁଢ଼ାକୁ ଚିଡ଼େଇବା ଲାଗି ସେହି ‘ସତ’କୁ ଅସ୍ତ୍ର କଲେ। ଯେଉଁ ଆକ୍ରାମକତାରେ ସେ ଦିନ ଗାଁଲୋକ ଏକ ଭିଡ଼ରେ ପରିଣତ ହୋଇ ଗାଡ଼ିବାଲାକୁ ଦୋଷୀ ଘୋଷଣା କରି ଟଙ୍କା ଆଦାୟ କରିଥିଲେ, ଏବେ ସେହି ନୃଶଂସତାର ଶିକାର ନିଧି ବୁଢ଼ା, ଭିଡ଼ର ଘୋଷଣା ଯେ ବୁଢ଼ା ପ୍ରଚଣ୍ଡ ଲୋଭୀ!
ବୁଢ଼ାଠାରୁ କେହି କୌଣସି କୈଫିୟତ ଲୋଡ଼ିଲେ ନାହିଁ। ଗାଡ଼ି ଧକ୍କାରେ ଆଘାତ ପାଇ ନ ଥିବା ନିଧିବୁଢ଼ା ଗାଁ ଲୋକଙ୍କ ନିଷ୍ଠୁର ବିଦ୍ରୂପର ମାଡ଼ରେ ଯେଉଁ ଆଘାତ ପାଇଲା, ତା’ର ଉପଶମ ପାଇଁ କୌଣସି ଔଷଧ ବା ମଲମ ନ ଥିଲା।
ପ୍ରଥମେ ବୁଢ଼ା ନିଜ ଆଡୁ ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଚେଷ୍ଟା କଲା। ସେ ଦିନ ତା’ ମୁଣ୍ଡ ବୁଲାଇବାରେ, ଚେତା ହରାଇବାରେ, କିମ୍ବା ଡ୍ରାଇଭର ଠାରୁ ଟଙ୍କା ଅସୁଲିରେ ତା’ର ଆଦୌ କୌଣସି ଭୂମିକା ନ ଥିବା କଥା କହିଲା। କିନ୍ତୁ ଲୋକେ ଓଲଟି କହିଲେ- କୈଫିୟତ ଦେବା ହେଉଛି ତା’ ‘ଚୋର ମନ’ର ପ୍ରମାଣ। ନିରାଶ ବୁଢ଼ାକୁ କୌଣସି ପ୍ରବୋଧନା ମିଳିବାର ନ ଥିଲା। ଏବେ କେବଳ ଚତୁର୍ଦିଗରୁ ‘ମଟର-ଢିସା’ର କୋଳାହଳ! ତା’ ରାଗ ସହିତ ‘ମଟର-ଢିସା’ର ଆକ୍ଷେପ ଆହୁରି ତୀବ୍ର ହେଲା। ବଡ଼ମାନେ ଏଥିରୁ ଅଧିକ ଆନନ୍ଦ ପାଇଲେ। ବୁଢ଼ାର ଉଗ୍ରତା ବଢ଼ୁଥିବା ବେଳେ ବଡ଼ମାନଙ୍କ ଇଙ୍ଗିତରେ ପିଲାଙ୍କ ବିଦ୍ରୂପ ଆକାଶ ଛୁଇଁଲା। ଶେଷକୁ ବୁଢ଼ା ପାଗଳ ହୋଇଗଲା ଏବଂ ବିଷ ଖାଇବାରେ ଘଟଣାର ଅନ୍ତ ହେଲା।
ଏହି ଘଟଣାର ପାଞ୍ଚ ଦଶନ୍ଧି ପରେ ଲାଗୁଛି ଭିଡ଼ତନ୍ତ୍ରର କରାଳତା ଆଜି ମଧ୍ୟ ସେମିତି ଅଛି। ଗାଁ, ସହର ଓ ନଗର ସବୁଠି! ବା’ବତାସ ପରି ମାଡ଼ିଆସେ; କ୍ରୂରତାର ଚକ୍ରବାତରେ ସତ୍ୟ, ତଥ୍ୟ, ତର୍କ ଓ ସର୍ବୋପରି ମାନବିକତା କୁଟା ଖିଅ ଭଳି କୁଆଡ଼େ ଉଡ଼ିଯାଏ, ସତ୍ତା ହରାଏ। କିନ୍ତୁ ବଡ଼ କଥା ହେଲା, ଏତେ ସବୁ ଜଘନ୍ୟତା ପରେ ସୁଦ୍ଧା ସେ ଅଦୃଶ୍ୟ ହୋଇ ରହେ; ଭିଡ଼ତନ୍ତ୍ରର ନିୟନ୍ତା ଭାବରେ କାହାରି ମୁଣ୍ଡରେ ଦୋଷ ଲାଗେନା!
[email protected]
ସାମାନ୍ୟ କଥନ: ଭିନ୍ନ ଏକ ଭିଡ଼ତନ୍ତ୍ର
ପ୍ରୀତୀଶ ଆଚାର୍ଯ୍ୟ