ମୋଗଲ ସମ୍ରାଟ ଆଉରଙ୍ଗଜେବ ପାଖାପାଖି ୫୦ ବର୍ଷ ଧରି ରାଜ୍ୟ ଶାସନ କରିଥିଲେ; ୧୬୫୮ ମସିହାରୁ ୧୭୦୭ ପର୍ଯ୍ୟନ୍ତ। ମଧ୍ୟକାଳୀନ ଭାରତରେ ସମ୍ଭବତଃ ତାଙ୍କ ରାଜତ୍ବ କାଳରେ ସବୁଠାରୁ ଅଧିକ ବିଦ୍ରୋହ ଘଟିଥିଲା। ହରିଆଣାର ନାରନୋଲ ଠାରେ ସଂଘଟିତ ସତନାମୀ ବିଦ୍ରୋହ ଥିଲା ଏହିଭଳି ଏକ ସଶସ୍ତ୍ର ବିଦ୍ରୋହ। ଏଥିରେ ସତନାମୀ ନାମକ ଏକ ଧାର୍ମିକ ସମାଜ ମୋଗଲ ଅତ୍ୟାଚାରର ପ୍ରତିରୋଧ କରିଥିଲେ। ସତନାମୀ ସମାଜର ବିଶେଷତ୍ବ ହେଲା ଯେ ତାହା ଥିଲା ସମାଜର ତଳ ବର୍ଗର ଚାଷୀ, ମଜୁରିଆ, ବଢ଼େଇ, କମାର, ତନ୍ତୀ ଏବଂ ତଥାକଥିତ ‘ଅସ୍ପୃଶ୍ୟ’ ଜାତିର ଲୋକଙ୍କର। ସେମାନଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ସମର୍ଥନରେ କୌଣସି ଉଚ୍ଚବର୍ଗର ପ୍ରଭାବଶାଳୀ ବ୍ୟକ୍ତିି କିମ୍ବା ରାଜା-ରାଜୁଡ଼ା ବାହାରି ନ ଥିଲେ। ତା’ ସତ୍ତ୍ବେ, ସତନାମୀ ବିଦ୍ରୋହ ମୋଗଲ ସାମ୍ରାଜ୍ୟକୁ ଏତେ ମାତ୍ରାରେ ଥରହର କରି ପକାଇଥିଲା ଯେ ଆଉରଙ୍ଗଜେବ ନିଜେ ଦଶ ହଜାର ସେନାର ଏକ ବିଶାଳ ବାହିନୀ ନେଇ ସେମାନଙ୍କୁ ଦମନ କରିଥିଲେ। ମାତ୍ର ଗୋଟାଏ ଦିନରେ (୨୫ ମାର୍ଚ୍ଚ ୧୬୭୨) ଆଉରଙ୍ଗଜେବଙ୍କ ହାତରେ ସତନାମୀମାନଙ୍କର ଦମନ ହେଲା; ବିଦ୍ରୋହରେ ଦୁଇ ହଜାରରୁ ଅଧିକ ସତନାମୀ ହତ୍ୟାର ଶିକାର ହେଲେ। ଦମନ ପରେ ପ୍ରତ୍ୟେକ ସତନାମୀକୁ ଶତ୍ରୁ ଘୋଷଣା କରି ମୋଗଲ ସେନା ଯେଉଁ ଗଣହତ୍ୟା ଆରମ୍ଭ କଲେ, ତାହା ଥିଲା ଅବର୍ଣ୍ଣନୀୟ ଭାବେ ହୃଦୟ ବିଦାରକ।
ସତନାମୀ ସମାଜର ଅୟମାରମ୍ଭ ସନ୍ଥ ରବିଦାସଙ୍କ ସମୟରୁ ବୋଲି କୁହାଯାଏ। ରବିଦାସ ଜନ୍ମିଥିଲେ ବାରାଣସୀର ଏକ ମୋଚି ପରିବାରରେ। ତାଙ୍କ ପରେ, ସପ୍ତଦଶ ଶତାବ୍ଦୀରେ, ହରିଆଣାର ନାରନୋଲ ଠାରେ ବୀରଭାନ ନାମକ ଜଣେ ସନ୍ଥ ସତନାମୀମାନଙ୍କୁ ୧୬୫୭ ମସିହାରେ ସଂଗଠିତ କରିଥିଲେ। ପ୍ରାୟତଃ ଅସ୍ପୃଶ୍ୟ ଏବଂ ତଳବର୍ଗର ଲୋକ ସତନାମୀ ପନ୍ଥା ପ୍ରତି ଆକୃଷ୍ଟ ହେବା ପଛରେ ପ୍ରମୁଖ କାରଣ ଥିଲା ଏହା ହିନ୍ଦୁ ଧର୍ମର ଜାତିଭେଦ ଏବଂ ମୂର୍ତ୍ତିପୂଜାକୁ ଅସ୍ବୀକାର କରୁଥିଲା। ଜଟିଳ କର୍ମକାଣ୍ଡ ବଦଳରେ ସତନାମ ବା ସତ୍ୟର ନାମ କୀର୍ତ୍ତନକୁ ଏହା ପ୍ରମୁଖତା ଦେଉଥିଲା। ରାମ, କୃଷ୍ଣ ଏବଂ ହନୁମାନଙ୍କ ନାମ ଜପକୁ ଏହା ସତନାମ ଆଖ୍ୟା ଦେଇଥିଲା। ବୀରଭାନ ନିଜର ଶିଷ୍ୟମାନଙ୍କୁ କହିଥିଲେ: ନିଜେ ଅନ୍ୟାୟ କରିବ ନାହିଁ ଏବଂ ଅନ୍ୟାୟ ଓ ଅତ୍ୟାଚାରର ସର୍ବଦା ପ୍ରତିରୋଧ କରିବ। ଗୁରୁଙ୍କର ଏହି ଉପଦେଶ ସତନାମୀମାନଙ୍କୁ ମୋଗଲ ଶାସନର ବର୍ଦ୍ଧିତ ଭୂ-ରାଜସ୍ବ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବାକୁ ପ୍ରେରିତ କରିଥିଲା। ଅତି ‘ତଳ’ ଜାତିର ହେବା କାରଣରୁ ‘ସତନାମୀ’ ବୋଲି ଜାତି ପରିଚୟ ସେମାନଙ୍କ ଭିତରେ ସ୍ବାଭିମାନ ସୃଷ୍ଟି କରିଥିଲା, ଯାହା ବିଦ୍ରୋହରେ ଦେଖିବାକୁ ମିଳିଥିଲା।
ମଧ୍ୟ କାଳର ରାଜନୀତିକ ଏବଂ ସାମାଜିକ ପରିବେଶରେ ବିଚାର କଲେ ବିଦ୍ରୋହର ତାତ୍କାଳିକ କାରଣ ଏକ ସାଧାରଣ ଘଟଣା ଥିଲା। ୧୬୭୨ ମସିହାରେ ନାରନୋଲ ଠାରେ ଜଣେ ମୋଗଲ ରାଜକର୍ମଚାରୀ ଏକ ସାମାନ୍ୟ କଥାରୁ ଜଣେ ସତନାମୀ ଯୁବକଙ୍କୁ ହତ୍ୟା କଲେ। ଏଥିରେ ସ୍ଥାନୀୟ ସତନାମୀମାନେ ଗୁରୁବାଣୀକୁ ଧ୍ୟେୟ କରି ଘାତକ ମୋଗଲ ରାଜକର୍ମଚାରୀକୁ ହତ୍ୟା କଲେ। ଖବର ଯାଇ ପହଞ୍ଚିଲା ଦିଲ୍ଲୀ ମୋଗଲ ଦରବାରରେ। ସତନାମୀମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଏକ ମୋଗଲବାହିନୀ ପହଞ୍ଚିଲେ। ସମ୍ମୁଖ ସମରରେ ପାଞ୍ଚ ହଜାର ସତନାମୀ ଉକ୍ତ ମୋଗଲ ବାହିନୀକୁ ପରାଜିତ କଲେ; ନାରନୋଲ ଠାରେ ଅବସ୍ଥାପିତ ମୋଗଲ ପ୍ରଶାସନ ବଦଳରେ ସତନାମୀମାନେ ସମାନ୍ତରାଳ ପ୍ରଶାସନ ଆରମ୍ଭ କଲେ ଏବଂ ରାଜରାସ୍ତାକୁ ନିଜ ନିୟନ୍ତ୍ରଣକୁ ଆଣି ସମସ୍ତ ବାଣିଜ୍ୟିକ ଓ ପ୍ରଶାସନିକ ଯୋଗାଯୋଗକୁ ନଷ୍ଟ କରିବାକୁ ଲାଗିଲେ। ଅନ୍ୟଥା ନିଃସ୍ବ ଏବଂ ଦଳିତ ଭାବେ ବିବେଚିତ ସତନାମୀ ସମାଜ ଏତେ ମାତ୍ରାରେ ହିଂସ୍ର ହୋଇପଡ଼ିଲା ଯେ ମୋଗଲ ସୈନିକ ସେମାନଙ୍କ ସମ୍ମୁଖୀନ ହେବାକୁ ପ୍ରମାଦ ଗଣିଲେ। ସତନାମୀମାନେ ଥିଲେ ଶ୍ରମିକ, କାରିଗର ସଂପ୍ରଦାୟର। ପ୍ରଶାସନର ଆଦେଶରେ ସେମାନେ ବନ୍ଧୁକ, ତୋପ, କମାଣ ତିଆରି କରି ଜୀବିକା ଅର୍ଜନ କରୁଥିଲେ। ସେ ସବୁର ଉପଯୋଗ କୌଶଳ ମଧ୍ୟ ସେମାନଙ୍କୁ ଜଣା ଥିଲା। ଏବେ ସେହି ସବୁ ଅସ୍ତ୍ରଶସ୍ତ୍ରର ପ୍ରୟୋଗ କରି ସେମାନେ ମୋଗଲ ସେନାର ପ୍ରତିରୋଧ କଲେ। ସତନାମୀ ସମାଜର ଅନ୍ୟ ଏକ ବିଶେଷତ୍ବ ହେଲା ମହିଳା ସଂପୃକ୍ତି। ମଧ୍ୟ ଯୁଗରେ ରାଣୀ ଅହଲ୍ୟା ବାଈ, ଚାନ୍ଦ ବିବି, ଦୁର୍ଗାବତୀ ଆଦି ଅଳ୍ପ କେତେକ ଉଚ୍ଚ ବଂଶଜ ମହିଳାଙ୍କୁ ବାଦ ଦେଲେ ଅନ୍ୟ ମହିଳାମାନେ ଘର କୋଣରେ ପରଦା ଆଢୁଆଳରେ ରହିବାକୁ ବାଧ୍ୟ ହେଉଥିଲେ। ମାତ୍ର ସତନାମୀ ମହିଳା ବିଲବାଡ଼ି, କମାରଶାଳ ଆଦି ସମସ୍ତ ଗତିବିଧିରେ ପୁରୁଷଙ୍କ ସମକକ୍ଷ ହୋଇ କାର୍ଯ୍ୟ କରୁଥିଲେ। ସତନାମୀ ବିଚାର ସର୍ବଦା ମହିଳାମାନଙ୍କୁ ସେମାନଙ୍କ ପ୍ରାପ୍ୟ ସମ୍ମାନ ଦେବାକୁ କହେ। ଏହା ସେମାନଙ୍କୁ ସାହସ ଓ ସ୍ବାଧୀନତା ଦେଇଥିଲା। ତେଣୁ, ଉପସ୍ଥିତ ସ୍ଥିତିରେ ସତନାମୀ ମହିଳାମାନେ ପୁରୁଷ ବେଶରେ ଅସ୍ତ୍ର ଧାରଣ କରି ମୋଗଲ ସେନା ବିରୋଧରେ ଯୁଦ୍ଧ କରିବାକୁ ଆଗେଇ ଆସିଲେ।
ସ୍ବଳ୍ପ ଅବଧି ମଧ୍ୟରେ ସତନାମୀ ବିଦ୍ରୋହ ଏତେ ତୀବ୍ର ହେଲା ଯେ ଆଉରଙ୍ଗଜେବ ନିଜେ ଦଶ ହଜାର ସୈନିକ ବଳର ନେତୃତ୍ବ ନେଇ ସେମାନଙ୍କୁ ଦମନ କରିବାକୁ ଆସିଲେ। ଦମନ ପରେ ସତନାମୀମାନଙ୍କ ଉପରେ ଉତ୍ପୀଡ଼ନ ବୃଦ୍ଧି ପାଇଲା। ସତନାମୀମାନେ ପ୍ରାଣରକ୍ଷା ପାଇଁ ଯୁଆଡ଼େ ପାରିଲେ ସିଆଡ଼େ ପଳାୟନ କଲେ। ଏହି କାରଣରୁ, ଆଜି ସଂଖ୍ୟା ନ୍ୟୂନତା ସତ୍ତ୍ବେ ରାଜସ୍ଥାନ, ଉତ୍ତରପ୍ରଦେଶ, ହରିଆଣା, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ର ଆଦି ଭିନ୍ନ ଭିନ୍ନ ଅଞ୍ଚଳରେ ସତନାମୀମାନେ ଦେଖିବାକୁ ମିଳନ୍ତି। ମୋଗଲ ସେନା ହାତରେ ସତନାମୀମାନେ ପରାଜିତ ହେଲେ ସତ, କିନ୍ତୁ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସେମାନେ ଏକଜୁଟ ହେଲେ ଏବଂ ଲଢ଼ିବାର ସଂକଳ୍ପ ନେଲେ। ଇତିହାସରେ ଏହା ଏକ ମହାନ ପରମ୍ପରା ସୃଷ୍ଟି କଲା।
[email protected]